LALIT MOHAN DASH

Abstract Classics Inspirational

4  

LALIT MOHAN DASH

Abstract Classics Inspirational

ଯାହା ଭଲ ଲାଗେ

ଯାହା ଭଲ ଲାଗେ

3 mins
9


ମୋତେ ଭଲ ଲାଗେ ଶ୍ମଶାନ ର ନୀରବତା। କେତେ କେତେ ପବିତ୍ର ଆତ୍ମା ଙ୍କ ଶରୀର ଏହି ଶ୍ମଶାନ ମାଟିରେ ଲୀନ ହୋଇଛି। ଜୀବନର ସମସ୍ତ ଗର୍ବ ମାନ ଅଭିମାନ ଓ ଅହଙ୍କାର ଏ ଠାରେ ବିଲୀନ ହୋଇଯାଏ। ଅଳପ ଦିନର ବ୍ୟବଧାନ ର ଜୀବନ ବହୁ କଥା ଶିଖେ, ବଞ୍ଚିବା ଯଦି ଭଲରେ ବଞ୍ଚିବା, ଧସ୍ତା ଧସ୍ତିରେ ନୁହେଁ, କାହାକୁ ନାଲି ଦେଖେଇ ନୁହେଁ, କାହା ସମ୍ପତ୍ତି ଅପହରଣ କରି ନୁହେଁ, କେଉଁ ଝିଅ ବୋହୂ ଙ୍କର ଇଜ୍ଜତ ଅପହରଣ କରି ନୁହେଁ। ସମୟ ଏହି ସବୁ ଧପା ବାଜ ମାଟିରେ ମୁହୂର୍ତ୍ତକେ ମିଶାଇ ଦିଏ। ଶ୍ମଶାନ ର ନୀରବତା ଏହା ସମସ୍ତଙ୍କୁ ସୂଚାଇ ଦିଏ। ଜୀବନ ର ସବୁ ଗହଳ ଚହଳ, ପାଟି ତୁଣ୍ଡ, ହୋ ହାଲ୍ଲା ଏହି ନୀରବତା ରେ ହଜି ଯାଏ। ଭଲ କାମ କରି ମରଣ ଲଭି ଥିଲେ ବ୍ୟକ୍ତି ଜଣକ ଅମର ହୁଏ। ତେବେ ଆସନ୍ତୁ ଭଲ ପାଇବା ଶ୍ମଶାନ ର ନୀରବତା କୁ। ଶ୍ମଶାନ ହେଉଛି ସର୍ବ ଧର୍ମ ର ପେଣ୍ଠ ସ୍ଥଳ।

   ମୋତେ ଭଲ ଲାଗେ ସମୁଦ୍ର କୂଳେ ବସି ଅସୁମାରୀ ଲହରୀ ଗଣିବା। ଆହା ସତରେ ଉତ୍ତାଳ ଫେନିଳ ତରଙ୍ଗ କେଡେ ସୁନ୍ଦର ଦିଶେ। ମୋ ଆଖି ଯେତେ ଦୂର ଯାଏ ଦେଖି ପାରେ ମୁଁ ଚାହିଁ ରହେ, ସମୁଦ୍ରର ଅତଳ ଗଭୀରତା କୁ କଳନା କରେ, ସ୍ରଷ୍ଟା ଙ୍କ ବିଚିତ୍ର ସୃଷ୍ଟିକୁ ଅବଲୋକନ କରେ, କେତେ କେତେ ନଦୀ, ତଟନୀ , ହଦ୍ର, ସମୁଦ୍ର ଜଳରେ ହଜାଇ ଦେଇ ଏକକ ପରିଚୟ ରେ ସନ୍ତୋଷ ହୋଇଛନ୍ତି ତାହାର ହିସାବ କାହା ପାଖରେ ନାହିଁ, କିନ୍ତୁ କୌଣସି ଦିନ ସମୁଦ୍ର ତାର ଜଳରେ ହଜାଇ ଦେବା ପାଇଁ କାହାରିକୁ ବାରଣ କରି ନାହିଁ। ସୁତରାଂ ସ୍ରଷ୍ଟା ଙ୍କ ବିଚିତ୍ର ସୃଷ୍ଟିକୁ ସମୀକ୍ଷାକଲେ ମୁଣ୍ଡ ନଇଁ ଯାଏ। ସମୁଦ୍ର କୂଳରେ ବସି ଅସ୍ତାଚଳ ଗାମୀ ସୂର୍ଯ୍ୟ ଙ୍କୁ ଦୂର ଦିଗବଳୟରେ ଦେଖିଲେ ଆହୁରି ମୋତେ ଭଲ ଲାଗେ। ଦିନ ଟିଏ ଏବେ ସରି ଗଲା, ରାତିର ଅନ୍ଧାର ଆସିବ, ଶାନ୍ତ ସରଳ ରେ ଧରଣୀ ମାତା ଶୋଇ ଯିବ ଗଭୀର ନିଦ୍ରାରେ। ପୁଣି ସକାଳ ହେବ, ସୂର୍ଯ୍ୟ ଉଦୟ ହୋଇ ସମଗ୍ର ବିଶ୍ବ ଜାଗ୍ରତ ହେବ, ଏଇଭଳି ସମୟ ସୁଅ ବହେ ଓ ଗୋଟିଏ ପୀଢ଼ି ପରେ ଆଉ ଗୋଟିଏ ପୀଢ଼ି ଆଗକୁ ବାଟ ଚାଲେ, ଯୁଗ ବିତେ, ମଣିଷ ହଜେ ପୁଣି ନୂଆ ନୂଆ ପୀଢ଼ି ଆସନ୍ତି। କିନ୍ତୁ ସମୁଦ୍ର ର ବିଶାଳ ତାକୁ ମାପି ହୁଏନି। ଯିଏ ଯେତେ ବିଶାଳ ସିଏ ସେତେ ନମ୍ବ୍ର। ତେବେ ଆସନ୍ତୁ ସମୁଦ୍ର ର ବିଶାଳତା ପରି ଆମେ ଆମର ହୃଦୟକୁ ବିଶାଳ କରିଦେବା।

    ମୋତେ ଭାରି ଭଲ ଲାଗେ ନିଳୀମା ଆକାଶ କୁ ଚାହିଁ ବାକୁ। କେତେ ରଙ୍ଗ ବେରଙ୍ଗର ପକ୍ଷୀ ତାର ନିଳୀମା ଭିତରେ ଉଡ଼ି ନିଜକୁ ହଜାଇ ଦିଅନ୍ତି, ବେଳେ ବେଳେ ଝଡ଼ ରେ ବାଦଲ ଫଟା ମେଘ ବରଷି ପ୍ରଳୟ ସୃଷ୍ଟି କରେ, ତୋଫାନ ପବନ ବହେ, କିଛି ଦିନ ପରେ ସବୁ ଶାନ୍ତ ପଡ଼ିଯାଏ, କିନ୍ତୁ ଆକାଶର ନିଳୀମା ସେମିତିକା ଥାଏ, ଭଟ୍ଟା ପଡେ ନାହି, ଯାହା ସୂଚାଇ ଦିଏ ଧୈଯ୍ୟ ଧରିଲେ ସବୁ ସମସ୍ୟା ଆପେ ଆପେ ସମାଧାନ ହୋଇ ଯାଏ। ପୃଥିବୀ ଚାହିଁ ରହେ ନିଳୀମା ଆକାଶ କୁ, ବରଷା ପାଣି ଝରିବ, ଶସ୍ୟ ଅମଳ ହେବ, ପ୍ରାଣୀ ବଞ୍ଚିବେ, ପୃଥିବୀ ସବୁଜିମାରେ ପୂର୍ଣ୍ଣ ହୋଇ ମନୋରମ ଦିଶେ। ଅସୀମ ଆକାଶ, ଯାହାର ସୀମା ନାହିଁ, ରାତିର ଆକାଶ ତାରକାରେ ଆଚ୍ଛାଦିତ ହୁଏ, ପୂର୍ଣ୍ଣମୀ ଜହ୍ନ ଖିଲି ଖିଲି ହସେ, ତାରା ମାନେ ମିଟି ମିଟି ହୁଅନ୍ତି, ପୂର୍ଣ୍ଣମୀ ପରେ ଅମାବାସ୍ୟା ଆସେ, ଜହ୍ନ ଦିଶେ ନାହିଁ, ପକ୍ଷ କୁ ପକ୍ଷ ବଢେ ଓ ଛିଣ୍ଡେ। ତଥାପି ନିଳୀମା ଆକାଶ ପ୍ରଥମରୁ ଯାହା ଏବେବି ସେୟା। ଅପରିବର୍ତ୍ତିତ ଅଟେ।

  ଭାରି ଭଲ ଲାଗେ ଝରଣାର କୁଳୁକୁଳୁ ନାଦ ଶୁଣିବାକୁ, କୋଇଲିର କୁହୁ କୁହୂ ଗାନ ଶ୍ରୁତି ମଧୁର ହୁଏ, ଜଳରେ ହଂସ ହଂଶରାଳି ଙ୍କ ଜଳ କ୍ରୀଡା ଦେଖିବାକୁ ଭଲ ଲାଗେ , ମାଛରଙ୍କା ପକ୍ଷୀ ମାଛ ଝାଂପି ନେବାର ଦୃଶ୍ୟ ଦେଖିବାକୁ ଭଲ ଲାଗେ, ଶିଶୁଟିର ଦରୋଟି କଥାଶୁଣି ମୁଁ ବିଭୋର ହୁଏ, ଚାକୋର ଓ ଚକୋରୀ ଙ୍କ ବିରହ ଜ୍ୱାଳା ଦେଖି ହୁଏନି। ପ୍ରବାସ ରୁ ଚିଠି ଟିଏ ଆସିବ ବୋଲି ନୂଆ ବୋହୂ ଅପେକ୍ଷା କରି ବାଟା ଅତି ଭଲ ଲାଗେ। ମିଳନ ଯେଉଁଠି ବିଚ୍ଛେଦ ବି ସେଇଠି। ସବୁକୁ ଯିଏ ସହି ଜାଣେ ସେ ଏକା ସଫଳ ହୁଏ। ଏ ସବୁ ଜୀବନ ପାଇଁ ନିହାତି ଆବଶ୍ୟକ। ତେଣୁ ଆସନ୍ତୁ ପ୍ରକୃତିକୁ ଭଲ ପାଇବା ଓ ସ୍ବାଭାବିକ ହେବା।

      ବେଳେ ବେଳେ ମୁଁ ଭାବେ, କାହିଁକି ମୁଁ ବୈରାଗ୍ୟ ଭାବକୁ ରଖି ପାରେ ନାହିଁ। ଆଖ ପାଖ ଅଂଚଳରେ କେହି ଜଣେ ମରି ଗଲେ ମୋ ମନରେ ବୈରାଗ୍ୟ ଆସେ, ଜୀବନ ତ କ୍ଷଣସ୍ଥାୟୀ , ଆଜି ଅଛି ପୁଣି କାଲିକୁ ନାହିଁ। ଯେତେ ସମୟ ବୈରାଗ୍ୟ ଭାବକୁ ମୁଁ ମୋ ଭିତରେ ଧାରଣ କରି ରଖେ ସେହି ସମୟ ପ୍ରଭୁଙ୍କ ପାଖରେ ସମର୍ପିତ ହୋଇ ଯାଏ। ଅବଶ୍ୟ ଏହା ଅଳ୍ପ ସମୟ ମଧ୍ୟରେ କୁଆଡେ ମୋ ମନରୁ ଦୂରେଇ ଯାଏ। ଶବ ଶ୍ମଶାନ କୁ ଗଲା ପରେ ମୁଁ ପରିବାର କୁ ଫେରେ, ମାୟା ବନ୍ଧନ ଦ୍ଵାରା କବଳିତ ହୁଏ, ପୂର୍ବର ବୈରାଗ୍ୟ ଭାବକୁ ରଖି ପାରେ ନାହିଁ। ତେବେ ଏହି ବୈରାଗ୍ୟ ଭାବ ମୋତେ ଭଲ ଲାଗେ, ଜୀବନରେ ଭଲ ବାଟରେ ଚାଲିବା ଶିଖାଏ, ପର ହିତ ପାଇଁ ମନକୁ ନିୟୋଜିତ କରେ, କର୍ତ୍ତବ୍ୟ ବିଷୟରେ ସଚେତନ ହୁଏ, ଜୀବନର ଅସାରତା କୁ ବୁଝି ପାରି ଦିନ ଚର୍ଯ୍ୟାକୁ ସଜାଡେ। ଅଭ୍ୟାସ କରୁ କରୁ ଯଦି ବୈରାଗ୍ୟ ରେ ପ୍ରଭୁଙ୍କ ପ୍ରତି ସମର୍ପିତ ଭାବନା ଜାଗ୍ରତ ହୁଏ ତେବେ ଜୀବନ ଯାତ୍ରାରେ ନିଃସ୍ୱାର୍ଥପର ସେବା ପ୍ରଦାନ ମାଧ୍ୟମରେ ସଫଳ ହେବାର ଅନୁଭବ ତ କରି ପାରିବି। ଆସନ୍ତୁ ଆମେ ସମସ୍ତେ ଏକାନ୍ତରେ ବୈରାଗ୍ୟ ଭାବକୁ ସାକାର କରିବା।



Rate this content
Log in

Similar oriya story from Abstract