LALIT MOHAN DASH

Abstract Classics Inspirational

3.3  

LALIT MOHAN DASH

Abstract Classics Inspirational

ଧୂଳି ମାଟିର ସନ୍ଥ

ଧୂଳି ମାଟିର ସନ୍ଥ

4 mins
409


ସେଦିନ ଥିଲା 30, ଜାନୁଆରୀ,1948 ମସିହା l

ଭୋର ହେବାର ସାମାନ୍ୟ ଆଗରୁ 3 ଟା 30 ରେ ଗାନ୍ଧୀ ଶଯ୍ୟା ତ୍ୟାଗକଲେ l ଏହା ତାଙ୍କ ପ୍ରଭାତୀ ପ୍ରାର୍ଥନାର ନିରୁପିତ ସମୟ l ଗାନ୍ଧିଙ୍କ ପ୍ରାର୍ଥନାରେ ଯୋଗ ଦେବାପାଇଁ ମନୁ ଆଭା ମଧ୍ୟ ଶଯ୍ୟାତ୍ୟାଗ କଲେ l ସେତେବେଳେ ନୂଆଦିଲ୍ଲୀ ରେଳଷ୍ଟେସନ ବିଶ୍ରାମ କକ୍ଷରେ ଘୋର ତମିଶ୍ରାରେ ଶୋଇ ଥାନ୍ତି ନାଥୁରାମ ଗଡ଼ସେ, ନାରାୟଣ ଆପ୍ତେ ଏବଂ ବିଷ୍ଣୁ କରକରେ l ଗୋଟିଏ ଷଡଯନ୍ତ୍ରର ରୂପାୟନ ପାଇଁ ସେମାନେ ଆସି ପହଞ୍ଚି ଥିଲେ ଦିଲ୍ଲୀରେ l 

ଭୋର ହୋଇଗଲା l ଗାନ୍ଧୀଙ୍କପାଇଁ ଦୁଇ ନାତୁଣୀ ମନୁ ଓ ଆଭା ମହୁମିଶା ଲେମ୍ବୁରସ ସର୍ବତ ଟିକେ କରି ଆଣି ଦେଲେ l ସେଇତକ ପିଇ ଗାନ୍ଧୀ ବସି ପଡ଼ିଲେ, ତାଙ୍କ ଲେଖା ଟେବୁଲ ପାଖରେ l କାଲି ସାମ୍ପ୍ରଦାୟୀକ ସଂପ୍ରୀତି ଫେରାଇ ଆଣିବା ଚେଷ୍ଟା ଉଦ୍ୟମରେ ତାଙ୍କର ଲାହୋର ଯିବାର କାର୍ଯ୍ୟକ୍ରମ ରହିଛି l ଇଆଡ଼େ ପ୍ରଧାନମନ୍ତ୍ରୀ ନେହେରୁ ଓ ଉପ ପ୍ରଧାନମନ୍ତ୍ରୀ ସର୍ଦ୍ଦାର ପଟେଲଙ୍କ ମଧ୍ୟରେ ଫାଟ ଓ ମତଭେଦ ଯୋଗୁଁ ଦେଶରେ ଚରମ ରାଜନୈତିକ ଅସ୍ଥିରତା ସୃଷ୍ଟି ହେବା ସମ୍ଭାବନା l ଏହାକୁ ନେଇ ଲଣ୍ଡନ ଟାଇମ୍ସ ପତ୍ରିକାରେ ଚାଞ୍ଚଲ୍ୟକର ସମ୍ବାଦ ମାନ ଛପା ଯାଇଛି l ଏ ସବୁ ଆଲୋଚନା ପାଇଁ ସର୍ଦ୍ଦାର ପଟେଲଙ୍କୁ ଦିନ ଚାରିଟା ବେଳେ ବିରଳା ଭବନକୁ ସେ ଡକାଇଛନ୍ତି l କଂଗ୍ରେସକୁ ଗୋଟିଏ ରାଜନୈତିକ ଦଳ ବଦଳରେ ଏକ ସେବା ସଂସ୍ଥା ଭାବେ ଗଢ଼ି ତୋଳିବା ପାଇଁ ତାଙ୍କର ଇଛା l ସେ ସଂଗଠନର ନାମ ସେ ରଖିଛନ୍ତି ଲୋକ ସେବକ ସଂଘ l ଏହାର ଆଭିମୁଖ୍ୟ ରହିବ ଦେଶ ମଧ୍ୟରୁ ନିରକ୍ଷରତା, ଅସ୍ପୃଶ୍ୟତା, ସ୍ୱାସ୍ଥ୍ୟ ହୀନତା ଏଵଂ ସାମ୍ପ୍ରଦାୟିକ ଅସହିଷ୍ଣୁତା ଦୂର କରିବା l ସଂଘର ସମ୍ବିଧାନ,ଆଭିମୁଖ୍ୟ ଏବଂ କାର୍ଯ୍ୟ ଧାରାର ଚିଠା ଏକ ପ୍ରସ୍ତୁତ କରି ଗାନ୍ଧୀ ପ୍ୟାରେଲାଲଙ୍କୁ ଧରାଇ ଦେଲେ ଓ କହିଲେ, ମାନସିକ ଅସ୍ଥିରତା ମଧ୍ୟରେ ମୁଁ ଏହି ଚିଠାଟି ତରଭର ହୋଇ ପ୍ରସ୍ତୁତ କରିଛି l ଏହା ମଧ୍ୟରେ ଅନେକ ଫାଙ୍କ ଅଛି, ତୁମେ ତାକୁ ପୂରଣ କରିନେବ l ଗାନ୍ଧୀ ସେହି ଚିଠାଟି ପ୍ରସ୍ତୁତ କରି ଅନେକ ଶାନ୍ତି ପାଇଥିଲେ l

ଆଠଟାବେଳେ ବ୍ରିଜକ୍ରିଷ୍ଣା ଗାନ୍ଧୀଙ୍କୁ ତେଲ ମାଲିସ କରିଦେଲେ l ଗାଧୋଇ ସାରି ଗାନ୍ଧୀ ଛେଳିକ୍ଷୀର, ଟମାଟର ଓ ମୂଳାର ସିଝା ପରିବା ଏବଂ କମଳା ରସରେ ପ୍ରାତଃ ଭୋଜନ କରିନେଲେ l 

ମଧ୍ୟାହ୍ନ ସମୟରେ ଜଣେ ଆମେରିକୀୟ ଫଟୋ ଗ୍ରାଫର ଏଵଂ ବ୍ରିଟେନର ସାହିତ୍ୟିକା ମାର୍ଗାରେଟ ହ୍ୱାଇଟ ଗାନ୍ଧିଜୀଙ୍କୁ ଭେଟିବା ପାଇଁ ଯାଇ ବିରଳା ଭବନରେ ପହଞ୍ଚିଲେ l ଗାନ୍ଧୀଜି ଚଟାଣ ଉପରେ ବସି ଥାନ୍ତି ଓ ତାଙ୍କ ସାମ୍ନାରେ ଥୁଆ ହୋଇ ଥାଏ ଗୋଟିଏ ଘଣ୍ଟା l ସେହି ଘଣ୍ଟାକୁ ଓ ଗାନ୍ଧୀଙ୍କୁ ଚାହିଁ ମାର୍ଗାରେଟ କହିଲେ," ଆପଣ ସବୁବେଳେ କହି ଆସୁଛନ୍ତି ଶହେ ପଚିଶ ବର୍ଷ ବଞ୍ଚିବାକୁ ଚାହାଁନ୍ତି l କେଉଁ ଆଶାକୁ ନେଇ ଆପଣ ଏହି ଦୀର୍ଘ ଜୀବନ ବଞ୍ଚିବା କାମନା କରୁଛନ୍ତି l ଗାନ୍ଧିଜୀ ଉତ୍ତରରେ କହିଲେ,"ବର୍ତ୍ତମାନ ମୁଁ ସେ ଆଶା ହରାଇବସିଛି, କାରଣ ଏବେ ପୃଥିବୀରେ ଭୟଙ୍କର ଘଟଣାମାନ ଘଟି ଯାଉଛି, ସେହି ପାଗଳାମି ଭିତରେ ମୁଁ ଆଉ ବଞ୍ଚିବାକୁ ଚାହୁଁ ନାହିଁ l ମୋ ସେବାର ପ୍ରୟୋଜନ ହେଲେ ଏବଂ ଯଦି ପରିସ୍ଥିତି ନିୟନ୍ତ୍ରଣ କରିବାର ଅଧିକାର ମୋତେ ମିଳେ, ତେବେ ଶହେ ପଚିଶ ବର୍ଷ ବଞ୍ଚିବାକୁ ମୁଁ ରାଜି"l ମାର୍ଗାରେଟ ପୁଣି ପ୍ରଶ୍ନ କଲେ," ଦଙ୍ଗାଗ୍ରସ୍ତ ଅଞ୍ଚଳ ଗସ୍ତ କରିବା ବେଳେ ଆପଣ କହିଥିଲେ, ମତେ ଚାରିଆଡ଼େ ଅନ୍ଧକାର 

ଦେଖା ଯାଉଛି l ମୋତେ କୁହନ୍ତୁ ଏହା ମଧ୍ୟରେ କଅଣ ଆପଣ ସେହି ଆଲୋକର ସନ୍ଧାନ ପାଇ ଯାଇଛନ୍ତି"l ଗାନ୍ଧିଜୀ କହିଲେ,ନାଆଁ,ଏ ପର୍ଯ୍ୟନ୍ତ ମୋତେ ସେ ଆଲୋକ ଦେଖା ଯାଇ ନାହିଁ ଏବଂ ସେଥି ପାଇଁ ମୁଁ ସଂଘର୍ଷ ଜାରି ରଖିଛି l ଆଉ ଏକ ପ୍ରଶ୍ନ ପଚାରିଲେ ମାର୍ଗାରେଟ l କୁହନ୍ତୁ ! ଅହିଂସା ଦ୍ୱାରା ଆପଣ କିପରି ପରମାଣୁ ବୋମାକୁ ସାମ୍ନା କରି ପାରିବେ l ଗାନ୍ଧୀଜୀ ଉତ୍ତର ଦେଲେ, ଏହି ପ୍ରଶ୍ନର କି ଉତ୍ତର, ମୁଁ ଦେଇ ପାରିବି l ମାତ୍ର ଯଦି ଆମେରିକାନ ପାଇଲଟ ମାନେ ମୋତେହିଁ ଲକ୍ଷ୍ୟ କରି ବୋମା ପକାଇବାପାଇଁ ଆସନ୍ତି, ଅବଶ୍ୟ ମୁଁ ଈଶ୍ବରଙ୍କୁ ପ୍ରାର୍ଥନା କରିବି, ସେମାନଙ୍କୁ ସଦ୍ ବୁଦ୍ଧି ଦେବା ପାଇଁ l ଏମିତି କଥା ହେଉଁ ହେଉଁ, ଘଡ଼ିକୁ ଚାହିଁଲେ ଗାନ୍ଧୀଜୀ l ସାକ୍ଷାତକାର ସମୟ ଶେଷ ହୋଇ ଯାଇଛି ଜାଣି ମାର୍ଗାରେଟ ବିଦାୟ ନେଇ ଚାଲି ଗଲେ l ଠିକ୍ ଚାରିଟା ବେଳକୁ ପହଞ୍ଚିଲେ ସର୍ଦ୍ଦାର ପଟେଲ l ତାଙ୍କ ସାଥିରେ ଥାଆନ୍ତି ତାଙ୍କ ଝିଅ ମଣିବେନ l

ଗାନ୍ଧୀ ଭାବୁଥିଲେ ଯେ,ପଟେଲ ଓ ନେହେରୁଙ୍କ ମଧ୍ୟରୁ ଜଣେ କେହି ଶାସନ ଦାୟିତ୍ୱ ଛାଡ଼ି ଲୋକ ସେବକ ସଂଘର ଦାୟିତ୍ୱ ନିଅନ୍ତୁ l କିଛି ସମୟର ପଟେଲଙ୍କ ସହ ଆଲୋଚନା ପରେ ସେ ଏହାକୁ ପରିବର୍ତ୍ତନ କଲେ l ଦେଶରେ ବର୍ତ୍ତମାନ ଗମ୍ଭୀର ପରିସ୍ଥିତି l ଏଭଳି ପରିସ୍ଥିତିରେ ଦେଶ ନିମନ୍ତେ ଉଭୟ ନେତାଙ୍କ ନେତୃତ୍ୱର ଆବଶ୍ୟକତା ଅଛି l ଜଣେ ଯଦି କେହି କ୍ଷମତା ଛାଡ଼ି ଦିଅନ୍ତି ତେବେ ପରିସ୍ଥିତି ଅସମ୍ଭାଳ ହୋଇ ଯିବ l ତାଙ୍କର ପ୍ରୀୟ ବନ୍ଧୁମାନଙ୍କ ସହ ଆଲୋଚନା କରୁକରୁ ଅନେକ ସମୟ ବିତି ଯାଇଥିଲା l ବାପୁଙ୍କ ସାମ୍ନାରେ ଥିବା ଘଣ୍ଟା ଆଡ଼କୁ ଆଭା ତାଙ୍କ ଦୃଷ୍ଟି ଆକର୍ଷଣ କଲେ l ପଟେଲଙ୍କ କନ୍ୟା ମଣିବେନ ତାଙ୍କ ଇଙ୍ଗିତ ବୁଝି ପାରି ବାପାଙ୍କୁ କଥା ବାର୍ତ୍ତାରୁ ନିବୃତ କରାଇଲେ l ପ୍ରାର୍ଥନା ସଭାକୁ ଯିବାସମୟ ହୋଇ ଯାଇଥିଲା l 

 ଗାନ୍ଧୀଜୀ ତରବରରେ ତାଙ୍କ ଚପଲ ହଳକ ପିନ୍ଧି ପ୍ରାର୍ଥନା ସଭାକୁ ବାହାରି ପଡ଼ିଲେ l ମନୁ,ଆଭାଙ୍କ କାନ୍ଧରେ ବାମ, ଡାହାଣ ହାତ ଭରା ଦେଇ ଗାନ୍ଧୀ ଧୀରେ ଧୀରେ ଚାଲିଲେ l ସାମାନ୍ୟ ବିଳମ୍ବ ହେଇ ଯାଇଥିବାରୁ ଆଭା କହିଲେ, ବାପୁ, ଆପଣ ଆଜି ଘଣ୍ଟାକୁ ଅଣଦେଖା କରିଛନ୍ତି l ଗାନ୍ଧୀଜୀ କହିଲେ, ମୁଁ ସମୟ ଜଗୁଆଳି ସାଙ୍ଗରେ ଥିଲା ବେଳେ ସେ ଘଣ୍ଟାକୁ ଦେଖିବା ମୋର କଅଣ ଦରକାର l

ଏଭଳି ହସ କୌତୁକ ମଧ୍ୟରେ ସେମାନେ ଯାଇ ସଭାରେ ପହଞ୍ଚି ଗଲେ l ଶୀତ ଦିନିଆ ସନ୍ଧ୍ୟା l ସୂର୍ଯ୍ୟ ଅସ୍ତ ଯାଇ ସାରିଥାନ୍ତି l ମାତ୍ର ତିରିଶ ଗଜ ଦୂରରେ ଥାଏ ଖଦି କନାରେ ଆଚ୍ଛାଦିତ ପ୍ରାର୍ଥନା ମଞ୍ଚ l ମଞ୍ଚକୁ ଗାନ୍ଧୀ ଗଲା ବେଳେ ତାଙ୍କୁ ସମ୍ମାନ ଜଣାଇବା ପାଇଁ, ସମବେତ ଜନତା ଠିଆହୋଇ ପଡ଼ିଲେ l ଗାନ୍ଧୀଜୀ ହାତଯୋଡ଼ି ପ୍ରତି ନମସ୍କାର ଜଣାଉ ଥାନ୍ତି l 

ଏତିକିବେଳେ ବାମପଟୁ ତାଙ୍କ ନିକଟକୁ ଆସିବା ପାଇଁ ନାଥୁରାମ ଗଡ଼ସେ ମନୁଙ୍କୁ ଠେଲିଦେଲେ l ମନୁଙ୍କ ହାତରୁ ଖସି ପଡ଼ିଲା ଗାନ୍ଧିଜୀଙ୍କ ଥଳିଟି ଓ ଆଶ୍ରମର ପ୍ରାର୍ଥନାବହି ଖଣ୍ଡକ l ତାଙ୍କ ଆଗକୁ ନାଥୁରାମ ଆସି ନଇଁପଡ଼ିଲେ l ସେ ଗାନ୍ଧୀଜୀଙ୍କ ପାଦ ସ୍ପର୍ଶ କରିବାକୁ ଚାହୁଁଛି ଭାବି ମନୁ କହିଲେ, ପ୍ରାର୍ଥନା ସମୟ ବିଳମ୍ବ ହୋଇ ଯାଇଛି, ବାପୁଙ୍କୁ ଆଉ ଅଟକାନ୍ତୁ ନାହିଁ l ମନୁ ବାପୁଙ୍କ ଥଳି ଏବଂ ପ୍ରାର୍ଥନା ବହିଟିକୁ ଉଠାଇ ଆଣିବା ପାଇଁ ତଳକୁ ନଇଁ ପଡ଼ିଲେ l

ଏହି ସମୟରେ ନାଥୁରାମ ଗାନ୍ଧୀଜୀଙ୍କ ସାମ୍ନାକୁ ଚାଲି ଆସିଲେ l ପକେଟରୁ ପିସ୍ତଲ ବାହାରକରି ଲାଗ ଲାଗ ତିନି ରାଉଣ୍ଡ ଗୁଳି ଚଳାଇ ଦେଲେ l ପ୍ରଥମ ଗୁଳିଟି ଗାନ୍ଧୀଙ୍କ ପେଟ ଓ ଅନ୍ୟ ଦୁଇଟି ତାଙ୍କର ବକ୍ଷ ଭେଦ କଲା l ଗାନ୍ଧୀଜୀଙ୍କ ତୁଣ୍ଡରୁ ବାହାରିଆସିଲା ରାମ- ରା-!!! ଆତଙ୍କିତ ହୋଇ ଆଭା ତାଙ୍କୁ ଧରିପକାଇଲେ l ଅନୁଚ୍ଚାରିତ ରାମ ନାମ ଓ ପ୍ରାର୍ଥନା ମୁଦ୍ରାରେ କିନ୍ତୁ ରହି ଯାଇଥିଲା ମହାତ୍ମାଙ୍କ ଯୋଡ଼ହସ୍ତ l 

ଶହ ଶହ ବର୍ଷ ବ୍ୟବଧାନରେ ପୃଥିବୀରେ ଜଣେ ଜଣେ ମହାତ୍ମାଙ୍କ ଆବିର୍ଭାବ ହୋଇଥାଏ l ବିଗତ ଶହସ୍ରାବ୍ଦରେ ସେହି ମହାତ୍ମା ଥିଲେ ମୋହନଦାସ କରମଚାନ୍ଦ ଗାନ୍ଧୀ l ସେ ବ୍ୟକ୍ତି ନୁହଁନ୍ତି l ସେ ଏକ ପ୍ରବାହ ଆଉ ସେହି ପ୍ରବାହ ଏବେ ମଧ୍ୟ ଗତିଶୀଳ ରହିଛି l ସେଥିପାଇଁ ତ ବିଶ୍ୱ ବିଖ୍ୟାତ ବୈଜ୍ଞାନିକ ଆଇନ୍ ଷ୍ଟାଇନ୍ କହିଥିଲେ, " ବହୁ ପ୍ରଜନ୍ମ ପରେ କେହି ବିଶ୍ୱାସ କରିବେ ନାହିଁ ଯେ ଗାନ୍ଧୀ ନାମରେ ଜଣେ ରକ୍ତମାଂସ ଧାରୀ ମଣିଷ ଏ ଧରା ବକ୍ଷରେ ପଦଚାରଣ କରିଥିଲେ l ବିଶ୍ୱବିଖ୍ୟାତ ନାଟ୍ୟକାର ଜର୍ଜ ବର୍ଣ୍ଣାଡ଼ ସ ମଧ୍ୟ ଏକ ବାର୍ତ୍ତାରେ ଗାନ୍ଧୀଜୀଙ୍କୁ ଧୂଳି ମାଟିର ସନ୍ଥ ବୋଲି ଅଭିହିତ କରିଥିଲେ l ଗାନ୍ଧିଜୀଙ୍କ ଜୀବନ ଗୋଟିଏ ଖୋଲା ପୁସ୍ତକ,ସେ ଯଥାର୍ଥରେ କହିଯାଛନ୍ତି," Let our lives be open books for all to study."

    ମହାତ୍ମାଙ୍କୁ କୋଟି କୋଟି ପ୍ରଣାମ !!!


Rate this content
Log in

Similar oriya story from Abstract