STORYMIRROR

LALIT MOHAN DASH

Abstract Classics Inspirational

4  

LALIT MOHAN DASH

Abstract Classics Inspirational

ଶ୍ରୀଜଗନ୍ନାଥଙ୍କ ମାଉସୀ ମାଆ

ଶ୍ରୀଜଗନ୍ନାଥଙ୍କ ମାଉସୀ ମାଆ

4 mins
11


ଆଷାଢ଼ମାସ ଆସିଗଲେ ମହାପ୍ରଭୁ ଜଗନ୍ନାଥଙ୍କର କି ଖୁସି l ଘୋଷ ଯାତ୍ରା,କେତେକେତେ ଭକ୍ତ ଚାହିଁ ବସିଥିବେ,ତାଙ୍କ ସହ ମିଶିବେ,ଛେଚା,କୁଟା,ଟଣା ଓଟରା ଖାଇ ରଥରେ ବସିବେ,ଆଉ ଭକ୍ତମାନଙ୍କ ହରିବୋଲ, ଘଣ୍ଟ, ଘଣ୍ଟା, ଖୋଳ,କୀର୍ତ୍ତନ ମଧ୍ୟରେ ନାଚିନାଚି ରଥ ସବୁ ବଡ଼ଦାଣ୍ଡ ଦେଇ ଯାତ୍ରାକରିବ ଗୁଣ୍ଡିଚା ବାଡ଼ି,ଏମିତି କେତେ କଥା l ତା' ଭିତରେ ସବୁଠାରୁ ବଡ଼ କଥା ହେଲା,ତାଙ୍କ ମାଉସୀ ମାଆ ପୋଡ଼ ପିଠା କରି ଚାହିଁ ବସି ଥିବେ, ତାଙ୍କ ଘରେ ସୁଆଦିଆ ପୋଡ଼ ପିଠା ଖିଆ ହେବ l ମହାପ୍ରଭୁଙ୍କ ମାଉସୀ ମାଆ ଶ୍ରୀକ୍ଷେତ୍ର ବଡ଼ ଦାଣ୍ଡ ମଧ୍ୟ ସ୍ଥଳରେ ବିରାଜମାନ କରିଛନ୍ତି l ମାଉସୀ ମାଆ ରଥଯାତ୍ରା ଆସିଲେ ଚର୍ଚ୍ଚାର ପରିସରକୁ ଆସି ଯାଆନ୍ତି l

ମହାପ୍ରଭୁ ବାହୁଡ଼ାରେ ଶ୍ରୀମନ୍ଦିରକୁ ଫେରିଆସିଲା ବେଳେ ଏହି ମାଉସୀ ମା' ମନ୍ଦିରଠାରେ ମାଉସୀ ପୋଡ଼ପିଠା ଖାଇଥାନ୍ତି l ବଳଗଣ୍ଡିଠାରୁ ଶ୍ରୀମନ୍ଦିର ରାସ୍ତା ବାମ ପାର୍ଶ୍ଵରେ ରହିଛି ମାଉସୀ ମାଆଙ୍କର କ୍ଷୁଦ୍ର ମନ୍ଦିର l 

ମାଉସୀ ମା' କୁହାଯାଉଥିବା ଏହି ଦେବୀଙ୍କ ନାମ କିନ୍ତୁ ଅର୍ଦ୍ଧଶୋଷଣୀ ବା ଅର୍ଦ୍ଧାଶନି l ମାଆ ପ୍ରଳୟ କାଳରେ ପ୍ରଳୟ ଜଳକୁ ଅର୍ଦ୍ଧାଧିକ ଶୋଷଣ କରି ନାମ ବୋଲାଇଛନ୍ତି ଅର୍ଦ୍ଧଶୋଷଣୀ ବା ଅର୍ଦ୍ଧାଶିନୀl ପ୍ରଳୟ ଜଳକୁ ଶୋଷଣ କରି, ମାଆ ଶ୍ରୀକ୍ଷେତ୍ରକୁ ରକ୍ଷା କରିଥାନ୍ତି l ମାଆଙ୍କ ମାହାତ୍ମ୍ୟ ସ୍କନ୍ଦ ପୁରାଣ ଉତ୍କଳଖଣ୍ଡ,ଶ୍ରୀପୁରୁଷୋତ୍ତମ ମାହାତ୍ମ୍ୟରେ ବର୍ଣ୍ଣିତ ହୋଇଛି l ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ଶବର ଦେବତା l ଦେବୀ ଆଗରୁ ଏଠାରେ ଥିବା ଶବର ପଲ୍ଲୀକୁ ମଧ୍ୟ ସୁରକ୍ଷା ପ୍ରଦାନ କରୁ ଥିଲେ l ଏଣୁ ଶବରରାଜ ବିଶ୍ୱାବସୁଙ୍କ ବଂଶଧର ଦଇତାପତିଙ୍କ ମାଆ ହେଉଛନ୍ତି ଇଷ୍ଟଦେବୀ l ମାଆଙ୍କ ବର୍ତ୍ତମାନ ଦୃଶ୍ୟମାନ କ୍ଷୁଦ୍ର ମନ୍ଦିରଟିକୁ, ଅନୁମାନ କରାଯାଏ କେଶରୀ ବଂଶର ରାଜା ନିର୍ମାଣ କରିଥିଲେ l

ଦେବୀ ଅର୍ଦ୍ଧାଶିନୀଙ୍କ ବିଗ୍ରହ କୃଷ୍ଣ ପ୍ରସ୍ତରର ନିର୍ମିତ ଦ୍ଵିଭୁଜା ମୂର୍ତ୍ତି l ମାଆ ଗୋଟିଏ ହସ୍ତରେ ଜପମାଳା ଧାରଣ କରିଛନ୍ତି ଓ ଅନ୍ୟ ହସ୍ତଟି ଅଭୟମୁଦ୍ରାରେ ରହିଛି l ଦୁଇ ପାର୍ଶ୍ଵରେ ଛାୟା ମାୟା ପାର୍ଶ୍ଵ ଦେବୀ ଭାବେ ବିଦ୍ୟମାନ l ବିଗ୍ରହର କଟିଦେଶରୁ ମସ୍ତକ ପର୍ଯ୍ୟନ୍ତ ମା' ଶୁଭଦ୍ରାଙ୍କ ମୁଖ ଆକୃତି ଦାରୁ ନିର୍ମିତ ମୁଖାଟିଏ ପ୍ରତିରୋପଣ କରା ଯାଇଛି l ଦେବୀଙ୍କ ଏଭଳି ମୁଖ ଧାରଣ କରିବାର କାରଣ ଜଣାପଡ଼େ ନାହିଁ l ଦେବୀଙ୍କ ଧ୍ୟାନମନ୍ତ୍ରରେ ତାଙ୍କ ସୁନ୍ଦର ରୂପ ବର୍ଣ୍ଣନା ରହିଛି :-

ଦ୍ୱିଭୁଜା ସୌମ୍ୟ ଵଦନାଂ ଅଭୟ ଅକ୍ଷ ଧାରିଣୀ l

ବିଷ୍ଣୁ ପ୍ରିୟାଂ ସମ୍ଭୁତା ପ୍ରଳୟ ବାରି ଶୋଷିକାଃ ll

ନାନା ବସନ ଭୁସିତାଂ ଆର୍ତ୍ତତ୍ରାଣ ପରାୟଣୀ l

ଅର୍ଦ୍ଧାଶନୀ ନମସ୍ତୁତେ ଭକ୍ତାନାଂ ଅଭୟ ପ୍ରଦାମ୍ ll

 ମନ୍ଦିର ଦ୍ୱାରରେ ଦୁଇଟି ସିଂହ ବଡ଼ ଦାଣ୍ଡକୁ ମୁଖ କରି ବସିଛନ୍ତି l ଦେବୀ ଦକ୍ଷିଣ ମୁଖୀ ହୋଇ ଏହି ମନ୍ଦିରରେ ବିଜେ କରିଛନ୍ତି l ତାଙ୍କ ସମ୍ମୁଖର କ୍ଷୁଦ୍ର ମନ୍ଦିରରେ ଗଜ ପୃଷ୍ଠାରୁଢ଼ ସିଂହ ବସିଛନ୍ତି l ମୁଖ୍ୟ ମନ୍ଦିର,ଭିତର ଜଗମୋହନ,ବାହାରଜଗମୋହନ ଓ ଗର୍ଭଗୃହ ହୋଇ ତିନି ଭାଗରେ ବିଭକ୍ତ l

ମାଆଙ୍କ ଦୈନନ୍ଦିନ ନୀତି ସହ ସକାଳ, ସଞ୍ଜରେ ବାଳ ଭୋଗ ବ୍ୟବସ୍ଥା ରହିଛି l ଏଠାରେ ପାକାନ୍ନ ବା ଅନ୍ନଭୋଗ ନିଷିଦ୍ଧ l ଦେବୀଙ୍କ ପୂଜା ବନଦୁର୍ଗା ମନ୍ତ୍ରରେ ହୋଇଥାଏ l ଆଶ୍ୱିନର ଶାରଦୀୟ ଦୁର୍ଗା ପୂଜା ସମୟରେ ଗଜପତି ଦେବୀଙ୍କ ପୂଜା ପାଇଁ ବ୍ରାହ୍ମଣ ବରଣ କରିଥାନ୍ତି l ଦେବୀଙ୍କର ଅତି ପ୍ରିୟ ଭୋଗ ଛେନା ତାଡି଼ଆ l

ଶ୍ରୀଜଗନ୍ନାଥ ବାହୁଡା ଯାତ୍ରାରେ ଫେରିବା ବେଳେ ଏଠାରେ ପୋଡ଼ ପିଠା ଲାଗି ହୋଇ ମହାପ୍ରଭୁଙ୍କୁ ସର୍ପମଣୋହି କରାଯାଏ l ମହାପ୍ରଭୁଙ୍କ ନିକଟରେ କୌଣସି ପୋଡ଼ାଭୋଗ ଲାଗି ହୁଏନାହିଁ l ଏ ପିଠା ନାମ ପୋଡ଼ପିଠା,ମାତ୍ର ସାଧାରଣ ପୋଡ଼ ପିଠାକୁ ପୋଡ଼ କରି ପ୍ରସ୍ତୁତ କରା ଯାଉଥିଲା ବେଳେ ଏହି ପୀଠାକୁ ବାମ୍ଫ ଦ୍ୱାରା ସିଝାଇ ପ୍ରସ୍ତୁତ କରା ଯାଇ ଥାଏ l ଏହି ପୀଠାର ପ୍ରସ୍ତୁତି ହେରାପଞ୍ଚମୀ ଠାରୁ ଆରମ୍ଭ ହୋଇଥାଏ l ଏହାକୁ ଅଟା, ଛେନା, ଚିନି, ଘିଅ ପ୍ରଭୃତି ସାମଗ୍ରୀ ଦ୍ୱାରା ମାଟି ହାଣ୍ଡିକୁ ଚୁଲିରେ ବସାଇ ଏକ ସ୍ବତନ୍ତ୍ର ଶୈଳୀରେ ପ୍ରସ୍ତୁତ କରାଯାଇ ଥାଏ l

ମାଉସୀ ମାଆଙ୍କର ବିଶେଷ ଉତ୍ସବ, ଜଳ ଶାୟୀ ଉତ୍ସବ ବୈଶାଖ ନୃସିଂହ ଚତୁର୍ଦଶୀ ଦିନ ପାଳନ କରାଯାଏ l କୂପ ଜଳରେ ଚନ୍ଦନ, ଅଗୁରୁ, ଚୁଆ, ଯାଇଫଳ ମିଶା ଯାଇ ମାଆଙ୍କୁ ନାଶାଗ୍ର ପର୍ଯ୍ୟନ୍ତ ଜଳଶାୟୀ କରି ରଖାଯାଏ l ଉକ୍ତ ଜଳର ଅର୍ଦ୍ଧେକ ଜଳକୁ ମାଆ ଶୋଷଣ କରିଥାନ୍ତି ବୋଲି ବିଶ୍ୱାସ କରାଯାଏ l

ଶ୍ରୀୟା ଚଣ୍ଡାଳୁଣୀ ଘରକୁ ଯାଇଥିବାରୁ ମହାଲକ୍ଷ୍ମୀ ତିରସ୍କୃତ ହୋଇ ମହାପ୍ରଭୁଙ୍କ ଦ୍ୱାରା ଶ୍ରୀମନ୍ଦିରରୁ ବିତାଡ଼ିତ ହୋଇଥିଲେ l ମାଆ ଲକ୍ଷ୍ମୀଙ୍କ ଅଭିଶାପ ଫଳରେ ଶ୍ରୀଜଗନ୍ନାଥ ଓ ଜ୍ୟେଷ୍ଠ ଭାଈ ବଳରାମ ବାର ବର୍ଷ କାଳ ଲକ୍ଷ୍ମୀ ଛଡ଼ା ଭିକ୍ଷୁକ ହୋଇ ଭିକ୍ଷା ମାଗି ଦ୍ୱାରେଦ୍ୱାରେ ବୁଲିଥିଲେ l ମହାପ୍ରଭୁ ସେତେ ବେଳେ ଗେହ୍ଲାଭଉଣୀ ସୁଭଦ୍ରାଙ୍କୁ ମାଉସୀମାଆଙ୍କ ଘରେ ଛାଡ଼ିଦେଇ ଯାଇଥିଲେ ବୋଲି କୁହାଯାଏ l 

ମାଆଙ୍କ ନାମ ଅର୍ଦ୍ଧଶୋଷଣୀ ଓ ସେ ମହାପ୍ରଭୁଙ୍କ ମାଉସୀ ଏନେଇ କେତେକ ପୌରାଣିକ ଆଖ୍ୟାନ ଓ କିମ୍ବଦନ୍ତୀ ରହିଛି l

ଗୋଟିଏ ପୌରାଣିକ କିମ୍ବଦନ୍ତୀରୁ ଜଣାଯାଇଥାଏ ଯେ ପ୍ରଳୟକାଳରେ ରୋହିଣୀକୁଣ୍ଡରୁ ପ୍ରଳୟବାରି ବିସ୍ତାରିତ ହୋଇଥାଏ ଏବଂ ପ୍ରଳୟ ଶେଷ ହେଲା ପରେଏହି ଜଳ ପୁଣି ସଂକୁଚିତ ହୋଇ ରୋହିଣୀ କୁଣ୍ଡରେ ଲୀନ ହୋଇ ଯାଏ l ଥରେ ଏହି ପ୍ରଳୟ ଜଳ ଲୀନ ନହେବାରୁ ଶ୍ରୀକ୍ଷେତ୍ର ମହାପ୍ଲାବନରେ ଧ୍ବଂସ ହେବାକୁ ବସିଲା l ମାଆ ଲକ୍ଷ୍ମୀ ସୁଭଦ୍ରାଙ୍କୁ ଏକଥା କହିବାରୁ ସେ ତାଙ୍କ ଯୋଗମାୟା ଶକ୍ତିରୁ ଏକ ଶକ୍ତି ସୃଷ୍ଟି କଲେ l ସେ ଶକ୍ତି ପ୍ରଳୟ ବାରିକୁ ଅର୍ଦ୍ଧେକ ଶୋଷଣ କରି ଶ୍ରୀକ୍ଷେତ୍ରକୁ ରକ୍ଷା କଲେ l ସେହି ଅର୍ଦ୍ଧ ଶୋଷଣକାରୀଣୀ ଦେବୀ ହେଉଛନ୍ତି ମା' ଅର୍ଦ୍ଧଶୋଷଣୀ l ଏହା ଇନ୍ଦ୍ରନୀଳମଣି ପୁରାଣ, ନିମ୍ନ ଶ୍ଳୋକରୁ ଜଣା ପଡ଼ିଥାଏ :-

ଯୋଗମାୟାମ୍ ସମ୍ଭୁତାଂ ପ୍ରଳୟୋଦକ ଶୋଷିଣୀ 

ଅର୍ଦ୍ଧାଶନୀ ମହାଦେବୀ କ୍ଷେତ୍ର ରକ୍ଷା ବିଧାୟିନୀ ll

ସ୍କନ୍ଧପୁରାଣରେ ମଧ୍ୟ ସେ ଅର୍ଦ୍ଧେକ ଜଳକୁ ଅଶନ ବା ଭକ୍ଷଣ କରି ଥିବାରୁ ତାଙ୍କର ନାମ ଅର୍ଦ୍ଧାଶିନୀ ହୋଇଛି ବୋଲି ଉଲ୍ଲେଖ ଅଛି l ଆଦିଶକ୍ତି ମାଆ ଯୋଗମାୟାଙ୍କଠାରୁ ଏହି ଦେବୀଙ୍କ ସୃଷ୍ଟି, ତେଣୁ ସେ ମହାପ୍ରଭୁଙ୍କ ମାଉସୀ l

ଅର୍ଦ୍ଧଶୋଷଣୀ ଦେବୀ ପ୍ରଳୟ ଜଳ ଶୋଷଣ ସହ ନିକଟର ଶବର ପଲ୍ଲୀକୁ ମଧ୍ୟ ରକ୍ଷା କରି ଥିଲେ l ତେଣୁ ସେ ଦଇତାପତି ମାନଙ୍କ ଇଷ୍ଟଦେବୀ l ସେ ଯୋଗମାୟାଙ୍କ ଭଗ୍ନୀ ସ୍ୱରୂପା ହୋଇଥିବାରୁ ତାଙ୍କ ବିଗ୍ରହକୁ ସୁଭଦ୍ରାଙ୍କ ମୁଖା ଦ୍ୱାରା ଆବୃତକରି ରଖା ଯାଇଥାଏ l ତାଙ୍କୁ ଦଇତାପତିମାନେ ଗୁହ୍ୟଦେବୀ ଭାବେ ପୂଜା କରନ୍ତି l ସେମାନେ ଇନ୍ଦ୍ର ନୀଳମଣୀ ବିଗ୍ରହକୁ ଲୁଚାଇ ରଖିଲା ସଦୃଶ ଏହି ବିଗ୍ରହକୁ ଲୁଚାଇ ରଖିଛନ୍ତି l

ଆହୁରି କୁହାଯାଏ ପ୍ରଭୁ ଶ୍ରୀରାମ ବନବାସ ଯିବା ସମୟରେ କାକି ମାଆ କୈକେୟୀଙ୍କୁ କହିଥିଲେ, ମାଆ ତୁମର ମୋର ସମ୍ପର୍କ ଜନ୍ମ ଜନ୍ମାନ୍ତର ପାଇଁ ରହିବ l ତ୍ରେତୟା ଶେଷ ପରେ ଦ୍ୱାପର ଯୁଗରେ ତୁମେ ହେବ ମୋର ଯଶୋଦା ମାତା l ମୁଁ ମାଆ ଦେବକୀଙ୍କ ଗର୍ଭରୁ ଜାତ ହେବି ଓ ତୁମରି ଦ୍ୱାରା ପୁତ୍ରଭାବେ ଲାଳିତ ପାଳିତ ହୋଇ ମୋର ବାଲ୍ୟ ଲୀଳା କରିବି l ପୁଣି କଳିକାଳରେ ଶ୍ରୀକ୍ଷେତ୍ରରେ ମୁଁ ଦାରୁବ୍ରହ୍ମ ରୂପେ ଲୀଳା କରିବି l ତୁମେ ହେବ ମୋର ମାଉସୀ ମାଆ l ତୁମେ ଶ୍ରୀକ୍ଷେତ୍ରର ବଡ଼ ଦାଣ୍ଡରେ ଅବସ୍ଥାନ କରିଥିବ l ମୁଁ ଘୋଷ ଯାତ୍ରାରୁ ଫେରିବା ପଥରେ ତୁମେ ମୋତେ ଅତି ଶ୍ରଦ୍ଧାରେ ପୋଡ଼ପିଠା ଖୁଆଇ ଦେବ l ପ୍ରଭୁଙ୍କର ଏହି କଥା ଅନୁସାରେ ବଡ଼ ଦାଣ୍ଡରେ ଆବିର୍ଭୁତା ହୋଇଛନ୍ତି ମାଆ ଅର୍ଦ୍ଧାଶିନୀ ଓ ମାଉସୀ ରୂପରେ ଶ୍ରଦ୍ଧାରେ ମହାପ୍ରଭୁଙ୍କୁ ଭୁଞ୍ଜାଇ ଦେଉଛନ୍ତି ପୋଡ଼ ପିଠା l

ଅନ୍ୟ ଏକ କିମ୍ବଦନ୍ତୀରୁ ଜଣାଯାଏ ପୂର୍ବେ ଶରଧା ବାଲିଦେଇ ପ୍ରବାହିତ ହେଉଥିଲା ମାଳିନୀ ନଦୀ l

ରଥଯାତ୍ରା ବେଳେ ନଦୀ ଦୁଇ ପାର୍ଶ୍ୱରେ ତିନୋଟି କରି ଛଅଗୋଟି ରଥରେ ସମ୍ପାଦିତ ହେଉଥିଲା ରଥଯାତ୍ରା l ବହୁ ଅସୁବିଧା ହେଉଥିଲା l ଅଦଳ ବଦଳ ପ୍ରକ୍ରିୟାରେ 6/7ଦିନ ଚାଲି ଯାଉ ଥିଲା l କାର୍ଯ୍ୟକୁ ସହଜ କରିବା ପାଇଁ ମାଳିନୀ ନଦୀର ଜଳକୁ ମାଆ ଅର୍ଦ୍ଧଶୋଷଣୀ ଅର୍ଦ୍ଧେକରୁ ଅଧିକ ଶୋଷି ନେଇ ଏ ନଦୀକୁ ଶୁଖାଇ ଦେଉ ଥିଲେ l ତେଣୁ ତାଙ୍କ ନାମ ହୋଇଛି ଅର୍ଦ୍ଧଶୋଷଣୀ l

ଶ୍ରୀଜଗନ୍ନାଥ ସଂସ୍କୃତିରେ ମାଆ ଅର୍ଦ୍ଧଶୋଷଣୀଙ୍କ ଏକ ଅତି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି,କଥାରେ ଅଛି ମାଉସୀ ହେଉଛନ୍ତି ମାଆର ଅଧା l ମାତୃ ସ୍ନେହର ନିଦର୍ଶନ ହେଉଛି ମାଉସୀ ମାଆଙ୍କ ପୋଡ଼ ପିଠା ଓ କାଳିଆ ସାଆନ୍ତଙ୍କର ଏହି ପୋଡ଼ ପିଠା ଖିଆ ଲୀଳା l ଏଣୁ ଏକ ଲୋକଗୀତ ରହିଛି :-

   ଫୁଲ ଫୁଟିଗଲା ନବ ନାଗରିଲୋ 

        କଷି ଧରିଗଲା ବେଲ l

   ମାଆର ଅଧା ସେ ମାଉସୀ ବୋଲିଲୋ  

      କାଳିଆ ହେଉଛି ଗେଲ ll

     


Rate this content
Log in

Similar oriya story from Abstract