ଶ୍ରୀମନ୍ଦିର ବେଢ଼ାରେ ପାଉଁଜି ଶବ୍ଦ
ଶ୍ରୀମନ୍ଦିର ବେଢ଼ାରେ ପାଉଁଜି ଶବ୍ଦ
ଶ୍ରୀମନ୍ଦିରରେ ରାତ୍ରୀ ସୁରକ୍ଷା କାର୍ଯ୍ୟ ନିର୍ବାହ କରନ୍ତି ମାଆ ବେଢ଼ାକାଳୀ l ମହାଲକ୍ଷ୍ମୀଙ୍କ ମନ୍ଦିରର ଦକ୍ଷିଣ ପାର୍ଶ୍ଵରେ ରହିଛି ବେଢ଼ା କାଳୀଙ୍କ ମନ୍ଦିର l ରାତିରେ ଶ୍ରୀମନ୍ଦିର ପରିସରର ସମସ୍ତ ଦେବା ଦେବୀ ନିଦ୍ରିତ ଥିଲାବେଳେ ବେଢ଼ାକାଳୀ ଜାଗ୍ରତରହିଥାନ୍ତି ଓ ଖଡ୍ଗ ହସ୍ତରେ ସମସ୍ତଙ୍କୁ ପହରା ଦିଅନ୍ତି l ଥରେ ବଡ଼ଦେଉଳରେ ମହାପ୍ରଭୁଙ୍କ ଅଣସର ଚାଲି ଥାଏ l ମହାପ୍ରଭୁ ଅସୁସ୍ଥ, ଦଇତାପତି ମାନେ ଲାଗି ପଡିଥାନ୍ତି ପ୍ରଭୁଙ୍କୁ ସୁସ୍ଥ କରାଇବା ପାଇଁ l ଚିନ୍ତାରେ ମହାଲକ୍ଷ୍ମୀଙ୍କ ବିତୁଥାଏ ଅନିଦ୍ରରଜନୀ l ଦିନେ ସେ ନିଜ ମନ୍ଦିର ପାହାଚ ଉପରେ ବସି ଚାହିଁ ରହିଥାନ୍ତି ନୀଳଚକ୍ରକୁ l ସମୟ ପ୍ରାୟ ମଧ୍ଯରାତ୍ରି ହେବ ମାଆ ଚମକି ପଡ଼ିଲେ, କାହାର ପାଉଁଜିର ରୁଣୁ ଝୁଣୁ ଶବ୍ଦ ଶୁଣି l ଆରେ, ଏତେ ରାତ୍ରୀରେ କିଏ l ମାଆ ଲକ୍ଷ୍ମୀ ସ୍ମରଣ କଲେ, ପହରାରେ ଥିବା, ବେଢା କାଳୀଙ୍କୁ l ବେଢ଼ାକାଳୀ ତୁରନ୍ତ ଆସି ପହଞ୍ଚିବାରୁ ଲକ୍ଷ୍ମୀ ତାଙ୍କୁ ସବୁକଥା କହି କହିଲେ, ଦେଖତ, ଏତେ ରାତିରେ ଏ ପାଉଁଜି ଶଦ୍ଦ କୁଆଡୁ ଆସୁଛି l ବେଢ଼ାକାଳୀ ଖଡ୍ଗ ହସ୍ତରେ ଦୋଉଡ଼ି ଯାଇ ଦେଖନ୍ତି ତ ଜଣେ ଦିବ୍ୟ ବସନା ନାରୀ ସାତ ପାହଚ ଡେଇଁ ମନ୍ଦିର ଭିତରେ ପ୍ରବେଶ କରୁଛି l ଖଡ୍ଗ ଉତ୍ତୋଳନ କରି ମାଆ ପଚାରିଲେ, କହ ତୁ କିଏ ? ମନ୍ଦିରରେ ସମସ୍ତେ ଶୋଇଲେଣି, ତୁ କୁଆଡେ଼ ଆସିଛୁ l ଶୀଘ୍ର କହ ନହେଲେ ଏହି ତୀକ୍ଷ୍ଣ ଖଡ୍ଗରେ ତୋ ଗଣ୍ଡି ମୁଣ୍ଡ ଅଲଗା କରିଦେବି l ନାରୀ ଜଣକ କହିଲେ, ମାଆ ! ତୁମେ ରାଗ ନାହିଁ l ମୁଁ ହେଉଛି ତୁଳସୀ l ମୋତେ ମହାପ୍ରଭୁ ଡାକିଛନ୍ତି l ମୁଁ ତାଙ୍କୁ ଦେଖା କରିବାକୁ ଯାଉଛି l କାଳୀ ଆହୁରି ରାଗିଯାଇ କହିଲେ, ହୁଁ ! ଛାଡ଼ ତୋ ସେ ଚାଲାକି l ଶୀଘ୍ର ଏଠୁ ପଳା, ନ ହେଲେ ତୋତେ ହାଣିଦେବି l ଦୁହିଙ୍କ ବଚସା ଶୁଣି, ମହାଲକ୍ଷ୍ମୀ ଆସି ପହଁଚିଲେ l ନାରୀ ଜଣକ ମାଆଙ୍କୁ ପ୍ରଣାମକଲେ l ଲକ୍ଷ୍ମୀ ତାଙ୍କୁ ଦେଖି ଚିହ୍ନିନେଇ କହିଲେ, ତୁଳସୀ ! ତୁମେ ଏତେ ରାତିରେ କୁଆଡ଼େ l ମହାପ୍ରଭୁ ତ ଭୀଷଣ ଜ୍ବରରେ ଶୋଇଛନ୍ତି l ତୁମେ କଅଣ ଜାଣିନାହଁ ଏବେ ତାଙ୍କ ଦର୍ଶନ ବର୍ଜିତ ବୋଲି l ଲକ୍ଷ୍ମୀ ଖୁବ୍ ରାଗିଉଠିଲେ l ତୁଳସୀ ହାତଯୋଡ଼ି କହିଲେ,ସାଆନ୍ତାଣୀ ! ତୁମେ ରାଗୁଛ କାହିଁକି, ମତେ ପରା ମହାପ୍ରଭୁ ଡାକିଛନ୍ତି l ସେଥିପାଇଁ ମୁଁ ଆସିଛି ତାଙ୍କ ପାଖକୁ ଯିବି l
ଏହି ସମୟରେ ଆସି ପହଁଚିଲେ ପତି ମହାପାତ୍ରେ l ସେ ଲକ୍ଷ୍ମୀଙ୍କୁ ବୁଝାଇ କହିଲେ,ହଁ ମାଆ ! ମହାପ୍ରଭୁ ତୁଳସୀଙ୍କୁ ଡାକିଛନ୍ତି l ସେ ନଗଲେ ମହାପ୍ରଭୁ ସୁସ୍ଥ ହେବେ କିପରି ?
ସେ ଦିନ ଥାଏ, ଅଣସରର ଏକାଦଶ ଦିବସ l ପତି ମହାପାତ୍ରଙ୍କ ସଙ୍ଗେ ତୁଳସୀ ଦେବୀ ଭିତରକୁ ଯାଇ ପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବାରୁ ପ୍ରଭୁଙ୍କ ଶରୀର ପୁଲକିତ ହେଲା l ମହାପ୍ରଭୁ ସୁସ୍ଥ ଅନୁଭବ କଲେ l ଧନ୍ୟ ହେଲେ ତୁଳସୀ l
ଏପଟେ ତୁଳସୀଙ୍କ କଥାଭାଳି ମହାଲକ୍ଷ୍ମୀ ଅଭିମାନ କରି, ଲୁହ ଗଡ଼ାଇ କହୁଥାନ୍ତି, ମୁଁ ମହାପ୍ରଭୁଙ୍କ ପାଟ ରାଣୀ l ମୋର କଅଣ ପ୍ରଭୁଙ୍କ ଅଣସର ସେବାରେ କୌଣସି ଅଧିକାର ନାହିଁ l ମୁଁ ଥାଉଁଥାଉଁ ତୁଳସୀକୁ ପ୍ରଭୁ କେଉଁ ନ୍ୟାୟରେ ଏତେ ଉଚ୍ଚଆସନ ଦେଲେ l ମୁଁ କଅଣ ଖାଲି ଏ ମନ୍ଦିର ଜଗୁଆଳି !!!
ଏତିକିବେଳେ ମା' ସରସ୍ଵତୀ ପହଞ୍ଚି ମହାଲକ୍ଷ୍ମୀଙ୍କୁ ସ୍ମରଣ କରାଇ ଦେଲେ ସତ୍ୟ ଯୁଗର ସେହି ମାଆ ବୃନ୍ଦାବତୀଙ୍କ କଥା l ସରସ୍ୱତୀ କହିଲେ, ମହାପ୍ରଭୁ ନିଜ କୃତ କର୍ମର ପ୍ରାୟଶ୍ଚିତ ପାଇଁ, ତୁଳସୀଙ୍କୁ ଏହି ଅଧିକାର ଦେଇଛନ୍ତି,ତୁମେ କାହିଁକି ଦୁଃଖ କରୁଛ l ତୁମେ କୋଉ କମ୍ କି l ମହାପ୍ରଭୁ, ତୁମକୁ ତ ଅତି ଭଲ ପାଆନ୍ତି l ସେଥି ପାଇଁ ପରା ଲୋକେ ତୁମକୁ ବିଷ୍ଣୁପ୍ରିୟା, ହରିପ୍ରିୟା, ବିଷ୍ଣୁ ବଲ୍ଲଭା, ହରି ଘରଣୀ, ବିଷ୍ଣୁମନୋରମା କେତେ କଅଣ ନାଆଁ ଦେଇଛନ୍ତି l ମାନିନୀ କମଳିନୀଙ୍କ ମାନ ଭଙ୍ଗହେଲା l ରାତ୍ରୀର ଶେଷ ପ୍ରହର l ସିନ୍ଦୂରା ଫାଟିବାକୁ ଗଲାଣି l ଆଉ ଅଳ୍ପସମୟ ବାକିଅଛି l ବିଳମ୍ବିତ ରାତ୍ରିରେ ଦେବୀ ମାନେ ଫେରିଗଲେ ନିଜ ନିଜ ମନ୍ଦିରକୁ l
