ରଥର ନାମ ଦେବଦଳନ
ରଥର ନାମ ଦେବଦଳନ
ପୁଣ୍ୟ କାବ୍ୟ ରାମାୟଣର କଥା l ଲଙ୍କାରେ ରାବଣ ପୁତ୍ର ଇନ୍ଦ୍ରଜିତ ସହ ଶ୍ରୀରାମଙ୍କ ମହା ସଂଗ୍ରାମ ଲାଗି ଯାଇ ଥାଏ l ଯେତେ ଚେଷ୍ଠା କଲେ ମଧ୍ୟ, ମାୟାବୀ ଇନ୍ଦ୍ରଜିତକୁ ନିଧନ କରିବା, ରାମଙ୍କ ପକ୍ଷରେ ସମ୍ଭବ ହୋଇପାରୁ ନଥାଏ l ପ୍ରଭୁ ଚିନ୍ତିତ ହୋଇ ପଡ଼ିଲେ l ସେ ବିଭୀଷଣଙ୍କୁ ଇନ୍ଦ୍ରଜିତ ବଧ ନହୋଇ ପାରିବାର କାରଣ ପଚାରିଲାରୁ, ବିଭୀଷଣ କହିଲେ, "ଆପଣ ବାନର ସେନାଙ୍କ ସହ ଅତି ଶୀଘ୍ର କୁମାର ଲକ୍ଷ୍ମଣଙ୍କୁ ନିକୁମ୍ଭିଲା ପଠାନ୍ତୁ l ନିକୁମ୍ଭିଲା ଦେବୀଙ୍କୁ ପୂଜା କରି ସେଠାରେ ଇନ୍ଦ୍ରଜିତ ନିକୁମ୍ଭିଲା ଯଜ୍ଞ କରୁଛି l ସେହି ଯଜ୍ଞ ସମାପ୍ତ ହୋଇଗଲେ ସେ ଅପରାଜେୟ ହୋଇ ଯିବ l ବ୍ରହ୍ମା ତାକୁ ସେହି ବର ଦେଇଛନ୍ତି l ଯଜ୍ଞରେ ବାଧା ଦେଲେ, ଇନ୍ଦ୍ରଜିତ ବି କାହାକୁ ଛାଡ଼ିବ ନାହିଁ l ଇନ୍ଦ୍ରଜିତର ମୃତ୍ୟୁରେ ରାବଣର ଅର୍ଦ୍ଧେକ ବଳ ଚାଲି ଯିବ, ଏଣୁ ଅବିଳମ୍ବେ ଆପଣ ଲକ୍ଷ୍ମଣଙ୍କୁ ପଠାଇ ତା ଯଜ୍ଞ ଭଗ୍ନକରନ୍ତୁ"l
ରାମ ଇନ୍ଦ୍ରଜିତ ବଧ ନହେବା କାରଣ ବୁଝିଗଲେ l ସେ ଲକ୍ଷ୍ମଣଙ୍କୁ ନିର୍ଦ୍ଧେଶ ଦେଲେ, ତୁମେ ଅତି ଶୀଘ୍ର ନିକୁମ୍ଭିଲା ଦେବୀଙ୍କ ପାଖକୁ ଯାତ୍ରା କର l ପାତାଳ ପୁରୀରେ ଥିବା ସେହି ସ୍ଥାନକୁ ମାର୍ଗ ନିର୍ଦ୍ଦେଶ କଲେ ବିଭୀଷଣ l ଲକ୍ଷ୍ମଣଙ୍କସହ ହନୁମାନ ମଧ୍ୟ ଚାଲିଲେ, ପାତାଳ ପୁରୀକୁ l ଲକ୍ଷ୍ମଣ ଧରିଥାନ୍ତି, ତାଙ୍କ ବିଶେଷ କବଚ ଓ ଧନୁର୍ବାଣ l ପାତାଳରେ ପହଞ୍ଚି ସେମାନେ ଦେଖିଲେ, ଯଜ୍ଞ ସ୍ଥଳୀକୁ ଭୟଂକର ରାକ୍ଷସ ମାନେ କଡ଼ା ପହରା ଦେଉଛନ୍ତି l ରାକ୍ଷସ ମାନଙ୍କ ବ୍ୟୁହକୁ ଅତିକ୍ରମ କରିବା ଅତୀବ କଷ୍ଟ l ସମସ୍ତେ ଚିନ୍ତାରେ ବସି ପଡ଼ିଲେ l
ଏହି ସମୟରେ ବିଭୀଷଣ ଲକ୍ଷ୍ମଣଙ୍କୁ କହିଲେ, ଯଜ୍ଞ ଶେଷହେବା ପୂର୍ବରୁ ଇନ୍ଦ୍ରଜିତକୁ ଯେପରିହେଉ ବଧ କରିବାକୁ ପଡ଼ିବ l ଲକ୍ଷ୍ମଣଙ୍କ ଇଙ୍ଗିତରେ ବାନର ଓ ଭଲ୍ଲୁକ ସେନା, ଇନ୍ଦ୍ରଜିତ ଉପରେ ଅଚାନକ ଚଢ଼ଉ ଆରମ୍ଭ କରିଦେଲେ l ତାଙ୍କ ଆକ୍ରମଣରେ ଇନ୍ଦ୍ରଜିତ ଯଜ୍ଞ ଛାଡ଼ି ରଥଚଢ଼ି ଯୁଦ୍ଧପାଇଁ ପ୍ରସ୍ତୁତ ହୋଇଗଲା l ଦେଖା ଗଲା ସେହି ଯଜ୍ଞଭୂମି ଉପରେ ଏକ ବିରାଟ ବଟଦ୍ରୁମ ଯାହା ଅଗ୍ନିଶିଖା ଲାଗି କଳାପଡ଼ି ଯାଇଛି l ସେହି ବଟତଳେ ଇନ୍ଦ୍ରଜିତ ବଳି ଚଢ଼ାଉଥିଲା ଏବଂ ସେଠାରୁ ଯାଇ ଅଦୃଶ୍ୟ ହୋଇ ଯୁଦ୍ଧ କରେ l ସେହି ବଟର ନାମ ଥିଲା ନିକୁମ୍ଭିଲା ବଟ l
ଇନ୍ଦ୍ରଜିତ ଲକ୍ଷ୍ମଣଙ୍କ ସଙ୍ଗେ ବିଭୀଷଣଙ୍କୁ ଦେଖି ଖୁବ୍ ରାଗି ଯାଇ ତାଙ୍କୁ ଭର୍ଚ୍ଛନା କରିବାକୁ ଲାଗିଲା l ଏହି ସମୟରେ ବାନର ଭଲ୍ଲୁକ ମାନେ ତା' ଯଜ୍ଞକୁ ଧ୍ଵଂସ କରି ଦେଲେ l ଇନ୍ଦ୍ରଜିତ ଏହି ସମୟରେ ଯଜ୍ଞଚ୍ୟୁତ ହୋଇ ଥିବାରୁ ସେ ସେ ମଧ୍ୟ ନିହତ ହେଲା l ଇନ୍ଦ୍ରଜିତ ପୂଜିତ ପାତାଳପୁରୀରେ ସେହି ନିକୁମ୍ଭିଲା ଦେବୀଙ୍କୁ ଶ୍ରୀରାମ ରାବଣ ବଧ ଏବଂ ଲଙ୍କାବିଜୟ ପରେ ସାଥିରେ ଅଯୋଧ୍ୟା ଘେନିଗଲେ l ନିକୁମ୍ଭିଲା ଦେବୀ ବର୍ତ୍ତମାନ ରଟନ୍ତିକାଳୀ ରୂପେ ମାଘ ରଟନ୍ତି ଚତୁର୍ଦ୍ଦଶୀରେ ପୂଜା ହୋଇଥାନ୍ତି l
ଇନ୍ଦ୍ରଜିତ ଯେଉଁ ରଥରେ ଚଢ଼ି ଯୁଦ୍ଧକରୁଥିଲା ତାହା ଦିନେ ଦେବତାଙ୍କ ଗର୍ବ ଖର୍ବକରିଥିଲା l ସେ ସେହି ରଥ ଆରୋହି ଦିନେ ବଜ୍ରଧର ଦେବରାଜ ଇନ୍ଦ୍ରଙ୍କୁ ପରାଜିତ କରି ଇନ୍ଦ୍ରଜିତ ନାମରେ ପରିଚିତ ହୋଇ ଥିଲା l ଦେବତାଙ୍କ ଦର୍ପ ଦଳନ କରି ଥିବାରୁ ତାର ରଥ ପରିଚିତ ହୋଇ ଥିଲା, ଦେବ ଦଳନ ବୋଲି l ମା' ସୁଭଦ୍ରାଙ୍କ ଦେବ ଦଳନ ରଥ ସେହି ଇନ୍ଦ୍ରଜୟୀ ଇନ୍ଦ୍ରଜିତର ରଥ ବୋଲି ଉତ୍କଳ ବାଲ୍ମୀକି ବଳରାମ ଦାସଙ୍କ ଦାଣ୍ଡି ରାମାୟଣରେ ବର୍ଣ୍ଣନାରହିଛି l ସେହି ଦର୍ପ ଦଳନ ରଥକୁ ଇନ୍ଦ୍ରଜିତ, ନିକୁମ୍ଭିଲା ଯଜ୍ଞ କରି ମାଆ ନିକୁମ୍ଭିଲାଙ୍କ ଠାରୁ ପ୍ରାପ୍ତ ହୋଇଥିଲା l
ଶ୍ରୀକ୍ଷେତ୍ର ରଥ ଯାତ୍ରା ସମୟରେ ମହାମାୟା ମାଆ ସୁଭଦ୍ରା ସେହି ଦେବ ଦଳନ ରଥ ଆରୋହଣ କରି ଘର୍ଘର ଘୋଷରେ ଗୁଣ୍ଡିଚାଯାତ୍ରା କରିଥାନ୍ତି l ସମସ୍ତ ଅନିଷ୍ଟକାରୀ ଶକ୍ତିକୁ ଧ୍ଵଂସ କରିଦେବାକୁ ଏହି ରଥ ସମର୍ଥ l ତେଣୁ, ଏହାର ଅନ୍ୟ ନାମ, ଦର୍ପ ଦଳନ l ପଦ୍ମଚିହ୍ନାଙ୍କିତ ଧ୍ଵଜାଯୋଗୁଁ ସୁଭଦ୍ରାଙ୍କ ରଥର ଅନ୍ୟ ନାମ ପଦ୍ମଧ୍ଵଜ l ଦ୍ୱାପର ଯୁଗରେ ଅର୍ଜୁନଙ୍କ ସୁଭଦ୍ରା ହରଣ ସମୟରେ ମା' ସୁଭଦ୍ରା ନିଜେ ରଥ ଚଳାଇ ଅର୍ଜ୍ଜୁନଙ୍କୁ ଯାଦବଙ୍କ ଠାରୁ ରକ୍ଷା କରିଥିଲେ ବୋଲି କୃତଜ୍ଞତା ସ୍ୱରୂପେ ମହାବୀର ଅର୍ଜୁନ, ଦେବଦଳନ ରଥର ସାରଥୀ ହୋଇଥାନ୍ତି l ଭଉଣୀ ତଥା ସମସ୍ତ ମାତୃଜାତିର ରକ୍ଷାକାରୀ ରୂପେ ଚକ୍ରରାଜ ସୁଦର୍ଶନ ଦେବଦଳନ ରଥରେ ବିଜେ ହୋଇ ଥାନ୍ତି l
