ହେରା ପଞ୍ଚମୀ ଓ ପାର୍ବତୀଙ୍କ ଭେଟ
ହେରା ପଞ୍ଚମୀ ଓ ପାର୍ବତୀଙ୍କ ଭେଟ
ଶ୍ରୀକ୍ଷେତ୍ର ଓ ଏକାମ୍ର କ୍ଷେତ୍ରର ଦୁଇ ମୁଖ୍ୟ ଦେବୀ ହେଲେ ମହାଲକ୍ଷ୍ମୀ ଓ ମା ପାର୍ବତୀ l ଶ୍ରୀଜଗନ୍ନାଥ ମହାପ୍ରଭୁ ଏବଂ ଲିଙ୍ଗରାଜ ମହାପ୍ରଭୁଙ୍କ ରଥଯାତ୍ରା ଲୀଳାରେ, ଦେବୀ ମାନେ ଅସହ୍ୟ ବିରହ ଯନ୍ତ୍ରଣା ଭୋଗ କରନ୍ତି l ସେହି ଯନ୍ତ୍ରଣାର ପ୍ରତି ଫଳନ ହୁଏ ହେରାପଞ୍ଚମୀ ଓ ପାର୍ବତୀ ଭେଟ ଯାତ୍ରାରେ l ଦୁଇ କ୍ଷେତ୍ରରେ ଦେଖିବାକୁ ମିଳେ ମହାପ୍ରଭୂ ମାନଙ୍କର ମାନବୀୟ ଲୀଳାର ଏଵଂ ଓଡ଼ିଆ ଲୋକାଚାର ଓ ଚଳଣିର ଝଲକ l
ଶ୍ରୀକ୍ଷେତ୍ରରେ ରୁକ୍ମିଣୀ ବିବାହର ଚାରି ଦିନ ପରେ ମହାପ୍ରଭୁ ବାହାରି ଯାଆନ୍ତି ସ୍ନାନ ଯାତ୍ରାକୁ l ମାଆ ମହାମାୟୀଙ୍କ ସାଙ୍ଗରେ ଭେଟ ହୋଇ ନ ଥାଏ କି ମିଳନ ହୋଇ ନଥାଏ l କୋଉ ଘରଣୀର ରାଗ ନ ହେବ l ବିବାହ ହେଲା ଏବଂ ଚତୁର୍ଥୀ ହୋମ ସାରି ମହାପ୍ରଭୁ ସ୍ନାନ ସାରି, ଶୋଇଲେ ଜ୍ବରରେ l ବାହା ଗଣ୍ଠିଆଳ ଫିଟି ନାହିଁ l ମହାପ୍ରଭୁ ଅଣସର ଲୀଳା ସାରିଲେ l ତାପରେ ନବଯୌବନ ଦର୍ଶନ ଦେଇ ଶୁକ୍ଳ ଦ୍ଵିତୀୟା ତିଥିରେ ଚାଲି ଗଲେ ମାଆ ଗୁଣ୍ଡିଚା ଘରକୁ l ସାଙ୍ଗରେ ବଡ଼ଭାଈ ବଳଭଦ୍ର ଓ ଭଉଣୀ ସୁଭଦ୍ରା l ମାଆ ଲକ୍ଷ୍ମୀ ସାଆନ୍ତାଣୀଙ୍କ ନିମନ୍ତେ ରଖି ଦେଇଗଲେ ବଗଡା ଚାଉଳ ଓ କଳମ ଶାଗ ଆଉ କହି ଦେଇ ଗଲେ ଶୀଘ୍ର ଆସିବେ ବୋଲି l ଗଲେ ଯେ ଚାରି ଦିନ ବିତିଗଲା ହେଲେ ମହାପ୍ରଭୁ ଆଉ ଫେରିଲେନାହିଁ l ପଞ୍ଚମ ଦିବସକୁ ଆଉ ମାଆ ରହି ପାରିଲେନାହିଁ l ବିମଳା ଠାକୁରାଣୀଙ୍କ ଠାରୁ ମୋହ ଚୂର୍ଣ୍ଣ ନେଇ ଦାସଦାସୀଙ୍କ ଗହଣରେ ମାଆ ଗଲେ ଆଡପ ମଣ୍ଡପ, ଛଳିଆ ଠାକୁରଙ୍କ ଲୀଳା ଦେଖିବା ପାଇଁ l ମାଆ ଯିବେ ଜାଣି, ପ୍ରଭୁ ପୂର୍ବ ଦିନ ବନକ ସାଜ ହୋଇଯାଇ ଥାନ୍ତି l ମାଆ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲା ବେଳକୁ ସଞ୍ଜ l ମହାପ୍ରଭୁଙ୍କ ସନ୍ଧ୍ଯାଧୂପ ପୂଜା ଚାଲି ଥାଏ l ଦେଢଶୁର ଅଛନ୍ତି l ସେବାୟତ ମାନେ କବାଟ ଆହୁଡାଇ ଦିଅନ୍ତି, ମା ଜଳାକବାଟି ବାଟେ ମହାପ୍ରଭୁଙ୍କ ଆଡମ୍ବର ଦେଖି କ୍ରୁଦ୍ଧ ହୁଅନ୍ତି l ମହାପ୍ରଭୁ ଶୀଘ୍ର ଆସିବା ପାଇଁ ମାଆ ମୋହଚୂର୍ଣ୍ଣ ପ୍ରଭୁଙ୍କ ଆଡ଼େ ପକେଇଦେଇ ପଳାଇ ଆସନ୍ତି l ନନ୍ଦିଘୋଷରଥକୁ ଦେଖି ଲକ୍ଷ୍ମୀ ଆହୁରି କ୍ରୁଦ୍ଧ ହୁଅନ୍ତି l ଆରେ ଏହି ରଥଟା ତ ମହାପ୍ରଭୁଙ୍କୁ ଏଠାକୁ ନେଇ ଆସିଛି l ଅଭିମାନରେ ନନ୍ଦିଘୋଷରଥକୁ ଖୁଣକରି ଖଣ୍ଡେ କାଠ ବାହାରକରି ନେଇ ଆସନ୍ତି। ଫେରିଲା ବେଳେ ଲଜ୍ଜା ବଶତଃ, ସିଧା ବଡ଼ ଦାଣ୍ଡ ହୋଇ ନ ଫେରି ହେରା ଗୋହିରୀ ସାହି ବାଟେ ଶ୍ରୀମନ୍ଦିରକୁ ଫେରିଆସନ୍ତି ମହାଲକ୍ଷ୍ମୀ l ମହାଲକ୍ଷ୍ମୀଙ୍କ ଏ ଲୀଳା ହେରା ପଞ୍ଚମୀ ଭାବେ ଖ୍ୟାତ l
ଏକାମ୍ର କ୍ଷେତ୍ରରେ ଠିକ ସେହିପରି ଅଶୋକାଷ୍ଟମୀ ରଥ ଯାତ୍ରା ବେଳେ ମହାପ୍ରଭୁ ଲିଙ୍ଗରାଜ, ଦେବୀ ମା'ଗୋପାଳୁଣୀ ଏବଂ ପ୍ରଭୁ ବାସୁଦେବଙ୍କ ସହିତ ରାମେଶ୍ୱର ତୀର୍ଥକୁ ପଞ୍ଚ ଦିନ ବ୍ୟାପୀ ଯାତ୍ରା କରି ଥାନ୍ତି l ସେ ସମୟରେ ମହାପ୍ରଭୁ ମା' ପାର୍ବତୀଙ୍କୁ ସଙ୍ଗରେ ନ ନେଇ ଯାଇ ଥିବାରୁ ମା’ ଠାକୁରାଣୀ ଅଭିମାନ କରନ୍ତି l ମହାଦେବ ମହାଦେବୀଙ୍କୁ ନିଜ ପ୍ରତ୍ୟେକ ଯାତ୍ରାରେ ସାଙ୍ଗ କରିଥାନ୍ତି l କିନ୍ତୁ ଏତେ ବଡ଼ ଓ ଏତେଦିନର ଯାତ୍ରାରେ ଦେବୀଙ୍କୁ ସଙ୍ଗରେ ନ ନେଇ ଚାଲିଯାନ୍ତି l କ୍ଷୋଭ ଅଭିମାନରେ ମାଆ ପାର୍ବତୀ ରଥ ଯାତ୍ରାର ଦୁଇ ଦିନ ବିତିଯିବା ପରେ ମହାପ୍ରଭୁଙ୍କୁ ଭେଟିବା ପାଇଁ ସେବକ ପରିବେଷ୍ଟିତା ହୋଇ ରାମେଶ୍ୱର ଦେଉଳକୁ ଯାତ୍ରା କରନ୍ତି l
ମହାପ୍ରଭୁ, ଦେବୀ ଗୋପାଳୁଣୀ ଓ ବାସୁଦେବଙ୍କ ସହ ବିଜେ କରିଥାନ୍ତି, ରାମେଶ୍ୱରଙ୍କ ସମ୍ମୁଖ ବିଜେ ଦେଉଳରେ l ପଣ୍ଡା ପଢ଼ିହାରୀ ଏବଂ ଭକ୍ତମାନଙ୍କ ଗହଳରେ ପାର୍ବତୀ ମହାପ୍ରଭୁଙ୍କୁ ଭଲରେ ଟିକିଏ ଦେଖି ପାରନ୍ତି ନାହିଁ l ଏକାମ୍ର କ୍ଷେତ୍ରର କୁଳବଧୂ l ତାଙ୍କୁ ପରଦାପଛରୁ ଆସିବା ମନା,ପାଲିଙ୍କି ପରଦା ଉହାଡରୁ କିଞ୍ଚିତେ ମାତ୍ର ଦର୍ଶନ ହୁଏ କି ନାହିଁ ସେ ଫେରି ଆସନ୍ତି ଦେଉଳକୁ l ସେ ମହାପ୍ରଭୁଙ୍କ ଠାରୁ ଫେରିବା ପ୍ରତିଶ୍ରୁତି ପ୍ରାପ୍ତ ହୋଇ ଥାନ୍ତି l
ଏହି ଅବସରରେ ପାର୍ବତୀଙ୍କ ଗୁପ୍ତରେ ମହାପ୍ରଭୁଙ୍କ ସହ ଭେଟହୁଏ l ଭେଟ ଆଳତି ପରେ ଫେରିବା ସମୟରେ ଅଭିମାନରେ ରୁକୁଣା ରଥକୁ ପାହାରେ ବାଡ଼େଇ ଦେଇ ଦେବୀ ଦେଉଳକୁ ଫେରିଆସନ୍ତି l ଶ୍ରୀକ୍ଷେତ୍ର ପରି ଏଠାରେ ରଥଭାଙ୍ଗିବା ନୀତି ନାହିଁ l ଶ୍ରୀକ୍ଷେତ୍ରର ଲକ୍ଷ୍ମୀ ନାରାୟଣ କଳି ସଦୃଶ ଏଠାରେ ଉମା ମହେଶ୍ଵର କଳି ଅନୁଷ୍ଠିତ ହୋଇଥାଏ l
