STORYMIRROR

LALIT MOHAN DASH

Abstract Classics Inspirational

4  

LALIT MOHAN DASH

Abstract Classics Inspirational

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଗଜାନନ ବେଶ

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଗଜାନନ ବେଶ

5 mins
22


ପଞ୍ଚଦଶ ଶତାବ୍ଦୀର କଥା, କର୍ଣ୍ଣାଟକର କାଣିଆରି ଗ୍ରାମରେ ବିଘ୍ନେଶ୍ୱର ଶ୍ରୀଗଣପତିଙ୍କ ଜଣେ ପରମ ଉପାସକ ବାସ କରୁଥିଲେ l ତାଙ୍କ ନାମ ଗଣପତି ଭଟ୍ଟ l ଗଣେଶଙ୍କ ଭକ୍ତ ଥିବାରୁ ସେ ତାଙ୍କୁ ହିଁ ବ୍ରହ୍ମ ବୋଲି ମାନୁ ଥିଲେ l ସେ ବହୁ ଶାସ୍ତ୍ର ପୁରାଣରେ ପାରଦର୍ଶୀ ଥିଲେ l ବ୍ରହ୍ମ ସାକ୍ଷାତ ହେଲେ, ପ୍ରାଣୀ ସଂସାରରୁ ଉଦ୍ଧାର ପାଏ ଏହା ସେ ମର୍ମେ ମର୍ମେ ଜାଣି ଥିଲେ l ବ୍ରହ୍ମ ସାକ୍ଷାତକାର କିପରି ହୋଇ ପାରିବ ସେ ପାଇଁ ସେ ସଦା ସର୍ବଦା ଚିନ୍ତିତ ରହୁ ଥିଲେ l ଥରେ ବ୍ରହ୍ମ ପୁରାଣକୁ ଦେଖୁ ଦେଖୁ ସେ ଜାଣିବାକୁ ପାଇଲେ :-

      ସ୍ଥୁଳ ସ୍ୱରୂପ ଗୋଟି ଧରି l 

      ବ୍ରହ୍ମ ଅଛନ୍ତି ନୀଳଗିରି ll

     ତାଙ୍କୁ ଦେଖନ୍ତି ଯେଉଁମାନେ l

      ମୁକତି ହୁଅନ୍ତି ଦର୍ଶନେ ll

      ନ ଗମେ ଯମ ଦରଶନ l

      ସକଳ ଶାସ୍ତ୍ର ଏ ପ୍ରମାଣ ll

ଏଇ ତକ ଜାଣିବା ପରେ, ତାଙ୍କର ସଂସାର ପ୍ରତି ବୈରାଗ୍ୟ ଜାତ ହେଲା l ସଂସାର ମାୟା ତ୍ୟାଗ କରି ମୁଁ ବ୍ରହ୍ମ ସାକ୍ଷାତକାରରେ ବ୍ରତୀ ହେବି ଏହା ତାଙ୍କ ଚିନ୍ତା ଚେତନାକୁ ଗ୍ରାସ କରିବସିଲା l ସାକ୍ଷାତ ବ୍ରହ୍ମ ନୀଳାଚଳରେ ଅଛନ୍ତି, ତାଙ୍କୁ ଦର୍ଶନ କରି ମୁଁ ମୁକ୍ତି ଲାଭକରିବି ଏହା ଭାବି ସେ ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା ଆରମ୍ଭ କଲେ l କର୍ଣ୍ଣାଟକ ଠାରୁ ନୀଳାଚଳ କାହିଁ କେତେ ଦୂର l କେବଳ ସେହି ବ୍ରହ୍ମଙ୍କ କଥା ଚିନ୍ତା କରି କେତେ ଦିନ ପରେ ସେ ପଦ ବ୍ରଜରେ ଆସି ପହଞ୍ଚିଲେ ଅଠରନଳା ଠାରେ l 

ଶ୍ରୀଜଗନ୍ନାଥଙ୍କ ଦର୍ଶନ ସାରି,ମହାପ୍ରସାଦ ହସ୍ତରେ ଧରି ଫେରୁଥିବା ଦଳେ ଉଲ୍ଲସିତ ଯାତ୍ରୀଙ୍କ ସହିତ ତାଙ୍କର ସାକ୍ଷାତ ହେଲା l ତାଙ୍କୁ ଦେଖି, ଗଣପତି ପଚାରିଲେ, " ଆପଣମାନେ ଏପରି ଆନନ୍ଦରେ କେଉଁଠାରୁ ଫେରୁଛନ୍ତି, ହାତରେ ଆପଣ ମାନେ କ'ଣ ଧରିଛନ୍ତି l ଯାତ୍ରୀ ମାନେ କହିଲେ, ଆମେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସାରି କୈବଲ୍ୟ ହସ୍ତରେ ଗୃହକୁ ଫେରୁଛୁ l

ଗଣପତି ଭଟ୍ଟଙ୍କ ମନରେ ସନ୍ଦେହ ଜାତ ହେଲା l ସେ ଭାବିଲେ, ଜଗନ୍ନାଥ ତାହେଲେ ବ୍ରହ୍ମ ନୁହଁନ୍ତି l ବ୍ରହ୍ମଙ୍କୁ ଦର୍ଶନ କଲେ ତ ଜୀବ ବ୍ରହ୍ମଲୀନ ହୋଇ ମୋକ୍ଷ ପାଇଯାଏ l ଏ ଲୋକମାନେ ବ୍ରହ୍ମ ଦର୍ଶନ କରି ଫେରିଆସୁଛନ୍ତି କିପରି? ସନ୍ଦେହ ଅଭିଭୂତ ହୋଇ ସେ ପୁଣି ବ୍ରହ୍ମ ପୁରାଣ ଖୋଜିଲେ l ହଁ ! ତାହାହିଁ ତ ଲେଖା ହୋଇଛି l ତାଙ୍କର ବୁଦ୍ଧି ହଜି ଗଲା l ଭାବିଲେ ତା' ହେଲେ ମୋର ଏତେ ଶ୍ରମ କ'ଣ ବୃଥା ହୋଇଗଲା ! ଆଉ ଏ ଜୀବନ ରଖି ଲାଭ କ'ଣ? ଆତ୍ମହତ୍ୟା କରିବା ହିଁ ଶ୍ରେୟସ୍କର l ଏହା ଭାବି ଆତ୍ମହତ୍ୟା କରିବାକୁ ଉଦ୍ୟତ ହେଉ ଥାନ୍ତି l ଭକ୍ତବତ୍ସଳ ଭଗବାନ ଭକ୍ତର ମନକଥା ବୁଝି ପାରିଲେ l ପ୍ରଭୁ ବ୍ରାହ୍ମଣ ବେଶରେ ଗଣପତି ଭଟ୍ଟଙ୍କ ସାମ୍ନାରେ ଉଭାହୋଇ ପଚାରିଲେ,ତୁମେ କେଉଁଠୁ ଆସିଛ,କୁଆଡ଼େ ଯିବ, ତୁମେ ଏଡ଼େ ବିମର୍ଷ ଦେଖା ଯାଉଛ କାହିଁକି? ତୁମେ କଅଣ କିଛି ଗଭୀର ଚିନ୍ତା ଗ୍ରସ୍ତ ଅଛ କି ? 

ବ୍ରାହ୍ମଣଙ୍କ କଥାଶୁଣି, ଭକ୍ତ ଗଣପତି ଭଟ୍ଟ କହିଲେ, " ହେ ମହାଶୟ ! ମୁଁ ବ୍ରହ୍ମ ପୁରାଣରୁ ଜାଣିବାକୁ ପାଇଲି ନୀଳାଚଳରେ ସ୍ୱୟଂ ବ୍ରହ୍ମ ବିଜେ କରିଛନ୍ତି ବୋଲି l ବ୍ରହ୍ମଙ୍କ ଦର୍ଶନ ପାଇଁ ବହୁ ଶ୍ରମ କରି ମୁଁ ସୁଦୂର କର୍ଣ୍ଣାଟକରୁ ଆସିଛି l ବର୍ତ୍ତମାନ ଏଠାରେ ବ୍ରହ୍ମ ନାହାଁନ୍ତି ଜାଣି, ନିରାଶ ହୋଇ ପଡ଼ିଛି, ଏହି ଚିନ୍ତା ମୋତେ ବ୍ୟଥିତ କରୁଛି l"

ବ୍ରାହ୍ମଣ କହିଲେ,"ଏଠାରେ ବ୍ରହ୍ମ ନାହାଁନ୍ତି ବୋଲି ତୁମେ ଜାଣିଲ କିପରି?" ଗଣପତି କହିଲେ," ମୁଁ ଜାଣେ ବ୍ରହ୍ମଙ୍କୁ ଦର୍ଶନ କଲେ ଜୀବ ବ୍ରହ୍ମରେ ଲୀନ ହୋଇ ଜୀବନ୍ମୁକ୍ତ ହୋଇ ଯାଏ l କିନ୍ତୁ ଏଠି ଲୋକ ମାନେ ବ୍ରହ୍ମଦର୍ଶନ କରି ଫେରି ଆସୁଛନ୍ତି କିପରି?  ବ୍ରାହ୍ମଣ କହିଲେ,"ଭଗବାନ ବାଞ୍ଛା କଳ୍ପତରୁ, ଯିଏ ଯେମିତି ବାଞ୍ଛା କରେ, ପ୍ରଭୁ ତାଙ୍କୁ ସେହିପରି ଫଳ ଦିଅନ୍ତି l ଯିଏ ଦର୍ଶନ ସାରି ଘରକୁ ଫେରି ଯିବାକୁ ଇଚ୍ଛାକରୁଛି ପ୍ରଭୁ ତାକୁ ଘରକୁ ଫେରାଇ ଦେଉଛନ୍ତି l ଯିଏ ମୁକ୍ତିବାଞ୍ଛା ନେଇ ତାଙ୍କୁ ଦର୍ଶନ କରିବ ପ୍ରଭୁ ତା'ର ଅଭିଳାଷ ମଧ୍ୟ ନିଶ୍ଚୟ ପୂର୍ଣ୍ଣ କରିବେ l ଏଣୁ ତୁମେ ସଂଶୟ ତ୍ୟାଗକରି ପ୍ରଭୁଙ୍କୁ ଦର୍ଶନକର "l 

ବ୍ରାହ୍ମଣଙ୍କ କଥା ଗଣପତିଙ୍କ ମନକୁ ପାଇଲା l ସେ ଦର୍ଶନ ଉଦ୍ଦେଶ୍ୟରେ ଯାଇ ସିଂହ ଦ୍ୱାରରେ ପହଞ୍ଚି ଦେଖନ୍ତି ତ ମହାପ୍ରଭୁ ସ୍ନାନ ପାଇଁ ସ୍ନାନ ବେଦୀରେ ଉଭା ହୋଇଛନ୍ତି l ସେ ଦିନ ଥାଏ ସ୍ନାନ ପୂର୍ଣ୍ଣିମା l ଭକ୍ତମାନଙ୍କର ଜୟ ଜୟକାର ଧ୍ୱନୀରେ ସେବକ ମାନେ ମହାପ୍ରଭୁଙ୍କୁ ତୀର୍ଥ ଜଳରେ ସ୍ନାନ କରାଇ ଦେଉଥାନ୍ତି l ମହାପ୍ରଭୁଙ୍କ ପାଖରେ ଗଣପତିଭଟ୍ଟ ପହଞ୍ଚିଲେ l କିନ୍ତୁ ଏ କଅଣ? ଏ କଅଣ ବ୍ରହ୍ମ? ମୋ ଉପାସ୍ୟ ଗଣପତି କାହାଁନ୍ତି ? ସେ ପୁଣି ସନ୍ଦେହରେ ସ୍ନାନ ମଣ୍ଡପ ପାଖକୁ ଫେରିଆସି ଭାବିଲେ, ଗଣେଶ ହିଁ ପୂର୍ଣ୍ଣ ବ୍ରହ୍ମ l ଇଏ ତ ଗଣେଶ ମୂର୍ତ୍ତି ନୁହଁନ୍ତି l ପୁଣି ଇଏ ବ୍ରହ୍ମ ହେବେ କିପରି ? 

ପ୍ରଭୁ ନୀଳାଦ୍ରି ବିହାରୀ, ଅନ୍ତର୍ଯ୍ୟାମୀ, ଭକ୍ତ ମନର କୋହ ବୁଝିପାରିଲେ, ସେ ଯାଇ ଜଗମୋହନରେ ଶୋଇପଡ଼ି ଥିବା କ୍ଲାନ୍ତ ମୁଦିରଥଙ୍କୁ ସ୍ୱପ୍ନାଦେଶରେ କହିଲେ,'ମୁଦିରଥେ, ମୋର ପରମଭକ୍ତ ଗଣପତି ଭଟ୍ଟ ମୋର ଗଣପତି ରୂପ ଦେଖି ନ ପାରି ଫେରି ଯାଉଛନ୍ତି l ଆପଣ ଯାଇ ତାଙ୍କ ମନରେ ବିଶ୍ୱାସ ଜନ୍ମାଇ କୁହନ୍ତୁ,ତୁମେ ନିଶ୍ଚଳ ଭାବରେ ଦେଖିଲେ ମହାପ୍ରଭୁ ତୁମକୁ ନିଶ୍ଚୟ ଗଣେଶ ରୂପରେ ଦେଖା ଦେବେ ' l 

ମୁଦିରଥଙ୍କର ଚାଏଁ କରି ନିଦ ଭାଙ୍ଗି ଗଲା l ଇଏ  କି ନିର୍ଦ୍ଧେଶ ମହାପ୍ରଭୁଙ୍କର ? କିଏ ସେହି ଗଣପତି ଭଟ୍ଟ ? ସେ ତୁରନ୍ତ ବାହାରି ପଡ଼ିଲେ ଗଣପତିଙ୍କ ସନ୍ଧାନରେ l ଖୋଜି ଖୋଜି ଭେଟିଲେ ବାଟରେ l ତାଙ୍କୁ ଅଟକାଇ କହିଲେ, "ହେ ବ୍ରାହ୍ମଣ ! ଆପଣ ଫେରି ଯାଉଛନ୍ତି କାହିଁକି ? ଚଉବର୍ଗ ଦାନୀ ପ୍ରଭୁ ପରା ତାଙ୍କ ବିଶାଳ ବାହୁ ପ୍ରସାରି ନୀଳାଚଳରେ ବସିଛନ୍ତି l ଆପଣଙ୍କ ମନୋବାଞ୍ଛା ସେ ନିଶ୍ଚୟ ପୂର୍ଣ୍ଣ କରିବେ l" ଗଣପତି ଭଟ୍ଟ ଟିକିଏ ବିରକ୍ତି ପ୍ରକାଶ କରି କହିଲେ,"ଗଜାନନ ହେଉଛନ୍ତି ବ୍ରହ୍ମ, ଜଗନ୍ନାଥ ତ ଗଜାନନ ନୁହଁନ୍ତି l ସେ କିପରି ବ୍ରହ୍ମ ହେବେ l"

ମୁଦିରଥ କହିଲେ," ମହାଶୟ ! ଆପଣଙ୍କ ମତି ଭ୍ରମ ହୋଇଛି ବୋଧ ହୁଏ ! ମହାପ୍ରଭୁ ଶ୍ରୀଜଗନ୍ନାଥ ପୁରୁଷୋତ୍ତମ, ସେ ସମସ୍ତ ଅର୍ଚ୍ଚା ବିଗ୍ରହର ମୁଳ l ତୁମେ ଆଉ ଥରେ ଯାଇ ନିଶ୍ଚଳ ଭାବରେ ଦେଖ ସେ ନିଶ୍ଚିତ ଭାବେ ତୁମକୁ ଗଜ ବଦନ ରୂପରେ ଦେଖା ଦେବେ l "

ମୁଦିରଥଙ୍କ ଦୃଢ ଉକ୍ତି ଦେଖି, ଭଟ୍ଟଙ୍କ ଭ୍ରମ ଦୂର ହେବାକୁ ଲାଗିଲା ଓ ମନରେ ବିଶ୍ୱାସ ଜନ୍ମିଲା l ବ୍ରହ୍ମଙ୍କୁ ଦର୍ଶନ କରିବାପାଇଁ ପୁଣି ସେ ସ୍ନାନବେଦୀ ନିକଟକୁ ଫେରି ଆସି, ମହାପ୍ରଭୁଙ୍କ ସମ୍ମୁଖରେ ନିଶ୍ଚଳ ଭାବେ ଦଣ୍ଡାୟ ମାନ ହୋଇ, ନିର୍ଣ୍ଣିମେଷ ନୟନରେ ଚାହିଁ ରହିଲେ l ଏ କଅଣ ଦେଖୁଛନ୍ତି l ଏତ ଗଜାନନ ! ଲମ୍ବାଲମ୍ବା ଶୁଣ୍ଢବଢ଼ାଇ କଳା ଧଳା ଦୁଇ ହାତୀ ମହାପ୍ରସାଦ କୁଡୁଆ ମାନଙ୍କରୁ ପ୍ରସାଦ ଭକ୍ଷଣ କରି ଯାଉଛନ୍ତି l 

     ଦେଖିଲା ପ୍ରଭୁ ଭଗବାନ l 

     ହୋଇ ଅଛନ୍ତି ଗଜାନନ ll

     ଲମ୍ବି ଅଛଇ ଥୋର ହସ୍ତ l

     ଶୋଭା ଦିଶଇ ଏକଦନ୍ତ ll

ମୁଣ୍ଡ ତାଙ୍କର ଘୁରି ଯାଉଥାଏ l ଆପଣାର ମୁର୍ଖତା ପାଇଁ ସେ ବିବ୍ରତ ହୋଇ ପଡ଼ିଲେ l ଚକ୍ଷୁରୁ ଧାର ଧାର ଲୋତକ ବହି ଯାଉଥାଏ l ହାତ ଯୋଡ଼ି ଲମ୍ବ ହୋଇ ଶୋଇ ଗଲେ ସେ ମହାପ୍ରଭୁଙ୍କ ସମ୍ମୁଖରେ l

ମହାପ୍ରଭୁଙ୍କୁ ନ ଜାଣି ଅପରାଧ କରିଥିବାରୁ କ୍ଷମା ପ୍ରାର୍ଥନା କଲେ l ତାଙ୍କ କଣ୍ଠରୁ ଝରି ପଡ଼ିଲା :-

     ନମୋ ନମସ୍ତେ ଗଜାନନ l

     ନମସ୍ତେ କପିଳ ବଦନ ll

     ନମସ୍ତେ ଦାରୁବ୍ରହ୍ମ ରାଶି l

     ନମୋ ନମସ୍ତେ ବିଶ୍ୱବାସୀ ll

ମହାପ୍ରଭୁଙ୍କୁ ଭକ୍ତିରେ ସାଷ୍ଟାଙ୍ଗ ପ୍ରଣିପାତ କଲେ ଗଣପତି ଭଟ୍ଟ l ପ୍ରାର୍ଥନା କଲେ,"ହେ ମହାପ୍ରଭୁ ! ମୋର ଭ୍ରମ ଦୂରହୋଇଛି, ଏତିକି ମାତ୍ର ପ୍ରାର୍ଥନା, ଆଜି ଠାରୁ ଆପଣ ଯୁଗ ଯୁଗ ପାଇଁ ଦେବ ସ୍ନାନ ପୂର୍ଣ୍ଣିମାରେ ହସ୍ତୀ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେବେ l

     ତଵ ଦର୍ଶନେ ଦାରୁ ବ୍ରହ୍ମ l

     ତୁଟିଲା ମୋର ମତି ଭ୍ରମ ll

     ଲଭିଲି ପରମ କାରଣ l

     ଏବେ ଯା ମାଗୁଅଛି ଶୁଣ ll

     ଆଜିଠୁ ଦେବସ୍ନାନ ଯାତ l

     ଯେବେ ହୋଇବ ଜଗନ୍ନାଥ ll

     କେବଳ ହସ୍ତୀ ବେଶ ହୋଇ l

     ବିଜେ କରିବ ଭାବଗ୍ରାହୀ ll

     ଏତକ ମାତ୍ର ଆଜ୍ଞା ହେଉ l

     ଏକଥା ଯୁଗେଯୁଗେ ଥାଉ ll

ଏତକ କହି ସେ ଉଠିବାକୁ ଚେଷ୍ଟାକରି ଆଉ ଉଠି ପାରିଲେନି l ଗଣପତି ଭଟ୍ଟଙ୍କ ନଶ୍ୱର ଦେହ ଟଳି ପଡ଼ିଲା ସ୍ନାନବେଦୀ ଉପରେ l ସେବକ ମାନେ କି ହେଲା କି ହେଲା କହି ଦୋଉଡ଼ି ଆସି ଦେଖନ୍ତି ତ ଆଉ କିଛି ନାହିଁ l ଗଣପତିଭଟ୍ଟ ବ୍ରହ୍ମଲୀନ ହୋଇ ସାରିଥିଲେ l 

ଭକ୍ତ ଶିରୋମଣି ଗଣପତି ଭଟ୍ଟଙ୍କ ଅଭିଳାଷ ପୂର୍ଣ୍ଣ କରି ମହାପ୍ରଭୁ ସେହିଦିନ ଠାରୁ ହାତୀବେଶ ବା ଗଜାନନ ବେଶ ହୋଇ ଆସୁଛନ୍ତି l ରାଘବ ଦାସ ମଠ ତରଫରୁ ଏହି ବେଶର ସମସ୍ତ ଆୟୋଜନ କରା ଯାଇ ଥାଏ l ହାତୀବେଶ ଉପରାନ୍ତେ ଭକ୍ତ ଗଣପତି ଭଟ୍ଟଙ୍କ ଉତ୍ତରାଧିକାରୀ ଭାବେ ରାଘବ ଦାସ ମଠର ମହନ୍ତଙ୍କୁ ବାର ଲାଗି ପାଟ ଶିରିପା ଲାଗି କରାଯାଇ ଥାଏ l 

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଲୀଳାର ଅନ୍ତଃ ନାହିଁ l ତାଙ୍କ ଉପରେ ବିଶ୍ୱାସ ଟିକିଏ ରଖିପାରିଲେ ସେ ଭକ୍ତର ସବୁ ମନୋବାଞ୍ଛା ପୂରଣ କରି ଥାଆନ୍ତି l ଭକ୍ତକବି ରାମଦାସ କୃତ ଦାଢ୍ୟତା ଭକ୍ତି ଗ୍ରନ୍ଥରେ ଲୀଳାମୟ ମହାପ୍ରଭୁଙ୍କର ଏହି ଅପୂର୍ଵ ଲୀଳାର ବର୍ଣ୍ଣନା ରହିଛି l ସେହି ଗ୍ରନ୍ଥରେ ଯଥାର୍ଥରେ କୁହା ଯାଇଛି :-

     ଦେଖ ଏ ପ୍ରଭୁଙ୍କ ମହିମା l

    ଯାହାଙ୍କୁ ଭଜେ ଦେବ ବ୍ରହ୍ମା ll

     ଏଣୁ ଏ ଭକତ ଛଳରେ l

    ଏବେହୋ ହସ୍ତୀବେଶ ଧରେ ll

    ତେଣୁ ଟି ପ୍ରଭୁ ଭାବଗ୍ରାହୀ l

    ଭକତ ଜୀବନ ବୋଲାଇ ll

    ଦେଖି ସେ ଭକତଙ୍କ ହୃଦ l

    ଭାବେ ଲଭିଲେ ଏଡ଼େ ପଦ ll

 


Rate this content
Log in

Similar oriya story from Abstract