LALIT MOHAN DASH

Children Stories Classics Inspirational

4  

LALIT MOHAN DASH

Children Stories Classics Inspirational

ଶ୍ରୀଗଣେଶଙ୍କ ବ୍ୟାସଦେବଙ୍କୁ ଶିକ୍ଷା

ଶ୍ରୀଗଣେଶଙ୍କ ବ୍ୟାସଦେବଙ୍କୁ ଶିକ୍ଷା

3 mins
293



 ମହର୍ଷି ବ୍ୟାସ ଦେବଙ୍କ ପରିକଳ୍ପିତ ମହାଭାରତ ଖୁବ୍ ବିଶାଳ ଥିଲା l ତାକୁ ଲିପିବଦ୍ଧ କରିବା ଥିଲା ବହୁତ କଠିନ l ମହର୍ଷି ଚିନ୍ତାରେ ପଡ଼ିଯାଇଥାନ୍ତି l ଭାବୁଥାନ୍ତି କେହି ଜଣେ ବିଚକ୍ଷଣ ପଣ୍ଡିତ ମୋତେ ମିଳନ୍ତେ କି ଯାହାଙ୍କୁ ମୁଁ ମହାଭାରତ କଥା ଶୁଣାଇ ଯାଆନ୍ତି ସେ କ୍ଷୀପ୍ର ଗତିରେ ଲେଖି ଯାଆନ୍ତେ l

ସେ ବ୍ରହ୍ମାଙ୍କୁ ପ୍ରାର୍ଥନାକଲେ ଓ ସଂକ୍ଷେପରେ ତାଙ୍କୁ ସମ୍ପୂର୍ଣ୍ଣ ମହାଭାରତର କଥା ଶୁଣାଇଲେ l ଏଭଳି ଏକ ଅପୂର୍ବଗ୍ରନ୍ଥର ବ୍ୟାଖାନ ଶୁଣି ବେଦପତି ବ୍ରହ୍ମା ବହୁ ଆନନ୍ଦିତ ହେଲେ ଓ ଜୀବ ମାନଙ୍କ କଲ୍ୟାଣ ପାଇଁ ଏହା ଲିପିବଦ୍ଧ ହେବା ଉଚିତ ମଣିଲେ l

ସେ ମହର୍ଷିଙ୍କୁ କହିଲେ," ହେ ମହାତ୍ମନ ! ମୁଁ ତୁମ୍ଭ ମନର ବ୍ୟଥା ବୁଝି ପାରୁଛି l ତୁମର ଏହି ବିଶାଳ ଗ୍ରନ୍ଥକୁ ଲିପିବଦ୍ଧ କରିବା ପାଇଁ ସଂସାରରେ ଜଣେ ମାତ୍ର ସମର୍ଥ ଅଛନ୍ତି l ସେ ହେଇଛନ୍ତି ମହା ଜ୍ଞାନୀ ବିଦ୍ୟାପତି ଅଗ୍ରପୂଜ୍ୟ ଶ୍ରୀ ଗଜାନନ, ତୁମେ ତାଙ୍କୁ ପ୍ରାର୍ଥନାକର l ନିଶ୍ଚୟ ସେ ତୁମକୁ ଏହି କାର୍ଯ୍ୟରେ ସାହାଯ୍ୟ କରିବେ"l ବେଦପତିଙ୍କ ଉପଦେଶ ଶୁଣି  ମହର୍ଷି ବ୍ୟାସଦେବ ଭକ୍ତି ଚିତ୍ତରେ ଶ୍ରୀ ଗଣେଶଙ୍କୁ ପ୍ରାର୍ଥନା କଲେ l ତାଙ୍କ ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ ଗଣେଶ ତାଙ୍କ ସମ୍ମୁଖରେ ଆବିର୍ଭୁତ ହେଲେ l 

ବ୍ୟାସଦେବ ଗଜାନନଙ୍କୁ କହିଲେ,ହେ ବିନାୟକ ! ସମସ୍ତ ସଂସାରର କଲ୍ୟାଣ ଅର୍ଥେ ମୁଁ ଏକ ଗ୍ରନ୍ଥର ପରିକଳ୍ପନା କରିଛି l ଏହି ଗ୍ରନ୍ଥ ମୋ ଚିନ୍ତା ପ୍ରସୂତ ହୋଇ ଥିଲେ ଶୁଦ୍ଧା, ଏହାର ବିଶାଳତା ଦୃଷ୍ଟିରୁ ମୁଁ ଏହାକୁ ଲିପିବଦ୍ଧ କରିବାରେ ସମର୍ଥ ହୋଇ ପାରୁ ନାହିଁ l ସେଥିପାଇଁ ମୁଁ ବଡ଼ ଚିନ୍ତିତ ହୋଇପଡ଼ିଛି l ଆପଣ ଯେହେତୁ ଏହି କାର୍ଯ୍ୟ ନିମନ୍ତେ ସମର୍ଥ ମୁଁ ଆପଣଙ୍କୁ ପ୍ରାର୍ଥନା କଲି l ଏପରି ଘୋର ସଙ୍କଟରୁ ଆପଣ ହିଁ ମୋତେ ଉଦ୍ଧାର କରିପାରିବେ l ଗ୍ରନ୍ଥର ଶ୍ଳୋକମାନ ରଚନା କରି ମୁଁ ବୋଲି ଯିବି, ଆପଣ ଏହାକୁ ଲେଖିଚାଲିବେ,ଆପଣ ତ ସ୍ୱୟଂ ବିଦ୍ୟାର ବାରିଧି ଆପଣଙ୍କୁ ମୁଁ ଆଉ ଅଧିକ କଅଣ କହିବି l 

ଶ୍ରୀଗଣେଶଙ୍କର ମହର୍ଷି ବ୍ୟାସ ଦେବଙ୍କ ପ୍ରତି ବହୁ ସମ୍ମାନଥିଲା l ତାଙ୍କୁ ମଧ୍ୟ ସାହାଯ୍ୟ କରିବାକୁ ସେ ଚାହୁଁଥିଲେ, କିନ୍ତୁ ମହାଭାରତ ଲେଖିବା ପାଇଁ ସେ କାହିଁକି ଟିକିଏ ଅଡ଼ୁଆ ବୋଧ କରୁ ଥିଲେ l ତେଣୁ ସେ ଚିନ୍ତା କଲେ ମୁଁ ଯାଉଛି ଏପରି ଗୋଟିଏ ସର୍ତ୍ତ ରଖି ଦେବି,ଯେମିତି କି ମହର୍ଷି ବ୍ୟାସ ମଧ୍ୟ ଟିକେ ଅଡୁଆରେ ପଡ଼ିଯିବେ l 

ଗଣେଶ ବ୍ୟାସଦେବଙ୍କୁ କହିଲେ,"ଠିକଅଛି, ତୁମ ମହାଭାରତ ଲେଖିବାକୁ ମୋର କୌଣସି ଆପତ୍ତି ନାହିଁ l କିନ୍ତୁ,ଗୋଟିଏ ସର୍ତ୍ତରେ ଏହା ମୁଁ ଲେଖିବି l ସେହି ସର୍ତ୍ତଟି ହେଲା, ଆପଣ ଅବିରାମ ଗତିରେ ଅନର୍ଗଳ ଡାକି ଚାଲିବେ, ଯେମିତି ମୋ ଲେଖନୀ ମୁହୂର୍ତ୍ତେ ମାତ୍ର ବନ୍ଦ ନ ହେବ l ଲେଖିଲା ବେଳେ ଯଦି ଲେଖନୀ ମୋର ବନ୍ଦ ହୋଇଯାଏ, ତେବେ ମୁଁ ଆଉ ଆଗକୁ ଅଗ୍ରସର ହୋଇ ପାରିବି ନାହିଁ"l ପରମ ଜ୍ଞାନୀ ବ୍ୟାସଦେବ ପ୍ରଭୁ ଗଣେଶଙ୍କ କଥା ଶୁଣି ହସିହସି କହିଲେ,'ଠିକ ଅଛି, ମୁଁ ଆପଣଙ୍କ ସର୍ତ୍ତରେ ରାଜି,କିନ୍ତୁ ମୋର ମଧ୍ଯ ଏକ ସର୍ତ୍ତ ଅଛି l ଆପଣ ଲେଖିଲା ବେଳେ ନବୁଝି କିଛି ଲେଖିବେ ନାହିଁ"l ଉଭୟ ଉଭୟଙ୍କ ସର୍ତ୍ତ ମାନିନେଲେ l

ମହାଭାରତ ଲେଖା ଚାଲିଲା l ବେଦବ୍ୟାସ ଡାକି ଚାଲିଲେ ଏବଂ ଗଜାନନ ଲେଖି ଚାଲିଲେ l କିନ୍ତୁ ବ୍ୟାସ ମଝିରେ ମଝିରେ ଏପରି କଷ୍ଟ ଶ୍ଲୋକଟିଏ ଡାକିଦିଅନ୍ତି ଯେ ଗଣେଶଙ୍କୁ ତାହାର ଅର୍ଥ ବୁଝିବା ପାଇଁ କିଛି ସମୟ ଲାଗି ଯାଏ l ଏହି ସମୟରେ ବ୍ୟାସଦେବ ପର ଶ୍ଳୋକଗୁଡ଼ିକୁ ଚିନ୍ତା କରିନିଅନ୍ତି l ତେଣୁ ମହାଭାରତରେ ଏଭଳି କେତେକ ଶ୍ଳୋକ ରହିଛି ଯାହା ଅର୍ଥ ବାହାର କରିବା ଖୁବ କଠିନ l ଏହି ଶ୍ଳୋକ ଗୁଡ଼ିକୁ ଗ୍ରନ୍ଥଗ୍ରନ୍ଥି କୁହାଯାଏ l ଅର୍ଥାତ ଏସବୁ ଗ୍ରନ୍ଥର ଗଣ୍ଠି l 

ମହାଭାରତ ଲେଖା ସରିଯିବା ପରେ ବ୍ୟାସଦେବ ପୁତ୍ର ପରମ ଜ୍ଞାନୀ ଶୁକଦେବ ଗୋସ୍ୱାମୀଙ୍କୁ ଏହା ଜଣାଇଲେ l ଶୁକଦେବ ଏ ଶାସ୍ତ୍ରକୁ ଗନ୍ଧର୍ବମାନଙ୍କୁ ଶୁଣାଇଲେ l ମନୁଷ୍ୟ ମାନଙ୍କ ମଧ୍ୟରେ ଏ ଗ୍ରନ୍ଥର ପ୍ରଚାର ପାଇଁ ମହର୍ଷି ବ୍ୟାସ ତାଙ୍କର ପ୍ରଧାନ ଶିଷ୍ୟ  ଶ୍ରୀବୈଶମ୍ପାୟନଙ୍କୁ ଏହା ଶୁଣାଇ କହିଲେ,"ତୁମେ ଯାଇ ମହାରାଜ ଜନ୍ମେଜୟଙ୍କ ସର୍ପଯଜ୍ଞ ସ୍ଥଳୀରେ ଏହାର ପ୍ରଚାର କର "l 

ମହର୍ଷି ବୈଶମ୍ପାୟନ ପରିକ୍ଷୀତଙ୍କ ପୁତ୍ର ମହାରାଜ ଜନ୍ମେଜୟଙ୍କ ସର୍ପଯଜ୍ଞ ସ୍ଥଳୀରେ ପହଞ୍ଚି ତାଙ୍କୁ ଏ ପବିତ୍ର କଥା ଶୁଣାଇଲେ l ସେତେ ବେଳେ ସେଠି ଉପସ୍ଥିତ ଥାନ୍ତି ଉପଶ୍ରବା ନାମରେ ଜଣେ ବିଦ୍ୱାନ ଋଷି l ସେ ମହାଭାରତ ଶୁଣି ତାଙ୍କର ଅସାଧାରଣ ସ୍ମୃତିଶକ୍ତି ବଳରେ ଏହାକୁ ମନେ ରଖିପାରିଥିଲେ l ଋଷି ଉପଶ୍ରବା ସାରଥୀକୂଳର ଥିବାରୁ ତାଙ୍କୁ ସୂତ ବା ସୌତି ବୋଲି କୁହାଯାଉ ଥିଲା l

ସୂତ ଭାରତ ବର୍ଷର ବହୁ ତୀର୍ଥ ପରିଭ୍ରମଣ ସାରି ଯାଇ ନୈମିଷାରଣ୍ୟରେ ପହଞ୍ଚି ଶୌନକ ଋଷିଙ୍କ ଅଧ୍ୟକ୍ଷତାରେ ଏକ ମହା ଯଜ୍ଞ କଲେ l ସେଠାରେ ଉପସ୍ଥିତ ଋଷି ମାନେ, ସୂତ ମୁନିଙ୍କ ମୁଖରୁ କିଛି ଆଖ୍ୟାୟିକା ଶୁଣିବାକୁ ଆଗ୍ରହ ପ୍ରକାଶ କରିବାରୁ ସୂତ ତାହାଙ୍କୁ ମହାଭାରତ ଶୁଣାଇଲେ l ସୁତଙ୍କ କୁହା ଯାଇଥିବା ମହାଭାରତହିଁ ଆମ୍ଭେ ବର୍ତ୍ତମାନ ଦେଖିବାକୁ ପାଉଛନ୍ତି l 

ମହାଭାରତ ମୁଖ୍ୟଭାବେ କୁରୁପାଣ୍ଡଵଙ୍କ ବିଷୟକ ଲେଖା ହୋଇଥିଲେହେଁ ଏହା ବହୁ ଉପାଖ୍ୟାନ ଓ ଆଖ୍ୟାୟିକାରେ ପରିପୂର୍ଣ୍ଣ ଯେଉଁଥିରୁ ବହୁତ କିଛି ଶିଖିବାକୁ ମିଳି ଥାଏ l ଗ୍ରନ୍ଥ ମାନଙ୍କ ମଧ୍ୟରେ ମହା ଗ୍ରନ୍ଥ ମହାଭାରତର କୌଣସି ତୁଳନା ନାହିଁ l ଏଣୁ କୁହାଯାଇଛି :-

   ଧର୍ମେ ଚାର୍ଥେ ଚ କାମେ ଚ 

         ମୋକ୍ଷେ ଚ ଭରତର୍ଷବ l

   ଯଦି ହାସ୍ତି ତଦନ୍ୟତ୍ର 

         ଯନ୍ନେହାସ୍ତି ନ କୁତ୍ରଚିତ ll

ସରଳ ଭାବରେ ଏହାର ଅର୍ଥ ହେଲା, ଯାହା ନାହିଁ ଭାରତେ, ତାହା ନାହିଁ ମରତେ l

ମହାଭାରତ ଲେଖାସରିଗଲା, ଦିନେ ବ୍ୟାସଦେବ ଗଣେଶଙ୍କୁ କହିଲେ,ହେ ହେରମ୍ୱ, ଆପଣ ବିଶାଳ ମହାଭାରତ ଗ୍ରନ୍ଥ ନିର୍ବିକାର ଚିତ୍ତରେ ଲେଖିଗଲେ କାହିଁ କିଛି କହିଲେନାହିଁ ତ ! ଗଜାନନ ହସି ହସି କହିଲେ ମୁଁ ବାକ୍ ସଂଯମୀ, ମୁଁ ବୃଥା ବାକ୍ୟାଳାପ କରେନାହିଁ, ଆପଣ କ'ଣ ମୋ କାର୍ଯ୍ୟରେ ସନ୍ତୁଷ୍ଟ ନୁହଁନ୍ତି କି? ବେଦ ବ୍ୟାସଙ୍କ ନିକଟରେ ଆଉ କିଛି ଉତ୍ତର ନଥିଲା l ଶ୍ରୀଗଣେଶଙ୍କ ଦୀର୍ଘ କାନ, କ୍ଷୁଦ୍ର ଚକ୍ଷୁ ଓ ପ୍ରଶାନ୍ତ ମୁଖ ମଣ୍ଡଳ ସୂଚନା ଦିଏ, ସମସ୍ତ କଥା କାନ ଖୋଲି ଶୁଣ,ଧ୍ୟାନ ପୂର୍ବକ ମନନ କର ଓ ବୃଥା ବାକ୍ୟାଳାପ ବର୍ଜନ କର l


Rate this content
Log in