LALIT MOHAN DASH

Abstract Classics Inspirational

4.4  

LALIT MOHAN DASH

Abstract Classics Inspirational

ଶେଷ ଟ୍ରେନ

ଶେଷ ଟ୍ରେନ

3 mins
293



ଉଦୟପୁର ରେଳ ଷ୍ଟେସନ । ଯୁବକଟି ଅଧମରା ହୋଇଯାଇଥାଏ ଭିଡ଼ ଭିତରେ। ପୋଲିସ ସହିତ ଲୋକମାନେ ମଧ୍ୟ ଆକ୍ରମଣ କରିଚାଲିଛନ୍ତି ସେଇ ଯୁବକଟିକୁ ।


-ସାର ! "ବିଶ୍ୱାସ କରନ୍ତୁ, ମୋ ନାଁ ଈଶ୍ୱର। ହିନ୍ଦୁସ୍ଥାନ ଜିଙ୍କ କମ୍ପାନୀରେ ଚାକିରୀ ପାଇଁ ପରୀକ୍ଷା ଥିଲା। ମୁଁ ହାଇଦ୍ରାବାଦରୁ ଆସିଛି ସାର୍। ପରୀକ୍ଷା ସରିବା ପରେ ମୁଁ ଷ୍ଟେସନ ଆସିଥିଲି। ବିଶ୍ରାମ ଗୃହରୁ ବ୍ୟାଗ ଚୋରି ହୋଇଗଲା। ମୋବାଇଲ,ଟିକେଟ,ପର୍ସ ବ୍ୟାଗ ଭିତରେ ଥିଲା। ଟ୍ରେନ ଆସିଗଲା। କିଛି ଉପାୟ ନ ଥିଲା ମୋ ପାଖରେ। ଉଠିଗଲି ଟ୍ରେନ ଭିତରକୁ। ମୁଁ ଆତଙ୍କବାଦୀ ନୁହଁ ସାର, ମୋତେ ଛାଡିଦିଅନ୍ତୁ।"

 

ହାଇଦ୍ରାବାଦକୁ ଫୋନ୍ ଲଗେଇଲେ ସେମାନେ। ତା ମାଆ ସାଥିରେ କଥା ହେବା ପରେ ପୋଲିସ ଟିକିଏ ନରମ ପଡିଲେ। ଅତି ନିର୍ମମ ଅତ୍ୟାଚାର ହୋଇ ସାରିଥିଲା ସେତେ ବେଳକୁ। ଓଠ ଫାଟି ରକ୍ତ ଝରୁଥାଏ। ମିଡିଆ ଵାଲା ଯେ ଯାହାର କ୍ୟାମେରା ନେଇ ଚୁପ ଚାପ ଫେରିଗଲେ। କହିଲେ "ଏଇଠି କିଛି ମସଲା ନାହିଁ।"


ଉପାୟହୀନ ଭାବେ ଘୁରି ବୁଲିଲା ଷ୍ଟେସନ ଭିତରେ । ହିନ୍ଦୀ ଜାଣିନି। ତେଲୁଗୁ ଓ ଇଂଲିଶରେ କିଛି କହିବା ପାଇଁ ଚାହୁଁଥିଲା ସେ। ପାଗଳ ଭାବି କେହି ଶୁଣୁ ନ ଥିଲେ ତା କଥା। ଷ୍ଟେସନ ମାଷ୍ଟରଙ୍କୁ ନିଜ ଦୁଃଖ କଥା କହି ଟିକେଟ ପାଇଁ କିଛି ପଇସା ମାଗିଲା।

-ଷ୍ଟେସନ ମାଷ୍ଟର ଚୁପ ରହିଲେ, କିଛି କହିଲେନି ।

କେହି ଜଣେ ସାହାଯ୍ୟ କଲେନି । ଯିଏ ଭାଷା ବୁଝିଲାନି,ପାଗଳ ଭାବିଲା। ଯିଏ ବୁଝିଲା, ନ ବୁଝିବାର ଅଭିନୟ କଲା। 

ପୂରା ଦିନଟି ଷ୍ଟେସନ ରେ ବସିରହିଲା ସେ। 

ସୂର୍ଯ୍ୟ ଅସ୍ତଗାମୀ ପ୍ରାୟ ପଶ୍ଚିମ ଆକାଶରେ। ଆଜମିର ହାଇଦ୍ରାବାଦ ଟ୍ରେନ ଅଟକିଲା ଷ୍ଟେସନରେ। ସେଦିନର ଦ୍ୱିତୀୟ ଟ୍ରେନ ହାଇଦ୍ରାବାଦ ପାଇଁ। ବିନା ଟିକେଟରେ ଉଠିବା ପାଇଁ ଆଉଥରେ ଦୁଃସାହାସ କଲାନି । ଟ୍ରେନ ଷ୍ଟେସନ ଛାଡି ଚାଲିଗଲା। 


ଶେଷ ଟ୍ରେନ ରାତି ନ'ଟାରେ। ଜୟପୁର ହାଇଦ୍ରାବାଦ। ଏକା ଏକା ବସିଥାଏ ବେଞ୍ଚ ଉପରେ। କଣ କରିବ, କିଛି ବି ଉପାୟ ନାହିଁ। ପଇସା ନାହିଁ , କିଛି ଖାଇନି ସେ ସକାଳଠୁ। 

ଷ୍ଟେସନର ଝାପ୍ସା ଆଲୁଅ, ମାନବିକତାର ସନ୍ଧାନରେ ଘୁରି ବୁଲୁଥିଲା ଈଶ୍ୱର ପ୍ଲାଟଫର୍ମ ଉପରେ। ଈଶ୍ୱର ଅନେକ ଆଶାବାଦୀ। ଜଣେ ମ୍ୟାଡାମଙ୍କୁ ନିଜ ସମସ୍ୟା କହୁ କହୁ ମ୍ୟାଡାମ ଚିତ୍କାର କରି କହିଲେ , ପୋଲିସକୁ ଡାକିବି !


ଚୁପ କରି ପୁଣିଥରେ ବସିଲା ଯାଇ ସେଇ ବେଞ୍ଚରେ।

ସକାଳଠୁ ସବୁ ଘଟଣା ଦେଖିଛି କୁଲିଟିଏ, ଷ୍ଟେସନରେ କାମ କରୁ କରୁ ସବୁ ଦେଖିଛି ସେ ଅତି ପାଖରୁ, ଟୋକାଟା ଦିନ ସାରା କହଦହ ହେଉଛି। ରାତି ଆଠଟା, ପେଟେ ଶରାବ ପିଇ ବସିଥାଏ ତା ପଲିଥିନ ଉପରେ। ସେଇଟା ହିଁ ତାର ସାମ୍ରାଜ୍ୟ, ସେଇଠି ଶୋଏ। ମ୍ୟାଡାମଙ୍କ ଚିତ୍କାର ଶୁଣିଲା, ଈଶ୍ୱର ପାଖକୁ ଆସି ହାତ ଠାରି କିଛି ପଚାରିବା ପାଇଁ ଚେଷ୍ଟା କଲା ସେ। କ୍ୟା ହୁଆ ହେ ?

- ନୋ ଟିକେଟ, ନୋ ମନି, .....ହାଇଦ୍ରାବାଦ

- ଓଃ ପଇସା ଚାଇଏ ଥା..!!!

- ୟେସ

ମାଇକ ରୁ ଆବାଜ ଆସୁଥିଲା, ହାଇଦ୍ରାବାଦ ଜାନେ ବାଲି ଟ୍ରେନ ଦୋ ନମ୍ବର ପ୍ଲାଟଫର୍ମ ପର ଆ ରହି ହେ...

-କିତନା ଚାଇଏ ?

-୩୫୦/

ପର୍ସ ଭିତରେ ଦଶ, କୋଡିଏ ମିଶାଇ ତିନି ଶହ ହିଁ ଥିଲା, କୁଲିର ମୁଣ୍ଡ କାମ କଲାନି। ସାହାଯ୍ୟ କରିବାର ଅନେକ ଇଛା ବସା ବାନ୍ଧିଥିଲା ତା ମନ ଭିତରେ। ସବୁ ପକେଟ ଭିତରେ ହାତ ପୁରେଇଲା, ମୋଡା କୁଂଚା ଅବସ୍ଥାରେ ଶହେ ଟଙ୍କା ପାଇଲା ପିନ୍ଧିଥିବା ବରମୁଡାର ଆଣ୍ଠୁ ତଳ ପକେଟରୁ। ଥମେଇ ଦେଲା ଈଶ୍ୱର ହାତରେ, ଈଶ୍ୱର ଦୌଡ଼ିଲା ଟିକେଟ କାଉଣ୍ଟରକୁ । ଟିକେଟ ନେଇ ଆସି ବଳକା ପଚାଶ ଟଙ୍କା ଫେରେଇ ଦେଲା ସେ କୁଲିକୁ, 

- ଥ୍ୟାଙ୍କ ଇଉ ଅଙ୍କଲ !

ଟ୍ରେନ ଛାଡିବ, ଛାଡିବ ହେଉଥାଏ। ଦୌଡିଯାଇ ପଶିଗଲା ଟ୍ରେନ ଭିତରକୁ, ଝରକା ଦେଇ ଅତିଖୁସିରେ bye କରୁ କରୁ, କୁଲି ତା ହାତରେ ଅବଶିଷ୍ଟ ପଚାଶ ଟଙ୍କା ଗେଂଜି ଦେଇ କହିଲା, ଭୋକ ଲଗେଗା, ପାଣି , ବ୍ରେଡ଼ ଖରିଦ୍ ଲେନା...


ଟ୍ରେନ ଛାଡି ସାରିଥାଏ।

କୁଲି ଅଙ୍କଲ ସମ୍ପୂର୍ଣ୍ଣ ଅଦୃଶ୍ୟ ହେବା ପର୍ଯ୍ୟନ୍ତ ହାତ ହଲେଇ ଚାଲିଥାଏ ଈଶ୍ୱର, ଆମାନିଆ ଲୁହ ଦୁଇଟୋପା କେତେବେଳୁ ଓଠକୁ ଭିଜେଇ ସାରିଲାଣି...ସେ ଜାଣି ପାରିନଥିଲା । ଶେଷ ଟ୍ରେନରେ ସେ ଏକା ନ ଥିଲା । ମନ ଭିତରେ, ଅଦ୍ଭୁତ ଜଣେ ମଣିଷ ପରି ମଣିଷକୁ ନେଇ ଆସିଥିଲା ନିଜ ଗାଁ ହାଇଦ୍ରାବାଦ ପର୍ଯ୍ୟନ୍ତ। ମାଆକୁ ଭେଟିଦେବ, ମାଆକୁ କହିବ ସେ ଅନେକ କଥା ତା ବାବଦରେ, ଅନେକ ପ୍ରଶଂସା କରିବ ସେ ମା ପାଖରେ। ନିଜେ ଈଶ୍ୱର ହୋଇ ବି ଆଉଜଣେ ଈଶ୍ୱରଙ୍କୁ ଦେଖିଲା ସେ ଅତି ପାଖରୁ....ଭାବୁଥିଲା ସର୍ବସ୍ବ ସାରିଦେଇ ଅନ୍ୟକୁ ସାହାଯ୍ୟ କରିପାରୁଥିବା ମଣିଷ ଓ ଅନ୍ୟ ମାନଙ୍କ ଭିତରେ ଅତିକମରେ ଦୂରତା କେତେ, ଯଦି ଚାକିରୀଟା ହୋଇଯାଏ , ଉଦୟପୁର ଆସିବ ଓ କୁଲି ଅଂକଲକୁ ପଇସା ଫେରେଇଦେଵ...।





Rate this content
Log in

Similar oriya story from Abstract