LALIT MOHAN DASH

Abstract Classics Inspirational

3  

LALIT MOHAN DASH

Abstract Classics Inspirational

ଅଗ୍ନି ଯେସନେ ସର୍ଵ ଖାଇ

ଅଗ୍ନି ଯେସନେ ସର୍ଵ ଖାଇ

3 mins
150


ଭାରତୀୟ ଦର୍ଶନରେ ଅନ୍ୟତମ ବ୍ରହ୍ମର୍ଷି ହେଉଛନ୍ତି ଭୃଗୁ ସଂହିତାର ପ୍ରଣୟିତା ମହର୍ଷି ଭୃଗୁ l ତାଙ୍କଠାରୁ ବିସ୍ତାରଲାଭ କରିଥିବା ବଂଶଜଙ୍କୁ ଭାର୍ଗବ ନାମରେ ଅଭିହିତ କରା ଯାଏ l ମହର୍ଷି ଭୃଗୁ, ବ୍ରହ୍ମାଙ୍କ ବରୁଣ ଯଜ୍ଞରୁ ଜାତ, ବ୍ରହ୍ମାଙ୍କର ମାନସ ପୁତ୍ର l ତାଙ୍କର ତିନି ପତ୍ନୀ ଥିଲେ ଖ୍ୟାତି, କାବ୍ୟମାତା, ପୁଲୋମା l ପତ୍ନୀ ଖ୍ୟାତିଙ୍କ ଗର୍ଭରୁ ଜନ୍ମ ହୋଇଥିଲେ ଦୁଇ ପୁତ୍ର ଧାତା ବିଧାତା ଓ କନ୍ୟା ଭାର୍ଗବୀ l କାବ୍ୟମାତାଙ୍କ ଗର୍ଭରୁ ଜନ୍ମ ହୋଇଥିଲେ, ଦୈତ୍ୟଗୁରୁ ଶୁକ୍ରାଚାର୍ଯ୍ୟ l ତାଙ୍କ ପତ୍ନୀ ପୁଲୋମାଙ୍କଠାରୁ ଜନ୍ମି ଥିଲେ ଋଷି ଚ୍ୟବନ l ପୁରାଣପୃଷ୍ଠାରୁ ସେହି ମହର୍ଷି ଭୃଗୁଙ୍କ କଥା l

ଭୃଗୁଙ୍କ ପତ୍ନୀ ପୁଲୋମା ଛୋଟ ଥାନ୍ତି l ଦିନେ ଖେଳୁ ଖେଳୁ ସେ ଅଝଟହୋଇ କାନ୍ଦିବାକୁଲାଗିଲେ l ପିତା କଶ୍ୟପ ତାଙ୍କୁ ଡରାଇବାପାଇଁ କହିଲେ,ରେ ରାକ୍ଷସ ତୁ ଆସି ପୁଲୋମାକୁ ନେଇ ଯାଆ l ଯୋଗକୁ ସେହି ସମୟରେ ପୁଲୋମା ନାମକ ଏକ ଅସୁର ସେଠାରେ ଲୁଚିକରି ବସିଥିଲା l ମହର୍ଷିଙ୍କ କଥା ଶୁଣି ସେ ମନେ ମନେ ପୁଲୋମାଙ୍କୁ ଗ୍ରହଣ କଲା l ପୁଲୋମା ବିବାହ ବୟସରେ ଉପନୀତହେବାରୁ ମହର୍ଷି ଭୃଗୁଙ୍କ ସହିତ ତାଙ୍କର ବିବାହ ହେଲା l ଉତ୍ତମ ପତ୍ନୀଭାବେ ମହର୍ଷି ଭୃଗୁଙ୍କ ସେବାରେ ତାଙ୍କର ବୈବାହିକ ଜୀବନ ଖୁବ୍ ଆନନ୍ଦରେ କଟିବାକୁ ଲାଗିଲା ଓ କିଛି କାଳ ପରେ ସେ ଗର୍ଭବତୀ ହେଲେ l

ଦିନେ ମହର୍ଷି ସ୍ନାନପାଇଁ ଯାଇଥାନ୍ତି ଏହି ସମୟରେ ଅସୁର ପୁଲୋମା ଆସି ତାଙ୍କ ଆଶ୍ରମରେ ପହଞ୍ଚିଲା l ତାଙ୍କୁ ଜଣେ ଅତିଥି ମନେକରି ଭୃଗୁପତ୍ନୀ ପୂଲୋମା ତା'ର ଅଭ୍ୟର୍ଥନା ପାଇଁ ଆଗେଇ ଆସିଲେ l ଅସୁର ତାଙ୍କୁ କହିଲା,ମୁଁ ତୁମକୁ ଆଗରୁ ଗ୍ରହଣ କରିସାରିଛି ଓ ତୁମେ ମୋର ପତ୍ନୀ l ଏହାକହି ସେ ପୁଲୋମାଙ୍କୁ ଅପହରଣ କରିନେବାକୁ ଉଦ୍ୟତହେଲା l ପୁଲୋମା ଖୁବ୍ ଡରି ଗଲେ ଏବଂ ଅସୁରକୁ ବିରୋଧ କରିବାକୁ ଲାଗିଲେ l ସେ ଯେ ଅସୁର ଭାର୍ଯ୍ୟା ଏହା ବୁଝାଇବା ପାଇଁ ପୁଲୋମା ଭୃଗୁଙ୍କ ଯଜ୍ଞକୁଣ୍ଡରେ ପ୍ରଜ୍ବଳିତ ଥିବା ଅଗ୍ନିଙ୍କୁ ସାକ୍ଷୀକରି ପଚାରିଲା,ହେ ଦେବତାଙ୍କ ମୁଖ ! ହେ ହୁତାଶନ ! ଆପଣ ସତ୍ୟକୁହନ୍ତୁ ପୁଲୋମା ମୋ ପତ୍ନୀ ନୁହଁନ୍ତି କି? ମହର୍ଷି ଭୃଗୁ ପୁଲୋମାଙ୍କୁ ଅନ୍ୟାୟ ଭାବେ ଗ୍ରହଣ କରି ନାହାଁନ୍ତି କି ? 

ଅଗ୍ନିଦେଵ ଉତ୍ତର ଦେଲେ,ଏହା ସତ୍ୟ ଯେ, ଅସୁର ପଲୋମାଙ୍କୁ ପତ୍ନୀଭାବେ ଗ୍ରହଣକରିଛି l ମାତ୍ର ନିଜ ଇଚ୍ଛାରେ ସେ ଏହା କରିଛି l ଧର୍ମତଃ, ଏହା ସ୍ଵୀକୃତି ପ୍ରାପ୍ତ ନୁହେଁ l କିନ୍ତୁ ଅଗ୍ନୀଙ୍କୁ ସାକ୍ଷୀରଖି ସେ ଭୃଗୁଙ୍କୁ ବିବାହ କରିଛନ୍ତି l ତେଣୁ ସେ ମହର୍ଷି ଭୃଗୁଙ୍କ ପତ୍ନୀ ଭାବେ ସ୍ଵୀକୃତ l ଏହାହିଁ ସତ୍ୟ l

ଅଗ୍ନିଙ୍କ ସାକ୍ଷସତ୍ତ୍ୱେ ମଧ୍ୟ ରାକ୍ଷସ କିଛି ନଶୁଣି ତାଙ୍କୁ ବଳ ପୂର୍ବକ ହରଣ କରି ନେଲା l ଯଥା ସମୟରେ ପୁଲୋମାଙ୍କ ଗର୍ଭରୁ ଏକ ତେଜସ୍ଵୀ ସନ୍ତାନ ଭୂମିଷ୍ଠ ହେଲା l ସେହି ଶିଶୁର ତେଜରେ ରାକ୍ଷସ ପୁଲୋମା ଭସ୍ମହୋଇଗଲା l ଜନ୍ମିତ ଶିଶୁଙ୍କୁ ଦେବୀ ପୁଲୋମା ଧରି କାନ୍ଦିକାନ୍ଦି ଯାଇ ବ୍ରହ୍ମାଙ୍କ ପାଖରେ ପହଞ୍ଚିଲେ l ବ୍ରହ୍ମା ପୁଲୋମାଙ୍କ ଦୁଃଖବୃତ୍ତାନ୍ତ ଶୁଣି ତାଙ୍କୁ ସାନ୍ତ୍ଵନା ଦେଲେ ଏବଂ ଶିଶୁଟିର ନାମ ରଖିଲେ ଚ୍ୟବନ ଯିଏ ଜଣେ ମହାନ୍ ସିଦ୍ଧ ସାଧକ ଭାବେ, ଆର୍ଯ୍ୟାବର୍ତ୍ତରେ ପରେ ପ୍ରସିଦ୍ଧ ହେଲେ l ମହର୍ଷି ଚ୍ୟବନ, ମହୌଷଧି ଚ୍ୟବନପ୍ରାସର ସ୍ରଷ୍ଟା l ପୁଲୋମା କାନ୍ଦୁଥିବା ବେଳେ ତାଙ୍କ ଅଶ୍ରୁ ଧାରା ଏକ ନଦୀ ହୋଇ ଭ୍ରୁଗୁଙ୍କ ଆଶ୍ରମ ନିକଟ ଦେଇ ବହିଗଲା l ବ୍ରହ୍ମା ସେହି ନଦୀର ନାମ ରଖିଲେ ବଧୂସରା l

ପୁଲୋମା ପୁତ୍ର ଚ୍ୟବନଙ୍କୁ ଧରି ଭ୍ରୁଗୁଆଶ୍ରକୁ ଫେରି ଆସିଲେ l ମହର୍ଷି ଭୃଗୁ, ପତ୍ନୀ ପୁଲୋମା ଓ ପୁତ୍ରଙ୍କୁ ଦେଖି ଆନନ୍ଦିତହେଲେ l ପୁଲୋମାଙ୍କ ଠାରୁ ମହର୍ଷି ସବୁ ପୂର୍ବକଥା ଶ୍ରବଣ କରି ଅଗ୍ନିଦେବ ପୁଲୋମାଙ୍କୁ ଯଥୋଚିତ ସହାୟତା ପ୍ରଦାନ ନ କରିଥିବାରୁ ତାଙ୍କୁ ଅଭିଶାପ ଦେଲେ ତୁମେ ସର୍ଵଭକ୍ଷ ହୋଇଯାଅ l

ବିନା ଦୋଷରେ ଅଭିଶପ୍ତ ଅଗ୍ନି ପିତାମହଙ୍କ ପାଖକୁ ଯାଇ ଅଭିଯୋଗ କଲେ l ବ୍ରହ୍ମା ଅଗ୍ନିଙ୍କୁ ଆଶୀର୍ବାଦ ଦେଇ କହିଲେ, ସର୍ଵଭକ୍ଷ ହେଲେ ମଧ୍ୟ ତୁମର ସବୁ ଅପବିତ୍ରକୁ, ପବିତ୍ର କରି ପାରିବାର କ୍ଷମତା ରହିବ l ତତ୍ ସହ ତୁମେ ସର୍ବଦା ପବିତ୍ର ରହିବ l ସେହିଦିନ ଠାରୁ ଅଗ୍ନି ହେଲେ, ସର୍ବଭକ୍ଷ ହୁତାଶନ ଓ ଧାରଣ କଲେ, ସମସ୍ତଙ୍କୁ ପବିତ୍ର କରିବାର କ୍ଷମତା l ତେଣୁ ଶ୍ରୀମଦ୍ଭାଗବତ ଅବଧୂତଙ୍କ ଚବିଶଗୁରୁ ପ୍ରସଙ୍ଗରେ କହିଲେ:-

      ଅଗ୍ନି ଯେସନେ ସର୍ବ ଖାଇ l

      ବିଚାରେ ଗୁଣ ଦୋଷ ନାହିଁ ll

       



Rate this content
Log in

Similar oriya story from Abstract