LALIT MOHAN DASH

Abstract Classics Inspirational

4  

LALIT MOHAN DASH

Abstract Classics Inspirational

ପ୍ରେମିକ ଆଖିରେ ଲୁହ

ପ୍ରେମିକ ଆଖିରେ ଲୁହ

5 mins
18



ପ୍ରବୀର । ପ୍ରେମିକ ପ୍ରବର ନୁହଁନ୍ତି । ପ୍ରବୀର ମହାନ୍ତି । ଗାଁ' ମାଟିକୁ ଅତ୍ୟଧିକ ଭଲ ପାଉଥିବା ମଣିଷଟିଏ । ବୟସ ଷାଠିଏ ଛୁଇଁବାକୁ ବସିଲାଣି । ମାସ କେଇଟା ପରେ ସରକାରୀ ଚାକିରୀ ସରିଯିବ । ଅବସର ପରେ ଗାଁ'କୁ ଫେରିବେ । ଚିହ୍ନା ପରିଚିତ ଆପଣାର ଲୋକ ମାନଙ୍କ ଗହଣରେ ଅବଶିଷ୍ଟ ଜୀବନଟା ଖୁସିରେ କାଟିବେ । ଗାଁ ରାମନାମୀ, ଘୋଡାନଚ, ଅଷ୍ଟପ୍ରହରୀ, ରଜ, ଦୋଳରେ ସମୟ ଖୁସିରେ ସରିଯିବ । ଏମିତି ଅନେକ ସ୍ୱପ୍ନରେ ମାଳା ଗୁନ୍ଥି ସ୍ୱପ୍ନର ଗଜରା ତିଆରି କରିଥିବା ପ୍ରବୀର ଆଜି ଲୁଚି ଲୁଚି କାନ୍ଦୁଛନ୍ତି । ଯଦିଓ ଆଖିର ଲୁହ ଉପରକୁ ଦେଖା ଯାଉନାହିଁ, ଛାତିଟା କିନ୍ତୁ ଭିତରେ ଭିତରେ ଫାଟି ଯାଉଛି । ନିଜକୁ ନିଜେ ଗୋଟାଏ ଘରଭିତରେ ବନ୍ଦ୍ କରିଦେଇଛନ୍ତି ପ୍ରବୀର ।

 

ସମୟ ଅପରାହ୍ନ ସାଢେ଼ ଚାରିଟା ହେଇଯାଇଥାଏ । ଅଫିସିଆଲ୍ ମିଟିଙ୍ଗକୁ ଯେନତେନ ପ୍ରକାରରେ ସମାପ୍ତ କରି ପ୍ରବୀର ନିଜ କ୍ୱାର୍ଟରକୁ ତର ତର ହେଇ ବାହାରି ପଡିଲେ । ଜୟପୁର ସହର ଠାରୁ ପଚିଶ କିଲୋମିଟର ତାଙ୍କ କ୍ୱାର୍ଟର । ସଂଧ୍ୟା ଛ'ଟାରେ କଟକ ପାଇଁ ବସ୍ ଧରିବାକୁ ପଡିବ ପ୍ରବୀରଙ୍କୁ । ହାତରେ ମାତ୍ର ଦେଢ ଘଣ୍ଟା । ବାଧ୍ୟହୋଇ ଫୋନ୍ କଲେ ବନ୍ଧୁ ମନ୍ମଥଙ୍କୁ । ଏକା ଅଫିସରେ ସହକାରୀ ଇଂଜିନିୟର ଭାବରେ କାମ କରନ୍ତି ମନ୍ମଥ ସୁନ୍ଦରରାୟ । ପ୍ରବୀର ଅନୁରୋଧ କଲେ ମୋଟର ସାଇକେଲରେ ଛାଡ଼ିଦେବାକୁ । ପ୍ରବୀରଙ୍କ କଥାକୁ କେବେବି ଟାଳନ୍ତି ନାହିଁ ମନ୍ମଥ । ନିଜ ମୋଟର ସାଇକେଲରେ ପ୍ରବୀରଙ୍କୁ ଧରି ବାହାରିଲେ ମନ୍ମଥ । 


ପ୍ରବୀରଙ୍କୁ କାଲି ଯେମିତି ହେଲେ ନିଜ ଗାଁ' ନାଗବାଲିରେ ପହଞ୍ଚିବାକୁ ପଡିବ । କାଲିଠାରୁ ଗାଆଁରେ ଅଷ୍ଟପ୍ରହରୀ ନାମଯଜ୍ଞ ଆରମ୍ଭ ହେବ । କାଲି ଅଧିବାସ । ପରଦିନ ମୂଖ୍ୟ କାର୍ଯ୍ୟକ୍ରମ । ତା' ପରଦିନ ନଗର କିର୍ତ୍ତନ । ଗାଁ ଗୋଟାକ ହୋ ହୋ କମ୍ପିବ । ଅନ୍ନ ମହୋତ୍ସବରେ ଫାଟି ପଡିବ ଅଷ୍ଟପ୍ରହରୀ ପଡିଆଟା । ଆଉ ଆଗକୁ ଭାବି ପାରୁନଥିଲେ ପ୍ରବୀର । ମନ ତାଙ୍କର ଖୁସିରେ ନାଚି ଉଠୁଥାଏ । ଠିକ୍ ସମୟରେ ମନ୍ମଥ ପହଞ୍ଚାଇଦେଲେ ପ୍ରବୀରଙ୍କୁ କ୍ୱାର୍ଟରରେ ଏବଂ ବିଳମ୍ବ ନକରି, ପ୍ରବୀର ଟିକିଏ ଫ୍ରେସ୍ ହେଇ ବାହାରି ପଡିଲେ ବସଷ୍ଟପ ଅଭିମୁଖେ କଟକବସ୍ ଧରିବାକୁ । ଆଗରୁ ଫୋନ୍ କରି ଟିକେଟ କରିଛନ୍ତି ସିଏ । ବନ୍ଧୁ ପ୍ରବୀରଙ୍କୁ ବସରେ ବସେଇ ବିଦାୟ ନେଲେ ମନ୍ମଥ ।


ବସ୍ ଚାଲୁଥାଏ ଆଗକୁ ଆଗକୁ । କଟକ ଅଭିମୁଖେ । ପ୍ରବୀର ଭାବନା ରାଜ୍ୟରେ ବିଚରଣ କରି ଚାଲୁଥାନ୍ତି ପଛକୁ ପଛକୁ । ଏମିତି ଭାବନା ରାଇଜରେ ବୁଲି ବୁଲି ପ୍ରବୀର ଚାଲିଗଲେ ବହୁତ ପଛକୁ । ପ୍ରାୟ କୋଡିଏ ବର୍ଷ ତଳକୁ । 


"ବିଭିନ୍ନ କାରଣରୁ ନାଗବାଲିର ଶାନ୍ତି ପ୍ରିୟ ଗ୍ରାମବାସୀଙ୍କ ମନରେ ନଥାଏ ସରସତା ଓ ଜୀବନ ଜିଇଁବା ପାଇଁ ପୂର୍ବର ସେଇ ଭାଇଚାରା ପଣିଆ । କିଏ ମଲା, କିଏ ଗଲା, ସେଥିକୁ କାହାର ନଜର ନଥାଏ । 'ଆପେ ବଞ୍ଚିଲେ ବାପାର ନାଆଁ' ନ୍ୟାୟରେ ଯେଝା ବାଟରେ ଯିଏ ଥା'ନ୍ତି । ନା ପାଳନ ହେଉଥିଲା ସାମୁହିକ ଉତ୍ସବ ନା ସାମାଜିକ କାର୍ଯ୍ୟକ୍ରମ । ରାମାୟଣର ଛାନ୍ଦେ ଛାନ୍ଦେ, ଝାଞ୍ଜ ଖୋଳର ତାଳେ ତାଳେ ନାଚୁ ନଥିଲା ନାଗବାଲିଆଙ୍କ ଗୋଡ ଏବଂ ଶୁଣା ଯାଉନଥିଲା ରଜ ସମୟରେ ଗାଁ ଦାଣ୍ଡରେ ବାଗୁଡି ଖେଳର ହୋ-ହାଲ୍ଲା । ସମସ୍ତେ ଯେମିତି ପାଲଟି ଯାଇଛନ୍ତି ଟଙ୍କା ରୋଜଗାର କରିବାର ମେସିନ୍ । ସମ୍ପର୍କ କେମିତି ପାଣିଚିଆ ପାଣିଚିଆ ହେଇ ଯାଇଥିଲା ନାଗବାଲିରେ ।


ପ୍ରବୀର ଏବଂ ସମ ମନୋଭାବାପନ୍ନ କିଛି ଯୁବକଙ୍କୁ ଭାରି ବାଧୁଥିଲା ଏସବୁ । ସେହି ଉତ୍ସାହି ଯୁବକମାନେ କିିଛି କରିବାର ପଣ ନେଇ, ସରକାରୀ ଜାଗାରେ ଫୁଲଗଛ ଲଗେଇଲେ । ଫୁଲ ଫୁଟିଲା । ଫୁଲର ମାୟାରେ ବାନ୍ଧି ହେଇଗଲେ ଆଉକିଛି ଯୁବକ ଗାଁ'ର । ରାସ୍ତାରେ ଯାଉଥିବା ଲୋକ ଠିଆ ହେଇ ଘଡିଏ ଅନାନ୍ତି ଫୁଲବଗିଚାକୁ । ଧିରେ ଧିରେ ଫୁଲର ରଙ୍ଗ ଆଉ ବାସ୍ନାରେ ଏକାଠି ବାନ୍ଧିହେଇଯାନ୍ତି ନାଗବାଲିଆ । ପ୍ରବୀର ମଧ୍ୟ ବାନ୍ଧିହେଇ ପଡନ୍ତି ଗାଁ' ମାଟିର ପ୍ରେମ ଫାଶରେ । 


ଲୋକମାନେ ଏକାଠି ବସିଲେ । ଜନ୍ମ ନେଲା ଗାଁରେ ପୁନର୍ବାର ଅଷ୍ଟପ୍ରହରୀ କରିବାର ଚିନ୍ତାଧାରା, ଯାହା ଦୀର୍ଘବର୍ଷ ହେବ ବନ୍ଦ ହେଇ ଯାଇଥିଲା । ଅଷ୍ଟପ୍ରହରୀ ପୁନର୍ବାର ଆରମ୍ଭ ହେଲା ଏବଂ ପ୍ରତିବର୍ଷ ବଡ ଯାକଜମକରେ ଆଗକୁ ବଢ଼ିବାକୁ ଲାଗିଲା । ନାଗବାଲିର ଅଷ୍ଟପ୍ରହରୀ ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ଏବଂ ପ୍ରବୀର ନାଗବାଲି ପ୍ରେମରେ ପୁରାପୁରି ମସଗୁଲ ।"


ବସ୍ ଚାଲୁଥାଏ କଟକ ଅଭିମୁଖେ । ବଢୁଥାଏ ପ୍ରଵୀରଙ୍କ ଦେହର ଉଷ୍ମତା ଏବଂ ମନର ତୀବ୍ରତା । ଏବର୍ଷ ତାଙ୍କର ଭୂମିକା କ'ଣ ରହିବ, ସିଏ କ'ଣ କ'ଣ କରିବେ, ଏମିତି ଭାବନା ତାଙ୍କର ଚିନ୍ତା ଓ ଚେତନାକୁ କବଳିତ କରି ରଖୁଥାଏ । ପରିଣତ ବୟସରେ ଗୋଡହାତ ଥକି ପଡୁଥିବା ସମୟରେ, ମନରେ ବଳ ଜୁଟାଉଛନ୍ତି ପ୍ରବୀର ହରେକୃଷ୍ଣ ହରେକୃଷ୍ଣ ଧୂନରେ ନାଚିବାକୁ । ନାଚି ନାଚି ଗାଁ ମାଟିରେ ନିଜକୁ ଲୁଟେଇ ଦେବାକୁ ଏବଂ ମାଟି ମା' କୋଳରେ କିଛି ସମୟ ଚିନ୍ତାମୁକ୍ତ ସମୟ କାଟିବାକୁ । ନିଜ ଛାତିର ସ୍ପନ୍ଦନ ତୀବ୍ର ହେବାର ଅନୁଭବ କରୁଥିଲେ ପ୍ରବୀର । ବସ୍ ଚାଲୁଥିଲା ଆଗକୁ, ଆହୁରି ଆଗକୁ । ଏମିତି ସବୁ ଅନାବନା ଭାବନା ଭିତରେ କେତେବେଳେ ଶୋଇ ପଡିଛନ୍ତି, ତାହା ଜାଣିପାରି ନାହାନ୍ତି ସିଏ ।


ଠିକ୍ ସମୟରେ ବସ୍ ପହଞ୍ଚିଲା । ପିଅନ ଆସିଥିଲା ନବାକୁ । କଟକରେ ରହୁଥିବା ଘରେ ପହଞ୍ଚି ସିଧା ଗାଧୁଆ ଘରକୁ ପଶିଗଲେ ପ୍ରବୀର । ନିତ୍ୟକର୍ମ ଶେଷ କରି ବାହାରିଲେ ପଦାକୁ । ସ୍ତ୍ରୀ ପ୍ରମୋଦିନୀଙ୍କ ହାତରୁ ଚା' କପେ ପିଇଦେଇ ତରତର ହେଲେ ଗାଁ'କୁ ଯିବାକୁ । ତାଙ୍କ ଆଖି ଆଗରେ ଭାସିଉଠୁଥିଲା ଅଷ୍ଟପ୍ରହରୀ ସମୟର ସାଜସଜ୍ଜା । 


ପ୍ରମୋଦିନୀ କହିଲେ, " ଏତେ ତରତର କ'ଣ ପାଇଁ ? ଗାଁ ପିଲାମାନେତ ଏଥର ଘରକୁ ଆଲୋଚନା କରିବାକୁ କି ନିମନ୍ତ୍ରଣ କରିବାକୁ ଆସି ନାହାନ୍ତି, ଶୁଖିଲାଟାରେ କାହିଁକି ତୁମେ ଏତେ ବ୍ୟସ୍ତ ହେଇପଡୁଛ ?"


ପ୍ରବୀର କହିଲେ, "ତୁମେ ବୁଝନ ପ୍ରମୋଦିନୀ । ମୁଁ ଆଉ ଆଗ ଭଳିଆ ସମୟ ଦେଇ ପାରୁନାହିଁ କି ସା‌ହାଯ୍ଯ କରିପାରୁ ନାହିଁ । ସେଇଥି ପାଇଁ ହୁଏତ ସେମାନେ ମୋ' ଉପରେ ଅଭିମାନ କରିଥାଇ ପାରନ୍ତି । ତା' ଛଡା ଏଇଟା କ'ଣ କାହା ପୁଅ କି ଝିଅ ବାହାଘର ହେଇଛିଯେ ସେମାନେ ନିମନ୍ତ୍ରଣ କରିବାକୁ ଆସିବେ । ଏମିତି କାମରେ ସମସ୍ତେ ନିଜ ତରଫରୁ ସାହାଯ୍ୟ ସହଯୋଗ କରିବା କଥା ।" ଏତିକି କହି ତରତର ହେଇ ସ୍କୁଟର ଧରି ଫାଟକ ବାହାରକୁ ବାହାରି ଗଲେ ପ୍ରବୀର ।


ପଛେ ପଛେ ହେଲମେଟ୍ ଧରି ପହଞ୍ଚିଗଲେ ପ୍ରମୋଦିନୀ । କହିଲେ, "ଗାଁ' ନିଶା ଏତେଯେ, ତୁମେ ହେଲମେଟ୍ ନବାକୁ ଭୁଲି ଯାଉଛ ?"


ଅଳ୍ପ ହସି ପ୍ରବୀର କହିଲେ, "ତୁମେ ବୁଝିପାରିବ ନାହିଁ ପ୍ରମୋଦିନୀ, ମାଇଁ ଭିଲେଜ୍ ଇଜ୍ ମାଇଁ ଭାଲେଣ୍ଟାଇନ୍ । ସେଇ ମାଟିକୁ ଥରେ ଚୁମିଦେଲେ ଯୋଉ ଖୁସି, ଆଉ କୋଉଥିରେ ମୁଁ ପାଏ ନାହିଁ । ହଁ ତୁମେ ରେଡି ହେକିକି ଥିବ । ଗାଁ ଆଡୁ ଘେରାଏ ବୁଲି ଆସି, ମୁଁ ତୁମକୁ ନେଇକି ଯିବି । ଏଇ ପାଖରେତ...।"


ଗାଁ' ମାଟିର ପ୍ରେମିକ ଆଜି ଗାଁ' ମୁହାଁ । ସ୍କୁଟରରେ ଗଲେ ମାତ୍ର ପନ୍ଦର କି କୋଡିଏ ମିନିଟର ବାଟ । ଗାଁ' ଯେତିକି ଯେତିକି ପାଖେଇ ଆସୁଥାଏ, ପ୍ରବୀରଙ୍କ ସ୍କୁଟରର ବେଗ ସେତିକି ଅଧିକ ଅଧିକ ହେଇ ଯାଉଥାଏ । ଛାତିର ସ୍ପନ୍ଦନବି ।


ଗାଁ' ବଜାରରେ ପହଞ୍ଚି ଆଶ୍ଚର୍ଯ୍ୟ ହେଇଗଲେ ପ୍ରବୀର । ଭାବିଲେ, "କାହିଁ ମାଇକି ବାଜୁ ନାହିଁତ ? ସିଏ ଭୁଲ୍ ତିଥିରେ ପଳେଇ ଆସିଲେକି ?"


ଗାଁ' ଭିତରକୁ ପ୍ରବେଶ କରେ ପ୍ରବୀର । ଠିକ୍ ଅଷ୍ଟପ୍ରହରୀ ବାରି ପାଖଦେଇ ଯିବାକୁ ପଡେ । ତାଙ୍କ ପାଦତଳୁ ମାଟି ଖସିଗଲା ଭଳିଆ ଲାଗୁଥାଏ । ସତେକି ଆକାଶଟା ତାଙ୍କ ମୁଣ୍ଡରେ ଛିଡି ପଡ଼ିବ । ଅଳିଆ ଅରମା ହେଇ ପଡ଼ିଛି ଅଷ୍ଟପ୍ରହରୀ ବାରି । ଅଷ୍ଟପ୍ରହରୀର ନାଁ, ଗନ୍ଧ କିଛି ନାହିଁ । କିଛି ସମୟ ଥକା ମାରି ଛିଡାହେଲେ ପ୍ରବୀର । ତାଙ୍କୁ ଲାଗୁଥାଏ, ତାଙ୍କୁ ଅତି ଭଲ ପାଉଥିବା ଗାଁ' ମାଟି ଯେମିତି କାନ୍ଦୁଛି ଆଉ କହୁଛି, "ତୋ'ର ଆସିବା ଟିକିଏ ଡେରି ହେଇଗଲା । କିଛି ଦିନ ଆଗରୁ ଆସିଥିଲେ ହୁଏତ ମୋ'ର ଏମିତି ଅବସ୍ଥା ହେଇ ନଥାନ୍ତା, ମୁଁ ଆଜି ହସୁଥା'ନ୍ତି ? 


ଛାତିର କୋହସବୁ ଯେମିତି ବିଳପି ଉଠୁଥିଲା ପ୍ରବୀରଙ୍କର । ଜଣେ ଗାଁ ଭାଇ ପ୍ରବୀରଙ୍କୁ କହିଲେ, "ଆରେ ବୀର, ଗାଁ' ରାଜନୀତି ତୋ' ସ୍ୱପ୍ନର ଅନୁଷ୍ଠାନକୁ ଖାଇଦେଇଛି । ତୋ'ଗାଁର ଇଜ୍ଜତ ସହିତ ଖେଳ ହେଇଛି ।

ଗାଁ'ରେ ରହୁଥିବା ପ୍ରବୀରଙ୍କ ଭାଇ କବାଟ ବାଡେଇ ଜଳଖିଆ ଖାଇବାକୁ ଡାକିଲେ ପ୍ରବୀରଙ୍କୁ । କବାଟ ଖୋଲିଲେ ପ୍ରବୀର । ଭାଇଙ୍କୁ ଦେଖି ତାଙ୍କ ଆଖିରୁ ଗଡିଆସିଲା କେଇ ଟୋପା ଲୁହ ।



Rate this content
Log in

Similar oriya story from Abstract