ଉତ୍ତର
ଉତ୍ତର


ପୁରାତନ ସମୟ ସହ ତାଳଦେଇ ଆଜିର ସମାଜର କିଛି ବ୍ୟକ୍ତି ବିଶେଷ ଚାଲିବା ପାଇଁ ବହୁ ଚେଷ୍ଟା କରି ଚାଲିଛନ୍ତି। ଆଜିର କୋମଳମତି ଶିଶୁ ମାନଙ୍କର ଭବିଷ୍ୟତ କୁ ସହଜ କରିବାର ସତ ଚେଷ୍ଟା ଅଧିକାଂଶ ସମୟରେ ବିଫଳତା ଓ ମାନସିକ ଅବସାଦର ପ୍ରମୁଖ କାରଣ ହୋଇଥାଏ ମାତ୍ର ଅନେକାଂଶରେ ଏହା ଏକ ସୁସ୍ଥ ଜୀବନ ଗଢିବାରେ ସହାୟକ ମଧ୍ୟ ହୋଇଥାଏ।
ଠିକ ସେହିପରି ଆଜିର କାହାଣୀର ଚରିତ୍ର ଦିନେଶ ବାବୁ। ଗାନ୍ଧୀ ଓ ଗୋପବନ୍ଧୁ ସମୟର ନହେଲେ ମଧ୍ୟ ଚାକିରିରୁ ଅବସର ଗ୍ରହଣ କରି ସାରିଲେଣି। ଗୋଟିଏ ପୁଅ ଦିପକ ଓ ଧର୍ମ ପତ୍ନୀ ଆଶା ଙ୍କୁ ନେଇ ତାଙ୍କ ପରିବାର। ପିଲାଟି ଦିନରୁ ନିଜ ପୁଅକୁ ସେ ଉଚ୍ଚ କୋଟୀର ଶିକ୍ଷା ଓ ସଂସ୍କାର ଦେବାରେ କେବେ ଅବହେଳା କରି ନାହାନ୍ତି।
ଆଜିକାଲିର ଆଧୁନିକ ପିଲା ହେଲା ଦିପକ।ବିଦ୍ୟାଳୟ ସାରି କଲେଜର ଦ୍ୱାର ମାଡିଲା। କୋମଳ ମତି ଶିଶୁ ଯୌବନରେ ପାଦ ଥାପିଲା।ବାପାଙ୍କର ତାଗିଦ୍, ବାହାରକୁ ଯାଉଛୁ ବିଭିନ୍ନ ପିଲାଙ୍କ ସହ ମିଶିବୁ ଠିକ ମାତ୍ର ନିଜର ସଂସ୍କାର ଓ ମୋର ଶିକ୍ଷା ଯେମିତି ଭୂଲି ନଯାଉ। ସବୁ ପିଲା ପ୍ରଥମେ ଘରୁ ଗୋଡ କାଢିଲେ ଯେମିତି ଉତ୍ତର ଦିଅନ୍ତି ସେମିତି ସମ୍ମାନ ଜଣାଇଲା ଦିପକ। ବାପା ମଧ୍ୟ ଖୁସି।
କିଛି ଦିନ ଗଲା ଦିନେଶ ବାବୁଙ୍କର ସ୍ଥାନାନ୍ତର ହେଲା ଏକ ଦୂର ସ୍ଥାନକୁ। ଦିପକ କୁ ହଷ୍ଟେଲରେ ଛାଡି ପତ୍ନୀ ଙ୍କ ସହ ବାହାରିପଡିଲେ ନିଜ କର୍ତ୍ତବ୍ୟ ଓ କର୍ମ ସ୍ଥଳ ଅଭିମୁଖେ। ପ୍ରଥମେ ପ୍ରଥମେ ପୁଅକୁ ଛାଡିରହିବା ତାଙ୍କ ପକ୍ଷେ କଷ୍ଟକର ଥିଲା। ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଅଫିସରୁ ଫେରି ପାଖ ଟେଲିଫୋନ ବୁଥ୍ରୁ ଫୋନ କରନ୍ତି ଓ ତାର ଭଲ ମନ୍ଦ କଥା ବୁଝନ୍ତି। ଦିନେ ଦିନେ ଆଶା ମଧ୍ୟ ଆସି କଥା ହୁଅନ୍ତି ପୁଅ ସହ। ଫେରିଲା ବେଳେ ଦିନେଶ ବାବୁ ଦେଖନ୍ତି ତାଙ୍କ ପତ୍ନୀ ଆଶା କାନ୍ଦି କାନ୍ଦି ମନ ଦୁଃଖରେ ଫେରନ୍ତି। ଯାହାକି ତାଙ୍କ ପକ୍ଷେ ବହୁତ ଅସହ୍ୟ ବୋଧ ହୁଏ। ଏହିପରି ପ୍ରତ୍ୟେକ ଦିନ ଯାଏ। ଦିନେଶ ବାବୁ କିନ୍ତୁ ଏକ ଭିନ୍ନ କାରଣରୁ ବ୍ୟସ୍ତ ଜଣାପଡନ୍ତି।
ସବୁ ବାପା ମାଆ ଚାହାନ୍ତି ନିଜ ପିଲାର ଭଲ ଭବିଷ୍ୟତ। ତାହା ମଧ୍ୟ ସ୍ୱାଭାବିକ। ଦିନେଶ ବାବୁ ସେଥିରୁ କିପରି ବା ବିରତ ହୁଅନ୍ତେ। ସବୁଦିନ ଫୋନରେ କଥା ହୁଅନ୍ତି ମାତ୍ର ପ୍ରକୃତରେ ପାଖରେ ଥିଲେ ଯେମିତି ଦୁନିଆ ଓ ସମାଜ ବିଷୟରେ ବୁଝେଇ ପାରନ୍ତେ ତାହା ଫୋନ ଦ୍ୱାରା ହୋଇପାରୁନଥିବାରୁ ସେ ବଡ ବ୍ୟସ୍ତ ହୋଇ ପଡନ୍ତି। ଶେଷରେ ସେ ଏକ ପନ୍ଥା ଅନୁସରଣ କଲେ ଯାହାକି ତାଙ୍କ ବାପା କରୁଥିଲେ। ପୁଅ ପାଖକୁ ଚିଠି ଲେଖିବା ଆରମ୍ଭ କଲେ।ଆଶା ଦେବୀଙ୍କୁ ପୁଅ ସହ କଥା ହୋଇ ଦୈନନ୍ଦିନ ମାନସିକ ଦୁଶ୍ଚିନ୍ତାରୁ ମୁକ୍ତରଖିବା ପାଇଁ ଟେଲିଫୋନ ବୁଥ ଖରାପ ହେବାର ବାହାନା କଲେ।
ଏବେ ପ୍ରତ୍ୟକ ଦିନ ଫୋନ ନ କରି ଦୁଇ ତିନି ଦିନରେ ଥରେ ଯାଆନ୍ତି ଏବଂ ନିଜର ଓ ମାଆର ମାନସିକ ସ୍ଥିତି, ସମାଜର ଲୋକଙ୍କ ଚାଲି ଚଳନ, ଚିନ୍ତାଧାରା, ଭଲ ଖରାପ ସବୁ ଚିଠିରେ ଉତ୍ତାରି ପଠାନ୍ତି। ସମାଜରେ ଏକ ଭଲ ମଣିଷ ହୋଇ ନିଜ ଗୋଡରେ ନିଜେ କିପରି ଛିଡା ହେବ, କିପରି ସ୍ୱାଭିମାନୀ ହେବ, ସମାଜରେ ନିଜର ଭାବମୂର୍ତ୍ତି କୁ କିପରି ସୁଦୃଢ କରିବ, ଛାତ୍ର ଜୀବନର ଶୃଙ୍ଖଳା ଇତ୍ୟାଦି ଇତ୍ୟାଦି ଯାହା ଜଣକୁ ସମାଜରେ ମଣିଷ ପରି ମଣିଷ କରି ଛିଡା କରେଇବ ତାର ଟିକିନିଖି ବର୍ଣ୍ଣନା ସେ ଚିଠିରେ ସେ ଉଲ୍ଲେଖ କରନ୍ତି।
କିଛି ଦିନ ପରେ ହଷ୍ଟେଲର ଜଗୁଆଳୀ ଦିପକକୁ ଡାକି ଏକ ଚିଠି ଦେଲେ। ଏହା ଦେଖି ଦିପକ ଆଶ୍ଚର୍ଯ୍ୟ ହୋଇଗଲା। ତା ସହ ଥିବା ସାଙ୍ଗ ମାନେ ତାକୁ ଚିଡେଇବା ଆରମ୍ଭ କଲେ। ଅସିଆ କାଳର ମସିଆ କହି।
ଆଜି କାର ଟେଲିଫୋନ ଯୁଗରେ ଚିଠି କିଏ ଲେଖେ। ଏହିପରି ବହୁ କଥା କହି ଛିଗୁଲେଇବା ଆରମ୍ଭ କରନ୍ତି। ପ୍ରଥମ ଚିଠି ପାଇବାର ଦୁଇ ଦିନ ପରେ ଦିନେଶ ବାବୁ ଫୋନ କଲାରୁ ଦିପକ ସେପଟୁ କହିଲା ବାପା ଫୋନ ତ କରୁଛ ପୁଣି ଚିଠି କଣପାଇଁ। ଏହା ଶୁଣି ଦିନେଶ ବାବୁ କହିଲେ ଏଥିପାଇଁ ଯେ ଯେତେବେଳେ ତୋର ମନ ବିଚଳିତ ହେବ, ଦୁଶ୍ଚିନ୍ତା ମୁଣ୍ଡରେ ପଶିବ, ପାଠ ପଢିବାକୁ ଇଚ୍ଛା ହେବ ନାହିଁ, ନିଜ ଲକ୍ଷଭ୍ରଷ୍ଟ ହେଲାପରି ଲାଗିବ ସେତେବେଳେ ଆମେ ମାନେ ତୋ ପାଖରେ ନଥିବୁ ,ଯଦି ଥିବ ଏଇ ଚିଠି, ଯାହା ଆମ ଅନ୍ତରର ଭାଷା। ସେତେବେଳେ ଏହା ତୋର ପଥ ପ୍ରଦର୍ଶକ ହେବ।
ଦିପକ ସବୁ ଶୁଣେ ମାତ୍ର ସାଙ୍ଗ ମାନଙ୍କ ଡରରେ, କାଳେ ତାକୁ ଚିଡାଇବେ ସେ ଚିଠି ଖୋଲେ ନାହିଁ ମାତ୍ର ବାପାଙ୍କୁ କୁହେ ଯେ ସେ ପଢେ ବୋଲି।
ଇତି ମଧ୍ୟରେ ବହୁ ବର୍ଷ ବିତିଗଲାଣି। ଦିପକ ପାଠ ପଢା ସାରି ବାଙ୍ଗାଲୋରରେରହି ଚାକିରି ପାଇଁ ଚେଷ୍ଟା ଚଲେଇଛି।ଦିନେଶ ବାବୁ ଅବସର ନେଇ ଏବେ ଗାଁରେ।
ଆଉ ସେ ସମୟ ନାହିଁ କି ଡାକଘରେ ସେ ଭିଡ ନାହିଁ। ମୋବାଇଲର ଯୁଗ। ଦିନରେ ଦଶ ଥର ଦିପକ ସହ କଥା ହେଉଛନ୍ତି। ମାତ୍ର ସେ ସମୟରେ ଯେଉଁ ଭାବରେ ସେ ପୁଅ ପାଖକୁ ଚିଠି ଲେଖୁଥିଲେ ସେ ଭାବ ଆଉ ନାହିଁ। ମନେ ପଡିଲେ ଘରେ ବସି ଫୋନ କରିଦେଉଛନ୍ତି। ମାତ୍ର ସେପଟେ ଦିପକ କୌଣସି ଚାକିରି ହେଉନଥିବାରୁ ବିବ୍ରତ ହୋଇ ପଡୁଥାଏ। ତା ଉପରେ ବାପା ମାଆ ଙ୍କର ଫୋନ। ସେ ଅସହ୍ୟ ହୋଇ ପଡୁଥିଲା। ଦିନେ ଦିନେ ଅଣନିଶ୍ୱାସି ହୋଇ ପଡେ। ନିରାଶା ଓ ଅସଫଳତା ଯେମିତି ତା ପିଛା ଛାଡୁନି ତାକୁ ସେପରି ଲାଗୁଥିଲା।
ଦିନକର କଥା ହଠାତ୍ ତାର ପୁରୁଣା ବାକ୍ସ ଦେଖୁ ଦେଖୁ ନଜର ପଡିଲା ବାପା ଦେଇଥିବା ସେହି ଚିଠି ଗୁଡିକ ଉପରେ ଯାହାକୁ ସେ କେବେବି ଖୋଲି ନ ଥିଲା। ସେଦିନ କାହିଁକି ସବୁ ଚିଠି ଖୋଲି ପଢିବାକୁ ଲାଗିଲା। ଯେତେ ଯେତେ ପଢୁଥାଏ ତାକୁ ଲାଗୁଥାଏ ସେ ଯେମିତି ଦିନେଶ ବାବୁଙ୍କର ଏକ ନୂଆରୂପ ଦେଖୁଛି। ଏତେ ବ୍ୟାଖ୍ୟା ଜୀବନକୁ ନେଇ, ଯାହା ସେ କେବେ ଅନୁଭବ କରି ନଥିଲା। ସବୁ ପଢି ସାରିଲା ବେଳକୁ ତା ମନ ଭିତରେ ଏକ ଦୃଢତା, ଆତ୍ମବିଶ୍ୱାସ ଗଢି ଉଠିଥିଲା। ମନ ଓ ହୃଦୟ ଏକ କୋହରେ ପରିପୂର୍ଣ୍ଣ ହୋଇ ଉଠିଥିଲା। ସେହିଦିନ ହିଁ ସେ ତା ନୂଆ ଚାକିରିର ଚିଠି ପାଇଲା। ଚିଠିଟି ଧରି ଏକ ମୁହାଁ ହୋଇ ଆସି ପହଞ୍ଚିଲା ବାପାଙ୍କ ପାଖରେ। ମୁଣ୍ଡିଆ ମାରିବା ସହ କୁଣ୍ଢେଇ ପକେଇ କାନ୍ଦିବାକୁ ଲାଗିଲା। ସେ କାନ୍ଦରେ ଥିଲା ଭକ୍ତି ଓ ଶ୍ରଦ୍ଧା।
ଶେଷରେ ନିଜ ପକେଟରୁ ଏକ ଲଫାପା ବାହାର କରି ବାପାଙ୍କ ହାତକୁ ବଢେଇ କହିଲା, ଆପଣଙ୍କ_ମୂଲ୍ୟବାନ_ଚିଠିର_ଉତ୍ତର। ଦିନେଶ ବାବୁ କୌତୁହଳର ସହ ଚିଠି ଖୋଲି ଦେଖିଲେ ତାହା ନୂତନ ଚାକିରିର ଯୋଗଦାନ ଚିଠି।ଏହା ଦେଖି ଦିନେଶ ବାବୁଙ୍କର ଓ ଆଶା ଦେବୀଙ୍କର ଖୁସିର ଆଉ ସୀମାରହିଲା ନାହିଁ।ତାଙ୍କ ଖୁସି ଦେଖି ଦିପକର ଆଖିରୁ ଧାର ଧାର ଲୁହ ଝରିପଡୁଥାଏ ଯାହାକି ଥିଲା ତା ବାପା ଓ ମାଆଙ୍କର ସାରା ଜୀବନର ପରିଶ୍ରମର କିଞ୍ଚିତ ଅଂଶ।