ଉପର ଵାଲା
ଉପର ଵାଲା
ଝୁମୁକା ସବୁବେଳେ କହେ ଉପର ଵାଲା ନାଇଁ ଚାହିଁଲେ ତଲ ଵାଲା କାଣା କରି ପାରବା । ବଂଶୀ ହସେ କହେ ମୋର
ନାଁ ବଂଶୀ । ବଂଶୀ ବଜେଇ ଦେଲେ ତୁଇ ଯେନେ ଥିଲେ ମୋର ପାଖକେ ଭାଗି ଆସବୁ। ଆଦିବାସୀ ପଲ୍ଲୀ ।ପାହାଡ଼ ତଳ ଗାଁ। ଝୁମୁକା ଆଉ ବଂଶୀ ପିଲାଦିନର ସାଙ୍ଗ। ବଂଶୀ ର ବାପା ମାଆ କେହି ନାହାନ୍ତି। ଘର ଖଣ୍ଡେ ଅଛି। ଜମି ବାଡ଼ି ଅଳ୍ପ। ଚଳିଯାଏ। କାନ୍ଦୁଲ ଚାଷ କରେ। ହାଟରେ ବିକେ ।ଝୁମୁକା ଘରକୁ ଆସେ କାଠ ଚିରେ ପାଣି ବୁହେ ହାଟରୁ ଜିନିଷ ଆଣି ଦିଏ। ଚାଉଳ ଡାଲି ତେଲ ମସଲା ପରିବା ପତ୍ର କେବେ କେବେ ଝୁମୁକା ସାଙ୍ଗରେ ହାଟକୁ ଯାଏ । ଝୁମୁକା କିଣେ ପସନ୍ଦ ଅନୁସାରେ କସ୍ତା ଶାଢ଼ୀ ।ପାନିଆ ଦର୍ପଣ ପାଉଡର ଟିକିଲି ଆହୁରି କେତେ କଣ। ବଂଶୀ ପାଇଁ କିଣିଦିଏ ରୁମାଲ ଟୋପି। ହାଟ ଫେରନ୍ତି ଉଦୁଉଦିଆ ଖରାବେଳେ ଝରଣା କୂଳରେ ବସନ୍ତି ଝୁମୁକା ରାଗେ ବଂଶୀ ଉପରେ।ତୁଇ ସବୁବେଳେ ମତେ ହାଟକେ ନେଉଥିବୁକି ତୋର ଘରକେ ନେବୁ
ଆଦିବାସୀ ପାହାଡ଼ ମୁଲକରେ ପୁଅ ଝିଅ ଏକାଠି ବୁଲିଲେ କେହି ସନ୍ଦେହ ଦୃଷ୍ଟିରେ ଦେଖନ୍ତି ନାହିଁ । ସେଠାରେ ସହର
ପରି ଗଣ ଦୁଷ୍କର୍ମ ବଳାତ୍କାର ହତ୍ୟା ଅଭିଯୋଗ ଆସେନାହିଁ ।ସେମାନେ ନିଜେ ନିଜେ ସାଥୀ ଟିଏ ଖୋଜି ନିଅନ୍ତି ବାପ ମାଆ ରାଜି ଅରାଜିର ପ୍ରଶ୍ନ ନାହିଁ ଆଦିବାସୀ ପ୍ରଥା ଅନୁସାରେ ଝିଅ ଘରକୁ ଟଙ୍କା ଗାଈ ଛେଳି ଲୁଗା ଭାର ସାହି ଭାଇଙ୍କୁ ଭୋଜି ଭାତ ଦେବାକୁ ପଡିବ। ଦିନେ ବଂଶୀ କହିଲା ମୁଇଁ ସୁରଟ ଯିବି
ଝୁମୁକା କହିଲା ତୁଇ ସୁରଟ ଗଲେ ମୁଇଁ ବୁଡି ମରବି ଏମିତି ଛଅ ଋତୁ ଚାଲିଗଲା । ବଂଶୀ ସୁରଟ ଗଲା ନାହିଁ।ଫଗୁଣ ଗଲା ଚଇତ ଆସିଲା। କେତେ କୁରେଇ ଫୁଲ ଫୁଟିଲା ଝୁମୁକା ସଜ ହେଲା ନାହିଁ। ସାଙ୍ଗ ସାଥୀ ସହିତ ମହୁଲ ଗୋଟେଇବାକୁ ଗଲା ନାହିଁ । ଏକୁଟିଆ ଗଲା ଝରଣା କୂଳକୁ। ପକ୍ଷୀ ମାନଙ୍କ ଗୀତ ଶୁଣିଲା । ଚଇତ ପରବରେ ନାଚିଲା ନାହିଁ ଖୁସି ହେଲା ନାହିଁ । ଜହ୍ନକୁ କହିଲା ମନକଥା। ଉଦାସୀ ହୋଇଗଲା ।ତା ସାଙ୍ଗ ରାଧା କହୁଥିଲା ଆଉ ଗୋଟେ ପଇସା ଵାଲା ସାଥୀ
ଖୋଜିବା ପାଇଁ। ଝୁମୁକା ଆଉ ସାଥୀ ଖୋଜିଲା ନାହିଁ ହାଟକୁ ବି ଗଲା ନାହିଁ । ହାଟକୁ ଗଲା ବେଳେ ଘାଟି ରାସ୍ତା ସେଇଠି ଜଙ୍ଗଲି ବାବୁର ବଙ୍ଗଳା। ସେଇ ବଙ୍ଗଳାରେ ବଂଶୀ
ଜଗୁଆଳ ହେଇଛି। ହାଟକୁ ଗଲାବେଳେ ଯଦିବଂଶୀ ସାଙ୍ଗରେ ଦେଖା ହୋଇଯିବ ? ଝୁମୁକାକୁ ରାତିରେ ନିଦ ହୁଏ ନାହିଁ । ଝୁମୁକା କବାଟ ଖୋଲି ଦେଖେ ଘାଟି ବଙ୍ଗଳାରେ
ଆଲୁଅ ଜଳୁଛି ବଂଶୀ ବି କଣ ଶୋଇ ନଥିବ? ତା ଭାଗ୍ୟରେ ବଂଶୀ ନାହିଁ। ବଂଶୀ ଭାଗ୍ୟ ରେ ଆଉ କିଏ ଥିବ। ଭାରି ମନେ ପଡୁଥିଲା ବଂଶୀ । ଥରେ ଗାଁ ପାଖରେ ମେଳା ଲାଗିଥିଲା।ସେମାନେ ଯାଇଥିଲେ ମେଳା ଦେଖି। ଦୋଳିରେ ବସିଥିଲେ। ହାତରେ ଚିତା କୁଟାଇ ଥିଲେ ବଂଶୀ ହାତରେ ଲେଖିଥିଲା ଝୁମୁକା ଆଉ ଝୁମୁକା ଲେଖିଥିଲା ବଂଶୀ ରାଜା ରାଣୀ କଣ୍ଢେଇ କିଣିଥିଲେ। ଅଦଳ ବଦଳ କରିଥିଲେ ଝୁମୁକା ପାଖରେ ରାଜା କଣ୍ଢେଇଟି ଅଛି ବଂଶୀ ପାଖରେ କଣ ରାଣୀ କଣ୍ଢେଇଟି ଥିବ ? ଝୁମୁକା ଭାବିଲା ସେ ରାଜା କଣ୍ଢେଇ ଫେରେଇ ଦେବ ଆଉ ଚିତାକୁଟା ନାଁ ବି ଲିଭାଇଦେବ ବଂଶୀ ଟଙ୍କା ଯୋଗାଡ଼ କରି ପାରିବନି । ଉଧାର ରେ ବାହାଘର କରିବାକୁ
ବାପା ରାଜି ହେବନି। ଝୁମୁକା ମନ ଟାଣ କଲା ସେ ବଂଶୀ ଛଡା ଆଉ କାହାକୁ ବାହା ହେବନି । ଝରଣାରେ ବୁଡିଯିବ ନହେଲେ ପାହାଡ଼ ଉପରୁ ଡେଇଁ ପଡିବ। ଚଇତ ପରବ ପାଖ ପାଖ ହୋଇ ଆସୁଥିଲା। ଝୁମୁକା ଏକା ଏକା ଫେରୁ ଥିଲା
ଝରଣା ରୁ । ଘାଟି ରାସ୍ତାରୁ ବଂଶୀ ହାତ ହଲାଉ ଥିଲା ।ଝୁମୁକା ଅଟକି ଗଲା । ବଂଶୀ ସାଙ୍ଗରେ କଥା ହେବ ।ଶେଷ କଥା ବୋଧହୁଏ ଆଉ ମଉକା ମିଳିବନି। ବଂଶୀ ଦୌଡ଼ି ଦୌଡ଼ି ଆସିଲା କହିଲା ଚଇତ ମାସ ନାଇଁ ସରି ଥିବା ତୁଇ
ମୋର ଘରକେ ଯିବୁ। ଝୁମୁକା କାବା ହେଲା ବଂଶୀ କହିଲା ବଙ୍ଗଳାର ସାହେବ କେ ମୋର ଦୁଃଖ କହେଲି ।ସାହେବ ମତେ ଆଗତୁରା ପଇସା ଦେଇଛେ ।କାମ କରି କରି ଶୁଝିଦେବି । କାଲି ତୁମର ଘରକେ ଯିବି ଲୋକ ବାକ ଧରି କରି । ଲଗନ ଠିକ ହେବା । ତୁଇ ଠିକ କହିଥିଲୁ ଝୁମୁକା ଉପର ଵାଲା ନାଇଁ ଚାହିଁଲେ ତଲ ଵାଲା କାଣା କରି ପାରଵା ।
