STORYMIRROR

Manjurani Mishra

Others

4  

Manjurani Mishra

Others

ପ୍ରଜାପତି

ପ୍ରଜାପତି

4 mins
507

ଅଳକାର ସବ୍ୟସାଚୀଙ୍କ ସହିତ ମୋଟେ ପରିଚୟ ନଥିଲା । ତେବେ ସେ ସୁନ୍ଦର କବିତା ଲେଖିଥିଲେ 'କୁଞ୍ଜବନ’ରେ । ସେ ସବୁ କବିତା ପଢ଼ିଲା ବେଳେ ଅଳକା ବିହ୍ଵଳ ହୋଇ ପଡ଼ୁଥିଲା । କିନ୍ତୁ ସେ ଯେ ଏତେ ସୁନ୍ଦର ବକ୍ତା ହୋଇ ଯୌତୁକ ବିରୋଧରେ ଭାଷଣ ଦେଇପାରନ୍ତି, ତାହା ତାର ଧାରଣା ବାହାରେ ଥିଲା ।

ସହପାଠିନୀ ମାଳବିକା ନାକ ଫୁଲାଇ କହିଥିଲା ହଁ, ଏଗୁଡ଼ା ସବୁ ପୋଥି ବାଇଗଣ । କାମରେ ଦେଖେଇଦେଲେ ହୁଏ । ଆଉ ମୋଟା ଫୁଲର ମାଳ ପିନ୍ଧି ୟା କରିବି ବୋଲି ଟେବୁଲ ପିଟିଲେ କ’ଣ ହେବ ? ସ୍ନିଗ୍ଧା କହିଲା ହଁ ମ, ବାହାଦୁରୀ ଦେଖେଇବା କଥା । ଯଦି ଆଦର୍ଶବାଦୀ,ତାହେଲେ ବିନା ଯୌତୁକରେ ବାହା ହୋଇପଡୁନାହାନ୍ତି । ଏତେଦିନ ପର୍ଯ୍ୟନ୍ତ

ବ୍ୟାଚଲର ଅଛନ୍ତି କାହିଁକି ? ନିଦରେ ଭାରି ହୋଇ ପଡୁଥିବା ଆଖୁପତାକୁ ଖୋଲି ମୀନା କହିଲା ଭଲ ଝିଅ ମିଳୁନଥିବେ । ଏଇ ସବୁ ଆଲୋଚନା ଉପରେ ଅଳକା କିଛି ବି ମତାମତ ଦେଇନଥିଲା । ସବ୍ୟସାଚୀ ତାକୁ ଭଲ ଲାଗିଥିଲେ । ଗୋଟେ ଅନ୍ତରଙ୍ଗ ଅନୁଭୂତିଟିଏ ତା ଚାରିପଟେ ଚକାଭଉଁରି ଖେଳୁଥିଲା । ଏଇ ଯୌତୁକ ଲୋଭୀ ପୁରୁଷମାନଙ୍କ ନିଲାମ ଡ଼ାକରା । ଫ୍ରିଜ, ଡ୍ରେସିଂ ଟେବୁଲ, ଗଡ଼ରେଜ, ପଲଙ୍କ,ଫର୍ନିଚର, ୱାସିଂ ମେସିନ । ଏଗୁଡା କେଉଁ ଯୌତୁକରେ ଲେଖା ? ଏଗୁଡ଼ାକତ

ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ । କହ, ନଗଦ କ୍ୟାସ୍ କେତେ ଲକ୍ଷ ଦେବ ? ଆଜି ଆଉ ତାକୁ ପଢ଼ିବାକୁ ଇଚ୍ଛା ହେଲାନି । ସେ ଲାଇଟ ଲିଭାଇ ଶୋଇ ପଡ଼ିଲା । ଜମାଟ ଅନ୍ଧାର ଭିତରେ ସେଇ ଶବ୍ଦ ଗୁଡ଼ାକର ପ୍ରତିଧ୍ବନୀ ଢ଼େଉ ଖେଳୁଥିଲା । ସବ୍ୟସାଚୀଙ୍କ ଉକ୍ତି, ଯଦି ବାହାହୁଏ ତାହେଲେ ଦାବୀ କରିବି।ମୁଠେ ଚୁଡ଼ି ଆଉ ଫରୁଆଏ ସିନ୍ଦୁର । ସେଇ ପୁରଷଟି ପାଇଁ ଭକ୍ତି ଆଉ ଶ୍ରଦ୍ଧା ଆସୁଥିଲା ମନେମନେ । ସହରଠାରୁ ଅନେକ ଦୂରରେ ନୀଳ ଆଉ ପାଟଳ ରଙ୍ଗର ମେଘର ଛାଇରେ

ଅଳକା ନିଜକୁ ନୂଆକରି ଆବିଷ୍କାର କରୁଥିଲା । ଗୋଟିଏ ସବୁଜ ସୁନ୍ଦର ଉପତ୍ୟକା ଆଉ ଅନେକ ନାଲି ନାଲି କଥାକୁହା ଫୁଲର ଆସ୍ତରଣ ‘କୁଞ୍ଜବନ' ପତ୍ରିକାର ସମ୍ପାଦକ ସବ୍ୟସାଚୀ ଦାସ । ମାଳବିକାର ଦୂର ସଂପର୍କୀୟ ଭାଇ । ସେଇ ମାଳବିକା ମାର୍ଫତରେ ତାର କେତୋଟି କବିତା କୁଞ୍ଜବନରେ

ପ୍ରକାଶିତ ହେବାର ସୌଭାଗ୍ୟ ଲାଭ କରିଥିଲା । ଆଉ ତାପରେ ସବ୍ୟସାଚୀଙ୍କ ସହ ପରିଚୟ । ଲେଖାପାଇଁ ବାରମ୍ବାର

ଫୋନ୍ ଅନୁରୋଧ । ସେ ଭୁଲିଯାଇଥିଲା ନିଜକୁ । ତାର ନିଶା ହୋଇଯାଇଥିଲା । ରାତି ରାତି ଅନିଦ୍ରା ହୋଇ ସେ ଲେଖୁଥୁଲା । ସବ୍ୟସାଚୀଙ୍କ ଧାଡ଼ି ଏ ପ୍ରଶଂସାର ସଂଳାପ ତା ପାଇଁ ଯଥେଷ୍ଟ ଆଶ୍ୱାସନାର ନିର୍ଝରିଣୀ ପାଲଟି ଯାଇଥିଲା । ଆଉ ଏଥିପାଇଁ

ତଳମହଲାରୁ ଉପର ମହଲାଯାଏ ଅନେକ ପ୍ରଶ୍ନବାଚୀର ଢ଼େଉ ତା ଉପରେ ଅଜାଡ଼ି ହୋଇ ପଡ଼ୁଥିଲା । ଅଳକାକୁ ଭଲ ଲାଗୁଥିଲା ଏ ଆକାଶ, ଦୂର ପାହାଡ଼, ସମୁଦ୍ର ନୃତ୍ୟ ।ସମୀରଣର ଶିହରଣ ତା ଜୀବନର ସେଇ ଅନିଶ୍ଚିତ ଅମିମାଂସିତ ପ୍ରଶ୍ନର ଉତ୍ତର ସବୁକୁ ସଜେଇ ଦେଉଥିଲା କବିତା କଳେବରରେ । ଜୀବନର ସବୁ ଦୃଶ୍ୟ ବସନ୍ତର ଉତ୍ସବ ।

ଜୀବନଟା ଯେମିତି ସ୍ଵପ୍ନର ଅମରାବତୀ । ସୁନାଫୁଲ ରୂପାଫୁଲର ନଅର ଭିତରେ ସବ୍ୟସାଚୀ ଆଉ ଅଳକା । ଅନେକଥର ହଷ୍ଟେଲରୁ ଲୁଚି ଲୁଚି ତାଙ୍କୁ ସାକ୍ଷାତ କରିଥିଲା ସିଏ । ଉତ୍ତୀର୍ଣ ସନ୍ଧ୍ୟାର ଜହ୍ନଭିଜା ସମୁଦ୍ର ବେଳାରେ

ଢ଼େଉ ଆଉ ଶାମୁକାର କଥା କହୁଥିଲେ ସବ୍ୟସାଚୀ । ଝାଉଁବଣ ଗହଳିରେ ଜହ୍ନର ବୟସ ବଢୁଥିଲା । ସବ୍ୟସାଚୀ ପ୍ରତିଶୃତି ମାଗୁଥଲେ । ଅଳକା ଘରର ଠିକଣା ମାଗୁଥିଲେ ।

ଅଳକା ହସିଦେଉଥିଲା । କହୁଥିଲା ଏବେ ନୁହେଁ । ପରୀକ୍ଷା ସରିଲାପରେ, ରେଜଲ୍ଟ ବାହାରିଲାପରେ । । ତାଙ୍କୁ ଲୁଚି ଲୁଚି ସାକ୍ଷାତ କଲାବେଳେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲା ଅଳକା । କିନ୍ତୁ ତା କବିତା ‘କୁଞ୍ଜବନ’ ପତ୍ରିକାର ପ୍ରଥମ ପୃଷ୍ଠାରେ ପ୍ରକାଶିତ ହେଲାବେଳେ ସେ ଯେମିତି ସବୁଠୁ ମୂଲ୍ୟବାନ ଜିନିଷଟି ଉପହାର ପାଉଥିଲା । ଆଉ ତାର ସହପାଠିନୀମାନଙ୍କ ଆଖିରେ ଇର୍ଷା ଓ ଆଶ୍ଚର୍ଯ୍ୟର ପ୍ରଲେପ

ଢାଙ୍କି ହୋଇଯାଉଥିଲା । ମାଳବିକା ଓ୦ ଚିପି ଚିପି ହସୁଥିଲା । ଅଳକା ଭୁଲି ଯାଇଥିଲା ବାପାଙ୍କ ଦରମା ଶ୍ରାଦ୍ଧ କରି ପାଠ ପଢୁଛି । ସାମ୍ନାରେ ପରୀକ୍ଷା । ତାକୁ ପରିଶ୍ରମ କରିବାକୁ ପଡ଼ିବ । ଏତେ ଭାବ ପ୍ରବଣତା ହୋଇ ପଡ଼ିବା ଉଚିତ ନୁହେଁ ।

କୁଞ୍ଜବନର ଜନ୍ମଦିନ ବିଶେଷାଙ୍କ ପାଇଁ ଅଳକା ଲେଖୁଥଲା ତା ଜୀବନର ଶ୍ରେଷ୍ଠତମ ଲେଖା । ତା ମନର ନୀରବ ସ୍ବୀକୃତି ।

ହଠାତ୍ ଘରୁ ଫୋନ୍ ପାଇ ସେ ଫେରି ଆସିଲା ବାସ୍ତବ ଦୁନିଆକୁ । ଲେଖା ସରି ନଥିଲା । ସବ୍ୟସାଚୀଙ୍କୁ ଉପହାର ଦେବା ସମ୍ଭବ ହୋଇନଥିଲା । ଅଳକା ଘରକୁ ଯିବାକୁ ବ୍ୟସ୍ତ ହୋଇ ପଡ଼ିଲା । ସବୁକାମ ଛାଡ଼ି ପ୍ରସ୍ତୁତ ହୋଇପଡ଼ିଲା ।

ଦୃନ୍ଦ ଆଶଙ୍କାର ପରିରେ ଅଣନିଶ୍ୱାସୀ ହୋଇ ରାଉରକେଲା ବସ୍ ଧରିଲାବେଳେ ହଠାତ୍ ବସ୍ ଷ୍ଟପେଜରେ ସବ୍ୟସାଚୀଙ୍କ ସହିତ ଦେଖା। ସେ ମଧ୍ୟ ରାଉରକେଲା ଯାଉଥିଲେ କହିଲେ ମୋର ଗୋଟେ ଜରୁରୀ କାମ ଅଛି ସେ । ସହରରେ । ଅଳକା କହିଲା ଘରୁ ଫୋନ ପାଇ ହଠାତ୍ ଚାଲି ଆସିଲି । ମାଆ

ଦେହ ଭଲ ନାହି । ତୁମକୁ ଜଣାଇ ପାରିଲି ନାହିଁ । ବସ୍ ଚାଲିଥିଲା । ବାହାରେ ଫାଲଗୁନର ଆକାଶ । ଦୂର ଦିଗବଳୟରେ ଧାରେ ଧାରେ ଉଚ୍ଚ ପାହାଡ଼ ଶ୍ରେଣୀ ଲମ୍ବି ଯାଇଛି । ଏଇ ସୂର୍ଯ୍ୟ ବୁଡ଼ିଯିବେ । ପଶ୍ଚିମ ଆକାଶରେ ରକ୍ତମେଘର ଉଜାଣି । କେତେସବୁ କୃଷ୍ଣଚୂଡ଼ା ଗଛ । ହେଇ ସେପଟକୁ କେତେସବୁ ଜଙ୍ଗଲି ଫୁଲର ଗଛ । ହଠାତ୍ ତାର କାହିଁକି ମନେ ପଡ଼ିଲା ସବ୍ୟସାଚୀ ଥରେ କହୁଥିବା ।

ସ୍ପାଇଡର ଲିଲି ଫୁଲ ଫୁଟିଥିବା ଦ୍ବୀପ ଆଉ ଆଫ୍ରିକାର ନିଘଞ୍ଚ ଅରଣ୍ୟ କଥା । ଅନେକ କଥା କହିବାର ଥିଲା । କିନ୍ତୁ ବସ୍ ଭାରି ଭିଡ଼ । ଏମିତି ଅନାବନା ପ୍ରଶ୍ନର ଉତ୍ତର ଠିକ୍ କରୁ କରୁ ରାଉରକେଲା ଆସିଗଲା । ସବ୍ୟସାଚୀ ଫାଷ୍ଟ ଷ୍ଟପେଜରେ

ଓହେଇଗଲେ । ଓହ୍ଲାଇଲାବେଳେ କହିଲେ ଆସିଲାବେଳେ ଯେମିତି ଦେଖା ହୋଇଗଲା, ଗଲାବେଳେ ହୁଏତ ସେମିତି ଦେଖା ହୋଇପାରେ । ଆଉ ଦୁଇଟା ଷ୍ଟପେଜ ଗଲେ ଘର । ରାଉରକେଲା ସହରରେ ଦ୍ଵାଦଶୀର ଜହ୍ନ । ଜ୍ୟୋସ୍ନା

ଝରୁଛି । କଣ ଭାବିବେ ସବ୍ୟସାଚୀ । ଅନ୍ତତଃ ନିଜ ଘରର ଠିକଣା ଦେଇ କାଲି ପାଇଁ ନିମନ୍ତ୍ରଣ କରିଥିଲେ ହୋଇନଥାନ୍ତା ? ଅଳକା ଅନୁତାପ କଲା । ନିଜକୁ ଯଥେଷ୍ଟ ସାନ୍ତ୍ୱନା ଦେଇ ଯେତେବେଳେ ସେ ଘରେ ପହଞ୍ଚଲା, ବିସ୍ମୟରେ ହତବାକ୍ ହୋଇଗଲା । ତାକୁ ମିଛ ଫୋନ କରି ତା ବାହାଘର ଆୟୋଜନରେ ସମସ୍ତେ ବ୍ୟସ୍ତ । ସେମାନେ କାଲି ଦେଖବାକୁ ଆସିବେ । ମନ ମାନିଗଲେ ନିର୍ବନ୍ଧ ଆଉ ଆସନ୍ତା ତିଥରେ ବାହାଘର । ଅଳକାକୁ ରାଗ ଲାଗିଲା । ଆଗକୁ ତାର ପରୀକ୍ଷା

ଅଥଚ ସିଏ ଶୁଣିଲା, ପାତ୍ର କୁଆଡ଼େ ଭଲ । ସୁପୁରୁଷ, ତେବେ କିଛି ଅଧିକ ଯୌତୁକ ଡିମାଣ୍ଡ । ଭଲ ଚାକିରୀ, ଏମିତି ଅନେକ କିଛି । ତାହେଲେ ତା କବିତା, ତା ସ୍ବପ୍ନର ଫସଲ ! ସବ୍ୟସାଚୀଙ୍କ ପ୍ରତିଶୃତି ପ୍ରତାରଣାର ଚାରିକାନ୍ଥ ଭିତରେ

ବନ୍ଦ ହୋଇଯିବ । ତାହେଲେ ସେମାନେ ରାଜି ହୋଇଗଲେ ତାର ଅରାଜିର କିଛି ମୂଲ୍ୟ ରହିବନାହିଁ । ଏ ଯୌତୁକ ଲୋଭୀ ପୁରୁଷ ଆଗରେ ନିଜକୁ ପଣ୍ୟଦ୍ରବ୍ୟ ପରି ସଜେଇବ । ଜୀବନର ପ୍ରତିଟି ସ୍ତର ହିସାବ ହେବ ଯୌତୁକର ମାପକାଠିରେ । ବାପା କହୁଥିଲେ ଯେମିତି ହେଉ ପାଞ୍ଚଲକ୍ଷ କ୍ୟାସ୍ ଯୋଗାଡ଼ କରିବାକୁ ପଡ଼ିବ । ଜମିବାଡ଼ି ବନ୍ଧାପଡୁ କି ବିକ୍ରୀ ହୋଇଯାଉ । ନାଁ, ତାର ସମସ୍ତଙ୍କୁ ସବୁକଥା କହିବା ଉଚିତ ଥିଲା । କାଳେ କିଛି ହୋଇଯାଆନ୍ତା । ସେମାନେ ସମସ୍ତେ ଆସିସାରିଥିଲେ ଘରେ ସମସ୍ତଙ୍କ ବ୍ୟସ୍ତତା ବଢିଯାଇଥିଲା .ଗହଳି ଜମି ଯାଇଥିଲା ଅଳକା ସ୍ତବ୍ଧ ପାଲଟି ଯାଇଥିଲା.ଏ ପ୍ରହସନ ସରିଲେ ସେ ସମସ୍ତଙ୍କ ଆଗରେ ନିଜ ମନକଥା ଜଣାଇଦେବ.

ପ୍ରଜ୍ୱଳିତ ପରିବେଶର ବଳୟ ଭିତରେ ଅଣନିଶ୍ୱାସୀ ହୋଇ ସେ ଡ୍ରଇଂ ରୁମ ରେ ଯେତେବେଳେ ପ୍ରବେଶ କଲା,ହଠାତ ସ୍ଥାଣୁ ପାଲଟିଗଲା.ଏ ଯେ ସବ୍ୟସାଚୀ |


Rate this content
Log in