STORYMIRROR

Manjurani Mishra

Drama Tragedy Classics

3  

Manjurani Mishra

Drama Tragedy Classics

ଶାମୁକା

ଶାମୁକା

6 mins
164


ବତୀଖୁଣ୍ଟ ପାଖ ବୁଦା ଗହଳିରେ ମେଞ୍ଚା ମେଞ୍ଚା ଅନ୍ଧାର ଭିତରେ ତ୍ରିକୋଣାକାର ଆଲୁଅ ଖଣ୍ଡେ ଛିଟିକି ପଡ଼ିଛି । ସୌରଭ ଘଣ୍ଟା ଦେଖିଲା ।

ନଅଟା ପଇଁତିରିଶି । ସେ ପାଖକୁ ଥୁଣ୍ଟା ବରଗଛଟା । ତଥାପି କେଉଁ ପକ୍ଷୀଟିଏ ବସା ବାନ୍ଧିଛି । କଲେଜ କ୍ୟାମ୍ପସ୍ ପଛପଟକୁ ଅନ୍ଧାର ଯେଉଁଠି ନିଶ୍ୱାସ ମାରୁଛି ଯୋରରେ ଶାଳବଣ ଗହଳିରେ । ଏ ଆକାଶ, ଏ ଅନ୍ଧାର, ରିଫୁଇଜ କଲୋନୀର ଦୂର ଆଲୁଅ ଆଉ ଏକୁଟିଆ ବରଗଛକୁ ନେଇ କିଛି ଗୋଟାଏ ଲେଖାଯାଇ

ପାରନ୍ତା । ବେଶତ କିଛି ଗୋଟାଏ ସଂଗ୍ରହ କରିହୁଅନ୍ତା ଏଇ ଜହ୍ନ ନଥିବା ଆକାଶ ଦେହରୁ । ଅନେକ ତାକୁ ସମାଲୋଚନା କରନ୍ତି ସେ କୁଆଡ଼େ ଭଲ ଲେଖେ ଭାଷାରେ ଥାଏ ଚମତ୍କାରିତା । କିନ୍ତୁ ପ୍ଲଟ ନାହିଁ । ସତରେ କେଉଁଠି ଖୋଜିବ ସୌରଭ ପ୍ଲଟ ? କେମିତି ବୁଝାଇବ ସେ ସ୍ୱପ୍ନବାଦୀ ଜୀବ ଗୁଡ଼ାକୁ ଯେ ଜୀବନଟା ଭାରି ଫାଙ୍କା । ଶୂନ୍ୟତାର ଧୂଆଁରେ ଉବୁଟୁବୁ । କିନ୍ତୁ ସେ କ’ଣ ସ୍ୱପ୍ନ ଦେଖୁନଥିଲା ?

ହଁ ଦେଖୁଥିଲା ତ ପ୍ରଚୁର । ତା ଲେଖା ପଢ଼ି ଅଧ୍ୟାପିକା ଶ୍ଵେତା ଦିନେ କହୁଥିଲା - ତା ଲେଖା ଗୁଡ଼ାକ କୁଆଡ଼େ ଗୋଟାଏ ଗୋଟାଏ କବିତା । ସୌରଭ କବିତା ଲେଖା ଛାଡ଼ି ଦେଇଛି, ଯେଉଁ ଦିନ ସନ୍ଧ୍ୟା ତା ଜୀବନ ପରିଧରୁ ଦୂରକୁ ଚାଲିଯାଇଛି । ଆଉ ଗୋଟିଏ ଏକକୈନ୍ଦ୍ରିକ ବୃତ୍ତ ରଚନା କରି ସେଇ ସନ୍ଧ୍ୟା ତାକୁ ଦିନେ ଉତ୍ସାହିତ କରିଥିଲା । ପ୍ରେରଣା ଦେଇଥିଲା କବିତା ଲେଖିବାପାଇଁ ।

କ’ଣ କରୁଥବ ସନ୍ଧ୍ୟା ? ତାର ଅଢ଼େଇ ବର୍ଷର ପୁଅକୁ ନାନାବାୟା ଗୀତ ଗାଇ ଶୁଆଇ ଦେଉଥିବ କି ତା ସ୍ବାମୀର ବାଟକୁ ରାନ୍ଧିବାଢ଼ି ଅପେକ୍ଷା କରିଥିବ । ଏଇ ସହରରେ ଅଛିତ ସନ୍ଧ୍ୟା । ଯିବକି ଥରେ ତା ପାଖକୁ ଅସମୟରେ । ତା ସ୍ବାମୀ

ନଥିଲା ବେଳେ କିଛି ଅସଂଲଗ୍ନ ଆଳାପ ଆଉ ଅରୁଚିକର ପରିବେଶକୁ ନେଇ ।

ସନ୍ଧ୍ୟାକୁ ନେଇ କବିତା ନୁହେଁ ସେ ଯଦି ଗୋଟେ ଦୀର୍ଘ ଉପନ୍ୟାସ ଲେଖି ପାରନ୍ତା, ତାହେଲେ କେମିତି ହୁଅନ୍ତା ? ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ତାକୁ ବାଧ୍ୟ କରି ଦୁଃଖୀ ଚରିତ୍ରଟିଏ କରିରଖନ୍ତା । ତାର ସୁନ୍ଦର ବୈବାହିକ ଜୀବନରେ କିଛି ଭେଜାଲ ମିଶାଇ ବିଷାକ୍ତ କରିଦିଅନ୍ତା ଆଉ ଖୁସି ହୁଅନ୍ତା । କିନ୍ତୁ ଏଇଟାକି ଅବାନ୍ତର ରୁଚି ଯେ ତାର ବିଗତ ପ୍ରେମିକାକୁ ଅନାୟାସରେ ପାଇଯିବ ଆଉ ତାକୁ ଦୁଃଖୀ କରିଦେବ । ସନ୍ଧ୍ୟା ଦୁଃଖୀ ହେଲେ ସେ କ’ଣ ସତରେ ଖୁସିହେବ ?

କେତେବଡ଼ ଫୁଲ ଗଛଟା । ବାସ୍ନା ଭରା ଫୁଲ ବୋଝେଇ ହୋଇଛି ।

ଝୁପୁଡ଼ିର ସେଇ ଝିଅଟି ସବୁଦିନ ସେଥିରୁ ମେଞ୍ଚେ ଫୁଲ ଗୁନ୍ଥି ଲଗେଇଥାଏ ।

ଏତେ କାମଦାମ ଭିତରେ ସମୟ ବାହାର କରି ଫୁଲ ଗୁନ୍ଥେ । ଗୋଟିଏ ବି ଦିନ ବାଦ୍ ପଡ଼େନି । ତାକୁ ଦେଖିଲେ କେମିତି ଗୋଟିଏ ଆତ୍ମୀୟତା ଆସେ ମନଭିତରେ । ନୂଆ ନୂଆ ଓଡ଼ିଆ ଶିଖୁଥିବା ସେଇ ଝିଅଟିର ନୀଳ ଆଖି ଦୁଇଟା କେଉଁ ଅଜଣା ସ୍ବପ୍ନରେ ବିଭୋର । ତାକୁ ଦେଖିଲେ ମନେ ହୁଏ ସେ ରାତୁସିଂର ଝିଅ ନୁହେଁ, ଅମରାବତୀର ଦେବକନ୍ୟାଟିଏ । କିଛି ଦିନ ପାଇଁ ଶାପଗ୍ରସ୍ଥ

ହୋଇ ଯନ୍ତ୍ରଣାର କାରାଗାରରେ ଅପେକ୍ଷାରତ । ସତରେ ରାତୁସିଂ କାହିଁକି ଆଣିଲା ଏଇ ଝିଅଟିକୁ ଏଇ ସହରକୁ ? ଅନେକ ଶିକାରୀ ଦୃଷ୍ଟି ସହିତ ମୁକାବିଲା କରିବାକୁ ରାତୁସିଂର ଦୁର୍ବଳ ଛାତିରେ କ’ଣ ସାହସ ଅଛି ? ସେଦିନ ସୌରଭ ଯାଇଥିଲା

ଝୁପୁଡ଼ିକୁ । ଝିଅଟି ତା ବାପକୁ କହୁଥିଲା ଚାଲ ଆମେ ଗାଁକୁ ପଳେଇବା । ମତେ ଏ ସହର ଭଲ ଲାଗୁନି । ରାତୁସିଂ ରାଗିଯାଇଥିଲା । କହିଲା ଏ ସହର ଛାଡ଼ି ଚାଲିଗଲେ ଏତେ ପଇସା କେଉଁଠି ମିଳିବ ? ଖାଇବା, ପିନ୍ଧିବା ଯୋଗାଡ଼ ହୋଇପାରିବ ?

ଝିଅଟି ଚୁପ ହୋଇଯାଇଥିଲା । ସତରେ ତ, ତାପରି ଝିଅର ଅଭିମାନ ଗୋଟେ କ’ଣ ? ଖାଇବା ପିନ୍ଧିବାଟା ଖୁବ ଗୋଟାଏ ବଡ଼ କଥା । ଏଇ ମିଛ ଆଲୁଅର ବିଷମୟ ପୃଥିବୀଠାରୁ ତାର ନିଜ ପ୍ରାପ୍ୟ ମାଗିବାଟା ଯେମିତି ଗୋଟାଏ ବିରାଟ ଭୁଲ । ଆଉ ଏକ ଆଶ୍ଚର୍ଯ୍ୟ ପ୍ରଶ୍ନବାଚୀ । ତା ସ୍ବପ୍ନର ଭିଟାମାଟିଟା ସବୁଦିନ ଖାଲି ପଡ଼ିବ ଆଉ ସେଠି ଛୋଟ ଘରଟିଏ କେବେବି ଗଢ଼ି ହେବନି ?

ପ୍ରଥମେ ରାତୁସିଂ ଆସି ଥିଲା ଏଇ ସହରକୁ । ତାର ଛୋଟ ଝୁପୁଡ଼ିର ଆଦର ନଥିଲା । ତାର ହାତ ତିଆରି ବରା, ପିଆଜି, ଚାଲୁ ଚାହାର କାଟତି ନଥିଲା । ଝୁପୁଡ଼ି ଉପରେ ଧୂଆଁ ଦେଖାଯାଇ ପୁଣି ଲିଭି ଯାଉଥିଲା । ଦିନେ ଦୋକାନ ଚାଲିଲେ ଚାରିଦିନ ବନ୍ଦ ହୋଇ ରହୁଥିଲା । ସୌରଭ ଥିଲା ତାର ନିତିଦିନିଆ ଗ୍ରାହକ । ଶୀତ ସକାଳର କୁହୁଡ଼ିଆ ଚାଦର ତଳେ ଝୁପୁଡ଼ି ଭିତରେ ବସି ରାତୁସିଂର ଥରିଲା ଦୁର୍ବଳ ହାତରୁ ଚା କପ୍ ନେଲାବେଳେ କେମିତି ଗୋଟାଏ ଉଷ୍ମ ଉତ୍ତେଜନା ଆସୁଥିଲା । ରାତୁସିଂର ହାତଲେଖା ଗଳ୍ପ ପଢ଼ିବା ପାଇଁ କେମିତି ଗୋଟିଏ ହସ ଆଉ ଦୁଃଖର ମିଶାମିଶି ମହମ ରଙ୍ଗ ଟିକେ ତା ମୁହଁରେ ମିଶିଯାଉଥିଲା ଯାହାପଢ଼ି ହେଉଥିଲା, ବୁଝି ହେଉନଥିଲା ।

ହଠାତ୍ ସମସ୍ତଙ୍କୁ ତାଜୁବ କରି ରାତୁସିଂର ଝୁପୁଡ଼ିକୁ ନୂଆକରି ଆସିଥିଲା ସେଇ ଝିଅଟି । ରାତୁସିଂ ମନରେ ତାହେଲେ ସାଇତା କିମ୍ବଦନ୍ତୀଟିଏ ଥିଲା ।

ସେଇ ନିର୍ଜନ କୁହୁଡ଼ି ଭିତରେ ସୂର୍ଯ୍ୟ ଦେଖାଯାଉନଥିବା ଅନାମୀୟ ସକାଳଟି

କେଉଁ ଏକ ଅଜଣା ପରିତୃପ୍ତିରେ ଭରି ଉଠିଥିଲା । ରାତୁସିଂର ଝୁପୁଡ଼ି ଆଉ ଏକୁଟିଆ ମନେ ହେଲାନାହିଁ । ଗହଳ ଚହଳ ଲାଗି ରହିଲା । ତା ଝୁପୁଡ଼ିର ଧୂଆଁ ଉଠିଥିଲା ଅନେକ ଉପରକୁ । ସୌରଭ ରାତୁସିଂକୁ ଶୀତ କୁହୁଡ଼ିର ଆଲୁଅ ଭିତରେ କି ବିଳମ୍ବିତ ପ୍ରହରରେ ଆଉ ଏକୁଟିଆ ପାଇଲା ନାହିଁ । ରାତୁସିଂର ଜୀବନଟା ନୂଆ ଏକ ଥିଓରମ ପାଲଟିଗଲା । ରାତୁସିଂ ଭାରି କର୍ମମୁଖର ବ୍ୟସ୍ତ ମଣିଷଟେ ପାଲଟି ଗଲା । ତାର ହାଡୁଆ ଛାତି ତଳେ ନୂଆ ଏକ ସ୍ପନ୍ଦନର ସ୍ଵରଟିଏ

ଶୁଣାଗଲା । ତାର ଶକ୍ତ ହାତ ପାପୁଲିରେ ସ୍ଵର୍ଗର ପ୍ରାଚୁର୍ଯ୍ୟ ଝରିପଡୁଥିଲା ମୁଠାମୁଠା । ସେ କେତେ ଶୀଘ୍ର ଏମିତି ସୁଖୀ ମଣିଷଟେ ପାଲଟିଗଲା ଯେ ?

ଆଉ ତାର ଝୁପୁଡ଼ି ଲିପା ପୋଛା ହୋଇ ଚିକ୍କଣ ଦିଶୁଥିଲା । ତା ଭିତରେ ସେ ଝିଅଟି ଘରକାମ କରୁଥିଲା । ରାତୁସିଂ ଛୋଟକାଟିଆ ଭାତ ହୋଟେଲ ଖୋଲିଦେଇଥିଲା । କିଏ କେମିତି ଚାଲି ଆସିଲେ ରାନ୍ଧିବାଢି ପରସି ଦଉଥିଲା ଝିଅଟି । ସେଦିନ ସୌରଭ ଯାଇଥିଲା ଝୁପୁଡ଼ିକୁ । ଭାରି ଶୂନଶାନ ଲାଗୁଥିଲା ।

ଝିଅଟି କହିଲା, ଆଜିକାଲି ଦିନରେ ପ୍ରାୟ ଗରାଖ ଆସନ୍ତି ନାହିଁ । ଯିଏ ଆସନ୍ତି ରାତିରେ । ବାପା ଚା ଦୋକାନ ବନ୍ଦ କରିଦେଇଛି । ସୌରଭ ଲଜ୍ଜିତ ହୋଇପଡ଼ିଲା । ରାତୁସିଂ ଚା ଦୋକାନ ବନ୍ଦ କରିଦେଇଛି । ଅଥଚ ସେ ଆସିଥିଲା।

କେବଳ ଚା କପେ ପାଇଁ । ଝିଅଟି ପରିସ୍ଥିତି ବୁଝିଲା କି କ’ଣ, କହିଲା ଦୋକାନ ବନ୍ଦ ହେଲେ କ’ଣ ହେଲା, ଆପଣ କ’ଣ ଚା କପେ ନପିଇ ଚାଲିଯିବେ ?

ବାପା ତ କହୁଥିଲା ଆପଣ ତାର ପ୍ରଥମ ଗ୍ରାହକ । ସୌରଭ ବାଧ୍ୟ ହୋଇ ବସି ପଡ଼ିଲା । ଝୁପୁଡ଼ିଟା ଭାରି ନିଛାଟିଆ ଲାଗୁଥିଲା । ବାହାରେ

ଦେଖାଯାଉଥିଲା ଅପରାହ୍ନର ଉଦାସ ଆକାଶ । ଝୁପୁଡ଼ି ଭିତରେ ଠାଆକୁ ଠାଆ ନରମ ଖରା ଲେସି ହୋଇଯାଉଥିଲା । ସୌରଭ ବେଶି ବେଳ ବସିବାକୁ ଉଚିତ ମନେ କଲାନାହିଁ । ରାତୁସିଂ ଯଦି ଆସି ପହଞ୍ଚିଯାଏ ତାହେଲେ କ'ଣ ଭାବିବ ? ସେ ଦିନର ସଉଦା ବନ୍ଦ କରି ରାତି ପାଇଁ ଗରାଖ ଖୋଜୁଛି । ସୌରଭ ବ୍ୟସ୍ତ ହୋଇପଡ଼ିଲା ।

କେତେଗୁଡ଼ାଏ ଅନାବନା କଥାକୁ ଫେଣ୍ଟାଫେଣ୍ଟି କଲାବେଳେ ସେଇ ଝିଅଟି ସୁନ୍ଦର ଚା କପେ ଧରି ପହଞ୍ଚିଲା । ସେଦିନ ବି ଥିଲା ତା ଗଭାରେ ସେଇ

ଅନାମିକା ବାସ୍ନାଭରା ଫୁଲ ପେନ୍ଥାଏ । ଝିଅଟି ମନକୁ ମନ କହୁଥିଲା ବାପା ଯାଇଛି ମାଂସ ଆଣିବାକୁ । ଶୀଘ୍ର ରନ୍ଧାରନ୍ଧି କଲେ ସେମାନେ ଆସିବେ ।

ସୌରଭ ଚମକି ପଡ଼ିଲା । ତାକୁ କେମିତି ଅଣନିଶ୍ୱାସୀ ଲାଗିଲା । ଚା କପର ଦାମ୍ ଦେଲାବେଳେ ଝିଅଟି ମନାକଲା । କହିଲା, ଆପଣଙ୍କ ଠାକୁର ପରା ଜଗନ୍ନାଥ । ମତେ ସେଥିରୁ ଗୋଟେ ଆଣିଦେବେ । କ'ଣ କହୁଛି ଏଇ ଅଣ

ଓଡ଼ିଆ ଝିଅଟା ! ସୌରଭର ଭାରି ଇଚ୍ଛା ହେଉଥିଲା ଝିଅଟିକୁ ଟିକେ ସାହାଯ୍ୟ କରନ୍ତା । ଟିକେ ସହାନଭୁତି ଦେଖାନ୍ତା । ଆସନ୍ନ ସନ୍ଧ୍ୟାର ଆଲୁଅ ଭିତରେ ଝିଅଟା କେମିତି ଭାରି ଦୁଃଖୀ ଦୁଃଖୀ ମନେହେଲା । ସୌରଭ ତା' ପରଠାରୁ କେବେବି ସେ ଝୁପୁଡ଼ିକୁ ଯାଇନଥିଲା କି ଜଗନ୍ନାଥଙ୍କ ଫଟୋଟିଏ ତାକୁ ଉପହାର

ଦେଇନଥିଲା । ତାର ସେ ଝିଅପାଇଁ ଏତେ ମୁଣ୍ଡ ଖେଳେଇବା କ'ଣ ଦରକାର ଯେ ? ବାପ ହୋଇ ଝିଅଟାକୁ ଯେତେବେଳେ କଂସେଇ ପରି ଓଜନ କରିବା ଶିଖୁଛି, ସେ ଏଥପାଇଁ କାହିଁକି ବ୍ୟସ୍ତ ହେବ ?

କ'ଣ କରୁଥିବ ଝୁପୁଡ଼ିର ସେଇ ଝିଅଟା ! ଯିବକି ଥରେ ସେ ଝୁପୁଡ଼ିକୁ ।

ରାତ୍ରୀର ଗ୍ରାହକ ହିସାବରେ ନାମ ଲେଖାଇ ତା ମନର ଖୋରାକ ଆଦାୟ କରିଦେବ ଆଉ ତା ରୁମର ଅନ୍ଧାର ଭିତରେ ସପନର କୁହୁଡ଼ିରେ ହଜିଯିବ ।

ଏ ରାତିର ଅନ୍ଧାର, ଅନାମିକା ଫୁଲର ବାସ୍ନା ଆଉ ସେ ଝୁପୁଡ଼ିର ଝିଅଟାକୁ ।

ନେଇ ବେଶ୍ନ ଗୋଟାଏ ଗପ ଲେଖାଯାଇପାରନ୍ତା ।


ସୌରଭ ଚାଲିବାକୁ ଲାଗିଲା । ମୁଣ୍ଡ ଉପରେ ନିଶବ୍ଦ ଆକାଶର ବହଳ ଅନ୍ଧାର ନଇଁ ଆସୁଛି । ଦୂରରୁ ରିଫୁଇଜ୍ କଲୋନୀର ଆଲୁଅ ଦେଖାଯାଉଛି ।

ଘରେ ପହଞ୍ଚି ଲାଇଟ୍ ଲଗାଇ ସେ ଘଡ଼ି ଦେଖୁଲା । ଏଗାରଟା ବାଜିବାକୁ ଆଉ କେତେ ମିନିଟ ବାକି । ଏତେ ରାତିରେ ଆଉ ଖାଇବାକୁ ଇଛା ହେଲାନାହିଁ । ସେ ଗ୍ଲାସେ ପାଣି ପିଇଲା ଆଉ ଚାହିଁରହିଲା ମେଘର ଝରକା ଭିତରେ ଅସହାୟ ତାରା କେତୋଟିକୁ । ଆଜି ସେ ଝୁପୁଡ଼ିର ଝିଅଟାକୁ ନେଇ ନିଶ୍ଚୟ ଲମ୍ବା ଗପଟିଏ ଲେଖିବ ଆସନ୍ତା କାଲିର ରୁଗ୍ଣ ସକାଳଟି ଆସିବା ଆଗରୁ । ତାର ଆଖି ପଡ଼ିଲା ଚନ୍ଦନ କାଠର ମୂର୍ତ୍ତି ଉପରେ । ଝୁପୁଡ଼ିର ସେଇ ଝିଅଟା ଜଗନ୍ନାଥଙ୍କ ମୂର୍ତ୍ତି କି ଫଟୋଟିଏ ମାଗୁଥିଲା । କ’ଣ ସେ ଝିଅଟାର ନାଁ କେଜାଣି ? ସୌରଭ ଉଠିଲା ।

କ’ଣ ଭାବି ଧୂପଦାନୀରେ ଧୂପ ସଜେଇ ଦେଲା ଆଉ ଭାବିଲା ଏଇ ଜଗନ୍ନାଥ ମୂର୍ତ୍ତିଟା କେବେ ଯାଇ ସେ ଝିଅଟାକୁ ଦେଇଦେବ । ପରେ କେବେ ମୂର୍ତ୍ତିଟାଏ କିଣି ପୂଜା କଲେ ଚଳିବ । ତାପରେ ସେ ଲେଖୁବାକୁ ଆରମ୍ଭ କଲା ଭଙ୍ଗାରୁଜା ଅନୁଭୂତି ଆଉ ତା ମନର ଛିଣ୍ଡା ଛିଣ୍ଡା ଅବୁଝା ଅବଶୋଷକୁ ନେଇ ।

ବାହାରେ କିଏ ଗୋଟିଏ କାନ୍ଦୁଥିଲା । ସୌରଭର ଗପ ଲେଖା ବନ୍ଦ ହୋଇଗଲା ଅଧାରୁ । ସେ ଫେରି ଆସିଲା ସେଇ ନିଷ୍ଠୁର ପୃଥିବୀର ବାସ୍ତବ ଫାଟକ ପାଖକୁ ।

କବାଟ ଖୋଲି ସେ ଚମକି ପଡ଼ିଲା । ଝୁପୁଡ଼ିର ସେଇ ଝିଅଟି ଗୁମୁରି ।

ଗୁମୁରି କାନ୍ଦୁଥିଲା ଯାହାକୁ ନେଇ ସେ ଗପ ଲେଖୁଥଲା । ଅନ୍ଧାରରେ କିଛି ଲୋକ ଦୌଡ଼ି ପଳାଉଥିଲେ । ଝିଅଟି ଘରକୁ ଫେରିବାକୁ ମଙ୍ଗୁନଥିଲା । କାନ୍ଦି କାନ୍ଦିକହୁଥିଲା, ସେ ହୋଟେଲ ବାଲାଟା ଆସିଥିଲା ।

କହିଲା ଚାଲ ମୋ ସାଙ୍ଗରେ,ନହେଲେ ତୋ ଝୁପୁଡ଼ି ପୋଡ଼ି ଦେବି । ଜାଳିଦେବି । ବାପା ବି ସେମାନଙ୍କ

କଥାରେ ରାଜି ହୋଇଯାଇଛି । ସକାଳ ନ ହେଉଣୁ ମୁଁ ଚାଲିଯିବି । ମତେ ରାତିଟେ ଆଶ୍ରା ଦିଅନ୍ତୁ ବାବୁ । କେହି ଜାଣିବେ ନାହିଁ ।କେଉଁ ଭାଷାରେ ତାକୁ ବୁଝେଇବ ସୌରଭ । କାନ୍ଥ ଉପରେ ଜଗନ୍ନାଥଙ୍କ ମୂର୍ତ୍ତି । ଏକ ଲୟରେ ଚାହିଁ ରହିଛି । ଚଟାଣ ଉପରେ ଗାଲରେ ହାତ ଦେଇ ବସିଛି ଝୁପୁଡ଼ିର ସେଇ ଝିଅଟି । ଗୋଟିଏ ପୁରୁଷକୁ ଅବିଶ୍ୱାସ କରି

ଆଉଗୋଟିଏ ପୁରୁଷକୁ ଆଶ୍ରୟ ମାଗୁଛି ରାତିଟିଏ ପାଇଁ ।



Rate this content
Log in

Similar oriya story from Drama