ପିକନିକ
ପିକନିକ
ଲିନା ସ୍କୁଲରୁ ଫେରୁଥିଲା । ସରି ସରି ଆସୁଛି ଶୀତ । ଆଃ ଶୀତଋତୁରେ କେତେ ରୋମାଞ୍ଚ କେତେ ମାଦକତା। ବାଟରେ ମୀନାବଜାର ଖୋଲିଛି।ସିନି ରୋନି ସମସ୍ତେ ଯାଉଛନ୍ତି ଦେଖିବାକୁ । ତାକୁ ଡାକୁଥିଲେ।ସେ ମନା କଲା।ମୀନାବଜାର ଗଲେ ସବୁ ପଇସା ଖର୍ଚ ହୋଇଯିବ। ଲିନା ମନକୁମନ ହସି ପକାଇଲା । କାଲି ରବିବାର ଥିଲା। ସମସ୍ତଙ୍କ ଅଜାଣତରେ ଯେଉଁ କାମଟି ସେ କରିଦେଇଛି ଘରେ ବାହାରେ କାହାକୁ କହିନି।
ବାଟରେ ଗୁପଚୁପ ଠେଲା ଧାଡ଼ିକି ଧାଡି। ଫୁଟପାଥରେ ବୁଲାବିକାଳି ମାନଙ୍କ କୋଳାହଳ ଗୁପଚୁପ ଖାଇବ କି? ନା ସେ ସାନ ଭଉଣୀ କୁ ଲୁଚେଇ ଖାଇପାରିବନି। ଆଜି ପିକନିକ ପାଇଁ ପଇସା ଜମା କରିଦେଇଥିଲେ କାମ ସରି ଯାଇଥାନ୍ତା କିନ୍ତୁ ବୋଉକୁ ନକହି ସେ କିଛି ବି କରେନି। ଆଜି ର କଥା କହି ବୋଉକୁ ଚମକେଇ ଦେବ। ନିଜ ପାରିଲା ପଣିଆକୁ ବୋଉକୁ ଉପହାର ଦେବ। ଆଃ ବିଚାରୀ ବୋଉ କେତେ ସହିଛି ସେ ପିଲାମାନଙ୍କ ପାଇଁ। ବୋଉର କାନଫୁଲ ଆଉ ନାକନୋଥ ନଥିବା ଖାଲି ମୁହଁକୁ ଦେଖିଲେ ତାକୁ ବିକଳ ଲାଗେ, ତେବେ ସେ ବଡ ହେଲାଣି। ଛୋଟ ମୋଟ ଅଭାବ ଅସୁବିଧାକୁ ଦୁରେଇ ପାରିବ। ପାଠ ପଢି ଚାକିରୀ କରିବ। ଆଜିକାଲି ଝିଅ ମାନଙ୍କ ପାଇଁ କେତେ ଯୋଜନା ହେଲାଣି ବୋଲି ପଡିଶା ଘର ପାଠୋଇ ଭାଉଜ କହୁଥିଲେ। ପୋଲ ତଳେ ଚହଲା ପାଣିର ଢେଉ। ନାଳ ପାରିହେଲେ ବୁଦୁବୁଦୁକିଆ ଜଙ୍ଗଲ। ଭଲ ଲାଗେ ବୁଲିବାକୁ ହେଲେ ବେଳ କାଇଁ। ବୋଉ କହିଛି ପୋଲ ତଳକୁ ଜମାରୁ ଓଲ୍ହାଇବୁନି। ନିଛାଟିଆ ଜାଗାଟା। ଘରକୁ ଶୀଘ୍ର ଆସିବୁ। ଘରେ କେତେ କାମ ମସଲା ବଟା ପରିବା କଟା ବାସନ ମଜା ଆହୁରି କଣ କଣ କାମ। ଆଠଦିନ ହେଲା ଲାଇନ କଟିଛି। ଡ଼ିବିରି ଆଲୁଅରେ ପାଠ ପଢିବାକୁ ପଡିବ। ଲିନା ଦୀର୍ଘନିଶ୍ଵାସ ଛାଡିଲା ।ଗରିବ ହେବା କଣ ପାପ? ସାର କହୁଥିଲେ ଅନେକ ଜଣାଶୁଣା ମହାପୁରୁଷ ସମ୍ମାନ ପାଉଥିବା ମଣିଷ ଗରିବ ଘରେ ହିଁ ଜନ୍ମ ହୋଇଛନ୍ତି।
ସାଙ୍ଗ ସାଥୀ ଗାଡ଼ିରେ ରିକ୍ସାରେ ଘରକୁ ଫେରୁଛନ୍ତି । ସେ ରିକ୍ସାଟିଏ ଯୋଗାଡ କରିଥିଲା ସାଙ୍ଗ ହୋଇ ଯିବାକୁ ବୋଉ ମନାକଲା। ଏମିତି କେତେ ବାଟ କି ,ଚାଲି ଚାଲି ଗଲେ ଫୁର୍ତ୍ତି ଲାଗିବ। ବୋଉ ଟା ଟିଫିନ ଖର୍ଚ ପାଇଁ ପଇସାଟେ ଦିଏନି ।
କହେ ବାହାର ଖାଦ୍ୟରେ ଭେଜାଲ ଦେହ ଖରାପ। ପୁରୁଣା ଟିଫିନ ଡବାରେ ଦେଇଥାଏ ଚୁଡା ଭଜା ରୁଟି ସନ୍ତୁଳା ଆଉ ପୁନିଅଁ
ପରବରେ ବଳି ପଡିଥିବା ପିଠା। ସୁନ୍ଦର ପ୍ଲାଷ୍ଟିକ ଡବାଟେ କିଣିବାକୁ ଭାରି ମନହୁଏ ତେବେ ବୋଉକୁ କହିବାକୁ ସାହସ ହୁଏନି।
ଆଜିତ ସାନଭଉଣୀ ଚକଲେଟ କିଣିବାକୁ ପଇସା ମାଗୁଥିଲା ଯେ ବୋଉ ତାକୁ ଚାପୁଡ଼ାଟେ ପକେଇ କହିଲା ମୁଣ୍ଡକୁ ତେଲ ଟିକେ ମିଳେନି କଣ ନା ଚକଲେଟ ଖାଇବ। ପିକନିକ ପାଇଁ ପଇସା ଯୋଗାଡ କରିବା କଥା ସେ ବୋଉକୁ କହିବାକୁ ଭାବିଥିଲା
କିନ୍ତୁ ବୋଉର ଥମ ଥମ ମୁହଁ ଦେଖି ଚୁପ ପଡିଲା। ସ୍କୁଲରୁ ଫେରିଲେ ସେ ସବୁ କଥା କହିବ। କାଲି ପିକନିକ ପାଇଁ ପଇସା ସ୍କୁଲରେ ଦେବାକୁ ପଡିବ।
ବୋଉ କଣ ପାଇଁ ସବୁ ବେଳେ ଚିଡ଼ ଚିଡ଼ ହୁଏ ଅଧ ରାତିରେ ବାପାଙ୍କ ସହିତ ଝଗଡା କରେ। ବାପଘରକୁ ଚାଲିଯିବ ବୋଲି
ଧମକ ଦିଏ। ଥରେ ତ ଏମିତି ହେଲା ବୋଉ ବିନା ଉପକ୍ରମଣିକାରେ ବାପ ଘରକୁ ବାହାରିଲା । ମାମୁ ଘରକୁ ଯିବା ପାଇଁ ଲିନା ମନେ ମନେ ଭାରି ଖୁସି ହୋଇଯାଇଥିଲା । ମାମୁଁଘର ଗାଡ଼ିଆ ଆମ୍ବତୋଟା , ଉଚ୍ଚପିଣ୍ଡା ତଳେ ଲୁଚକାଳି ଖେଳ। ବାରି ଅଗଣା ଶୁଆ ଶାରୀ ପଞ୍ଜୁରୀ । କୂଅ ଚାନ୍ଦିନୀ ବଉଳ ଗଛ । ପୁଣି କଣ ହେଲା ବାପା ବୋଉକୁ କଣ କହି କ୍ଷମା ମାଗି ଭୁଲେଇ ଦେଲେ ।
ସେତେବେଳେ ଲିନା ବହୁତ ସାନ ଥିଲା ବୁଝି ପାରିଲାନି । ବୋଉ ଆଉ ଗଲାନି। ଲିନାର ମନ ଫିକା ପଡିଯାଇଥିଲା।ହଉ ଥାଉ ସେ କଥା ଏଥରକ ଖରା ଛୁଟି ରେ ସେ ମାମୁଁ ଘରକୁ ଯିବ ଯେତେଦିନ ଇଚ୍ଛା ସେତେଦିନ ରହିବ।
ଆଗ ଯେଉଁଠି ସେ ତଳ କ୍ଲାସରେ ପଢୁଥିଲା ଭଲ ଥିଲା । ସାଙ୍ଗ ସାଥୀ ବହୁତ ଥିଲେ । ରିସେସରେ ଗରମ ଭାତ ଡାଲମା ଖାଇବାକୁ ମିଳୁଥିଲା।କେବେ କେବେ ଅଣ୍ଡା ତରକାରୀ । ସେ ସପ୍ତମ ଶ୍ରେଣୀରେ ବୃତ୍ତି ପାଇଥିଲା ଯେ ସବୁ ଟଙ୍କା ବୋଉ ଘର ଖର୍ଚରେ ସରେଇଦେଲା। ସେ ପଇସା ଯଦି ଥାନ୍ତା ତାହେଲେ ପିକନିକ ଚାନ୍ଦା ଦେବାପାଇଁ ଏତେ ଭାବିବାକୁ ପଡ଼ିନଥାନ୍ତା।
ଲିନା ଆଉଥରେ ସବୁ ପଇସା ମନେ ମନେ ହିସାବ କରିନେଲା । ସରାଗାତ ଭାଙ୍ଗି ଆଉ ପୁରୁଣା ଖାତା ବହି ବିକି ସେ ପଇସା
ଯୋଗାଡ କରିଦେଇଛି। ପିକନିକ ଚାନ୍ଦା ଦେଇ ସାରିଲା ପରେ ଆହୁରି କିଛି ବଳିବ। ସାନଭଉଣୀ ପାଇଁ ଚକଲେଟ କିଣିଦେବ।
ଯେମିତିହେଲେ ପିକନିକ ଯିବାକୁ ପଡିବ। ଆର ବର୍ଷ ପଇସା ଅଭାବରୁ ସେ ଯାଇନଥିଲା । ଏ ବର୍ଷ ନଗଲେ ସେ ତଳେ ପଡ଼ିଯିବ। ସାଙ୍ଗ ସାଥୀ ଯିବେ ଫେରିଲା ପରେ ତାକୁ ସବୁ କହିବେ ଭୋଜିରେ କଣ କଣ ହୋଇଥିଲା । କେତେଦିନ ହେଲା ସେ
ଭୋଜି ଖାଇନି। ମାଉସୀ ବାହାଘରକୁ ଯାହା ସିଏ ଯାଇଥିଲା। ଭୋଜି ଖାଇବା ପାଇଁ ଜଗି ଜଗି ରାତି ଅଧ ହୋଇଯାଇଥିଲା। ସେ ଶୋଇ ପଡିଥିଲା। ନିଦ ଭାଙ୍ଗିଲା ବେଳକୁ ମାଉସୀ ବିଦା ହୋଇ ସାରିଥିଲା। ସେ ଭୋଜି ଖାଇବା ପାଶୋରି ଦେଇଥିଲା।
ସେ ସବୁ ବହୁତ ଦିନ ତଳର କଥା। ମନେ ପକାଇ କିଛି ଲାଭ ନାହିଁ। ଗୋଟେ ଗପ ବହିରେ ସେ ପଢିଥିଲା। ଭୁଲିଯିବାଟାହିଁ
ଜୀବନ । ବର୍ତମାନରେ ଜିଇଁବା ହିଁ ମଣିଷ ପଣିଆ ର କର୍ତ୍ତବ୍ୟ।
ଏ ବର୍ଷ ପିକନିକ ରେ ସେ ମଜା କରିବ। ମାମୁନି ସାଥିରେ । ମାମୁନି ତାର ଭଲ ସାଙ୍ଗ। ବଡ ଘର ଝିଅ ତଥାପି ଟିକିଏ ବୋଲି ଗର୍ବ ନାହିଁ। ଆଣିଥିବା ଜଳଖିଆ ସାଙ୍ଗରେ ଖୁଆଏ। ବାଟରେ ଭେଟ ହେଲେ ଗାଡି ଅଟକାଏ। ଡ୍ରାଇଭର ଗାଡି ଚଲଉଥାଏ।
ଗାଡ଼ିରେ ଗୀତ ବାଜୁଥାଏ। ପରଫ୍ୟୁମର ବାସ୍ନାରେ ଭିଜି ଭିଜି କେତେବେଳେ ରାସ୍ତା ସରିଯାଏ ଜଣାପଡେନି । ତଥାପି ସେ ଅଭାବର ଧାରା ବିବରଣୀ ମାମୁନି ଆଗରେ ପଢ଼ିପାରେ ନାହିଁ।
ଲିନା ଭାବେ ଯେତେ କମ ପାଠ ପଢିଲେବି ସେ ଚାକିରୀ କରିବ। ନିଜ ରୋଜଗାରରେ ନିଜେ ଖର୍ଚ୍ଚ କରିବ। ବୋଉ କାନିରେ
ପଇସା ବାନ୍ଧିଦେବ। ବାପାଙ୍କ ପାଇଁ ସ୍ବେଟର କମ୍ବଳ କିଣିଦେବ। ଆଉ ସାନଭଉଣୀକୁ ହାତ ଖର୍ଚ ଦେବ।ରଥଯାତ୍ରା କି କୁମାର ପୂର୍ଣ୍ଣମୀରେ ତାପରେ ତାପରେ।।।।
ସପନର ହାୱାରେ ଭିଜି ଭିଜି କେତେ ବାଟ ସେ ଆସି ସାରିଲାଣି । ବାଟରେ ବାଉଁଶରାଣୀ ଖେଳ ହଉଛି। କେତେ ଉଚ୍ଚରେ ଟିକି ଝିଅଟେ ଚାଲୁଛି। ପଡ଼ିଯିବ ନାହିଁତ । ବଡ ଝିଅଟି ନାଚ କରୁଥିଲା ବାପା ବାଜା ବଜଉଥିଲା। ଲୋକମାନେ ରୁଣ୍ଡ ହୋଇଥିଲେ। ଟଙ୍କା ପଇସା ଫୋପାଡୁଥିଲେ। ହୁଇସିଲ ମାରୁଥିଲେ । ଜଣେ କିଏ ପଚାରୁଥିଲା ବାପାକୁ ଅପେରାରେ ମିଶିବକି ତମ ଝିଅ? ବାପ ନାହିଁ କରୁଥିଲା। ବାଉଁଶରାଣୀ ଖେଳ ସରି ସରି ଆସୁଥିଲା।ବାପ ଦୁଇ ଝିଅ ରାସ୍ତା ତଳକୁ ଓଲ୍ଲହାଇବାକୁ ବାହାରିଲେ । ଆଜିର ରୋଜଗାର ଗଣିଲେ। ସେ ବାଉଁଶରାଣୀ ଝିଅ କୁ ଦୁଇ ଟଙ୍କା ଦେଲା।ତାରି ବୟସର ଝିଅ ଟି। ମା ନାହିଁ ବୋଧହୁଏ । ପାଠ ପଢିବାଛାଡ଼ି ଘର ସମ୍ଭାଳିବା ଶିଖୁଛି। ବାଉଁଶରାଣୀ ଖେଳ ଖେଳି ଜୀବନ କଟାଉଛି। ଜୀବନଟା ଏକ ଖେଳଘର କିଏ କେଉଁ ଖେଳରେ ପାରଙ୍ଗମ।
ସେ କଥା ଏବେ ଥାଉ। ଆଉ ଅଳ୍ପ ସମୟ ଗଲେ ସଞ୍ଜ ନଇଁ ଆସିବ। ଲାଇଟ ଜଳିଲାଣି। ଘରେ ପହଞ୍ଚିଲା ବେଳକୁ ବୋଉ ଚଉରାମୂଳରେ ସଞ୍ଜବତୀ ଦେଉଥିଲା। ପ୍ରଣାମ ଜଣାଉଥିଲା। କଣ ଆଉ ମାଗୁଛି ବୋଉ କାଲି ପଅରଦିନର ଘର ସଂସାର ପାଇଁ ଦାନା ପାଣି ପିଲାମାନଙ୍କୁ ଭଲରେ ରଖିବା ପାଇଁ କାକୁସ୍ଥ ପ୍ରାଥନା। ସାନଭଉଣୀ ଦିଟା ଲୁଚକାଳି ଖେଳ ଖେଳୁଥିଲେ । ଅଗଣାରେ। ବାଇଆର କିସ ଯାଏ ବାଆହେଲେ ବସା ଦୋହଲୁଥାଏ।। ଚୁଲି ଉପରେ ଭାତ ଫୁଟୁଥିଲା।
ରଚନା ଖାତାରେ ଆତ୍ମକାହାଣୀ ଲେଖିଲା ଭଳି ସେ ଆତ୍ମ କଥା କହିପକାଇଲା ନିଜ ଆତ୍ମସମ୍ମାନ ଆଉ ଆବେଗକୁ ମୁଠେଇ ଧରି ଅଣନିଶ୍ଵାସୀ ହୋଇ । ହୁଏତ ବୋଉ ଖୁସି ହୋଇଯିବ।ଆନନ୍ଦରେ କୁଣ୍ଢେଇ ପକେଇବ। ଝିଅ ନିଜ ବୁଦ୍ଧି ବଳରେ ସବୁ ସମାଧାନ କରିଦେଲା ବୋଲି। ପାଞ୍ଚ ଦିନ ହେଲାଣି ସେ ବୋଉକୁ ପଇସା ମାଗୁଛି। ବୋଉ କହୁଛି ରହ ଦେଖିବା। ଆଉ ଥରେ
ସରାଗାତ ଭାଙ୍ଗି ଔଷଧ ପାଇଁ ପଇସା ଯୋଗାଡ କରିଥିଲା । ବୋଉ ଆଶ୍ଚର୍ଯ୍ୟ ହୋଇ ଯାଇଥିଲା ,ଏଥର ବି ସେମିତି ଲିନା ମନରେ ଡେଣା ଲାଗି ଯାଇଥିଲା।
ବୋଉ ବୋଉ ଏ ପଇସା ପୁରୁଣା କାଗଜ ଖାତା ବିକି।।।।
ବୋଉ ପଇସା ଛଡେଇ ନେଇ କହିଲା ଭଲ କଲୁ।ରାତି ପାଇଁ ପରିବା ନାହିଁ ଡ଼ାଲି ଟିକେ ପାଇଁ ରୁନା କାନ୍ଦୁଛି। ତେଲ ନାହିଁକି
ଫୁଟଣ ନାହିଁ। ଭଗବାନ ଦେଲେ ବୋଉ ଖୁସି ହୋଇଗଲା। ଗଲୁ ଗଲୁ ସଉଦା ପରିବାପତ୍ର ଆଣିବୁ। ଆଜି ଦିନଟା ଭଲରେ ଟିକେ ଖାଇବା। କାଲି କଥା କାଲିକି ଚକେ ଗଲେ ବାରହାତ।
ଲିନା ର କଥା ଅଧା ରହିଗଲା।ସେ ପଥର ପରି ଠିଆ ହୋଇ ରହିଲା। ବୋଉ କହିଲା ଆଲୋ ଯାଉନୁ।
