ଆବର୍ତ୍ତ
ଆବର୍ତ୍ତ
ଶେଷ ବସନ୍ତର ଅପରାହ୍ନରେ ମେରୁନ ରଙ୍ଗର କାରଟା ଯେତେବେଳେ ଗେଟ୍ ପାଖରେ ଥୁଆହେଲା, ବିସ୍ମୟରେ ଆଖୁତୋଳି ଚାହିଁଲା ଅରୁନ୍ଧତୀ । ଲିପି,ଚିପୁ, କୁଲୁ, ସମସ୍ତେ ଆନନ୍ଦରେ ଚିତ୍କାର କରି ଗାଡ଼ିଟାକୁ ବେଢ଼ି ଗଲେ । କିଏ
ଗାଡ଼ି ଟାକୁ ଆଉଁସି ପକାଇଲା, ଆଉ କେହି ଡୋର ଖୋଲି ବସି ପଡ଼ିଲା । କେହି ବା ମିରରରେ ମୁହଁ ଦେଖିନେଲା । ପରମ ଆଗ୍ରହରେ ବୋଉ ବି ଆସି ଉଙ୍କି ମାରିଲା ଦାଣ୍ଡ କବାଟ ସେଫାଳରୁ । ସାରା ପରିବାରଟା ଯେତେବେଳେ ଆନନ୍ଦମୁଖର,
ଅରୁନ୍ଧତୀ କେମିତି ହତବାକ୍ ଭଙ୍ଗୀରେ ଠିଆ ହୋଇଥିଲା ।
ଆଜିକାଲିକା ବଜାରରେ ଏମିତି ଗାଡ଼ିର ଦାମ୍ କେତେ ହୋଇପାରେ ? ଅମୃତ କ’ଣ ଏତେ ଟଙ୍କା ବ୍ୟାଙ୍କ ଡିପୋଜିଟ କରିଥିଲା ଗାଡ଼ି କିଣି ସରପ୍ରାଇଜ୍ଦେ ଦେଲା ! ଅରୁନ୍ଧତୀର ବିଶ୍ବାସ ହେଲାନି । ଅଥଚ ଆଖ୍ ସାମ୍ନାରେ ସେ ଗାଡ଼ିଟାକୁ
ଦେଖୁଛି । ଅରୁନ୍ଧତୀ ଦୁର୍ବାଭନାର କଳାଦାଗ ସବୁ ପୋଛି ଦେବାକୁ ଲାଗିଲା । ଅମୃତ ତାର ସାନଭାଇ । ସେ ଚାକିରି କଲାଣି । ମୋଟା ଦରମା ପାଉଛି । ନିଜ ଉପାର୍ଜନରେ ସେ ଯଦି ଗୋଟେ ଗାଡ଼ି କିଣି ପାରିଲା, ଏଥିରେ ଆଶ୍ଚର୍ଯ୍ୟ ହେବାର
କ’ଣ ଅଛି ? ଏଥିରେ ସେ ଖୁସି ହେବାକଥା । ଅରୁନ୍ଧତୀ ନିଜ ଉପରେ ବିରକ୍ତ ହେଲା । ଆଉ ସଞ୍ଜବେଳେ ଖୁସିଗପ କଲାବେଳେ ଅମୃତ ଯେତେବେଳେ ଗାଡ଼ିର ରଙ୍ଗ ବିଷୟରେ ମତାମତ ପଚାରିଲା ସେତେବେଳେ ବହୁତ ତାରିଫ କଲା
ଅରୁନ୍ଧତୀ । ତାର ମନେପଡ଼ିଲା ତା ଷ୍ଟାଫ୍ ତାକୁ ଆକ୍ଷେପ କରିବା କଥା । ଅରୁନ୍ଧତୀ ବାହା ହୋଇନି ବୋଲିତ ଅମୃତ ଆଉ ଅପେକ୍ଷା କରିପାରିବନି । ଆଉ ଅମୃତ ଯେତେବେଳେ ବାହାହେବ ସେତେବେଳେ ସେ କ’ଣ ଅରୁନ୍ଧତୀର ମତାମତ
ଚାହିଁବ ? ଅରୁନ୍ଧତୀର ଛାତି ରେ କ’ଣ ଗୋଟିଏ ଯେମିତି ଅଟକି ଗଲା । ମୁଣ୍ଡବ୍ୟଥା ବାହାନା କରି ସେ ଉଠି ଯାଇଥିଲା । ଏ ଗାଡ଼ି କିଣିବା କଥାନେଇ ସେ ଏତେ ବିଚଳିତ ହେଉଛି କାହିଁକି ? ସେ କ’ଣ ଇର୍ଷା କରୁଛି ତା ସାନଭାଇକୁ ? ନିଜକୁ ନିଜେ ସେ ସଜାଡ଼ି ପାରୁନଥିଲା । କ’ଣ ସବୁ ଯେମିତି ଭୁଲ ହୋଇ ଯାଉଛି ? କାହିଁକି ଏମିତି ଲାଗୁଛି ତାକୁ ଆଜି ? ଏତେବଡ଼ ଘରଟାରେ କେହି ନାହାନ୍ତି । ବାପା ଯାଇଛନ୍ତି ଟୁରରେ । ବୋଉ ଗଲାଣି ମନ୍ଦିରକୁ । ଅମୃତ ପିଲାମାନଙ୍କୁ ନେଇ ନୂଆ ଗାଡ଼ିରେ ବୁଲି
ବାହାରିଲାଣି । ତାକୁ ଆବଶ୍ୟ ଡ଼ାକୁଥିଲା । ସେ ମନାକଲା । ଖୋଲା ଅଗଣାଟା, କଳା ମିଟି ମିଟି ଅନ୍ଧାର ଉପରେ ତାର ଭରା ଆକାଶ । ଏମିତି ଅନ୍ଧାରରେ ନିଜକୁ ହଜେଇ ଦେବାକୁ ଇଚ୍ଛା ହେଉଛି । କ’ଣ ଆଉ ଭାବୁଛି ଅରୁନ୍ଧତୀ । ଭାବୁଛି କି ସେ କଙ୍କି,ପ୍ରଜାପତି ଧରା ବୟସ ବେଳର କଥା। ନା ସେ ଭାବୁଛି ତାର ଅତିକ୍ରାନ୍ତ ଅତୀତ ପ୍ରୀତିପୂର୍ଣ୍ଣ ବୟସର ଝୁଲନ୍ତ ସ୍ଵପ୍ନର ସହରକୁ । ସ୍ତର ସ୍ତର ଅନ୍ଧାର ଭିତରେ ଠିଆ ହେଲା
ଅତୀତ । ଏତେଦିନ ଆଶାର ସ୍ଵର୍ଣ ମୃଗ ପଛରେ ଅଣନିଶ୍ୱାସୀ ହୋଇ ଦୌଡ଼ି ଦୌଡ଼ି ସେ ପାଇଲା କ’ଣ ? ବଞ୍ଚିବାକୁ ହେଲେ ଖେଳ ଶିଖିବାକୁ ହୁଏ । ତାର ଆଉ ଖେଳ ଶିଖିବାର ଆଗ୍ରହ ନାହିଁ । ଅନ୍ୟମାନେ ଜିତିଲେ ସେ ଖାଲି ତାରିଫ୍ କରିବ । ଓଠରେ ହସ ବୋଳି ଅଯଥା ସହାନଭୂତି ଜଣେଇବ ।
କଳା ମଚମଚ ଅନ୍ଧାର । ଅନ୍ଧାରର ପାହାଚ ଓହ୍ନେଇ ଆସୁଛି ସ୍ତବକ । ତାକୁ ପ୍ରବୋଧନା ଦେଉଛି । ଜୀବନଟା ଏକ ଛକା ପଞ୍ଜା ତାସ୍ ଘରର ଖେଳ । ଯିଏ ଖେଳିଜାଣେ ତାର ହୁଏ ନାଲିପାନ ବିବି । ଖେଳ ଖେଳି ଜାଣିଛି ବୋଲିତ
ସ୍ତବକ ସୁଖୀ ହୋଇଛି । ଖେଳି ଜାଣିନି ବୋଲିତ ଅରୁନ୍ଧତୀ ଅନ୍ତର୍ଦାହର ସମୁଦ୍ର ଭିତରେ ଉବୁଟୁବୁ ହେଉଛି । ନା ସେ ବୁଡ଼ି ପାରୁଛି ନା ସେ କୂଳରେ ଲାଗି ପାରୁଛି । ଏ ଅନ୍ଧାରକୁ ଶୋଷି ନେବାପାଇଁ ତା ଓଠରେ ଆକଣ୍ଠ ତୃଷ୍ଠା । ଏ ଅନ୍ଧାରର
ବ୍ୟୁହ ଭେଦକରି ସେ ଖୋଜୁଛି ଆଉ ଏକ ପରିପୂର୍ଣ ପୃଥିବୀକୁ ।
ଅରୁନ୍ଧତୀ ଅନ୍ଧାରରେ ହସିଦେଲା । ତା ବାହାଘର ପାଇଁ ସମସ୍ତେ ବ୍ୟସ୍ତ । ବାପାଙ୍କ ରକ୍ତଚାପ ବଢୁଛି । ବୋଉ ନିତି ଯାଉଛି ଚଣ୍ଡୀ ମନ୍ଦିରକୁ ଘିଅ ଦୀପ ସଜାଡ଼ି । ପୃଥିବୀଟା ସତରେ ଭାରି ସ୍ବାର୍ଥପର । ମଣିଷ ନିଜର ସ୍ୱାର୍ଥ ଅନ୍ୟଠୁ
ହାସଲ କରିପାରିଲେ ପାଏ ତୃପ୍ତି । ସେ ବିବାହ କରିବ, ସ୍ତବକକୁ ନୁହେଁ । ଆଉ ଯାହାକୁ ବିବାହ କରିବ ସେ କ’ଣ ସ୍ତବକ ପରି ଆଉ କେଉଁ ଝିଅକୁ ପ୍ରତାରିତ କରିନଥିବ ? ତା ମଧ୍ୟ ଅସମ୍ଭବ ନୁହେଁ । ସେ ବାହା ନହେଲେ ଘରକୁ ବୋହୁ ଆଣିବାକୁ ବୋଉ ରାଜି ନୁହେଁ । ସାନଭାଇ ବିବା
ହ କରି ସାରିଲେ ବଡ଼ ଭଉଣୀର ବାହାଘର କଷ୍ଟକର ହୁଏ ।
ଅନ୍ଧାରରେ ଅରୁନ୍ଧତୀର ମୁହଁ ଭାରି ହୋଇ ଆସିଲା । ଅମୃତ ଯେମିତି ନିଜ ଇଛାରେ ଗାଡ଼ି କିଣିଲା ସେମିତି ନିଜ ଇଛାରେ ଯଦି ବାହା ହୋଇଯାଏ, ତାହେଲେ ! ଆକାଶରେ ବିଳମ୍ବିତ ଚନ୍ଦ୍ର । ବେଶ୍ ଭଲ ଲାଗୁଥିଲା ଏଇ ତାରାଭରା ରାତି । କିନ୍ତୁ ଏ ବିଳମ୍ବିତ ଚନ୍ଦ୍ର ର ଆଲୁଅ । ତାର ସୁଦୂର ଅତୀତର
ଛାଇ । ଅତୀତକୁ ସେ କ’ଣ ଭୁଲି ପାରି ନାହିଁ । ଅରୁନ୍ଧତୀ ଆଖୁ ବୁଜି ଦେଲା । ତାପରେ ସେ ପୃଥିବୀର ଜଣାଶୁଣା ସାଧାରଣ ମଣିଷଟିଏ ପାଲଟିଗଲା । ଏକ ସାଧାରଣ ଘଟଣାକୁ ଅତିବଡ଼ କରି ଭାବିଥିବାରୁ ନିଜ ଉପରେ ବିରକ୍ତ ହେଲା । ଆଉ ଶେଷରେ କ୍ଷମା ଦେଲା ମଧ୍ୟ । ଅମୃତ ତା ଗାଡ଼ିରେ ବସାଇ ତାକୁ କଲେଜ ଗେଟ୍ ପାଖରେ ଛାଡ଼ିଦେଲାବେଳେ ସେ ଏଥପାଇଁ ଗର୍ବ କଲା ମଧ୍ୟ । ତାର ଭାଇ ବଡ଼ ହୋଇଛି, ତାର ଉନ୍ନତିରେ ପରିବାରର ଉନ୍ନତି । ଆଉ ଯେଉଁ ଦିନ ସେ ଅମୃତର ଡ଼ାଏରୀରେ ଅନୁରାଧାର ଫଟୋ ଦେଖିଲା, ସେ ଫେରିଗଲା ଆଉ ଗୋଟେ ପୃଥିବୀକୁ ଯେଉଁଠି ତାର ଅତୀତର ମେଞ୍ଚା ମେଞ୍ଚା ଜ୍ବଳନ ଆଉ ହାହାକାରର ବିଜ୍ଞାପନ ସବୁ ଝୁଲୁଛି । ସେ ଅନୁଭବ କଲା ଅମୃତ ଆଉ ତାର ସଂପର୍କର ପାଚେରୀ ଭିତରେ ଫାଟ ଧରିବାକୁ ଆରମ୍ଭ କରିଛି । ସେମାନେ ମନମାଫିକ ଆଉ ଗୋଟିଏ ଗୋଟିଏ ମଣିଷ ପାଲଟି ଯାଇଛନ୍ତି । କିଏ ଏହି ପ୍ରବାହକୁ ଅଟକାଇବ ? ତା କଲେଜର, ତା କ୍ଲାସ ଛାତ୍ରୀ ଅନୁରାଧା ଅରୁନ୍ଧତୀ ସ୍ତବ୍ଧ ହୋଇଗଲା । ସେ କ’ଣ ଏଥିପାଇଁ ବୋଉ ପାଖରେ ଅଭିଯୋଗ କରିବ ପିଲାବେଳେ ଯେମିତି ଅଭିଯୋଗ କରୁଥିଲା । ଅମୁ ମୋ ସିଲଟ ଭାଙ୍ଗିଦେଲା, ବହି ଚିରିଦେଲା, ମୋ ଗଛରୁ ଫୁଲ ଛିଣ୍ଡାଇଦେଲା । ଅମୃତକୁ ସେ କ’ଣ ଶାସନ କରିବ ବେତଧରି ? ଅମୃତର ସେ ବୟସ ଆଉ ନାହିଁ । ଅରୁନ୍ଧତୀ ନିଜ ଉପରେ ଆଖୁ ଫେରାଇଲା । ବିବାହ ନକଲେ ମଧ୍ୟ ସେ କ’ଣ ଅତୀତର ଅଲିଅଳୀ ଝିଅ ହୋଇ ଏ ଘରେ ଅଛି ? ଅରୁନ୍ଧତୀ ନିଜ ପ୍ରଶ୍ନର ଉତ୍ତର ନିଜେ ଆଦାୟ କରିଦେଲା । ତା ଜୀବନରେ ଘଟିଥିବା ସବୁ ଦୃଶ୍ୟ ତାକୁ କେମିତି ବିଦୃପ କଲାଭଳି ଲାଗିଲା । ମନେ ହେଲା ନିଜର ସମ୍ମାନ ଜାହିର କରିବା ପାଇଁ ବାଧ୍ୟବାଧକତାରେ ଟିକିଏ
ପ୍ରଶଂସା ପାଇବା ପାଇଁ କି ଅନ୍ୟକୁ ଆକ୍ଷେପ କରିବାପାଇଁ ସମସ୍ତେ ଅଭିନୟ କରି ଚାଲିଛନ୍ତି । ସେ ବି ସେମିତି ନିଜ ମନକୁ ତାଲିମ ଦେବାପାଇଁ ପ୍ରସ୍ତୁତ ହେଲା ଆଉ ଅନ୍ୟମାନଙ୍କ ଆଗରେ ପରୋକ୍ଷରେ ସୁଖୀ ହେବାର ନାଟକଟିଏ ତିଆରି
କଲା । ଅମୃତ ପ୍ରେମ କରୁଛି । କରୁ, ଠକିଲେ ସେ ଶିଖୁବ ।
ସ୍ତବକର ପ୍ରତାରଣା ପାଇଁ ସେ ନିଜକୁ ଦୋଷୀ ମନେ କରୁଥିଲା ଆଉ ଅମୃତର ଖାପଛଡ଼ା ବ୍ୟବହାର ପାଇଁ ମଧ୍ୟ ।
ଏଇତ ଦୁନିଆ । ସବୁ ସମ୍ପର୍କ ଆପେ ଆପେ ଯୋଡ଼ି ହୋଇଆସେ ଆଉ ଆପେ ଆପେ ଭାଙ୍ଗିଯାଏ । ଫୁଲ ଫୁଟିବାର ଋତୁଟି ଧୂଆଁଳିଆ ଦିଶେ । ସମୟ କାହାକୁ ନେଇ କେଉଁଠି ଥୁଏ, କାହାପାଇଁ ସେଇ ରାସ୍ତା ସହଜ ତ କାହାପାଇଁ ଜଟିଳ ।
କିଏ ଦୁର୍ଗମ ରାସ୍ତାରେ ପାଦ ଥାପି ଥାପି ଚାଲେ ତ କିଏ ପୁଣି ପଛଘୁଞ୍ଚା ଦିଏ । ଜୀବନକୁ ସାମ୍ନା କରିବା ଏତେ ସହଜ ନୁହେଁ । ତଥାପି ଚାଲିବାକୁ ପଡ଼େ ଖସଡ଼ା ରାସ୍ତାରେ । କିଛି ପାଇଲେ କିଛି ଦେବାକୁ ପଡ଼େ । ବେଳେ ବେଳେ କିଛି ନପାଇ ମଧ୍ୟ ଅକାତରେ ଦେବାକୁ ପଡ଼େ ଅନେକ କିଛି । ଦୃନ୍ଦ ଆଶଙ୍କା ଭୟର ଗଭୀର ହ୍ରଦରେ ତା ମନପକ୍ଷୀ ଯେତେବେଳେ ଉଦ୍ଧାର ପାଇବାପାଇଁ ଉଦଗ୍ରୀବ ହୋଇ ଉଠୁଥିଲା, ସେତେବେଳେ ସବୁ ସମସ୍ୟାର ସମାଧାନ ହୋଇଯାଇଥିଲା ଆପେ ଆପେ । ନିଜ ଗାଡ଼ିରେ ବସାଇ ଅମୃତ ଯେତେବେଳେ ଅନୁରାଧାକୁ ଘରକୁ
ନେଇ ଆସିଲା କେଉଁ ମନ୍ଦିରରେ ବିବାହ କରି ସେତେବେଳେ ବାପାଙ୍କର ରକ୍ତଚାପ ବଢ଼ିଯାଇଥିଲା ବହୁତ । ବୋଉର ଆଖ୍ ଲୁହରେ ଠାକୁର ମାନେ ଗାଧୋଇ ପଡ଼ିଥିଲେ । ଲିପି, ଚିପୁ, କୁଲୁ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥିଲେ । ତାମନରେ କିନ୍ତୁ କିଛି ବି ଭାବାନ୍ତର ନଥିଲା । ଏମିତି ଗୋଟେ ଘଟଣା ଘଟିବ ବୋଲି ସେ ଯେମିତି ଆଗରୁ ପ୍ରସ୍ତୁତ ହୋଇ ସାରିଥିଲା । ଅନୁରାଧାକୁ ସେ ଘର ଭିତରକୁ ନେଇଥିଲା । ସାହିର ସ୍ତ୍ରୀ ଲୋକମାନଙ୍କୁ
ବୋହୁ ଦେଖାଇଥିଲା । ଘରଦ୍ଵାର ସଜେଇଥିଲା ।ଭୋଜିଭାତର ଆୟୋଜନ କରିଥିଲା । ଏତେବଡ଼ ଘଟଣା ଘଟିଗଲା । ଅଥଚ ତା ମନରେ ଟିକିଏ ବି ପ୍ରତିକ୍ରିୟା ସୃଷ୍ଟି ହୋଇନଥିଲା । ତା ମନର ସବୁ ଆଶା ଅଭିପ୍ରସାର ନିର୍ଝରିଣୀ କଠିନ ବରଫର
ସ୍ତୁପ ପାଲିଟି ଯାଇଥିଲା । ସକାଳର ଆଲୁଅ ସେଠି ଆଶା କରିବା ବିଡ଼ମ୍ବନା ।