ନଦୀର ନାମ ତୃଷ୍ଣା
ନଦୀର ନାମ ତୃଷ୍ଣା
ଯାହାର ତନୁ ନାହିଁ ସେ ଅତନୁ. ଯାହା ତନୁରେ କଦମ୍ବର ବାସ୍ନା - ଏପରି ଏକ ପ୍ରଶ୍ନର ଉତ୍ତରକୁ ସାମ୍ନା କରି ନପାରି ଅନୁରାଗ ସୁମିତ୍ରା ମୁହଁକୁ ଏକଲୟରେ ଚାହିଁ ରହିଲା. ସୁମିତ୍ରା ସମୁଦ୍ର ନୀଳ ରଙ୍ଗର ଶାଢ଼ୀ ପିନ୍ଧିଥିଲା ଯାହା ଦିନେ ଥିଲା ଅନୁରାଗର ପସନ୍ଦ .ସୁମିତ୍ରା ସେ ଶାଢ଼ୀଟା ପିନ୍ଧିଦେଲେ ଅନୁରାଗ ପୃଥିବୀ ଭୁଲିଯାଉଥିଲା.ଅନନ୍ୟା ଅପରୂପା ଆଉ ଅସୀମା ଲାଗୁଥିଲା ସୁମିତ୍ରା. କିନ୍ତୁ ଆଜି ସେଇ ବେଶରେ ସେମିତି କିଛି ଆକର୍ଷଣୀୟା ଲାଗୁନଥିଲା. ସୁମିତ୍ରାକୁ ନେଇ ସେ ସମୁଦ୍ର ଆଉ ନାରୀ ନାମକ ଏକ କବିତା ସଂକଳନ ଯାହା ମିତ୍ରାକୁ ଉସର୍ଗ କରିବା ପାଇଁ ସ୍ଥିର କରିଥିଲା. ପ୍ରତିଟି କବିତାରେ ରହିଥିଲା ସମୁଦ୍ର ପ୍ରତି ତାର ଅନୁରକ୍ତି ଆଉ ଅବିଭକ୍ତ ମନର ଅନୁଶୀଳନ. ସୂର୍ଯ୍ୟାସ୍ତର ଗୋଧୂଳି ବେଳାରେ ଉତୀର୍ଣ୍ଣ ସଂଧ୍ୟାର ଆଲୁଳାୟିତ ଜ୍ୟୋସ୍ନାରେ ଝାଉଁବଣ ଆଢୁଆଳରେତାର ପାଟ ପାଲଟା ଦୃଶ୍ୟର ସଂଚିତ ଶବ୍ଦ ତାର କବିତାକୁ କରିଥିଲା ଭାବ ମଧୁର ଶୃତିବୋଧମୟ ରସସିକ୍ତ.କିନ୍ତୁ ସେ ସ୍ମୃତି ତ ଭୁଲିଯାଇଥିବା ଅତୀତର ସ୍ୱର ଲିପି. ଫେରି ଚାହୁଁଥିବା ବସନ୍ତର ପାଦ ଶବ୍ଦ. ତରଙ୍ଗାୟିତ ସମୁଦ୍ରର ନୀଳ ଜଳରେ ଆରକ୍ତ ଗୋଧୂଳିର ରଙ୍ଗ ମିଶି ଏକ ବିଚିତ୍ର ତରଙ୍ଗ ସୃଷ୍ଟି ହେଉଛି. ସୁମିତ୍ରା ପଚାରୁଛି ସମୁଦ୍ର ରଙ୍ଗ ବଦଳାଏ କାହିଁକି ?ଅନୁରାଗ କିଛି ମନ୍ତ୍ୟବ ଦେଲା ନାହିଁ. ଏହାର ଉତ୍ତର ଦେବାକୁ ହେଲେ ତା କବିତାର ଏକ ସୁଦୀର୍ଘ ପଂକ୍ତି ଆବୃତ୍ତି କରିବାକୁ ପଡିବ.ଆଜିକାଲି ସେ ଆଉ କବିତା ଲେଖେ ନାହିଁ. ଗଳ୍ପ ଲେଖେ. ନିଜ ଗଳ୍ପର ନାୟକ ନିଜେ ହୁଏ. ଅନ୍ଧାରରେ ହଜିଯାଏ. ଆଉଜ୍ୟୋସ୍ନାଭିଜା ରାତିରେ ଭିଜି ଭିଜି ଉଜାଗର ହୁଏ. ଯେଉଁଦିନ ସୁମିତ୍ରାର ବିବାହ ନିମତ୍ରଣ ପାଇଲା ସେ ଶୂନ୍ୟତାର ଆବର୍ତ୍ତ ଭିତରେ ବାରମ୍ବାର ଧକ୍କା ଖାଇଥିଲା. ସାମ୍ନାରେ ଚଲା ପଥଟା ଦେଖାଯାଉଥିଲା ଭାରି ଝାପ୍ସା ଆଉ କୁହେଳିକାମୟ. ଏମିତି ଏକ
ବାସ୍ନା ଭିଜା ଗୋଧୂଳି ଲଗ୍ନରେ ସୁମିତ୍ରା ତା ସ୍ୱାମୀର ଫେରନ୍ତା ବାଟକୁ ଚାହିଁ ରହିବା କଥା. ଏଇ ସମୁଦ୍ର ବେଳାରେ ଏମିତି ପ୍ରଶ୍ନ ପଚାରିବା କଥା ନୁହଁ ।
ତଥାପି ସେ କଟୁ ଆକ୍ଷେପ କରି ପାରିଲା ନାହିଁ. ଏକଦା ମିତ୍ରା ଥିଲା ତାର ଅନ୍ତରଙ୍ଗ ପ୍ରେମିକା. ତାକୁ ନେଇ କେତେ ଯେ କୁସୁମିତ ସନ୍ଧ୍ୟା କଟିଛି. କେତେ ଯେ ମୌନାବତୀ ରାତି ସ୍ପନ୍ଦିତ ହୋଇ ଉଠିଛି ସେ ସବୁକୁ କଣ ଏଇ ସମୁଦ୍ରତଟରେ ହିସାବ କରିହୁଏନା।ଯଦି ସୁମିତ୍ରାର ଜୀବନ ପରିଧିକୁ ଗୋଟେ ଧୂମକେତୁ ପରି ପ୍ରବେଶ କରିନଥାନ୍ତା ଦେବଜିତ.ଅନୁରାଗର ମୁହଁର ରେଖା ଗୁଡାକ କଠିନ ହୋଇ ଉଠିଲା. ହଁ ଦେବଜିତ ମିତ୍ରାକୁ ଗୀତ ଶିଖାଉଥିଲା. ଆଉ ସୁମିତ୍ରା ସବୁଦିନ ପାଇଁ ଦେବଜିତ ର ଗୀତି କବିତା ହୋଇଯାଇଥିଲା.
ଅନୁରାଗ କେମିତି ଅତୃପ୍ତ ସ୍ଵରଲିପିରେ ଭିଜି ଯାଇଥିଲା.
କଥା ଥିଲା , ଭଲପାଇବାର ତାଜମହଲଟିଏ ନିଖୁଣ ଭାବରେ ତିଆରି କରି ସାରା ଜୀବନ ଗୋଟିଏ ରାସ୍ତାରେ ଚାଲିବା ପାଇଁ . କଥା ଥିଲା ଜଣେ ଝୁଣ୍ଟି ପଡିଲେ ଆଉ ଜଣେ ହାତ ଧରି ଉଠେଇ ନେବ. ଜଣକ ଆଖିରୁ ଲୁହ ଝରିଲେ ଆଉ ଜଣେ ପୋଛିଦେବ. ଭାରି ନିଜର ଲାଗୁଥିଲା ମାୟାଘେରା ଜହ୍ନରାତି. ଗୋଧୂଳିର ଶାନ୍ତ ଉପତ୍ୟକା , ବେଳାଭୂଇଁ ବାଲିଦେଉଳ , ଝାଉଁବଣରେ ଲୁଚକାଳି ଖେଳ , ସ୍ପାଇଡର ଲିଲି ଫୁଲ ଫୁଟିଥିବା ବଗିଚା ଆଉ ଲବଙ୍ଗ ଦ୍ୱୀପର ଉପକଥା . ସମୁଦ୍ର ସ୍ନାନର ରୋମାଞ୍ଚ. ଭଲପାଇବାରେ କଣ ହିସାବ ଥାଏ? ଭାଗ ମାପ ଥାଏ? ସୁମିତ୍ରାର ଭଲପାଇବାର ସମୁଦ୍ର ଭିତରେ ସନ୍ତରଣ କରି କରି ସେ ଅଣନିଶ୍ୱାସୀ ହୋଇ ଯାଇଥିଲା. ଆଜି ମନେ ହେଉଛି ସେ ଭଲପାଇବା ବିପ୍ଳବ ଥିଲା , ବହ୍ନି ଥିଲା. ସେ ଅର୍ଦ୍ଧଦଗ୍ଧ ହୋଇ ଯାଇଥିଲା କିନ୍ତୁ ସହୀଦ ହୋଇପାରିନଥିଲା. ଆଜି ସୁମିତ୍ରାକୁ ଦେଖିଲେ ଦୟା ଆସୁଛି ମନରେ. ସୁମିତ୍ରା ଜାଣିଶୁଣି ତାର ହାତ ଛାଡି ଦେଇଥିଲା ନା ତାହାଥିଲା ଅକସ୍ମାତ. ଭିଡରେ ଯେମିତି ପିଲାଟିଏ ହଜିଯାଏ ସେମିତି କି ? ହଜିଯାଇଥିଲା ଅନୁରାଗର ସ୍ବପ୍ନ ସ୍ୱୀକୃତି ସମ୍ଭାବନା ଆଉ ଭବିଷ୍ୟତର ବର୍ଣାଳୀ.ସୁମିତ୍ରା ବୋଧହୁଏ ସେଇ ପୁରୁଣା କାହାଣୀକୁ ଆଉଥରେ ପୁନରାବୃତ୍ତି କରିବା ପାଇଁ ଚାହୁଁନଥିଲା. ନୂଆ ଶବ୍ଦ କିଛି ସଂଗ୍ରହ କରୁଥିଲା ମନେ ମନେ. କଣ କହିଲେ ନିଜକୁ ସହଜ କରିହବ. ନିଜର କିଛି ବି ତ୍ରୁଟି ରହିବ ନାହିଁ. ଆଉ ସେ ଅପରାଧୀ ମଧ୍ୟ ନୁହେଁ ଯାହା ଘଟିଛି ସଂଯୋଗ .
ନିଜେ ଚାହିଁଲେ କିଛି ଘଟେ ନାହିଁ,ଯାହା ପାଇବାକୁ ଇଚ୍ଛା ହୁଏ ତାହା ସବୁବେଳେ ମିଳେ ନାହିଁ . ଆଉ ଯାହା ମିଳେ ତାହା ବାଧ୍ୟ ହୋଇ ଗ୍ରହଣ କରିବାକୁ ହୁଏ ଇଚ୍ଛା ନଥାଇ ସମ୍ମତି ନଥାଇ. ସୁମିତ୍ରା ବୋଧହୁଏ ଅନୁତାପ କରୁଛି. ପ୍ରକାଶ କରି ପାରୁନି ସେମିତି ଗୋଟେ ଚାହାଁଣୀ ସେ ଆବିଷ୍କାର କରୁଥିଲା କିନ୍ତୁ ସୁମିତ୍ରା ସୁଖର ସଂସାର କରୁ କି ନକରୁ ତା ଚଲାପଥରେ ଝଡ ବତାସ ଆସୁ କି ବନ୍ୟା ଆସୁ ସେଥିରେ ଯାଏ ଆସେ କେତେ? ମିତ୍ରା ଦିନେ କଥା ଦେଇଥିଲା ସମର୍ପିତା ହେବା ପାଇଁ. ତା ବନ୍ଧୁର ଚଲାପଥରେ ଫୁଲ ହୋଇ ଫୁଟିବା ପାଇଁ.
ଦେବଜିତ ତାର ପୁରୁଣା ସାଙ୍ଗ ଏକଦା ସେ ଥିଲା ତାର ନିହାତି ଅନ୍ତରଙ୍ଗ . ସେଇ ସମ୍ପର୍କରେ ସେ ଆଉ ଏବେ ଗାଢ଼ ରଙ୍ଗ ଦେବାକୁ ଇଚ୍ଛା କରିନି. ଜାଣି ଜାଣି ଦୂରେଇ ଯାଇଛି କାଳେ ସୁମିତ୍ରାର ସୁନା ସଂସାରରେ ନିଆଁ ଲାଗିଯିବ. ସୁମିତ୍ରା କାଳେ ଅର୍ଦ୍ଧଦଗ୍ଧ ହୋଇ ବଞ୍ଚିବାର ରାହାପାଇବନି ସେଥିପାଇଁ ସେ ସିମୀତ ସମ୍ପର୍କର ପରିସୀମା ତିଆରି କରିଛି. ଦେବଜିତର ଆତିଥ୍ୟ କୁ ଅସ୍ବୀକାର କରିଛି. ବାହାନା ଦେଖାଇଛି କୌଣସି ନା କୌଣସି କାମର ଆଳ ଦେଖାଇ. ଏକା ଏକା ସମୟ କଟାଇଛି ନଈପଠାରେ.ଛାତ ଉପରେ ଶାଳବନ ଗହଳିରେ ଜହ୍ନ ଆଲୁଅରେ ଭିଜି ଭିଜି ସୁମିତ୍ରା ଖୁସି ହେଉ ସୁଖୀ ହେଉ ଏଇ ଆଶାରେ ଯେ ତାର ଦ୍ଵିତୀୟ ପୃଥିବୀର ଗୋଲାର୍ଦ୍ଧରେ ସେ କାହିଁକି ପ୍ରଶ୍ନବାଚୀଟିଏ ହେବ? ଏତେ ସବୁ ଭାବିଲା ପରେ ବି ସୁମିତ୍ରା ସଂସାରର ଅଟ୍ଟାଳିକା ପୁରାପୁରି ଭୁଷୁଡ଼ିଯିବାକୁ ପଡିଛି. ଏଥିପାଇଁ ସେ କଣ ଦେବଜିତକୁ ଅନୁରୋଧ କରିବା ପୁରୁଣା ସମ୍ପର୍କର ନିବିଡ଼ତାରୁ କାଣିଚାଏ ଧାର ନେଇ. ନାଇଁ ନାଇଁ ସେମିତି ହେଲେ ତା ଅନର୍ଥ ହୋଇଯିବ.ସୁମିତ୍ରା ଅନୁତାପର ଆଶ୍ଳେଷରେ ବତୁରି ଯାଉଥିଲା. କିନ୍ତୁ ସେଥିପାଇଁ ଆଉ ଅଗ୍ନିପରୀକ୍ଷା ଦେବା ପାଇଁ ସମୟ ନାହିଁ କି ସେ ପାତାଳଗାମୀ ହୋଇପାରିବ ନାହିଁ. ଯଦି ଦେବଜିତ ତାକୁ ନିର୍ବାସନ ଦଣ୍ଡ ଦିଏ , ଯଦି ସୁମିତ୍ରା ବାପଘରକୁ ଚାଲିଯିବ ନହେଲେ ଆତ୍ମହତ୍ୟା କରିଦେବ. ଏମିତି ଏକ ହିଂସାତ୍ମକ ଭାବନାଟିଏ କାହିଁକି ସଞ୍ଚରି ଯାଉଛି ମନରେ . ନାଇଁ ନାଇଁ ମିତ୍ରା ବଞ୍ଚିଥାଉ. ଆରାଧ୍ୟା ହୋଇ ଶୋଭା ବଢା଼ଉଥାଉ. ତା ମନର ନିଷ୍ଠୁର ପୃଥିବୀରେ ସପ୍ତମ ଋତୁ ହୋଇ ଅଭିନୟ କରୁଥାଉ ଆସୁଥାଉ ଆଉ ଚାଲି ଯାଉଥାଉ.
ସୁମିତ୍ରା ବୋଧହୁଏ ପ୍ରକାରାନ୍ତରେ କୈଫିୟତ ଦେବାପାଇଁ ସମୁଦ୍ର ବେଳାକୁ ଡାକିଛି. ଯେଉଁଠି ପ୍ରଥମେ ଦେଖା ହୋଇଥିଲା , ଯେଉଁଠି ତା ହାତମୁଦି ସମୁଦ୍ର ବାଲିରେ ଖସି ପଡିଥିଲା.ଆଉ ଅଜଣା ହେଲେ ମଧ୍ୟ ଅନୁରାଗ ଖୋଜିବାରେ ସାହାଯ୍ୟ କରିଥିଲା. ଯେତେବେଳେ ଖୋଜି ଖୋଜି ନୟାନ୍ତ ହୋଇଯାଇଥିଲା ସୁମିତ୍ରା ଆଖିରୁ ଲୁହ ପୋଛି ଫେରିଯିବାର ଉପକ୍ରମ କରୁଥିଲା. ସନ୍ଧ୍ୟା ଆସିବାକୁ ଅଳ୍ପ ସମୟ ଥିଲା. ସେଇ ଗୋଧୂଳି ବେଳାରେ ହଠାତ ଅନୁରାଗ ପାଇଯାଇଥିଲା ହଜିଯାଇଥିବା ମୁଦି. ଅନାସୀୟ ମୁହୂର୍ତ୍ତଟି ବସା ବାନ୍ଧିଥିଲା ଦୁଇ ଜଣଙ୍କ ମନରେ ସମ୍ପର୍କ ମଜଭୁତ ହୋଇଥିଲା ସେଇ ଦିନଠାରୁ.
ସୁମିତ୍ରା ମନେ ପକାଇଦେଇଥିଲା ସେଇ ଘଟଣାକୁ . ଭାବପ୍ରବଣ ହୋଇ ଉଠିଥିଲା ମଧ୍ୟ କେମିତି ସେ ସାହାଯ୍ୟ ମାଗୁଥିଲା. ବିନା କାରଣରେ ଲେଡିଜ଼ ହଷ୍ଟେଲକୁ ଡାକୁଥିଲା.ସତରେ କଣ ସୁମିତ୍ରାର ସଂସାର ଭାଙ୍ଗିଯାଇଛି . ଏମିତି କିଛି ଗୁଜବ ସହରର ପାଣି ପବନରେ ବ୍ୟାପିଥିଲା.
କିଛି କିଛି ଅନୁରାଗ କାନରେ ପଡୁଥିଲା. କିନ୍ତୁ ଏଥିପାଇଁ ସେ କଣ କରିପାରିବ. ସ୍ୱାର୍ଥରେ ଚାଲେ ଏଇ ଦୁନିଆ. ଲୋଭ ଆଉ ମୋହର କାତ ଆଉ ଆହୁଲା ଧରି ନଈ ପାରି ହେବାକୁ ପଡେ. ଯେଉଁଠି ସ୍ୱାର୍ଥରେ ଆଞ୍ଚ ଆସେ ସେଠି ସମ୍ପର୍କ ହୁଏ କଳୁଷିତ ଆଉ ବିଷାକ୍ତ .ତାହା ଭଲପାଇବା ହେଉ କି ଆଉ କିଛି ହେଉ.
ଜୀବନରେ ସବୁବେଳେ ଅଭିନୟ କରିବାକୁ ପଡେ. ନିଜକୁ ପାରଙ୍ଗମ କରିବାକୁ ଅନ୍ୟମାନଙ୍କ ଦୃଷ୍ଟିରେ ନିଜ ଦୁଃଖକୁ ଗୋପନ କରିବାକୁ ପଡେ. ସାଲିସ କରିବାକୁ ପଡେ କାହା ସହିତ.ସୁମିତ୍ରା ତା ଭୁଲର କ୍ଷମା ଚାହୁଁଥିଲା ସବୁ ଭୁଲର କ୍ଷମା ନଥାଏ. ଦେବଜିତ ତାକୁ ଧୋକା ଦେଇଛି କିନ୍ତୁ ସେ କାହିଁକି ଏତେ ବତୁରି ଯାଉଛି. ସୁମିତ୍ରା ଦିନେ ତାର ହାତ ଛାଡି ଚାଲି ଯାଇଥିଲା. ଐଶ୍ଚଯ୍ୟ ବିଭବର କୁହୁକରେ ବିମୋହିତ ହୋଇ ଥରେ ହେଲେ ପଛକୁ ଚାହିଁ ନଥିଲା.ଅନୁରାଗ ପୁଣି ଥରେ କହିଲା ଉଠିବା ଏଥର. ବର୍ଷା ଆସିଯିବ . ମେଘ ଆସିଲାଣି . ଦେବଜିତ ତୁମକୁ ଅପେକ୍ଷା କରିଥିବ.ସୁମିତ୍ରା କହିଲା ତୁମେ ବୋଧହୁଏ ମୋର ସବୁକଥା ଶୁଣିନାହଁ. ଭଲକରି ଚାହିଁଲା ଅନୁରାଗ ସୁମିତ୍ରାକୁ. ଆସନ୍ନ ସଂଧ୍ୟାର ଆଲୁଅରେ ସେ ସୀମନ୍ତିନୀ କି ନୁହେଁ ଠିକ ଜାଣିହେଉନାହିଁ.କଣ କିଛି ଦୁର୍ଘଟଣା ଘଟିଗଲା ତା ଜୀବନରେ.ବିନା ସ୍ୱାର୍ଥରେ କେହି ସମ୍ପର୍କ ଯୋଡିବାକୁ ଚେଷ୍ଟା କରେନି. ତଥାପି ସେ ସାହାଯ୍ୟ କରିବା ପାଇଁ ପ୍ରତିଶୃତି ଦେଲା.ବାଲିରେ ଗାର ଟାଣୁ ଟାଣୁ ସୁମିତ୍ରା କହିଲା ଗୋଟେ ସାହାଯ୍ୟ ପାଇବା ପାଇଁ ଏଇ ନିରୋଳା ସମୁଦ୍ରତଟକୁ ତୁମକୁ ଡାକିଛି. ଆଉ କେବେ ତୁମକୁ ବିରକ୍ତ କରିବି ନାହିଁ . ତୁମେ ଅଳକାର ଟ୍ରାନ୍ସଫର ପାଇଁ ସାହାଯ୍ୟ କରିପାରିବ . ଉପର ମହଲରେ ତୁମର ଭଲ ସମ୍ପର୍କ ଅଛି. ତୁମେ ଯାହା କିଛି ଗୋଟେ କର. ତୁମେ ଯାହା କିଛି ଗୋଟେ କର ଝିଅଟା ବିବାହ କରୁନାହିଁ କାହିଁକି ଯେ? ଦେବଜିତ ତାକୁ ନେଇ ପାଗଳ.
ମିତ୍ରା ଆଖିରେ ଲୁହର ସ୍ପଟିକ ଚିକ ଚିକ କରୁଥିଲା. ଅନୁରାଗର ମନେହେଲା ବିବାହ କରି ମଧ୍ୟ ମିତ୍ର ସବୁଦିନ କୁମାରୀ ହୋଇ ରହିଗଲା. ଗୋଟିଏ ପୁରୁଷକୁ ପ୍ରଲୁବ୍ଧ କରିବା ପାଇଁ ଯଦିଓ ତାର ପ୍ରଚୁର ରୂପ ଯୌବନ ଅଛି ପୁରୁଷ ମନକୁ ନିଜ ପଣତରେ ବାନ୍ଧି ରଖିବା ପାଇଁ ତାର
କଳାତ୍ମକ ମୌଳିକ ଗୁଣ ନାହିଁ.ସୁମିତ୍ରା ପଚାରୁଛି ବିବାହିତ ପୁରୁଷର ଏ କ୍ଷୁଧା ଦୈହିକ ନା ମାନସିକ . ଅନୁରାଗ ଜାଣେନି ସେ ବିବାହ କରିନି.ବର୍ଷାରେ ଭିଜି ଭିଜି ସେମାନେ ନିଛାଟିଆ ଡାକ ବଙ୍ଗଳାରେ ପହଞ୍ଚି ସାରିଥିଲେ. ନାଟକର ଆଉ କେଉଁ ଦୃଶ୍ୟଟିଏ ଅଭିନୀତ ହେବ. ଅନୁରାଗ ବିରକ୍ତ ହୋଇ ପଡୁଥିଲା ମନେ ମନେ. ଡାକ ବଙ୍ଗଳାର ଗୋଟିଏ ରୁମ ବୁକ ହୋଇ ସାରିଥିଲା ଆଉ ଗୋଟିଏ ରୁମ. ବର୍ଷା କେମିତି ଆଜି
ଉତ୍ସୃଙ୍ଖଳ ମନେ ହେଉଛି. ଅଥଚ ସବୁବେଳେ ବର୍ଷାର ଶବ୍ଦ ତାକୁ ମନେହୁଏ ଆଦ୍ରବସନା ପଲ୍ଲୀ ବଧୂର ଚୁଡ଼ିର ଶବ୍ଦ ଭଳି .ଝରକା କବାଟ ବନ୍ଦ କରିବାକୁ ପଡିଥିଲା.
ସ୍ତ୍ରୀର ବିଶ୍ୱାସଯୋଗ୍ୟ ପୁରୁଷ କିଏ ସ୍ୱାମୀ ନା ପ୍ରେମିକ? ସେଇ ବନ୍ଦ ଘର ଭିତରେ ଅନୁରାଗ ସୁମିତ୍ରାକୁ ବୁଝାଉଥିଲା ଜୀବନଟା ଏକ ତ୍ରିକୋଣମିତି. ସବୁକଥା ସମାଧାନ ହୋଇଯାଏ. ତୁମେ ଦେବଜିତ ସହିତ ଆଡ଼ଜଷ୍ଟ କରିନିଅ. ଅନେକ ସମୟ ପରେ ବର୍ଷା ଛାଡିଥିଲା.କବାଟ ଖୋଲି ସେମାନେ ଧକ୍କା ଖାଇଲା ପାରି ଅଟକି ଯାଇଥିଲେ.ସେପଟ ବାରଣ୍ଡାରେ ସେମାନେ କିଏ? ଅଳକା ମୁହଁ ତଳକୁ କରିଥିଲା ଆଉ ଦେବଜିତର ଚା କପ ଚହଲି ଉଠିଥିଲା. ଆଉ ସୁମିତ୍ରା ?
ସେ ଯେମିତି ପ୍ରାକଐତିହାସିକ ଯୁଗର ପ୍ରଶ୍ନବାଚୀଟିଏ ।
