ଉନ୍ମୋଚନ
ଉନ୍ମୋଚନ


କିଛି ସତ୍ୟ ଉନ୍ମୋଚିତ ହେବାର ନୁହେଁ । ସେଗୁଡିକ ଅନ୍ଧକାର ମଧ୍ୟରେ ରହିବା ସର୍ବାଦୌ ଶୁଭଙ୍କର ।.......
ରାତି ୧୨:୩୦
ସେଇ ବିରକ୍ତିକର ଶବ୍ଦରେ ନିଦ ଭାଙ୍ଗିଗଲା
ଶ୍ବଶୁରଙ୍କ ଆଉ ଆରମ୍ଭ ହେଇଗଲା ପୁଣି ପ୍ରବଳ କାଶ । ପୁରୁଣା ଶ୍ଵାସ ରୋଗ ଏମିତି ଯନ୍ତ୍ରଣାଦାୟକ । ରୋହିତ ଉଠିଲେ , ଗରମ ପାଣି ପିଏଇଲେ , ପିଠି ଆଉଁସିଲେ । ନିତ୍ୟା ଆଉ ଅଧିକ ସମୟ ଅପେକ୍ଷା କରିବା ସମ୍ଭବ ନଥିଲା । ପୁଣି କଟିଲା ଗୋଟେ ଅସମାପ୍ତ ଆବେଗର ରାତି ।
ରାତି ୧୧:୪୫
ପୁଣି ଥିଲା ସେଇ ନିର୍ଦ୍ଦିଷ୍ଟ ବିରକ୍ତିକର ଶବ୍ଦ , ଆଜି ପୁଅ ଉଠିଗଲା । ଭିଷଣ କାନ୍ଦିଲା । ଆଠ ମାସ ର ଛୁଆକୁ ଶୁଏଇବା ସହଜ ନୁହେଁ ଆଦୌ । ନିତ୍ୟା ଆଖିଭର୍ତ୍ତି ନିଦରେ କାନ୍ଦୁଣୁ ମାନ୍ଦୁଣୁ ହେଇ ପୁଅକୁ ବସି ଖେଳେଇଲା । ଆଉ ଶୋଇଲା ନାହିଁ ରିକୁ ।
ରାତି ୧୨:୧୦
ସେଇ ନିର୍ଦ୍ଦିଷ୍ଟ ଶବ୍ଦ ଆଉ ନିଦ ଭଙ୍ଗା ଆଜି ଶ୍ୱଶୁର ଆଉ ରିକୁ ଉଭୟ । ରୋହିତଙ୍କର ଧର୍ଯ୍ୟ ନଥିଲା ଆଜି ବିଲକୁଲ । ପୂରା ଦିନ ଅଫିସର ଯାବତୀୟ କାମ ଭିତରେ ଏକଦମ ଥକି ପଡ଼ିଥିଲେ ସେ । ନିତ୍ୟା ଏକୁଟିଆ ଉଠିଲା ପାଣି ଦେଲା ବାପାଙ୍କୁ , ପୁଅକୁ ଦୋଳିରେ ପକେଇ ଝୁଲେଇଲା ଆଉ ଖୁବ୍ କାନ୍ଦିଲା ।
ରାତି ୧୨ :୦୦
ପୁଣି ସେଇ ବିରକ୍ତିକର ଶବ୍ଦ , ନା ଆଜି ଆଉ ସହିବାର ନୁହେଁ । ରୋହିତ ମେନ୍ ଡୋର୍ ଖୋଲି ତଡିତ ବେଗରେ ରାସ୍ତାକୁ ଆସିଗଲେ । ଦ୍ରୁତ ଗତିରେ ଅତିକାୟ ବାଇକ୍ ଟା ଚାଲିଗଲା ସେମିତି ବିକଟାଳ ହର୍ଣ୍ଣ ବଜେଇ । ଦେଖିଲେ ରୋହିତ ବେଶ ଲମ୍ବା ପିଲାଟେ ପୂରା ଶୀତ ବସ୍ତ୍ର ଭିତରେ ନିବୁଜ , ବିଜୁଳି ଭଳି ଝଟକି ପଳେଇଲା ।
ପିଲାଟା ୟଙ୍ଗ , ଏନେର୍ଜେଟିକ୍ ଆଉ ଡ୍ୟାମ୍ ହ୍ୟାଣ୍ଡସମ୍ ୱାଉ , କହିଲେ ଆସି ରୋହିତ ନିତ୍ୟାକୁ । କାହା ପାଇଁ ଆସୁଛି କେଜାଣି କିନ୍ତୁ ଯାହା ବି କୁହ ପିଲାଟା ଗୋଟେ ମସ୍ତ ହିରୋ । ନିତ୍ୟା ଏମିତି କଥା ଶୁଣି ରାଗିକି ପଞ୍ଚମ ହେଇଗଲା ଆଉ କହିଲା ,
'' ଆକ୍ସିଡେଣ୍ଟ ହେଇଯାଉ ମାଙ୍କଡ଼ ଟୋକାର ମଣିଷ କୁ ଶୋଇ ଦେଉନି ରେ । ଇଡିଅଟ୍ କଉଠିକାର । ''
ରୋଜ ଏମିତି ଅଧ ରାତିରେ ବାଇକ୍ ରେ ଆସି ବିକଟାଳ ହର୍ଣ୍ଣ ବଜେଇ ଚକ୍କର କାଟି ପିଲାଟା ଅଞ୍ଚଳରେ ଥିବା ସବୁ ଲୋକଙ୍କ ନିଦର ଏକ ନମ୍ବର ଦୁଶମନ ସାଜିଛି । ବେଶୀ ବାଧୁଛି ନିତ୍ୟା କୁ । ଶାଶୁ ଶ୍ବଶୁର ଆଉ କୁନି ପୁଅ ଙ୍କ ଭିତରୁ କେହି ନା କେହି ଉଠି ପଡି ବଡ଼ ଯନ୍ତ୍ରଣା ଦେଉଛନ୍ତି ତାକୁ ଆଉ ରୋହିତଙ୍କୁ । ସେମାନଙ୍କ ରାତିର ଶାନ୍ତି ହଜେଇ ଦେଲାଣି ଏଇ ପିଲା ।
କିନ୍ତୁ ସେ କିଏ ? କାହିଁକି ଏମିତି ଅଧ ରାତିଆ ପାରିଧି କରି ବାହାରୁଛି ? କାହା ପାଇଁ ଆସୁଛି ଏମିତି ? କାହା ଉଦ୍ଦେଶ୍ୟରେ ଦେଉଛି ଏମିତି ହର୍ଣ୍ଣ ?
ନିତ୍ୟାର ଘର ତ ବଡ଼ ନିରୋଳା ସ୍ଥାନରେ । ଦିନରେ ମଧ୍ୟ କୋଳାହଳଠୁ ଢେର ଦୂରରେ ଏଇ ସ୍ଥାନ । ମୁଖ୍ୟ ବଜାର ଠୁ ବେଶ ଦୂରରେ ଏଇ ଅଞ୍ଚଳ । ଏଠି ପୁଣି ସାଧାରଣ ଗାଉଁଲି ଲୋକ । କାଭାଁ ମୋଟର ବାଇକ । ଚାଷୀ ମୂଲିଆ ଭଳି ଲୋକ ପଞ୍ଝାକ ଏଠି । ରୋହିତ କାହିଁକି ଏଇ ବନ ବିଭାଗର ଚାକିରୀ କଲେ କେଜାଣି ? ....
ଏଠି ଏମିତି ଆଧୁନିକ ବାଇକ ଚାଳକଟି କିଏ ?
ପ୍ରଶ୍ନ ଟି ବେଶ ସଙ୍ଗୀନ । କାରଣ ଏଇ ପିଲାଟି ପ୍ରକୃତରେ ବଡ଼ ଅଭଦ୍ର ଆଉ ଅମାନବିକ । ଟିକିଏ ମଧ୍ୟ କାଣ୍ଡଜ୍ଞାନ
ନାହିଁ । ଆରେ ବାବୁ ସିଗ୍ନାଲ ଦିଅ , ଲାଇନ୍ ମାର , ହିରୋ ହୁଅ କିନ୍ତୁ ଏମିତି ଅନ୍ୟ ଲୋକଙ୍କୁ ହଇରାଣ କରନା ।
ନିତ୍ୟା ଆଉ ଶୋଇ ପାରିଲା ନାହିଁ !
ଏଇଠି କେତେ ଘର ? ଦାସ ମଉସା , ନିଲୁ ନନା , ସେବ ନାନୀ ଆଉ ତାଙ୍କର ଏମିତି ଚାରି ଘର । ଏଠି ହର୍ଣ୍ଣ ବଜେଇ କାହାକୁ ଆଉ ଶୁଣେଇବା ହେଉଛି ତେବେ ?
ସୁନ୍ଦରୀ ଝିଅ ଟେ କେହି ଅଛି କି ?? ପଚାରିଲେ ରୋହିତ । ନିତ୍ୟା ଢେଗା ଢେଗା ଆଖିରେ ଅନେଇଲା ରାଗିକି ଆଉ ଶୋଇବାକୁ ଚେଷ୍ଟା କଲା କମ୍ବଳ ଘୋଡେଇ । କାରଣ ସେ ଜାଣେ ରୋହିତଙ୍କ ଇସାରା ତା' ଆଡ଼କୁ । ଏମିତି ବେହିଆମି କରିବାରେ ସେ ଓସ୍ତାଦ । ସୁନ୍ଦରୀ କହିଲେ କେବଳ ଆଉ କେବଳ ନିତ୍ୟା କୁ ହିଁ ବୁଝାଏ ।
ଆଜି ଶାଶୁ ଶ୍ବଶୁର ନାହାଁନ୍ତି ତେଣୁ ଟିକେ ଟେନ୍ସନ୍ କମ୍ । ପୁଅ ବି ଉଠିନି । ଏଭଳି ସୁନ୍ଦର ସୁଯୋଗର ସଦ ବ୍ୟବହାର ନକରି ରୋହିତ ଚଳେଇଛନ୍ତି ପାଲା । ହୁଁ !
ନିତ୍ୟା କିନ୍ତୁ ଶୋଇ ପାରିଲା ନାହିଁ । ସୁନ୍ଦରୀ ଝିଅ , ହ୍ୟାଣ୍ଡସମ ପୁଅ , ରାତିରେ ବାଇକ , ହର୍ଣ୍ଣ ରେ ଈସାରା , ଏସବୁ ମିଶି ଗୋଟେ ପ୍ରେମ ଗପ ଲେଖାଯାଇ ପାରିବ କି ?
ଟିକେ ବିଗତ ଦିନକୁ ଫେରିଗଲା ସେ , ଅଂଶୁର ଦିନ । ସେ ଅବଶ୍ୟ ବାଇକ୍ ଚଲଉ ନଥିଲା , ଚଲଉ ଥିଲା ସାଇକେଲ । ପୁରୋହିତପୂର ସ୍କୁଲ ର ଦୂରତା ତାଙ୍କ ଘରଠୁ ସାତ କିଲୋମିଟର । ସେ , ଅନିମା ଆଉ ଅଂଶୁ ସାଥିରେ ବାହାରୁଥିଲେ ରୋଜ ।
ଖରା , ବର୍ଷା , ଶୀତ କୌଣସି ସମୟରେ ବି ଅନୁପସ୍ଥିତ ରହିବାର ନଜିର ନଥିଲା । ଅଂଶୁ ଆସୁଥିଲା ତାଙ୍କ ଘରକୁ ଆଉ ବେଲ୍ ବଜେଇ ଈସାରା ଦେଉଥିଲା ନିତ୍ୟା କୁ । ନିତ୍ୟା ଚଳଚଞ୍ଚଳ ହେଇ ବାହାରି ଆସୁଥିଲା ଆଉ ସ୍କୁଲ ପାଇଁ ସାଇକେଲ ଧରି ଚାଲିଯାଉଥିଲା।
ସବୁଦିନ ଥାଏ ସେଇ ସାଇକେଲ ବେଲ୍ ର ଅପେକ୍ଷା ନିତ୍ୟା ଭିତରେ । ଆଦ୍ୟ ଯୌବନ ର ସେଇ କୋମଳ ଦିନ ଗୁଡିକରେ ସେଇ ଭାବନା ସବୁ ଘୁରିବୁଲେ ଅଂଶୁ ଚାରିପଟେ । ଭିନ୍ନ ଗୋଟେ ସ୍ପନ୍ଦନ ଥିଲା ସେଇ ବେଲ୍ ଶବ୍ଦ ର । ଯାହା ଆନ୍ଦୋଳିତ କରୁଥିଲା ନିତ୍ୟାକୁ ବେଶ ପ୍ରଛନ୍ନ ଭାବେ ।
କିନ୍ତୁ ସେଇତକ କେବଳ ନିର୍ଦ୍ଦିଷ୍ଟ ବୟସର ଆବେଗିକତା ଥିଲା ବୋଧେ । ସମୟ ଅତିକ୍ରାନ୍ତେ ଦୁରେଇ ଗଲେ ଉଭୟ ନିଜନିଜ ପଥରେ । କାହିଁ କେତେକାଳୁ ଆଉ ମନେ ପଡିନଥିଲା ଅଂଶୁ । ହେଲେ ଆଜି ରୋହିତ ଙ୍କ କଥାରେ କାହିଁକି ଉଦ୍ଜିବିତ ହେଇଗଲା ସୁପ୍ତ ଅତୀତ କେଜାଣି ?
ହୁଏତ ଆଦ୍ୟ ଯୌବନର ସେଇ ଅନୁଭବ ଫସିଲ ହେଇ ସାଇତା ହେଇଛି ହୃଦୟରେ ବେଶ ଯତ୍ନରେ ।
ରୋହିତ ସେଇ ରାତିରେ ବାହାରି ପିଲାଟାକୁ ଦେଖିବାର ଚେଷ୍ଟା କରି ବିଫଳ ହେଲା ପରେ କିନ୍ତୁ ତାଙ୍କ ଜିଦ ବଢିଗଲା । ତା' ପର ଦିନ ନିଜ ବାଇକ୍ ସହ ରେଡି ରହିଲେ ସେ । ଆଜି ଧରିବେ ସେଇ ରସିକ ଟୋକା କୁ । ବେକାର କରିସାରିଲେଣି ଜୀବନ ତାଙ୍କର ।
ନିତ୍ୟା ବି ବେଶ ଉସୁକେଇଛି ରୋହିତ ଙ୍କୁ । '' ଦେବାକୁ ପଡିବ ପାନେ ସେ ବଦମାସ ଟାକୁ , ବୁଝିଲ । ତୁମ ହାତରୁ ଖସିଗଲା ଏଡ଼େ ଚାଲୁ । ଆଜି ଧରିବ ପକ୍କା ।'' ରୋହିତ ମଧ୍ୟ ବେଶ ଆବେଶରେ କହିଲେ , " କ'ଣ ଏଇଟା ମନ କଥା ନା ' ଏମିତି , ଧରା ପଡିବାର ଡର ହାଁ !" ନିତ୍ୟା ରାଗିକି ଫଁ ଫଁ ହେଲା ଆଉ ଗୋଡ଼ କଚାଡି ପଳେଇଲା ସେଠୁ ।
ହେଲେ ଆଜି ଘଟଣା ଟା ଭିନ୍ନ ରୂପ ନେଲା । ସେ ପିଲା ଆସିଲା ହିଁ ନାହିଁ । ତାରି ପ୍ରତୀକ୍ଷା ରେ ବିତିଗଲା ଢେର ସମୟ କିନ୍ତୁ ସେ ଆସିଲା ନାହିଁ ।
ଶେଷ କୁ ରୋହିତ ବାଇକ୍ ଭର୍ତ୍ତି କରି ଶୋଇଲେ । ଆଉ ନିତ୍ୟା ତାଙ୍କ ଉପରେ ଗୁମାନ କରି ଶୋଇଲା । କିନ୍ତୁ ବିଚିତ୍ର ଭାବେ ଠିକ ସେତେବେଳେ ଶୁଭିଲା ହର୍ଣ୍ଣ , ଓଃ !...
ପିଲାଟା କ'ଣ ତେବେ ଜାଣିଗଲା ରୋହିତ ଙ୍କ ପ୍ରତୀକ୍ଷା କଥା ?
ଯଦି ଜାଣିଲା ତେବେ କେମିତି ? କିଏ ଜଣେଇଲା ?
ଏକାନ୍ତ ବ୍ୟକ୍ତିଗତ ଭାବେ କେବଳ ନିତ୍ୟା ଛଡା ଆଉ କେହି ଜାଣନ୍ତି ନାହିଁ ରୋହିତ ଙ୍କର ଏଇ ଅଭିଯାନ । ତେବେ କ'ଣ ?..........
ଅବିଶ୍ୱାସ ର ପତଳା ଆସ୍ତରଣ ଟେ ଛାଇ ଗଲା ରୋହିତ ମନରେ । ନିତ୍ୟା ତେବେ .....ମାନେ ତା' ଥଟା ମଜା ତେବେ .....
ଓଃ ! ମୁଣ୍ଡ ଗୋଳମାଳ ହେଇଗଲା ରୋହିତର । ନିତ୍ୟା ବିଚାରୀ କିନ୍ତୁ ଏସବୁଠୁ ଢେର ଦୁରରେ ଶୋଇଥିଲା ନିଘୋଡ
ନିଦରେ । ଆଜି ବାଇକ୍ ଶବ୍ଦ ରେ କେହି ଉଠି ନଥିଲେ । କେବଳ ରୋହିତ ଙ୍କ ବ୍ୟତୀତ । ସେ କେବଳ ଉଠିଲା ନାହିଁ , ସାରା ରାତି ଶୋଇ ମଧ୍ୟ ପାରିଲା ନାହିଁ ।
ନିତ୍ୟା କିନ୍ତୁ ଏଭଳି ଚିନ୍ତାଧାରା ର ଆଦୌ ନୁହେଁ । ସେ ବେଶ ସମ୍ବେଦନଶୀଳ , ଦାୟିତ୍ୱ ସମ୍ପନ୍ନ , ବୁଝିବାର ପିଲା । ତା' ପାଖରେ କୌଣସି ଅଭାବ ମଧ୍ୟ ନାହିଁ । ବେଶ ସମ୍ପନ୍ନ ପରିବାର ରୁ ଆସି ଆହୁରି ପ୍ରାଚୁର୍ଯ୍ୟ ଭିତରେ ବିତୁଛି ତା' ଜୀବନ । ସୁଯୋଗ୍ୟ ସ୍ୱାମୀ , ସ୍ନେହୀ ଶାଶୁ ଶ୍ବଶୁର , ଗୁଲୁଗୁଲିଆ ପୁଅ , ଏସବୁ ଅଛି ତା' ପାଖରେ । ତେବେ କି ଅଭାବ ରହିଗଲା ଯେ ସେ ଏମିତି ଭୟଙ୍କର ପଦକ୍ଷେପ ନେଲା?
ଗୁଡେଇ ତୁଡେଇ ଏମିତି ହଜରେ ଅପଚିନ୍ତା ଘାରିଲା ରୋହିତକୁ । କିନ୍ତୁ କୌଣସି ସିଦ୍ଧାନ୍ତ ରେ ପହଞ୍ଚି ପାରିଲା ନାହିଁ ସେ । ପରିସ୍ଥିତି ର ନିର୍ଯାସ ଏଇଆ ଭାବିବାକୁ ବାଧ୍ୟ କରୁଥିଲା କିନ୍ତୁ ବିବେକ ବିଶ୍ୱାସ କରିବାକୁ ରାଜି ନଥିଲା । ବୁଦ୍ଧି ଆଉ ବିବେକର ଏଇ ଟଣା ଓଟରା ଭିତରେ କେତେବେଳେ ନିଦ ଲାଗିଗଲା ବୁଝା ପଡିଲା ନାହିଁ ରୋହିତ କୁ ।
ନିତ୍ୟା ସକାଳୁ ଏଇ କଥା ଶୁଣି ସତରେ ବଡ ଆଶ୍ଚର୍ଯ୍ୟ ହେଲା । କେମିତି ଜାଣିଲା ପିଲାଟା ?.....
ରୋହିତ କିନ୍ତୁ ଏବେ ଗୋଟେ ଭିନ୍ନ ବୁଦ୍ଧି ଲଗେଇଲା । ଆଉ ଚୁପ ଚାପ ପ୍ଲାନ ଟେ ତିଆରିଲା । କେହି ଟେର ପାଇଲେ ନାହିଁ ତା' ପ୍ଲାନ ର ।
ଆଜି ରାତିରେ ନିଶ୍ଚିତ ଧରା ହେବ ପିଲାଟା , ମନେ ମନେ ଗୁଣୁଗୁଣୁ ହେଉଥାଏ ରୋହିତ । ଢେର ରାତିକୁ ଶୁଭିଲା ହର୍ଣ୍ଣ ଆଉ ତା' ସହ ଗୋଟିଏ ଦୁର୍ଘଟଣା ର ଶବ୍ଦ । ଗାଡି ଟା ସ୍ଲିପ କଲା ହୁଏତ ଖୁବ୍ ଜୋରରେ । ରୋହିତ ଏଥର ଦୌଡ଼ିଲା କବାଟ ଖୋଲି ରାସ୍ତା ଉପରକୁ ତଡିତ ବେଗରେ । ନିତ୍ୟା ମଧ୍ୟ ତା' ପଛରେ ଧାଁଇଲା ଉପାୟ ଶୁନ୍ୟ ହେଇ ।
ଦୁହେଁ ଆବିଷ୍କାର କଲେ ଗଡ଼ିଟା ରୋଡ଼ ସାଇଡ଼ ଗୋଟେ ପାଚେରୀ ରେ ଧକ୍କା ହେଇଛି ଆଉ ଗାଡି ଚାଳକଟା ବେଶ ଦୂରରେ ବେହୋସ ପଡିଛି । ଏମିତି ଭୟଙ୍କର ଦୃଶ୍ୟ ଦେଖି ଦୁହେଁ ଭୟ ପାଇଗଲେ । କେମିତି ହେଲା ଦୁର୍ଘଟଣା ବୁଝି ହେଉନଥିଲା । ନିତ୍ୟା ମଧ୍ୟ ଆଶ୍ଚର୍ଯ୍ୟ ହେଉଥିଲା । କେମିତି ହେଲା ଦୁର୍ଘଟଣା । ଇସ୍ ତା' ଅଭିଶାପ ଫଳି ଗଲା ନି ତ ଆଉ !
ରୋହିତ ଏଠିକାର ପୋଲିସ ବିଭାଗ ରେ ଥିବା ତା' ପାପା ଙ୍କ ପରିଚିତ ନଗେନ ଅଙ୍କଲ ଙ୍କୁ ଏଇ ସମସ୍ୟା ସଂକ୍ରାନ୍ତି ରେ କହିଥିଲା । ସେ ପିସିଆର ଭ୍ୟାନ ସହାୟତା ରେ ସେଇ ପିଲାକୁ ଅଟକେଇ ତା' ଖୋଜ ଖବର ନେବାକୁ ରାଜି ହେଇଥିଲେ । ତେଣୁ ଆଜି ପିଲା ଫସିଲା ବୋଲି ପକ୍କା ହେଇ ଯାଇଥିଲା । କିନ୍ତୁ ଏଇ ଦୁର୍ଘଟଣା କେମିତି ଘଟିଲା କେଜାଣି ?......
ରୋହିତ ଓ ନିତ୍ୟା ଙ୍କ ସାମ୍ନା ରେ ଏବେ ଥିଲା ଗୋଟେ ଦୁର୍ଘଟଣାଗ୍ରସ୍ତ ପିଲା । ଯାହାର ସ୍ଥିତି ଏବେ ସଂକଟାପନ୍ନ ଥିଲା । ଯେ ହୁଏତ ଗଭୀର ଭାବେ ଆଘାତପ୍ରାପ୍ତ ହେଇଥିଲା । ଜୀବନ ଥିଲା କି ନାହିଁ ତା' ମଧ୍ୟ ଜଣା ନଥିଲା । ଏଭଳି ସ୍ଥିତିରେ ସେ ଦୁହେଁ କି ପଦକ୍ଷେପ ନେବେ ବୁଝି ପାରୁନଥିଲେ । ନିତ୍ୟା କିନ୍ତୁ ଦେଖିବାକୁ ଇଛୁକ ଥିଲା ପିଲାଟିକୁ ଅନ୍ତତ ଜଣା ପଡିବ କିଏ ସେ ?
ହେଲେ ଏବେ ଏଇଟା ଗୋଟାଏ ଆକ୍ସିଡେଣ୍ଟ କେସ୍ । ସେଥିରେ ଫସିବା ବୁଦ୍ଧିମାନି ହେବ ନାହିଁ କେବେ । ହୁଏତ ଗୁଡ଼େ ପୋଲିସ ତଦନ୍ତ ଭିତରକୁ ଟଣା ହେବାର ଭୟ ରହିବ । ବା' ନିତ୍ୟା ଆଉ ରୋହିତ କାହିଁକି ଅଧ ରାତିରେ ବାହାରେ ଚକ୍କର କାଟୁଥିଲେ ପ୍ରଶ୍ନ ଆସିବ ? ରୋହିତ ଏଇ ପିଲା କଥା ନଗେନ ଅଙ୍କଲ ଙ୍କୁ କହିଥିଲା ତେଣୁ ଏବେ ଏଇ ଦୁର୍ଘଟଣାଟା ତାକୁ ମଧ୍ୟ ସନ୍ଦେହ ଘେରକୁ ଟାଣିବ ।
ଓଃ ! ମୁଣ୍ଡ ଆହୁରି ଭାରି ହେଇଗଲା ରୋହିତ ର । ନିତ୍ୟା କିନ୍ତୁ କାନ୍ଦୁଣୁ ମାନ୍ଦୁଣୁ ହେଇ କହିଲା , '' ଏଇ , ଶୁଣ ବା ଚାଲ ଦେଖିବା ପିଲାଟା କେମିତି ଅଛି । ଫୋନ୍ କରିବା ଟିକେ ହସ୍ପିଟାଲ କୁ । ବଂଚି ଯାଉ ପିଲାଟା ।''
ରୋହିତ ବୁଝି ପାରୁଥିଲା , ନିତ୍ୟା ବିଚାରୀ ଏକଦମ ଵୋକି । ଏଭଳି କେସ୍ ର ଭୟାବହତା କୁ ଟିକିଏ ମଧ୍ୟ ହୃଦୟଙ୍ଗମ ନକରି ବୁଦ୍ଦୁ ଭଳି ବ୍ୟବହାର କରୁଛି । ଦେଖିବେ , ହସ୍ପିଟାଲ ଫୋନ୍ କରିବେ , ପୋଲିସ ଡାକିବେ ହୁଁ .... ..
କି ବିସ୍ ପଡିଛି ଟିକେ ଶୁଣେ । ସେମାନେ କାହିଁକି କରିବେ ପାଲା । ପଡ଼ିଥାଉ ମାଙ୍କଡ଼ ମୁହାଁ ବେକ ମୋଡି । ବରଂ ଖୁସି ହେବା କଥା ଗଲା ଗୋଟେ ଗ୍ରହ । ଭଲ ହେଲା ମଣିଷ ଏଇନେ ଟିକେ ଶାନ୍ତିରେ ଶୋଇବ ।
ଏମିତି ଭାବିଲା ସିନା କିନ୍ତୁ ରୋହିତ ବି କୋଉ ନିରୂପଦ୍ରବ ରହିପାରିଲା । ତା' ଭିତରେ ମଧ୍ୟ ଥିଲା ଗୋଟେ ମହାମୁର୍ଖ
ମଣିଷ । ସମ୍ବେଦନଶୀଳ , ପରୋପକାରୀ , ସାଧାରଣ ମଣିଷ । ଯେ ଅନ୍ୟର ଅସହାୟତା ଭିତରେ ନିଜକୁ ଦେଖିପାରେ ବଡ଼ ବିଚିତ୍ର ଭାବେ ।
ସେ ଦୁହେଁ ପିଲାଟି ନିକଟକୁ ଯାଇ ଦେଖିଲେ । ହେଲମେଟ ପିନ୍ଧା ମୁଣ୍ଡ ସକାଶେ ଜୀବନ ରକ୍ଷା ହେଇଯାଇଥିଲା ପିଲାଟିର । କେବଳ ବେହୋସ ଥିଲା ସେ । ନାଡି ଦେଖି ରୋହିତ ଏତକ କନଫର୍ମ କଲା ।
ନିତ୍ୟା ଏବେ ହେଲମେଟ କାଢି ପିଲାଟିକୁ ଦେଖିବାକୁ ଚାହିଁଲା । ବଡ଼ ସାହସ ସହକାରେ ରୋହିତ ଅନବୃତ କଲା ପିଲାଟିକୁ ।
"ଏଇଟା କୁ ରୋହିତ କହିଥିଲେ ଡ୍ୟାମ୍ ହ୍ୟାଣ୍ଡସମ ଧେତ୍ , କାଳିଆ ରଙ୍ଗ ସାଙ୍ଗକୁ ବସନ୍ତ ମୁହଁ ।'' ମନେ ମନେ ଭାବୁଥିଲା ନିତ୍ୟା ନାକ କୁଂଚେଇ ।
"ଛି ଲୋ ମୋ ବୋଉ " କହି ନିତ୍ୟା ରୋହିତ ର ହାତ କୁ ମୁଠେଇ ଧରି ପକେଇଲା ।
ହଠାତ ରୋହିତର ନଜର ଚାଲିଗଲା ସାମ୍ନା ଘର ବାଲକୋନି କୁ । ନୂଆ ବାହା ହେଇଥିବା ସଂଗୀତା ଭାଉଜ ଦିଶିଗଲେ ଜହ୍ନ ଆଲୁଅରେ । ଲାଗିଲା ଯେମିତି ସେ ବ୍ୟତିବ୍ୟସ୍ତ ଥିଲେ , କରୁଣ ଲାଗୁଥିଲେ , କାନ୍ଦୁଥିଲେ କି ବୋଧେ ।