STORYMIRROR

Suchismita Sahoo

Romance

2  

Suchismita Sahoo

Romance

ତୁମକୁ ପାରୁନି ତ ଭୁଲି (ଭାଗ-୧)

ତୁମକୁ ପାରୁନି ତ ଭୁଲି (ଭାଗ-୧)

4 mins
103


ଆଜି ଘରେ କୁଣିଆ ଭର୍ତ୍ତି, ଭାରି ଗହଳ ଚହଳ। ହେବନି କେମିତି ଯେ, କାଲି ପରା ମୋର ବାହାଘର। କାଲି କିଏ ଜଣେ ଅଜଣା ପୁରୁଷ ବରଯାତ୍ରୀ ଧରି ମୋ ଘରକୁ ଆସିବ, ଆଉ ମୋ ଇଛା ବିରୁଦ୍ଧରେ ବାପାଙ୍କ ସନମତି ନେଇ ମତେ ତାର ସ୍ତ୍ରୀ କରିନେବ। ଅନସୂୟାଙ୍କ କଥାରେ ଗୋଟେ ରାତି ସାତ ରାତି ହେଲା ପରି, ଆଜିର ଏ ରାତିଟା ଏଇଠି ଅଟକି ଯାଆନ୍ତାନି? ମତେ ଏକ ଅଜଣା ପୁରୁଷ (ସମୀର) କୁ ବାହା ହେବାର କୌଣସି ଇଚ୍ଛା ନାହିଁ। ବାହା ହେଲେ ବି, ମୁଁ କେବେ ବି ତାଙ୍କ ସ୍ତ୍ରୀ ହେଇପାରିବିନି, କି ତାଙ୍କୁ ମୋ ମନରେ ସ୍ୱାମୀର ସ୍ଥାନ ଦେଇପାରିବିନି। କାହିଁକି ନା, ସେଇ ସ୍ଥାନରେ କାହିଁ କେବେଠୁ ଆଉ କିଏ ରହି ସାରିଛି। ଆଉ କିଏ ନୁହେଁ, ମୋ ପ୍ରଥମ ଆଉ ଶେଷ ପ୍ରେମ ସିଏ, ଆକାଶ। ମୁଁ ରମାଦେବୀ ମହାବିଦ୍ୟାଳୟର ଛାତ୍ରୀ ଥିବା ବେଳେ, ଆକାଶଙ୍କ ସହ ମୋର ଦେଖା। ମୋ ରୁମମେଟ ପ୍ରିୟା ର ସେ ସମ୍ପର୍କୀୟ ଭାଇ। ପ୍ରତି ରବିବାର, ଆକାଶ ଆମ ଛାତ୍ରୀନିବାସ ପାଖକୁ ଆସନ୍ତି ପ୍ରିୟା କୁ ଦେଖା କରିବାକୁ। ସେମାନେ ଦୁହେଁ ସାଙ୍ଗ ହେଇ ବହୁତ ବୁଲନ୍ତି, ମାର୍କେଟ ବିଲ୍ଡିଂଗ, ରାମ ମନ୍ଦିର, ଇସ୍କନ ମନ୍ଦିର, ସପିଙ୍ଗ ମଲ। ମତେ ବି ପ୍ରିୟା ବହୁତ ଥର ବାଧ୍ୟ କରିଛି ଯିବା ପାଇଁ। କିଛି ଥର ଯାଇଛି ମଧ୍ୟ ତାଙ୍କ ସହ। ମୁଁ ସେବେ ବହୁତ ଲାଜକୁଳୀ ଆଉ ଅଳ୍ପ କଥା ହେବା ସ୍ୱଭାବର ଥିଲି। ହେଲେ ପ୍ରିୟା ଆଉ ଆକାଶ, ଛାଡ଼ ଛାଡ। ଘଣ୍ଟା ଘଣ୍ଟା ଧରି ଅନବରତ ଗପୁଥିଲେ, ତଥାପି ତାଙ୍କ କଥା ସରୁ ନଥିଲା। ହେ ହେ। ମୁଁ ସିନା ଅଳ୍ପ କଥା ହେଉଥିଲି, ହେଲେ ମତେ କିନ୍ତୁ ଆକାଶଙ୍କ ଅନଗଳ ଗପିବା ଗୁଣ ଭାରି ଭଲ ଲାଗୁଥିଲା। ସେ ପ୍ରିୟା ର ବହୁତ ଯତ୍ନ ନେଉଥିଲେ। ମଜାଳିଆ କଥା କହି ବହୁତ ହସଉଥିଲେ ସେ ଆମକୁ। ମୀରା ଙ୍କର କାହ୍ନା ଦର୍ଶନରେ ଆତ୍ମସନ୍ତୋଷ ପରି, ଆକାଶ ଙ୍କୁ ଟିକେ ଦେଖିଦେଲେ, ମୁଁ ବହୁତ ଖୁସି ହେଇଯାଉଥିଲି। ମୋ ଅଜାଣତରେ ତାଙ୍କୁ ମୁଁ ଭଲ ପାଇ ବସିଥିଲି। ତେଣୁ ମୋର ସବୁବେଳେ ରବିବାର କୁ ଅପେକ୍ଷା ରହୁଥିଲା। ଦିନେ କୌଣସି ଜରୁରୀ କାମ ପାଇଁ ପ୍ରିୟା କୁ ଗାଁ କୁ ଯିବାକୁ ପଡିଲା। ସେଦିନ ହତାଠ, ଆମ ପଡୋଶୀ ବାନ୍ଧବୀ ସନ୍ଧ୍ୟାର ଦେହ ଖରାପ ହେଇଗଲା। ତାକୁ ନେଇ ପାଖ ଆପୋଲୋ ହସ୍ପିଟାଲ କୁ ଯାଇଥାଏ ମୁଁ। ଅକସ୍ମାତ ସେଠି ମୋର ଆକାଶଙ୍କ ସହ ଦେଖା ହେଇଗଲା। ମୁଁ ଖୁସିରେ ଦୌଡ଼ିଗଲି ତାଙ୍କ ପାଖକୁ, ହେଲେ ହସ୍ପିଟାଲ ରେ ସେ କଣ କରୁଛନ୍ତି ବୋଲି ଯେତେ ପଚାରିଲେ ବି, କିଛି ଉତ୍ତର ମିଳିଲାନି। ଅତି ବାଧ୍ୟ କଲାରୁ ଯାହା ଶୁଣିବାକୁ ମିଳିଲା, ସେଥିରେ ମୋ ପାଦତଳ ମାଟି ଖସି ପଡ଼ିଲା। ଆକାଶ ଙ୍କୁ କ୍ୟାନସର, ସେ ଏବେ ଶେଷ stage ରେ। ଆଉ ମାତ୍ର କିଛି ମାସ ବୋଧେ ତାଙ୍କ ଆୟୁ। ସେ ରାଣ ଦେଇ ମତେ ଏକଥା ପ୍ରିୟା ଆଗେ ନ କହିବାକୁ ଅନୁରୋଧ କଲେ। ପ୍ରିୟା ଜାଣିଲେ ସହି ପାରିବନି। ବହୁତ କଷ୍ଟ ହେବ ତାକୁ। ହେଲେ ଆକାଶଙ୍କ ପ୍ରିୟା ପ୍ରତି ଭାବ ଦେଖି ମୁଁ କିଛି ପଚାରିବା ଆଗରୁ ସେ ତାଙ୍କ ଆଡୁ କହିଦେଲେ ଯେ, ପ୍ରକୃତରେ ସେ ପ୍ରିୟାଙ୍କ ସମ୍ପର୍କୀୟ ଭାଇ ନୁହଁନ୍ତି। ହଷ୍ଟେଲ ୱାରଡେନଙ୍କୁ ଡରି ସମ୍ପର୍କୀୟ ଭାଇର ଅଭିନୟ କରୁଛନ୍ତି। ଦୁହେଁ ପିଲା ଦିନୁ ପରସ୍ପରକୁ ଭଲ ପାଆନ୍ତି। ଆଉ କିଛି କହିବା ଆଗରୁ, ନର୍ସ ତାଙ୍କୁ ବାଧ୍ୟ କରି ଚେକିଙ୍ଗ ରୁମକୁ ନେଇଗଲା। ମୁଁ ସେ ବାହାରେ ଅବାକ ହେଇ ଛିଡାହେଇଥିଲି। ହେ କାହ୍ନା, କଣ କରୁଛୁ ତୁ ମୋ ସହ। ଯାହାକୁ ମୁଁ ତୋ ସହ ଉପମା କରିଥିଲି, ଯାହାକୁ ମୁଁ ମୋ କାହ୍ନା ବୋଲି ଭାବିଥିଲି, ସେ ମୋର ନୁହେଁ, ଆଉ କାହାର। ଛାଡ଼, ମୁଁ ଅଲକ୍ଷଣୀ ଟା, ଯୋଉ ଡାଳରେ ବସେ ସେ ଡାଳ ଭାଙ୍ଗିଯାଏ, ହେଲେ, ଆକାଶଙ୍କ ରୋଗ କଥା। ସେ ଏତେ ଭଲ ମଣିଷ ତୁ ତାଙ୍କୁ କାହିଁ ଏତେ କଷ୍ଟ ଦେଉଛୁ। କାହିଁ ନିଜ ପାଖକୁ ଡାକି ନେବାକୁ ଚାହୁଁଚୁ। ଏମିତି ଅନ୍ୟାୟ କରେନି କାହ୍ନା। ଏମିତି କହି ବହୁତ ଜୋରରେ କାନ୍ଦିବାକୁ ଲାଗିଲି। ହେଲେ କାଳେ ସନ୍ଧ୍ୟା ଏ ବିଷୟରେ ଜାଣି ଦେବ ଆଉ ପ୍ରିୟା କୁ କହିଦେବ, ସେ ଡରରେ ଆଖି ଲୁହ ପୋଛି ତୁନି ହେଇଗଲି। ନିଷ୍ପତି ନେଲି ଯେ, ମୁଁ କଲେଜ ଛାଡି ଦେବି। ସବୁ ଜାଣିଲା ପରେ, ମୁଁ ପ୍ରିୟା ଓ ଆକାଶଙ୍କୁ ଏକାଠି ଦେଖି ସହି ପାରିବିନି। ସତକୁ ସତ, ଘରେ ମିଛ କହି, ପ୍ରିୟା ଆଉ ଆକାଶଙ୍କୁ କିଛି ନ ଜଣେଇ ମୁଁ କଲେଜ ଆଉ ଭୁବନେଶ୍ୱର ଛାଡି ଦିଲ୍ଲୀ ଚାଲିଗଲି। ସେବେଠୁ ବୁଲି ଚାହିଁନି ପଛକୁ। ଆଜି ଫେରୁଛି ଦିଲ୍ଲୀରୁ ବାପାଙ୍କ ଜିଦ ରେ ସମୀରଙ୍କୁ ବାହାଘର ହେବାକୁ। ଜାଣେନି ଆକାଶ ଏ ଦୁନିଆରେ ଅଛନ୍ତି ନା ଆଉ ନାହାନ୍ତି। ଜାଣେନି ପ୍ରିୟା କେମିତି ଅଛି। ସେ ଏତେ ବଡ କଥାକୁ କେମିତି ସହି ଥିବ? ଆକାଶଙ୍କର ପ୍ରିୟାକୁ ସବୁ ସତ କହି ଦେବାର ଥିଲା। ମତେ କ୍ଷମା କରିଦିଅ ଆକାଶ, ମତେ କ୍ଷମା କରିଦେ ପ୍ରିୟା। ତମ ଅସମୟରେ ମୁଁ ତୁମମାନଙ୍କୁ ଛାଡି ନିଜ ରାସ୍ତା ଦେଖି ଦେଲି। ହେଲେ ସତ କହୁଛି ଲୋ ପ୍ରିୟା, ମୁଁ ପାଗଳ ପରି ଭଲ ପାଇ ବସିଥିଲି ଆକାଶ ଙ୍କୁ। ତୁମ ଦୁଇ ଜଣଙ୍କୁ ଏକାଠି ଦେଖି ମୁଁ ସହି ପରିନଥାନ୍ତି ଲୋ। ମୁଁ କଣ କରିଥାନ୍ତି ତୁ କହ ଲୋ ପ୍ରିୟା। ଏମିତି ଅନେକ କିଛି କିଛି ଭାବୁ ଭାବୁ ମୋ ଆଖିରୁ ଲୁହ ଧାର ଆପେ ଆପେ ଗାଲ ଦେଇ ବହି ଯାଉଥାଏ। ହଠାତ କାହା ସ୍ପର୍ଶରେ ମୁଁ ଚମକି ଉଠିଲି। ଦେଖିଲି ବୋଉ ଛିଡାହେଇଛି। ମତେ କହିଲା, ଆଲୋ କେତେ ଡାକିଲିଣି ତତେ, ସେପଟେ ପରା ମଙ୍ଗୁଳେଇ ହେବାକୁ ସମସ୍ତେ ତତେ ଅପେକ୍ଷା କରିଛନ୍ତି। ପୁଅ ମଙ୍ଗୁଳେଇ ହେଇସାରିଲାଣି। ଏବେ ତୋ ପାଳି। ତୁ କାଇଁ କାନ୍ଦୁଛୁ ଲୋ। ଝିଅ ଜନମ ତ ପର ଘରକୁ। ମୁଁ କିଛି ଉତ୍ତର ନ ଦେଇ ବୋଉର ଛାତିରେ ଆଉଜି ହେଇପରି ବହୁତ ଜୋରସେ କାନ୍ଦିବାକୁ ଲାଗିଲି। ଆଉ ମନେ ମନେ ଆକାଶଙ୍କୁ କ୍ଷମା ମାଗି କହୁଥିଲି, ଫେରିଆସ ଫେରିଆସ ତୁମେ, ମୁଁ ତୁମକୁ ପାରୁନି ତ ଭୁଲି।



Rate this content
Log in

Similar oriya story from Romance