Shashanka sekhar Ray

Drama

2.5  

Shashanka sekhar Ray

Drama

ତୁଳସୀ

ତୁଳସୀ

6 mins
14.3K


ବୋଉ ତା ଠାକୁରଘରେ ସାନବୋହୂ ତୁଳସୀକୁ ଆଦୌ ପୁରାଇ ଦିଏନି । ତାର ଛାଇ ପଡିଲେ ବୋଉର ନାହୀ ଡିଏଁ ।ସବୁବେଳେ ଦୂର୍ ଦୂର୍ ମାର ମାର୍ କରି ଚାଲିଥାଏ ତାକୁ , କାହିକିନା ତୁଳସୀ ଗୋଟିଏ କେଉଟଘର ଝିଅଟିଏ ବୋଲି ।ବ୍ରାହ୍ମଣପରିବାର ପାଇଁ ସେ ଏକ କଳଙ୍କ । କେବଳ ବାପାଙ୍କ ସ୍ଵୀକୃତିରେ ତାର ଏ ଘରେ ସ୍ଥାନ ।

ଯେଉଁ ଦିନ ମୁଁ ଗରିବ ନିରାଶ୍ରୟ ତୁଳସୀର ମଥାରେ ଆମ ଗାଁ ଜଗନ୍ନାଥ ମନ୍ଦିରରେ ପ୍ରଥମେ ସିନ୍ଦୁର ଦେଲି ସେତେବେଳେ ତୁଳସୀ କହିଥିଲା - ନନା ଏ କଣ କଲେ ଆପଣଙ୍କ ଘରେ ଏ ସଂପର୍କକୁ କେବେ ବି ସ୍ଵୀକୃତି ମିଳିବ ନାହିଁ ।କାହିଁକି ଏ ଭୁଲ କଲେ ନନା ମୋତେ ସାରା ଜୀବନ ଜଳିଜଳି ମରିବାକୁ ହେବ ଘୃଣାରେ ,ଅପବାଦ ନିନ୍ଦାରେ ।ମୁଁ ତା ମଥାରେ ହାତ ରଖି ଏକ ଦୃଢପ୍ରତିଶ୍ରୃତି ଦେଇଥିଲି ବାପାଙ୍କୁ ମୁଁ ବେଶ ଭଲ ଭାବରେ ଜାଣେ ସେ ନିଶ୍ଚୟ ତୁମକୁ ଗ୍ରହଣ କରିବେ ।ବୋଉ କଥା କିନ୍ତୁ ଟିକେ ଅଲଗା ସେ ସବୁଦିନ ଗାରୁଗାରୁ ହେବ କିନ୍ତୁ ବାପାଙ୍କ ଡ଼ରରେ ଚୁପ ହୋଇଯିବ । ତୁମକୁ ସାନବୋହୂର ସ୍ଥାନଟି ନିଶ୍ଚୟ ମିଳିବ। ବାପା ଦୁଇଭାଉଜଙ୍କ କାର୍ଯ୍ୟକଳାପ ଆଚାରବ୍ୟବହାର ଦେଖି ଅତିଷ୍ଟ ହୋଇଗଲେଣି ।କେବଳ ଉଚ୍ଚବଂଶରେ ଜନ୍ମିଥିବା ମଣିଷ ସମସ୍ତେ କେବେ ବି ଭଲମଣିଷ ହୋଇପାରନ୍ତିନି ,ପଙ୍କରୁ ବି ପଦ୍ମପରି ସୁନ୍ଦର ଫୁଲଟିଏ ଫୁଟିପାରେ ବୋଲି ଏକଥା ମୁଁ ସମସ୍ତଙ୍କୁ ଜଣାଇବାକୁ ଚାହେଁ ।

ମନ୍ଦିରରୁ ସିଧା ଆସି ପହଞ୍ଚିଯାଇଥିଲୁ ବରକନ୍ୟା ବେଶରେ ଘରକୁ ।ଘରେ ଦୁଇ ଭାଉଜ ଆମକୁ ଦେଖି ମୁହଁ ମୋଡି ଘୃଣାରେ ପାଛୋଟି ନେବା ପରିବର୍ତ୍ତେ ଘର ଭିତରକୁ ପଶିଗଲେ । ବୋଉକୁ ଡାକି କହିଲେ ତୁମ ସାନପୁଅ ସାନବୋହୂକୁ ସାଙ୍ଗରେ ନେଇକି ଆସିଛି , ଯାଅ ବନ୍ଦାପନା କରି ଘରକୁ ଆଣିବ ମା । କି ଯୁଗ ହେଲାରେ ମା ଛିଃ ଛିଃ ମାଝୀଘରର ଝିଅ ବ୍ରାହ୍ମଣ ଘରର ବୋହୂ ଘୋର ପାପ ମା.....

ବୋଉ ଠାକୁର ଘରୁ ଯେମିତି କଥାଟା ଶୁଣି କାଠହୋଇଯାଇଥିଲା , ଶେଷରେ ମନୁଆଟା ମୋର ଏମିତି କାମ କରିବ ବୋଲି କେବେ ବି ବିଶ୍ଵାସ କରିପାରୁ ନ ଥିଲେ । ହଠାତ ସେ ପାଗଳୀ ପରି ଦଉଡି ଆସିଲା ଦାଣ୍ଡଦୁଆରକୁ । ରାଗରେ ନିଆଁ ବାଣ ହୋଇ ମୋତେ କହିଲା - ଏଠୁ ଯେତେ ଶିଘ୍ର ପାରୁଛୁ ଘରଛାଡି ଚାଲି ଯା ମୁଁ ଦାଣ୍ଡଦୁଆର ଗଂଗାପାଣି ଢାଳି ଗୋବର ଲିପିବି ।ଏ ଘରେ ଆଜିଠାରୁ ତୋର ସ୍ଥାନ ନାହିଁ ମନୁଆଁ । ବାପା ସବୁକଥା ଶୁଣି ତାଙ୍କ ପଢାଘରୁ ଉଠିଆସି ସବୁଜାଣି କିଛି ନ ଜାଣିଲା ପରି କହିଲେ - କଣ ହେଲା କି ମନୁଆଁ ବୋଉ କାହାର ଏ ଘରେ ସ୍ଥାନ ନାହିଁ ।

..ଦେଖ ତୁମ ମନୁଆଁର କାମ ସାନପୁଅ ବୋଲି ଗେହ୍ଲାକରିଥିଲ ସେ କେମିତି ତୁମ ମୁହଁରେ ଚୂନକାଳି ଲଗାଇଲା , ଏ ଗାଁରେ ଲୋକଙ୍କ ମୁହଁରେ କଣ ବାଡବତା ଦେଇହେବ ।

..ଆମ ବୋହୂ ଆମ ଘରକୁ ଆସିଛି ଯାଅ ପୂଜାଥାଳି ଆଣି ତାକୁ ବନ୍ଦାପନ କର ।

...କଣ ହେଲା ମୁଁ ବନ୍ଦାପନା କରି ଘରକୁ ପୁରେଇବି ଛିଃ ଛିଃ ତାକୁ ଆଉ କେହି ଝିଅ ମିଳିଲେଣି ଶେଷରେ ମାଝୀଘର ଝିଅଟାକୁ,,,,,

ବାପା ବୋଉର କଥା ନ ସରୁଣୁ ସିଧା ଠାକୁରଘରୁ ଏକ ପିତ୍ତଳ ଥାଳିରେ ଅରୁଆଚାଉଳ ଘିଅଦୀପ ଧରି ନିଜେ ଆସି ଆମ ଦୁହିଁଙ୍କୁ ବନ୍ଦାପନା କରି ଘରକୁ ପାଛୋଟି ନେଲେ । ବୋଉର ମୁହଁଟା କଳାକାଠ ପଡିଗଲା ରାଗରେ ଫଁ ଫଁ ହୋଇ ଘର ଭିତରକୁ ପଶିଗଲା ।

ବାପା ଠିକ ଜାଣିଥିଲେ ତାଙ୍କ ପିଲାଦିନର ସାଙ୍ଗ ମାଧବର ଝିଅ ତୁଳସୀକୁ , ବାପଟା ସିନା ଅକାଳରେ ଚାଲିଗଲା ହେଲେ ବିଚାରୀ ଝିଅଟା ପୁରା ସୁନାମୁଣ୍ଡା ଭାରି ସଂସ୍କାରୀ ନୀଚ ଜାତି ହେଲେ କଣ ହେବ ଠାକୁର ଜଗନ୍ନାଥଙ୍କ ପ୍ରତି ତାର ଅସୀମ ଭକ୍ତି , ଶାନ୍ତଶିଷ୍ଟ, କୁଳୀନ ,ଭଦ୍ର ମାର୍ଜିତ ତାର ବ୍ୟବହାର ।ଯେଉଁ ବ୍ୟବହାର ସେ କେବେ ବି ଦିନେ ତାଙ୍କ ଦୁଇବୋହୂଙ୍କ ଠାରୁ ପାଇନାହାଁନ୍ତି ।

ସବୁଦିନ ଗୋଟେ ଅଶାନ୍ତିର ବାତାବରଣ ଲାଗିରହିଲା ବାପାବୋଉ ଭାଉଜମାନଙ୍କ ଭିତରେ ତୁଳସୀକୁ ନେଇ । ଘରେ ହାଣ୍ଡି ବି ଅଲଗା ହୋଇଗଲା ଗୋଟିଏ ପଟରେ ମୁଁ ବାପା ତୁଳସୀ ଆରପଟେ ବୋଉ ଭାଉଜ ଦୁଇଜଣ । ବାପାଙ୍କର କଠୋର ନିଷ୍ପତିରେ ଦୁଇ ଭାଉଜ ମଧ୍ୟ ଅତିଷ୍ଟ ହୋଇ ଦୁଇଭାଇଙ୍କ ପାଖକୁ କିଛିଦିନ ପରେ ଚାଲିଗଲେ ଏ ଦୁର୍ବଳତାର ସୁଯୋଗ ନେଇ ।

ଭାଉଜ ଚାଲିଗଲାପରେ ବୋଉ କେବେ ବି ତୁଳସୀର ହାତରୁ ପାଣି ଗ୍ଲାସେ ବି ଛୁଏଁନି ।ଠାକୁର ଘରେ ମୁଣ୍ଡ ପିଟି ପିଟି କାନ୍ଦୁଥାଏ ମନୁଆଁଟା ମୋର କଣ କଲା ହେ କାଳିଆ ସାଆନ୍ତେ କାହିଁକି ଏମିତି କଲ ମୋ ପୂଜାରେ କେଉଁଠି ତ୍ରୃଟି ରହିଲା ।ଏତେ ବଡ ଦଣ୍ଡ ମୋତେ କାହିଁ ଦେଲ ପ୍ରଭୁ କଣ ତୋର ଇଚ୍ଛା ।

ବାପା ବ୍ରାହ୍ମଣ କୂଳରେ ଜନ୍ମ ହେଲେ ବି ତାଙ୍କ ମନରେ ଟିକେ ବି ଗର୍ବ ନଥିଲା ।ଜାତି ଭେଦ ପ୍ରଥା ଠାରୁ ସେ ବହୁତ ଉଚ୍ଚରେ । ତାଙ୍କ ମୁହଁରେ କେହି ବି ପ୍ରତିଉତ୍ତର ଦିଅନ୍ତି ନାହିଁ ।ଭାରି ଶାସ୍ତ୍ର ପ୍ରବୀଣ ।ପିଲାଦିନୁ ବି ସେ ଆମକୁ ଶିକ୍ଷା ଦେଇଛନ୍ତି ମଣିଷକୁ ମଣିଷ ଭଳି ଭଲ ପାଇବା ଜାତି ଏ ମଣିଷ ତିଆରି କରିଛି ଭାଗ ଭାଗ ହୋଇଛି ମଣିଷର କର୍ମକୁ ନେଇ ।କୌଣସି କର୍ମ ଉଚ୍ଚ କିମ୍ବା ନୀଚ ନୁହେଁ ।ବାପାଙ୍କର ଏହି ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ସବୁବେଳେ କାହିଁକି କେଜାଣି ତୁଳସୀକୁ ବାହାହୋଇ କେବେ ବି ଭୁଲ କରିନାହିଁ ବୋଲି ନିଜକୁ ନିଜେ ଗର୍ଵ ଅନୁଭବ କରେ ।

ତୁଳସୀକୁ ମୁଁ ବେଳେବେଳେ ବୁଝାଏ ତୁମେ ଭାରି କଷ୍ଟ ପାଉଛ ନା ଏଠି ବୋଉର ବ୍ୟବହାର ପାଇଁ ।ମୋତେ ତୁମେ କ୍ଷମା କରିଦେବ ।ତୁଳସୀ ହସିଦେଇ କୁହେ ନା କଷ୍ଟ କାହିଁକି ପାଇବି ଯେଉଁଠି ବାପାଙ୍କ ଭଳି ଜଗନ୍ନାଥ ଠାକୁର ଅଛନ୍ତି ତୁମ ଭଳି ଦେବତାଙ୍କର ହାତ ଧରିଛି ସେତିକି ମୋ ପାଇଁ ଯଥେଷ୍ଟ । ଏ ସଂସାରଟା ତ ମୋତେ ପୁରୀ ବଡଦାଣ୍ଡ ଭଳି ଲାଗୁଛି ।ଶାଗ ପେଜର ବାସ୍ନା ଏଠି ମୋତେ ଅଭଡା ଅଭଡା ଭଳି ବାସୁଛି । ବୋଉ ସିନା ମୋ ଉପରେ ରାଗୁଛନ୍ତି ହେଲେ ଦିନ ଆସିବ ଦେଖିବ ସେ କେମିତି ମୋତେ ଛାଡି ରହିପାରିବନାହିଁ ।କେବଳ ସମୟକୁ ଟିକେ ଅପେକ୍ଷା କର ।

ମୁଁ ଚାକିରୀପାଇ ବାହାରକୁ ଯିବାକୁ ବାହାରିଲି ।ଘରେ ବାପା କହିଲେ ତୁଳସୀକୁ ସାଙ୍ଗରେ ନେଇଯାଆ ସେଠାରେ ତୋର ଖିଆପିଆ ଅଫିସ ଯିବାଆସିବାରେ ଅସୁବିଧା ହେବ ।ଆମେ ବୁଢାବୁଢୀ ଦୁଇଜଣ ଚଳିଯିବୁ ଗାଁ ରେ ।ତୁଳସୀ କିନ୍ତୁ ସେଦିନ ବାପାଙ୍କୁ କହିଲା -, ନା ବାପା ସେ ଯାଆନ୍ତୁ ।ମୁଁ ଘରେ ରହିବି ଆପଣମାନଙ୍କୁ ଏ ଅବସ୍ଥାରେ ମୁଁ କେବେ ବି ଛାଡି ଯାଇପାରିବିନାହିଁ ।ବାପାଙ୍କ ଆଖି ଲୁହ ଛଳଛଳ ହୋଇଯାଉଥିଲା ସେ ଚଷମା ତଳୁ ଲୁହ ପୋଛି ଭାବୁଥିଲେ ଦୁଇ ଭାଉଜଙ୍କ କଥାକୁ । ନୀଚ ଜାତିଝିଅଟିର କେତେ ଆନ୍ତରିକତା ଆମ ପ୍ରତି ।ଜଣେ ସୁଗୃହିଣୀର କର୍ତ୍ତବ୍ୟ କରିବାରେ ସେ ନିଜର ସ୍ଵାର୍ଥକୁ ତ୍ୟାଗକରିବାକୁ ବି ପଛେଇଯାଉନାହିଁ ।ସକାଳୁ ସଞ୍ଜଯାଏଁ ଲୋଟଣୀପାରା ପରି କାମରେ ଲାଗିଥିବ କେତେବେଳେ ବାପା ବୋଉ ଚାହା ପିଇବେ ଖାଇବେ ଶୋଇବେ । ଏଇ କିଛିଦିନ ଭିତରେ ସେ ପୁରା ଆମ ଘରକୁ ଶ୍ରୀମନ୍ଦିର କରିସାରିଲାଣି ।ବାପାଙ୍କର ଆଶୀର୍ବାଦର ହାତଟା ତୁଳସୀର ମୁଣ୍ଡ ଉପରକୁ ଉଠିଯାଏ ।ବୋଉର ଗାଳି କଟୁକଥାକୁ ତୁଳସୀ ଟଙ୍କ ତୋରାଣୀ ଭାବି ସବୁ ଆନନ୍ଦରେ ପିଇଯାଏ ।କେବେ ବି ଦିନେ ବୋଉ ଉପରେ ରାଗିନି ବରଂ ବୋଉର ନିକଟତର ହେବାପାଇଁ ଆପ୍ରାଣ ଚେଷ୍ଟା କରୁଥାଏ ।

ବୋଉର ଦେହ ସେଦିନ ଭୀଷଣ ଖରାପ ହୋଇଗଲା ।ସେ ଆଉ ବିଛଣାରୁ ଉଠିବସି ପାରିଲାନାହିଁ ।ଘରେ କେହି ନାହାଁନ୍ତି , ତୁଳସୀ ବ୍ୟସ୍ତ ନହୋଇ ସିଧା ଅଟୋଟିଏ ଡାକି ବୋଉକୁ ମେଡିକାଲ ନେଇଗଲା ।ଡାକ୍ତର ହିଲେ ବୋଉ ହେହରେ ରକ୍ତ ନାହିଁ ତା ପାଇଁ ପ୍ରତି ତିନିମାସରେ ଥରେ ରକ୍ତ ଆବଶ୍ୟକ ।ବାପା ବ୍ୟସ୍ତ ହୋଇପଡୁଥିଲେ O+ ରକ୍ତ ମିଳିବାଟା ଏତେ ସହଜ କଥା ନୁହେଁ । ତୁଳସୀ ଡ଼ରିଡ଼ରି ବାପାଙ୍କୁ କହିଲା -ବାପା ଗୋଟେ କଥା କହିବି ମୁଁ ବୋଉକୁ ରକ୍ତ ଦେବି ମୋର O+ ରକ୍ତ ଏ କଥା କେବେ ବି ତୁମେ ବୋଉଙ୍କୁ କହିବନି ମୋ ରାଣ ସେ ଜାଣିଲେ କଣ ନା କଣ କରି ବସିବେ ରାଗରେ ।

,,ନାଁ ରେ ମା ତୋର ଏ ମହାନ ତ୍ୟାଗକୁ ମୁଁ କେବେ ବି ଭୁଲିପାରିବିନାହିଁ ।କେବେ ବି ଏକଥା ତୋ ବୋଉକୁ କହିବିନି।ବୋଉଟା ଆଗ ଭଲହୋଇଯାଉ ହେ କାଳିଆ ଯାହା ତୁମର ଇଚ୍ଛା ।

ପନ୍ଦରଦିନ ମେଡିକାଲରେ ବୋଉ ରହିଲା ପରେ ଟିକେ ସୁସ୍ଥ ହୋଇ ଘରକୁ ଫେରିଲା ।ତୁଳସୀ ରାତିରାତିଧରି ଅନିଦ୍ରା ହୋଇ ବୋଉକୁ ଜଗିବସିଲା ଚାତକଟିଏ ପରି । ଦୁଇ ଭାଇଭାଉଜ ବୋଉର କଥାଶୁଣି ବି କାମର ବାହାନା ଦେଖାଇ କେହି ଆସିଲେନାହିଁ ଘରକୁ । କାଳେ ବାପା ତାଙ୍କୁ ପଇସାପତ୍ର ମାଗିବେ ବୋଲି ବରଂ ସିଧା ସିଧା ଫୋନରେ ବାପାଙ୍କୁ ଜଣାଇଦେଲେ ଯେତେଦିନ ଯାଏଁ ସାନପୁଅ ବୋହୂ ଘରେ ଅଛନ୍ତି ସେତେଦିନ ଯାଏଁ ସେମାନେ ଘରକୁ ଆସିବେନି ବୋଲି ।

ସେମାନଙ୍କ କଥା ଶୁଣି ବାପା ଭାଙ୍ଗି ପଡୁନଥିଲେ ।ସେ ଜାଣନ୍ତି ଧାନ କିଏ ଆଉ ଅଗାଡି କିଏ ।

ବୋଉ ୟା ଭିତରେ କିଛିଟା ବଦଳିଯାଇଛି ବୋଲି ମୋର ଅନୁଭବ ହେଲା ,ଆଗ ପରି ସେ ଆଉ ତୁଳସୀ ଉପରେ ବିରକ୍ତି ପ୍ରକାଶ କରେନା ପୁରା ଗୁମ୍ ସୁମ୍ କଣ ଗୋଟିଏ ଭାବିଚାଲିଥାଏ ନିଜକୁ ନିଜେ ।ପରିସ୍ଥିତି ପରିବେଶ ମଣିଷକୁ ଏମିତି ଭାବରେ ଛନ୍ଦିଦିଏ କଅଁଳା ବାଛୁରୀ ଭଳି ଡିଆଁ ମାରୁଥିବା ମନଟା ସ୍ଥିର ହୋଇଯାଏ କିଛି ସମୟ ପାଇଁ । ବୋଉ ବୋଧେ ବାପା ତୁଳସୀର କଥା ଶୁଣିପାରିଛି ନ ହେଲେ ଏମିତି ଚୁପଚାପ କାହିଁକି ,ମନରେ ମୋର ଭାରି ଡ଼ର ଆସିଲା ବୋଉ ଯଦି ରାଗରେ କିଛି କରିବସେ ।

ତୁଳସୀ ବୋଉର ଦେହ ଖରାପ ଦିନଠୁଁ ଜଗନ୍ନାଥ ମନ୍ଦିରେ ନିତିଦିନ ତୁଳସୀ ଘିଅଦୀପ ଜାଳି କେତେ କଣ ମାନସିକ କରିପକାଇଛି ।ରାତିରାତି ଉଜାଗର ରହି ବୋଉର ସେବା କରିବାକୁ ସେ କେବେ କୁଣ୍ଠାବୋଧ କରିନି କି ଥକିପଡିନି ।ଠାକୁର ଘରେ କାଳିଆ ପାଖରେ ମୁଣ୍ଡ ବାଡେଇ କଣ ସବୁ ଗୁଣୁଗୁଣୁ ହୋଇ ମଗୁଥାଏ ସବୁଦିନ ତୁଳସୀ ।

ସେଦିନ ବୋଉର ମୁଣ୍ଡ ଚିପି ଦେଉ ଦେଉ ବୋଉ ତୁଳସୀକୁ କହିଲା --,,ତୁଳସୀ ତତେ ମୁଁ ବହୁତ କଷ୍ଟ ଦେଇଛି ନା ।ତୋ ଋଣ ଏ ଜନ୍ମରେ ମୁଁ ସୁଝିପାରିବିନି ଆର ଜନ୍ମରେ ତୋର ଝିଅ ହୋଇ ସବୁ ସୁଝିଦେବି ମୋତେ କ୍ଷମା କରିଦେବୁଲୋ ମା ,,,,,

ତୁଳସୀ ବୋଉର ପାଟିରେ ହଠାତ ହାତ ଦେଇ କହିଲା ନା ମା ସେମିତି କୁହନି ମା କଣ ତାର ଝିଅକୁ କଟୁକଥା କୁହେନି ,ମୁଁ କଣ ତୁମ ଝିଅ ହୋଇପାରିବିନି ମା ।

ବୋଉର ଆଖିରଲୁହ ଦୁଇଟୋପା ଥପ୍ ଥପ୍ କରି ଝରିପଡିଲା ଥରଥର କଣ୍ଠରେ ବିଛଣାରେ ଶୋଇ ରହି ବୋଉ କହିଲା --,,ହଁ ରେ ମା ତୁ ଆସିବା ଦିନଠୁ ଏ ସଂସାର ପୁରୀକ୍ଷେତ୍ର ପାଲଟିଯାଇଛି ।ଘରସାରା ତୁଳସୀର ମହମହ ବାସ୍ନା ହେଉଥିବାବେଳେ ମୁଁ ଚାଣ୍ଡାଳୀ ଗର୍ବ ଅହଂକାରରେ କିଛି ଜାଣିପାରୁନଥିଲି ।ଶ୍ରୀୟା ଚଣ୍ଡାଳୁଣୀଘରେ ପଶିଥିବାରୁ ସ୍ଵଂୟ ଜଗନ୍ନାଥଙ୍କର ପରା ଅକଲ ଗୁଡୁମ୍ କରିଦେଇଥିଲେ ଲକ୍ଷ୍ମୀମାତା ସେଦିନ ।ତୁ ନଥିଲେ ମୁଁ ଆଜି କେଉଁଠି ଥାଆନ୍ତି ମୁଁ ନିଜେ ବି ଜାଣିନି ।ତୁ ମୋ ପାଇଁ ସାକ୍ଷାତ ଲକ୍ଷ୍ମୀ ଠାକୁରାଣୀ ।କାଳିଆ ଉପରେ ମୁଁ ଦିନେ ଚିଡୁଥିଲି ଏତେଦିନ ଧରି ପୂଜାପାଠ କଲି ସେ ମୋତେ ଶାସ୍ତୀ କାହିଁକି ଦେଲା କିନ୍ତୁଆଜି ମୁଁ ଅନୁଭବ କରୁଛି ଯେ ସେ ଯାହା କରନ୍ତି ସବୁବେଳେ ପ୍ରାଣୀର ମଙ୍ଗଳ ପାଇଁ ମା । ସେ ଜଗତରନାଥ ଜଗନ୍ନାଥ ସମସ୍ତଙ୍କର ଦୁଃଖମୋଚନ କାରୀ ,ଭାରି ନଟ କୁଟିଆ ତାର ଭାବ ,ଯିଏ ତାର ଭାବକୁ ଭକ୍ତି ସହକାରେ ପଢିପାରିଛି ସେ ହିଁ ତାକୁ ପାଇଛି ।

ବୋଉର ଏ ପରିବର୍ତ୍ତନର ମଧୁର ଶଙ୍ଖଧ୍ଵନି ଝାଞ୍ଜ କରତାଳର ସ୍ଵରରେ ବାପାଙ୍କ ଆଖିରୁ ଅମାନିଆ ଲୁହ ଦୁଇଟୋପା ମୋଟା ଚଷମା ତଳୁ ଗଡି ଆସୁଥିଲା ଓ ବାପା ହାତ ଯୋଡି କୋଟିକୋଟି ପ୍ରଣିପାତ ଜଣାଉଥିଲେ ସେ କାଳିଆ ସାଆନ୍ତଙ୍କର ଅପୂର୍ବ ଲୀଳାକୁ ..........

ଶଶାଙ୍କ ଶେଖର ରାୟ

ମୋବାଇଲ ନଂ-7377197999


Rate this content
Log in

Similar oriya story from Drama