Shashanka sekhar Ray

Inspirational Romance

5.0  

Shashanka sekhar Ray

Inspirational Romance

ମହମବତୀ

ମହମବତୀ

7 mins
3.1K


ଶଶାଙ୍କ ଶେଖର ରାୟ

ସୀମା ଚାହିଁଛି ଦୂର ଆକାଶକୁ ।କେଉଁଦିନ ଆସିବେ ସୀମାନ୍ତ ।ତାର ସୀମନ୍ତରେ ଭରିଦେବେ ନାଲି ରଙ୍ଗ ।ପାଟ ଓଢଣୀ ତଳେ ଅଳତା ପିନ୍ଧା ପାଦ ଦୁଇଟି ଡେଇଁବ ତାଙ୍କର ଏରୁଣ୍ଡିବନ୍ଧ ।ସବୁ କୁମାରୀ ଝିଅଙ୍କ ପରି ସେ ବି ଦିନେ ସ୍ଵପ୍ନ ଦେଖିଥିଲା , ବାଡୁଅ ପାଣିରେ ଗାଧୋଇ ସଂସାରର ସୁନ୍ଦର ଉପବନରେ ମୁକ୍ତ ପ୍ରଜାପତିଟି ପରି ଉଡିବୁଲିବ ।ଅନେକ ଭାବନା ଉଦ୍ଦୀପନା ଦିନେ ଉଙ୍କି ମାରୁଥିଲା ତାର ଛାତିରେ ।

ଆଜି ଯେମିତି ସେସବୁ ପାଣିର ଗାର ଭଳି କୁଆଡେ ମିଳାଇଯାଇଛି ।ତଥାପି ସେ ଭୁଲିପାରିନି ସୀମାନ୍ତଙ୍କୁ । ସୀମାନ୍ତ ସିନା ତାକୁ ଅଧା ବାଟରୁ ହାତ ଛାଡି ଏକୁଟିଆ କରି ଚାଲିଗଲେ ଆଉ କାହାର ହୋଇ ।ପରିବାରର ବାରମ୍ଵାର ଅନୁରୋଧ ସତ୍ତ୍ଵେ ସୀମା କିନ୍ତୁ ରହିଯାଇଛି ଆଜୀବନ ଅବିବାହିତ ହୋଇ । ସୀମାନ୍ତଙ୍କୁ ସେ ଭୁଲିପାରୁନି ଆଜିଯାଏଁ ।

ବୋଉ ଚାଲିଗଲା ପରେ ବାପା ଦ୍ଵିତୀୟ ସଂସ୍ଥା କଲେ ସେତେବେଳକୁ ସୀମା ବଡ ହୋଇସାରିଲାଣି ।ନିଜ ଗୋଡରେ ନିଜେ ଠିଆ ହୋଇ ଆଜି ସେ ଏକ ସରକାରୀ ଉଚ୍ଚବିଦ୍ୟାଳୟର ସଂସ୍କୃତ ଶିକ୍ଷୟତ୍ରୀ ।ସାନସାନ ଭାଇ ଭଉଣୀ ମାନଙ୍କର ପାଠପଢା ଓ ପରିବାରର ସମସ୍ତ ଆର୍ଥିକ ବୋଝକୁ ସେ ନିଜ ମୁଣ୍ଡରେ ମୁଣ୍ଡାଇ ନେଇଛି ।ସାବତ ମା’ର ଅତ୍ୟାଚାରର ଜହରକୁ ଅମୃତ ଭାବି ସବୁ ପିଇଯାଇଛି । ପାହାଡ ଭଳି ସବୁ ଦୁଃଖ ଯନ୍ତ୍ରଣାକୁ ଭିତରେ ଭିତରେ ଚାପି ଧରିଛି କେବଳ ବାପା ଓ ଭାଇଭଉଣୀ ମାନଙ୍କର ମୁହଁରେ ଟିକେ ହସ ଫୁଟାଇବାକୁ ।ଦରମାର ସବୁତକ ଟଙ୍କା ନିଜ ପାଇଁ କିଛି ନ ରଖି ସେ ଉତ୍ସର୍ଗ କରିଦିଏ ପରିବାର ପାଇଁ । ଭାଇ ଭଉଣୀମାନେ କେମିତି ମଣିଷ ହେବେ ହାତକୁ ଦି ହାତ ହୋଇ ତାଙ୍କର ସଂସାର ପୁରିଉଠିବ ଏ ଚିନ୍ତାରେ ସୀମା ସବୁବେଳେ ନିଜକୁ ବ୍ୟସ୍ତ ରଖିଛି ।ଘରର ସବୁ କାମଦାମ ସବୁ ଦାୟିତ୍ଵ ପରିବାର ବଡ ପୁଅ ଭଳି ସେ ସମ୍ଭାଳିଛି ।

ଭାଇମାନେ ହାତକୁ ଦି ହାତ ହୋଇସାରିଲେଣି ।ନୂଆନୂଆ ଆସିଥିବା ଭାଉଜ ମାନଙ୍କର ଟୁପୁରୁଟାପୁରୁ କଟୁ ସମାଲୋଚନା ସୀମାକୁ କେବେ ବି ଦୋହଲାଇଦେଇନି ।ସେ ସ୍ଥିତପ୍ରଜ୍ଞ , ଅବିଚଳିତ । ସେ ନିଜକୁ ନିଜେ ବାରମ୍ଵାର ବିଶ୍ଳେଷଣ କରିସାରିଛି ।କାହାକୁ ସାହାଯ୍ୟ କରି ସେ କେବେ ବି ଦିନେ କହିନି ଯେ ଭାଇ ଭଉଣୀ ମାନଙ୍କ ପାଇଁ ସେ ନିଜର ଯୌବନକୁ ବନ୍ଧା ପକାଇଦେଇଛି । କୁମାରୀ ଜୀବନର ସବୁ ସ୍ଵପ୍ନ ଆଶା ଆକାଂକ୍ଷା ତାର ଧୂଳିସାତ୍ ହୋଇଯାଇଛି ସୀମାନ୍ତଙ୍କୁ ନ ପାଇ । ଯଦି ସେ ଆଉ କାହାର ହୋଇଥାନ୍ତା ତେବେ ତାର ପରିବାର ପାଇଁ ସେ ନିଜକୁ ସମୟ କି ସାହାଯ୍ୟର ହାତ ବଢାଇପାରିନଥାନ୍ତା ।କାହିଁକିନା ସୀମାନ୍ତ ଥିଲେ ଖୁବ ଉଚ୍ଚ ମର୍ଯ୍ୟାଦା ବଂଶର କୁଳିନ ପରିବାରର ପୁଅ ।ବୁଝିବା ଶୁଝିବା ପିଲା ଭାରି ଧିର ଭଦ୍ର ନମ୍ର ଶାନ୍ତଶିଷ୍ଟ ପରିମାର୍ଜିତ ।ସେ ହିଁ କେବଳ ବୁଝିପାରିଥିଲେ ସୀମାକୁ ।ସୀମା ମନରେ ଥିବା ସବୁ ଦୁଃଖ କାହାଣୀକୁ ସେ ଭଲ ଭାବରେ ତନ୍ନ ତନ୍ନ କରି ପଢିପାରିଥିଲେ ।ପରିସ୍ଥିତି ପରିବେଶ ତାଙ୍କୁ ସୀମା ଠାରୁ ଦୂରେଇ ଦେଇଥିଲା । ତାଙ୍କ ବାପାଙ୍କର ଅବାଧ୍ୟ ପୁଅ ସେ ହୋଇପାରିନଥିଲେ ।ପିଲାଦିନର ସାଙ୍ଗର ଝିଅକୁ ସେ ଜୀବନସାଥୀ ରୂପେ ବାଛିଥିଲେ ବାପାମାଙ୍କର ଇଚ୍ଛାରେ । ସୀମା କିନ୍ତୁ ଏଥିରେ କେବେ ପ୍ରତିବାଦ କରିନଥିଲା ବରଂ ହସିହସି ମଙ୍ଗଳ କାମନା କରିଥିଲା ଦୁହିଁଙ୍କୁ ଭଗବାନଙ୍କ ପାଖରେ । ନିଜ ମନକୁ ବହୁତ ବୁଝାଇ ସେ ଶେଷରେ ନିଷ୍ପତ୍ତି ନେଇଥିଲା ସାରା ଜୀବନ ସୀମାନ୍ତଙ୍କର ସ୍ମୃତିକୁ ସେ ସିନ୍ଦୁର କରି ମଥାରେ ବୋଳି କାଟିଦେବ ଅବଶିଷ୍ଟଯାକ ଜୀବନଟାକୁ ।

ଭାଇମାନେ ନିଜ ଡେଣାରେ ଏବେ ଉଡିଶିଖିଗଲେଣି ।ଭଉଣୀମାନେ ତାଙ୍କର ବସା ବାନ୍ଧି ସାରିଲେଣି । ସୀମା ଅପାର ଆଉ ସାହାଯ୍ୟ ସେମାନେ ଲୋଡୁନାହାଁନ୍ତି । କେବଳ ବାପା ଓ ସାବତ ମାର ମେଡିସିନ ଖର୍ଚ୍ଚ ଓ ପୁତୁରା ଝିଆରୀମାନଙ୍କ ପାଇଁ ସୀମା ପ୍ରତିମାସ ପଠାଇଦିଏ ଟଙ୍କା ଘରକୁ ।

ସହରରେ ଭଡା ନେଇ ରୁହେ ରହୁଥାଏ ସୀମା ।ବିଦ୍ୟାଳୟର ପାଠପଢା ,ଟିଉସନ କରି ସମୟତକ କାଟିଦେଉଥାଏ ।ହଠାତ ଦିନେ ସୀମାର ଭେଟ ହୋଇଗଲା ସୀମାନ୍ତ ବାବୁଙ୍କ ସହ ବସଷ୍ଟାଣ୍ଡରେ । ସୀମାନ୍ତବାବୁ ସୀମା ବୋଲି ଡାକିବାରୁ ସୀମା ପଛରୁ ବୁଲିଚାହିଁଲା ।ଅନେକ ଦିନ ପରେ ଆଜି ଉଭୟଙ୍କର ଦେଖା ।ଆଗଭଳି ଚେହେରା ଆଉ ସୀମାନ୍ତଙ୍କର ନ ଥିଲା ।ସ୍ଵାସ୍ଥ୍ୟ ବେଶ ଖରାପ ହୋଇଯାଇଥିଲା ।ବୟସର ଦାଗ ମୁଁହରୁ ସ୍ପଷ୍ଟ ବାରି ହୋଇଯାଉଥିଲା ।ମନରେ ଯେମିତି ବିଷର୍ଣ୍ଣତାର କଳାହାଣ୍ଡିଆ ମେଘ ଘୋଟିଆସିଲାପରି ଲାଗୁଥିଲା ।

" କ’ଣ ଚିହ୍ନିପାରୁନ ସୀମା , ମୁଁ ସୀମାନ୍ତ ଯାହାହେଉ ବହୁତଦିନ ପରେ ତୁମ ସହ ଦେଖା ହୋଇଗଲା ।"

"କିନ୍ତୁ ଆପଣ ଏ ସହରରେ କଣ ଏଠିକୁ ଟ୍ରାନସଫର ହୋଇଗଲା କି ? "

" ନା ସୀମା ମୋର ଆଉ ଚାକିରୀ ନାହିଁ କାମ କରୁଥିବା କମ୍ପାନିରୁ ମୋତେ ବାହାର କରିଦିଆଗଲା । ମୋ ସଚ୍ଚୋଟତା ପାଇଁ ମୁଁ ବଳି ପଡିଗଲି କିଛି ନ୍ୟସ୍ତସ୍ଵାର୍ଥବାଦୀ ଲୋକଙ୍କ ପାଇଁ ।"

" ତାହେଲେ ଏବେ କଣ କରୁଛନ୍ତି "

" ଏଇ ପାଖ ଗୋଟେ ଛୋଟ କମ୍ପାନିରେ ମୋତେ ଏବେ ଜବ ମିଳିଛି । ଯାହା ହେଉ କଷ୍ଟେମଷ୍ଟେ ଚଳିଯାଉଛି ପରିବାର ।"

" ମଉସା ମାଉସୀ କେମିତି ଅଛନ୍ତି ?"

ସେ ପାଞ୍ଚବର୍ଷତଳୁ ଆଗପଛ ହୋଇ ଚାଲିଗଲେଣି "

"ଓଃ , ପିଲାମାନେ ଭଲ ଅଛନ୍ତି "- ଗୋଟେ ଲମ୍ଵା ନିଶ୍ଵାସ ପକାଇ ସୀମା କହିଲା ।

" ହଁ ଭଲ ଅଛନ୍ତି ହେଲେ ତୁମ କଥା କିଛି କହିଲନି ତ୍ " - ସୀମାନ୍ତ ଅତି ଆଗ୍ରହ ସହ ପଚାରିଲେ ।

ସୀମାନ୍ତ ସିନା ଭୁଲିଯାଇଥିଲେ ସୀମାକୁ ।ସୀମା କିନ୍ତୁ ପ୍ରତିଟି ଖବର ରଖୁଥିଲା ସୀମାନ୍ତଙ୍କର ।ସୀମା ଗମ୍ଭୀର ଗଳାରେ ଟିକେ ଗୁମ୍ ମାରି କହିଲା - "ହଁ ମୁଁ ବହୁତ ଭଲରେ ଅଛି "

" କେଉଁଠି ମ୍ୟାରେଜ କଲ ସେ କେମିତି କଣ କରନ୍ତି ?"

" ନା ମୁଁ ଆଜିଯାଏଁ ମ୍ୟାରେଜ କରିନି ।"

" ହେଲେ କାହିଁକି ? ଆଶ୍ଚର୍ଯ୍ୟ ହୋଇ ସୀମାନ୍ତ ପ୍ରଶ୍ନ କଲେ ।

" ସାନ ସାନ ଭାଇଭଉଣୀଙ୍କୁ ମଣିଷ କରିବାପାଇଁ , ତା ଛଡା ତୁମ ସ୍ମୃତିକୁ ମୁଁ ଆଜିଯାଏଁ ତ ଭୁଲି ପାରୁନି ।ଥରେ ଜଣକୁ ମନ ଦେଇସାରିଲା ପରେ ମୁଁ କେମିତି ଯେ ଆଉ ଜଣଙ୍କର ହୋଇପାରିଥାନ୍ତି କହିଲ ସୀମାନ୍ତ ।"

" ଓ ମାଇଁ ଗଡ୍ ।ସୀମା ତୁମେ ଏ କି ନିଷ୍ପତ୍ତି ନେଲ ।ମୋ ପାଇଁ ତୁମେ ସାରା ଜୀବନ ନିଜ ଜୀବନକୁ ଫୁଲପରି ଦଳିମକଚି ନିଃଶେଷ କରିଦେଲ ।ଆଜି ସିନା ବୟସ ଅଛି କାଲି ସକାଳେ କିଏ ତୁମର ସାହା ଭରସା ହେବ ।"

" ତାହା ତ ମୁଁ ଜାଣିନି କିନ୍ତୁ ଏକା ଏକା ବଞ୍ଚିବା ସହ ମୁଁ ସଂପୂର୍ଣ୍ଣଭାବରେ ନିଜକୁ ଆଡ଼ଜଷ୍ଟ ଅରିସାରିଲିଣି । ହଉ ଛାଡନ୍ତୁ ସେକଥା । ମୋର ସ୍କୁଲ ଟାଇମ ହୋଇଗଲାଣି ମୋ ଆଡ୍ରେସ ରଖନ୍ତୁ ସମୟ ହେଲେ କେବେ ଆମ ଘରକୁ ଆସନ୍ତୁ କଥା ହେବା ବହୁତ ।"

ସୀମା ସୀମାନ୍ତଙ୍କ ଠାରୁ ବିଦାୟ ନେଇସାରିଲା ପରେ ସୀମାନ୍ତ ଏସବୁ ଶୁଣି ଯେତିକି ଆଶ୍ଚର୍ଯ୍ୟ ହେଲା ତା ଠାରୁ ବେଶି ସାଲୁଟ୍ ଜଣାଇଲା ସୀମାର ନିଃସ୍ଵାର୍ଥପରତା ତ୍ୟାଗର ମୂଲ୍ୟ ପାଇଁ ।

ନିଜେ ଛୋଟିଆ ମହମବତୀ ସାଜି ନିଜ ପରିବାରର ଅନ୍ଧକାରକୁ ସେ ଦୂରେଇ ଦେଇପାରିଛି ନିଜ ଜୀବନକୁ ବଳିଦାନ ଦେଇ ।ଏଇଟା ତାର ମହାନ ପରାକାଷ୍ଠତା ।ଝିଅ ଜନମ ପର ଘରକୁ ବୋଲି ତ ସମସ୍ତେ ହତାଦର କରନ୍ତି ।କେହି କେବେ ବୁଝିପାରନ୍ତି ନାହିଁ ଯେ ଝିଅଟିର ମନ ତଳର ଅଦେଖା ଯନ୍ତ୍ରଣାକୁ । ସମସ୍ତେ ଭାବନ୍ତି ସବୁକିଛି ସହିବାକୁ ଯେମିତି ଏ ଝିଅର ଜନ୍ମ । ଗୋଟିଏ ଦୀର୍ଘ ନିଶ୍ଵାସ ପକାଇ ବସକୁ ଚଢିଗଲେ ସୀମାନ୍ତ ଏବଂ ପଛରୁ ଚାହିଁରହିଲେ ସୀମାକୁ ଆଉ ଥରେ ଦେଖିବାକୁ ।

ସୀମାନ୍ତଙ୍କ ଦେହ ଦିନକୁ ଦିନ ଖରାପ ହେବାକୁ ଲାଗିଲା ।ଅନେକ ଥର ଡାକ୍ତରଙ୍କ ପାଖକୁ ଦଉଡି ଦଉଡି ଶେଷରେ ପରୀକ୍ଷାନିରିକ୍ଷା କରି ଜଣାପଡିଲା ଯେ ତାଙ୍କର ଏକ କିଡ଼ନୀ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି ।

ଡାକ୍ତରଙ୍କ ପରାମର୍ଶ ଯେ ନୂଆ କିଡ଼ନୀ ପ୍ରତିରୋପଣ କଲେ ଯାଇ ସୀମାନ୍ତ ବଞ୍ଚିଯିବେ ।ହେଲେ ସୀମାନ୍ତଙ୍କ ପାଖରେ ଏତେ ଅର୍ଥ କାହିଁ ପୁଣି ତାକୁ କିଏ ସହୃଦୟ ବ୍ୟକ୍ତି କିଡନୀଟିଏ ଦାନ କରିବ ।ସୀମାନ୍ତର ମଥା ଘୁରିଯାଉଥାଏ ।

ସୀମା କିନ୍ତୁ ପରୋକ୍ଷରେ ସୀମାନ୍ତର ସବୁ ଖବର ରଖୁଥିଲା ।ଯେଉଁଦିନ ସୀମା ଶୁଣିଲା ସୀମାନ୍ତଙ୍କର କିଡନୀ ନଷ୍ଟ ହୋଇଯାଇଛି ସେଦିନ ଠାରୁ ସେ ଶାନ୍ତିରେ ଶୋଇପାରିଲା ନାହିଁ । ଖିଆପିଆ ବି ଛାଡିଦେଲା ମୂକ ହୋଇଯାଇଥିଲା ଯେମିତି ।ବହୁତ ଭାବିଲା ମନେ ମନେ । ତାର ଅନ୍ତରଆତ୍ମା ବାରମ୍ଵାର ତାକୁ କହିଲା - " ତୋ ପ୍ରେମର ପରୀକ୍ଷାର ଦିନ ଆସିଗଲା । ଜୀବନରେ ବହୁତ ତ୍ୟାଗ ସେବା କରିକରି ଆସିଛୁ ପରିବାର ପାଇଁ ହେଲେ ଆଜି ତୋ ମନର ମଣିଷ ଯାହାକୁ ତୁ ତୋ ଜୀବନ ଠାରୁ ଭଲ ପାଉ ଯାହାର ଫଟୋକୁ ବାରମ୍ଵାର ଦେଖି ତୁ ଭୁଲିଯାଉଥିଲୁ ତୋର ଯୌବନର ଅଳସ ଭାଙ୍ଗୁଥିବା ଲହରୀମାଳକୁ , ସମସ୍ତଙ୍କ ଅଲକ୍ଷ୍ୟରେ ଲୁଚିଲୁଚି ଶଙ୍ଖା ଦିପଟ ଟିପେ ସିନ୍ଦୁର କପାଳର କେଉଁ କୋଣରେ ଲଗାଉଥିଲୁ ସେଇ ସୀମାନ୍ତଙ୍କ ପାଇଁ ।ସେଇ ସୀମାନ୍ତ କଣ ଆଜି ସାମାନ୍ୟ ଅର୍ଥ ଅଭାବରେ ଚିରଦିନ ପାଇଁ ଏ ଧରାରୁ ତୋ ଆଖି ସାମ୍ନାରୁ ଚାଲିଯିବ । ତୋତେ କିଛି କରିବାକୁ ସୀମା ।"

ଦୁଇ କାନରେ ହାତଦେଇ ଭିତରୁ ଆସୁଥିବା ଶବ୍ଦକୁ ସୀମା ଠିକ ଶୁଣିପାରୁଥିଲା ।ନିଜକୁ ବହୁତ ବୁଝାଇ ସୀମାନ୍ତଙ୍କ ଘରକୁ ଗଲା ।ସୀମାନ୍ତଙ୍କ ଅନୁପସ୍ଥିତରେ ତାଙ୍କ ସ୍ତ୍ରୀଙ୍କଠାରୁ ସବୁଶୁଣିସାରି ସୀମା ମେଡିକାଲ ରିପୋଟ ଓ ସବୁ ଟେଷ୍ଟର ପ୍ରେସ୍ୟୁକେସନ ଧରି ସିଧା ଚାଲିଲା ଡାକ୍ତର ବାବୁଙ୍କ ପାଖକୁ ।ସେଠାରେ ସେ ନିଜେ ସୀମାନ୍ତଙ୍କ ପାଇଁ କିଡନୀ ଦେବାକୁ ସହମତି ପ୍ରକାଶ କରି ଏଗ୍ରିମେଣ୍ଟ ପେପରରେ ସାଇନ କରି ଆସିଲା ଏବଂ ଏହି କଥାକୁ ସଂପୂର୍ଣ୍ଣ ଭାବେ ଗୁପ୍ତ ରଖିବାକୁ ଡାକ୍ତରଙ୍କୁ ମଧ୍ୟ ଅନୁରୋଧ କରି କହି ଆସିଲା ।

ସୀମାନ୍ତ ଆଶ୍ଚର୍ଯ୍ୟ ହୋଇଗଲା ।ଯାହାହେଉ ଭଗବାନ ନିଶ୍ଚୟ ଅଛନ୍ତି ।ଯେତେବେଳେ ଡକ୍ଟର ଫୋନ କଲେ ତାଙ୍କ ପାଇଁ ମାଗଣାରେ କିଡନି ମିଳିଯାଇଛି ବୋଲି ।କିଏ ସେହି ଉଦାର ସହୃଦୟ ବ୍ୟକ୍ତି ଯିଏ କି ତାର ମୂଲ୍ୟବାନ ଅଙ୍ଗକୁ ଦାନ କରିଦେଇଛି ।ଅଶେଷ ଧନ୍ୟବାଦ ତାର ଏହି ମହାନତାକୁ ।

କାଳ ବିଳମ୍ଵ ନ କରି ଡାକ୍ତର ଅପରେସନ ଆରମ୍ଭ କରିଦେଲେ ।ସୀମାର କିଡ଼ନୀ ଯାଇ ଲାଗିଲା ସୀମାନ୍ତଙ୍କ ଦେହରେ ।ସୀମା ଅନୁଭବ କରୁଥିଲା ସତରେ ଜୀବନରେ ଏହାଠାରୁ ବଡସୁଖ କାହାଭାଗ୍ୟରେ ଅଛି ।ସେ ଯଦି ଆଜି ମରିଯାଏ ତଥାପି ସେ ସବୁଦିନ ପାଇଁ ସୀମାନ୍ତଙ୍କ କୋଳରେ ଅହିସୁଲକ୍ଷଣୀ ହୋଇ ବଞ୍ଚିରହିବ ।

ଅପରେସନ ସରିଗଲା ଭଲରେ ଭଲରେ ।ସୀମାନ୍ତ ଧିରେ ଧିରେ ସୁସ୍ଥ ହେବାକୁ ଲାଗିଲେ । ମେଡିକାଲ ବେଡରେ ତାଙ୍କୁ ଦେଖାକରିବାକୁ ଆସିଥିଲା ସୀମା ।ସୀମା ଆଖିରେ ଲୁହ ଦେଖି ସୀମାନ୍ତ କହିଲେ " ଏ ସୀମା କାହିଁକି ମନଦୁଃଖ କରୁଛ ମୁଁ ପରା ପୁରା ଭଲ ହୋଇଗଲିଣି ।ଅପରେସନ ଇସ ସକସେସଫୁଲ୍ ।ଧନ୍ୟବାଦ ସେଇ ଚାରିଟେବୁଲ ଟ୍ରଷ୍ଠକୁ ।ଯାହାଙ୍କ ପାଇଁ ମୁଁ ନୂଆ ଜୀବନ ପାଇପାରିଛି ।ହଁ ଡକ୍ଟରଙ୍କୁ କହିଛି ଯେଉଁ ମହାନ ସହୃଦୟ ଜଣକ ତାର ଏହି କିଡ଼ନିକୁ ବିନାମୂଲ୍ୟରେ ମୋତେ ଦାନ କରିଛି ମୁଁ ତାକୁ ଟିକେ ମନ ଭରି ଦେଖିବାକୁ ଚାହେଁ ସୀମା ।ତାର ମହାନ ତ୍ୟାଗ ପାଇଁ ମୁଁ ଯୁଗେ ଯୁଗେ ତା ପାଖରେ ଋଣୀ ହୋଇରହିଗଲି ।ଏ ଜନ୍ମରେ ତ ଶୁଝିପାରିବିନି ହେଲେ ଆର ଜନ୍ମରେ ନିଶ୍ଚୟ ଚେଷ୍ଠା କରିବି ।"

ସୀମା କିନ୍ତୁ ନିରୁତ୍ତର । ମୁହଁ ତଳକୁ କରି ଠିଆ ହୋଇ ସବୁ ଶୁଣୁଥାଏ ।ଏ ପରିସ୍ଥିତିରେ ଡାକ୍ତର ଅବିନାଶ ବାବୁ ଆଉ ସହିପାରିଲେନି । ସୀମାର ଅନୁରୋଧର ଛୋଟ ବାଲିବନ୍ଧକୁ ଭାଙ୍ଗି ମହାନ ସତ୍ୟର ବନ୍ୟା କରିଦେଲେ ସେ ଯେମିତି ସେଇକ୍ଷଣ । ସୀମାନ୍ତଙ୍କୁ କହିଲେ " ଏ ଚାରିଟେବୁଲ ଟ୍ରଷ୍ଟ ଅଜଣା ଲୋକର କିଡନି ଦାନ ଏସବୁ ଥିଲା ମିଛ ନାଟକ । ଯାହାଙ୍କୁ ତୁମେ ଖୋଜୁଛ ସେ ଆଉ କେହି ନୁହଁନ୍ତି ଖୋଦ ତୁମ ସାମ୍ନାରେ ଦଣ୍ଡାୟମାନ ।ସବୁ ଖର୍ଚ୍ଚ ସେ ଏକା ବହନ କରିଛନ୍ତି ତାଙ୍କ ଜିପିଏଫ ଓ ପରସନାଲ ଲୋନ କରି । ମୋତେ କ୍ଷମା କରିବେ ସୀମା ଦେବୀ ।ଆପଣ ଦୁଇଜଣଙ୍କର ପବିତ୍ର ମହାନ ପ୍ରେମ ଦେଖି ମୁଁ ଆଉ ନିଜକୁ ସମ୍ଭାଳିପାରିଲିନି ।ନିଜକୁ ଅପରାଧୀଟିଏ ପରି ଭାବିଲି ।ଯଦି ମୁଁ ଏ ସତ୍ୟର ଉନ୍ମୋଚନ ନ କରିଥାନ୍ତି ତେବେ ମୁଁ ଭାରି ଯନ୍ତ୍ରଣା ପାଇଥାନ୍ତି । ମହାନ ସତ୍ୟର ସୂର୍ଯ୍ୟ ଆଗରେ ସବୁ ଅନୁରୋଧ ,ପ୍ରତିଶ୍ରୁତି ,ପ୍ରତିଞ୍କା ଏସବୁ ଛୋଟ ଛୋଟ ଦୀପ ଭଳି ।ଧନ୍ୟ ତୁମ ଶାଶ୍ଵତ ପ୍ରେମ କାହାଣୀ ।ତୁମ ପରି ଶତ ଶତ ଝିଅ ଏମିତି ଜନ୍ମଦେଉଥାନ୍ତୁ ଏ ସୁନ୍ଦର ପୃଥିବୀରେ ।ଦୁହିତା ଜନମର ତୁମେ ସାର୍ଥକତା ପ୍ରତିପାଦନ କରିପାରିଛ ।ତୁମକୁ ମୁଁ ଜଣେ ବାପ ହିସାବରେ ମୋ ଅନ୍ତରରୁ କୃତଞ୍କତା ଞ୍କାପନ କରୁଛି ,ଗଡ଼ ବ୍ଲେସ ୟୁ ଅଲଓ୍ଵଜ୍ ମାଇଁ ଚାଇଲଡ୍ ।"

ଡକ୍ଟରଙ୍କ କଥା ଶୁଣି ସୀମାନ୍ତ ଏକ ଲୟରେ ସୀମା ଆଡେ ଚାହିଁଲେ । ସୀ..ମା… କହି ଭୋ ଭୋ ହୋଇ କାନ୍ଦିଉଠିଲେ ।

" ଏତେ ବଡ କଥା ମୋତେ ଲୁଚାଇ ରଖିଥିଲ ମୁଁ ଆଜି ତୁମ ପାଖରେ ହାରିଗଲି ସୀମା ମୁଁ ବଡ ସ୍ଵାର୍ଥପର ନିଜ ଖୁସି ପାଇଁ ମୁଁ ସିନା ତୁମକୁ ଛାଡିଦେଲି ଅଥଚ ତୁମେ ମୋ ଖୁସି ପାଇଁ ନିଜକୁ ସମର୍ପି ଦେଲ ସାରାଦିନ ।"

ସୀମା ଆଖିରେ ଲୁହ ଜକେଇ ଆସୁଥିଲା ।ଲୁହକୁ ଚାପି ସୀମାନ୍ତଙ୍କ ଆଖିରୁ ଲୁହ ପୋଛି ଦେଇ ସୀମା କହିଲା " ପ୍ଲିଜ ସେମିତି କୁହନି ।ଏଇଟା ତ ମୋର କର୍ତ୍ତବ୍ୟ ଥିଲା କାହିକିନା ମୁଁ ଦୁହିତା ସବୁ କିଛି ସହିଯିବା ଓ ସମସ୍ତଙ୍କ ମଙ୍ଗଳ କାମନା କରିବା ହିଁ ଆମର ଧର୍ମ ।"

ଏଇ କେଇପଦକଥାରେ ସୀମାନ୍ତଙ୍କ ଆଖିରେ ଯେମିତି ସୀମା ଏକ ସରିଆସୁଥିବା ଜଳନ୍ତା ମହମବତୀ ପରି ଦିଶୁଥିଲେ , ଯାହାର ଛୋଟ ଶିଖାଟି ଖୁବ ଜୋରରେ ଆଲୋକିତ କରୁଥିଲା ସାରା ମେଡିକାଲଟିକୁ ।

ମୋ- ୭୩୭୭୧୯୭୯୯୯

ବଟରପଡା ଭାମଣ୍ଡା ରାଜକନିକା କେନ୍ଦ୍ରାପଡା


Rate this content
Log in

Similar oriya story from Inspirational