ଅଦୃଶ୍ୟ ହାତ
ଅଦୃଶ୍ୟ ହାତ


ଯାହାର କେହି ନାହାଁନ୍ତି ତାକୁ ସବୁବେଳେ ଦଇବ ସାହା ।ମୁଁ ସେଦିନ ଅନୁଭବ କରିଥିଲି ଭଗବାନ ବି ଏ ପୃଥିବୀରେ ମଣିଷ ରୂପରେ ଅଛନ୍ତି ।ଯିଏ ଦିନେ କେବେ ବି ଭଗବାନଙ୍କୁ ବିଶ୍ଵାସ କରେନି କି ମନ୍ଦିର ଯାଏନି ଧୂପ ଦୀପ ଫୁଲଚନ୍ଦନ ଭୋଗ କେଉଁ ପଥର ଅବା କାଠର ପାଷାଣକୁ ଅର୍ପଣ କରିନି କିମ୍ଵା ନିଜ ପାଇଁ କିଛି ମାଗିନି ହାତ ଯୋଡି ମୁଣ୍ଡପିଟି ତା ଆଗେ ଲୁହ ଝରାଇ ।ସମ୍ପୁର୍ଣ୍ଣ ନାସ୍ତିକବାଦୀ ଥିଲି ।କର୍ମ ହିଁ ମୋ ପାଇଁ ଥିଲା ମୂଳମନ୍ତ୍ର ।ହାତ ଗୋଡ ଚାଲୁଥିବା ଯାଏଁ ପେଟରେ ମୁଠାଏ ଦାନା ପଡୁଥାଏ ।
କେତେ କଷ୍ଟ ଯନ୍ତ୍ରଣା ହାଡଭଙ୍ଗା ଶୀତ ବର୍ଷା ଗ୍ରୀଷ୍ମର ଧୂ ଧୂ ତାପରେ ମୁଁ ନିଜକୁ ସନ୍ତୁଳିଛି । ଖାଲି ପେଟରେ ଚଳଚଳ କରି ଟ୍ୟାପର ପାଣି ପିଇ ନିଜକୁ ବହୁତ ବୁଝାଇଛି ହେଲେ କେବେ ବି ଭିକ୍ଷୁକ ଭଳି ହାତ ପାତି କାହାରିକୁ ଟଙ୍କାଟିଏ ମାଗିବାକୁ ସାହାସ କରିନି ।ମୁଣ୍ଡ ଝାଳ ତୁଣ୍ଡରେ ମାରି ମେହନତ କରିଛି ଏ ପେଟ ଚାଖଣ୍ଡେ ପାଇଁ ।କେହି କେହି ବି ମୋତେ ଠକି ଦେଇଛନ୍ତି ତାର ହିସାବ ମୁଁ ରଖିନି ।ଅଯାଚିତ ଭାବେ ମୁଁ ସମସ୍ତଙ୍କ କାମରେ ଆସିଛି ।
ସହରତଳ ବସ୍ତିରେ କଳା ମଣିଷଟିଏ ମୁଁ ।ଝୁମ୍ପୁଡି ଘରେ ରହେ ।ଘରର ସଦସ୍ୟ କେବଳ ମୋର ଜଣେ ଯାହାକୁ ପାଞ୍ଚ ବର୍ଷତଳୁ ମୁଁ ଗାଁରୁ ଉଠାଇ ନେଇଆସିଥିଲି ଏ ସହରକୁ ।ସୁଖ ଦୁଃଖରେ ସେ ଏକ ମାତ୍ର ସାକ୍ଷୀ । ଯାହାର ପ୍ରେମର ଟିକେ ଆଉଁସାରେ ମୁଁ ଶତ ସିଂହର ବଳ ପାଇଥାଏ ।ଏ ସଂସାର ହସିଲା ପୁରିଲା ଭଳି ଲାଗେ ।ତା ମନର ରାଜଉଆସରେ ମୁଁ ରାଜାଟିଏ ଆଉ ସେ ମୋର ରାଣୀ ।ତା ହାତ ରନ୍ଧା ବାସିପଖାଳ ବି ମହମହ ଅବଢା ଭଳି ମୋତେ ବାସେ ।ସୁମୀ ମୋର ଜାୟା ଜନନୀ ଭଗିନୀ ସବୁକିଛି । ତାର ଚନ୍ଦ୍ର ଉଦିଆ ମୁଁହକୁ ଦେଖିଲେ ମୋର ସବୁ ଯନ୍ତ୍ରଣା କେମିତି କେଜାଣି ଲୁଣ ଭଳି ପାଣିରେ ମିଳାଇଯାଏ ।
ମୁଁ ନାସ୍ତିକ ହେଲେ କଣ ହେବ ସୁମୀ କିନ୍ତୁ ଭାରି ଈଶ୍ଵର ବିଶ୍ଵାସୀ ।ଦିନରାତି ଠାକୁରଙ୍କର ସୁନ୍ଦର ସୁନ୍ଦର ଫଟୋ ମାନଙ୍କୁଗୋଟିଏ ଘରର କୋଣରେ ବନ୍ଦୀକରି ଦୀପଧୂପ ଫୁଲଚନ୍ଦନରେ ସଜାଇ କଣ ଯେ ବରବର ହୋଇ ହାତଯୋଡି ମାଗେ କେଜାଣି ମୋତେ ଏସବୁ ଦେଖିଲେ ଭାରି ହସ ଲାଗେ ।ମୁଁ କିନ୍ତୁ ପ୍ରତିବାଦ କରିପାରେନି ତାର ସ୍ଵାଧୀନତାରେ ।
ସବୁ ମାଆମାନଙ୍କ ପରି ସେ ବି ସ୍ଵପ୍ନ ଦେଖେ କେବେ ତାର କୁନି ଅଗଣାରେ ପରଲଗା ଚଢେଇମାନଙ୍କର ଭିଡ ଲାଗିବ ।ସେମାନଙ୍କର କିଚିରିମିଚିରି ଶବ୍ଦରେ ସେ ଭୁଲିଯିବ ସବୁ ଦୁଃଖ ଯନ୍ତ୍ରଣାକୁ ।ବାର ଓଷା ତୀର୍ଥ ତାର ସବୁ ନିସ୍ଫଳ ।ସେଥିପାଇଁ ଏ ଭଗବାନଙ୍କ ଉପରେ ମୁଁ ଭାରି ଅସନ୍ତୁଷ୍ଟ ।କୁହେ ଏଠି ଭଗବାନ ଏ କାଠ ପଥରରେ ନାହାନ୍ତି, ଅଛନ୍ତି ଆମ ଭିତରେ । ଏ ପାଷାଣମାନଙ୍କୁ ପୂଜା କରିବା ଅପେକ୍ଷା ଚାଲ ଜନତାର ସେବା କରିବା । ସେମାନଙ୍କର ଆର୍ଶୀବାଦରୁ ଆମର ମନୋସ୍କାମନା ପୂର୍ଣ୍ଣ ହେବ ।
ରାତିରେ ଶୋଇଲାବେଳେ ସୁମୀ କଇଁକଇଁ ହୋଇ କୁହେ ମୁଁ କଣ ଆଉ ମାଆ ହୋଇପାରିବିନି ଏ ଜୀବନରେ । ପାଞ୍ଚ ବରଷ ହୋଇଗଲା କେବେ ଭଗବାନ ଆମ ଡାକ ଶୁଣିବେ ।
ସମୟକୁ ଟିକେ ଟିକେ ଅପେକ୍ଷା କର ସବୁକିଛି ମିଳିଯିବ ବୋଲି ମୁଁ ତାକୁ ଆଶ୍ଵାସନା ଦେଇ ତା ଆଖିରୁ ଲୁହ ପୋଛି ମୋ ପାଖକୁ ଜାକି ଆଣି ତାରି କୋଳରେ ନିଦେଇ ଯାଏ କୁଆ କା କରିବାଯାଏ ।
ସକାଳୁ ସକାଳୁ କାମକୁ ବାହାରି ଗଲାବେଳେ ଜାତୀୟ ରାଜପଥରେ ଗୋଟିଏ କଡରେ ଏକ ବ୍ୟାଗଟିଏ ଦେଖିବାକୁ ପାଇଲି ।ସଙ୍ଗେ ସଙ୍ଗେ ଯାଇ ବ୍ୟାଗଟିକୁ ଉଠାଇବାକୁ ଡର ଲାଗୁଥିଲା କାଳେ କେହି ଆତଙ୍କବାଦୀ ଯଦି ବୋମା ରଖିଥିବାର ଭୟରେ । ତଥାପି ସାହସ ସଞ୍ଚୟ କରି ବ୍ୟାଗଟିକୁ ନେଇ ଆସି ଖୋଲି ଦେଖିଲି ଏଥିରେ ଅନେକଗୁଡିଏ ଟଙ୍କା ବଣ୍ଡଲରେ ଭର୍ତ୍ତି ।ପ୍ରାୟ ଆନୁମାନିକ ଦଶ ଲକ୍ଷ ଟଙ୍କାରୁ କମ୍ ନଥିଲା । ବୋମା ଠାରୁ ବି ଏ ବ୍ୟାଗରେ ନୋଟ ବଣ୍ଡଲ ଦେଖି ଚମକି ପଡିଲି ।ଅନେକ ସମୟ ଧରି ଏପଟ ସେପଟ ହୋଇ ଆଗ ପଛକୁ ଚାହିଁଲି ।ଭୟରେ ଛାତି ଧଡ୍ ପଡ୍ ହୋଉଥାଏ ।ସବୁ ଗାଡିଗୁଡିକ ଯେମିତି ରାଜରାସ୍ତାରେ ସମୟ ନାହିଁର ବ୍ୟାନର ମାରି ଯିଏ ଯାହା ଗନ୍ତବ୍ୟ ପଥରେ ଚାଲିଯାଉଥାନ୍ତି ସାଏଁସାଏଁ କରି ।ଅପେକ୍ଷା କଲି କାଳେ କାହା ଗାଡି ଆସି ଏଠାରେ ରହିଯିବ ଖୋଜିବା ସନ୍ଧାନରେ ।ହେଲେ କାହାର ଦେଖା ଦର୍ଶନ ନଥିଲା ।ସେଦିନ ମୁଁ ଆଉ କାମକୁ ଯାଇପାରିଲି ନାହିଁ ।ଘରକୁ ଏକ ମୁହାଁ ହୋଇ ଫେରିଆସିଲି ।ଏ ଟଙ୍କା ବ୍ୟାଗଟି ମୋତେ ଆଜି ଭାରୀ ଭାରୀ ଲାଗୁଥିଲା ମୋ କାନ୍ଧକୁ ।
ସୁମୀ ଆଗରେ ସବୁ କଥା କହିଲି । ଏ ବ୍ୟାଗ କାହାର ଏତେଗୁଡିଏ ଟଙ୍କା କିଏ ସେ ଲୋକ ବହୁତ ଖୋଜୁଥିବ ମନେ ମନେ ।କଣ କରିବା ସୁମୀ ଏ ଟଙ୍କାକୁ ନେଇ ପୋଲିସର ଜିମାରେ ଦେଇଦେବା ।
ସୁମୀ ରହିଯାଇ ଟିକେ ଭାବି କହିଲା " ନା ଆଜିକାଲି ପୁଲିସବାଲାଗୁଡା ଭଲ ଲୋକ ନୁହଁନ୍ତି ।ସିଏ ତୁମ ଭଳି ସରଳ ମଣିଷକୁ ଫସାଇଦେବେ । ଦେଶର ରକ୍ଷକ ଆଜି ଦେଶର ଭକ୍ଷକ । ବିଚରା ହଜାଇଥିବା ଲୋକଟିର ସବୁତକ କଷ୍ଟଅର୍ଜିତ ଧନ ପାଣିରେ ପଡିଯିବ ।ପୋଲିସ ବାଲା ଭାଗବାଣ୍ଟ କରି ନେଇଯିବେ ଏବଂ ତୁମ ଦେହରେ କଳଙ୍କର ପଙ୍କ ଲଗାଇଦେବେ ।
ବ୍ୟାଗଟିକୁ ସୁମୀ ଟାଣି ନେଇ ଭଲ ଭାବରେ ଆଉ ଥରେ ନଜର ବୁଲାଇ ଆଣିଲା ।ଟଙ୍କା ଥିବା ସବୁ ବଣ୍ଡଲକୁ କାଢି ବ୍ୟାଗଟିର ସବୁ ଚେନକୁ ତନ୍ନ ତନ୍ନକରି ଚେନ ଖୋଲିବାରୁ ଗୋଟିଏ କଡୁ ଏକ ପରିଚୟ ପତ୍ର ତାକୁ ମିଳିଗଲା । ସେଥିରେ ହଜାଇଥିବା ଲୋକଟିର ଠିକଣା ସହ ଏକ ଫୋନ ନଂ ଲେଖାଥିଲା । ମୁଁ ତ ମୁରୁଖ ଲୋକ ଇଂରାଜୀ ଅକ୍ଷର ପଢି ନ ପାରିଲେ ବି ସୁମୀକୁ ଇଂରାଜୀ କିଛି କିଛି ଜଣା ଥିଲା ।
ଫୋନ ପାଇ ଚାରିଚକିଆ ଗାଡିଟିଏ ଆସି ବସ୍ତିର ମୋ ଦୁଆରେ ଲାଗିଗଲା ।ଗାଡିରୁ ଓହ୍ଲାଇପଡିଲେ ଦୁଇ ଦମ୍ପତ୍ତି ।ବେଶ ସମ୍ଭ୍ରାନ୍ତ ଭଦ୍ର ଶିକ୍ଷିତ ।କୋଳେଇ ନେଲେ ଅତି ଆଦରରେ ମୋତେ ଆଉ ସୁମୀକୁ ।ମାନବିକତାର ପରିଚୟ ପାଇଁ ଆମ ପିଠିରେ ଥାପଡ୍ ମାରି ସେ ଅନେକ କୃତଜ୍ଞତା ଭରି ଦେଇ କିଛି ଅର୍ଥ ଦେଲେ ପୁରସ୍କାର ରୂପେ ରଖିବାକୁ ।ମୁଁ କିନ୍ତୁ ଏଥିରେ ବାରଣ କରି କହିଲି ନା ଏସବୁ କଣ ହେବ ବିନା କଷ୍ଟରେ ମୁଁ କେବେ ଏ ଅର୍ଥ ରଖିବି ନାହିଁ ।ମୁଁ କେବଳ ମୋର କର୍ତ୍ତବ୍ୟ କରିଛି । ଏ ଧନ ଆପଣଙ୍କର ଝାଳବୁହା ମୁଁ କାହିଁକି ସେଥିରେ ଭାଗିଦାରୀ ହେବି ଵିନା ଶ୍ରମରେ ।ମୋର ଏହି ମହାନ ଉଦାରତା ଗୁଣ ପାଇଁ ଦମ୍ପତ୍ତି ଦୁହେଁ ମୋର ଓ ସ୍ଵାମୀର ଫଟୋଟିଏ ଉଠାଇ ନେଇ ନିତିଦିନିଆ ଖବରକାଗଜରେ ଏକ ଭଲ ଖବରଟିର ବିଜ୍ଞାପନଟିଏ ଛାପିଦେଲେ ।ସମସ୍ତେ ବାଃ ବାଃ ପ୍ରଶଂସା କଲେ ।କେହି କେହି ମୋତେ ଦେଖିଲେ ଆତ୍ମହରାରେ କୁଣ୍ଢେଇ ପକାଇଲେ ଆଉ କିଛି ଲୋକ କହିଲେ " - ହେ ଏମିତି ଲୋକ କଣ ପୃଥିବୀରେ ଅଛନ୍ତି ।ଗଜ ମୂର୍ଖଟାଏ ।ଆସୁଥିବା ଲକ୍ଷ୍ମୀକୁ ହାତ ଛଡା କରିଦେଲା ।
ସେ ସବୁ କଥା ପ୍ରତି ମୋର ଆଦୌ ଭ୍ରୂକ୍ଷେପ ନ ଥିଲା ।ମୁଁ ମୋର କର୍ତ୍ତବ୍ୟ କରିଛି । ବିନାଶ୍ରମରେ ଆସୁଥିବା ପଇସା କେବେ ବି ଚିରସ୍ଥାୟୀ ନୁହେଁ କି କୌଣସି କାମରେ ଲାଗିପାରିବ ନାହିଁ । ଏହା ହିଁ ମୋର ଅନୁଭୂତି ।
ହାତ ଗୋଡ ନଥିବା ଫଟୋରେ ବନ୍ଧା ହୋଇଥିବା ଭଗବାନ ଦିନେ ଶୁଣିଲେ ସୁମୀର ଡାକ ।ତାର କୋଳରେ ଭରିଦେଲେ ମାତୃତ୍ଵ ।ସୁମୀ କହିଲା ଦେଖିଲ ଭଗବାନଙ୍କୁ ତୁମେ ବିଶ୍ଵାସ କରୁସ ନ ଥିଲ ସେ କେମିତି ଆଜି ମୋର ଡାକ ଶୁଣିଲେ ।ମୁଁ କୁହେ ନା ସେ କଣ ଆମକୁ ଦେଲେ ଆମ କର୍ମଫଳ ଆମକୁ ଉପହାର ଦେଇଛି ।ସେଦିନ ସେ ମହାନ ଅବଦାନକୁ କଣ ଭୁଲିଗଲ ।ସେଇ ଦମ୍ପତ୍ତିଙ୍କ ଆଶିର୍ବାଦରୁ ଆଜି ଆମ ସଂସାରଟା ଆନନ୍ଦରେ ଫାଟିପଡୁଛି ।ସେମାନଙ୍କର ଦୁଃଖକୁ ଆମେ ହୁଏତ କିଛିଟା ଲାଘବ କରିପାରିଛେ ।ନ ହେଲେ କଷ୍ଟ ଅର୍ଜିତ ଧନ କେଉଁ ଖଣ୍ଟ କି ଚୋର ହାବୁଡରେ ପଡିଥିଲେ ତାଙ୍କ ଅବସ୍ଥା ଯେ କଣ ହୋଇଥାନ୍ତା ସେ ହିଁ ଅନୁଭବ କରିଥାନ୍ତେ । ସେମାନେ ଆମ ପାଇଁ ସାକ୍ଷାତ ଈଶ୍ଵର ଈଶ୍ଵରୀ ଦୁହେଁ । ସେଦିନ ରାତିରେ ମୁଁ ଶୋଇପାରି ନ ଥିଲି । ଏତେ ଗୁଡିଏ ଟଙ୍କାକୁ ଧରି ଏ ଝୁମ୍ପୁଡି ଘରେ । ଛାତି ଧଡ ଧଡ୍ ହେଉଥାଏ ଅନେକ କଥା ଭାବି ଭାବି ।ସେମାନଙ୍କର ଆଶୀର୍ବାଦରୁ ଆଜି ଆମେ ବାପା ମା ହେବାକୁ ଯାଉଛେ । ସେଦିନ ସିନା ମୁଁ ଫେରାଇଦେଇଥିଲି ସେ ଦେଇଥିବା ଅର୍ଥକୁ କିନ୍ତୁ ତାଙ୍କର ଅଦୃଶ୍ୟ ହାତ ଆଜି ଆମକୁ ଏକ ବଡ ଉପହାର ଦେଇଛି ।
ସୁମୀ ମୋ କଥାରେ ବି ଭାବ ବିହ୍ଵୋଳିତ ହୋଇଯାଉଥିଲା ।ଦିନକୁ ଦିନ ଚନ୍ଦ୍ରକଳା ପରି ବଢିବାରେ ଲାଗୁଥାଏ ଆମର କୁନି ଜହ୍ନଟିଏ ।ସୁମୀର ବି ଯନ୍ତ୍ରଣା ବଢି ବଢି ଯାଉଥାଏ ।ମୁଁ ରାତି ରାତି ଅନିଦ୍ରା ହୋଇ ଜଗିବସିଥାଏ କେବେ ଏ ଭଙ୍ଗା କୁଡିଆ ଘରେ ଶ୍ରୀକୃଷ୍ଣ ଜନ୍ମ ନେବେ ।ସବୁ ଦୁଃଖ ଯନ୍ତ୍ରଣାର ଅନ୍ଧାର ମୋ ଝୁମ୍ପୁଡି ଘରୁ ଦୂରେଇଯିବ ।
ସେଦିନ ରାତିରେ ଅସହ୍ୟ ଯନ୍ତ୍ରଣା ଅନୁଭବ କଲା ସୁମୀ ।ତାକୁ ସଙ୍ଗେ ସଙ୍ଗେ ମୁଁ ପାଖରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଦେଲି ।ଡାକ୍ତର କହିଲେ ସୁମୀ ଦେହରେ କୁଆଡେ ପାଣିର ଅଭାବ ।ପିଲାଟି ମା ପେଟରେ ଶୁଖିଲାରେ ପଡିଛି ଏବଂ ନାଡଟି ବେକରେ ଗୁଡେଇ ହୋଇ ରହିଯାଇଛି ।ଯାହା ଫଳରେ ମା ଓ ପିଲା ପ୍ରତି ଭାରି ବିପଦ ।ତୁରନ୍ତ ତାର ଅପରେସନ କରିବାକୁ ପଡିବ । ଚାଳିଶ ରୁ ପଚାଶ ହଜାର ଟଙ୍କା ଲାଗିବ ।ଶିଘ୍ର ଯୋଗାଡ କର ।ମୋ ମୁଣ୍ଡରେ ଯେମିତି ଚଡକ ପଡିଗଲା । ହେ ଭଗବାନ କାହିଁକି ଏ ଗରିବକୁ ହିନିମାନୀ କରୁଛୁ ।କି ଦୋଷ କରିଥିଲା ବିଚାରୀ ସୁମୀଟା ମୋର ।ତୋତେ ଦିନରାତି ପୂଜା କରିବାର ଫଳ କଣ ଶେଷରେ ଏଇଆ ଦେଲୁ ।ଏତେ ଗୁଡିଏ ଟଙ୍କା ମୁଁ କେଉଁଠୁ ଯୋଗାଡ କରିବି ।
କିଏ ମୋତେ ଦେବ ? ଏମିତି ଭାବୁ ଭାବୁ ମୁଁ ଯାଇ ଡାକ୍ତରଖାନାରେ ଡାକ୍ତର ବାବୁଙ୍କ ଗୋଡ ଧରି ଗୁହାରୀ ହେଲି ବାବୁ ମୋତେ ଟିକେ ସାହାୟଯ୍ୟ କରନ୍ତ । ମୋ ସ୍ତ୍ରୀକୁ ବଞ୍ଚାଇଦିଅ ।ମୁଁ ଆପଣଙ୍କ ଘରେ ସାରା ଜୀବନ ରହି କାମ କରି ଶୁଝିଦେବି ।ମୋର ଆଗକୁ କି ପଛକୁ କେହି ନାହାଁନ୍ତି ।ସୁମୀ ହିଁ ମୋର ଜୀବନ ପ୍ରାଣ ସବୁକିଛି ।
ଗରିବ ଖଟିଖିଆ ମେହନତି ମଣିଷଟି ମୁଁ ।ଆଖିରୁ ମୋର ଲୁହ ଧାର ଧାର ହୋଇ ବୋହିଯାଉଥାଏ ।ଡାକ୍ତର ବାବୁ ସବୁ ବୁଝି ନ ବୁଝିଲା ପରି ହାଲୁକା ଭାବରେ କହିଲେ " ନୋ ଆଇ ଆମ୍ ଅନଡନ୍ ।ମୁଁ କିଛି କରିପାରିବିନାହିଁ ।ଟଙ୍କା ଦେଲେ ଯାଇ ଅପରେସନ ହେବ ନହେଲେ ପେସେଣ୍ଟକୁ ଆଉ କେଉଁଠିକୁ ନେଇଯାଅ ।ଯଦି ପାରୁଛ ତୁମ ଗୁହାରୀ ଆମର ନର୍ସିଂହୋମର ମାଲିକକୁ ଯାଇ କର ସେ ତୁମ କଥା ଶୁଣିବେ ନିଶ୍ଚୟ ।
ମୁଁ ଆଉ ଡେରି ନ କରି ସିଧା ଚାଲିଲି ନର୍ସିଂହୋମର ମାଲିକଙ୍କ ଘରକୁ ।ଦରଓ୍ଵାନ ଠାରୁ ଧକା ଖାଇ ବି ମୁଁ ଗେଟ ଡେଇଁ ଚାଲିଲି ଦେଖାକରିବାକୁ ।ଦୁଆର କଲଂ ବେଲକୁ ଚିପିବାରୁ ଜଣେ ସଦ୍ୟ ଗୋରା ତକ୍ ତକ୍ ବୃଦ୍ଧା ଲୋକ ଜଣକ ବାହାରି ଆସି କହିଲେ କିଏ କାହାକୁ ଖୋଜୁଛନ୍ତି ।ମୋତେ ଦେଖି ବୃଦ୍ଧା ଜଣକ ଚିହ୍ନିପାରି କହିଲେ - ଆରେ ସନତ ତୁମେ ଆସ ଆସ ମୋତେ ଚିହ୍ନିପାରୁଛ ? ସୋଫା ଉପରେ ବସାଇ ଦେଇ କହିଲେ। ମୋର ତାଙ୍କ ମୁଁହଟି ଟିକେ ଟିକେ ଚିହ୍ନା ଚିହ୍ନା ଲାଗୁଥିଲା କିନ୍ତୁ ଯେତେବେଳେ ବୃଦ୍ଧା ଜଣକ ଆସି ମୋ ପାଖରେ ବସି ମୋ ମୁଣ୍ଡ ପିଠିରେ ହାତ ଆଉଁସି ଦେଲେ ସେତେବେଳେ ମୋର ମନେ ପଡିଗଲା ସେଦିନର ଘଟଣା ସବୁ । ଏଇ ସେଇ ଈଶ୍ଵର ଦମ୍ପତି ଯାହାଙ୍କ ଆଶୀର୍ବାଦ ରେ ମୋର ସଂସାର ହସିଉଠିଛି ବୋଲି ଅନୁଭବ କରେ ।
ସନତ ଠାରୁ ସବୁକଥା ଶୁଣି ଘର ଭିତରୁ ବୃଦ୍ଧଜଣକ କହିଲେ ଦେଖ ଆଜି ଈଶ୍ଵରଙ୍କ ବିଚିତ୍ର ଖେଳ ।କେମିତି ତୁମକୁ ଆଜି ମୋ ପାଖରେ ପହଞ୍ଚାଇଦେଇଛି ।ତୁମର ଋଣ ଆମେ କେବେ ଜୀବନ ସାରା ଭୁଲିପାରିବୁନାହିଁ ।ତୁମେ ଭାଙ୍ଗିପଡନି ।ତୁମର କେହି ନ ଥିଲେ କଣ ହେଲା ଆମେ ଦୁହେଁ କଣ ତୁମ ବାପମା ପରି ନୁହଁ । ଚାଲ ଆମେ ସାଙ୍ଗ ହୋଇ ମେଡିକାଲ ଯିବା ।
ସଙ୍ଗେ ସଙ୍ଗେ ଏକ ଟେଲିଫୋନରେ ସୁମୀର ଅପରେସନ ଆରମ୍ଭ ହୋଇଗଲା ।ବାହାରେ ଆଖି ବୁଜି ମନେ ମନେ ମୁଁ ଈଶ୍ଵରଙ୍କୁ ଭାବୁଥିଲି ସେଦିନ ନାସ୍ତିକଟିଏ ହୋଇ ବି ।ଯେମିତି ଏକ ଅଦୃଶ୍ୟ ହାତଟିଏ ଆସି ମୋ ମୁଣ୍ଡ ପିଠି ଆଉଁସି ଦେଇ କହୁଥିଲା ଏ ପୃଥିବୀରେ ମୁଁ ସବୁଠାରେ ଅଛି ପୁଣି ସବୁଠାରେ ନାହିଁ ।ଏଇ ମଣିଷମାନଙ୍କ ହୃଦୟରେ ଅଛି ।କାଠ କି ପାଷାଣ ପ୍ରତିମାରେ ନୁହେଁ ।ମୁଁ କାହାର ଉପକାର କେବେ ଭୁଲିପାରିବିନାହିଁ ତାକୁ ଏ ଜନ୍ମରେ ନ ହେଲେ ବି ସାତ ଜନ୍ମଯାଏଁ ପରିଶୋଧ ନ କରିବାଯାଏଁ ଶାନ୍ତିରେ ନିଃଶ୍ଵାସ ମାରେନି ।ମହାଭାରତରେ ଦିନେ ଦ୍ରୌପଦୀ ମୋ ହାତ କଟିଗଲା ବେଳେ ଖଣ୍ଡିଏ କନା ତାଙ୍କ ଶାଢୀରୁ ଚିରି ବାନ୍ଧିଦେଇଥିଲେ ତାର ପ୍ରତିଦାନରେ ମୁଁ କୋଟି କୋଟି ବସ୍ତ୍ର ପ୍ରଦାନ କରିଥିଲି ଦୁଃଶାସନ ବସ୍ତ୍ରହରଣ ସମୟରେ ।ମୁଁ ମଣିଷର ମଣିଷ ପଣିଆକୁ ଭଲ ପାଏ ।
କୁଆଁ କୁଆଁ ଶବ୍ଦରେ ମୁଁ ହଠାତ ପ୍ରକୃତିସ୍ଥ ହୋଇଉଠିଲି ।ବୃଦ୍ଧ ଦମ୍ପତ୍ତି ଦୁହେଁ ମୋର କୁନି ପୁଅଟିକୁ ଆଣି ଅତି ସ୍ନେହରେ ମୋ କୋଳରେ ଧରାଇ ଦେଇ କହିଲେ ଏ ସନତ ଦେଖ ତୋ ପୁଅକୁ କେତେ ସୁନ୍ଦର ହୋଇଛି ଠିକ ତୋରି ପରି ।ସୁମୀ ସଂପୂର୍ଣ୍ଣ ଭଲ ଅଛି ତା ପାଇଁ ତୁ ଆଉ ଚିନ୍ତା କରନି ।ଆମେ ଅଛୁ ତୋ ପାଖରେ ସବୁବେଳେ ।କୃତଜ୍ଞତାରେ ଆଖି ମୋର ଛଳଛଳ ହୋଇଯାଉଥିଲା ସେଦିନ ।ପାଖରେ ଜୀବନ୍ତ ଈଶ୍ଵର ଈଶ୍ଵରୀଙ୍କୁ ଦେଖି ତାଙ୍କ ପାଦ ତଳେ ମନେ ମନେ ଶତ ଶତ ପ୍ରଣିପାତ କରୁଥିଲି ଏବଂ ତାଙ୍କର ଅଦୃଶ୍ୟ ହାତରୁ ଯେମିତି ଝରିପଡୁଥିଲା ମୋ ପାଇଁ ଆଶୀର୍ବାଦର ଫୁଲ ଚନ୍ଦନ ମୋ ମୁଣ୍ଡରେ ।