Shashanka sekhar Ray

Tragedy

3  

Shashanka sekhar Ray

Tragedy

ଝରା ଶେଫାଳୀ

ଝରା ଶେଫାଳୀ

6 mins
14.7K


ଶେଫାଳୀକୁ ଯେତେଥର ଭୁଲିଯିବାକୁ ଚେଷ୍ଠା କଲେ ବି ମୁଁ କାହିଁକି କେଜାଣି ଭୁଲିପାରେନା ।ସେ ଯେମିତି ଶୂନଶାନ୍ ରାତିରେ ଅଚାନକ ଆସି ବର୍ଷିଯାଏ ମୋ ଭିତରେ ।ନିର୍ଜନ ବେଳାଭୂମିରେ ଗଢିଉଠୁଥିବା ବାଲି ଘରଟିଏ ଭାଙ୍ଗିଯାଏ ବାରମ୍ବାର କେଉଁ ଏକ ଅଜଣା ଢେଉରେ ।ମୁଁ ଦରାଣ୍ଡି ହେଉଥାଏ ଶେଫାଳୀକୁ ସ୍ମୃତିର ପାଉଁଶ ଗଦାରେ ।ଅନେକ ଦିନରୁ ଖୋଜୁଥିବା ପ୍ରଶ୍ନର ଉତ୍ତର ଆଜିଯାଏଁ ପାଇପାରେନି ।କଣ ମୋର ଭୁଲ ଥିଲା କାହିଁକି ମୋ ଠାରୁ ଶେଫାଳୀ ସେଦିନ ଦୂରେଇଗଲା ନିଜ ଇଚ୍ଛାରେ ମୋତେ ମିଛ କହି ।ଭଲ ପାଇବାର ନାଟକଟିଏ ରଚି ଶେଷରେ ନାୟିକାରୁ ଖଳନାୟିକା ସାଜିଲା ।ରୂପ ଗୁଣ ସ୍ଵଭାବ ଯୋଗ୍ୟତାରେ ମୁଁ ତ ଅଯୋଗ୍ୟ ନଥିଲି । କଣ ଅଭାବ ରହିଲା ମୋ ଭିତରେ । କାହିଁକି ତୁମେ ଏତେ ବଡ ପ୍ରତାରଣା ଦେଲ ଶେଫାଳୀ ।ସାମାନ୍ୟ ଛୋଟ ଜାତି ପାଇଁ କଣ ତୁମେ ମୋତେ ପର କରିଦେଲ ।ପ୍ରେମର ଡେଣା ମେଲେଇ ଦିନେ ଉଡି ଆସିଥିଲ ଫଗୁଣରେ ତୁମେ ମୋ ମନର ଡାଳକୁ ।ଦୂର ନୀଳ ଆକାଶରେ ନିର୍ଭୟରେ ଉଡିବାର ସ୍ଵପ୍ନ ଖୁନ୍ଦିଦେଇଥିଲ ମୋ ଆଖିରେ । ଭରି ଦେଇଥିଲ ମୋ ଭିତରେ ଏକ ଅପୂର୍ବ ଶିହରଣ । ଯେତେବେଳେ କଳ୍ପନାର ସାତରଙ୍ଗୀ ଇନ୍ଦ୍ରଧନୁରେ ମୁଁ ଆଙ୍କୁଥିଲି ଗୋଟିଏ ସୁନେଲି ଭବିଷ୍ୟତର ଚିତ୍ରପଟ ସେତେବେଳେ ଆମ ନିର୍ମଳ ଆକାଶରେ କିଏ ଯେମିତି କେଜାଣି ଏକ କଳା ବାଦଲଟିଏ ଟାଣିଦେଇଥିଲା ।ସବୁ ସ୍ଵପ୍ନ ଧୋଇଯାଇଥିଲା ଅସରାଏ ବର୍ଷାରେ ।

ସେଦିନ ଶେଫାଳୀକୁ ମୁଁ କହିଲି ଚାଲ ଆମେ ବିବାହ ବନ୍ଧନରେ ଆବଦ୍ଧ ହୋଇଯିବା ସାରା ଜୀବନ ପାଇଁ ।ତୁମେ କିନ୍ତୁ ପଛଘୁଞ୍ଚା ଦେଲ । ଧିରେ ଧିରେ ମୋ ସହ ବିଭିନ୍ନ ଆଳ ଦେଖାଇ ସମୟ ଗଡାଇ ଚାଲିଲ । ମୁଁ ବାଧ୍ୟ କରିବାରୁ କହିଲ ଆମ ଘର ଲୋକ ଚାହୁଁନାହାଁନ୍ତି ତୁମ ସହ ବିବାହ କରିବାକୁ ।ତୁମେ ଆମ ଠାରୁ ଛୋଟ ଜାତି । ଛୋଟ ଜାତିର ପୁଅ ସହ ଜଣେ ଉଚ୍ଚ ଜାତିର ଝିଅର ବିବାହ ଏକ ସମାଜ ବିରୋଧି କାର୍ଯ୍ୟ । ଆମ ପରିବାରର ସମ୍ମାନକୁ ମୁଁ ସବୁବେଳେ ଭଲ ପାଏ । ଯେଉଁଠି ବାପା ଭାଇ ବନ୍ଧୁବାନ୍ଧବ ସମସ୍ତେ ଅରାଜି ସେଠି ମୁଁ ସମସ୍ତଙ୍କ ମୁହଁରେ ଚୂନକାଳି ବୋଳି ତୁମ ସହ ବିବାହ କରିବା ଅସମ୍ଭବ । ବରଂ ତୁମେ ଅଲଗା ଜାଗାରେ ଗୋଟେ ସୁନ୍ଦରୀ ଝିଅ ଦେଖି ବିବାହ ହୋଇଯାଅ ।ମୁଁ କେବେ ମନ ଦୁଃଖ କରିବିନି ବରଂ ଆନନ୍ଦିତ ହେବି ଦୂରେ ଥାଇ ।ପ୍ରେମର ସାର୍ଥକତା ହୁଏନି କେବଳ ବିବାହ ବନ୍ଧନରେ ଆବଦ୍ଧ ହୋଇଗଲେ ।ପ୍ରେମ ଶାଶ୍ଵତ ଚିରନ୍ତନ ।ସେ କେବେ ମରିପାରେନା ।

ତୁମ ଯୁକ୍ତି ଆଗରେ ମୁଁ ପରାଜିତ ସୈନିକ ପରି ନତମସ୍ତକ ହେଲି । କହିବାକୁ ମୋ ପାଖରେ କିଛି ଶବ୍ଦ ନଥିଲା । ତମ କଥା ମାନି ମୁଁ ଫେରିଆସିଲି ସହରକୁ ଆଉ ଗୋଟିଏ ସଂସାରର ନୀଡଟିଏ ବାନ୍ଧିଲି ତୁମ ଇଚ୍ଛାରେ ।

କିନ୍ତୁ କାହିଁକି କେଜାଣି ମଣିଷ ତାର ପ୍ରଥମ ପ୍ରେମକୁ ଜମା ଭୁଲିପାରେନି । ଭୁଲିବାକୁ ଚାହିଁଲେ ବି ସେ ଯେମିତି ଧସେଇ ପଶେ ବନ୍ୟା ଜଳ ପରି ଟିକେ କେଉଁଠି ନଦୀବନ୍ଧର ଦୁର୍ବଳ ମାଟି ପାଇଲେ ।

ଶେଫାଳୀ ଆଜି କେମିତି ଥିବ କଣ କରୁଥିବ ବାପା ଭାଇଙ୍କ କଥାରେ ସେ ନିଶ୍ଚୟ ସଂସାର କରିସାରିବନି । କେମିତି ହୋଇଥିବ ତାର ସଂସାର , ତାକୁ ବାହା ହୋଇଥିବା ସେ ସୁନ୍ଦର ଭାଗ୍ୟବାନ ପୁରୁଷଟି କେମିତି ହୋଇଥିବ । ମନଟା କାହିଁକି କେଜାଣି ତା ବିଷୟରେ ଭାରି ଗୁଡେଇ ତୁଡେଇ ହେଉଥିଲା ।

ହଠାତ୍ ମୋ ଭାବନାରେ ପୂର୍ଣ୍ଣଛେଦ ଟାଣି ଅଞ୍ଜଳି ଚା’ କପଟିଏ ବଢାଇ ଦେଉ ଦେଉ କହିଲା କଣ ଭାବୁଛ ଆଜି ପୁରା ଫିଲୋସଫର୍ ହୋଇଯାଇଛ କାହା କଥା ଆଜି ଭାବୁଛ । ମୁଁ ଚଷମାଟିକୁ ଟେବୁଲ ଉପରେ ରଖି ଆଖି ଦୁଇଟିକୁ ମଳି ଗମ୍ଭୀର ସ୍ଵରରେ କହିଲି ଏଇ ଶେଫାଳୀର କଥା , ଆଜି କାହିଁ ତାର କଥା ଭାରି ମନେ ପଡୁଛି ।ଅତୀତର ଦିନ ସବୁ ଯେମିତି ମୋତେ କାଲି ପରି ଲାଗୁଛି ।

ଓ ଏ ଯାଏଁ ତୁମେ ତାଙ୍କୁ ଭୁଲିପାରିନ । ହଁ ପ୍ରଥମ ପ୍ରେମ କିଏ କଣ କେବେ ଭୁଲିପାରେ ଯେ ତୁମେ ଭୁଲିଯିବ । ଅଞ୍ଜଳି ଥଟ୍ଟା କରି ମୋତେ ହସି ଦେଇ କହିଲା । କିନ୍ତୁ ସେ ହସରେ ଯେମିତି ଇର୍ଷାର ଜହର ବୋଳି ହୋଇରହିଥିଲା ପରି ମୋତେ ଲାଗିଲା ।

ଅଞ୍ଜଳିକୁ ଶେଫାଳୀ ବିଷୟରେ ମୁଁ ସବୁ କଥା କହିଥିଲି ।ଯେତେବେଳେ ବି ଶେଫାଳୀକୁ ପ୍ରଶଂସା କରେ ଅଞ୍ଜଳି ଇର୍ଷା କରିବା ଆରମ୍ଭ କରିଦିଏ ଏବଂ ରାଗ ଅଭିମାନରେ କୁହେ ମୋତେ ତ ଦିନେ ପ୍ରେମ କଲନି ସବୁବେଳେ ଖାଲି ତାରି ପ୍ରଶଂସା ଯାଅ ତାହାରି ପାଖରେ ରହିବ । ଅଭିମାନରେ ଝାଉଁଳି ଯାଇଥିବା ଅଞ୍ଜଳିର ମୁହଁରେ ଟିକେ ହସ ପାଇଁ ମୁଁ ତାକୁ ମୋ କୋଳକୁ ଟାଣିନେଇ ତାର କପାଳରେ ଏକ ଗାଢ ଚୁମ୍ଵନ ଆଙ୍କିଦିଏ ।ଅଞ୍ଜଳିର ଜମାଟ ବନ୍ଧା ଅଭିମାନ ସବୁ ସଙ୍ଗେ ସଙ୍ଗେ କୁଆଡେ ତରଳିଯାଏ । ମୁହଁ ଫୁଲେଇ ଶେଫାଳୀକୁ ଦୋଷ ଦେଇ କୁହେ ପ୍ରକୃତରେ ଯିଏ ପ୍ରେମ କରେ ସେ କଣ ଶେଷରେ ଏମିତି ପ୍ରତାରଣା ଦିଏ ।ପ୍ରେମ ଆଗରେ ପରିବାର ସମାଜ ଜାତି ପ୍ରତିବନ୍ଧକ କେବେ ସାଜିପାରେନା । ଏସବୁ ମିଛ ବାହାନା ସ୍ଵାର୍ଥପର ଲୋକମାନଙ୍କ ପାଇଁ ।ସେ ପ୍ରେମରେ କିଛି ସ୍ଵାର୍ଥ ନିଶ୍ଚୟ ଥିଲା ସେଥିପାଇଁ ସେ ଦୂରେଇ ଗଲେ ତୁମ ଠାରୁ ।

ଅଞ୍ଜଳିର କଥା ଶୁଣି ମୁଁ ମନେମନେ ଭାବୁଥାଏ ସତରେ ଏ ନାରୀ ଜାତିଟା ଭାରି ଇର୍ଷାଳୁ ।ଜଣେ ଝିଅ କେବେ ବି ଅନ୍ୟ ଝିଅର ପ୍ରଶଂସା ସହିପାରେନି ।ମୁଁ ଶେଫାଳୀକୁ ଯେତିକି ଜାଣିଛି ସେ କେବେ ବି ସ୍ଵାର୍ଥପର ହୋଇନପାରେ ।

ଶେଫାଳୀ ବିଷୟରେ ଜାଣିବାକୁ ଭାରି ଆଗ୍ରହ ହେଲା ।କାହାକୁ ପଚାରିବି ପଚାରିବି ଭାବୁ ଭାବୁ ହଠାତ୍ ମନେ ପଡିଗଲା ମୋର ସାଙ୍ଗ ଅବିନାଶର କଥା ।ଯିଏ କି ଶେଫାଳୀର କ୍ଲାସମେଟ୍ ଥିଲା ।ଏକା ଗାଁରେ ତାଙ୍କର ଘର ।ଅବିନାଶକୁ ଟେଲିଫୋନ ଲଗାଇଲି ।

ଅବିନାଶ ଠାରୁ ସବୁ କଥା ଶୁଣି ମୋ ମୁଣ୍ଡ ଉପରେ ଆକାଶଟା ଛିଡିପଡିଲା ଭଳି ଲାଗିଲା ।ମୁଁ ନିର୍ବାକ ହୋଇଯାଇଥିଲି ।ଆଖିରେ ଲୁହ ନ ଥିଲା କେବଳ କୋହର ଗରମ ବାଷ୍ପ ନାକ ପାଟିବାଟେ ବାହାରିଆସୁଥିଲା ।ମୋ ଛାତିରୁ ଯେମିତି କିଏ କଲିଜା ଛିଡାଇନେଲା ।ମୁଁ ନିଜକୁ ନିଜେ ଭୁଲିଯାଉଥିଲି ।ଶୂନ ହୋଇଯାଉଥିଲା ମୋର ଅସ୍ତିତ୍ଵ ।ଅଣନିଶ୍ଵାସୀରେ ପାଟି ଅଠା ଅଠା ଲାଗୁଥିଲା ।ଟେଲିଫୋନର ରିସିଭର୍ ଟା ମୋ ହାତରୁ କେତେବେଳେ ଅଜଣାତରେ ତଳକୁ ଖସିଗଲା ।ଅନେକ ଦିନରୁ ଖୋଜି ହେଉଥିବା ମୋ ପ୍ରଶ୍ନର ଉତ୍ତର ମୋତେ ମିଳି ସାରିଥିଲା । ଏତେବଡ କଥାକୁ ମୋତେ ଲୁଚାଇ ରଖିଥିଲା ସେଥିପାଇଁ ମୋତେ ଦିନ ପରେ ଦିନ ଗଡାଇ ଚାଲିଥିଲା ମୋତେ ମିଛ କହି କହି ।କେତେ ନିଷ୍ଠୁର ଏ ଭଗବାନ ।ବିଚିତ୍ର ତାର ସଂସାର ।କୋମଳ ନିଃଷ୍ପାପ ଶେଫାଳୀ ଫୁଲଟି କି ଅପରାଧ କରିଥିଲା ତୁମର ।ସକାଳର ପହିଲି କିରଣ ଦେଖିବା ଆଗରୁ କାହିଁକି ବୃନ୍ତଚ୍ୟୁତ କରୁଥାଅ ଗଛର ଡାଳରୁ ।ଯେଉଁଥି ପାଇଁ ସେ ହରାଇବସେ ନିଜର ଅଧିକାର ,ଫୁଲ ଚାଙ୍ଗୁଡିରେ ବସିବାର ସାମର୍ଥ୍ୟ ନଥାଏ କି କେଉଁ ଦେବତାର ଗଳାରେ ଝୁଲିବାର ଦୁର୍ବାର ଚେଷ୍ଠା ଚେଷ୍ଠାରେ ରହିଯାଏ ।

ଏ ବିଷୟରେ ଥରେ ମୋତେ କହିପାରିଥାନ୍ତ ମୁଁ ତୁମର ସାରା ଜୀବନ ସେବା କରିଥାନ୍ତି ମୋ ପାଖରେ ରଖି ।ହେଲେ ଠକି ଦେଇ କାହିଁକି ଦୂରରେ ରହିଗଲ । ପ୍ରେମର ସ୍ମୃତିପାଇଁ ଗଢିଦେଇଥାନ୍ତି ଆଉ ଏକ ତାଜମହଲ । ଏଥିରୁ କାହିଁକି ମୋତେ ବଞ୍ଚିତ କଲ ଶେଫାଳୀ ।

ଅଞ୍ଜଳି ମୋ ପଛପଟେ ଠିଆ ହୋଇ ସବୁ ଶୁଣୁଥିଲା ।ସେ ମୋତେ ଧୈର୍ଯ୍ୟ ଧରିବାକୁ ଅନେକ ବୁଝାଇଲା ।ଅଞ୍ଜଳିର ଆଖି ବି ଲୁହ ଛଳ ଛଳ ହୋଇଯାଇଥାଏ । ମୁଁ ଅଞ୍ଜଳିକୁ କହିଲି ଆଉ ଡେରି କରନି ଚାଲ ଯିବା ଆପୋଲୋ ହସପିଟାଲ କୁ ଯେଉଁଠି ମୃତ୍ୟୁ ସହ ସଂଗ୍ରାମ କରୁଛି ମୋ ଶେଫାଳୀ ।ବ୍ଲଡ କ୍ୟାନସର୍ ର ଜୀବାଣୁ ମାନେ ତାର ଦେହ ସାରା ଚରିଗଲେଣି ଆଉ ବେଶି ଦିନ ନୁହେଁ ସେ ।

ଗାଡିରୁ ଓହ୍ଲାଇ ପଡି ସିଧା ଆପୋଲୋ ହସପିଟାଲର ତୃତୀୟ ମହଲାରେ ଦୁଇଶହ ପନ୍ଦର ନଂ ବେଡକୁ ପଶିଗଲୁ ।ଧଳା ବିଛଣାରେ ଯେମିତି ଜଣେ ସୁନ୍ଦରୀ ରାଜକୁମାରୀଟିଏ ଶୋଇଛି ।ଛଳ ଛଳ ଆଖି ତାର ନିଶ୍ଚଳ ,ପାଟି ବି ନିଃଶବ୍ଦ ହୋଇଯାଇଛି ଶାନ୍ତ ସ୍ନିଗ୍ଧ ଅଭିମାନ ଶୂନ୍ୟ ଭରା ସୁନ୍ଦର ମୁଖ ମଣ୍ଡଳଟି ,ମୁଣ୍ଡରୁ ବାଳଗୁଡିକ ବହୁତ ଉପୁଡିଯାଇଛି ,ଆଖି ଦୁଇଟି ଶ୍ଵେତା ପଡିଛି ଗୋରା ଦେହଟି ନୀଳ ପଡିଗଲାଣି ।ସଂସାରର ସବୁ ବିଷକୁ ଯେମିତି ଏକା ଏକା ପିଇ ଯାଇଛି ଶେଫାଳୀ କେବଳ ମୋତେ ଟିକେ ଅମୃତ ଦେବା ନିଶାରେ ।ମୋତେ ଦେଖି ସେ ଚିହ୍ନିପାରିଲା ହେଲେ କିଛି କହିବାକୁ ତା ପାଖରେ ଶବ୍ଦ ନଥିଲା ।ବଲବଲ କରି ଢିମାଢିମା ଆଖିରେ ବହୁ ସମୟ ଧରି ଚାହିଁଲା ମୋତେ ଆଉ ଅଞ୍ଜଳିକୁ ।ଆଖିରୁ ଧାରଧାର ଦୁଇ ଟୋପା ଲୁହ ଝରି ପଡିଲା କାନ ଡେଇଁ ଧଳା ବେଡସିଟ୍ ଉପରକୁ । କଥା କହି ପାରୁ ନଥିବାରୁ ସେ ଅଞ୍ଜଳିକୁ କାଗଜ କଲମଟିଏ ପାଇଁ ଠାରିଲା ।ଅଞ୍ଜଳି ତାର ପର୍ସରୁ କାଢି ବଢାଇଦେଲା କାଗଜ କଲମଟିଏ ଶେଫାଳୀ ହାତକୁ ।

ଶେଫାଳୀ ଲେଖି ଚାଲିଲା ତାର ଶେଷ ପ୍ରେମ ଚିଠିଟିଏ ମୋ ପାଇଁ ।

ଶୁଭେନ୍ଦୁ ମୁଁ ଆଉ ବେଶି ଦିନ ନୁହେଁ । ଶେଷ ବେଳେ ତୁମକୁ ଦେଖି ମୁଁ ଯେମିତି ଆଜି ସବୁ କିଛି ପାଇଯାଇଛି ।ତୁମ ସହ ସଂସାର ନ କଲେ ବି ତୁମେ ମୋ ମନରେ , ହୃଦୟରେ ରହିଛ ରହିବ ରହିଥିବ ଜନ୍ମଜନ୍ମାନ୍ତର ଯାଏଁ । ମୋର ଗୋଟେ ଶେଷ ଅନୁରୋଧ ରଖିବ ମନା କରିବନି ମୋ ରାଣ ।ମୁଁ ମରିଗଲା ବେଳେ ମୋ ମଥାରେ ଟୋପେ ସିନ୍ଦୁର ହାତରେ ନାଲି ଶଙ୍ଖା ଦି’ପଟ ଦେବ । ମୁଁ ଅହି ସୁଲକ୍ଷଣୀ ହୋଇ ତୁମରି ହାତରୁ ମୁଖାଗ୍ନି ନେବାକୁ ଚାହୁଁଅଛି ।ମୋ ପାଇଁ ଏତିକି କରିପାରିବନି ଶୁଭେନ୍ଦୁ ।ପ୍ଲିଜ୍ ମନା କରିବନି । ଅଞ୍ଜଳିର ଆତ୍ମାରେ ମୁଁ ସବୁ ଦିନ ରହି ତୁମକୁ ଆର ପାରିରେ ଦେଖୁଥିବି ।ମୋତେ କେବେ ଭୁଲ ବୁଝିବନି ।ମୁଁ ତ ନିଜେ ଏକ ମରୁଭୂମିର ଏକ ତୃଷାର୍ଥ ପଥିକ ,ସପ୍ତ ଫେଣୀର ଗଛଟିଏ କେମିତି ମୁଁ ଦେଇପାରିଥାନ୍ତି ତୁମକୁ ମୁନ୍ଦେ ପାଣି ଆଉ ବରଗଛର ଶୀତଳ ଛାଇ କହିଲ ବା ଦେଖି ।ମୋ ପ୍ରେମର ପ୍ରତାରଣା ପାଇଁ ମୋତେ କ୍ଷମା କରିଦେବ ।ପରିସ୍ଥିତି ମୋତେ ବାଧ୍ୟ କରିଥିଲା ତୁମ ଠାରୁ ଅଲଗା ରହିବା ପାଇଁ ,ମିଛ କହିବାପାଇଁ । ମୋ ଦେହ ସିନା ଚାଲିଯିବ ହେଲେ ଆମ ପ୍ରେମ ସେମିତି ବାଇଚଢେଇ ବସା ଭଳି ସେ ତାଳ ଗଛର ବାହୁଙ୍ଗାରେ କେତେକେତେ ଝଡ ତୋଫାନକୁ ସହି ସେମିତି ଅମର ହୋଇ ଝୁଲୁଥିବ ।ମୁଁ ପୁଣି ଆସିବି ତୁମର ହୋଇ ଏ ଜନ୍ମରେ ନ ହେଲା ନାହିଁ ଆର ଜନ୍ମରେ ନିଶ୍ଚୟ,,,,,,,,,,

ମୋ ହାତକୁ ଚିଠିଟିଏ ବଢାଇ ଦେଲା ଶେଫାଳୀ । ଚିଠି ପଢି ମୁଁ ସେଦିନ ପରି ପୁଣି ପରାଜିତ ହୋଇଗଲି ।ଶେଫାଳୀ ତୁମେ ପ୍ରେମ ବାଜିରେ ସବୁବେଳେ ଜିତିଗଲ ।ତୁମ ମହାନ ସ୍ଵର୍ଗୀୟ ପ୍ରେମ ଆଗରେ ମୁଁ ଆଉ ଅଞ୍ଜଳି ନିଜକୁ ଛୋଟ ଭାବୁଥିଲୁ ।ମନେମନେ ଆମେ ଦୁହେଁ ଚାହୁଁଥିଲୁ ସକାଳର ସୂର୍ଯ୍ୟ କିରଣ ନ ଆସୁ ଏମିତି ଅନ୍ଧାର ଥାଉ ତୁମେ ଅନ୍ତତଃ ଗଛ ଡାଳରେ ହସୁଥାଅ କିଛି ସମୟ ପାଇଁ ଠିକ୍ ଝରା ଶେଫାଳୀ ଫୁଲଟି ପରି ।

ଶଶାଙ୍କ ଶେଖର ରାୟ


Rate this content
Log in

Similar oriya story from Tragedy