Shashanka sekhar Ray

Romance Tragedy

5.0  

Shashanka sekhar Ray

Romance Tragedy

ପାଉଁଶ ତଳର ନିଆଁ

ପାଉଁଶ ତଳର ନିଆଁ

11 mins
423



ପ୍ରେମ ଏମିତି ଏକ ବନ୍ଧନ କେତେବେଳେ ସେ କାହାକୁ ଛନ୍ଦିଦିଏ ତାର ଫାଶରେ କେହି କେବେ ଜାଣିନ ଥାନ୍ତି ।ଦୁଇଟି ହୃଦୟର ଅବ୍ୟକ୍ତ କଥା ସବୁ ପଢିହୋଇଯାଏ ଆଖିର ନିରିହ ଚାହାଣୀରେ ।ବୟସ ଜାତି ଧର୍ମ ଗୋତ୍ର ସୁନ୍ଦର ଅସୁନ୍ଦର ସବୁ ତା ଆଖିରେ ଯେମିତି ସମାନ ଦିଶେ ।ଯୌବନର ରଙ୍ଗିନ ଉପବନରେ ମୁଁ ବି ସେମିତି ଦିନେ ପ୍ରଜାପତିଟି ପରି ବୁଲୁ ବୁଲୁ ସାଉଁଟି ଆଣିଥିଲି କିଛି ପ୍ରେମର ଅଭୁଲା ସ୍ମୃତି ମାନଙ୍କୁ ଯାହାକି ଆଜି ମୋର ସ୍ମୃତିପଟଳରେ କେଉଁ ଏକ ଅନ୍ଧାରିଆ କୋଣରେ ମିଞ୍ଜିମିଞ୍ଜି ଦୀପଶିଖା ଭଳି ଆଲୋକିତ ହୁଏ ।କେହି କେହି କୁହନ୍ତି ପ୍ରେମ ହେଉଛି ଅନ୍ଧ ତାକୁ କିଛି ଦିଶେନି ।ସେ ଚାଲିଥାଏ ତାର ନିର୍ଦ୍ଦିଷ୍ଟ ଲକ୍ଷ୍ୟ ପଥରେ ।ଖାଲ ଢିପ ମାନେନି ।ଲହୁଲୁହାଣ ହୁଏ , କଷ୍ଟ ପାଏ ତଥାପି ସେ ଚାଲିଥାଏ ଲହୁଲୁହ ପିଇ ନିଶାସକ୍ତ ଅବସ୍ଥାରେ ।ସତରେ ମୁଁ ଅନୁଭବ କରିଥିଲି ଶିଖା ମ୍ୟାଡାମଙ୍କ ପ୍ରେମରୁ ।ଯେଉଁଦିନ ମୁଁ ପ୍ରଥମ କରି ବିଦ୍ୟାଳୟରେ ଜଏନ କଲି ।


ଶିଖା ମ୍ୟାଡାମଙ୍କ ସହ ପ୍ରଥମ ଦେଖାରେ କାହିଁକି କେଜାଣି ସେ ଯେମିତି ମୋର ଅତି ପରିଚୟ ଓ ନିଜର ଲାଗିଲେ ।ବୟସ ପଇଁତିରିଶ ।ଗୋରା ତକ ତକ ଚେହେରା ଜହ୍ନ ପରି ଗୋଲ ସୁନ୍ଦରିଆ ମୁଖ ମଣ୍ଡଳ , ବିବାହିତ ଭଦ୍ର ଶାଣିତ ମାର୍ଜିତ ମାପିଚୁପି କଥାବାର୍ତ୍ତା । ଯେ କେହି ଦେଖିଲେ ବିଶ୍ଵାସ ହେବନି ସେ ବିବାହିତା ଏବଂ ଗୋଟେ ତେର ଚଉଦ ବର୍ଷର ଝିଅର ମାଆ ବୋଲି ।ସ୍ଵାମୀ ପାଖ ବିଦ୍ୟାଳୟର ପ୍ରଧାନଶିକ୍ଷକ ।ବିଜ୍ଞାନ ପଢାଉଥିବା ସମୟରେ ତାଙ୍କ ଆଖିରେ ଥିବା ଚଷମାଟି ଖୁବ ସୁନ୍ଦର ମାନେ ।ଶାଢୀ ସହ ମ୍ୟାଚିଙ୍ଗ ବ୍ଲାଉଜ ମୁରୁକି ମୁରୁକି ହସ ଏବଂ ଲମ୍ବା ଘନ କେଶରାଶି ଯେମିତି ମୋତେ ସମ୍ମୋହିତ କରେ ।


ଅବିବାହାତ ଥିବାରୁ ମୁଁ ଅପୂର୍ବ ଶୀହରଣରେ ଯେମିତି ସ୍ଵପ୍ନ ରାଇଜରେ ବିଚରଣ କରେ ।ଶିଖା ମ୍ୟାଡାମଙ୍କ ସହ ଅଫିସରେ କେବଳ ଦେଖାହୁଏ ସେ କେବଳ ଥରେ ମାତ୍ର ଚାହିଁଦିଅନ୍ତି ମୋତେ ଗୋଡ ଠାରୁ ମୁଣ୍ଡ ଯାଏଁ ।ତାପରେ ଟିଚରସ୍ ଆଟେଣ୍ଡାନ୍ସରେ ସାଇନ କରି ଚାଲିଯାନ୍ତି ସିଧା ଲେଡିସ କମନରୁମକୁ ।ପ୍ରଥମ ଦିନ କେବଳ ପଚାରିଥିଲେ '' ଆପଣ ନୂଆ ଜୟନ କଲେ ସାର୍ । ଭଲ ହେଲା ଆମର ଷ୍ଟାଫ ବଢିଗଲେ ମ୍ୟାଥ ପାଇଁ କେହି ନ ଥିଲେ । ମୋତେ ଭାରି କଷ୍ଟ ହେଉଥିଲା ପଢାଇବାକୁ ।ଏବେ ମୁଁ ଫ୍ରି ହୋଇଗଲି ।,,

" ୟେସ୍ ମ୍ୟାଡାମ୍ 

" ଆପଣଙ୍କର ଘର ?

" ନୟାଗଡ ଜିଲ୍ଲାର କେନ୍ଦୁବିଲ ଗାଁରେ " ପ୍ଲିଜ ମ୍ୟାଡାମ ଆପଣ ମୋଠାରୁ ବହୁତ ସିନିୟର ଆପଣ କହିଲେ ମୋତେ ଖରାପ ଲାଗୁଛି ମୋତେ ତୁମେ ବୋଲି ସମ୍ଵୋଧନ କରିଲେ ମୋର କିଛି ଆପତ୍ତି ନାହିଁ ।"


" ଓକେ ଥ୍ୟାକ୍ସ " କହି ଶିଖା ମ୍ୟାଡାମ ଏକ ମୁରୁକି ହସଟିଏ ଛାଡିଦେଇଗଲେନି ଯେ ସେ ଯେମିତି ମୋର ହୃଦୟର ସବୁ ଅଂଗ ପ୍ରତଙ୍ଗକୁ ସକ୍ରିୟ କରିଦେଲେ କିଏ ଯେମିତି ମୋ ହୃଦୟ ବୀଣାର ତାରଟିକୁ ଖୁବ ଜୋରରେ ଟାଣିଦେଲା ଭଳି ଲାଗିଲା ।


ଶିଖା ମ୍ୟାଡାମଙ୍କ ପାଖରେ ସବୁ ଥାଇ ବି କାହିଁକି କେଜାଣି ସେ ବେଳେଵେଳେ ଖୁବ ଚିନ୍ତିତ ଥିଲା ଭଳି ଲାଗନ୍ତି ।ଭଗବାନ ମଣିଷକୁ ସବୁକିଛି ଦେଲା ପରେ ମଣିଷ କାହିଁକି ଯେ ଦୁଃଖ ପ୍ରକାଶ କରେ ତାହା ମୁଁ ଜାଣିପାରୁନଥିଲି ଏକ ଅଭାବ ବୋଧ ନିଶ୍ଚୟ ଥିଲା ଭଳି ମନେ ହେଉଥିଲା ।ସୃଷ୍ଟିରେ ଭଗବାନ କାହାକୁ ବି କେବେ ସଂପୂର୍ଣ ଭାବରେ ଗଢିନାହାଁନ୍ତି ସମସ୍ତଙ୍କ ଠାରେ ସେ ଜାଣିଶୁଣି ନିଶ୍ଚୟ ଖୁଣଟିଏ ରଖିଥାନ୍ତି । ଯେମିତି ଖାଣ୍ଟି ସୁନାରେ ଏକ ଭଲ ଅଳଙ୍କାରଟିଏ ତିଆରି ହୋଇନଥାଏ ସେଥିରେ କିଛି ଖାଦ ମିଶାଯାଇଥାଏ ଠିକ ସେମିତି ଏ ସଂସାରକୁ ବୋଧେ ଏମିତି ଭାବେ ସେ ଗଢିଛନ୍ତି ।


ପଚାରିବାକୁ ସାହସ ହୁଏନି ମୋର କାହିଁକିନା ସେ ବିବାହିତା କାହାର ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ କରିବା ମୋର ଧର୍ମ ବିରୁଦ୍ଧ ଥିଲା ।ହଠାତ କାହା ସହ ମିଶିଯିବା ମୋ ପାଇଁ ଭାରି କଷ୍ଟକର ଥିଲା ।


ଅନ୍ୟ ସହକର୍ମୀଙ୍କ ଠାରୁ ମୁଁ ଧିରେ ଧିରେ ଶିଖା ମ୍ୟାଡାମଙ୍କ କଥା ଶୁଣିବାକୁ ପାଇଲି ।ପୁରୁଷ ସହକର୍ମୀ ମାନଙ୍କର ସମସ୍ତଙ୍କର ସେଇ ଗୋଟିଏ କଥା ଶିଖା ମ୍ୟାଡାମଙ୍କୁ ନେଇ ।ତାଙ୍କର ମନଲୋଭା ଶରୀର ଉପରେ ସମସ୍ତଙ୍କର ଲୋଲୁପ ଦୃଷ୍ଟି । ସବୁବେଳେ ଚର୍ଚ୍ଚା ।ଭାବୁଥିଲି ଝିଅଟିଏ ହୋଇ ଜନ୍ମ ହେବା ସତରେ ଭାରି କଷ୍ଟଦାୟକ ପୁଣି ସୁନ୍ଦରୀ ହେଲେ ତ୍ କଥା ସରିଲା ।ଦିନରେ କେତେ ଆଖି ଯେ ମୁଣ୍ଡ ଠାରୁ ଗୋଡ ଯାଏଁ ଉଣ୍ଡାଳି ପକାନ୍ତି ତାହାର ହିସାବ କରିହେବନି । ସେ ଟୋକା ହେଉ କି ବୁଢାଟିଏ ହେଉ ।ରାସ୍ତାରେ ଗଲାବେଳେ ସମସ୍ତଙ୍କର ଆଖିଟି ଲାଖିଯାଏ ଶିଖା ମ୍ୟାଡାମଙ୍କ ଉପରେ ।ଭଗବାନ କେମିତି କେଜାଣି ସବୁ ରୂପଗୁଣ ଗୁଡିକ ଖୁନ୍ଦାଖୁନ୍ଦି କରି ଅଜାଡି ଦେଇଛନ୍ତି ଏ ଶିଖା ମ୍ୟାଡାମଙ୍କ ଦେହରେ ।


ତଥାପି ଶିଖା ମ୍ୟାଡମ ଖୁସି ନ ଥାନ୍ତି ।କେହି କେହି କୁହନ୍ତି ତାଙ୍କ ସ୍ଵାମୀଙ୍କର ଅଧିକ ବୟସ ।ସେ ବୁଢା ହୋଇଗଲେଣି ।ସେକ୍ସୁଆଲ ହାରାସମେଣ୍ଟ ।ବୟସ ଅଛି ଯୌବନ ଅଛି କିନ୍ତୁ ଉପଭୋଗ କରିବାକୁ କେହି ନାହାଁନ୍ତି ତାଙ୍କ ପାଖରେ ।ସେକ୍ସୁଆଲ ସାର୍ଟିସଫିକ୍ସନ୍ ପାଉନାହାଁନ୍ତି ତାଙ୍କ ସ୍ଵାମୀଙ୍କ ଠାରୁ । ସେଥିପାଇଁ ତାଙ୍କର ଭାରି ମନଦୁଃଖ ।ଆଉ କେହି କେହି କୁହନ୍ତି ସ୍ଵାମୀ ସ୍ତ୍ରୀ ମଧ୍ୟରେ ମାର ଇଗୋ ଫିଲିଙ୍ଗସ୍ । କଳହ ଝଗଡା ଲାଗିରହୁଥିବାରୁ ମନଦୁଃଖ । ମୁଁ କିନ୍ତୁ ଏସବୁ ଆଦୌ ବିଶ୍ଵାସ କରି ପାରୁ ନଥିଲି ।ବରଂ ଏହାର ଦୃଢ ପ୍ରତିବାଦ କରି କହୁଥିଲି ପ୍ରକୃତ କାରଣ ନ ଜାଣି ଲୋକମାନେ ଅନେକ ମନଗଢା କାହାଣୀ ମାନ କହିଯାନ୍ତି ଅନ୍ୟକୁ ଆଙ୍ଗୁଳି ଦେଖାଇ । ଯାହାକୁ ଆମେ ଆଖିରେ କେବେ ଦେଖିନୁ କେମିତି ଅନ୍ଧ ଭାବରେ ଏଇଆ ହୋଇଥିବ ବୋଲି ଗୋଟେ ଆନୁମାନିକ ଦୋଷଟିଏ ଲଦିଦେବା ଠିକ ନୁହେଁ ।ଆଜିକାଲି ଲୋକମାନେ ଏ ବିଜ୍ଞାନଯୁଗରେ କେବଳ ସମୟ ନଷ୍ଟ କରିଦିଅନ୍ତି ପରଚର୍ଚ୍ଚା ପରନିନ୍ଦା ଇର୍ଷା କରିବାରେ । କାହାର ଭଲ କେହି ଦେଖିପାରନ୍ତିନି । ତାର ଭଲ ଗୁଣକୁ ପ୍ରଶଂସା ନ କରି ସବୁବେଳେ ଆମେ ତାର ଦୋଷ ଦୁର୍ଵଳତାକୁ ଲକ୍ଷ୍ୟ କରିଥାଉ ।ଏଇଟା ତ ଆମର ଏକ ସହଜାତ ପ୍ରବୃତ୍ତି ହୋଇଗଲାଣି ।ମୋ ଯୁକ୍ତି ଶୁଣି ସହକର୍ମୀ କହନ୍ତି କଣ ଶିଖା ମ୍ୟାଡାମଙ୍କ ପ୍ରେମରେ ପଡିଲଣି କି ସାର୍ ।କାହିଁ ଭାରି ପ୍ରଶଂସା କରୁଛ ? 

"ନାଇଁ ସେମିତି କିଛି ନୁହେଁ " ମୁଁ ଲାଜରେ ହସିଦିଏ ।

କାହିଁକି କେଜାଣି ଶିଖା ମ୍ୟାଡାମଙ୍କ କଥା ମୋତେ ଆନ୍ଦୋଳିତ କରେ ।ପ୍ରକୃତ ତଥ୍ୟ ଜାଣିବାକୁ ଇଚ୍ଛା ହୁଏ ସେଥିପାଇଁ ମୁଁ ଧୀରେ ଧୀରେ ତାଙ୍କ ସହ ମିଶିବାକୁ ଲାଗିଲି ।ତାଙ୍କୁ ଅଟକାଇ ଅନେକ ସମୟ ସ୍କୁଲ ପାଠପଢାଇବା ବିଷୟରେ ଆଲୋଚନା କରିବାକୁ ଲାଗିଲି । ସେ ବି ମୋ ସାନିଧ୍ୟ ପାଇ ବହୁତ ଖୁସି ଥିଲା ଭଳି ଅନୁଭବ କଲି ।ବ୍ୟକ୍ତିଗତ ଜୀବନ କଥା ପଚାରିବାକୁ ମୋର ସାହାସ ହୁଏନି କେବେ ।ଏମିତି ପଚାରିବାକୁ ଚାହିଁଲେ ମୋର ପାଟି ଅଠା ଅଠା ହୋଇଯାଏ ।କାଳେ ସେ କିଛି ଖରାପ ଭାବିବେ ।ସହକର୍ମୀମାନେ ସମସ୍ତେ ଆମ ସମ୍ପର୍କକୁ ଏକ ଅଲଗା ଚକ୍ଷୁରେ ଦେଖିବାକୁ ଲାଗିଲେ ।ଆମ ଭିତରେ କିଛି ଖରାପ ସମ୍ପର୍କ ନ ଥିଲେ ବି ସମସ୍ତେ କାହିଁକି କେଜାଣି ଏକ ପୁରୁଷ ଓ ନାରୀ ମଧ୍ୟରେ ଥିବା ଅନାବିଳ ପ୍ରେମ ସଂପର୍କକୁ ଭିନ୍ନ ଦୃଷ୍ଟିରେ ଦେଖନ୍ତି ତାହା ମୁଁ ଜାଣି ପାରୁ ନ ଥିଲି ।


ନିଜ ମୁଁହକୁ ମୁଁ ଥରେ ଆଇନା ଆଗରେ ଦେଖିଲି ।ବଳିଷ୍ଠ ଯୁବକ ଵୟସ ମାତ୍ର ତିରିଶ , ବାହୁରେ ଶକ୍ତ ମସଲ ଓ ମନଲୋଭା ବପୁ , ଯେ କେହି ବି ଯୁବତୀ ନିଶ୍ଚୟ ପସନ୍ଦ କରିବ ଏ ମନଲୋଭା ଶରୀରକୁ ।ସିନେମାର ହିରୋ ଭଳି ଦିଶୁଥିଲି ଜିନ୍ ପ୍ୟାଣ୍ଟ ସାଙ୍ଗରେ ଏକ ଲାଲ କଲରର ଟି ସାର୍ଟଟି ପିନ୍ଧି ।ଭଡାଘରର ନିଛାଟିଆ ନିରୋଳା କଠୋରୀରେ କେବଳ ଏକା ମୁଁ । ରାତିର ଅନେକ ସମୟ ଯାଏଁ ମୁଁ ଶିଖା ମ୍ୟାଡାମଙ୍କ କଥା ଭାବି ଭାବି କେତେବେଳେ ଯେ ଶୋଇଯାଏ ।ତାହା ବି ମୁଁ ଜାଣିପାରେନା ।


ଦିନେ ମୁଁ ଚିନ୍ତା କଲି ଶିଖା ମ୍ୟାଡାମଙ୍କ ନାଁରେ ଆଲୋଚନା ହେଉଥିବା କଥାକୁ ପରୋକ୍ଷ ଭାବେ ଜଣାଇବି ।ତାଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ନିଶ୍ଚୟ ପଚାରିବି । ହେଲେ କେଉଁଠୁ ଆରମ୍ଭ କରିବି କଥା ଯଦି ତାଙ୍କୁ ଖରାପ ଲାଗେ ।ଫେସ ଟୁ ଫେସ ତ୍ କହିହେବନି କେବେ ।ସତ କଥା ଗୁଡିକ ସମସ୍ତଙ୍କୁ ଅପ୍ରିୟ ଲାଗେ । ମୁଁ ଚାହୁଁ ନ ଥିଲି ସଂପର୍କ ଭାଙ୍ଗିଯିବାକୁ ।ହଠାତ ମନେ ପଡିଗଲା ଶିଖା ମ୍ୟାଡାମଙ୍କର ଫୋନ ନଂ ଟି ।ଦିନେ ତାଙ୍କର ସେଲ ଫୋନ ଛାଡିଆସିଥିଲେ ଘରେ ।ଝିଅ ପାଖକୁ ଫୋନରେ କଥା ହେବାକୁ ସେ ମୋ ସେଲ ଫୋନଟିକୁ ବ୍ୟବହାର କରିଥିଲେ ।ତାଙ୍କ ନଂଟିକୁ ମୁଁ ସେଭ କରିଦେଇଥିଲି ।ହ୍ଵାଟସ୍ ଅପକୁ ଯାଇ ଦେଖିଲି ଏଇଟା ତାଙ୍କର ହ୍ଵାଟସ୍ ନଂ । ଡି ପି ରେ ତାଙ୍କର ସୁନ୍ଦର ପ୍ରତିଛବି ।ଚାଟିଙ୍ଗ କରିବାକୁ ଇଚ୍ଛା ହେଲା ।

ହାଏ -କଣ କରୁଛନ୍ତି ମ୍ୟାଡାମ

ସଙ୍ଗେ ସଙ୍ଗେ ରିପ୍ଲାଏ ଆସିଲା " କିଏ ମୁଁ ଜାଣିପାରୁନି ଆପଣଙ୍କୁ " 

"ମୁଁ ଅନୁରାଗ ମ୍ୟାଡାମ ଜାଣିପାରୁଛନ୍ତି " 

"ଓହୋ ସରି ମୋ କନଟାକ୍ଟ ଲିଷ୍ଟରେ ନାଁ ନ ଥିଲା ସେଥିପାଇଁ ଜାଣିହେଲାନି "

"ଡୋନ୍ଟ ମାଇଣ୍ଡ ମୁଁ ଆପଣଙ୍କୁ ଡିଷ୍ଟରବ୍ କଲି ବୋଧେ " 

" ନାଇଁ ଏଥିରେ ମାଇଣ୍ଡ କରିବାର କଣ ଅଛି "

"ଖିଆପିଆ ସରିଲାଣି 

" ହଁ ଶୋଇବାକୁ ଯାଉଛି " 

" ଆପଣ ଖାଇ ସାରିଲେଣି 

" ହଁ ପୁଣି ଆପଣ ମୋତେ ତୁମେ ବୋଲି କୁହନ୍ତୁ ଭଲ ଲାଗିବ ।

" ଓକୋ ଏବେଠାରୁ ଚେଷ୍ଠା କରିବି " 

"ଥ୍ୟାକ୍ସ ଗୁଡ ନାଇଟ ମ୍ୟାଡାମ 

" ସେମ୍ ଟୁ ୟୁ ବାଏ


ଫୋନଟାକୁ ରଖିଦେଇ ଭାବିଲି ଏଥର ମୋତେ ପଚାରିବା ପାଇଁ ଏକ ମାଧ୍ୟମ ମିଳିଗଲା । ଯେଉଁ କଥା ପାଟି ଖୋଲି କହିହୁଏନି ସେ କଥା କଲମ କହିଦିଏ ଅତି ସହଜରେ ଅଙ୍କାବଙ୍କା କୋତୋଟି ଅକ୍ଷର ମାଧ୍ୟମରେ ।ଶିଖା ମ୍ୟାଡାମ ରାତି ଏଗାର ବାରଟା ଯାଏଁ ଅନଲାଇନରେ ରହୁଥିବାର ମୁଁ ଲକ୍ଷ୍ୟ କଲି ।ଏମିତି ସବୁଦିନ ରାତିରେ ମୁଁ ତାଙ୍କ ସହ।ଧୀରେ ଧୀରେ ଚାଟିଙ୍ଗ କରିବାକୁ ଲାଗିଲି ।ସେ ଯେମିତି ମୋ ସହ ଆସ୍ତେ ଆସ୍ତେ ଫ୍ରି ହୋଇଯାଉଥିଲେ ।ତାଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ କିଛି କିଛି ସମ୍ୟକ ଧାରଣା ମୋର ଅବଗତ ହେଲା ।ରାତିରେ ସ୍ଵାମୀ ଥିବାରୁ ସେ ତାଙ୍କ ଭୟରେ କେବେ ବି ମୋତେ ଫୋନ କଲ କରୁ ନଥିଲେ କେବଳ ହ୍ଵାଟସ୍ ଅପ୍ ମେସେଞ୍ଜରରେ ଚାଟିଙ୍କ କରନ୍ତି ।ସାମାଜିକ ବାଡବନ୍ଧନ ଲୋକ ଲଜ୍ୟା ସମ୍ମାନକୁ ସେ ଅଧିକ ଗୁରୁତ୍ଵ ଦେଉଥିଲେ ।ମୁଁ ବି ମୋ ସୀମା ଭିତରେ ରହି ହାତେ ମାପି ଚାଖଣ୍ଡେ ଚାଲୁଥିଲି ।କେହି କାହାକୁ କେବେ ନିଜର ମନର କଥା ପ୍ରକାଶିତ କରିବାକୁ ଦେଉ ନଥିଲୁ ।ମଣିଷ ଅନେକ କିଛି ଭାବେ ସ୍ଵପ୍ନ ଦେଖେ ସମୁଦ୍ର ଢେଉ ପରି ଅତି ସନ୍ତର୍ପଣରେ ମାଡି ଆସିଥାଏ ବେଳାଭୂମୀର ବାଲି ଉପରକୁ କିନ୍ତୁ ବେଶି ସମୟ ସେ ରହିପାରେନି ପୁଣି ପଛକୁ ଫେରିଯାଏ କଣ ସବୁ ଭାବି କେଜାଣି ।କଳା ପାଉଁଶ ଅଙ୍ଗାର ଗଦା ଭିତରେ କେବଳ ନିଆଁ ଭଳି ଜଳୁଥାଏ ଭିତରେ ଭିତରେ ।


ସ୍ଵାମୀ ଜଣେ ମଦ୍ୟପ ଲମ୍ପଟ ବୋଲି ଶିଖା ମ୍ୟାଡାମଙ୍କର ସେଇ ଗୋଟିଏ ଦୁଃଖ ।ରାତି ହେଲେ ଅତ୍ୟଧିକ ମଦ ପିଇ ସେ ଆସି ଶୋଇଯାନ୍ତି ନିଘୋଡ ନିଦରେ ।କେବେ ଖୁସିରେ କଥା ନାହିଁ କି ପ୍ରେମରେ କୋଳେଇ ନେଇନାହାଁନ୍ତି ଶିଖା ମ୍ୟାଡାମଙ୍କୁ ଏଇ କିଛି ବର୍ଷ ହେବ । ପର ସ୍ତ୍ରୀ ପ୍ରତି ଆକର୍ଷିତ ହୋଇ ସେମାନଙ୍କ ପଛରେ ଅର୍ଥ ଅପବ୍ୟୟ କରନ୍ତି ।ଏଥିପାଇଁ ସେ ଅନେକଥର ପାଇଁ ଅପମାନିତ ହୋଇଛନ୍ତି କିନ୍ତୁ ପ୍ରକୃତି ବଦଳାଇ ପାରିନାହାଁନ୍ତି ।କେତେ ସହିବ ଜଣେ ନାରୀ ।ସହି ସହି ପଥର ପାଲଟିଯାଇଥିଲେ ଶିଖା ମ୍ୟାଡାମ । ଝିଅଟିକୁ ଭୁବନେଶ୍ଵରର ଏକ ଘରୋଇ ରେସିଡେନ୍ସ ସ୍କୁଲରେ ଛାଡିଦେଇଥିଲେ ।ମଝିରେ ମଝିରେ ତାକୁ ଯାଇ ଦେଖିଆସୁଥିଲେ ।ଏତେ ମଦ୍ୟପାନ କଲେ ବି ସ୍ବାମୀ କେବେ ବି ହାତ ଉଠାଇ ମାରିନାହାଁନ୍ତି ଶିଖା ମ୍ୟାଡାମଙ୍କୁ ।ପ୍ରଥମେ ପ୍ରଥମେ ସେ ଭାରି ଭଲ ପାଉଥିଲେ କିନ୍ତୁ ତାଙ୍କ ସାଙ୍ଗ ସାଥୀମାନେ ତାଙ୍କ ଦାମ୍ପତ୍ୟ ଜୀଵନର ସୁଖ ସହିପାରି ନଥିଲେ ।ଶିଖା ମ୍ୟାଡାମଙ୍କ ବିଷୟରେ ମିଛ ଚୁଗୁଲି କହି ତାଙ୍କ ମନରୁ ପୁଞ୍ଜିଭୂତ ଭଲ ପାଇବାର ସ୍ରୋତକୁ ସନ୍ଦେହ ରୂପକ ବନ୍ଧଟିଏ ବାନ୍ଧି ଅଟକାଇ ଦେଲେ ।ସେହି ଦିନୁ ସ୍ଵାମୀ ମଦ୍ୟପ ଲମ୍ପଟ ହେବାକୁ ଶ୍ରେୟ ମନେ କଲେ ।ତାଙ୍କୁ ଅନେକ ଥର ଶିଖା ମ୍ୟାଡାମ ବୁଝାଇବାକୁ ଗଲାବେଳେ ସେ ଗୋଟିଏ ପ୍ରଶ୍ନ କରନ୍ତି ନିଶାସକ୍ତ ଲାଲ ଆଖିଡୋଳା ଉଠାଇ " ତୁମେ ନିଜେ ଠିକ ଅଛ ? ନିଜେ ଭଲ ହୁଅ ତା ପରେ ସମାଜ ଆପେ ଆପେ ଭଲ ହୋଇଯିବ । ରୂପର ପଶରା ମେଲେଇ ତୁମେ ଯେଉଁ ହାଟ ଖୋଲିଛ ବହୁତ ଗରାଖ ଆଜି ଭିଡ ତୁମ ଦୁଆରେ , ସେମାନଙ୍କୁ ସନ୍ତୁଷ୍ଟ କର ଆଗ ତାପରେ ଯାଇ ମୋତେ ।ଲିଭ ମି ଆଲୋନ ପ୍ଲିଜ୍ ।"


ଏସବୁ ସବୁଦିନିଆ ଅଭ୍ୟାସରେ ପଡି ଶିଖା ମ୍ୟାଡାମ ନିରବ ରୁହନ୍ତି ।ପ୍ରତିବାଦ କରିପାରନ୍ତିନି ।ଭାଗ୍ୟ ଓ କର୍ମକୁ ନିନ୍ଦି ଏକା ଏକା ବଞ୍ଚିବାକୁ ଚେଷ୍ଠା କରନ୍ତି ।ସେ ଜାଣନ୍ତି ସେ ନିଜେ କଣ ।ସତୀତ୍ଵ ପଣଟି ଯଦି ଦେଖାଇବା ବସ୍ତୁ ହୋଇଥାନ୍ତା ତେବେ ସ୍ଵୟଂ ସୀତା ମାଙ୍କୁ ଅଯଥାରେ ଅଗ୍ନିପରୀକ୍ଷା ଦେବାକୁ ପଡି ନ ଥାନ୍ତା ।


ସେଦିନ ଷ୍ଟେଟ ଲେବଲ ଜେ ଆର ସି ଫଙ୍କସନରେ କୋରାପୁଟ ଯିବାକୁ ଶିକ୍ଷକ ଆମ ଦୁଇ ଜଣକୁ ଗାଇଡ ଟିଚର ଭାବେ ଚାରିଜଣ ପିଲାଙ୍କୁ ନେଇ ଯିବାକୁ କହିଲେ ।ସେଠାରେ ଦୁଇଦିନ ରହଣି ।କଟକରୁ ଆମେ ଏକ ସରକାରୀ ବସରେ ଯାତ୍ରା ଆରମ୍ଭ କଲୁ ।ବସ୍ ରେ ୨/୨ ଟିକିଆ ସିଟ ।ଦୁଇ ଜଣ ଝିଅ ଓ ଦୁଇ ପୁଅ ବସିଗଲା ପରେ ଆଗରେ ଆମ ଦୁଇଜଣଙ୍କୁ ବସିବାକୁ ପଡିଲା ।ଛାତି ଭିତରେ ଯେତେ ଜୋରରେ ଧକ୍ ଧକ୍ ହେଉଥିଲା ସେତିକି ଜୋରରେ ମନର ବୋଇତଟି ଭାଷି ଭାଷି କେଉଁ ଏକ ପ୍ରେମ ସାଗରର ଗଭୀର ଭଉଁରୀ ଭିତରେ ପଡିଯିବା ଭଳି ଲାଗୁଥିଲା ।ଦୁହେଁ ପାଖାପାଖି ହୋଇ ବସିଲୁ ।ଶିଖା ମ୍ୟାଡାମ ଖୁବ ଖୁସି ଥିଲା ଭଳି ଜଣା ପଡୁଥିଲେ । ଗୋଟେ ଅଜଣା ଝିଅ ସାଙ୍ଗରେ ପାଖାପାଖି ହୋଇ ବସିବାଟା ମୋ ପାଇଁ ଥିଲା ଏକ ନୂଆ ଅନୁଭୂତି ।କଥା ହେଲା ବେଳେ ଅନେକ ଥର ମୁଁ ଛେପ ଢଢୋକୁଥିଲି ।ଆଖି ସହ ଆଖି ମିଳାଇ ମୁଁ ଭଲ ଭାବରେ କଥା ହୋଇପାରୁ ନଥିଲି ।ଝରକା ବାହାରକୁ ଚାହିଁ ପ୍ରଶ୍ନର ଉତ୍ତର ଦେଉଥିଲି । ଶିଖା ମ୍ୟାଡାମ କିନ୍ତୁ ମୋ ଆଖି ସହ ବେଶ ଆଖି ମିଶାଇ କଥା ହେଉଥିଲେ ଅତି ନିର୍ବିଘ୍ନରେ ବିନା ସଙ୍କେଚରେ ।କଥା କହୁ କହୁ ମୋତେ ହସିଦେଇ କହିଲେ ତୁମେ ଭାରି ଲାଜୁଆ ।ପୁରୁଷ ପୁଅ ମୋ ଆଖି ସହ ଆଖି ମିଶାଇ କଥା ହୁଅ ଥରେ ।


ମୁଁ ମୋର ଅନ୍ୟମନସ୍କତା ଭାଙ୍ଗି ତାଙ୍କ ଢଳ ଢଳ ସୁନ୍ଦର ଆଖି ଯୋଡିକୁ ଚାହିଁ ରହିଲି ।ସେ ଆଖି ଭିତରେ ମୋତେ ଦେଖାଯାଉଥିଲା ଯେମିତି ଅନେକ ବର୍ଷରୁ ଭୋକିଲା ଏକ ବାଘୁଣୀର ନିରୀହ ଚାହାଣି ।ଯେମିତି ଟିକିଏ ଇସାରା ପାଇଲେ ଝାମ୍ପିପଡିବ ।ଆଖିର ରଡ ନିଆଁରେ ମୋତେ ଜାଳି ପୋଡି ପାଉଁଶ କରିଦେବ ।ଯେତିକି ଭଲ ଲାଗୁଥିଲା ସେତିକି ଭୟ ଲାଗୁଥିଲା ।ମୋ ଡର କମାଇବାକୁ ଶିଖା ମ୍ୟାଡାମ କହି ଉଠିଲେ - "ଅନୁରାଗ ତୁମେ ମୋତେ ବହୁତ ଭଲ ଲାଗ ଆଇ ଲଭ ୟୁ "


ଏହା ଶୁଣି ମୁଁ ଏକ କଠୋର ପରୀକ୍ଷାର ସମ୍ମୁଖୀନ ହେବାକୁ ଯାଉଥିଲି ।ଏଇଟା ଠିକ୍ କି ଭୁଲ ତାର ସମୀକ୍ଷା କରିବାକୁ ମୋ ପାଖରେ ସମୟ ନ ଥିଲା ।


" ୟେସ୍ କି ନୋ ମୁଁ ଦୁଇଟି ଭିତରୁ ଗୋଟିଏ ଚାହେଁ ତୁମେ ମୋତେ ଭଲ ପାଅ କି ନାହଁ କଣ କହୁଛ ଅନୁରାଗ ପ୍ଲିଜ କୁହନା ଏତେ ଚୁପଚାପ କଣ ଭାବୁଛ " କହିଉଠିଲେ ଶିଖା ମ୍ୟାଡାମ୍ ଯଦି ଜଣେ ନାରୀ ଥରେ ଜଣେ ପୁରୁଷକୁ ଭଲ ପାଇଯାଏ ତେବେ ସେ ତାକୁ ଛାଡିବାଟା ବହୁତ କଷ୍ଟକର ।ବିଶ୍ଵାସର ପାଚେରୀ ଭାଙ୍ଗି ଦେବାପାଇଁ ତ କମ ସମୟ ଲାଗେ ହେଲେ ଗଢିବାକୁ କେତେ ଶ୍ରମ ନିଷ୍ଠା ଏକାଗ୍ରତା ଲୋଡା ଅନୁଭବୀ ହିଁ ଏକା ଜାଣେ ।ଏମିତି ଭାବୁ ଭାବୁ ହଠାତ କହିଦେଲି ୟେସ ମ୍ୟାଡାମ ଆପଣଙ୍କର ବିଶ୍ଵାସକୁ ଭାଙ୍ଗିପାରିବିନି ଆଇ ଲଭ ୟୁ ଠୁ ମଚ୍ କିନ୍ତୁ...

"ପୁଣି କିନ୍ତୁ କଣ ଯେ 

" ତୁମେ ବିବାହିତ କେମିତି ତୁମ ଦାମ୍ପତ୍ୟଜୀବନରେ ମୁଁ ଏକ ଧୂମକେତୁ ଭଳି ପଶିଯିବି ।ସମାଜ କଣ କହିବ ମୋତେ ? "


" ବିବାହ କେବଳ ସାମାଜିକ ସ୍ଵୀକୃତି ଯେଉଁଠି ସ୍ଵାମୀର ସ୍ଵୀକୃତି ନାହିଁ ସେଠି ଗୋଟେ ମୋ ସାଥିରେ ଏକ ମିଛିମିଛିକିଆ ସ୍ଵାମୀର ଅଭିନୟ କରିବାର ଆବଶ୍ୟକତା ଅଛି ।ଲୋକ ମାନଙ୍କର ଧର୍ମ ହେଲା ତିଳକୁ ତାଳ କରିବା । ଡୋନ୍ଟ ଓରି ମୁଁ ସବୁ ମ୍ଯାନେଜ କରିନେବି ।"

"ଯେତେହେଲେ ବି ତୁମେ ଜଣେ ନାରୀ ନାରୀ ଧର୍ମରେ କଳଙ୍କ ଲାଗିଯିବ ।"


"ନାରୀ ବହୁତ କିଛି ସହିପାରେ କିନ୍ତୁ ସହିବାର ତ ସୀମା ଅଛି କେଉଁ ଶାସ୍ତ୍ରରେ ଲେଖା ଅଛି ନାରୀ କେବଳ ସହିବ ପୁରୁଷ କାହିଁକି ନୁହେଁ ।ପୁରୁଷ ନିର୍ଯ୍ୟାତନା ଦେଇ ଚାଲିଥିବ ନାରୀ ତାକୁ ସହି ସହି ଚାଲିଥିବ ଯୁଗର ଆରମ୍ଭରୁ ।ମୁଁ ବି ନିର୍ଯ୍ୟାତନା ଦେଇପାରିବି ସେ ପୁରୁଷକୁ ।ମୋତେ ତୁମେ ସାହାଯ୍ୟ କର ଜଣେ ବନ୍ଧୁ ଭାବରେ ଅନ୍ତତଃ କିଛିଦିନ ପାଇଁ । "


ମୁଁ ସମ୍ମତି ପ୍ରକାଶ ଅଲି ଏବଂ ଶିଖା ମ୍ୟାଡାମଙ୍କ ଅକାଟ୍ୟ ଯୁକ୍ତି ଆଗରେ ହାରିଗଲି ।


ମୁଁ ଭାବୁଥିବା କଥା ମାପ ଯେମିତି ମୋର ଏପଟ ସେପଟ ହୋଇଯାଉଥିଲା । ନାରୀ ଚରିତ୍ରଟିକୁ ବୁଝିବାଟା ସତରେ ଭାରି କଷ୍ଟକର ।ସପ୍ତଫେଣୀ ଭଳି ଚାରିପଟେ କଣ୍ଟାର ଧାର ।ନିଜକୁ ମୁଁ ବହୁତ କଷ୍ଟରେ ସମ୍ଭାଳି ରଖିଲି ।କିଂ କର୍ତ୍ତବ୍ୟ ବିମୁଢ ଅବସ୍ଥାରେ ପ୍ରେମର ଦୋ ଛକି ରାସ୍ତାରେ ନିରବ ପ୍ରତିମୂର୍ତ୍ତୀଟିଏ କିଛି ସମୟ ପାଇଁ ପାଲଟିଗଲି ।

କଥା ହେଉ ହେଉ ଶିଖା ମ୍ୟାଡାମ ଯେ କେତେବେଳେ ମୋ ଛାତିରେ ମୁଣ୍ଡ ଦେଇ ଶୋଇଯାଇଛନ୍ତି ତାହା ସେ ଜାଣି ପାରି ନାହାଁନ୍ତି ।ସକାଳୁ ଉଠିଲା ବେଳେ ଲାଜରେ ତାଙ୍କ ମୁଁହ ଝାଉଁଳି ଯାଇଥାଏ ।ଭଲରେ ଭଲରେ ଜେ ଆର ସି କ୍ୟାମ୍ପରୁ ଦୁଇଦିନ ରହି ଫେରିଆସିଲୁ ବିଦ୍ୟାଳୟକୁ ।


ମୋତେ ଶିଖା ମ୍ୟାଡାମ ସେଦିନ ତାଙ୍କ ଘରକୁ ଡାକିଥାନ୍ତି ।କାହିଁକି କେଜାଣି ମନା କରିପାରିଲିନି ।ସିଧା ଚାଲିଲି । ଘରକୁ ପଶିବା ସମୟରେ ଡ୍ରଇଁରୁମରେ ତାଙ୍କ ସ୍ଵାମୀ ବସିଥିଲେ ।

- କିଏ ତୁମେ 

- ନମସ୍କାର ମୁଁ ଅନୁରାଗ ସାର୍ 

- କାମ କଣ ଏଠାରେ ତୁମର 

- ମ୍ୟାଡମ ଡାକିଥିଲେ ସେ ଅଛନ୍ତି ମୁଁ ଡରି ଡରି କହିଲି

- ତୁମେ କେତେ ନଂ 

-ମାନେ ମୁଁ କିଛି ବୁଝିପାରିଲିନାହିଁ ।କଣ ଆପଣ ଅହୁଛନ୍ତି ।

- ଛୋଟ ପିଲା ତ ବୁଝିପାରୁନ 

- କାହାକୁ କଣ କହୁଛ ମୁଁହ ସମ୍ଭାଳି କଥା କୁହ "- କିଚେନ ରୁମରୁ ହଠାତ ଦଉଡି ଆସି ଶିଖା ମ୍ୟାଡାମ ଗର୍ଜି ଉଠିଲେ ।

-ଓହୋ ତାକୁ କହିଲାରୁ ତୁମକୁ ବାଧୁଛି । କଣ କେତେ ନମ୍ଵର ପ୍ରେମିକ ..


-ଅନୁରାଗ , ଆସ ଆମେ ଯିବା ଆମ ବେଡରୁମକୁ 

ହାତ ଧରି ଟାଣିନେଇ ବେଡରୁମର କବାଟିକୁ ଭିତର ପଟୁ କିଳି ଦେଇ ଶିଖା ମ୍ୟାଡାମ ଖୁବ ଜୋରରେ ହସିବାକୁ ଲାଗିଲେ ।ଏମିତି ହସ ମୁଁ କେବେ ଆଗରୁ ଦଖି ନଥିଲି ।ମୋତେ ଭାରି ଡର ଲାଗୁଥାଏ ଏସବୁ କଣ ଘଟିଯାଉଛି ।

- ରିଲାକ୍ସ ଓ୍ଵଟ ଏ ମିନିଟ ଅହି ସେ ମୋ କାନ ପାଖରେ ଏସବୁ ଏକ ନାଟକ ବୋଲି ମୋତେ କହିଲେ ।


ଶିଖା ମ୍ୟାଡାମଙ୍କ ସ୍ଵାମୀ ସେଦିନ ନିଶାରେ ନ ଥିଲେ ।ଗୋଟିଏ ରୁମରେ ଦିନରେ ଜଣେ ପରପୁରୁଷକୁ ନେଇ ନିଜର ସ୍ତ୍ରୀ ତାଙ୍କ ଆଗରେ ହାତ ଧରି ଟାଣି ନେବାଟାକୁ ତାଙ୍କୁ କାହିଁ ଭଲ ଲାଗିଲା ନାହିଁ ।ତେଣୁ ତାଙ୍କ ପୁରୁଷତ୍ଵକୁ ସେ ମନେ ମନେ ଧିକାର କଲେ । ପଛରୁ ଦଉଡି ଯାଇ ବେଡ ରୁମର କବାଟକୁ ବାଡେଇ ଡାକିଲେ " ଶିଖା ଏ ଶିଖା ଏସବୁ କଣ କରୁଛ ତୁମେ ଏମିତି କରିଵ ବୋଲି କେବେ ମୁଁ ଵିଶ୍ଵାସ କରି ନଥିଲି ।ଆରେ ମୁଁ ମଦୁଆ ହୋଇପାରେ ହେଲେ ରକ୍ତ ମାଂସଧାରୀ ଗୋଟେ ମଣିଷଟିଏ ।ମୋ ଆଗରେ ଏମିତି କେଵେ ଭୁଲ କରନି ମୁଁ ପରା ବଞ୍ଚିଛି ପ୍ଲିଜ ଶିଖା ମୋ କଥା ଟିକେ ଶୁଣ ।ମାନୁଛି ମୁଁ ତୁମକୁ ଭଲ ଅନେକ ସମୟରେ ଅତ୍ୟାଚାର କରିଛି କଷ୍ଟ ଦେଇଛି ସ୍ତ୍ରୀର ସମ୍ମାନ ଦେଇନି ।ଦେଖ ତୁମ ପାଇଁ ମୁଁ ବଦଳିଯାଇଛି ଶିଖା । ମୋତେ ଆଜି ତୁମେ ଏତେ ବଡ ଶାସ୍ତି ଦିଅନି ।କଇଁ କଇଁ ହୋଇ ପିଲାଙ୍କ ଭଳି କାନ୍ଦିବାରେ ଲାଗିଲେ ।


କବାଟ ଖୋଲି ବାହାରକୁ ବାହାରିଆସିଲୁ ଆମେ ।ଶିଖା ମ୍ୟାଡାମ କହି ଉଠିଲେ " ଏବେ ଦେଖିଲ ଯଦି ପୁରୁଷଟିଏ ପର ନାରୀକୁ ନେଇ ବିଛଣାକୁ ଗଲାବେଳେ କେତେ କଷ୍ଟ ଅନୁଭବ ହୁଏ ବିଚରା ନାରୀଟିର ।ନାରୀଟିଏ କାହିଁକି ପର ପୁରୁଷକୁ ନେଇ ଘରକୁ ଆସିପାରିବନାହିଁ ।ଆଖିରେ ଉଭୟଙ୍କ ଲୁହ ଛଳଛଳ ହୋଇଯାଇଥାଏ ।ଏସବୁ ଦେଖି ମୁଁ ବି ଚକିତ ହୋଇଯାଉଥିଲି ।ଶିଖା ମ୍ୟାଡାମଙ୍କ ସ୍ଵାମୀଙ୍କୁ ଉଠାଇ ତାଙ୍କ ଆଖିରୁ ଲୁହ ପୋଛି କହିଲି ସାର୍ ଆପଣ କେବେ ବି ଶିଖା ଦେବୀଙ୍କୁ ଭୁଲ ବୁଝିବେନି ଏସବୁ ଥିଲା ଆମର ନାଟକ କେବଳ ଆପଣଙ୍କ ଆଖିରେ ବନ୍ଧାଥିବା ସନ୍ଦେହର ଅନ୍ଧପୁଟୁଳୀକୁ ଖୋଲିଦେବାକୁ ।ମୁଁ ଜାଣେ ଆପଣ ବହୁତ ଭଲ ପାନ୍ତି ଶିଖା ଦେବୀଙ୍କୁ ।ସ୍ତ୍ରୀର ଅପମାନ କେବେ ଜଣେ ସଚ୍ଛା ସ୍ଵାମୀ ଦେଖିପାରିବନି ।ସନ୍ଦେହର କୁହୁଳା ନିଆଁରେ ଦୁହେଁ ଦୁହିଁକୁ ଚିହ୍ନିବାରେ କେଉଁଠି ଭୁଲ ରହିଯାଇଥିଲା ।ଏସବୁର ପରିସମାପ୍ତି ପାଇଁ ଶିଖା ଦେବୀ ମୋର ସାହାଯ୍ୟ ନେଇଥିଲେ ।ଆମ ଭିତରେ କେବେ ବି ଅପଵିତ୍ର ସଂପର୍କ ନ ଥିଲା କି ଭବିଷ୍ୟତରେ ରହିବନାହିଁ ।ମୁଁ ତାଙ୍କୁ ଯେଉଁ ଚକ୍ଷୁରେ ଦେଖିଆସୁଥିଲି ଆଜିଯାଏଁ ସେ ବି ମୋର ପାପ ଚକ୍ଷୁକୁ ଦିବ୍ୟଚକ୍ଷୁ କରିସାରିଛନ୍ତି ।ପ୍ରେମ ଦାମ୍ପତ୍ୟ ଜୀବନର ଏକ ଶାଶ୍ବତ ଚିରନ୍ତନ ଅମରର ଏକ ମୂର୍ତ୍ତୀଵନ୍ତ ପ୍ରତିକ ।ଏହା କେବଳ ଦୁଇଟି ଶରୀରର ଉଷୁମ ମିଳନ ନୁହେଁ । ତାଙ୍କ ପ୍ରତି ମୋ ମନରେ ଜଳୁଥିବା କାମନାର କୁହୁଳା ନିଆଁ ଆଜି ଜଳିଯାଇଛି ।କେବଳ ପଡିରହିଛି ମୁଠା ମୁଠା ପବିତ୍ର ଅଙ୍ଗାର ।ସେ ଗଙ୍ଗାଜଳ ଠୁଁ ବି ପବିତ୍ର ।ଏମିତି ଦେବୀଙ୍କୁ ପାଇ ମୋ ଜୀବନ ସାର୍ଥକ ହୋଇଯାଇଛି ।ତାଙ୍କ ପ୍ରେମରେ କାଣିଚିଏଟି ମଳିନତା ନାହିଁ ।"


ଦୁଇ ଜଣଙ୍କ ହାତକୁ ଟାଣି ଛନ୍ଦିଦେଲି ।ମୋତେ ଏକ ସ୍ଵର୍ଗୀୟ ଆନନ୍ଦ ଯେମିତି ମିଳିଗଲା । ଲାଗିଲା ମୋ ଆଗରେ ସ୍ଵୟଂ ପ୍ରଭୁ ରାମଚନ୍ଦ୍ର ସୀତା ମାତା ଯେମିତି ଉଭା ହୋଇ ଠିଆ ହୋଇଛନ୍ତି ମୁଁ ଭକ୍ତ ହନୁମାନଟିଏ ସାଜି ସେମିତି ସେମାନଙ୍କର ଆଶିର୍ବାଦକୁ ଅପଲକ ନୟନରେ ଲୁହ ଝରାଇ ଚାହିଁବସିଛି ।



Rate this content
Log in

Similar oriya story from Romance