ଠିକ୍ କହିଲି ନା
ଠିକ୍ କହିଲି ନା


ସେ ସବୁଦିନେ ଆସୁଥିଲା ମୋ ନିଜସ୍ଵ ସଂପଦରୁ କିଛି ମୋତେ ମାଗୁଥିଲା ହେଲେ ମୁଁ ତାକୁ ଫେରାଇ ଦେଉଥିଲି।
ମନ ଦୁଃଖରେ ଫେରି ଯାଉଥିଲା ସେ ଦେଖୁଥିଲି ତା'ର ଅସହାୟତା, ଅଭିମାନ। ଅନୁଭବ କରୁଥିଲି ତା'ର ରିକ୍ତତା ମୋତେ କଷ୍ଟ ଲାଗୁଥିଲା।
ତା'ର ପରିଚୟ, ବଂଶ ଇତିହାସ ମୋତେ ଜଣା ନ ଥିଲା। ଭରସା ବି ମୋତେ ଦେଇ ନ ଥିଲା ସେ। ଇପସିତ, ଅଲଭ୍ୟ,ଜୀବନରେ ଯାହା ସ୍ବପ୍ନ - ସେସବୁ ଧରି ବାନ୍ଧି ଫୁଲ ପରି ମୋ ବାଟ ଯାକ ବିଛେଇ ଦେବ,ତାହା ବି ମୋତେ କହି ନ ଥିଲା ସେ।
ସର୍ବହରା ହୋଇ ଯିବାର ଭୟ ମୋତେ ବାନ୍ଧି ରଖିଥିଲା। ନିଜକୁ ବେଶ୍ ଦୁର୍ବଳା ମନେ କରୁଥିଲି।
ଧୀରେଧୀରେ ମୋର ଏହି ଅବସ୍ଥାରେ ପରିବର୍ତ୍ତନ ଆସିଗଲା। କେଉଁ ଏକ ଅଜଣା ମୋହ ମୋତେ କବଳିତ କରିଦେଲା। ତା'ର ଚିହ୍ନା ମୁହଁ ମୋତେ ପୂରା ଆପଣାର ଲାଗିଲା। ଯେତେ ଦେବିନି ଦେବିନି ଭାବିଲେ ବି ପଥ,ପାଦ,ମନ ମୋ ଆୟତ୍ତରେ ନ ଥିଲେ। ମୁଁ ଆଗକୁ ପାଦ ପକାଇଲି। ମନ ଦେଇ ଦେଲି।
ଧୀରେ ଗୋଟେ ସମୟ ଆସିଗଲା। ତା' ଆହ୍ବାନର କୁହୁକରେ ମୋ ନିଜସ୍ୱ ସଂପଦ ବି ତା' ହାତରେ ଅଜାଡି ଦେଲି। ମୋହାବିଷ୍ଟ ପରି ଆଖି ବୁଜି ଶୀତଳ ଅମୃତ ପିଇବାକୁ ଲାଗିଲି।
ଅନୁଭବ କରିଛି ସେତେବେଳେ ଘାସର ସହିଷ୍ଣୁତା ଥିଲା ମୋ ପାଖରେ ଥିଲା ଫୁଲର କୋମଳତା ନଈର ପ୍ରବହମାନତା ବି ଥିଲା।
ବିଶ୍ୱାସ, ଆସ୍ଥା, ଭରସା - ଏସବୁକୁ କରିଥିଲି ସଂପଦ। ମାଆଠାରୁ ଯାହା ଶିଖିଥିଲି - ସେସବୁ ଆଉ ମୋ ମନରେ ନ ଥିଲା ଏବେ ମୋ ଜୀବନର ହୀରାଖଣି,ମୋ ଦେହର ରକ୍ତ, ମାଂସ, ଫୁଲ - ସବୁ ଥିଲା ତା' ଦଖଲରେ। ମୋ ପାଖରେ ଥିଲା କେବଳ ମୁଠେ ଶୁଦ୍ଧ ବିଶ୍ୱାସ।
ଦିନେ ମୋର ଏ ସମୟ କୁଆଡେ ହଜିଗଲା। ମୋ ମୁହଁକୁ ଚାହିଁବାକୁ ନା ଥିଲା ତା'ର ସମୟ , ନା ମୁଁ ଥିଲି ତା'ର ଆବଶ୍ୟକତା। ଗୋଟେ ନିଃସ୍ବ,ନିଃସମ୍ବଳ ମଣିଷ ହୋଇ ସାରିଥିଲି ମୁଁ। ଭଙ୍ଗା ମନ ନେଇ ଗୋଟେ ଭଙ୍ଗା ସିଲଟ ପରି ପଡି ରହିଥିଲି।
ହେଲେ ବାହାରକୁ ମୁଁ ଯେମିତି ଥିଲି ସେମିତି କାହାକୁ ବା କାହିଁକି ବୁଝିବାକୁ ଦେଇଥାନ୍ତି ଯେ ମୁଁ ନିଃସ୍ବ ,ନିଃସମ୍ବଳ
କାହାକୁ ବା କାହିଁକି ଦେଖେଇଥାନ୍ତି ମୋ ଭଙ୍ଗା ମନ କହିଥାନ୍ତି ମୁଁ ଭଙ୍ଗା ସିଲଟ ବୋଲି
ବେଶୀ ଦିନ ରହିଲାନି କିନ୍ତୁ ମୋର ଏ ସମୟ। ଶୂନ୍ୟସ୍ଥାନ ଆଉ କେହି ପୂରଣ କରିବାକୁ ଆଗେଇ ଆସିଲେ। ମୋ ପାଇଁ ଡହଳ ବିକଳ ହେଲେ। ମୋତେ ଦେବୀର ଆସନ ଦେଲେ। ବୁଝିଲି କର୍ପୂର ନୁହେଁ ଯେ ଉଡିଯିବି,ପଡି ରହିଥିବ ପାଟକନା।
ଏବେ ମୋ ଭିତରେ ଥିଲା ଅପୂର୍ବ ଦକ୍ଷତା ଓ ଯୋଗ୍ୟତା। ଥିଲା ବି ଅନେକ ଖୁସି , ଆବେଗ ଓ କବିତା।
ଗୋଟାପଣେ ଦେବୀ ପରି ଥିଲି, ଅଛି, ରହିବି।
ମୋ ପାଇଁ କିନ୍ତୁ ସାରା କାଳେ ଦାନବମାନେ ଶୋଷରେ ଛଟପଟ ହେଉଥିବେ ହିଁ ହେଉଥିବେ।
ଯଦି କେହି ମୋର ସବୁକିଛି ନେଇଗଲା ବୋଲି ମନେମନେ ଭାବୁଥାଏ, ଥରେ ଫେରି ଆସି ମୋତେ ସେ ଦେଖିଯିବା ଉଚିତ।
ଠିକ୍ କହିଲି ନା