Parameswar Ojha

Romance

2  

Parameswar Ojha

Romance

ତଥାପି ତମେ

ତଥାପି ତମେ

8 mins
597



  ସକାଳୁ ଗାଧୋଇ ସାରି ସିନ୍ଥିରେ ସିନ୍ଦୂର ଲଗଉଛି ତ ଠିକ୍ ଏହି ସମୟରେ ଗୋଟେ ଅଜଣା ନମ୍ବର ରୁ କଲ୍ ଆସିଲା


ପ୍ରାୟତଃ ଅଜଣା ନମ୍ବର ମୁଁ ରିସିଭ କରେନି । ତେଣୁ ତିନି ଥର ପରେ ଚାରିଥର ବେଳକୁ ମୁଁ କଲ୍ ଟି ରିସିଭ କରି ନୀରବ ରହିଲି । କିଛି ବାଜେ ଚରିତ୍ର ଲୋକଙ୍କ ର ଅଭ୍ୟାସ ଏମିତି ଝିଅ ପିଲାଙ୍କୁ ହଇରାଣ ହରକତ କରିବା , ଫୋନ୍ କରି ପ୍ରେମ ଗପ କରିବା ଅଶୋଭନୀୟ ଆଚରଣ ଦେଖାଇବା ତେଣୁ..... । ସେପଟ ରୁ ଆବାଜ ଆସିଲା ଜଣେ ପୁରୁଷ ଲୋକର । ତାଙ୍କ ସ୍ଵର ଶୁଣି ମୁଁ ରଙ୍ଗ୍ ନମ୍ବର କହି କଲ୍ ଟି କାଟି ବାକୁ ଯାଉଛି କିନ୍ତୁ ସେ କହିଦେଲେ ଏମିତି ଏକ ନାଁ ଟିଏ ଯୋଉଟା ଶୁଣି କି ମୋ ତଣ୍ଟି ଅଠା ଅଠା ହୋଇଗଲା ।

ନୀରବ ତ ଥିଲି ଏବେ ଜଡ ପାଲଟି ଗଲି ।


- ଆରେ ଚିହ୍ନି ପାରୁନୁ କି ? ମୁଁ ତୋ ମନୁ ଦାଦା କହୁଛି ।

କ'ଣ କେଇଟା ଦିନ ଭିତରେ ମତେ ଭୁଲିଗଲୁଣି ପୂରା ?

ମୁଁ ଆସୁଛି ତୋ ପାଖକୁ ଗୋଟେ କାମ ଅଛି । ଯାଇ ପହଞ୍ଚିବି କହିଲୁ ରମଜାନ ଛକରୁ କୋଉପଟେ ଯିବି ? ଆରେ ଶୁଣୁଛୁ ନା ନାଇଁ ?


 କଥା ମୋ ପାଟିକୁ ଆସିବାକୁ ବହୁତ ସମୟ ଲାଗିଗଲା 


-  ଆମ ଗାଁ ମନୁଦାଦା ? ମନୁ ଦାଦା ପ୍ରଣାମ । 

ତମେ ରମଜାନ ଛକରୁ କିଛି ବାଟ ଚାଲି ଆସିଲେ ବାଁ ପଟେ ଗୋଟେ ରାସ୍ତା ଅଛି ସେଇ ରାସ୍ତାରେ ଗୋଟେ ଅଟୋ ଧରିବ ମଣି ଛକ କହିବ ସେ ପହଞ୍ଚେଇ ଦେବ ଦଶ ଟଙ୍କା ଦେବ ତାକୁ । ସେଠି ଓହ୍ଲେଇ ଶିବ ମନ୍ଦିର ପଛପଟ ରାସ୍ତା ରେ ଅଳ୍ପ ବାଟ ଆସିବ ବାଁ ପଟରେ ଦେଖିବ ଆନନ୍ଦ ନିବାସ ଲେଖାଅଛି । ସେଇଟା ଆମ ଘର ।


ଥରଥର କଣ୍ଠରେ ବହୁତ କଷ୍ଟରେ ଏତିକି କହି ଫୋନ୍ ରଖିଲି ।


ଭାସି ଆସିଲା ଦଲକାଏ ପବନ ପରି ମିଠା ବାସ୍ନା ମନୁଦାଦା ଆଉ ମୋର ସ୍ମୃତି ସବୁ ମନ ଅଗଣାରେ ।


ସେଇଟା ପ୍ରେମ କି ଭଲପାଇବା ଅବା ଆକର୍ଷଣ ଥିଲା ମୁଁ ଜାଣିନି । କିନ୍ତୁ ହୋଇ ଯାଇଥିଲା କିଛି ଗୋଟେ । ମୁଁ ସପ୍ତମ ରେ ପଢୁଥିବା ବେଳେ ମନୁ ଦାଦା ସହ ମୁଁ ପରିଚିତ । ମୁଁ ତାଙ୍କ ପାଖକୁ ଟିୟୁସନ ହେବାକୁ ଯାଏ । ପରିଚିତ କହିଲେ ଆଗରୁ ତାଙ୍କୁ ମୁଁ ଗାଁ ରେ ଦେଖିଛି ଅନେକ ଥର କିନ୍ତୁ ଅତି ନିକଟରୁ ଟିୟୁସନ ପରେ ପରେ ହିଁ ଜାଣିଲି ।


 ମନୁ ଦାଦା ମୋଠୁ ବୟସରେ ଦଶ ବର୍ଷ ବଡ । ମୁଁ ତାଙ୍କୁ ଦାଦା ବୋଲି ଡାକେ । ଥରେ ସାର୍ ଡାକିଥିଲି ଯେ ମୋ କାନ ମୋଡ଼ି କହିଲେ ସାର୍ କ'ଣ ମୋତେ ତୁ ଦାଦା ହିଁ ଡାକିବୁ ସବୁବେଳେ ହେଲା ? ମୁଁ ମୁଣ୍ଡ ଟୁଙ୍ଗାରି ହଉ କହିଥିଲି । ମନୁ ଦାଦା ଙ୍କ ଗୋରା ତକ୍ ତକ୍ ଚେହେରା , ବଳିଷ୍ଠ ବାହୁ , ଷ୍ଟାଇଲ ରେ  କୁଣ୍ଡେଇଥିବା ଚୁଟି , ଇସ୍ତ୍ରୀ ଦିଆ ସାର୍ଟ ପ୍ୟାଣ୍ଟ୍ ଆଉ ବେଲ୍ଟରେ ଲାଗିଥିବା କଫି କଲର୍ ମନୋଗ୍ରାଫ ଓ ସେଥିରେ ଲେଖାଥିବା ଇଂଲିଶ ରେ ସାଇନ୍ ଆଉ ସାର୍ଟ ପକେଟ୍ ରେ ସବୁବେଳେ ମାରୁଥିବା ଗୋଟେ ପାଞ୍ଚ ଟଙ୍କିଆ ସେଲୋ ଗ୍ରିପର କଲମ ତାଙ୍କ ବ୍ୟକ୍ତିତ୍ଵ କୁ ସମ୍ମାନ ଦେବା ପରି ବାଟା କମ୍ପାନୀ ର ଗୋଟେ ଚମଡା ଚପଲ । ମୋତେ ସବୁ ଭଲ ଲାଗେ । କିନ୍ତୁ ସବୁଠୁ ମୁଁ ଅଧିକ ଭୟ କରେ ତାଙ୍କ ଆଖି ଦୁଇଟିକୁ ମୁଁ ଆଜି ପର୍ଯ୍ୟନ୍ତ ତାଙ୍କ ଦୁଇ ଆଖି ରେ ମୋ ଆଖି ମିଶେଇ ପାରିନି । କୌଣସି ପାଠ ଯଦି ମୁଁ କରିନଥିବି ସେ ମୋତେ ବାଡାନ୍ତିନି । କେବଳ ପଲକ ନପକେଇ ମୋତେ ଚାହିଁ ଦିଅନ୍ତି କିଛି ସମୟ ‌ । ବାସ୍ ମୁଁ ବୁଝି ଯାଏ କିଛି ଗୋଟେ ଭୁଲ୍ ହୋଇ ଯାଇଛି ମୋ ଦ୍ବାରା । ଆଉ ସେ ଭୁଲ୍ ଟି ଯାହା ବି ହେଉଥାଉ ମୁଁ ଜାଣିଲା ପରେ ତା ପରଦିନ ଯେମିତି ହେଲେ ତାକୁ ସୁଧାରି କି ଆସିଥିବି । କାହିଁକି ନା ମୁଁ ଚାହେଁନା ମନୁଦାଦା ଙ୍କ ଏମିତି ଚାହାଣୀ ର ତାଙ୍କ ନାପସନ୍ଦ ର ମୁଁ ପାତ୍ର ହୁଏ ବୋଲି । ମନୁ ଦାଦା ମୋ ଉପରେ ରାଗିଲେ ଅଶାନ୍ତି ହେଲେ ମୁଁ ଜମା ସହି ପାରେନି । 


 ଦିନେ ଗୋଟେ ବଡ ହରଣ ଟିଏ ଦେଇଥିଲେ ମୋତେ , ରାତି ଏଗାର ହୋଇଗଲା କରି ପାରିଲିନି , ମାନେ ବୁଝି ପାରିଲିନି । ବୋଉ କହିଲା ଶୋଇପଡ଼ ସକାଳୁ ଉଠି ପଢ଼ିବୁ । କିନ୍ତୁ ମୁଁ ଲମ୍ପ ଆଲୁଅରେ ବହି ଏମ୍.ବି.ଡି ସବୁ ଦେଖି ବୁଝି ରାତି ଗୋଟାଏ ରେ ଯାଇ ସେ ହରଣ କସିଲି ତାପରେ ଯାଇ ଶୋଇଲି । କାହିଁକି ନା ମୁଁ ଜାଣେ ମୁଁ ଯେତେ ଚେଷ୍ଟା କଲେ ବି ସକାଳୁ ଉଠି ପାରେନି ବହି ଧରିବାର ଦଶ ପନ୍ଦର ମିନିଟ୍ ପରେ ଘୁମେଇ ପଡେ । ତାପରଦିନ ଟିୟୁସନ ରେ ମୋ ଫୁଲିଲା ନାଲି ପଡ଼ିଯାଇଥିବା ଦୁଇ ଆଖି ଦେଖି ଯେବେ ପଚାରିଲେ

 - କାଲି କେତେ ରାତିରେ ଶୋଇଥିଲୁ କି ? 


ମୁଁ ସବୁ ସତ କଥା କହି ଦେଇଥିଲି । କାହିଁକି କେଜାଣି ମୁଁ କିଛି କଥା ତୁମଠି ଲୁଚେଇ ପାରେନି । ତମେ ପ୍ରଥମ ଥର ପାଇଁ ସେଦିନ ମୋ ହାତକୁ ଦଶ ପନ୍ଦର ମିନିଟ୍ ଯାଏଁ ଧରିଥିଲ ଆଉ କହିଥିଲ ଯୋଉ ପାଠ ନ ଆସିବ ଭଲକି ବୁଝି ନେବୁ ହେଲେ ଡେରି ଯାଏଁ ରାତି ଅନିଦ୍ରା ହୋଇ ଏମିତି ପାଠ କରିବୁନି । ଭଲ ନୁହେଁ ଦେହ ଖରାପ ହେବ ଶୁଣ୍ ରାତିରେ ଜଳଦି ଶୋଇବୁ ସକାଳୁ ଶିଘ୍ର ଉଠିକି ପାଠ ପଢ଼ିବୁ । ସେଦିନ ତମ କଥା ମାନି ମୁଁ ରାତି ନଅଟା ଭିତରେ ଶୋଇ ପଡ଼ିଥିଲି ଆଉ ଭୋର ପାଞ୍ଚ ଟାରୁ ଉଠି ପଡିଥିଲି । ହେଲେ ସେଦିନ ରାତିରେ ମନୁଦାଦା ତୁମେ ମୋ ସ୍ବପ୍ନ ରେ ଆସିଥିଲ । ସେମିତି ମୋ ହାତ ଧରି ଘଣ୍ଟା ଘଣ୍ଟା ଢେର୍ କଥା ହେଲ ଗଲାବେଳେ କହିଗଲ ମନଦୁଃଖ କରନି ମୁଁ ପୁଣି ଆସିବି । ସେଦିନ ଠାରୁ ତୁମେ ମୋ ସ୍ବପ୍ନ ରେ ସବୁଦିନ ଆସିବାକୁ ଲାଗିଲ । 

ଦିନେ ଝୁମି ଅପା କୁ ପଚାରି ଦେଲି - ଅପା ମନୁଦାଦା ମୋ ସ୍ବପ୍ନ ରେ ସବୁବେଳେ କାହିଁକି ଆସୁଛନ୍ତି ? 


ସେ ମୋ କାନକୁ ଧରି କହିଥିଲେ - ବେଶି ଫାଜିଲ୍ ହେଲୁଣି ପାଠ ପଢ଼ାରେ ମନ ଦେ । ତୁ ମନୁଦାଦା କୁ ଏକଥା କହିଛୁ କି ?


- ନା କହିନି , କାଳେ କ'ଣ ଭାବିବେ ରାଗିବେ ସେଥିପାଇଁ କହିନି ।



ମୁଁ ବହୁତ ସମୟ ଭାବେ ପାଠ ପଢା ସ୍କୁଲରେ ବିଲକୁଲ ନହୋଇ ସବୁ ବେଳେ ଏଇ ମନୁଦାଦା ପାଖରେ ଟିୟୁସନ ରେ ହୁଅନ୍ତା କି । ମୋତେ ସ୍କୁଲ୍ ଟା ଜମା ବୋରିଙ୍ଗ୍ ଲାଗନ୍ତାନି । ଦିନେ ପାଞ୍ଚ ଟା ବେଳେ ଟିୟୁସନ ବାହାରିଛି ତ ବୋଉ ମନା କରି କହିଲା - ଆଜି ଟିୟୁସନ ଯାଆନା ମନୁଆର ଦେହ ଖରାପ ତାକୁ ଜର ହେଇଛି ତା ଦେହ ଭଲ ହେଲେ ଯାଇ ଟିୟୁସନ କରିବ । ତମକୁ ଜ୍ବର ହେଇଛି ଜାଣି ମୁଁ ସେଦିନ ଖାଇ ପାରିଲିନି ଆଉ ରାତିରେ ନିଦ ବି ବିଲକୁଲ ହେଲାନି । କେମିତି ରାତି ପାହିବ ମୁଁ ତମକୁ ଯାଇ ଦେଖିବି ମୋ ମନ ଡହଳ ବିକଳ ହେଲା । ସକାଳୁ କାଉ କା କରିଛି କି ନାଇଁ ତମ ପାଖକୁ ଦୌଡ଼ିଲି ବୋଉକୁ ମିଛ କହିଲି ମୁଁ ଯାଉଛି ସୁମିଠୁ ପାଠ ବୁଝିବାକୁ । ବୋଉ ଖାଲି ଏତିକି କହିଥିଲା - ପାଠ ପାଇଁ ଏତେ ଚଞ୍ଚଳା କେବେ ଠାରୁ ହେଲୁଣୁ ବା ? 


 ଯାଇ ପହଞ୍ଚିଲି ତମଘରେ ତମେ ଶୋଇଥିଲ ଗୋଟେ ମାଟିଆ ରଙ୍ଗର ପତଳା ଚାଦର ଘୋଡି ହୋଇ । ମୋର ମନ କଣ ହେଲା କେଜାଣି ରିମା ସାନଉ  ( ମନୁଦାଦା ବୋଉ ) କୁ ପଚାରିଦେଲି - ମନୁଦାଦା ମୁଣ୍ଡ ରେ ପାଣି ପଟି ପକେଇ ଦେବି ? ରିମାସାନଉ ମୋତେ କୁଣ୍ଢେଇ ପକେଇ କହିଲେ - ତତେ ଆସେ ? - ହଁ ବୋଉ କୁ ଜର ହେଲେ ମୁଁ ପା ପକେଇ ଦିଏ ପାଣି ପଟି ।


ତମେ ଶୋଇଥିଲ ତମକୁ ଡାକିଲିନି ପାଣି କପଡା ଭିଜେଇ ପଟି ମୁଣ୍ଡ ରେ ପକେଇଲି । ପାଣି ପଟି ପକଉ ପକଉ କେତେ ବେଳେ ମୋ ଆଖି ର ଲୁହ ତମ ଗାଲରେ ପଡ଼ି ଯାଇଛି ମୁଁ ଜାଣିନି । ତମେ କେମିତି ଜାଣିଲ କେଜାଣି ମୁଁ ବୋଲି ? ସେମିତି ଆଖି ବନ୍ଦ କରିଥାଅ କହିଲ - ଆଲୋ ହୁଣ୍ଡିଟା କାନ୍ଦୁଛୁ କ'ଣ ପାଇଁ ? ମୋର କଣ ହୋଇଛି କି ? ଏ ଜର ଟିକେ ହୋଇଛି ଆପେ ଭଲ ହୋଇ ଯିବନି ? ମନଦୁଃଖ କରନି ଦୁଇ ତିନି ଦିନ ପରେ ଆସିବୁ ଟିୟୁସନ କୁ । ମନ ଦେଇ ପାଠ ପଢୁଥିବୁ । ଦଉଡି ଡିଆଁ , କିତିକିତି , ଲୁଚକାଳି  ଖେଳିବୁନୁ ନହେଲେ ପାଠ ପଛେଇ ଯିବ ଯେ । 


 ମୋତେ ତିନି ଦିନ କାଳ ଫୁଲ ମଧୁ ବେବୀ ମାମୀ ରାଜା ମଣ୍ଟୁ ପାପୁ କେତେ ଆସି ଡାକିଛନ୍ତି ଖେଳିବାକୁ ହେଲେ ମୁଁ ତିନିଦିନ ପାଇଁ ପଦାକୁ ଗୋଡ଼ କାଢିନଥିଲି ସ୍କୁଲ ପରେ । ଖାଲି ବହି ଖାତା ଆଉ ମୁଁ । ସନ୍ଧ୍ୟା ବେଳେ ବୋଉ ସଂଜ ଦେଲାବେଳେ ମୁଁ ବି ଚଉଁରା ପାଖରେ ମୁଣ୍ଡିଆ ମାରିଆସେ ତୁମେ ଜଳଦି ସୁସ୍ଥ ହୋଇଯିବା ପାଇଁ ।


ଯାହା ହେଉ ତୁମେ ତିନି ଦିନ ପରେ ମାମୀ ହାତରେ ଖବର ପଠାଇଲ ମୁଁ ଟିୟୁସନ ଯିବା ପାଇଁ । ମୋ ଦେହରେ ଜୀବନ ପଶିଲା । ମୁଁ ଅଧ ଘଣ୍ଟା ପୂର୍ବରୁ ଯାଇ ତମ ଘରେ ପହଞ୍ଚିଗଲି । ତମେ ସେତେବେଳେ ଘର ଝାଡୁକରି ବିଛଣା ପତ୍ର ସଜାଡୁ ଥିଲ । ତୁମେ ନିଜ କାମ ସବୁ ନିଜେ କରିବାକୁ ଅଧିକ ପସନ୍ଦ କରୁଥିଲ , ତୁମର ସେଇ ଗୁଣଟା ମୋତେ ଅଧିକ ଭଲ ଲାଗେ । ମୋତେ ଚଟ ବଢେଇ କହିଲ ବସ୍ । 

ମୁଁ ବ୍ୟାଗ୍ ରୁ ବହି ସବୁ ବାହାର କରୁ କରୁ ବହୁତ ସାହସ କରି ପଚାରିଲି ମନୁ ଦାଦା ତମ ଜର ଭଲ ହୋଇଯାଇଛି ? ତମେ କହିଲ - ନା ଅଳ୍ପ ଟିକେ ଅଛି ଭଲ ହୋଇଯିବ । ସେତେବେଳେ ତମ ଦେହ କୁ ନେଇ ମୁଁ ଟିକେ ଅନ୍ୟମନସ୍କ ରହୁଥିଲି । ତମେ ମୋତେ ତାଗିଦା କରି କହିଥିଲ ପାଠ ପଢ଼ାରେ ମନ ଦେ ବେଶି ଦୁଷ୍ଟ ହଅନି । ଧିରେ ଧିରେ ତମ ଜ୍ବର ଭଲ ହେବା ସହିତ ମୁଁ ପାଠ ମନସ୍କ ହେଲି । 


 ସପ୍ତମ ରେ ମୁଁ ଚାରିଶହ ପଚାଶ ମାର୍କ ରେ ପାସ୍ କରିଥିଲି । ଘରେ ସମସ୍ତେ ବହୁତ ଖୁସି ଥିଲେ ତମକୁ ବି ଘରକୁ ଡକାଇ ବହୁତ ପ୍ରଶଂସା କରିଥିଲେ । ନାନା ରକମ ଖାଇବା ବନେଇ ତମକୁ ଦିନେ ଡାକିଥିଲେ ଖାଇବାକୁ କୋଉଠି ବାହାରକୁ ଖାଇବାକୁ ଯାଉନଥିବା ତମେ କିନ୍ତୁ ଆସିଥିଲ ଆମ ଘରକୁ । କାରଣ ମୁଁ କହିକି ଆସିଥିଲି ତା ପୂର୍ବ ଦିନ , ମନୁ ଦାଦା ତମେ ଯଦି ଆମ ଘରକୁ ନ ଯିବ ମୁଁ ଆଉ ତମକୁ ମନୁଦାଦା ଡାକିବିନି ସାର୍ ଡାକିବି । ମୋତେ ବହୁତ ଖୁସି ଲାଗିଲା ତମେ ଆସିଥିଲ ବୋଲି । ମୋତେ ଡାକି ତମ ସାଙ୍ଗ ରେ ଖୁଆଇ ଥିଲ ସେଦିନ , କାହିଁକି ସେଦିନ ପ୍ରଥମ ଆଉ ଶେଷ ଥର ତମ ସାଥିରେ ଖାଇବା ବେଳେ ମୁଁ ଲାଜେଇ ଯାଇଥିଲି ଅନେକ , ଖାଇବା ତଣ୍ଟିରେ ଲାଗୁଥିଲା ଥରକୁ ଥର ।


ଅଷ୍ଟମ ନବମ ବେଳକୁ ତୁମ ପ୍ରତି ଆକର୍ଷଣ ଟିକେ ଅଧିକ ବଢ଼ି ଯାଇଥିଲା । ଅନେକ ଶାଳିନତା ଶିଖି ଯାଇଥିଲି ତମଠୁ ଶିକ୍ଷା ଭିତରେ । ସାଙ୍ଗ ମାନେ ଫେଁ ଫେଁ ହୋଇ ହସୁଥିବା ବେଳେ ମୁଁ ଦାନ୍ତ ଚାପି ହସୁଥିଲି । ପାଠ ପଢା ବ୍ୟତୀତ ଘର କରଣା କାମରେ ବି ମନ ଦେଉଥିଲି । ତମେ ଥରେ ତମ ମାମୁ ଝିଅକୁ କହିଥିଲ ରାଗିକି , ଲିପଷ୍ଟିକ ମୋର ପସନ୍ଦ ନୁହେଁ ଲିପଷ୍ଟିକ ଲଗେଇ ମୋ ସାମ୍ନାକୁ ଆସିବୁନି । ତମ ମାମୁ ଝିଅ ଲିପଷ୍ଟିକ ଛାଡ଼ିଲା କି ନାହିଁ ମୁଁ ଜାଣିନି ହେଲେ ମୁଁ ଲିପଷ୍ଟିକ ଲଗାଇବା ଛାଡି ଦେଇଛି କେବଳ ଯାହା ହାଲକା କ୍ରିମ ପାଉଡର ମାରେ ଲିପଷ୍ଟିକ କିନ୍ତୁ ଜମା ଛୁଏଁନି । କିନ୍ତୁ ମୁଁ ଟିୟୁସନ ଯିବା ସମୟରେ ନିଜକୁ କାଇଁ କେଜାଣି ଭଲକି ସଜାଏ । ବାଡି ନଳକୂଅ ପାଖରେ ଲକ୍ସ ମାରିକି ଭଲକି ଗୋଡ଼ ହାତ ମୁହଁ ଧୁଏ , ଫେୟାରଲଭଲି କ୍ରିମ ପଣ୍ଡସ ପାଉଡର ହାତରେ ହାଲକା ମିଶ୍ରଣ କରି ମୁହଁ ରେ ଲଗାଏ , ଦୁଇ ଓଠରେ ଟିକେ ଜିଭ ବୁଲେଇ ଆଣି ପରସ୍ପର ଚାପି ଦେଇ ତାପରେ ବାହାରି ଆସେ ଟିୟୁସନ କୁ ।



  ସ୍କୁଲ ରୁ ଫେରିଲା ବେଳେ ରାଧୁ ସାହୁ ପୁଅ ଆଉ ତା ଲଫଙ୍ଗା ସାଙ୍ଗ ମାନେ ମୋତେ ବାଟ ସାରା ହଇରାଣ କରନ୍ତି । ସେଦିନ ବି ମୋ ସାଙ୍ଗରେ ଲାଗୁଥିଲେ । ତୁମେ ବୋଧେ ବଜାର ଯାଇଥିଲ ସାଇକେଲ ରୁ ଓହ୍ଲେଇ ପଡି ସମସ୍ତ ଙ୍କୁ ଗୋଟେ ଗୋଟେ ଚାପଡା ମାରିଥିଲ ଆଉ ସଂଧ୍ୟା ରେ ତାଙ୍କ ଘରକୁ ଯାଇ ବାପା ଙ୍କ ଆଗରେ କଥା ପକାଇବ ବୋଲି ଧମକ ଦେଇଥିଲ ‌।  ସେମାନଙ୍କ ଘରେ ତୁମେ କଣ କହିଲ ନ କହିଲ ମୁଁ ଜାଣିନି ହେଲେ ସେଦିନ ଠାରୁ ସେମାନେ ମୋ ପିଛା ଛାଡ଼ି ଦେଇଥିଲେ ।


ମୋର ସିଦ୍ଧାନ୍ତ ଫିଲ୍ମୀ ରେ ସେ ରଚନା କୁ ଗୁଣ୍ଡା ମାନଙ୍କ କବଳରୁ ବଞ୍ଚେଇ ବାର ଦୃଶ୍ୟ ବାରମ୍ବାର ମନେ ପଡ଼ୁଥିଲା ଆଉ ମୁଁ ଖୁସିରେ କୁରୁଳି ଯାଉଥିଲି । ତୁମେ ମୋ ହିରୋ ବନି ଯାଇଥିଲ । ଫିଲ୍ମୀ ଦେଖୁଥିବା ବେଳେ ମୋ ମନକୁ ଆସେ ସେ ହିରୋ ହିରୋଇନ୍ ମାନଙ୍କ ପରି ଆମର ହୁଅନ୍ତା ନି ? ତମେ ଆଉ ମୁଁ ସାଙ୍ଗ ହୋଇ ପାର୍କ ରେ ହାତ ଧରା ଧରି ହୋଇ ବୁଲନ୍ତେ ସାଙ୍ଗ ହୋଇ ଫିଲ୍ମୀ ଯାଆନ୍ତେ । ଗାଡ଼ି ପଛରେ ବସେଇ ତୁମେ ମୋତେ ବୁଲେଇ ନିଅନ୍ତ ଲମ୍ବା ରାସ୍ତା ରେ ଆଉ ମୁଁ ତୁମ ପଛରୁ ଭିଡ଼ି ଧରି ବସିଥାନ୍ତି ଆଉ ତୁମେ ମୋର ଗୋଟିଏ ହାତକୁ ଧରି ତୁମ ମନ ପସନ୍ଦ ର ଗୀତ ଗାଆନ୍ତ । ସବୁବେଳେ ଯୋଉ ଗୀତ ଗୁଣୁ ଗୁଣାଅ   ଯୋଉଟାକି ମୋର ବି ବହୁତ ପସନ୍ଦ ।

ମହାରାଜା ଫିଲ୍ମୀ ର ଜବ୍ ତୁମ୍ ଆ ଜାତେ ହୋ ସାମନେ 

ଜବ୍ ତୁମ୍ ଆ ଜାଣେ ହୋ ସାମନେ ... ।


ହେଲେ ସେମିତି କେବେ ବି ହୁଏନି କି ହେଲାନି ବି ଶେଷ ପର୍ଯ୍ୟନ୍ତ ତୁମେ ତୁମ ଯାଗାରେ ରହିଲ ମୁଁ ମୋ ଯାଗାରେ । 

 ଦଶମ ପରୀକ୍ଷା ପାଖେଇ ପାଖେଇ ଆସୁଥାଏ ଦିନେ ତେତିଶ କୋଟି ଦେବତା ଙ୍କୁ ଡ଼ାକି ଫିଲ୍ମୀ ରେ ଦେଖିଥିବା ଦୃଶ୍ୟ ପରି ମାମି ବାଡିରୁ ଗୋଲାପ ଫୁଲଟେ ଲୁଚେଇ ଆଣି ତମକୁ ଭଲପାଏ ବୋଲି କହିବି ଭାବିଲି । ନେଇଥିଲି ବି ସେଦିନ ବହିରେ ଫୁଲକୁ ଲୁଚେଇ । ହେଲେ ମୁଁ କିଛି କହିବା ପୂର୍ବରୁ ତମେ ଫୁଲ ଟାକୁ ପ୍ରଥମେ ଦେଖି ଦେଇଥିଲ ଆଉ ହଠାତ୍ ପଚାରିଥିଲ ଗୋଲାପ ଫୁଲ ! କାହା ପାଇଁ ? 


 - ତମ ପାଇଁ ।


 ହଠାତ୍ ମୋ ପାଟିରୁ ଏତକ ବାହାରି ଯାଇଥିଲା ଆଉ ମୋ ତଣ୍ଟି ଅଠା ଅଠା ହୋଇ ଯାଇଥିଲା । ସାଙ୍ଗେ ସାଙ୍ଗେ ଉଠି ଯାଇଥିଲି ପାଣି ପିଇବାକୁ । ସେଦିନ ଗୋଟେ ଗ୍ଲାସ ପାଣି ପିଇବାକୁ ମୋତେ ପାଞ୍ଚ ମିନିଟ୍ ଲାଗି ଯାଇଥିଲା କାହିଁକି କେଜାଣି ବୋଧେ ପରେ ତମକୁ ସାମ୍ନା କରିବା ଭୟରେ ।  

ତା ପରଠୁ କେବେବି କିଛି ସାହସ କରିନି କହିବାକୁ । ମୋ ଭଲପାଇବା କୁ ତମେ ସ୍ବୀକୃତି ଦେଲ କି ସ୍ନେହ ଭାବିଲ ମୁଁ ଜାଣେନା ତଥାପି ସବୁବେଳେ ଭାବୁଥାଏ ମୁଁ ଦେଇଥିବା ଗୋଲାପ ଫୁଲ ତୁମେ ସାଇତିକି ରଖିଛ ନା ଫୋପାଡି ଦେଇଛ ? 



କଲିଂ ବେଲ୍ ବାଜିଲା । ମୋ ପ୍ରିୟ ମନୁ ଦାଦା ତମେ ବୋଧେ ଆସିଗଲ । ମୁଁ କେମିତି ତମକୁ ସ୍ବାଗତ କରିବି ସେଇଟା ଭାବିକି ଦ୍ବନ୍ଦରେ ପଡ଼ିଲି ।


ମଥାରେ ଓଢ଼ଣା ସଜାଡି ଦେଇ ଶାଢ଼ୀ କୁଞ୍ଚ ବ୍ଲାଉଜ କାନି ସବୁ ସାଇଜ କରି ଆଇନା ରେ ଥରେ ମୁହଁ ଦେଖି ଦେଲି ପିନ୍ଧି ଥିବା ବିନ୍ଦି କାଢି ଦେଇ ନୂଆ ବିନ୍ଦି ଲଗେଇଦେଲି । ଓଠରେ ଲାଗିଥିବା ହାଲକା ଲିପଷ୍ଟିକ କୁ ପୋଛି ଦେଇ ଗଲି କବାଟ ଖୋଲିବାକୁ । ଏତେ ବର୍ଷ ପରେ ବି ଦଶମ ଶ୍ରେଣୀ ପିଲା ପରି ମୋ ଛାତି ଧକ୍ ଧକ୍ ହେଉଥାଏ ତମକୁ ସାମ୍ନା କରିବା ଭୟରେ ।


---------------------୦୦୦--------------------

✍️.. ପରମେଶ୍ବର ଓଝା

ମହାକାଳପଡ଼ା , କେନ୍ଦ୍ରାପଡ଼ା

ମେଲ୍-- ojhaparameswar@gmail.com

ମୋ -- ୬୩୫୫୧୩୩୩୦୧





రచనకు రేటింగ్ ఇవ్వండి
లాగిన్

Similar oriya story from Romance