Trushna Das

Abstract Drama Others

4.5  

Trushna Das

Abstract Drama Others

ତେନାଲିରାମା କାହଣୀର ପୁନଃରୁଦ୍ଧାର

ତେନାଲିରାମା କାହଣୀର ପୁନଃରୁଦ୍ଧାର

6 mins
446


ରାଘବ ଘରର ସାନ ପୁଅ। ଉପରେ ତିନି ବଡ ଭାଇ ଓ ଗୋଟିଏ ବଡ଼ ଭଉଣୀ ପ୍ରୀତି। ସେ ବାପା, ମାଆ ଓ ତାଙ୍କ ଭାଇ ଭଉଣୀଙ୍କୁ ବହୁତ ସମ୍ମାନ ଦିଅନ୍ତି । ତେଣୁ କେବେ କାହାକୁ କିଛି କୁହେ ନାହିଁ। ଯିଏ ଯାହା କହିଲେ ମାନି ନିଅନ୍ତି । ସେଥିପାଇଁ ସମସ୍ତେ ତାଙ୍କୁ ଭଲ ପାଆନ୍ତି ଓ ବେଳେ ବେଳେ କୁହନ୍ତି ଏ ତ ଛୋଟ ପିଲାଟା.... ଏ କଣ କିଛି ନିଷ୍ପତ୍ତି ଠିକରେ ନେଇ ପାରିବ। କାହାରି ବି ବିଶ୍ୱାସ ନାହିଁ ଯେ ରାଘବ କିଛି ଦାୟିତ୍ବ ନେଇ କାମ ଠିକରେ କରି ପାରିବେ। ସେଥିପାଇଁ ସେମାନେ ରାଘବଙ୍କର ମଜା ବି ଉଡାନ୍ତି। 


ହେଲେ ରାଘବର ସାଙ୍ଗମାନେ ରାଘବଙ୍କୁ ବହୁତ ମାନନ୍ତି। କାରଣ ସେ ସମସ୍ତଙ୍କୁ ଭଲ ବୁଦ୍ଧି ଓ ଉପାୟ ଦିଅନ୍ତି। କେହି ସାଙ୍ଗ ଅସୁବିଧାରେ ପଡିଲେ ସାଙ୍ଗକୁ ଚତୁରତାର ସହ ବିପଦରୁ ବାହାର କରନ୍ତି। ତେଣୁ ସାଙ୍ଗମାନେ ତାଙ୍କୁ ତେନାଲିରାମା କୁହନ୍ତି। 


ତେନାଲିରାମା ହେଉଛନ୍ତି ଜଣେ ବ୍ରାହ୍ମଣ। ସେ ଏକ ଧାରାରେ ଜଣେ ବିଦୁଷୀ, ବିଦ୍ୱାନ, କବି, ଅଧିକାରୀ, ଉପଦେଷ୍ଟା, ହସଭରା ସ୍ୱଭାବର ବ୍ୟକ୍ତି। ସେ ବିଜୟନଗରମ ରାଜ୍ୟର ରାଜା କୃଷ୍ଣ ଦେବରାୟଙ୍କ ଦରବାରରେ ନିଜର ବୁଦ୍ଧି ଓ କାର୍ଯ୍ୟଦକ୍ଷତା ଯୋଗୁଁ ଉପଦେଷ୍ଟା ମଣ୍ଡଳୀରେ ସ୍ଥାନ ପାଇଛନ୍ତି। ରାଜା କୃଷ୍ଣ ଦେବରାୟ ସବୁବେଳେ ଶାସନରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ତେନାଲିରାମାଙ୍କ ଉପଦେଶ ନେଉଥିଲେ। 


ଠିକ ସେହିପରି ସାଙ୍ଗମାନଙ୍କ ଅସୁବିଧା ସମୟରେ ସେମାନେ ରାଘବଙ୍କ ଉପଦେଶ ଲଡୁ ଥିଲେ। ତେଣୁ ସେମାନେ ତାଙ୍କୁ ତେନାଲିରାମା କହୁଥିଲେ। 


ରାଘବ ପଢା ସରିଲା ପରେ ଗୋଟିଏ ବଡ କମ୍ପାନୀରେ ଆସିଷ୍ଟାଣ୍ଟ ମ୍ୟାନେଜର ପୋଷ୍ଟ କଲେଜ କ୍ୟାମ୍ପସରୁ ପାଇଗଲେ। 


ଚାକିରୀର ପ୍ରଥମ ଦିନ। ଘର ଲୋକ କିନ୍ତୁ କହୁଥାନ୍ତି ଭଲରେ କରିବୁ ଚାକିରୀ ଜମାରୁ ଡରିବୁ ନାହିଁ। ନିଷ୍ପତ୍ତି ଠିକରେ ନେବୁ। 


ଏମିତି ଘର ଲୋକଙ୍କ କଥା ଶୁଣି ରାଘବ ବି ଟିକେ ନର୍ଭସ ଥାଆନ୍ତି।ତଥାପି ଚାକିରୀର ପ୍ରଥମ ଦିନରୁ ହିଁ ବସ୍ ରାଘବଙ୍କ କାମରେ ପୁରା ଖୁସି।ସମସ୍ତେ ରାଘବଙ୍କ କାମର ପୁରା ପ୍ରଶଂସା କରୁଥାଆନ୍ତି। 


ଚାକିରୀର ମାସେ ପାଖାପାଖି ପରେ ବିଦେଶରୁ କ୍ଲାଇଣ୍ଟ ଆସିଛନ୍ତି। ସେମାନେ ଗୋଟିଏ ଜରୁରୀ ପ୍ରୋଜେକ୍ଟ ନେଇ ଆସିଛନ୍ତି।ସେମାନେ ବସ୍ ଙ୍କୁ କହିଲେ ଯେ ସେମାନେ ଓଡିଶାର ଘୋରଇ ରୋଷେଇ ଖାଇବାକୁ ଚାହୁଁଛନ୍ତି। ତେଣୁ ସେମାନେ ତାପର ଦିନ ବସ୍ ଙ୍କ ଘରେ ଖାଇବେ। ବସ୍ ଏବେ ଚିନ୍ତିତ। କାରଣ ତାଙ୍କ ସ୍ତ୍ରୀ ଜମାରୁ ଭଲ ରୋଷେଇ କରନ୍ତି ନାହିଁ। ଆଉ ତାପର ଦିନ ଷ୍ଟ୍ରାଇକ ଅଛି..... ତ ହୋଟେଲରୁ ଭି ଖାଦ୍ୟ ଆଣି ହେବ ନାହିଁ। 


ବସ୍ ଚିନ୍ତାରେ ବସି ଥିବା ଦେଖି ରାଘବ ତାଙ୍କୁ ଚିନ୍ତାର କାରଣ ପଚାରିଲେ। ସେ ଚିନ୍ତାର କାରଣ ଜାଣିଲା ପରେ କହିଲେ ବସ୍ ଏଇ କଥା ପାଇଁ ଆପଣ ଚିନ୍ତା କରୁଛନ୍ତି।ଜାଣନ୍ତୁ ଆପଣଙ୍କ ଚିନ୍ତା ଗଲା। ଆମ ଅଫିସର ଷ୍ଟାଫ୍ ମାନଙ୍କ ମଧ୍ୟରୁ ଯାହା ଘରେ ସବୁଠାରୁ ଭଲ ରୋଷେଇ ହୁଏ ତାଙ୍କ ଘରୁ ଖାଇବା ଆଣିବା। 


ବସ୍ ପଚାରିଲେ କେମିତି ଜାଣିବା କାହା ଘରେ ଭଲ ରୋଷେଇ ହୁଏ। 


ରାଘବ କହିଲେ ଏଇ ଆମର ଅଫିସର ହରିଆ ଭାଇଙ୍କ ସ୍ତ୍ରୀ ସେ ଭାରୀ ସ୍ୱାଦିଷ୍ଠ ଖାଦ୍ୟ ରୋଷେଇ କରନ୍ତି। ମୁଁ ବି ଖାଇଛି.... ଭାଇଙ୍କ ଟିଫିନ୍.... ଆହାଃ କି ସୁନ୍ଦର ସ୍ୱାଦ।ଭାଉଜ ପରା ଆମର ସହରରେ ଗତ ବର୍ଷ ରୋଷେଇ ପ୍ରତିଯୋଗିତାରେ ପ୍ରଥମ ହୋଇ ଥିଲେ। ଆଜି ଆପଣ ଭାଇଙ୍କ ଟିଫିନ ଟିକେ ଖାଇ କି ଦେଖନ୍ତୁ। 


ରାଘବ ସଙ୍ଗେ ସାଙ୍ଗ ହରିଆଙ୍କୁ ଡାକି ତାଙ୍କ ଟିଫିନ ଖୋଲି ବସ୍ ଙ୍କୁ ଖାଇବାକୁ ଦେଲେ। ବସ୍ ପୁରା ଖୁସି ହୋଇ ହରିଆଙ୍କୁ କହିଲେ ହରିଆ ତୁମ ସ୍ତ୍ରୀକୁ କହିବ କାଲି ଆମ କ୍ଲାଇଣ୍ଟଙ୍କ ପାଇଁ ରୋଷେଇ କରି କି ଦେବେ ଯାହା ପଇସା ନେବା କଥା ନେବେ। 


ତାପର ଦିନ କ୍ଲାଇଣ୍ଟ ସେ ଖାଦ୍ୟ ଖାଇ ପୁରା ଖୁସି। ସେମାନେ ଯିବା ଆଗରୁ ପ୍ରୋଜେକ୍ଟ ରାଘବଙ୍କ ଅଫିସକୁ ଦେଲେ। ଏବେ ବସ୍ ଭି ରାଘବଙ୍କୁ ପ୍ରତି କଥାରେ ପଚାରି ନିଷ୍ପତ୍ତି ନିଅନ୍ତି। ଯେମିତି କି ଅଫିସରେ କିଏ କିଏ ଭଲ କାମ କରୁଛନ୍ତି.... କିଏ କିଏ ଠକଉଛନ୍ତି। କଣ କଲେ ଅଫିସ ଓ କର୍ମଚାରୀମାନଙ୍କ ପାଇଁ ଭଲ ହେବ ଇତ୍ଯାଦି। ରାଘବ ବସ୍ ଙ୍କ ପୁରା ବିଶ୍ୱସ୍ତ ହୋଇଗଲେଣି ଏବଂ ସେ ବସ୍ ଙ୍କୁ ସବୁ କଥାରେ ଠିକ ପରାମର୍ଶ ଦିଅନ୍ତି।


ଅଫିସରେ ଭି ରାଘବଙ୍କୁ ବସ୍ ଙ୍କ ତେନାଲିରାମା ବୋଲି କହୁଛନ୍ତି। 


ଚାକିରୀର ବର୍ଷେ ପାଖାପାଖି ହୋଇ ସାରିଲାଣି। ତଥାପି ଘର ଲୋକ ରାଘବଙ୍କୁ ଛୋଟ ପିଲା ଭାବି ଘରର ନିଷ୍ପତ୍ତି ନେବା ସମୟରେ ତାଙ୍କ ପରାମର୍ଶ ନିଅନ୍ତି ନାହିଁ। 


ଦିନେ ରାଘବଙ୍କ ଘର ଲୋକ ଜାଣିବାକୁ ପାଇଲେ ଯେ ପ୍ରୀତି ସମର ବୋଲି ଗୋଟିଏ ପିଲାଙ୍କୁ ଭଲ ପାଆନ୍ତି। ସମରଙ୍କ ଘର ଲୋକ ମଧ୍ୟ ଏ ବିବାହରେ ରାଜି। ରାଘବଙ୍କ ଘର ଲୋକମାନେ ମଧ୍ୟ ଏ ବାହାଘରରେ ରାଜି ହୋଇ ଗଲେ। ରାଘବ ବାହାଘର ଦିନ ସ୍ଥିର ହେବା ପରେ ଯାଇ ଏ ବିଷୟରେ ଜାଣିଲେ। ସମରଙ୍କ ଘର ଲୋକ କହିଲେ ଯେ ପ୍ରୀତି ଓ ସମରଙ୍କ ବିବାହ ଯେଉଁ ଦିନ ହେବ ସେହି ଦିନ ସମରଙ୍କ ସାନ ଭଉଣୀ ରାନୀର ବିବାହ ହେବ। ପରେ ରାଘବ ଜାଣିଲେ ଯେ ରାନୀ ଯେଉଁ ପିଲାଙ୍କୁ ବିବାହ କରିବେ ସେ ହେଉଛନ୍ତି ବସ୍ ଙ୍କ ସମ୍ପରକୀୟ ଭାଇ ହେବେ। 


ଲଗ୍ନଧରା ସରି ଗଲା ପରେ ସମରଙ୍କ ପରିବାର ରାଘବଙ୍କ ପରିବାରକୁ ତିରିଶି ଲକ୍ଷ ଟଙ୍କାର ଯୌତୁକ ମାଗିଲେ। କହିଲେ ଯୌତୁକ ନ ଦେଲେ ବିବାହ ହେବନି। ସମର କିନ୍ତୁ ଯୌତୁକ ବିରୋଧରେ ଥିଲେ।ହେଲେ ତାଙ୍କ ଘର ଲୋକ ମାନି ନ ଥିଲେ। 


ରାଘବଙ୍କ ଘର ଗୋଟିଏ ମଧ୍ୟବିତ୍ତ ପରିବାରର। ଏତେ ଟଙ୍କା ଆଣିବେ କୁଆଡୁ। ରାଘବଙ୍କ ବାପା ଓ ବଡ ଭାଇମାନେ ସମରଙ୍କ ଘରକୁ ବୁଝାଇବାକୁ ଯିବା ସମୟରେ ରାଘବ ବି ବାହାରିଲେ। ହେଲେ ସେମାନେ ରାଘବଙ୍କୁ କହିଲେ ତୁ କଣ କରିବୁ ଯାଇ କି। ଛୋଟ ପିଲାଟେ ତୁ। ତୁ ଥା ଆମେ ଆସୁଛୁ। ସେମାନେ ସମରଙ୍କ ପରିବାରକୁ ଦଶ ଲକ୍ଷ ଟଙ୍କାର ଯୌତୁକ ଦେବା ପାଇଁ ରାଜି ହେଲେ। କିନ୍ତୁ ସମରଙ୍କ ପରିବାର ଏଥିରେ ରାଜି ନ ହୋଇ ବାହାଘର ଭାଙ୍ଗି ଦେଲେ। ଘରେ ଦୁଃଖର ଛାୟା। ପ୍ରୀତି ଆତ୍ମହତ୍ୟା କରିବାକୁ ଯାଉଥିବା ସମୟରେ ରାଘବ ଯାଇ ତାଙ୍କୁ ଅଟକାଇବାରୁ ପ୍ରୀତି କହିଲେ କାହିଁକି ମୋତେ ବଞ୍ଚେଇଲୁ। ମୁଁ ସମର ବିନା ରହି ପାରିବି ନାହିଁ। ରାଘବ କହିଲେ ଦିଦି ତୁ ବ୍ୟସ୍ତ ନ ହୋଇ ଟିକେ ଚୁପ ରହ। ଦେଖିବୁ ସବୁ ଠିକ ହୋଇ ଯିବ। 


ବାହାଘର ଭାଙ୍ଗିବାର ସପ୍ତାହେ ପରେ ହଠାତ୍ ସମରଙ୍କ ପରିବାର ଲୋକେ ଆସି ରାଘବଙ୍କ ଘରେ ପହଞ୍ଚିଲେ। ସେମାନେ କହିଲେ ନିଜ କର୍ମ ପାଇଁ ସେମାନେ ଲଜ୍ଜିତ।ସେମାନେ କେତେ ବଡ ଭୂଲ କାମ କରିଛନ୍ତି ଯୌତୁକ ମାଗି। ନିଜ ଭୂଲ ବୁଝି ସାରିଛନ୍ତି। ତେଣୁ ସେମାନେ ରାଘବଙ୍କ ପରିବାରକୁ କ୍ଷମା ମାଗିଲେ ଏବଂ ବିବାହ ସ୍ଥିର ହୋଇ ଥିବା ଦିନରେ ହେବ ବୋଲି କହିଲେ। 


ରାଘବଙ୍କ ଘରେ କେହି କିଛି ବୁଝି ପାରିଲେ ନାହିଁ ଯେ କେମିତି ସମରଙ୍କ ପରିବାର ବିନା ଯୌତୁକରେ ବିବାହ ପାଇଁ ରାଜି ହେଲେ । ତଥାପି ଆଉ ବେଶୀ ସେ ବିଷୟରେ ନ ଭାବି ସେମାନେ ବାହାଘର ପାଇଁ ପ୍ରସ୍ତୁତ ହେଲେ। 


ବାହାଘର ଆଗଦିନ ରାଘବଙ୍କ ବାପା ରାଘବଙ୍କୁ ସମରଙ୍କ ପାଇଁ କିଣା ଯାଇଥିବା ହାରଟା ଯାଇ ସୁନା ଦୋକାନରୁ ଆଣିବାକୁ କହିଥିଲେ। ରାଘବ ଯାଇ ସୁନା ହାରଟି ଆଣି କୋଉଠି ରଖି ଦେଇଛନ୍ତି ତାଙ୍କର ଆଉ ମନେ ନାହିଁ। 


ବାହାଘର ଚାଲିଛି। ବେଦୀରେ ସୁନା ହାର ଦେବେ ବୋଲି ରାଘବଙ୍କୁ ମାଗିବାରୁ ରାଘବ ଆଉ ମନେ ପକାଇ ପାରୁ ନାହାନ୍ତି ଯେ ହାର କୋଉଠି ରଖିଛନ୍ତି। ତାଙ୍କୁ ଲାଗୁଛି ସେ ବୋଉଙ୍କୁ ଦେଇଛନ୍ତି। ହେଲେ ବୋଉ କହୁଛନ୍ତି ଯେ ତାଙ୍କର ମନେ ପଡୁ ନାହିଁ ଯେ ସେ ହାର ରଖିଛନ୍ତି ବୋଲି। 


ରାଘବଙ୍କ ବାପା ଓ ବଡ଼ ଭାଇମାନେ ରାଗି ଯାଇ ସମସ୍ତଙ୍କ ସାମନାରେ ରାଘବଙ୍କୁ ଗାଲି କରି କହିଛନ୍ତି ଯେ ତୋ ପରି ଅପଦାର୍ଥ ଆମେ ଦେଖି ନାହୁଁ। ସାମନ୍ୟ ହାରଟା ଦାୟିତ୍ବ ତୋତେ ଦେଇ ଥିଲୁ ତୁ ସେତିକି ବି କରି ପାରିଲୁ ନାହିଁ। ଛି.... ଛି। ତୋ ପରି ପିଲା କେମିତି କେ ଜାଣ ଆମ ଘରେ ଆଛି। 


ସେତେବେଳେ ରାଘବଙ୍କ ବସ୍ ମୁହଁ ଖୋଲିଲେ। କହିଲେ ମୋତେ ରାଘବ ମନା କରିଥିବାରୁ ମୁଁ ଆପଣମାନଙ୍କୁ କିଛି କହି ନ ଥିଲି। ଶୁଣନ୍ତୁ ଏଇ ରାଘବ ପାଇଁ ଆଜି ଆପଣଙ୍କ ଝିଅର ସମର ସହ ବିବାହ ହେଉଛି। 


ଯେଉଁ ଦିନ ପ୍ରୀତି ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କଲା ସେଦିନ ରାତିରେ ହଠାତ୍ ରାଘବ ଆସି ମୋ ପାଖରେ ମନ ଦୁଃଖରେ ବସିଲା ଏବଂ କହିଲା ସାର୍ ମୋ ଭଉଣୀ ଭାଗ୍ୟ ଆପଣଙ୍କ ହାତରେ। ମୁଁ କିଛି ବୁଝି ପାରିଲି ନାହିଁ। ତାପରେ କଣ କରା ହେବ ସେ ମୋତେ ବୁଝାଇ କହିଲା। ସେଇ ଅନୁଯାୟୀ ମୁଁ ରାନୀର ଶଶୁର ଘର ଲୋକ ମାନେ ସମ୍ପର୍କୀୟମାନଙ୍କୁ ଡାକିଲି। ରାଘବ ସେମାନଙ୍କୁ ସବୁ ବୁଝାଇ କହିଲେ ଯେ ସେମାନେ ସମରଙ୍କ ପରିବାରକୁ ପଚାଶ ଲକ୍ଷ ଟଙ୍କାର ଯୌତୁକ ମାଗନ୍ତୁ। ଆଉ କହିବେ ଯୌତୁକ ନ ଦେଲେ ବାହାଘର ଭାଙ୍ଗି ଯିବ ବୋଲି। ତେବେ ଯାଇ ସେମାନେ ବାହାଘର ଭାଙ୍ଗିବାର ଦୁଃଖ ବୁଝିବେ। କିନ୍ତୁ ଗୋଟିଏ କଥା ରାଘବ ସେମାନଙ୍କୁ କହିଥିଲେ ଯେ ଯଦି ବି ସେମାନେ ନିଜ ଭୂଲ ନ ବୁଝି ପାରିବେ କି ପ୍ରୀତି ସହ ସମରଙ୍କ ବିବାହ ନ କରିଲେ ତେବେ ବି ରାନୀଙ୍କ ବିବାହ ଯେମିତି ନ ଭାଙ୍ଗୁ। ଯୋଜନା ଅନୁଯାୟୀ ରାନୀଙ୍କ ଶଶୁର ଘର ଲୋକ ଯୌତୁକ ମାଗି ବିବାହ ଭାଙ୍ଗିବାର ଧମକ ଦେଇଥିଲେ।

ତାପରେ ସମରଙ୍କ ଘର ଲୋକ ଯାଇ ବିବାହ ପାଇଁ ଅନୁରୋଧ କରିବାରୁ ରାନୀର ଶଶୁର ଘର ଲୋକ କହିଲେ ଏବେ ଜାଣିଲେ ତ ଯୌତୁକ ପାଇଁ ବିବାହ ଭାଙ୍ଗିଲେ କେତେ କଷ୍ଟ। ତାପରେ ଯାଇ ସମରଙ୍କ ପରିବାର ନିଜ ଭୂଲ ବୁଝି ପାରି ଏ ବିବାହ ପାଇଁ ରାଜି ହେଲେ। ଯାହାକୁ ଆପଣ ଅପଦାର୍ଥ କହୁଛନ୍ତି ମୋତେ ତ ଲାଗିଲା ସେ ଆପଣଙ୍କ ପରିବାରର ତେନାଲିରାମା। ସେ ମୋ ପାଇଁ ବି ମୋର ତେନାଲିରାମା। ଆଉ ମୁଁ ଆଜି ଆପଣ ସମସ୍ତଙ୍କ ସାମନାରେ ରାଘବଙ୍କ ପାଇଁ ମୋ ଝିଅର ବିବାହ ପ୍ରସ୍ତାବ ଦେଉଛି। ମୁଁ ମୋ ଝିଅର ମତ ନେଇ ସାରିଛି। ଏବେ ଆପଣମାନେ ଓ ରାଘବ ରାଜି ହେଲେ ଆମେ ବାହାଘର ଏବେ ଠାରୁ ସ୍ଥିର କରି ରଖି ଦେବା। 


ରାଘବଙ୍କ ପରିବାର ଲୋକମାନେ ରାଘବଙ୍କୁ କହିଲେ ତୁ ଏତେ ବଡ ହୋଇ ସାରିଛୁ ଆମେ ଜାଣି ପାରିଲୁ ନାହିଁ। ଆମକୁ କ୍ଷମା କରି ଦେ। ସାର୍ ଙ୍କ ଠାରୁ ସବୁ ଶୁଣି ଲାଗୁଛି ଯେମିତି ତେନାଲିରାମା କାହଣୀର ପୁନଃରୁଦ୍ଧାର ହୋଇଛି। ତୁ ଆମ ସମସ୍ତଙ୍କର ତେନାଲିରାମା। 


ରାଘବ କହିଲେ କ୍ଷମା ମାଗି ମୋତେ ଛୋଟ କରନ୍ତୁ ନାହିଁ। 


ତାପରେ ରାଘବଙ୍କ ବାପା ରାଘବ ଓ ଘର ଲୋକଙ୍କ ସହ କଥା ହୋଇ ବସ୍ ଙ୍କୁ କହିଲେ ଆମେ ଆପଣଙ୍କ ପ୍ରସ୍ତାବରେ ରାଜି ଅଛୁ। ପରେ ଶୁଭ ମୁହୂର୍ତ୍ତ ଦେଖି ରାଘବ ଓ ଆପଣଙ୍କ ଝିଅର ବିବାହ କରିବା।


କିଛି ସମୟ ପରେ ରାଘବଙ୍କ ମାଆଙ୍କ ମନେ ପଡିଲା ଯେ ସେ ତା ଆଗ ଦିନ ରାତିରେ ସୁନା ହାରକୁ କେଉଁଠି ରଖିଛନ୍ତି। ସେ ଆଣି ବେଦୀରେ ଦେଲେ । ପ୍ରୀତି ଓ ସମରର ବିବାହ ଭଲରେ ହୋଇଗଲା।


ଏବେ ରାଘବ ତାଙ୍କ ପରିବାର ତେନାଲିରାମା। ସବୁ କାମରେ ସମସ୍ତେ ରାଘବଙ୍କ ପରାମର୍ଶ ନେଉଛନ୍ତି।


Rate this content
Log in

Similar oriya story from Abstract