Panchanan Jena

Inspirational Abstract

3  

Panchanan Jena

Inspirational Abstract

ସ୍ଵପ୍ନ ଶିକ୍ଷା

ସ୍ଵପ୍ନ ଶିକ୍ଷା

6 mins
412


ନିଜ ମା’କୁ କାନ୍ଦୁଥିବା ଦେଖି ଝିଅ କହିଲା “ ତୁ ଦୁନିଆର ଦ୍ଵିତୀୟ ସବୁଠାରୁ ସୁନ୍ଦର ସ୍ତ୍ରୀ “। ମା’ ହଁସିଲା ଆଉ ପଚାରିଲା ,” ପ୍ରଥମ କି’ଏ “? ଝିଅ ପୁଣି କହିଲା , “ ତୁ ଯେବେ ଖିଲିଖିଲି ହଁସୁ “।

ଯମୁନା ଦେବୀ ମଧ୍ୟ ଫିକ କରି ହସି ପକେଇଲେ ଆପେ ଆପେ “ସମାଜ” ଖବର କାଗଜର ରବିବାର ଏଡିଟୋରିୟାଲ ଝିଟିପିଟି ଉବାଚ ପଢୁ ପଢୁ । କଥାର ଏହି ମନୋବୈଜ୍ଞାନିକ କପୋଥକଥନ ଯମୁନା ଦେବୀଙ୍କ ମନକୁ ଏତେ ମାତ୍ରାରେ ଛୁଇଁ ଗଲା ଯେ , ଏତେ ମାତ୍ରାରେ ଇନ୍ଦ୍ରିୟାତିଭୂତ ହୋଇଗଲେ ଯେ , ଏତେ ମାତ୍ରାରେ ଅନ୍ତରକୁ ଲାଗିଲା ଯେ, ସେ ଆପେ ଆପେ ଆପଣା ଛାଏଁ ହସି ପକେଇଲେ ।


ହଠାତ ତାଙ୍କର ମନେ ହେଲା ଯେମିତି ସେ ଦୀର୍ଘ ଦଶ ବାର ବର୍ଷ ପରେ ହସୁଛନ୍ତି । ମନ ଯେମିତି ତାଙ୍କର ମରି ଯାଇଥିଲା । ଯମୁନା ଦେବୀଙ୍କର ମନର ଯମୁନାରେ କେବଳ ଗ୍ରୀଷ୍ମ ଋତୁର ପ୍ରହାର , କେବଳ ନିରାଶାର ପେନ୍ଥା ପେନ୍ଥା ସଂଭାର , କେବଳ ସାହାରା ମରୁସ୍ଥଳସମ  ଲେଲିହାନ ହାହାକାର, କେବଳ ଦୁଃଖ –ଶୋଚନାର ବୁକୁ ଫଟା ଚିତ୍କାର ଆଉ ଫୁତ୍କାର। ଏମିତି ସବୁ ଅବାନ୍ତର ଅବାଗିଆ କଥା ମନକୁ ଆସିଲେ ଯମୁନା ଦେବୀଙ୍କର ମନ ଭାରାକ୍ରାନ୍ତ ବ୍ୟତିବ୍ୟସ୍ତ ହୋଇଯାଏ ।କିଛି ଭଲ ଲାଗେନା । ସବୁ ଖାଲି ଅସାର –ବିଷାଦ - ବିଷମୟ- ପୂତିଗନ୍ଧମୟ ଆଉ ଜ୍ଵାଳାଯୁକ୍ତ ରକ୍ତାକ୍ତ –କ୍ଷତାକ୍ତ ହୋଇଯାଏ ।

କଷ୍ଟ କ’ଣ କି ? ଯମୁନା ଦେବୀ ବିବାହର ବାର ବର୍ଷ ପରେ ବି ମା’ ହୋଇପାରି ନାହାନ୍ତି । ତାଙ୍କ ମାତୃତ୍ଵ ଆଜି ବି ବିଳାପ କରିଉଠେ । ଯମୁନା ଦେବୀ ବେଶ ରୂପସୀ -ରୂପବତୀ-ଗୁଣବତୀ , ବେଶ ସୁନ୍ଦରୀ –ବିଦୁଷୀ –ସ୍ଵାସ୍ଥବତୀ –ସୁଗୃହିଣୀ ...ଏମିତି ଅନେକ ବିଶେଷଣରେ ମଣ୍ଡିତା-ବିଭୁଷିତା –ସୁସଜ୍ଜିତା । ମାତ୍ର ତାଙ୍କ ଅଗଣା ତାଙ୍କୁ ଏକା ଏକା ଲାଗେ ।


ସ୍ଵାମୀ ନିର୍ମାଲ୍ୟ ଜ୍ୟୋତି ବିଶ୍ଵାଳ ବେଶ ବପୁବାନ –ରୂପବାନ –ଗୁଣବାନ- ବିତ୍ତବାନ –ସୁଠାମ-ସୁନ୍ଦର -...କୌଣସି ଗୁଣରେ କ’ମ ଥିଲା ପରି ଲାଗନ୍ତିନୀ । ବାଲେଶ୍ଵର –କଟକ ଯାଇ ଯାଇ ଟେଷ୍ଟ –ଅଲ୍ଟ୍ରାସାଉଣ୍ଡ –ଏଣ୍ଡୋସ୍କୋପି ଇତ୍ୟାଦି କରି ମଧ୍ୟ ପିଲା ନ ହେବାର କାରଣ ପାଇ ପାରି ନାହାନ୍ତି । କର୍ମକୁ ଆଦରି ପୂର୍ବ ଜନ୍ମର କର୍ମ ଫଳ ବୋଲି ଧରି ନେଇଛନ୍ତି । ପିଲାଦିନର କଥା --- ସ୍କୁଲର ସହପାଠୀ ମେଳର ଟାହିଟାପରା କମେଣ୍ଟମରା କଥା ---- କଲେଜର କାନ୍ଥ –ବାଡ଼ରେ ଗୀତ ---- ବିଶ୍ୱବିଦ୍ୟାଳୟ କ୍ୟାଣ୍ଟିନ---ସବୁଠାରେ ଯମୁନାକୁ ନେଇ କେତେ କେତେ ତର୍କ ବିତର୍କ , କେତେ ନୂଆ ଅଧ୍ୟାୟର ସୂତ୍ରପାତ ନ ହେଇଛି ତା’ର ହିସାବ-ନିକାସ କଥା ମାନେ ପଡିଲେ ନିଜକୁ ବହୁତ ଛୋଟ ମନେ କରନ୍ତି ଯମୁନା ଦେବୀ ।ସେ ଦିନର ବନହରିଣୀ –ମୃଗତୃଷ୍ଣା –ମୃଗନୟନୀ ଆଜି କେମିତି ବନ୍ଧ୍ୟାବୋଝରେ ମ୍ରିୟମାଣା; ସେ ସମୟର କଳକଳ ନାଦିନୀ ମନ୍ଦ ମନ୍ଦ ହାସିନୀ ଝରଣା ଆଜି କେମିତି ଭ୍ରୁଣ-ଧାରଣ ହୀନା ହୋଇ ସୁଖି ଫାଟି ଆଁ କରି ପଡି ରହିଛି , କେମିତି ସନ୍ତାନ ସୁଖରୁ ବଞ୍ଚିତା-ତ୍ରସ୍ତା-ବିତ୍ରସ୍ତା । ସବୁ ଫଳ କର୍ମର ; କର୍ମ ଆଗରେ କାହାର ଯୁର।

ତେଣୁ ଆଜିକାଲି ମନ୍ଦିର –ପୁରାଣ-ପୂଜା-ଅର୍ଚନା –ବ୍ରତ-ଉପବାସରେ ସମୟ କଟାଉଛନ୍ତି । କଣ୍ଟାସାର-କଙ୍କାଳମୟି ହୋଇଗଲେଣି । ପୂଜା ଘରେ ଘଣ୍ଟା ଘଣ୍ଟା ବସି କ’ଣ ସବୁ ଗୁଣୁ ଗୁଣୁ ହୁଅନ୍ତି । ଆଜି ଉଷା ତ କାଲି ବ୍ରତ । ପରଶୁ ଉପବାସ । ନିର୍ମାଲ୍ୟ ବାବୁଙ୍କୁ ବହୁତ ଖରାପ ଲାଗେ ।


ବେଳେ ବେଳେ ନିଜ ଉପରେ ଧିକ୍କାର କରନ୍ତି; ନିଜ ପୁରୁଷ ପଣିଆର ଅପାରଗତା ଉପରେ ଟିପ୍ପଣୀ ଆଉ ଚୁମ୍ବକିୟ ବକ୍ରୋକ୍ତି ଶୁଣି ଶୁଣି ଥକି ଗଲେଣି । ଯମୁନା ଦେବୀଙ୍କୁ ଚାହିଁ ପାରନ୍ତିନୀ । କେଉଁ ଭାଷାରେ , କେଉଁ ଉପାୟରେ ନିଜ ପ୍ରାଣପ୍ରିୟାକୁ କିନାରା ଦେବେ ,କେଉଁ ତରିକାରେ ଜୀବନ ନଉକାକୁ ପାରି କରିବେ-କୂଳରେ ପହଞ୍ଚେଇବେ ,ଖୋଜି ପାଆନ୍ତିନୀ । କିଛି ବି ସମସ୍ୟା ନ ଦିଶୁଥିଲେ ବି ଏହି ମହା-ସମସ୍ୟାର ଅଡୁଆ ସୂତାରେ ସକାଳୁ ସଞ୍ଜ ଗୋଡି ହୋଇ ନାଛୋଡବନ୍ଧା ଅଣନିଶ୍ଵାସୀ ହୋଇଗଲେଣି । କିଛି ଗୋଟିଏ କରିବାକୁ ହେବ । ଟିକିଏ ଦମ୍ଭ ଦେବାକୁ ହେବ । ସମସ୍ୟାକୁ ମୂଳରୁ ଓପାଡି-ମାରିବାକୁ ପଡିବ । ନା.....ନା...ଆଉ ସହି ହେଉନି ---ଦେଖି ହେଉନି !

“ହେଇଟି ଶୁଣୁଛ ! ଚା’ କପେ ଆଣ ତ ! ହଁ, ଶୁଣୁଛ ! ଟିକିଏ ବେଗି ବେଗି ବାହାରି ପଡ ।ଟିକେ ବଜାର ଆଡେ ଯିବା । ହଁ ,ମାଉସୀ ଘର ଟୁନୁଆ ବାହାଘର ବେଳେ ଯେଉଁ ସମ୍ବଲପୁରୀ ଧଡିପକା ଶାଢୀ ଦେଇଥିଲେ , ତାକୁ ପିନ୍ଧିବ । ତୁମକୁ ଭଲ ମାନେ ....”.ଅଫିସରୁ ଆସୁ ଆସୁ ଏତେ ପ୍ରକାର ଫରମାନ ଏକାବେଳକେ । ନିର୍ମାଲ୍ୟ ବାବୁ କହିପକେଇଲେ । ଯମୁନା ଦେବୀ କ’ଣ ବୁଝିଲେ କେଜାଣି , ତର ବରରେ ବାହାରି ପଡିଲେ । ଯେତେ ଯାହା ପଚାରିଲେ ବି କୌଣସି ଉତ୍ତର ନାହିଁ ।


ଗାଡି କେତେବେଳେ “ଯଶୋଦା ଅନାଥାଶ୍ରମ “ ଆଗରେ ଛିଡା ହେଲାଣି , ସେ ଜାଣି ପାରିଲେଣି । ହେଉ ହେଲା , ଏଥର ଚାଲ ଭିତରକୁ ଯିବା । ଆଉ କାହିଁ , ଯମୁନା ଦେବୀ ସବୁ ଆପଣାଛାଏଁ ବୁଝିଗଲେ । ଦୌଡିଲେ, ମନରେ ଶୋଇପଡିଥିବା ସନ୍ତାନ ପ୍ରୀତି ପୁଣି କଳକଳ ଚ୍ଛଳଚ୍ଛଳ ହୋଇ ବହିବାକୁ ଲାଗିଲା , କେତେଦିନରୁ ମରି ଯାଇଥିବା ବାତ୍ସଲ୍ୟ ମମତା ଯେମିତି ଝାଡିଝୁଡି ଉଠି ବସିଲା । ବେଶ ଉତ୍ସାହିତ ବିମୋହିତ ହୋଇ ଉଠିଲେ ଯମୁନା ଦେବୀ ।

। ନିର୍ମାଲ୍ୟ ବାବୁ ତ ଆଗରୁ ସବୁ ପ୍ରକାର ପ୍ରକ୍ରିୟା ସମାପ୍ତ କରିଦେଇଥିଲେ । କେବଳ ଆଶ୍ଚର୍ଯ୍ୟ ଚକିତ କରିବା ବାକି ଥିଲା । କେବଳ ଝଟକା ଦେଇକରି ଯମୁନା ଦେବୀଙ୍କ ପଦ୍ମପାଖୁଡା ସମ ସୁଠାମ ସୁଗୋଲ ମୁଁହରୁ ହଜି ଯାଇଥିବା ହସ ଖୁସିର ହିଲ୍ଲୋଳ କଲ୍ଲୋଳକୁ ପୁଣି ଫେରେଇ ଆଣିବା ବାକି ଥିଲା ।

“ବାବାଜୀ “ ନାମକ ଜଣେ ଅନାଥ ଛୁଆକୁ ନେବାକୁ ସେ ଠିକ କରିଥିଲେ ।ବୟସ ପାଞ୍ଚବର୍ଷ , ସୁନ୍ଦର ମୁଁହ , ବଡ ବଡ ଡବ ଡବ ଆଖି , ବାଳ କଜଳପାତିଆ କଳା । ଭସା ବାଦଲ ଭଳି ଧୂମାଳିଆ ଧୂଆଁଳିଆ ନୁଖୁରା ପାଣ୍ଡୁରା ଚେହେରାରେ ଠିଆ ହୋଇଥାଏ କୁନି ପୁଅ ଟିଏ ।


ନିର୍ମାଲ୍ୟ ବାବୁ କାନ ପାଖରେ ଫୁସଫୁସ କରି କିଛି କୁହନ୍ତେ , ଯମୁନା ଦେବୀଙ୍କ ଦେହରେ ବିଜେତାର ଫୁର୍ତ୍ତି ଆସିଗଲା । ସେ ଧାବମାନ ମୁଦ୍ରାରେ ବାବାଜିକୁ କୋଳାଗ୍ରତ କଲେ । ବୋକ ପରେ ବୋକ , ଅସୁମାରି ଅଗଣିତ ଚୁମା ଦେଇ ତାକୁ କାଖେଇ ନେଲେ । କି ନୈସର୍ଗିକ ମାତୃତ୍ଵର ଦୃଶ୍ୟ ।କି ଅନିର୍ବଚନୀୟ ଅବର୍ଣନୀୟ ଅବକ୍ତନିୟ ମା’ ପୁଅର ସ୍ନେହ-ପ୍ରେମର ମହା ମିଲନ । । ନିର୍ମାଲ୍ୟ ବାବୁଙ୍କ ଆଖି କୋଣ ଜକେଇ ଆସିଲା । କାଳିଆର କି ଲୀଳା : କି ଖେଳା। ସେହି ଜଗତର ନାଥଙ୍କୁ ମନେ ମନେ ସୁମରଣା କଲେ ଏବଂ ଖୁସିରେ ମୁଣ୍ଡ ଟୁଙ୍ଗାରି ସେହି ମହାବାହୁଙ୍କ ଉଦ୍ଦେଶ୍ୟରେ ଭକ୍ତି ପୂତ ଶ୍ରଦ୍ଧାଞ୍ଜଳି ଦେଲେ ।

ସମୟ ଧାବମାନ ଗତିରେ ଗାଡି ଚାଲିଲା । ଅନାଥାଶ୍ରମର ବାବାଜୀ “ ବାବୁ “ ହେଲା । ବାବୁରାମ ବିଶ୍ଵାଳ ନାଁ ରେ ସ୍କୁଲ ଗଲା । ଯମୁନା ଦେବୀଙ୍କ ଉଜୁଡା ସଂସାରରେ ମା’ ମା’ ଡାକର କୁରୁଳି ପଡିଲା । ଦୁଃଖ ପରେ ସୁଖ ପୁଣି ଫେରି ଆସିଲା । ନିର୍ମାଲ୍ୟ ବାବୁ ବଡ ଆଶ୍ଵସ୍ଥ ହେଲେ । ଯାହା ହେଉ ଯମୁନାର ଜୀବନରେ ପୁଣି ଫଗୁଣର କୁହୁ ତାନ ଶୁଭିଲା । ଜୀବନ ସୁରଭିତ କୁସୁମିତ ହେଲା । ଫଗୁଣେଇ ଗଲା ସଞ୍ଜ ସକାଳ ।


ବାବୁ ପଛରେ ଲାଗିଥାନ୍ତି ସବୁବେଳେ ଯମୁନାଦେବୀ । ତୁ କାହିଁକି ଖାଉନୁ..... ହାତରେ ଖୋଆଇ ଦିଅନ୍ତି । ଯେତେ ମନା କଲେ କି’ଏ ଶୁଣେ ? ସିଏ ବଡ ହେଲେ କ’ଣ ଆପେ ଖାଇବନି କି ? ଏମିତି ଛୋଟ ଛୋଟ ଅଭିମାନିଆ ରାଗ-ରୋଷରେ “ଜେନାପୁର “ ବେଶ ସରଗରମ ରହିଲା ।

ଏ ବାବୁ ! ----- ତୋ ମା’ କାହିଁ କି ? କୁଆଡେ ଗଲ କି ? ---- ଆସୁ ଆସୁ । ନିର୍ମାଲ୍ୟ ବାବୁ ଡାକି ଚାଲିଲେ ।

ମାତ୍ର କିଛି ସୁର –ଶବଦ ନାହିଁ । ବାବୁ ବାପାଙ୍କ ହାତ ଧରି ଯମୁନା ଦେବୀଙ୍କ ପଲଙ୍କ ନିକଟକୁ ନେଇଗଲା । ଯମୁନା ଦେବୀ ଶୋଇଥିଲେ । ମାତ୍ର ମୋତେ ଦେଖି ଆଖି ବୁଜି ଦେଲେ । ପାପୁଲିରେ ମୁଁହକୁ ଘୋଡେଇ ପକେଇଲେ । ଗଣ୍ଡ ଦେଶରେ ସ୍ମିତ ହାସ୍ୟର ସରୁ ରେଖାଟିଏ । ନିର୍ମାଲ୍ୟ ବାବୁଙ୍କୁ ଏକ ଗୋଲକ ଧନ୍ଦାରେ ପକେଇଦେଲା ।

ହେଇଟି ଶୁଣୁଛ ! କ’ଣ ହେଲାକି ? ଦେହ ଖରାପ ପ୍ରାୟ । ମୁଁ କହୁଛି ଏତେ ଧାଆଁ- ଧପଡ଼ କରନି । ମୋ କଥା କି’ଏ ଶୁଣୁଛି ନା ମାନୁଛି । ପଦୁଆ ଗଉଡର ବିଧବା ଭଉଣୀ ବାସନ୍ତିକୁ ଚାକରାଣୀ ରଖିନେବା , କହିଲି ! ମୁଁହ ହାଣ୍ଡି କଲ । ଏବେ ଦେଖ....ବାବୁ କଥା କି’ଏ ବୁଝିବ ?

ଏଁ...ଏଁ...ମୋତେ ଟିକେ ଧରିଲ । ବେସିନ ପାଖକୁ ନିଅ । ଓଁ.....ଧରୁନ.....କମର ଟିକେ ଧର ......ଓଃ ମା’…… ।

ବାନ୍ତି ହୋଇ ଗଲା । ମୁଁହ ଧୋଇସାରି ଯମୁନା ଦେବୀ । । ନିର୍ମାଲ୍ୟ ବାବୁଙ୍କୁ ଦେଖୁ ଥାନ୍ତି ଆଉ ମୁରୁକୁଥାନ୍ତି । । ନିର୍ମାଲ୍ୟ ବାବୁ ତ ଡରି –ମରି  କାଠ ; ଦେହ ଭୀଷଣ ଖରାପ ପ୍ରାୟ ; ଭୂତ ଡାହାଣୀ ଲାଗିଲା କି ? କିଛି ଠିକ କରି ପାରୁ ନ ଥାନ୍ତି ।

ବୋକାଟା କେଉଁଠିକାର । କି’ଏ ତମକୁ ଚାକିରି ଦେଲା ? କ’ଣ ଦେଖିଲା କେଜାଣି ? କାନ ପାଖରେ କିଛି ଫୁସ ଫୁସ କରି କହିଲେ......

ସତ କହୁଛ .... ସତରେ ---ଖୁସିରେ ଫାଟି ପଡ଼ିଲେ । ନିର୍ମାଲ୍ୟ ବାବୁ । ମନରେ ଖୁସିର ଶତଦଳ-ଛାତିରେ ପୁଞ୍ଜିଭୂତ ସ୍ନେହ-ଢେଉମାନ ଭାଙ୍ଗ ଖାଇଲେ । ଆଜି “ଜେନାପୁର’’ରେ ହସ ଖୁସି । ଦୁହେଁ ଜାଆଁଳା ଭାଇ ଆସିଛନ୍ତି ।


ଠିକ ଦଶ ମାସ ଦଶ ଦିନ ପରେ “ ବାବୁଶାନ” ଆସିଲା । ବାବୁରାମ ବି ବେଶ ଖୁସି ...ତା’ର ଜଣେ ଖେଳିବାକୁ ସାଥି ନଥିଲା । ମଡି-ପଦୁ-କାଳିଆ ହେରିକା ସେତେ ଭଲ ନୁହନ୍ତି । ସବୁ ବେଳେ କଳି କଜିଆ । ମୋ’ ବଲରେ ଖେଳନ୍ତି, ମୋ ବ୍ୟାଟ ବି ନେଇ ଯାଆନ୍ତି । ଏଥର ଆମେ ଦୁଇଭାଇ ଜଗା-ବଳିଆ ଏକା ସାଥି ହୋଇ ଆମ ଅଗଣାରେ ଖେଳିବା ....ତାଙ୍କ ସାଙ୍ଗରେ ସାଙ୍ଗ କଟି.....।

 ନିର୍ମାଲ୍ୟ ବାବୁ ବି ବହୁତ ଖିସି । ଅଫିସରେ ମିଠା ବାଣ୍ଟିଲେ । ମନ୍ଦିରରେ ଘଣ୍ଟା ଦେଲେ । ମନେ ମନେ ଚଉବାହା ଜଗତର ସାହା ଜଗତର ନାଥ ଜଗନ୍ନାଥଙ୍କୁ ହାତଯୋଡି ଧନ୍ୟବାଦ ଦେଇ ଗୁଣୁଗୁଣେଇ ଗାଆନ୍ତି......।

“ଚଉବାହା ଯାହାର ସାହା

ଦେଲେ ତାକୁ ଚଉବାହା ।”


ମନରେ ଭାଗବତ ବିଶ୍ଵାସ ବଢିଲା । ଦାନ –ଧର୍ମ –ଦକ୍ଷିଣାରେ ମନ-ଧନ-ତନ ସମର୍ପିତ କଲେ ।

ମାତ୍ର ଯଶୋଦାଦେବୀଙ୍କ ବ୍ୟବହାରରେ ଆକାଶ ପାତାଳ ଫରକ । ସେ ବାବୁଶାନକୁ ବେଶୀ ଭଲ ପାଇଲେ ।ବାବୁରାମ କୁ ଜାଣି ଶୁଣି ହତାଦର କଲେ , ଧୀରେ ଧୀରେ ଘୃଣାଚକ୍ଷୁରେ ଦେଖିଲେ । ସ୍ଵାଭାବିକ ମଧ୍ୟ । କଳାମୁଣ୍ଡିଆ ତ , ଚେତାଚୈତନ ପଶିବା କେତେ କଷ୍ଟ । ବାବୁରାମକୁ ସବୁ ଜଳଜଳ ହୋଇ ଦେଖା ଗଲା । ମା’ ମୋତେ କମ ଭଲ ପାଉଛି । ଛୋଟ ଛୋଟ ଗଲତି ପାଇଁ ହାତ –ବାଡ଼ି-ଗାଳି-ଗୋଇଠାର ମଧ୍ୟ ଆରମ୍ଭ ହେଲାଣି । ମନରେ ତା’ର ବିଦ୍ରୋହ –କ୍ରୋଧ –ରାଗର ବୀଣା ଝଙ୍କୃତ ହେବାକୁ ଲାଗିଲାଣି । । ନିର୍ମାଲ୍ୟ ବାବୁ ଜାଣି ଶୁଣି ଚୁପ ରୁହନ୍ତି । ଘରର ଗୁମର କଥାରେ ମୁଣ୍ଡ ନ ପୁରେଇବା ହିଁ ଭଲ ।


ଦିନେ ସ୍ଵପ୍ନରେ ଯମୁନାଦେବୀ ଦେଖିଲେ ଯେ ବାବୁଶାନକୁ ବାବୁରାମ କିଡ଼ନାପ କରି ନେଉଛି । ତା’କୁ ମାରି ଦେବ ବୋଲି କହୁଛି । ହାତରେ ଏକ ଧାରୁଆ ଖଣ୍ଡା ଚକଚକ କରୁଛି ...ଏକ ଅନ୍ଧାରି ଗୁମ୍ଫାରେ ପିଟୁଛି ---ମାରୁଛି ...କହୁଛି …. ତୋହରି ପାଇଁ ମା’ ମୋତେ ହତାଦର କରୁଛି ...ତୁ ମଲେ ମୋର ସୁବର୍ଣ୍ଣ ଦିନ ସବୁ ଫେରି ଆସିବ । ମର ! ....କହି ତା’ ଛାତିରେ ଖଣ୍ଡାଟିକୁ ଭୁସିଦେଲା ।

ଠାଏକିନା ନିଦ ଭାଙ୍ଗିଗଲା । ଉଠିବସିଲେ ଯମୁନାବେଦୀ ...ଦେହ ଝାଳରେ ଗମଗମ .... ବାବୁଶାନ ତ ଶୋଇଛି ...ନିଶିନ୍ତରେ ...ଓଃ ....କି ଖରାପ ସ୍ଵପ୍ନ ...ଏତେ ଭୟଙ୍କର ........।

ମା’ ତୋର ଅଶେଷ କରୁଣା । ସ୍ଵପ୍ନ ମାଧ୍ୟମରେ ମୋତେ ସମୁଚିତ ଶିକ୍ଷ୍ୟା ଦେଲୁ ....।

ପରଦିନ ପାଖରୁ ସବୁ ପୁରା ବଦଳି ଗଲା । ନିର୍ମାଲ୍ୟବାବୁ କିଛି ବି ବୁଝିପାରୁନଥିଲେ .....।



Rate this content
Log in

Similar oriya story from Inspirational