Bijayananda Pattanaik

Crime

0.6  

Bijayananda Pattanaik

Crime

ସନ୍ୟାସୀ ଓ ବାସନା

ସନ୍ୟାସୀ ଓ ବାସନା

5 mins
415



ଗୃହସ୍ଥ ହୋଇ ଗୃହର ଦାୟିତ୍ଵ ଠିକ୍ ଋପେ ନିର୍ବାହ ନକଲେ ନିଶ୍ଚୟ ଅପରାଧ ହୁଏ । ଠିକ୍ ସେମିତି ସନ୍ୟାସୀ ହୋଇ ବିହିତ କାର୍ଯ୍ୟ ନକଲେ ଅନୁରୂପ ଅପରାଧ ହୁଏ । ଏହା ମୁଁ କହୁନି ଯାହା ଶାସ୍ତ୍ର କହିଛନ୍ତି । ଆଖିଦେଖା ଘଟଣାଟିଏ କହୁଛି । କାହାକୁ କଟାକ୍ଷ କରୁନି କିମ୍ବା ଧର୍ମ ଧାରଣା ପ୍ରତି ଆକ୍ଷେପ କରୁନି । ଚରିତ୍ର ମାନଙ୍କ ନାମ ଓ ସ୍ଥାନ ପରିବର୍ତ୍ତନ କରିଛି ମାତ୍ର ।


   ମୋର କଲେଜ ପଢ଼ିବା ସମୟର କଥା, ପ୍ରତି ରବିବାର ଦିନ ମୋ ବନ୍ଧୁ ବସନ୍ତର ଗାଆଁକୁ ଯାଏ, ଦ୍ବିପ୍ରହରରେ ତାଙ୍କ ଘରେ ମାଉସୀଙ୍କ ପରଷା ଖାଏ ଓ ସନ୍ଧ୍ୟାରେ ଫେରିଆସେ । ତାଙ୍କ ଗାଆଁ ମୁଣ୍ଡରେ ପୁରାତନ ମଠଟିଏ ରହିଛି । ଅବଶ୍ୟ ମୁଁ କେବେ ମଠ ଭିତରକୁ ଯାଇନାହିଁ । ବାହାରୁ ଦେଖିଛି ଉଚ୍ଚା ପଥର ପାଚେରୀ । ପ୍ରବେଶ ପଥରେ ପିତ୍ତଳ ଗୋବ ଲାଗିଥିବା ବଡ଼ ବଡ଼ ଯାଉଁଳି କବାଟ । ବାହାରକୁ କେବଳ ଧାଡ଼ିଏ ଚାଳ ଓ ମନ୍ଦିରର ଅଁଳା ବେଢ଼ା ଓ ପତାକା ଦେଖାଯାଏ । ସେଥିରେ ମୋ'ର କିଛି ଯାଏ ଆସେ ନଥିଲା । କିନ୍ତୁ ମୁଁ ଯିବା ଦିନ ଦେଖେ ହୀରୋହୁଣ୍ଡା ମୋଟରସାଇକେଲରେ କିଏ ଜଣେ ଯୁବକ ବାବାଜୀ ଦୁଇ ତିନି ଥର ଯିବା ଆସିବା କରନ୍ତି ଓ ବ୍ୟାଗ୍ ରେ କ'ଣ ସବୁ ପଛରେ ଓହଳା ହୋଇଥାଏ । ମନରେ କୌତୁହଳ ଜାତହେଲା, ଭାବିଲି ହଁ ସମୟ ଓ ଯୁଗ ବଦଳୁଛି ଏମାନେ ମଧ୍ୟ ବଦଳିବା ଅସ୍ବାଭାବିକ ନୁହେଁ । କିନ୍ତୁ ସନ୍ୟାସୀ ସୀମିତ ଆବଶ୍ୟକତା ଭିତରେ ବଞ୍ଚିବା ଶାସ୍ତ୍ର କହିଛନ୍ତି । ତ୍ୟାଗର ଜୀବନ ସନ୍ୟାସ,, ବ୍ରହ୍ମଚର୍ଯ୍ୟ ର ଜୀବନ ସନ୍ୟାସ,, ଇଏ ପୁଣି କ'ଣ?


   ଦିନେ ବସନ୍ତକୁ ପଚାରିଲି କିରେ ବାବାଜୀଙ୍କର ମୋଟର ସାଇକେଲ କ'ଣ ଦରକାର ପଡ଼ିଲା? ଚାକିରୀ ଫାକିରୀ କରୁଛନ୍ତି କି ଆଉ? ଆରେ ଇଏ ହେଲେ ସ୍ମାର୍ଟ ବାବାଜୀ ଆଧୁନିକ ଯୁଗର । କୋଉ ଯୁଗରେ ତୁ ଅଛୁ କିରେ? ସନ୍ୟାସୀ ହେଲା ବୋଲି ତା'ର କଣ ସଉକି ହେବାକୁ ମନ ହେଉନି? ଦେଢ଼ ବାଟି ଜମି ମଠର ଅଛି, ଧାନ ମୁଗ ବିରି ବିକୁଛି । ବର୍ଷ କୁ ଲକ୍ଷେ ଟଙ୍କା ରୋଜଗାର ହେଉଥିବ ବୋଧେ ।


 ମୁଁ କହିଲି ସତକଥା କହିଲୁ...  ବାବାଜୀ ହେଲା ବୋଲି କ'ଣ ଅୟସ କରିବାକୁ ମନା?

 ଆରେ ଶୁଣ୍... ଏ ବାବାଜୀ ରଘୁନାଥ ଦାସ, ଶିକ୍ଷାଗତ ଯୋଗ୍ୟତା ଅଣ୍ଡର୍ ମାଟ୍ରିକ, ଏ ମଠର ମହନ୍ତ ବୁଢ଼ା ବାବାଜୀ ( ସ୍ବର୍ଗତ ସଦାନନ୍ଦ ଦାସ) ମାନେ ଏହାର ଗୁରୁଙ୍କ ପୁତୁରା ଇଏ । ଆଠବର୍ଷ ବେଳୁ ୟାକୁ ଆଣି ପାଖରେ ରଖିଲେ ଓ ଶିକ୍ଷା ଦିକ୍ଷା ଦେଲେ । କିନ୍ତୁ ପାଠ ପଢ଼ାରେ ମନ ନଥିଲା କି ପୂଜା ପାଠରେ ମନ ନଥିଲା । ସବୁବେଳେ ଦୁଷ୍ଟାମୀ କଲା । ବୁଢ଼ା ବାବାଜୀଙ୍କ କଥା ମାନେନା । କିନ୍ତୁ କ'ଣ କରିବେ ଚୁପ୍ ରହନ୍ତି । ଥରେ ନବମ ଶ୍ରେଣୀର ଗୋଟିଏ ଝିଅ ପାଖକୁ ପ୍ରେମ ଚିଠି ଲେଖି ଧରାପଡିଲା । ଝିଅର ଭାଇମାନେ ତାକୁ ଗଛରେ ବାନ୍ଧି ବହେ ଛେଚିଲେ । ଏମିତି ମାଡ଼ ତା ବୋପା କାଳେ ଖାଇ ନଥିବ । ବୋପାଲୋ ବୋଉଲୋ ମରିଗଲି ରଡ଼ି ଛାଡ଼ୁଥାଏ, ଗାଆଁ ଲୋକ ସମସ୍ତେ ଜମା ହୋଇଥାଆନ୍ତି । ଦେହସାରା ଆଳୁ ପରି ଫୁଲି ଯାଇଥାଏ । ଯେତିକି ରଡ଼ି ସେତିକି ମାଡ଼,ଦେହ ଫାଟି ରକ୍ତ ଝରୁଥାଏ । ବୁଢ଼ା ବାବାଜୀ ଶେଷରେ ଯାଇ ଭୁଲ୍ ମାଗି ତାକୁ ମୁକୁଳେଇ ଆଣିଲେ । ରସିକ ପଣିଆ ସେଇଠୁ ବନ୍ଦ୍ । ମାସେ କାଳ ଚାଲି ପାରିଲାନି, ପାଠପଢ଼ା ମଧ୍ୟ ଇତିଶ୍ରୀ ।


    ବୁଢ଼ା ବାବାଜୀ ଦେହ ଛାଡ଼ିବାକୁ ଅଳ୍ପ ଦିନ ଥାଏ ବୈଷ୍ଣବ ମଣ୍ଡଳୀ ଡକାଇ ପୁତୁରାକୁ କଣ୍ଠି କୌପୀନ ଦେଇ ସନ୍ୟାସ ଦୀକ୍ଷା ଦେଲେ । ବଡ଼ଭୋଜି ହେଲା, ଶହେ ସରିକି ସାଧୁ ଆଉ ସମସ୍ତ ଗ୍ରାମବାସୀ ଭୁରି ଭୋଜନ କଲେ । ଶୁକୁଟା ପରିବର୍ତ୍ତନ ହେଲା ରଘୁନାଥ ଦାସ ନାମରେ । ରଘୁନାଥ ଦାସ ହେଲା ମଠର ଉତ୍ତରାଧିକାରୀ । ଏହାର ଠିକ୍ ଦଶ ଦିନ ପରେ ବାବାଜୀ ଦେହରକ୍ଷା କଲେ ।


    ଏଥର ମଠରେ ନୂଆ ବାବାଜୀଙ୍କ ଉତ୍ପାତ ଆରମ୍ଭ ହୋଇଗଲା । ଧାନ ଚାଉଳ ବିକା ବିକି ଚାଲିଲା । ହୀରୋହୁଣ୍ଡା ମୋଟରସାଇକେଲ କିଣାଗଲା । ମଠର ଗୁମାସ୍ତା ହାତରେ ସବୁ ଦାୟିତ୍ଵ ଲଦି ଦେଇ ବାବାଜୀ ଅୟସ କଲେ । ବେଳେ ବେଳେ ଶୁଣିବାକୁ ମିଳେ ମଠର ଟହଲିଆ ଠାରୁ ଯେ ବାବାଜୀ ସନ୍ଧ୍ୟା ହେଲେ କବାଟ ଭିତର ପଟୁ ବନ୍ଦ କରି ରହୁଛନ୍ତି, ସକାଳୁ ଖାଲି ବୋତଲ ଟିଏ ପଲଙ୍କ ତଳେ ଗଡ଼ୁଥିବ । କିଛି ଦିନ ପରେ ଦେଖିବାକୁ ମିଳିଲା ଜଣେ ଯୁବତୀ ମାତା ଆସି ମଠରେ ରହିଲେଣି । ଗାଆଁ ସାରା ଚର୍ଚ୍ଚା ଚାଲିଲା । ଗାଁ ଲୋକେ କୁହାକୁହି ହେଲେ ମଠରେ ମାତା ରହିବା ମାନେ ବାବାଜୀ ନିଶ୍ଚୟ ଖରାପ ସମ୍ପର୍କ ରଖୁଥିବ । ନିଆଁ ପାଖରେ ଘିଅ କେଭେଁ ରହି ପାରିବନି । ବିଶ୍ଵାମିତ୍ର ଭଳି ଋଷି ନାରୀ ମୋହରେ ପଥଭ୍ରଷ୍ଟ ହୋଇଥିଲେ । ଆଉ ଇଏ କ'ଣ ତାକୁ ଛାଡ଼ିଥିବ । 


    ଯୁବତୀ ମାତାଟିର ଘର ଯଦୁପୁର ଗାଁ । ଗରିବ ଘରର ଝିଅ । ଦୁଇ ବର୍ଷ ତଳେ ବିବାହ କରିଥିଲା । କିନ୍ତୁ କୌଣସି କାରଣରୁ ସ୍ବାମୀ ମରିଗଲା । ପିଲାପିଲି ହେଇ ନଥିଲେ । ଝିଅକୁ ବାପା ଘରକୁ ନେଇଗଲେ । ଠିକ୍ ଏତିକିବେଳେ ବାବାଜୀ ସେଠାରେ ପହଞ୍ଚି କ'ଣ ପାଠ ପଢ଼େଇଲା କେଜାଣି ଝିଅଟି ମାତାଜୀ ହେବାକୁ ରାଜି ହେଇଗଲା । ଧଳା ଶାଢ଼ୀ ପିନ୍ଧି ମୁଣ୍ଡରେ ଉର୍ଦ୍ଧପୂଣ୍ଡରୀକ ତିଳକ ବେକରେ ତୁଳସୀ ମାଳୀ । ଅବଶ୍ୟ ଚେହେରା ଟି ମନ୍ଦ ନୁହେଁ, ଶ୍ୟାମଳ ବର୍ଣ୍ଣା । ତାପରେ ମଠରେ ଚାଲିଲା ରାସଲୀଳା । ଦିନେ ଜଣେ ସ୍ତ୍ରୀଲୋକ ଭୋଗ କରିବାକୁ ମଠକୁ ଯାଇଥିଲା । ଆଉ ଯାହା ଦେଖିଲା ଆସି ଗାଆଁ ସାରା ଡିବିଡିବି କରି କହିଲା । "ମାତାକୁ କୋଳରେ ବସେଇ ଗୋସେଇଁ ବୋକ ଦେଉଥିଲା । ଆଉ ମାତା ତାକୁ ଜାବୁଡ଼ି ଧରିଥେଲା । ଅଧା ନଙ୍ଗଳା ଅବସ୍ଥାରେ ଥିଲେ, ମତେ ଦେଖିକି ତରବରରେ ଘର ଭିତରକୁ ପଶିଗଲେ" ।


    ଜାଣିଲୁ ବିଜୁ!! ଏହା ପରେ ଗାଁ ସାରା ଖାଲି ଟୁପୁର୍ ଟାପର୍ ବିଲୁଆ ବିଚାର ଚାଲିଲା । କିଛି ଲୋକ ବାହାରିଲେ ବାବାଜୀକୁ ପଚାରିବା ପାଇଁ । ବାବାଜୀ ଆଗରୁ କେତୁଟା ଲୋକଙ୍କୁ ପଇସା ପତ୍ର ଦେଇ ହାତ କରିଥିଲା । ତେଣୁ ସେମାନେ ବିରୋଧ କଲେ କହିଲେ ପ୍ରମାଣ କ'ଣ ଅଛି? ଜଣଙ୍କ ମୁହଁରୁ ଶୁଣିବା ପ୍ରମାଣ ନୁହେଁ । ଆହୁରି ପ୍ରମାଣ ଦରକାର । ଲୋକମାନେ ଚୁପ୍ ହେଇଗଲେ ।


    ମୁଁ କହିଲି ଏମିତି ହେଲେ ଦୁହିଁଙ୍କୁ ବାହା କରିଦେଲେ ଭଲ କାମଟେ ହେବ? ସାଧୁ କୂଳକୁ ନିନ୍ଦା ହେବନି କି ଧର୍ମ ଧାରଣା ପ୍ରତି ଲୋକଙ୍କ ଆସ୍ଥା କମିବନି ।

    ବସନ୍ତ କହିଲା ଭଲ କଥା କହୁଛୁ? ହଇରେ! ଯଦି ବାହାଘର ହେବ ଆଉ ଏ ମଠରେ ତା'ର କିଛି ଅଧିକାର ରହିବ ନାହିଁ । ସମ୍ପତ୍ତି ସବୁ ହାତରୁ ପଳେଇଵ । ତେଣୁ ଏଇଟା ଭଲ ବାଟ ସାଧୁ ବେଶରେ ରହି ସମାଜ ଆଖିରେ ଆଙ୍ଗୁଠି ଗେଞ୍ଜି କାମ ବାସନା କୁ ଚରିତାର୍ଥ କରିବା । ଯାବତ୍ୟ ଘୃଣ୍ୟ କାମ କରିବାର ଏଇଟା ହେଲା ବଢ଼ିଆ ଉପାୟ । ହଁ ଶୁଣ! ଏଇ ଦୁଇ ଦିନ ତଳର ଘଟଣା । ମିଛ କେଭେଁ ଲୁଚି ରହେନା,ବଳେ ବଳେ ସାମ୍ନାକୁ ଆସିଯାଏ । ମାତାର ଜ୍ଵର ହେଉଛି କହି ଡାକ୍ତରଖାନା ଗଲା ମାତାକୁ ନେଇ । ଫେରିଲା ଚାରି ଘଣ୍ଟା ପରେ । ଆସିଲା ବେଳେ ଲୋକ ଦେଖିଛନ୍ତି ବାବାଜୀ କାନ୍ଧରେ ମୁଣ୍ଡ ରଖି ଶୋଇଛି ଆଉ ତାକୁ କୁଣ୍ଢେଇ ଧରିଛି । ମଠ ଭିତରକୁ ଯାଇ ପାରୁନଥାଏ ବାବାଜୀ ତାକୁ ଟେକି ଟେକି ନେଲା । କଥା କ'ଣ? ଗଲାବେଳେ ତ ଭଲ ଥିଲା ଆଉ ଫେରିବା ବେଳକୁ ଏତେ ସାଙ୍ଘାତିକ ହେଲା କେମିତି? ଆମ ଗାଁର ପିଲାଟିଏ ଗୋଟେ ଘରୋଇ କ୍ଲିନିକ୍ ପାଖରେ ପାନ ଦୋକାନ କରିଛି । ସିଏ ଦେଖିଲା ଏ ଦୁହେଁ ସେଇ କ୍ଲିନିକ୍ କୁ ଗଲେ ଆଉ ଫେରିଲେ ଘଣ୍ଟାଏ ପରେ । ତା ମନରେ ସନ୍ଦେହ ହେଲା । ଗୋଟେ ସୁଇପର୍ ତାଠାରୁ ପାନ ଖାଏ । ଇଏ ତାକୁ ମାଗଣାରେ ପାନ ଆଉ ବିଡ଼ି ଦେଇ କଥାଟି ଆଦାୟ କରିନେଲା । କ'ଣ କି ମାତା ତିନି ମାସର ଗର୍ଭ ନଷ୍ଟ କରିବା ପାଇଁ ଆସିଥିଲା ।


    ବିଜୁଳି ବେଗରେ କଥାଟା ରାଷ୍ଟ୍ର ହେଇଗଲା । ଚାରିଖଣ୍ଡ ମୌଜା ଲୋକ ଜାଣିଗଲେ । ସରପଞ୍ଚଙ୍କ ପାଖରେ ଗାଁ ଲୋକେ ପହଞ୍ଚି ଫେରାଦ କଲେ, ଆଜ୍ଞା! ବାବାଜୀ ମାତାକୁ ଏଠାରୁ ତଡ଼ା ଯାଉ ନହେଲେ ଆମେ ଦୁହିଁଙ୍କୁ ବାଡ଼େଇ ବାଡ଼େଇ ମଠରୁ ବାହାର କରିବୁ । ତାପର ଦିନ ପଞ୍ଚାୟତ ସଭା ବସିଲା । ବାବାଜୀ ସରପଞ୍ଚଙ୍କ କୌଣସି ଉତ୍ତର ଦେଇ ପାରିଲାନି । କାରଣ ପାନ ଦୋକାନୀ ଓ ସେ ସୁଇପର୍ ସାକ୍ଷୀ ଦେଲେ । ସମସ୍ତ ଭଦ୍ରଲୋକ ମାନେ ନିଷ୍ପତ୍ତି ନେଇ ଦୁହିଁଙ୍କୁ ମଠରୁ ବହିଷ୍କାର ଆଦେଶ ଦେଲେ । ଆଉ ଆଜି ଦୁହିଁଙ୍କର ବିଦାୟ ନେବାର ଦିନ । ଗାଁ ଲୋକେ ପୁରୀର କେଉଁ ମଠରୁ ଜଣେ ବୟସ୍କ ବାବାଜୀ ଆଣିଛନ୍ତି ତାଙ୍କୁ ମହନ୍ତ କରାଯିବ । କିଛି ଲୋକ ଦେଖିବାକୁ ପାଇଲେ ମାତାକୁ ନେଇ ଗଲାବେଳେ ଏକ ଆମ୍ବଗଛ ମୂଳରେ ବାବାଜୀ ଓ ମାତା ଦୁହେଁ କାନ୍ଦୁଥିବାର । ବୋଧେ ବାବାଜୀ ଭିତରେ କିଛି ଅନୁତାପ ଆସିଲା ନିଜ କଲା କର୍ମ ପାଇଁ । ବହୁତ ସମୟ ପର୍ଯ୍ୟନ୍ତ କାନ୍ଦୁଥିଲା ।


    ମୁଁ ବସନ୍ତର ସବୁ କଥା ଶୁଣି କହିଲି ଭଲ ହେଲା ବ୍ୟଭିଚାରୀ ପ୍ରତି ଉଚିତ୍ ଦଣ୍ଡ ବିଧାନ ହେଇଛି ।

    ପଛରେ ଶୁଣିବାକୁ ମିଳିଲା ବାବାଜୀ ଗଲାବେଳେ ମଠକୁ ଦାନ ସୂତ୍ରରେ ମିଳିଥିବା ଦୁଇକିଲେ ଉପରେ ସୁନା ଆଉ ଲକ୍ଷେ ପାଖାପାଖି ଟଙ୍କା ଲୁଗା ଗଣ୍ଠିଲି ଭିତରେ ଲୁଚାଇ ନେଇ ଯାଇଛି ।  କଟକରେ ଘରଟିଏ କିଣି ମାତାକୁ ଧରି ଗୃହସ୍ଥ ହେଇଯାଇଛି । 


    


Rate this content
Log in

Similar oriya story from Crime