Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Bijayananda Pattanaik

Tragedy

2.3  

Bijayananda Pattanaik

Tragedy

ରୂପଜିବୀର ନୂଆବର୍ଷ

ରୂପଜିବୀର ନୂଆବର୍ଷ

4 mins
514



କାଉ କାଆ କରିବାକୁ ଆହୁରି ସମୟ ବାକି ଅଛି। ହଷ୍ଟେଲ ସାମ୍ନା ରାସ୍ତାରେ ସ୍କୁଲ ବସ୍ ଟା ହର୍ଣ୍ଣ ବଜେଇ ଚାଲିଗଲା। ନିଦଟା ହଠାତ୍ ଭାଙ୍ଗିଗଲା ତନୟାର। ହାଡ଼ଭଙ୍ଗା ଶୀତରେ କୁକୁର ବିଲେଇ ମଧ୍ୟ ବାହାରୁ ନାହାଁନ୍ତି। କୁହୁଡ଼ିର ମୋଟା ଚାଦର ଭିତରେ ସକାଳଟା ଥୁରୁଥୁରୁ ହୋଇ କମ୍ପୁଛି।ବିରକ୍ତ ହୋଇ ପୁଣି ମୁଁହ ଘୋଡ଼ି ହୋଇ ଶୋଇବାକୁ ଚେଷ୍ଟା କଲା ତନୟା କିନ୍ତୁ ମୋବାଇଲ୍ ଟା ବାଜି ଉଠିଲା।ରାଗଟା ମୁଣ୍ଡକୁ ଚଢ଼ିଗଲା ତନୟାର। ନିଦ ମଳମଳ ଆଖିରେ ପଚାରିଲା ହାଲୋ...

ହାଏ କୁଇନ୍.... ଗୁଡ୍ ମର୍ଣ୍ଣିଂ..... ହାପି ନ୍ୟୁଇୟର୍।

ମ୍ୟାଡାମ୍ ଗୁଡ ମର୍ଣ୍ଣିଂ,ସେମ୍ ଟୁ ୟୁ।

ତନୟା କାଲି କେତେବେଳେ ଫେରିଲ?

ରାତି ବାରଟା ହେବ ବୋଧେ।

ତମ ଆକାଉଣ୍ଟ୍ କୁ ଟଙ୍କା ପଠେଇ ଦେଇଛି। ମେସେଜ ଦେଖିଥିବ ନିଶ୍ଚୟ।

ହଁ ଦେଖିଚି... ଆଜିର ଆପଏଣ୍ଟମେଣ୍ଟ?

ସନ୍ଧ୍ୟା ସାତଟା ବେଳକୁ ହୋଟେଲ ନିଉ ଲାଇଫ୍ ରୁମ୍ ନମ୍ବର ଶହେଚଉଦ।

ଏଜ୍? 

ତିରିଶ ଭିତରେ ବୋଧେ। କିନ୍ତୁ ପଇସା ବାଲା।

ନିଉ ଇୟର୍ ଟା ଜମିବ ଆଜି....

ଏନଜଏ ବେବି।ବେଷ୍ଟ୍ ଅଫ୍ ଲକ୍।

ସେପଟୁ କଲ୍ କଟିଗଲା।ତନୟା ଆଉ ଶୋଇ ପାରିଲାନି ନୂଆବର୍ଷକୁ ସେଲିବ୍ରେସନ୍ କରିବା ପାଇଁ ଆଜି ସବୁଠାରୁ ବଢ଼ିଆ ମଉକା ଆସିଛି। କିଛି ସପିଂ କରାଯାଉ ଆଜି, ଓଃ କି ଶୀତ ଟିକେ କଫି ପିଇବା।ହଷ୍ଟେଲ ଆୟା ଛୁଟିରେ... କ'ଣ କରିବ ଚିନ୍ତା କଲା ତନୟା।ଇଣ୍ଡକସନ୍ ହିଟର ଲଗାଇ ପାଣି ଗରମ କଲା ଅମୂଲ ଫେଣ୍ଟି କଫି ତିଆରି କଲା।ଢୋକେ ପିଇଛି ଫୋନ୍ ରିଙ୍ଗ୍ ହେଲା।ଦେଖିଲା ବାପା କରିଛନ୍ତି।ଛାତିରୁ ତାର ନିଆଁ ହୁଳାଟେ ଖସି ପଡ଼ିଲା। ଏତେ ଶୀତରେ ଦେହରୁ ଝାଳ ବହିଗଲା ତା'ର।ସାହାସ କରି ପାରିଲାନି। ନିଜକୁ ସ୍ବାଭାବିକ କରିବାକୁ ଚେଷ୍ଟା କଲା ଆଉ ଫୋନ୍ ରିସିଭ୍ କଲା......

ବାପା ନମସ୍କାର।

ହାପି ନ୍ୟୁଇୟର୍... ତୋ ଦେହ ଭଲ ନାହିଁକି ଝିଅ?ତୋ ସ୍ବରଟା ଏମିତି କାହିଁକି ଶୁଭୁଛି? ଭୁବନେଶ୍ୱରରେ ଏବର୍ଷ ବହୁତ ଶୀତ ପଡ଼ିଥିବା ଟିଭି ରେ କହୁଥିଲା। ଦେହକୁ ଜଗିରଖି ଚଳିବୁ। ମୁଁ କ'ଣ ତୋ ପାଖରେ ଅଛି ଯେ ଔଷଧ ଆଣିଦେବି। ହଁ ଝିଅ! ଦେଖିବୁ ଆକାଉଣ୍ଟକୁ ପାଞ୍ଚ ହଜାର ଟଙ୍କା ପଠେଇଛି। ଅଳ୍ପ ରୋଜଗାର ମୋର ଏଠାରେ ପୁଣି ସମସ୍ତେ ଚଳିବା।ଆଉ ତତେ ଦେଇସାରି ମୋ ପାଖରେ କିଛି ବଳୁନି ଝିଅ।କଷ୍ଟେମଷ୍ଟେ ଚଳିଯା। ଭଗବାନ ନିଶ୍ଚୟ ତତେ ଭଲ ଚାକିରିଟିଏ ଦେବେ।

ବାପା ତମେ ସେମିତି କୁହନି। ମୁଁ ସେତିକିରେ ଚଳି ପାରୁଛି।

ମୋ ସୁନା ଝିଅ ପରି କିଏ ଅଛି।ତୋ ବୋଉ ସକାଳୁ ଉଠି କାନ୍ଦିଲା, ତତେ ଦେଖିବାକୁ କହିଲା। ଦେଖୁଛୁ କେତେ ଥଣ୍ଡା, ଭୁବନେଶ୍ୱର ଗଲେ ତା ଆଜମା ଆହୁରି ବଢ଼ିଯିବ।ଟିକେ ଭଲ ଅଛି ବର୍ତ୍ତମାନ। ତାକୁ କହିଲି ଏପ୍ରିଲ ମାସରେ ଯିବା। ଝିଅକୁ ନେଇ ପୁରୀ ଦର୍ଶନ କରିବା। ବୋଉକୁ ଫୋନ୍ ଦେବି?

ନାଁ ବାପା ଦିଅନି! କାନ୍ଦିବ ଏଇନେ। ମୁଁ ବି ସମ୍ଭାଳି ପାରିବିନି।

ରଖୁଚି ବାପା।

ହଉ ଦେହକୁ ଜଗିରଖି ଚଳିବୁ ହେଲା।

ବାପା ନମସ୍କାର।କହି ଫୋନ୍ କାଟିଦେଲା ତନୟା। ଦେହ ସାରା ଝାଳରେ ଜୁଡ଼ୁବୁଡ଼ୁ। 


    ବାପାଙ୍କ ପାଖରେ ଅପରାଧ ଉପରେ ଅପରାଧ କରି ଚାଲିଛି। ତାଙ୍କ ବିଶ୍ଵାସ ଓ ସ୍ନେହକୁ ବିଷ ଦେଇ ମାରି ଚାଲିଛି। ପାପବୋଧ ଏକ ଭୟଙ୍କର ରାକ୍ଷସର ରୂପେ ତାକୁ ଗ୍ରାସି ଦେଉଛି ଯେପରି ।

    ଝିଅ ମୋ'ର ପାଠ ପଢ଼ି ଭଲ ଚାକିରୀ କରିବ। ଗାଁର ନାଁ ରଖିବ। କେତେ ସ୍ବପ୍ନ ନେଇ ଏମ୍ ଏ ପଢ଼ିବା ପାଇଁଁ ହଷ୍ଟେଲରେ ଛାଡିଛନ୍ତି। କିନ୍ତୁ ସେ ଏଠି ଷ୍ଟାଟସ୍, ଆଭିଜାତ୍ୟ ମେଣ୍ଟେନ୍ କରିବା ପାଇଁ କଲ୍ ଗାର୍ଲ୍ ଧନ୍ଦା କରୁଛି।ତା ସାଙ୍ଗ ଲିପି ଏ ଧନ୍ଦାରେ ତାକୁ ଭର୍ତ୍ତି କରିଛି।ଏଜେଣ୍ଟ ଦାଶ ମ୍ୟାଡାମ୍ ର ସେକ୍ସ ରାକେଟରେ ତା'ର ଚାହିଦା ବେଶୀ। କାରଣ ତାର ଆକର୍ଷଣୀୟ ଚେହେରା ପାଇଁ। ରୋଜଗାର ବହୁତ। ଦେହର ଭୋକ ମେଣ୍ଟେଇ ବାକୁ ନୂଆ ନୂଆ ଦେହର ସ୍ବାଦ ମିଳୁଛି ତାକୁ। ହଁ କିଏ ବା ଚିହ୍ନିଛି ତାକୁ ଏତେବଡ଼ ସହର ଭିତରେ। ଗତକାଲି ଜଣେ କ୍ଲାସ ୱାନ୍ ଅଫିସରର ଶଯ୍ୟା ସଙ୍ଗିନୀ ହୋଇଥିଲା ମନଭରି ତା ବିବଶନା ଦେହକୁ ଉପଭୋଗ କରିଥିଲା ଲୋକଟା। ଯେପରି ସହସ୍ର ବର୍ଷର ଜୈବିକ କ୍ଷୁଧାର ବୁଭୁକ୍ଷୁ। ଗଲାବେଳେ ଖୁସିରେ ଦୁଇ ହଜାର ଟଙ୍କା ଏକ୍ସଟ୍ରା ଟିପ୍ସ ଦେଇଗଲା। ଏମିତି କେତେ ବୁଭୁକ୍ଷୁ ତା ଦେହକୁ ଉପଭୋଗ କରିଛନ୍ତି।ସହସ୍ର ଶଯ୍ୟାର ନାୟିକା ମୋହର ଲାଗି ଯାଇଛି ତା ଦେହରେ।

    ତନୟାର ଦେହ ମନ ଭିତରେ ଝଡ଼ ବୋହିବାକୁ ଲାଗିଛି। ବାପାଙ୍କ ମୁହଁ ତା ଆଖି ଆଗରେ ନାଚି ଚାଲିଛି, ଯେପରି କହୁଛନ୍ତି ଝିଅ ମୋ ବିଶ୍ଵାସକୁ ତୁ ମାରିଦେଲୁ? ମଣିଷ ହୋଇ ତୁ ସମାଜରେ ବଞ୍ଚି ରହିବା ପାଇଁ ମୋ'ର ସବୁ ଚେଷ୍ଟା ସତରେ ଭାଙ୍ଗିଦେଲୁ?

    ବାପା ଦେଇଥିବା ଜଗନ୍ନାଥଙ୍କ ଫଟୋଟିଏ ଟେବୁଲ୍ ଉପରେ ଥାଏ। କିଛି ନ ହେଲେ ବି ଧୂପକାଠି ଜାଳିବାକୁ ଭୁଲେନି ସେ।ଦେଖିଲା ଆଜି ଯେପରି ସେ କଳା ମୁହଁ ଭିତରେ ବାପା ହସୁଛନ୍ତି।ଟହ ଟହ ଆବିଳତା ଶୂନ୍ୟ ହସ। ଆଶ୍ଵାସନାର ହସ। ସମ୍ଭାଳି ପାରିଲାନି ତନୟା ଫଟୋକୁ ନିଜ ଛାତିରେ ଚାପିଧରି ମନଇଛା କାନ୍ଦିଲା।କାନ୍ଦି କାନ୍ଦି ଲୁହରେ ଭିଜିଗଲା ଫଟୋଟି। ଶେଷରେ ନିଦରେ ଶୋଇ ପଡ଼ିଲା।ନିଦ୍ରା ଓ ସ୍ବପ୍ନର ମଝିରେ କିଏ ଯେପରି ତାକୁ ମଧୁର ସ୍ଵରରେ କହୁଥିବାର ଶୁଣୁଛି.... "ତନୟା.... ଗଙ୍ଗା କ'ଣ ଅପବିତ୍ର କେବେ ହୋଇପାରେ? ଚନ୍ଦ୍ରର କ'ଣ ଦାହିକା ଶକ୍ତି ଥାଏ? ତନ୍ଦ୍ରାବସ୍ଥା କଟିଗଲା, ହଠାତ୍ ଉଠିପଡ଼ିଲା ସେ।ମନେ ମନେ ନିଷ୍ପତ୍ତି ନେଲା ତାକୁ କ'ଣ କରିବାକୁ ହେବ। ନିଜ ରାସ୍ତା ବାଛି ନେଲା।

    ସନ୍ଧ୍ୟା ସାତଟାରେ ନିର୍ଦ୍ଧାରିତ ଜାଗାରେ ପହଞ୍ଚି ଗଲା। ରୁମ୍ ଖୋଲି ଭିତରକୁ ଗଲା। ଆଗରୁ ଯୁବକ ଗରାଖଟା ଖଟରେ ଅପେକ୍ଷା କରିଛି, ପାଖରେ କିଛି ସ୍ନାକ୍ସ ଓ ବିୟର୍ ବୋତଲ।

 ହାଏ ବେବି ୱେଲକମ୍.....ହ୍ଵାଟସ୍ ୟୋର୍ ନେମ୍??

 ଶୀଲା.....

 ୱାଓ..... ଭେରି ନାଇସ୍ କହି ଲୋକଟା ତନୟାର ହାତ ଧରି ଖଟକୁ ଭିଡ଼ି ନେଲା.... ନିଜ ଆୟତ୍ତରେ ନଥିଲା ଲୋକଟା। କାମନାରେ ଜଳୁଥିଲା ଯେପରି.... କିଛି କରିବା ପୂର୍ବରୁ ହୋଟେଲ ଭିତରେ ହୁଇସିଲ୍ ବାଜି ଉଠିଲା। ଧଡ଼ କରି ରୁମ୍ କବାଟକୁ ବାହାର ପଟୁ କିଏ ଜୋରରେ ଧକ୍କା ମାରିଲା ଓ କବାଟଟା ଖୋଲିଗଲା। ଦୁଇଜଣ ପୋଲିସ ଭିତରକୁ ପଶି ଲୋକଟାକୁ ମାଡ଼ି ବସିଲେ।ଆଉ ଜଣେ ମହିଳା ପୋଲିସ ତନୟାର ହାତ ଧରି ବାହାରକୁ ନେଇ ଆସିଲେ। ସେଇ ହୋଟେଲରୁ ଅସଞ୍ଜତ ଅବସ୍ଥାରେ ଆହୁରି କେତେ ଧରାପଡିଲେ। ହୋଟେଲ କରିଡ଼ର ବାଟରେ ଆସିଲା ବେଳେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ମହିଳା ପୋଲିସଙ୍କ ହାତରୁ ନିଜକୁ ଖସାଇ ନେଇ ତନୟା ହୋଟେଲର ପଛପଟ ଡୋର୍ ଆଡ଼କୁ ଜୋରରେ ଧାଇଁଲା ଆଉ ଅନ୍ଧାର ଭିତରେ ହଜିଗଲା।

    ସକାଳୁ ସକାଳୁ କିଏ କବାଟ ବାଡ଼େଇବା ଶୁଣି ନୀଳାଦ୍ରି ବାବୁ କହିଲେ ରହ ଖୋଲୁଛି।କବାଟ ଖୋଲି ଆଶ୍ଚର୍ଯ୍ୟ ହୋଇଗଲେ... ।ଝିଅ.. ତୁ... ଆସିଲୁ କେମିତି? କାଲି ତ ମତେ ଆସିବା କଥା କହି ନଥିଲୁ? ଦେହ ଭଲ ନାହିଁକି? ହେ ଶୁଣୁଛ... ଝିଅ ଆସିଲାଣି।ବାୟାଣୀଟା କ'ଣ ଭାବିଚି ମନରେ ବୋଧେ ପଳେଇ ଆସିଲା।ତନୟା ବ୍ୟାଗଟା ତଳେ ଫୋପାଡି ଦେଇ ବାପାଙ୍କୁ କୁଣ୍ଢେଇ କଇଁ କଇଁ ହୋଇ କାନ୍ଦି ଉଠିଲା। ନୀଳାଦ୍ରି ବାବୁ ତା ମୁଣ୍ଡକୁ ଆଉଁସି ପଚାରିଲେ କଣ ହେଇଚି କହ?


ନାଇଁ ବାପା ତମେ ବହୁତ ମନେ ପଡ଼ିଲ। ତମକୁ ଦେଖିବାକୁ ଚାଲି ଆସିଲି। ମୋର ଆଉ ସେ ୟୁନିଭରସିଟିରେ ପଢ଼ିବା ଦରକାର ନାହିଁ। ମୋ'ର ପ୍ରକୃତ ୟୁନିଭରସିଟି ତମେ। ମୁଁ ଏକ ମିଛ ଦୁନିଆଁରୁ ବାହାରି ଆସି ସତର ଆଲୋକ ପାଇଛି।

ତୁ ଏମିତି କ'ଣ କହୁଚୁ?

ହଇହେ ଆସିଲ ଶୁଣିବ ଝିଅ ଏମିତି କ'ଣ କହୁଚି।

ନାଇଁ ବାପା ସତ କହୁଛି ବହୁତ ପାଠ ସେଠି ପଢ଼ିଲି। ଆଉ ଦରକାର ନାହିଁ।

ହଉ ହଉ ତୁ ଆଗ ଯାଇ ଶୋଇପଡ଼। ଉଠିଲେ ଦେଖିବା। ମୁଁ ବଜାରରୁ କିଛି ଜଳଖିଆ ନେଇ ଆସୁଛି।

କୁଆଡ଼େ ଗଲ ମ.... ଝିଅକୁ ଚାଆ ଦିଅ।

   ଟିଭିରେ ସମ୍ବାଦ ଦେଉଥିଲା ଭୁବନେଶ୍ୱର ନିଉ ଲାଇଫ ହୋଟେଲ ଗତ ରାତିରେ ପୋଲିସ ରେଡ୍ କରି କିଛି ଦେହଜିବୀଙ୍କୁ ଉଦ୍ଧାର କରିଛି ଓ କିଛି ବ୍ୟକ୍ତିଙ୍କୁ ଆରେଷ୍ଟ କରିଛି। ଏହି ସେକ୍ସ ରାକେଟକୁ ଚଳାଉଥିବା ମୁଖ୍ୟ ରାଣୀ ମହୁମାଛି ଦାଶ ମ୍ୟାଡାମ୍ କୁ ପୋଲିସ ତା ଘରୁ ଗିରଫ କରି କୋର୍ଟ ଚାଲାଣ କରିଛି।


Rate this content
Log in

More oriya story from Bijayananda Pattanaik

Similar oriya story from Tragedy