Bijayananda Pattanaik

Comedy

3  

Bijayananda Pattanaik

Comedy

କୁଆଡ଼େ ଆସିଥିଲେ

କୁଆଡ଼େ ଆସିଥିଲେ

3 mins
403



ପ୍ରସଙ୍ଗଟି ହେଉଛି ପ୍ରଶ୍ନ ପଚାରିବାର ଶୈଳୀ ଅନେକ ଲୋକ ଜାଣିନାହାନ୍ତି । କାରଣ ଏହା ଏକ କଳା, ଉଭୟ ପକ୍ଷର କୌଣସି ମର୍ଯ୍ୟାଦା ହାନୀ ନହୋଇ ସମାଧାନର ସାବଲୀଳ ବୋଧଗମ୍ୟ ଉପସ୍ଥାପନା କରାଯାଇ ପାରିଲେ ପ୍ରଶ୍ନକର୍ତ୍ତା ଓ ଉତ୍ତରଦାତା ଉଭୟଙ୍କ ମନକୁ ସନ୍ତୁଷ୍ଟି ଆସିଥାଏ । ବହୁତ ଲୋକ ଅଛନ୍ତି ଯେଉଁମାନେ ପ୍ରଶ୍ନର ଉପସ୍ଥାପନା ଅପ୍ରାସଙ୍ଗୀକ ଶୈଳୀରେ କରନ୍ତି ଯାହାକି ଅପର ପକ୍ଷକୁ ଅସ୍ବସ୍ତି ଲାଗେ । ସମ୍ବୋଧନାତ୍ମକ ପ୍ରଶ୍ନ ମଧ୍ୟ ଏହି ଶ୍ରେଣୀରେ କିଛି ଲୋକ କରନ୍ତି । ପ୍ରଶ୍ନଟି ହେଉଛି"କୁଆଡ଼େ ଆଇଥେଲ"? ଏହି ପ୍ରଶ୍ନ ସହିତ ଆପଣମାନେ ଅଳ୍ପ ବହୁତେ ପରିଚିତ ।


   ପ୍ରଶ୍ନକର୍ତ୍ତା ଜାଣି ମଧ୍ୟ ନଜାଣିଲା ପରି ପଚାରନ୍ତି ଅପର ପକ୍ଷକୁ ଏହି ପ୍ରଶ୍ନଟି । ଯେମିତିକି ଆପଣ ଅଫିସ ଆସିଥିବେ ବନ୍ଧୁ ପଚାରିବେ" କୁଆଡ଼େ ଆସିଥିଲେ"? ଏଥିରେ ଆପଣ ନିଶ୍ଚୟ ବିରକ୍ତି ବୋଧ କରିବେ । ମନେ ମନେ ରାଗିବେ ତାଙ୍କୁ । ଆଉ ହସି ହସି ଉତ୍ତର ଦେବେ"ଅଫିସ" । ଫିଲ୍ମ ହଲ୍ ନିକଟରେ ମଧ୍ୟ ବନ୍ଧୁଙ୍କର ଏହି ପ୍ରଶ୍ନ । ବଜାର ଘାଟରେ ମଧ୍ୟ ବନ୍ଧୁ ଭେଟିଲେ ଏହି ପ୍ରଶ୍ନ । ଡ଼ାକ୍ତରଖାନାରେ ମଧ୍ୟ ଏହି ପ୍ରଶ୍ନ । ମୁଣ୍ଡଟା ବିଗିଡ଼ି ଯିବ ସତେକି ।


   କଲେଜ ପଢ଼ିବା ବେଳର ପ୍ରସଙ୍ଗଟିଏ ଲେଖୁଛି । ଅନର୍ସ କ୍ଲାସ୍ କୁ ଯିବା ସମୟରେ ଅଧିକାଂଶ ସମୟରେ ଇତିହାସ ଅନର୍ସର ବନ୍ଧୁ ନରିଆ ଭେଟ ହୋଇଯାଏ । ହସିକି ପଚାରେ କୁଆଡ଼େ ଆସିଥିଲୁ? ପ୍ରଥମେ ପ୍ରଥମେ ମୁଁ ତା'ର ଏହି ପ୍ରଶ୍ନର ଉତ୍ତର ଦିଏ "କ୍ଲାସକୁ" । କିନ୍ତୁ ଦେଖିଲି ଏଇଟା ତା'ର ଗୋଟାଏ ଅଭ୍ୟାସ । ଏହି ପ୍ରଶ୍ନଟି ସେ ପ୍ରାୟ ବନ୍ଧୁ ମାନଙ୍କୁ ପଚାରେ । ଧୀରେ ଧୀରେ ବିରକ୍ତି ବୋଧ ବଢ଼ିଲା ତା ପ୍ରତି । ଦିନେ ତାକୁ ପଚାରିଲି ତୋ ପାଖରେ କ'ଣ ଆଉ କିଛି ପ୍ରଶ୍ନ ନାହିଁ ପଚାରିବାକୁ? ଜାଣି ଶୁଣି ଏମିତି ପଚାରିବା ମାନେ କଣ? କିଛି ନ କହି ସେ ଚାଲିଗଲା । ଏହି ଅଭ୍ୟାସକୁ ତା ଠାରୁ ଛଡ଼ାଇବା ପାଇଁ କେତେ ଜଣ ବନ୍ଧୁ ମିଶି ଗୋଟାଏ ଆଲୋଚନା କଲୁ । ଆସନ୍ତା କାଲି ଠାରୁ ଏହାର ପ୍ରୟୋଗ କରାଯିବା ପାଇଁ ଠିକ୍ କଲୁ ।


   ପରଦିନ ପ୍ରଥମେ ନରିଆ ସହିତ ବିଭୁ ଭେଟ ହେଇଗଲା । ହସି ହସି ପ୍ରଶ୍ନ"କୁଆଡ଼େ ଆସିଥିଲୁ"?

 ବିଭୁ ହସି ହସି କହିଲା ତୋ ଶ୍ରାଦ୍ଧ କରିବାକୁ ପରା । ସମସ୍ତେ ଫେଁ ଫେଁ କରି ହସିଉଠିଲେ । ବିଚରା ନିର୍ଲଜଙ୍କ ପରି ହସିଦେଇ ପଳେଇଲା । ତାପରେ ଅମୂଲ୍ୟକୁ ସେହି ପ୍ରଶ୍ନ । ଅମୂଲ୍ୟ କହିଲା ପରିବା କିଣିବାକୁ ଆସିଥିଲି । ନରିଆର ମୁଣ୍ଡ ବୋଧେ ଝାଇଁ ମାରିଗଲା କାରଣ ମୁହଁଟାକୁ ଆମ୍ବିଳା କରିଦେଲା । କିଛି ବନ୍ଧୁ ହସିଦେଲେ ତା ପଛରେ । ତା ସାମ୍ନା ପଟରୁ ଟୁଟୁ ଆସୁଥିଲା ନରିଆ ବୋଧେ ସଚେତନ ହେଇ ଗଲାଣି ସେତେବେଳକୁ । କିଛି ପଚାରିଲା ପୂର୍ବରୁ ଟୁଟୁ ବଡ଼ ପାଟିରେ କହିଲା ତୋ ପ୍ରଶ୍ନର ଉତ୍ତର ଦେଉଛି ମୁଁ ଆସିଥିଲି ଝାଡ଼ା ଫେରିବାକୁ । ହାସ୍ୟରୋଳ ଉଠିଲା, ନରିଆ ବୋକା ହେଇଗଲା ବନ୍ଧୁ ମାନଙ୍କ ବ୍ୟବହାରରେ । ନିଜକୁ ଅପମାନିତ ବୋଧ କଲା । ଠିକ୍ ସେତିକି ବେଳେ ଅକ୍ଷୟ ପହଞ୍ଚିଗଲା, ଆରେ ନରିଆ ମୁଁ ହାଟକୁ ଆସିଥିଲି । ଏଇଠି କେଉଁଠି ମୋ ହାତ ଘଣ୍ଟା ଟି ଖସିପଡି଼ଛି ତୁ ଦେଖିଚୁ କିରେ? ସମସ୍ତେ ହସି ଉଠିଲେ । ନରିଆ କାନ୍ଦ କାନ୍ଦ ହୋଇଗଲା । ମୁହଁ ଲୁଚେଇ କ୍ଲାସ ରୁମକୁ ଚାଲିଗଲା ।


 ସପ୍ତାହେ ପର୍ଯ୍ୟନ୍ତ କଲେଜକୁ ଆସିଲାନି ନରିଆ । ମତେ ବଡ଼ ବ୍ୟସ୍ତ ଲାଗିଲା,ସରଳ ନିଷ୍କପଟ ପିଲାଟା, ଅପମାନ ତାକୁ ବହୁତ ବାଧିଛି ବୋଧେ । କାଳେ କ'ଣ କରିବସିବ? ଉପରବେଳା ସାଇକେଲରେ ତା ଗାଆଁକୁ ଗଲି । ଗାଁ ଦାଣ୍ଡରେ ଦେଖା ମିଳିଲା ତା ସହ । ମତେ ଦେଖି ପଚାରିଲା ହଇରେ ବିଜୁ କୁ..... ଏତିକି କହି ଚୁପ୍ ରହିଲା । ମୁଁ ଜାଣିଲି ଅଭ୍ୟାସଟା କମି ଗଲାଣି ଔଷଧରେ । କହିଲି ତତେ ଦେଖା କରିବାକୁ ଆସିଥିଲି ତୋ ଦେହ ଭଲ ନାହିଁକି? କଲେଜ ଆସୁନୁ ଯେ? କହିଲା ହଁ ରେ ଦେହ ଭଲ ନଥିଲା କାଲିଠାରୁ ଯିବି । ଏହା ପରଠାରୁ ଏ ପ୍ରଶ୍ନ ଆଉ ନରିଆ ମୁହଁରୁ ଶୁଣାଯାଇନି ।


 ଅଳ୍ପ ଦିନ ତଳର କଥା ଝିଅକୁ ଜ୍ୱର ହେଉଥାଏ, ଡାକ୍ତରଖାନା ତାକୁ ନେଇଥିଲି । ଡାକ୍ତରଙ୍କୁ ଦେଖାକରିବା ସମୟରେ ମୋର ଜଣେ ବନ୍ଧୁ ସେଠାରେ ପୂର୍ବରୁ ଥିଲେ । ମତେ ଦେଖି ହସି ହସି ସେଇ ପୁରୁଣା ପ୍ରଶ୍ନଟି ପଚାରିଲେ । ବଡ଼ ରାଗ ଲାଗିଲା । ଆରେ ନିଜେ ଦେଖୁଛି ଝିଅକୁ ଜ୍ଵର ହେଉଛି ଡାକ୍ତରଖାନା ଆଣିଛି । ପୁଣି ପଚାରୁଛି କୁଆଡ଼େ ଆସିଥିଲେ । ମୁଁ ହସିଦେଇ କହିଲି ଡାକ୍ତରଖାନା ।

 ଏହା ତ ଗଲା ମୋ ଅନୁଭୂତି କଥା । ଆପଣ ମାନେ ନିଶ୍ଚୟ ଏହି ପ୍ରଶ୍ନର ସମ୍ମୁଖୀନ ହୋଇଥିବେ କେତେବେଳେ । ଯାହାକି ଆପଣଙ୍କୁ ଅସ୍ବାଭାବିକ ଲାଗିଥିବ । ଆପଣ ଚୁପ୍ ରହିବା ପାଇଁ ବାଧ୍ୟ ହେଉଛନ୍ତି ବନ୍ଧୁଙ୍କ ସମ୍ମାନ ରକ୍ଷା ଦୃଷ୍ଟିରୁ ।

 ଯଦି ଏହି ଅଭ୍ୟାସଟି କୌଣସି ବନ୍ଧୁଙ୍କର ଥାଏ ତେବେ ବଦଳେଇବା ପାଇଁ ଅନୁରୋଧ ।

    


Rate this content
Log in

Similar oriya story from Comedy