ସଂସ୍କାର
ସଂସ୍କାର
କାର୍ତ୍ତିକ ମାସ ଚାଲିଥିଲା ସକାଳୁ ଉଠି ସ୍ନାନ କରିବାକୁ ପଡିବ। ହେଲେ ଉର୍ବଶୀକୁ ଜମା ଉଠିବାକୁ ମନ ହେଉନଥିଲା। କେତେବା ବୟସ ତାର ବାଇଶବର୍ଷ ଛୁଉଁଛି।ବାପା ମାଆ ଭଲ ପାଠ ପଢିଲାନି ବୋଲି ବାହାକରିଦେଲେ।ହେଲେ ଭାଗ୍ୟ ଖରାପ ବୋଲି ବିବାହର ସୁଖ କଣ ଜାଣିବା ଆଗରୁ ବିଧବା ହେଇଗଲା।ବାପଘରେ ଥିଲାବେଳେ କେତେ ଅୟସରେ ବଢିଥି୍ଲା।ସକାଳ ଆଠ ନଅ ଯାଏ ଶୁଉଥିଲା କେହି ଉଠାଇ ହଇରାଣ କରୁ ନ ଥିଲେ। ଯାହା ମନ ଇଚ୍ଛା ଖାଉଥିଲା। ନାଚ କୁଦ ହୋ ହଲ୍ଲା ମଚାଉଥିଲା।କିଛିକୁ ବାରଣ ନଥିଲା।ବରଂପରଘରି ବୋଲି ଯେତେଦିନ ଘରେ ଅଛି ମନ ମର୍ଜିରେ ଚଳୁବୋଲି ବାପା ତାକୁ ସବୁ କଟକଣା କୋହଳ କରି ଦେଇଥିଲେ। ମଟନ୍ ଚିକେନ ତାର ପ୍ରିୟବୋଲି।ସପ୍ତାହରେ ଦୁଇଦିନ ନିଶ୍ଚୟ ଆସିବ।ଛତୁ ପନୀର ଅଣ୍ଡା ଯାହା ଦେଖିଲେ ମୋଝିଅ ଖାଇବ ବୋଲି ନେଇ ଆସୁଥିଲେ।ଭଲଭଲ ଡିଜାଇନ ବାଲା ଡ୍ରେସ ଦେଖିଲେ ନେଇ ଆସୁଥିଲେ ତାପାଇଁ।
ପରୀ ବୋଲି ତାକୁ ଡାକୁଥିଲେ।ସତରେ ସେ ପରୀଟିଏ ହିଁତ ଥିଲା।ନାଁ ବିତ ସେଥିପାଇଁ ଉର୍ବଶୀ ପଡିଥିଲା।ମଲ୍ଲିଫୁଲିଆ ଗୋରା ରଙ୍ଗ ତାର।ଲାଜେଇଗଲେ ଗାଲ ଗୁଡାକ ଗୋଲାପି ପଡିଯାଏ।ଛଳଛଳ ଆଖିତାର ଟିକିଏ କଥାରେ ଧାରାଶ୍ରାବଣ ଝରିଆଏ।ତେଣୁ ଘରେ କିଛି କହନ୍ତିନି ତାକୁ। ଓଠ ଦୁଇଟା ବିନା ଲିପଷ୍ଟିକରେ ବି ଗୋଲାପ ପାଖୁଡାପରି ନାଲିରଙ୍ଗ।ହସିଲେ ଗାଲରେ ଭଉଁରିଟେ ପଡେ । ଆଉ ତାରଶଯୋଉ ବାହାଡା ଦାନ୍ତଟେ ଅଛି ହସିଲେ ତାର ସୌନ୍ଦର୍ଯ୍ୟକୁ ବୃଦ୍ଧି କରିଦିଏ ବୋଲି ସମସ୍ତେ କହନ୍ତି।ପ୍ଲସଟୁରେ ଥାର୍ଡଡିଭିଜନ ହେବାରୁ ତାକୁ ବାହାକରିଦେଲେ ଏକ ବ୍ୟବସାୟି ପରିବାରରେ।ହେଲେ ଆଲୋକ ମୋଟର ସାଇକେଲ ଧରି ଦୋକାନରୁ ଘରକୁ ଫେରୁଥିବାବେଳେ ଟ୍ରକ୍ ଟେ ଧକ୍କା ଦେବାରୁ ମୃତ୍ୟୁବରଣ କଲେ। ଦୁର୍ଭାଗ୍ୟକୁ ସେଦିନ ହିଁ ହେଲ୍ମେଟ୍ ନେବାକୁ ଭୁଲି ଯାଇଥିଲେ। ଆଲୋକ ତାକୁ ନିଜ ଜୀବନଠୁ ବି ବେଶି ଭଲ ପାଉଥିଲେ। ନିଜ ସାଂଗମାନଙ୍କ ପତ୍ନୀମାନଙ୍କ ତୁଳନାରେ ସେ ବେଶି ସୁନ୍ଦର ଥିବାରୁ ତାଙ୍କ ମନରେ ବଡ ଗର୍ବ ଥିଲା। ଦାମି ଶାଢୀ ଗହଣା ଆଣିଦେଉଥିଲେ।ବୁଲିବାକୁ ଗଲାବେଳେ ସଜକରି ସାଥିରେ ନେଉଥିଲେ।ଆଉ ଆଜି ତାର ଅବସ୍ଥା କୁଳିସ ଘାତରେ ପଦ୍ମର ଯାହା ଅବସ୍ଥା ହୁଏ ସେମିତି ଦରମରା ହେଇଯାଇଛି।ଯେଉଁ ଗାଲରେ ଚାରିଥର କ୍ରିମଘସି ଚକ୍ ଚକ୍ କରୁଥିଲା ଏବେ ତାକୁ ସଜେଇହେବା ମନା ହେଇ ଯାଇଛି। ନିଳଧଡିବାଲା ଧଳା ମୋଟା ସୁତି ଶାଢୀ ଦୁଇହଳ ମିଳୁଛି ପିନ୍ଧିବାକୁ।ସିନ୍ଥିରୁ ପାଦଯାଏ ସବୁ ମୁକୁଳା ଏବେ।ଦିନେ ଦେହସାରା ଅଳଙ୍କାରରେ ସଜେଇ ହେଉଥିଲା।ଖାଇବା ପିଇବାରେ ନାନା କଟକଣା।ଆଇଁଶ ପୂରାମନା।ବାସନା ଶୁଙ୍ଘିଲେ ଖାଇବାକୁ ଇଚ୍ଛାହୁଏ ତାର।ଦିନେ ବିଲେଇ ଥିଲା ସିଏ।ଆଜି କିନ୍ତୁ ବାସନା ଶୁଙ୍ଘିଲେ ବି କୁଆଡେ ପାପ ବୋଲି ଆଈ ଶାଶୁ କୁହନ୍ତି।ଆଈ ଶାଶୁଙ୍କ ସାଙ୍ଗରେ ସବୁ ବିଧବାଙ୍କ ଯାହା ବ୍ରତ ଏକାଦଶୀ ପ୍ରଭୃତି ପାଳିବାକୁ ପଡେ।ଡାଲିଅରୁଆ ଚାଉଳ ଖିଚିଡିରେ ସନ୍ତୁଷ୍ଟ ହେବାକୁ ପଡେ।ବ୍ରାହ୍ମଣ ଘରର ସଂସ୍କାର ନାଁରେ ତା ଉପରେ ଶୀତଳ ଅତ୍ୟାଚାର ଚାଲେ।ତା ମନ ମାନିବାକୁ ନାରାଜ ହେଉଥିଲେବି ସେ କିଛି ପ୍ରତିରୋଧ କରି ପାରେନି।ଭାଗ୍ୟ ଦୋଷ ବୋଲି ନିରବରେ ସବୁ ସହିଯାଏ ଯେତେକ ଯାତନା।ରାତ୍ରୀରେ ଆଲୋକଙ୍କୁ ସପନରେ ଦେଖେ।ତାଙ୍କସହ ମିଳନର ମୁହୂର୍ତ୍ତକୁ ବେଳେବେଳେ ସପନରେ ଭୋଗେ।ନିଦ ଭାଙ୍ଗିଗଲେ ସେଇ ଅନୁଭବ ତାକୁ ଜଳେଇବାକୁ ଲାଗେ।ସେ ଅଧାରାତିରେ ବାଥରୁମ କୁ ଯାଇ ସାଓ୍ବର ଚଲାଇ ସ୍ନାନକରେ ନିଜ ଉତ୍ତେଜନାକୁ ଶାନ୍ତ କରିବା ପାଇଁ।ଆଉ କଣ ବା ନିବାରଣ ଅଛି ତା ଯନ୍ତ୍ରଣାର।
ତା ଉପଚାର ଯିଏ ଥିଲା ସେ ତ ଚାଲିଗଲା।ତା ବାପା ମାଆ ଝିଅର ଏ କଷ୍ଟ ସହିପାରନ୍ତି ନାହିଁ।ତାବୟସର ଝିଅମାନେ ପାଠ ପଢୁଛନ୍ତି।ବାହା ହେଇ ନାହାଁନ୍ତି।ଆଉ ନିଜ ଝିଅ ଏ ସମାଜ ଓ ସଂସ୍କାର ନାଁରେ ନିଜକୁ ତିଳତିଳ ଦଗ୍ଧ କରୁଛି ଶାଶୁଘରେ। ଯିଏ ଯାହା କହୁ ପଛେ ସେ ଝିଅକୁ ନିଜ ପାଖକୁ ନେଇଯିବେ।ଏମିତି ଭାବି ସେ ଆସି ପହଞ୍ଚିଲେ।ସେତେବେଳେ ଉର୍ବଶୀ ସକାଳ ଗାଧୁଆ ସାରି।ତାପାଇଁ ଓ ଆଈ ଶାଶୁ ପାଇଁ ଖିଚିଡି ତିଆରୁଥିଲା।ଆଳୁ ସାରୁ ଚକଟା କରି ଖାଇ ନେଉଥିଲେ ଦୁହେଁ।ସେ ଦିନ ଏକାଦଶୀ ଥିଲା।ତାବାପା ତାବଖରାକୁ ପଶି ଝିଅର ରହିବାର ଅବସ୍ଥା ଦେଖି କାନ୍ଦି ପକେଇଥିଲେ।ସେ ସମୁଦୀଙ୍କ ସହ କଳିକରି ତାକୁ ଧରି ଚାଲି ଆସିଲେ ନିଜ ଘରକୁ।
ପାଠ ତ ତା ଦ୍ବାରା ହେଲାନି।ହେଲେ ସିଲେଇ କରିବାରେ ତାର ବଡ ଆଗ୍ରହ ଥିଲା।ବାପା ତାକୁ ସିଲେଇ କୋର୍ଷକରିବାକୁ କହିଲେ।କୋର୍ଷ ପରେ ସେ ବୁଟିକ୍ ଟେ ଖୋଲିଛି।ତାରତ ଡିଜାଇନ୍ କପଡା ପିନ୍ଧିବାର ଅଭ୍ୟାସ ଥିଲା।ସେଇ ଅନୁଭୁତିରେ ସେ ସୁନ୍ଦର ସୁନ୍ଦର ପୋଷାକ ତିଆରି କଲା ବ୍ଲାଉଜ ତିଆରିରେ ତାର ଭଲ ନାଁହେଲା।ତା ହାତ ତିଆରି ବ୍ଲାଉଜ ପୁରା ଫିଟ ବସୁଥିଲା।ନାନା ଡିଜାଇନ କରି ସେ ସିଲେଇ ପାରୁଥିଲା।ତାକୁ ଦୁଇ ତିନିଜଣ ଝିଅବି ସାହାଯ୍ୟ କରୁଥିଲେ।ସେ ଝିଅମାନେ ବି ତା ପରି ବିଧବା ବା ପିଡିତା ଥିଲେ।ଯାହାଙ୍କୁ ସେ ସାହାରା ଦେଇଥିଲା ନିଜ ଦୋକାନରେ।ଏଭିତରେ ତା ମନରେ ସାହସ ଦମ୍ଭ ବଢିଯାାଇଥିଲା।ସମାଜ ସହ ଆଖି ମିଳେଇବାକୁ ସାହସ ଆସିଥିଲା।ତାଙ୍କରି ଗାଁର ଜଣେ ଯୁବକ ଯିଏ ତାକୁ ବାହା ହେବାକୁ ପ୍ରସ୍ତାବ ଦେଲା ତାସହ ତାର ବାହାଘର ହେଇଗଲା।ଏପରି ଭାବରେ ତାର ଜୀବନ ନଉକା କୂଳରେ ଲାଗିଯାଇଥିଲା।ଯେବେ ସେ ପୁରୁଣା ଦିନକଥା ତାର ମନେପଡେ ଦେହ ଶୀତେଇଯାଏ।ଯାହଉ ସେ ସେଠୁ ମୁକୁଳି ଆସିଲା।ହେଲେ ଅନେକ ଝିଅ ଆଜିବି ଏମିତି ସମାଜ ଓ ସଂସ୍କାର ନାଁର ପେଶି ହେଉଛନ୍ତି କୋଉଁଠି ନା କୋଉଁଠି।
