ସଙ୍ଗରୋଧର ସମୟ-୧୯
ସଙ୍ଗରୋଧର ସମୟ-୧୯


ପ୍ରିୟ ଡାଏରୀ,
ସଙ୍ଗରୋଧର ଏଇ ସମୟରେ ବି କେତେ ଲୋକ ବେଶ ଅଭିନୟ କରି ପାରନ୍ତି!
କ୍ଷୀର ଦୋକାନ ପାଖରେ ଲମ୍ବା ଲାଇନ ସକାଳୁ ସକାଳୁ।ସମସ୍ତେ ଠିଆ ହୋଇଛନ୍ତି ନିରାପଦ ଦୂରତାରେ।ସେଠାରେ ଭିକାରୀ ଜଣେ ହାତ ପତେଇ ମାଗୁଥିଲା।ଚେହେରାରୁ ପଙ୍ଗୁ କିମ୍ବା ଅଥର୍ବ ତ ଲାଗୁ ନ ଥିଲା।ବୟସ୍କ ବି ଲାଗୁ ନ ଥିଲା ଆଦୌ।
ଅନ୍ୟ ଦିନ ହୋଇଥିଲେ ମୁଁ ତାକୁ ପଇସା ଦେଇ ନ ଥାନ୍ତି।କହିଥାନ୍ତି, କାମ କରି ପଇସା ରୋଜଗାର କର।ମାଗିବା ଭଲ କଥା ନୁହେଁ।ଏବେ ତ ଲକଡାଉନ।କାମ କରିବାକୁ ଚାହିଁଲେ ବି କେଉଁଠି ମିଳିବ।କେତେ ଲୋକ
ଙ୍କ ରୋଜଗାର ଛଡ଼େଇ ନେଇଚି କରୋନା।ବିଦେଶରେ ସଙ୍ଗରୋଧର ସମୟ ଶେଷ କରି ଫେରିବାକୁ ଅପେକ୍ଷା କରିଛନ୍ତି କେତେ ଭାରତୀୟ।କର୍ମ ସଂସ୍ଥାନ ହରେଇଛନ୍ତି ସେମାନେ।
ଲୋକଟିକୁ ମୁଁ ଦଶଟଙ୍କା ଦେଲି।ଅନ୍ୟମାନେ ବି ଯାହା ଯେମିତି ଦେଲେ।ହୁଏତ ଲୋକଟିର ଘରେ ଖାଇବାକୁ ନ ଥିବ।ପଇସା ନଥିବ ପାଖରେ।ସେଇଥିପାଇଁ ଲାଜ ଛାଡ଼ି ହାତ ପତେଇ ମାଗୁଚି।
ଜିନିଷ ପତ୍ର କିଣି ଫେରିବାକୁ ଘଂଟାଏ ଲାଗିଗଲା।ଫେରିବା ରାସ୍ତାରେ ଭେଟିଲି ସେଇ ଲୋକଟିକୁ ଏକ ନୂଆ ଅନ୍ଦାଜରେ।ଅପେକ୍ଷାକୃତ ନିର୍ଜନ ରାସ୍ତା କଡ଼ରେ ଛିଡ଼ା ହୋଇ ସେ ନିଆଁ ଧରାଉଥିଲା ସିଗାରେଟରେ।ଏଇଥିପାଇଁ କ'ଣ ସେ ହାତ ପତେଇ ମାଗୁଥିଲା କିଛି ସମୟ ଆଗରୁ?