ସନ୍ଧିକ୍ଷଣ
ସନ୍ଧିକ୍ଷଣ
ଚିତ୍ରକରର ଶେଷ ସ୍ପର୍ଶ ବ୍ୟତିରେକ ଯେମିତି ଚିତ୍ରପଟ ଅସମ୍ପୂର୍ଣ୍ଣ , କାରୀଗରର ନିହାଣ ଘାତ ବ୍ୟତିରେକ ଯେମିତି ଭାଷ୍କର୍ଯ୍ୟ ଅସମ୍ପୂର୍ଣ୍ଣ , ଠିକ ସେମିତି ତୁମ ବିନା ମୋ ଅସ୍ତିତ୍ୱ ଅସମ୍ପୂର୍ଣ୍ଣ ।
ଅନୁଭା ପୁଣି ଥରେ ଛୁଇଁ ନେଲା ନୀଳ ରଙ୍ଗର ଲଫାଫାଟିକୁ । ମହମହ ଅତରର ମହଳଣ ବାସ୍ନା ବେଶ ବାରି ହେଇଯାଉଥିବା ମୁଦ ଦିଆ ନୀଳ ବସ୍ତୁଟି ପ୍ରତି କେମିତି କେଜାଣି ଇର୍ଷା ଆସିଲା ତା' ମନରେ । ସେ ପୁଣି ଥରେ ଉଠେଇ ଦେଖିଲା ସେଇଟିକୁ । ବେଶ ଝିଆଁଳୀ ଅକ୍ଷରରେ ଲେଖା ଯାଇଛି ତା' ନାଁ , ଗାଁ ,ଠିକଣା । ବେଶ ସନ୍ତର୍ପଣରେ କରାଯାଇଛି ସ୍ମାଇଲ୍ ଚିତ୍ରଟିଏ ଲଫାଫାର ଗୋଟେ କଣରେ । ଆଉ ଠିକ ତା' ତଳେ ଲେଖା ଯାଇଛି ' ଗେସ୍ ହୁ ' ଅତୀତର ସେଇ ନିର୍ଦ୍ଦିଷ୍ଟ ବାସ୍ନା ଆଜିବି ଘୁରି ବୁଲୁଛି ତାଙ୍କ ପୃଥିବୀରେ । ରଜନୀଗନ୍ଧା ଅତର ଆଜିବି ବ୍ୟବହାର କରୁଛନ୍ତି ସେ କେମତି ?
ଅନୁଭାର ମନେ ପଡିଗଲା ସେଇ ବର୍ଷା ବିଧୌତ ସନ୍ଧ୍ୟାର ସ୍ମୃତି । ତାଙ୍କ ଦେହରୁ ଆସୁଥିବା ଭିଜା ଭିଜା ମାଟିର ବାସ୍ନା । ଆଉ ସେଇ ସ୍ନେହସ୍ନିଗ୍ଧ କଥା ,'' ଏମିତି ସାରା ଜୀବନ ତୁମ ଆସକ୍ତି ର ଶୀତଳ ବର୍ଷାରେ ଭିଜିବାର ନିରୀହ ଇଚ୍ଛା ଟିକେ ସାଇତି ନେଇଛି ମୁଁ ନିଜେ ଭିତରେ । ତୁମର ସମ୍ମତି ଅଛି ତ ଆଭା ?''
ଅନୁଭା ନୀରବ ରହିଥିଲା ସେଇ ସନ୍ଧ୍ୟାରେ ଆଉ 'ମୌନମ୍ ସମ୍ମତିମ୍ ଲକ୍ଷଣମ୍ ' ନ୍ୟାୟରେ ମାନି ନେଇଥିଲେ ସେ ଅନୁଭାର ସ୍ୱୀକାର । ଆଉ ସେଇ ସନ୍ଧ୍ୟାରେ ସେ ଦୁହେଁ ଲଜ୍ଜାହୋମ ବିନା ହିଁ ଉତାରି ନେଇଥିଲେ ଆବରଣ । ତାଙ୍କ ସ୍ପର୍ଶ ରେ ଥିଲା ସେତିକି ବିଦ୍ୟୁତ ସ୍ପୁଲିଙ୍ଗ ଯେ ଏକଦମ ହତବୁଦ୍ଧି ଦେଇଯାଥିଲା ଅନୁଭା ସେଦିନ । ତାଙ୍କ ଚାହାଣୀ ରେ ଥିଲା ସେତିକି ଆକର୍ଷଣ ଯେ ବିଲକୁଲ ରାଧାମୟୀ ହେଇଯାଇଥିଲା ଅନୁଭା ସେଦିନ । ଭୁଲିଯାଇ ନିଜର ସ୍ଥିତି ପରିସ୍ଥିତି ଝାସ ଦେଇଥିଲା ସମ୍ମୋହନ ଜଜ୍ଞରେ ନିସର୍ତ୍ତରେ ।
ବାସ୍ ଅଳିକ ଆକର୍ଷଣ ର କ୍ଳିଷ୍ଟ ଗଣିତ ସମାଧିତ ହେଇଗଲା ପରେ ସେ ହେଇଗଲା ଅଲୋଡ଼ା ରଫ ଖାତା । ଅନୁଭାର ଆବର୍ତ୍ତରୁ ଧୀରେ ଧୀରେ ନିରାପଦ ଦୂରତାକୁ ଚାଲିଗଲେ ଉତ୍ପଳ । ଧୀରେ ଧୀରେ ଗଢ଼ାଗଲା ଅଜଣା ପ୍ରାଚୀର ; କେବେ ଅଭିଯୋଗ ତ ପୁଣି କେବେ ଅଭିମାନର ।
ଦୋଷାରୋପ କରିବାର ପ୍ରକ୍ରିୟା ହେଇଗଲା ଚିରାଚରିତ । ଏସବୁ ପରେ ମଧ୍ୟ ଆଭା ଉତ୍ପଳଙ୍କୁ କିନ୍ତୁ ହରେଇ ଦେବାର ପରିକଳ୍ପନା କରିନଥିଲା କେବେବି ।
ଆଜିବି କ'ଣ ସେ ଉତ୍ପଳ ଙ୍କୁ ନେଇ ସ୍ୱପ୍ନାବିଷ୍ଟ ନୁହେଁ ?
ନା' ନା' ଏଭଳି ଚେତନା ଟିକକ ମଧ୍ୟ ଘୋର ପାପ ତା' ପାଇଁ ଏବେ । ହଁ ସ୍ୱଚ୍ଛାକୃତ ଭାବେ ମୋହର ଶକ୍ତ ରଜ୍ଜୁ ଛିଣ୍ଡେଇ ନିଜକୁ ଈଶ୍ୱରଙ୍କ ପାଖରେ ଅର୍ପିତ କରିବାର କଠୋର ସିଦ୍ଧାନ୍ତ ନେବା ପରେ ପୁଣି ଆସକ୍ତି ଘୋର ପାପ । ନା' ଏଇ ମୁ୍ଦା ଲଫାଫା ମୁକ୍ତ ହେବାର ଭାଗ୍ୟ ନେଇ ଆସିନାହିଁ । ଆଦୌ ନୁହେଁ । ଏଇଟି ଶେଷ ଚିଠି ଆଉ ଅନୁତ୍ତରିତ ଚିଠି ଭାବେ ସାଇତା ହେବ ଛାତି ଭିତରେ ।
ପ୍ରେମ ଆଉ ପ୍ରଣୟ ଭିତରେ ପ୍ରକୃତରେ ଇଞ୍ଚେ ବି ଦୂରତା ନଥାଏ ଯେବେ ସମ୍ପର୍କ ରେ ସାମାଜିକ ସ୍ୱୀକୃତିର ମୋହର ଲାଗିଥାଏ । କିନ୍ତୁ ଯଦି ସ୍ୱୀକୃତି ମିଳିିନଥାଏ ତେବେ ଏଇ ଦୂରତା ଯୋଜନ ଯୋଜନ ହେଇଯାଏ ।
ଅନୁଭା ଖୁବ୍ ଭଲ ପାଉଥିଲା ଉତ୍ପଳ ଙ୍କୁ ଆଉ ସେ ମଧ୍ୟ କିନ୍ତୁ ହୁଏତ ସାରା ଜୀବନ ପାଇଁ ସେମାନେ ପ୍ରତିଶ୍ରୁତିବଦ୍ଧ ନଥିଲେ । ସେମିତି ନହେଇଥିଲେ ଅନୁଭା କୁ ଛାଡି ଯିବାର ସିଦ୍ଧାନ୍ତ କେବେବି ନେଇନଥାନ୍ତେ ଉତ୍ପଳ ।
ଅନୁଭା ହୁଏତ ସେତିକି ସୌଭାଗିନୀ ନଥିଲା ଯେ ଉତ୍ପଳଙ୍କ ସହ ଗୋଟେ ସମ୍ପୁର୍ଣ୍ଣ କାଳଖଣ୍ଡ ଭୋଗିଥାନ୍ତା । ଉତ୍ପଳ ଆମେରିକା ଗଲେ ନିଜ ରିସର୍ଚ୍ଚ କାମରେ ଆଉ ବାସ୍ ରହିଗଲେ ସେଇଠି । ପରବର୍ତ୍ତୀ ସମୟରେ ଶୁଣିବାକୁ ମିଳିଲା କ୍ୟାଥରିନ୍ ର ପ୍ରସଙ୍ଗ । ତାଙ୍କ ସହକର୍ମୀଣୀ , ତାଙ୍କ ଶଯ୍ୟା ସଙ୍ଗିନୀ ହେବାରେ କୁଣ୍ଠା କରିନଥିଲେ ହୁଏତ ।
ଏସବୁ ଖବର ମିଳୁଥିବା ମୁହୂର୍ତ୍ତରେ ଅନୁଭା ଯେ କି ଯନ୍ତ୍ରଣା ପାଇଲା ସେତକ ଆଉ ବୁଝି ପାରିଲେ ନାହିଁ ଉତ୍ପଳ । ନା' ଜାଣି ଅଜଣା ହେଲେ ?
ବୀତସ୍ପୃହ ହେଇଗଲା ଅନୁଭା ଜୀବନ ପ୍ରତି , ଆବେଗ ପ୍ରତି , ଆକର୍ଷଣ ପ୍ରତି , ସଂପର୍କ ପ୍ରତି । ଆଉ ଦୁରେଇ ନେଲା ନିଜକୁ ଏଇ ପ୍ରଲୋଭନ ଭିତରୁ ।
ଏଇ ବିକ୍ଷିପ୍ତ ଚେତନା ଭିତରେ ପ୍ରଶାନ୍ତିର ବାର୍ତ୍ତା ଦେଲା ଜଣେ ଈଶ୍ୱର ଦୂତ । ଅନୁଭା ପ୍ରଜାପିତା ବ୍ରହ୍ମ କୁମାରୀ ସଂସ୍ଥା ସହ ସଂଶ୍ଳିଷ୍ଟ ହେଇଗଲା କାଳକ୍ରମେ । ଏବେ ସେ ଆଜୀବନ ବ୍ରହ୍ମଚାରୀଣୀ । ତା'ର ନିର୍ଦ୍ଦିଷ୍ଟ ଘର ଟିଏ ନାହିଁ କି ଠିକଣା ନାହିଁ । ସେ ଧର୍ମ ଓ ଈଶ୍ୱର ଭାବ ଜୀବିତ କରିବା ପାଇଁ ସାଜିଛି ପାନ୍ଥ । କିନ୍ତୁ ଦୁଇଦିନ ପାଇଁ ଘରକୁ ଆସିଛି ମା' ର ଶେଷ ମୁହୂର୍ତ୍ତରେ ଶେଷ ଦର୍ଶନ ପାଇଁ ।
ଘରକୁ ଆସି ଉନ୍ମୋଚିତ ହେଇଚି ଏହି ଚିଠିର ପ୍ରସଙ୍ଗ । ବିଗତ ଆଠ ମାସ ହେଲା ଚିଠିଟି ଆସିଛି । ଅନୁଭା ଦି' ନାଁ ରେ ଥିବାରୁ କେହି ଖୋଲି ନାହିଁ ସେଇଟିକୁ । ଏମିତି କି ଚଗଲା ସାନ ଭାଇ ମଧ୍ୟ ନୁହେଁ ।
ସଭିଏଁ କିନ୍ତୁ ଉଦ୍ବିଘନ ଭାବେ ଅପେକ୍ଷା କରିଛନ୍ତି ଚିଠିର ପ୍ରସଙ୍ଗ କୁ ଜାଣିବାକୁ । କ'ଣ ଅଛି ଚିଠିରେ ? କିଛି ସବୁଜ ସମ୍ଭାବନା ଅଛି କି ସେଇଟି ଭିତରେ ? ଅନୁଭା ଦି' ଫେରି ଆସିବ କି ସେମାନଙ୍କ ପୃଥିବୀକୁ ? ବିଶେଷ କରି ବାବା ଆଉ ମା' ଅପେକ୍ଷା କରିଛନ୍ତି ଚିଠିର ପ୍ରସଙ୍ଗ ଜାଣିବାକୁ । ସେଥିପାଇଁ ମିଛ କୁହାଇ ଡକେଇଛନ୍ତି ଅନୁଭା କୁ । ଅନୁଭା ପାଇଁ ଏସବୁ ଖୁବ୍ ଯନ୍ତ୍ରଣା ଦାୟକ ସାଜିଛି । କେମିତି ଭାବୁଛନ୍ତି ସଭିଏଁ ସେ ଫେରି ଆସିବ ତୁଚ୍ଛ ଚିଠିଟିଏ ର ଆକର୍ଷଣ ରେ । କେମିତି ଭୁଲିଯିବ ଅତୀତ ର ତିକ୍ତତା ? ଉତ୍ପଳଙ୍କ ଉଦାସୀନତା ?
ଆସିଲା ବେଳୁ ମା' ବାରମ୍ବାର କହୁଛି , '' ଦେଖ ମଣିଷ ମାତ୍ରେ ହିଁ ଭୁଲ । କିନ୍ତୁ ଉତ୍ପଳ ଯଦି ନିଜର ଭୁଲ ବୁଝିପାରିଛି ତାକୁ ଆଉ ଗୋଟିଏ ସୁଯୋଗ ମିଳିବା ଉଚିତ ।''
ବାବା ମଧ୍ୟ ପରୋକ୍ଷ ରେ ମା' କୁ ସମର୍ଥନ କରୁଛନ୍ତି । ସେ ମଧ୍ୟ ଉତ୍ପଳ କୁ କ୍ଷମା ଦେବାକୁ ପ୍ରସ୍ତୁତ ।
କି ବିଚିତ୍ର ବ୍ୟାପାର !
ଚିଠି ଟି ଭିତରେ କ'ଣ ଅଛି ଏତକ ନଜାଣି ଏତେ ଆଶାବାଦୀ ହେଇଯିବା କେତେଦୂର ଯଥାର୍ଥ ?
କିନ୍ତୁ ଯଦି ସେ ଲେଖିଛନ୍ତି ଏଇ ଚିଠି ତେବେବି କ'ଣ ଅନୁଭା ଏଇ ନିର୍ଜୀବ କାଗଜ ଟୁକୁଡ଼ା ପାଇଁ ନିଜକୁ ପୁଣି ଥରେ ସଂସାର ପଙ୍କ ଭିତରକୁ ଟାଣି ଆଣିବ ?
ତା' ଅଧୁନା ପରିଚିତି କୁ ମିଛ ପ୍ରମାଣିତ କରିଦେବ ? ସେ ଯେ କେବଳ ଅଭିନୟ କରୁଥିଲା , ସେ ଯେ ସଂସାର ପ୍ରତି ଭୟଙ୍କର ଭାବେ ଆସକ୍ତ , ସେ ଯେ କେବେ ଈଶ୍ୱର ଙ୍କ ପ୍ରତି ପ୍ରତିବଦ୍ଧ ନଥିଲା ଏସବୁ ପ୍ରମାଣିତ କରିବ ?
ବେଶ ଦ୍ୱନ୍ଦ୍ୱ ଭିତରେ ସାରା ରାତି ଅନୁଭା ।ନିଜ ଅସ୍ତିତ୍ୱ ସହ ଏଇ ସଂଘର୍ଷ ଖୁବ୍ ଯନ୍ତ୍ରଣାଦାୟକ ।
ମା' ଏବେବି ଶୋଇନାହିଁ ଆଲୁଅ ଜଳୁଛି । ବାବା ବି ହୁଏତ ! ସାନ ଭାଇ ମଧ୍ୟ କମ୍ପ୍ୟୁଟରରେ ବସିଛି ସ୍ପଷ୍ଟ ଦେଖି ପାରୁଛି ଅନୁଭା । କାହାକୁ ନିଦ ନାହିଁ ସଭିଏଁ ଗୋଟେ ଅବ୍ୟକ୍ତ ଆନ୍ଦୋଳନ ଭିତରେ । ଝିଅଟେ ପା' ପରିବାର ପାଇଁ ବୋଝ ।
ଆଜି ଅଜନ୍ମା ଟେ ବି ନିସ୍ତାର ପାଉନି ଏଇ କଳଙ୍କ ଭିତରୁ । ସୃଷ୍ଟି ପୂର୍ବରୁ ନିଶବ୍ଦ କରିଦେଉଛନ୍ତି ବୁଦ୍ଧିମାନ ଲୋକେ । ସେ ମଧ୍ୟ ସେମିତି କଳଙ୍କ ଟେ । ଲୋକାଚାର ଆଉ ଅପମାନ ଭିତରେ କୁହୁଳି କୁହୁଳି ନିଃଶେଷ ହେବା ପୂର୍ବରୁ ଘର ଛାଡ଼ି ଦେଇଥିଲା । ସେତେବେଳେ ମା' ଆଉ ବାବା ବି ଅତିଷ୍ଠ ହେଇଯାଇଥିଲେ । ସବୁଠି ଗୋଟେ ଅଦୃଶ୍ୟ ପ୍ରଶ୍ନ ପିଛା କରୁଥିଲା , '' ଆପଣଙ୍କ ଝିଅ ଏବେ କେଉଁଠି ? ସେଇ ପିଲାଟି ପା' ଗୋଟେ ଫରେନର ସାଙ୍ଗରେ ! ''
ନିର୍ବନ୍ଧ ସାରି ଦେଇଥିଲେ ବାବା ତାରି ଅନୁରୋଧରେ । ତେଣୁ ସବୁ ଦୋଷ ଲଦା ଯାଇଥିଲା ତାରି ଉପରେ । ଅତୀତ ର ସେ ଲଜ୍ଜା, ଅପମାନ, ପୀଡା ସବୁକିଛି ଭୁଲି ଯିବ କେମିତି ମଣିଷ
ଅନୁଭା ସକଳ ର ସୂର୍ଯ୍ୟ ଙ୍କ ଅପେକ୍ଷା କଲା ନାହିଁ । ମାଛି ଅନ୍ଧାର ରେ ନିଜ ବ୍ୟାଗ୍ ଧରି ଘରୁ ବାହାରି ଗଲା । ବୋଉ ଆଉ ବାବା ଙ୍କ ନିଦୁଆ ଚେହେରା ଦେଖିନେଲା ମନ ଭରି ଆଉ ସାନ ଭାଇର ନୀରିହ ମୁହଁ ରେ ହଲ୍କା ଛୁଆଁ ଦେଲା ସ୍ନେହ ରେ । ବାସ୍ ଆଉ ପଛକୁ ଫେରି ଦେଖିଲା ନାହିଁ ।
ଚିଠିର ପ୍ରସଙ୍ଗ ପ୍ରକୃତରେ ମୁଲ୍ୟହୀନ ଥିଲା , କାରଣ ସେ ଚିରକାଳ ପାଇଁ କେବଳ ଉତ୍ପଳ ଙ୍କ ର ହିଁ ଥିଲା ।