Soumya Shubhadarshinee

Abstract

2  

Soumya Shubhadarshinee

Abstract

ସନ୍ଧିକ୍ଷଣ

ସନ୍ଧିକ୍ଷଣ

5 mins
258



ଚିତ୍ରକରର ଶେଷ ସ୍ପର୍ଶ ବ୍ୟତିରେକ ଯେମିତି ଚିତ୍ରପଟ ଅସମ୍ପୂର୍ଣ୍ଣ , କାରୀଗରର ନିହାଣ ଘାତ ବ୍ୟତିରେକ ଯେମିତି ଭାଷ୍କର୍ଯ୍ୟ ଅସମ୍ପୂର୍ଣ୍ଣ , ଠିକ ସେମିତି ତୁମ ବିନା ମୋ ଅସ୍ତିତ୍ୱ ଅସମ୍ପୂର୍ଣ୍ଣ ।




 ଅନୁଭା ପୁଣି ଥରେ ଛୁଇଁ ନେଲା ନୀଳ ରଙ୍ଗର ଲଫାଫାଟିକୁ । ମହମହ ଅତରର ମହଳଣ ବାସ୍ନା ବେଶ ବାରି ହେଇଯାଉଥିବା ମୁଦ ଦିଆ ନୀଳ ବସ୍ତୁଟି ପ୍ରତି କେମିତି କେଜାଣି ଇର୍ଷା ଆସିଲା ତା' ମନରେ । ସେ ପୁଣି ଥରେ ଉଠେଇ ଦେଖିଲା ସେଇଟିକୁ । ବେଶ ଝିଆଁଳୀ ଅକ୍ଷରରେ ଲେଖା ଯାଇଛି ତା' ନାଁ , ଗାଁ , ଠିକଣା । ବେଶ ସନ୍ତର୍ପଣରେ କରାଯାଇଛି ସ୍ମାଇଲ୍ ଚିତ୍ରଟିଏ ଲଫାଫାର ଗୋଟେ କଣରେ । ଆଉ ଠିକ ତା' ତଳେ ଲେଖା ଯାଇଛି ' ଗେସ୍ ହୁ ' ଅତୀତର ସେଇ ନିର୍ଦ୍ଦିଷ୍ଟ ବାସ୍ନା ଆଜିବି ଘୁରି ବୁଲୁଛି ତାଙ୍କ ପୃଥିବୀରେ । ରଜନୀଗନ୍ଧା ଅତର ଆଜିବି ବ୍ୟବହାର କରୁଛନ୍ତି ସେ କେମତି ?


 ଅନୁଭାର ମନେ ପଡିଗଲା ସେଇ ବର୍ଷା ବିଧୌତ ସନ୍ଧ୍ୟାର ସ୍ମୃତି । ତାଙ୍କ ଦେହରୁ ଆସୁଥିବା ଭିଜା ଭିଜା ମାଟିର ବାସ୍ନା । ଆଉ ସେଇ ସ୍ନେହସ୍ନିଗ୍ଧ କଥା ,'' ଏମିତି ସାରା ଜୀବନ ତୁମ ଆସକ୍ତି ର ଶୀତଳ ବର୍ଷାରେ ଭିଜିବାର ନିରୀହ ଇଚ୍ଛା ଟିକେ ସାଇତି ନେଇଛି ମୁଁ ନିଜେ ଭିତରେ । ତୁମର ସମ୍ମତି ଅଛି ତ ଆଭା ?''


  ଅନୁଭା ନୀରବ ରହିଥିଲା ସେଇ ସନ୍ଧ୍ୟାରେ ଆଉ 'ମୌନମ୍ ସମ୍ମତିମ୍ ଲକ୍ଷଣମ୍ ' ନ୍ୟାୟରେ ମାନି ନେଇଥିଲେ ସେ ଅନୁଭାର ସ୍ୱୀକାର । ଆଉ ସେଇ ସନ୍ଧ୍ୟାରେ ସେ ଦୁହେଁ ଲଜ୍ଜାହୋମ ବିନା ହିଁ ଉତାରି ନେଇଥିଲେ ଆବରଣ । ତାଙ୍କ ସ୍ପର୍ଶ ରେ ଥିଲା ସେତିକି ବିଦ୍ୟୁତ ସ୍ପୁଲିଙ୍ଗ ଯେ ଏକଦମ ହତବୁଦ୍ଧି ଦେଇଯାଥିଲା ଅନୁଭା ସେଦିନ । ତାଙ୍କ ଚାହାଣୀ ରେ ଥିଲା ସେତିକି ଆକର୍ଷଣ ଯେ ବିଲକୁଲ ରାଧାମୟୀ ହେଇଯାଇଥିଲା ଅନୁଭା ସେଦିନ । ଭୁଲିଯାଇ ନିଜର ସ୍ଥିତି ପରିସ୍ଥିତି ଝାସ ଦେଇଥିଲା ସମ୍ମୋହନ 

ଜଜ୍ଞରେ ନିସର୍ତ୍ତରେ । ବାସ୍ ଅଳିକ ଆକର୍ଷଣର କ୍ଳିଷ୍ଟ ଗଣିତ ସମାଧିତ ହେଇଗଲା ପରେ ସେ ହେଇଗଲା ଅଲୋଡ଼ା ରଫ ଖାତା । ଅନୁଭାର ଆବର୍ତ୍ତରୁ ଧୀରେ ଧୀରେ ନିରାପଦ ଦୂରତାକୁ ଚାଲିଗଲେ ଉତ୍ପଳ । ଧୀରେ ଧୀରେ ଗଢ଼ାଗଲା ଅଜଣା

ପ୍ରାଚୀର ; କେବେ ଅଭିଯୋଗ ତ ପୁଣି କେବେ ଅଭିମାନର ।

 

 ଦୋଷାରୋପ କରିବାର ପ୍ରକ୍ରିୟା ହେଇଗଲା ଚିରାଚରିତ । ଏସବୁ ପରେ ମଧ୍ୟ ଆଭା ଉତ୍ପଳ ଙ୍କୁ କିନ୍ତୁ ହରେଇ ଦେବାର ପରିକଳ୍ପନା କରିନଥିଲା କେବେବି ।


 ଆଜିବି କ'ଣ ସେ ଉତ୍ପଳ ଙ୍କୁ ନେଇ ସ୍ୱପ୍ନାବିଷ୍ଟ ନୁହେଁ ?


 ନା' ନା' ଏଭଳି ଚେତନା ଟିକକ ମଧ୍ୟ ଘୋର ପାପ ତା' ପାଇଁ ଏବେ । ହଁ ସ୍ୱଚ୍ଛାକୃତ ଭାବେ ମୋହର ଶକ୍ତ ରଜ୍ଜୁ ଛିଣ୍ଡେଇ ନିଜକୁ ଈଶ୍ୱରଙ୍କ ପାଖରେ ଅର୍ପିତ କରିବାର କଠୋର ସିଦ୍ଧାନ୍ତ ନେବା ପରେ ପୁଣି ଆସକ୍ତି ଘୋର ପାପ । ନା' ଏଇ ମୁ୍ଦା ଲଫାଫା ମୁକ୍ତ ହେବାର ଭାଗ୍ୟ ନେଇ ଆସିନାହିଁ । ଆଦୌ ନୁହେଁ । ଏଇଟି ଶେଷ ଚିଠି ଆଉ ଅନୁତ୍ତରିତ ଚିଠି ଭାବେ ସାଇତା ହେବ ଛାତି ଭିତରେ । 


 ପ୍ରେମ ଆଉ ପ୍ରଣୟ ଭିତରେ ପ୍ରକୃତରେ ଇଞ୍ଚେ ବି ଦୂରତା ନଥାଏ ଯେବେ ସମ୍ପର୍କ ରେ ସାମାଜିକ ସ୍ୱୀକୃତିର ମୋହର ଲାଗିଥାଏ । କିନ୍ତୁ ଯଦି ସ୍ୱୀକୃତି ମିଳିିନଥାଏ ତେବେ ଏଇ ଦୂରତା ଯୋଜନ ଯୋଜନ ହେଇଯାଏ । 

ଅନୁଭା ଖୁବ୍ ଭଲ ପାଉଥିଲା ଉତ୍ପଳ ଙ୍କୁ ଆଉ ସେ ମଧ୍ୟ କିନ୍ତୁ ହୁଏତ ସାରା ଜୀବନ ପାଇଁ ସେମାନେ ପ୍ରତିଶ୍ରୁତିବଦ୍ଧ ନଥିଲେ । ସେମିତି ନହେଇଥିଲେ ଅନୁଭା କୁ ଛାଡି ଯିବାର ସିଦ୍ଧାନ୍ତ କେବେବି ନେଇନଥାନ୍ତେ ଉତ୍ପଳ ।


 ଅନୁଭା ହୁଏତ ସେତିକି ସୌଭାଗିନୀ ନଥିଲା ଯେ ଉତ୍ପଳଙ୍କ ସହ ଗୋଟେ ସମ୍ପୁର୍ଣ୍ଣ କାଳଖଣ୍ଡ ଭୋଗିଥାନ୍ତା । ଉତ୍ପଳ ଆମେରିକା ଗଲେ ନିଜ ରିସର୍ଚ୍ଚ କାମରେ ଆଉ ବାସ୍ ରହିଗଲେ ସେଇଠି । ପରବର୍ତ୍ତୀ ସମୟରେ ଶୁଣିବାକୁ ମିଳିଲା କ୍ୟାଥରିନ୍ ର ପ୍ରସଙ୍ଗ । ତାଙ୍କ ସହକର୍ମୀଣୀ , ତାଙ୍କ ଶଯ୍ୟା ସଙ୍ଗିନୀ ହେବାରେ କୁଣ୍ଠା କରିନଥିଲେ ହୁଏତ ।


 ଏସବୁ ଖବର ମିଳୁଥିବା ମୁହୂର୍ତ୍ତରେ ଅନୁଭା ଯେ କି ଯନ୍ତ୍ରଣା ପାଇଲା ସେତକ ଆଉ ବୁଝି ପାରିଲେ ନାହିଁ ଉତ୍ପଳ । ନା' ଜାଣି ଅଜଣା ହେଲେ ?


 ବୀତସ୍ପୃହ ହେଇଗଲା ଅନୁଭା ଜୀବନ ପ୍ରତି , ଆବେଗ ପ୍ରତି , ଆକର୍ଷଣ ପ୍ରତି , ସଂପର୍କ ପ୍ରତି । ଆଉ ଦୁରେଇ ନେଲା ନିଜକୁ ଏଇ ପ୍ରଲୋଭନ ଭିତରୁ । 


 ଏଇ ବିକ୍ଷିପ୍ତ ଚେତନା ଭିତରେ ପ୍ରଶାନ୍ତିର ବାର୍ତ୍ତା ଦେଲା ଜଣେ ଈଶ୍ୱର ଦୂତ । ଅନୁଭା ପ୍ରଜାପିତା ବ୍ରହ୍ମ କୁମାରୀ ସଂସ୍ଥା ସହ ସଂଶ୍ଳିଷ୍ଟ ହେଇଗଲା କାଳକ୍ରମେ । ଏବେ ସେ ଆଜୀବନ ବ୍ରହ୍ମଚାରୀଣୀ । ତା'ର ନିର୍ଦ୍ଦିଷ୍ଟ ଘର ଟିଏ ନାହିଁ କି ଠିକଣା ନାହିଁ । ସେ ଧର୍ମ ଓ ଈଶ୍ୱର ଭାବ ଜୀବିତ କରିବା ପାଇଁ ସାଜିଛି ପାନ୍ଥ । କିନ୍ତୁ ଦୁଇଦିନ ପାଇଁ ଘରକୁ ଆସିଛି ମା' ର ଶେଷ ମୁହୂର୍ତ୍ତରେ ଶେଷ ଦର୍ଶନ ପାଇଁ । 


 ଘରକୁ ଆସି ଉନ୍ମୋଚିତ ହେଇଚି ଏହି ଚିଠିର ପ୍ରସଙ୍ଗ । ବିଗତ ଆଠ ମାସ ହେଲା ଚିଠିଟି ଆସିଛି । ଅନୁଭା ଦି' ନାଁ ରେ ଥିବାରୁ କେହି ଖୋଲି ନାହିଁ ସେଇଟିକୁ । ଏମିତି କି ଚଗଲା ସାନ ଭାଇ ମଧ୍ୟ ନୁହେଁ । 


 ସଭିଏଁ କିନ୍ତୁ ଉଦ୍ବିଘନ ଭାବେ ଅପେକ୍ଷା କରିଛନ୍ତି ଚିଠିର ପ୍ରସଙ୍ଗ କୁ ଜାଣିବାକୁ । କ'ଣ ଅଛି ଚିଠିରେ ? କିଛି ସବୁଜ ସମ୍ଭାବନା ଅଛି କି ସେଇଟି ଭିତରେ ? ଅନୁଭା ଦି' ଫେରି ଆସିବ କି ସେମାନଙ୍କ ପୃଥିବୀକୁ ? ବିଶେଷ କରି ବାବା ଆଉ ମା' ଅପେକ୍ଷା କରିଛନ୍ତି ଚିଠିର ପ୍ରସଙ୍ଗ ଜାଣିବାକୁ । ସେଥିପାଇଁ ମିଛ କୁହାଇ ଡକେଇଛନ୍ତି ଅନୁଭା କୁ । ଅନୁଭା ପାଇଁ ଏସବୁ ଖୁବ୍ ଯନ୍ତ୍ରଣା ଦାୟକ ସାଜିଛି । କେମିତି ଭାବୁଛନ୍ତି ସଭିଏଁ ସେ ଫେରି ଆସିବ ତୁଚ୍ଛ ଚିଠିଟିଏ ର ଆକର୍ଷଣ ରେ । କେମିତି ଭୁଲିଯିବ ଅତୀତ ର ତିକ୍ତତା ? ଉତ୍ପଳଙ୍କ ଉଦାସୀନତା ?

 

 ଆସିଲା ବେଳୁ ମା' ବାରମ୍ବାର କହୁଛି , '' ଦେଖ ମଣିଷ ମାତ୍ରେ ହିଁ ଭୁଲ । କିନ୍ତୁ ଉତ୍ପଳ ଯଦି ନିଜର ଭୁଲ ବୁଝିପାରିଛି ତାକୁ ଆଉ ଗୋଟିଏ ସୁଯୋଗ ମିଳିବା ଉଚିତ ।''


 ବାବା ମଧ୍ୟ ପରୋକ୍ଷ ରେ ମା' କୁ ସମର୍ଥନ କରୁଛନ୍ତି । ସେ ମଧ୍ୟ ଉତ୍ପଳ କୁ କ୍ଷମା ଦେବାକୁ ପ୍ରସ୍ତୁତ । 


 କି ବିଚିତ୍ର ବ୍ୟାପାର !


 ଚିଠି ଟି ଭିତରେ କ'ଣ ଅଛି ଏତକ ନଜାଣି ଏତେ ଆଶାବାଦୀ ହେଇଯିବା କେତେଦୂର ଯଥାର୍ଥ ?.......


 

  କିନ୍ତୁ ଯଦି ସେ ଲେଖିଛନ୍ତି ଏଇ ଚିଠି ତେବେବି କ'ଣ ଅନୁଭା ଏଇ ନିର୍ଜୀବ କାଗଜ ଟୁକୁଡ଼ା ପାଇଁ ନିଜକୁ ପୁଣି ଥରେ ସଂସାର ପଙ୍କ ଭିତରକୁ ଟାଣି ଆଣିବ ?


 ତା' ଅଧୁନା ପରିଚିତି କୁ ମିଛ ପ୍ରମାଣିତ କରିଦେବ ? ସେ ଯେ କେବଳ ଅଭିନୟ କରୁଥିଲା , ସେ ଯେ ସଂସାର ପ୍ରତି ଭୟଙ୍କର ଭାବେ ଆସକ୍ତ , ସେ ଯେ କେବେ ଈଶ୍ୱର ଙ୍କ ପ୍ରତି ପ୍ରତିବଦ୍ଧ ନଥିଲା ଏସବୁ ପ୍ରମାଣିତ କରିବ ? 


 ବେଶ ଦ୍ୱନ୍ଦ୍ୱ ଭିତରେ ସାରା ରାତି ଅନୁଭା । ନିଜ ଅସ୍ତିତ୍ୱ ସହ ଏଇ ସଂଘର୍ଷ ଖୁବ୍ ଯନ୍ତ୍ରଣାଦାୟକ । 


 ମା' ଏବେବି ଶୋଇନାହିଁ ଆଲୁଅ ଜଳୁଛି । ବାବା ବି ହୁଏତ !

 ସାନ ଭାଇ ମଧ୍ୟ କମ୍ପ୍ୟୁଟରରେ ବସିଛି ସ୍ପଷ୍ଟ ଦେଖି ପାରୁଛି ଅନୁଭା । କାହାକୁ ନିଦ ନାହିଁ ସଭିଏଁ ଗୋଟେ ଅବ୍ୟକ୍ତ ଆନ୍ଦୋଳନ ଭିତରେ ।

 ଝିଅଟେ ପା' ପରିବାର ପାଇଁ ବୋଝ ।

ଆଜି ଅଜନ୍ମା ଟେ ବି ନିସ୍ତାର ପାଉନି ଏଇ କଳଙ୍କ ଭିତରୁ । ସୃଷ୍ଟି ପୂର୍ବରୁ ନିଶବ୍ଦ କରିଦେଉଛନ୍ତି ବୁଦ୍ଧିମାନ ଲୋକେ । ସେ ମଧ୍ୟ ସେମିତି କଳଙ୍କ ଟେ । ଲୋକାଚାର ଆଉ ଅପମାନ ଭିତରେ କୁହୁଳି କୁହୁଳି ନିଃଶେଷ ହେବା ପୂର୍ବରୁ ଘର ଛାଡ଼ି ଦେଇଥିଲା । ସେତେବେଳେ ମା' ଆଉ ବାବା ବି ଅତିଷ୍ଠ ହେଇଯାଇଥିଲେ । ସବୁଠି ଗୋଟେ ଅଦୃଶ୍ୟ ପ୍ରଶ୍ନ ପିଛା କରୁଥିଲା , '' ଆପଣଙ୍କ ଝିଅ ଏବେ କେଉଁଠି ? ସେଇ ପିଲାଟି ପା' ଗୋଟେ   ଫରେନର ସାଙ୍ଗରେ ! '' 


  ନିର୍ବନ୍ଧ ସାରି ଦେଇଥିଲେ ବାବା ତାରି ଅନୁରୋଧରେ । ତେଣୁ ସବୁ ଦୋଷ ଲଦା ଯାଇଥିଲା ତାରି ଉପରେ ।

 ଅତୀତ ର ସେ ଲଜ୍ଜା, ଅପମାନ, ପୀଡା ସବୁକିଛି ଭୁଲି ଯିବ କେମିତି ମଣିଷ ? 

   

  ଅନୁଭା ସକଳ ର ସୂର୍ଯ୍ୟ ଙ୍କ ଅପେକ୍ଷା କଲା ନାହିଁ । ମାଛି ଅନ୍ଧାର ରେ ନିଜ ବ୍ୟାଗ୍ ଧରି ଘରୁ ବାହାରି ଗଲା । ବୋଉ ଆଉ ବାବା ଙ୍କ ନିଦୁଆ ଚେହେରା ଦେଖିନେଲା ମନ ଭରି ଆଉ ସାନ ଭାଇର ନୀରିହ ମୁହଁ ରେ ହଲ୍କା ଛୁଆଁ ଦେଲା ସ୍ନେହ ରେ । ବାସ୍ ଆଉ 

ପଛକୁ ଫେରି ଦେଖିଲା ନାହିଁ ।


 ଚିଠିର ପ୍ରସଙ୍ଗ ପ୍ରକୃତରେ ମୁଲ୍ୟହୀନ ଥିଲା , କାରଣ ସେ ଚିରକାଳ ପାଇଁ କେବଳ ଉତ୍ପଳ ଙ୍କ ର ହିଁ ଥିଲା ।  


Rate this content
Log in

Similar oriya story from Abstract