Trushna Das

Abstract Drama Inspirational

4  

Trushna Das

Abstract Drama Inspirational

ସନ୍ଧାନ

ସନ୍ଧାନ

6 mins
405


ବିନୟ ବାବୁ ସହରର ସବୁଠାରୁ ବଡ଼ ବ୍ୟବସାୟୀ। ବିବାହ ର ଆଠ ବର୍ଷ ଧରି ତାଙ୍କ ଘରେ ସନ୍ତାନ ର କୁଆଁ କୁଆଁ ଶବ୍ଦ ଶୁଣା ଯାଇ ନ ଥିଲା। ମାଆ ହୋଇ ପାରୁ ନ ଥିବାରୁ ବିନୟଙ୍କର ସ୍ତ୍ରୀ ସୁମନଙ୍କୁ ବିନୟ ଙ୍କ ମାଆ ଗାୟତ୍ରୀ ଦେବୀ ବହୁତ କିଛି କହୁ ଥିଲେ। ବହୁତ ଡାକ୍ତର ଦେଖାଇଲେ , ପୂଜା କଲେ ହେଲେ ସନ୍ତାନ ର ମୁଖ ଦେଖି ପିରୁ ନ ଥିଲେ ବିନୟ ଓ ସୁମନ। ଗାୟତ୍ରୀ ଦେବୀ ବିନୟଙ୍କୁ ଦ୍ୱିତୀୟ ବିବାହ କରିବା କଥା ମଧ୍ୟ କହି ସାରି ଥିଲେ। ହେଲେ ବିନୟ ରାଜି ହୋଇ ନ ଥିଲେ। ଏକଦା ଗାୟତ୍ରୀ ଦେବୀ ତାଙ୍କ ସାଙ୍ଗ ଠାରୁ ଜଣେ ଜ୍ଞାନୀ ବାବାଙ୍କର ସନ୍ଧାନ ପାଇଲେ। ସେ ବାବା କାଳେ ହାତ ଓ ମୁଖ ଦେଖି ଭବିଷ୍ୟତ କହି ଦିଅନ୍ତି।


ଗାୟତ୍ରୀ ଦେବୀ ପୁଅ ବିନୟ ଓ ବୋହୂ ସୁମନଙ୍କୁ ନେଇ ସେ ବାବାଙ୍କ ପାଖକୁ ଯାଇ ଥିଲେ। ଜ୍ଞାନୀ ବାବା ସେମାନଙ୍କ ମୁଖ ଦେଖି କହି ଦେଲେ ଯେ ସନ୍ତାନ ଖୁସି ପାଇ ନାହଁ ବୋଲି ଏଠାକୁ ଆସିଛ। ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଗଲେ। ଗାୟତ୍ରୀ ଦେବୀ ଯାଇ ବାବାଙ୍କ ଗୋଡ଼ ଧରି କହିଲେ ମୋ ଘରର କୁଳ ଦୀପ କେମିତି ଜଳିବ ବାବା . ଉପାୟ କୁହନ୍ତୁ।


ଜ୍ଞାନୀ ବାବା : ଏ ସବୁ ତୁମମାନଙ୍କର ପୂର୍ବ ଜନ୍ମର କର୍ମ ଫଳ। ତେଣୁ ସନ୍ତାନ ପାଇଁ କାନ୍ଦି ଗଲଣି । ହେଲେ ତୁମ କୁକର୍ମ ର ଶାସ୍ତି ପୂରଣ ହୋଇ ଗଲାଣି। ଆଉ ଅଳ୍ପ କିଛି ମାସ ପରେ ତୁମ ଘରେ ଖୁସି ଖବର ଆସିବ। ଗୋଟିଏ ହୋମ ପୂଜା ଆୟୋଜନ କରିଲେ ଭଲ ହେବ।


ଜ୍ଞାନୀ ବାବା ଙ୍କ କହିବା ଅନୁସାରେ ହୋମ ପୂଜା ଯଥା ସମୟରେ ଆରମ୍ଭ ହେଲା। ହେଲେ ଯଜ୍ଞ ଅଧା ହୋଇ ଥାଏ ଦୀପଟି ଲିଭି ଯିବା ଉପରେ ଥାଏ। ଏତିକି ବେଳକୁ ଘରର ଚାକରାଣୀ ଫୁଲ ଆସି ଦୀପକୁ ଲିଭୁ ଲିଭୁ ହାତ ଦେଇ ଅଟକାଇଲା। ଜ୍ଞାନୀ ବାବା କହିଲେ ଏ ଅଶୁଭ ସଙ୍କେତ। ଯେଉଁ ସନ୍ତାନ ଆସିବ ତାର ଯୁବକ ବୟସରେ ବହୁତ ବଡ଼ ବିପଦ ଅଛି। ସେ ମୃତ୍ୟୁମୁଖରେ ପଡିବ। ସମୟ ରାଶି ନକ୍ଷତ୍ର ଠିକ ଥିଲେ ସେ ଉଦ୍ଧାର ହୋଇବ । ନ ହେଲେ କହି ହେଉ ନାହିଁ କଣ ହେବ। ଫୁଲ ଦୀପକୁ ଲିଭିବା ରେ ନ ଅଟକାଇ ଥିଲେ ଆଜି ଯେ କଣ ହୋଇ ଥାଆନ୍ତା କାହାକୁ ଅବା ଜଣା ? ସୁମନ ଫୁଲ କୁ ଧନ୍ୟବାଦ କହିବାରୁ ଫୁଲ କହିଲେ ଦିଦି ଏ ଘରର ସନ୍ତାନ ପରା ମୋ ସାନ ମାଲିକ କି ମାଲିକାଣି ହେବ। ମୁଁ କଣ ତାଙ୍କ ପାଇଁ ଏତିକି କରି ପାରିବି ନାହିଁ। ସୁମନ ଦେଖିଲେ ଫୁଲଙ୍କ ହାତ ଜଳି ଯାଇଛି। ସେ ତାଙ୍କ ହାତରେ ମଲମ ଲଗେଇ ଦେଲେ। ଗାୟତ୍ରୀ ଦେବୀ ମନେ ମନେ ଭାବୁ ଥାଆନ୍ତି ଏ ଚାକରାଣୀ ପାଇଁ ଏତେ ଦରଦ।


ପୂଜା ପରେ ବି ବିନୟ ଓ ସୁମନ ଭଲ ଭଲ ଡାକ୍ତର ଙ୍କ ସନ୍ଧାନ ରେ ଯାଉ ଥାଆନ୍ତି। ହେଲେ ନିରାଶ ହେଉ ଥାଆନ୍ତି। ପାଞ୍ଚ ମାସ ପରେ ସତରେ ଘରକୁ ଖୁସି ଖବର ଆସିଲା। ସୁମନ ମାଆ ହେବାକୁ ଯାଉ ଥାଆନ୍ତି। ଯଥା ସମୟରେ ସୁମନଙ୍କ ପ୍ରସବ ହେଲା। ପୁତ୍ର ସନ୍ତାନଟିଏ ଜନ୍ମ ହେଲା। ଗାୟତ୍ରୀ ଦେବୀ ନାତି ପାଇ ଆକାଶରେ ଉଡିଲା ପରି ମନେ କରୁ ଥାଆନ୍ତି। ହେଲେ ସେ ବହୁତ ଦୁର୍ବଳ ଥିଲା। ଡାକ୍ତର କହିଲେ ଛୁଆର ଭଲ ଭାବରେ ଯତ୍ନ ନେବା ପାଇଁ। ଶିଶୁଟିରୁ ନାମ ଆୟୁଷ ଦିଆ ଗଲା। ତାକୁ ଖୁସିରେ‌ ଆୟୁ ଡାକୁ ଥାଆନ୍ତି।ଗାୟତ୍ରୀ ଦେବୀ ଜ୍ଞାନୀ ବାବାଙ୍କ ପାଖକୁ ଗଲେ। ହେଲେ ସେ ଆଶ୍ରମରେ ବାବା ନ ଥିଲେ। ତାଙ୍କ ଶିଷ୍ୟ କହିଲେ ବାବା ମଝିରେ ମଝିରେ ଆସନ୍ତି ଆଉ ପୁଣି କିଛି ଦିନ ପରେ କୁଆଡେ଼ ଉଭାନ ହୋଇ ଯାଆନ୍ତି କାହାକୁ ଜଣା ନାହିଁ। ଶିଷ୍ୟ ନାତିର ଜାତକ ଗଣନା କରି ସମାନ କଥା କହିଲେ।


ଗାୟତ୍ରୀ ଦେବୀ ବାବାଙ୍କ କଥାକୁ ନେଇ ଚିନ୍ତିତ ଥାଆନ୍ତି। ସେଥିପାଇଁ ପାଇଁ ନାତି କୁ ଫୁଲେଇ ରଖି ଥାଆନ୍ତି। ପାଖାପାଖି ବର୍ଷେ ପରେ ଫୁଲ ମଧ୍ୟ ବିବାହ କରି ତାଙ୍କ ଶାଶୂଘର କୁ ଚାଲି ଗଲେ। ‌ଆୟୁକୁ ନେଇ ସୁମନ ଓ ବିନୟ ଚିନ୍ତିତ ଥାଆନ୍ତି। ବର୍ଷ ପରେ ବର୍ଷ ବିତି ଯାଉ ଥାଏ।ଆୟୁ ଟିକେ ଦୁର୍ବଳ ଥିଲା। ଆଉ ଖାଦ୍ୟ ବାଛି ବାଛି ଖାଉ ଥିଲା। ତେଣୁ ଗାୟତ୍ରୀ ଦେବୀ ସବୁବେଳେ ତାକୁ ତାର ମନ ପସନ୍ଦର ଖାଦ୍ୟ ଦେଉ ଥିଲେ। ଯେମିତି ତେଳ ମସଲା ଖାଇବା, ଜଙ୍କ୍ ଫୁଡ୍: ପିଜା, ବରଗର, ଫ୍ରେଞ୍ଚ୍ ଫ୍ରାଇ ଆଦି। ଘର ଖାଇବା ଆୟୁ କୁ ଭଲ ଲାଗୁ ନ ଥିଲା। ଆୟୁ କୁ ସବୁ ଏତେ ଭଲ ପାଉ ଥିଲେ ଯେ ସିଏ ଯାହା ଚାହୁଁ ଥିଲା ସେଇଆ ହେଉ ଥିଲା। ସେ ଦୁର୍ବଳ ଥିବାରୁ ଦୁଇ ବର୍ଷ ଡେରିରେ ପାଠ ପଢା ଆରମ୍ଭ କଲା। ଧିରେ ଧିରେ ଆୟୁର ଜିଦି ବଢୁ ଥାଏ ।ଆଉ ଘର ଲୋକ ଛୁଆ କହି ସବୁ ପୂରଣ କରୁ ଥାଆନ୍ତି।


ଆୟୁ ଏବେ ବଡ଼ ହେଇ ଗଲା। କଲେଜରେ ପଢିଲା। ଘରେ ଖାଇବା ତ ସେ ପୁରା ଭୁଲି ଗଲା। ସବୁବେଳେ ଟଙ୍କା ନେଇ ବାହାରେ ପାର୍ଟି ସାଙ୍ଗମାନଙ୍କ ସହ ଟଙ୍କା ଉଡାଇବା ହେଉଛି ତାର କାମ। ବାହାରେ ଜଙ୍କ୍ ଫୁଡ୍ ଖାଉ ଥାଏ। ଦାନ ଧର୍ମରେ ବିଶ୍ଵାସ କରେ ନାହିଁ। ସେପଟେ ଘର ଲୋକ ଆୟୁର ଦୀର୍ଘ ଆୟୁଷ ପାଇଁ ନାନା ପୂଜା ଦାନ ଧର୍ମ କରୁ ଥାଆନ୍ତି। ହେଲେ ସେ ଜ୍ଞାନୀ ବାବା ଙ୍କ ଆଉ ସନ୍ଧାନ ମିଳି ନାହିଁ।


କଲେଜରେ ଆୟୁ ର ତମନା ସହ ଭେଟ ହେଲା। ତମନା ଦେଖିବାକୁ ବହୁତ ସୁନ୍ଦର। ଗୋଟିଏ ଅପସରି କହିଲେ ଭୂଲ ହେବ ନାହିଁ। ତମନା ର ସୁନ୍ଦରତା ଆୟୁ କୁ ତା ଆଡେ ଆର୍କଷଣ କରୁ ଥାଏ। ତମନା ଆୟୁ ର ପୁରା ବିପରୀତ। ଦାନ ଧର୍ମ ପୂଜା ଆଦି ରେ ବହୁତ ବିଶ୍ୱାସ କରେ। ଛୋଟ ବେଳୁ ମାଆକୁ ହରାଇଛି ତମନା। ସାବତ ମାଆ ବହୁତ କଷ୍ଟ ଦିଏ। ତଥାପି ସାବତ ମାଆ ର ଛୁଆ ନିଧି ପାଇଁ ତା ମନରେ ବହୁତ ଭଲ ପାଇବା ଅଛି। ଗରିବ ଘରର ଝିଅ ହେଲେ ମଧ୍ୟ ତମନା ନିଜେ ଟ୍ୟୁସନ ପଢ଼ାଇ ଯାହା ପାଏ ନିଜ ପାଠ ପଢା ସହ ନିଧିର ପାଠ ପଢା ଓ ଘର ଖର୍ଚ୍ଚ ଉଠାଏ। ତା ସହ କିଛି କିଛି ଟଙ୍କା ସଞ୍ଚୟ କରି ଅନାଥ ଆଶ୍ରମରେ, ବୃଦ୍ଧା ଆଶ୍ରମରେ ଦାନ କରେ। ମାନବ ସେବାରେ ବିଶ୍ୱାସ କରେ।


ଗାୟତ୍ରୀ ଦେବୀ ଙ୍କ ଜିଦ୍ ରେ ଆୟୁ ମନ୍ଦିର କୁ ଗଲା। ସେଇଠି ତମନାକୁ ଭଜନ କରୁଥିବା ଦେଖି ତା ଆଡେ ଆର୍କଷଣ ହେଲା। ଆଉ ଜେଜେମା କୁ କହିଲା ମୁଁ ତମନାକୁ ବିବାହ କରିବି। ତମନା କୁ ଦେଖି ଜେଜେମା ବି ରାଜି ହୋଇଗଲେ। ଆୟୁ ଏବେ ତମନା ମନରେ ଭଲ ଭାବନା ଆଣିବା ପାଇଁ ଅନାଥ ଆଶ୍ରମରେ ଦାନ ଧର୍ମ ଆରମ୍ଭ କଲା। ତମନା ଓ ଆୟୁ ଭଲ ସାଙ୍ଗ ହୋଇ ଗଲେ। କିଛି ଦିନ ପରେ ଗାୟତ୍ରୀ ଦେବୀ ତମନା ଘରକୁ ଯାଇ ତମନା ର ବିବାହ ପାଇଁ ତା ସାବତ ମାଆକୁ ଦେଲେ। ସାବତ ମାଆ ବି ଟଙ୍କା ଲୋଭରେ ହଁ ମାରିଲେ।


ତମନା ଘରେ ସବୁ ରାଜି ଦେଖି ବିବାହ ପାଇଁ ରାଜି ହୋଇ ଗଲେ। ବିବାହ ହୋଇ ଗଲା। ତମନା ବିବାହ ପରେ ଧିରେ ଧିରେ ଜାଣିଲା ଯେ ଆୟୁ ଦାନ ଧର୍ମ କେବଳ ତାଙ୍କ ପାଖରେ ଭଲ ହେବା ପାଇଁ କରୁ ଥିଲେ। ଆଉ ଘର ଖାଇବା ତ ସେ କେବେ ଖାଆନ୍ତି ନାହିଁ। ସବୁବେଳେ ଜଙ୍କ୍ ଫୁଡ୍ ଖାଆନ୍ତି। ଆଉ ବାଜେ ଖର୍ଚ୍ଚ କରିବା ତାଙ୍କର ଅଭ୍ୟାସ। କଣ ପାଇଁ ଆୟୁ ତାଙ୍କୁ ପସନ୍ଦ କଲେ କେଜାଣି , କୌଣସି ବି ଗୁଣ ତ ଦୁହିଁଙ୍କର ମିଶୁ ନାହିଁ। ବିବାହ କିଛି ମାସ ଭିତରେ ଯେମିତି ଆୟୁ ର ମନ ଆଉ ତମନା ପାଇଁ ନ ଥାଏ। ଆଉ ରାତିରେ ବି ଠିକ ସମୟରେ ଘରକୁ ଫେରୁ ନ ଥାଏ। ଇଚ୍ଛା ହେଲେ ଭଲ ପାଏ ନ ହେଲେ କେମିତି ଅଛ ବୋଲି ପଚାରେ ବି ନାହିଁ। ଦିନେ ତମନା ତା ମାଆଙ୍କ ଫୋଟ କାଢି କାନ୍ଦି କାନ୍ଦି କହୁ ଥାଏ ମାଆ ମୋତେ ଭଲ ଲାଗୁନି ଏଇଠି। ଶାଶୁ ଶଶୁର, ଜେଜେମା ଭଲ । ହେଲେ ଆୟୁ କଣ ପାଇଁ ଏମିତି ହେଉଛନ୍ତି ? ଏତିକି ବେଳେ ଗାୟତ୍ରୀ ଦେବୀ ତମନାର ମାଆ ଫୋଟୋ ଦେଖି ଆଶ୍ଚର୍ଯ୍ୟ ହୋଇ ଗଲେ। ସେ ଆଉ କେହି ନୁହେଁ। ସେ ହେଉଛି ଆଗରୁ ତାଙ୍କ ଘରେ କାମ କରୁଥିବା ଫୁଲ। ଏ କଥା ସେ ବିନୟ ଓ ସୁମନ ଙ୍କୁ କହିଲେ। ସୁମନ ଓ ବିନୟ କହିଲେ ଯାହା ହେଲେ ବି ତମନା ଆମ ଘରର ବୋହୂ। ଆଉ ଆମ ଆୟୁ ଯେମିତି ହେଉଛି ଆଉ କେହି ଝିଅ ହୋଇ ଥିଲେ ଛାଡି ପଳାନ୍ତା। ଏ ଯାଏଁ ଆୟୁ ତା ସ୍ତ୍ରୀ ହାତ ରନ୍ଧା ଖାଇ ନାହିଁ। ସବୁବେଳେ ସାଙ୍ଗ ସହ ବୁଲିବା ଓ‌ ବାହାରେ ଖାଇବା। ଗାୟତ୍ରୀ ଦେବୀ କିନ୍ତୁ ଆଗ ପରି ତମନାକୁ ଆଉ ଭଲ ପାଉ ନ ଥିଲେ। ଧିରେ ଧିରେ ଆଉ ମୋଟା ହେବାରେ ଲାଗିଲା। ଦିନେ ହଠାତ୍ ଘରେ ପହଞ୍ଚୁ ପହଞ୍ଚୁ ମୁଣ୍ଡ ବୁଲାଇଲା ଓ ଅଚେତ ହୋଇ ଗଲା। ଡାକ୍ତର କହିଲେ ଉଚ୍ଚ ରକ୍ତଚାପ ଯୋଗୁ ଏମିତି ହୋଇଛି। ତମନା ଏବେ ଆୟୁ କୁ ବାହାର ଖାଇବା ମନା କଲାରୁ ଆଉ ଓ ତା ମଧ୍ୟରେ ‌ଝଗଡା ହେଲା। ଏମିତି କିଛି ଦିନ ଗଲା ପରେ ତମନା ଘରେ ଜଣାଇଲେ ସେ ମାଆ ହେବାକୁ ଯାଉଛନ୍ତି। ଘରେ ସବୁ ଖୁସି। ଆୟୁ କିନ୍ତୁ ରାତିରେ ଗର୍ଭ ନଷ୍ଟ କରିବା ପାଇଁ କହିଲା। ତମନା ମନା କଲାରୁ ଆୟୁ ରାଗି ତମନାକୁ ମଦ ନିଶାରେ ବହୁତ ବାଡ଼େଇ କୁଆଡେ ପଳାଇଲା। ରାତି ତିନି ଟା ଯାଏ ନ ଆସିବାରୁ ତମନା ସୁମନ ପାଖକୁ ଯାଇ କହିଲା। ସୁମନ ଓ ବିନୟ ତମନାର ଅବସ୍ଥା ଦେଖି ବୁଝି ଗଲେ ଯେ ତାଙ୍କ ପୁଅ କେତେ ତଳକୁ ଚାଲି ଯାଇଛି। ଏବେ ପୁଅର ଅନୁସନ୍ଧାନ ରେ ବାହାରି ଗଲେ ବିନୟ। କିଛି ସମୟ ପରେ ଘରକୁ ଡ଼ାକ୍ତରଖାନାରୁ ଫୋନ‌ ଆସିଲା ଯେ ଆୟୁଷ ମଦ ଦୋକାନ ରୁ ବାହାରୁ ଥିବା ସମୟରେ ତାଙ୍କ ହାର୍ଟ ଆଟାକ ହୋଇଛି। ଅପରେଶନ ହେବ। ଏ କଥା ଶୁଣି ସବୁ ଯାଇ ଡାକ୍ତରଖାନାରେ ପହଞ୍ଚିଲେ। ଡାକ୍ତର କହିଲେ ବାହାରୁ ଡାକ୍ତର କିଛି ସମୟ ମଧ୍ୟରେ ଆସିବେ । ଅପରେଶନ‌ ହେବ। ଏ ସବୁ କଲେଷ୍ଟର ଜମି ହୋଇଛି। ଜଙ୍କ୍ ଫୁଡ୍ ପାଇଁ ଏମିତି ହୋଇଛି। ଘରେ ସମସ୍ତେ ନିଜର ଭୂଲ ବୁଝି ପାରିଲେ ଯେ ବେଶୀ ସ୍ନେହ ମମତା ଦେଇ ଆୟୁ ର ଏ ଅବସ୍ଥା।


ଗାୟତ୍ରୀ ଦେବୀ ଓ‌ ସୁମନ ବାବାଙ୍କ କଥା ମନେ‌ ପକାଇ ଆଶ୍ରମ ଗଲେ ବାବାଙ୍କ ସନ୍ଧାନ ରେ । ଭାଗ୍ୟକୁ ବାବାଙ୍କ ର ଦେଖା ହେଲା। ବାବା କହିଲେ ଏ ସବୁ ଆୟୁର କର୍ମଫଳ। ସେ ତମନା ବିଷୟରେ ଶୁଣିଲେ। ତମନାର ଜାତକ ଦେଖି କହିଲେ ଏ ଝିଅ ଲକ୍ଷ୍ମମନ୍ତ । ତମନାର ବିଧବା ଦୋଷ ନାହିଁ। ଆଉ ତା ଗର୍ଭରେ ଥିବା ଛୁଆର ବି ବାପ ସୁଖ ଅଛି। ଆପଣ ଯଜ୍ଞ କରନ୍ତୁ। ସେଦିନ ଫୁଲ ଯଜ୍ଞ ବଞ୍ଚାଇ ଥିଲା ଆଉ ଆଜି ତା ଝିଅ ର କର୍ମଫଳ ଆପଣଙ୍କ ପୁଅକୁ ବଞ୍ଚାଇବ। ଏହା ହିଁ ନିୟତି ର ଖେଳ। ଯଜ୍ଞ ହେଲା। ତମନା ଫୋନ କରି ଗାୟତ୍ରୀ ଦେବୀ ଙ୍କୁ କହିଲା ଆୟୁ ଏବେ ଠିକ ଅଛନ୍ତି।


ଅପରେଶନ ପରେ ଆୟୁ ନିଜର ଭୂଲ ବୁଝି ପାରିଲା ଏବଂ ତମନାକୁ କ୍ଷମା ମାଗିଲା। ଏବେ ଘରେ ହିଁ ଖାଇଲା। ଘର ଖାଇବା ଏତେ ସ୍ୱାଦିଷ୍ଟ ବୋଲି ସେ ଜାଣିଲା। ଆୟୁ ଯିଏ ଜଙ୍କ୍ ଫୁଡ୍ ବିନା ରହି ପାରୁ ନ ଥିଲା ସେ ଏବେ ଆଉ ତାକୁ ହାତ ବି ଲଗାଇଲା ନାହିଁ। ହସ ଖୁସିରେ ଘର ଚଳିଲା। ଗାୟତ୍ରୀ ଦେବୀ ତମନାକୁ ବହୁତ ଭଲ ପାଇଲେ। କିଛି ମାସ ପରେ ଘରକୁ କୁନି ଲକ୍ଷ୍ମୀ ଆସିଲା।


ପ୍ରକୃତରେ ଜଙ୍କ୍ ଫୁଡ୍ ବେଶୀ ଖାଉଥିବା ଲୋକ ସାବଧାନ ହୋଇ ଯାଆନ୍ତୁ ନ ହେଲେ ଆୟୁ ପରି ଅବସ୍ଥା ହେବ।


Rate this content
Log in

Similar oriya story from Abstract