ସ୍ମୃତିର ସଳିତା
ସ୍ମୃତିର ସଳିତା


ପାର୍କରେ ଭୁରୁ ଭୁରୁ ବାସ୍ନାୟିତ ସଞ୍ଜ ।
ଗୋଟିଏ ଗଛତଳେ,ମୁକୁଳା କେଶଗୁଚ୍ଛ ଖୋଲି ଦେଇ ଶାନ୍ତନୁ କୋଳରେ ଶୋଇ ଆକାଶକୁ ଅନେଇଁ ତାରା ଫୁଲର ହସ ଆଉ ଉଙ୍କି ମରା ଜହ୍ନକୁ ଚାହିଁ ରହିଥିଲା-ଛନ୍ଦା ।ଉଡିଯାଉଥିବା ଉଲୁରା କେଶକୁ ସାଇତି ଦେଉ ଦେଉ ଶାନ୍ତନୁ ଛନ୍ଦାକୁ ଆହୁରି ଆପଣାର କରି ଭିଡି ଧରିଥିଲା ବାହୁ ବନ୍ଧନରେ। ଛନ୍ଦା ନିଜର ଦୁଷ୍ଟାମିକୁ ଆହୁରି ବଢେଇ ଦେଇ ଧୀରେ ଧୀରେ ଶାନ୍ତନୁର କାନକୁ କାମୁଡି ଦେଉଥିଲା । ନୂଆ ଜୀବନର ନୂଆ ଉନ୍ମାଦନା ଭିତରେ କାହିଁକି କେଜାଣି,ଶିହରଣ ଖେଳୁଥିଲା ଦୁଇଟି ମନରେ । ଦେହରୁ ବହିଯାଉଥିଲା ଝାଳ । ଅଦୂରେ ଦୁଇଜଣ ପ୍ରେମିକ ଓ ପ୍ରେମିକା ଯୁଗଳ ବନ୍ଦିରେ ଆବଦ୍ଧ ହୋଇ ତାତ୍ସଲ୍ୟ କରୁଥିଲେ ଯେମିତି ଏ ଦୁହିଁଙ୍କୁ । ଶାନ୍ତନୁ ଆଙ୍ଗୁଠି ନିର୍ଦ୍ଦେଶ କରି କହିଲା- ଛନ୍ଦା, ଦେଖ ଏମାନେ କେମିତି ହଜି ଯାଇଛନ୍ତି ଔଦ୍ଧତ୍ୟ ଯୌବନର ଜୁଆରିଆ ନଈରେ । ନିଜକୁ ଏମିତି ହଜେଇ ଦେଇଛନ୍ତିଯେ, ଖୋଜିବା ଅସମ୍ଭବ । ପ୍ରେମ ଅନ୍ଧ । ହେଲେ ସେଇ ଅନ୍ଧକାରେ ହଜେଇ ଖୋଜିବାକୁ ଚପଳତା କୁହାଯିବନିତ ଆଉ କଣ ?
- ଆମେ କଣ ଚପଳତା ନେଇ ଭଲ ପାଉଛେ ? ନାଇଁ –ନା ।
- ନା, ଆମେ, ବାସ୍ତବତାକୁ ନେଇ ....
- ସତରେ, ଶାନ୍ତନୁ ମୋତେ ଭାରି ଡର ଲାଗେ । ଆମର ଏ ପ୍ରେମକୁ ଏ ଦୁନିଆଁ ମାନିନେବ । ସ୍ଵୀକୃତି ଦେବେ ଏ ସମାଜର ବଡପଣ୍ଡା ମାନେ । ଯେଉଁମାନେ ଆଜି ମହାନ ମଣିଷ-ସମାଜକୁ ଜାତି,ସଂପ୍ରଦାୟ ଓ ଧର୍ମରେ ବିଭକ୍ତି କରି ଭେଦାଭାବ ପ୍ରାଚୀର ତିଆରି କରି ଦେଇ,ପ୍ରେମ ଭଳି ପବିତ୍ର ବନ୍ଧନକୁ ସନ୍ଦେହ,ଛଲନା ଓ ପ୍ରତାରଣା ଭରି ଦେଇ କଳୁଷିତ କରି ଚାଲିଛନ୍ତି । ଆମେ କଣ ପାରିବା ???
- ହଁ, ପାରିବା । ଶାନ୍ତନୁର ନିର୍ଭର ପ୍ରତିଶ୍ରୁତି ।ଯେମିତି ଦୃଢୋକ୍ତିର ଭୀଷ୍ମ ପ୍ରତିଜ୍ଞା ।
- କୁହ ଶାନ୍ତନୁ ତୁମେ କଣ ଚାହଁ ନାହିଁ, ମୋ ସହିତ ହଜି ଯାଇ ଏକ ନୂଆ ଦୁନିଆଁର ସ୍ଵପ୍ନ ଦେଖିବାକୁ ଯେଉଁଠି ଥିବ ଐଶ୍ଵରୀୟ ପ୍ରେମକୁ ସ୍ଵୀକାର କରି ସ୍ଵୀକୃତି ଦେବାର ନିର୍ଭର ପ୍ରତିଶ୍ରୁତି ।
- ସମାଜର ଜାତି ଜାତିଆଣ ଲକ୍ଷ୍ମଣ ରେଖାର ପ୍ରାଚୀରକୁ ଡେଇଁ, ଯିବାକୁ ହେଲେ ଆରପାଖେ ଥିବା ମୃତ୍ୟୁକୁ ସ୍ଵାଗତ କରିବା ସାର ହେବ । ଆମେ ସାମାଜର ଆଖିରେ ଧରା ପଡିଯିବା । ପାରିବାନାହିଁ, ପଙ୍କିଳ ସାମାଜରେ ପାଦ ରଖି ।
- କିନ୍ତୁ ପଙ୍କିଳତାରୁ ହିଁ ପଦ୍ମ ଜାତ । ଆମେ ଏଇ ନୂଆ ଯୁଗର ନୂଆ ବାର୍ତ୍ତା ବହ ହେଇ ଦେଖେଇ ଦେବାକୁ ହେବ, ପ୍ରେମ ପବିତ୍ର ।
- ନା,- କଣ୍ଟା ପଥରେ ଚାଲିବାକୁ ହେବ । ଜୀବନକୁ ବାଜି ଲଗେଇ ସମାଜ ସହିତ ଯୁଝିବାକୁ ହେବ । ଆପଣାର ଲୋକଙ୍କୁ ଶତ୍ରୁ ଭାବିବାକୁ ହେବ । ପାରିବ ....
- ହଁ,
- ତୁମେ ଜାଣ, ବେଳେବେଳେ ପାଠ୍ୟ ପୁସ୍ତକ ଥିୟରମକୁ ନେଇ ପ୍ରୁଫ କରୁଥିବା ଭିତରେ, ତୁମ ଅଝଟିଆ ମୁହଁଟି ନାଚି ଉଠେ । ମୁଁ ଦୁର୍ବଳ ହେଇ ପଡେ-ଶାନ୍ତନୁ ।
- ଠିକ ମୁଁ ବି ସେଇଆ ଅନୁଭବ କରେ । ଅଙ୍କୁରିତ ପତ୍ରରେ ସବୁଜିମା ଭରା ନୀଳିମାକୁ ଦେଖୁ ଦେଖୁ ମନ ଭିତରେ ସବୁଜ ରଙ୍ଗ ଭରି ଯାଏ । ମୁଁ ଏକାନ୍ତରେ ରହି କିଛି ଭାବିବାକୁ ଚାହିଁଲା ବେଳକୁ, କାହିଁକି କେଜାଣି, ତୁମ ଓଠ ତଳ ଛପି ରହିଥିବା ଅନେକ କଥାକୁ ପଢିବାକୁ ଇଚ୍ଛାକରେ । ତୁମ ଆଖି ପତା, ତୁମ ନିରୀହ ମନ ଓ ଅସ୍ପଷ୍ଟ ଓଠର ଭାଷା ମୋତେ ବାର ବାର ଆହ୍ଵାନ କରେ ଆଉ ସେଇଥିରୁ ଜନ୍ମ ନିଏ, ତୁମ ଓ ମୋ ଆନ୍ତରିକତା, ସେଇ ଆନ୍ତରିକତା ଆଜି ଆମର ଅଭୂଲା ପ୍ରେମରେ ପରିଣତ ହେଇଛି । ତୁମେ ମୋ ମନ ଝରକା ଖୋଲି ଦେଖ, ସେ ଝରକା ବାହାରେ କେବଳ ତୁମେ ମୋ ପ୍ରତିକ୍ଷିତା । ହଁ....ତୁମେ !
- ଶାନ୍ତନୁ ଭାବୁଥିଲେ, ଏମ ଟେକ॰ ପରେ କେଉଁଠି ଚାକିରିଟିଏ କରି ନେବେ ଓ ପରେ ଛନ୍ଦାକୁ ପଢିବାକୁ ପ୍ରଥମିକତା ଦେଇ ଭଲ ଚାକିରିଟିଏ କରେଇବେ । କୋର୍ଟ ମ୍ୟାରେଜ କରି ବାହାରେ ସୁଖରେ ରହିବେ ।
ସଞ୍ଜକୁ ଠେଲି ରାତି ଯେମିତି ଅନୁପ୍ରବେଶ କରୁଥିଲା ଧୀରେ ଧୀରେ । ପାର୍କରୁ ଅନେକ ଲୋକ ଯିବାକୁ ବାହାରିଲେଣି । ଛନ୍ଦା ଓ ଶାନ୍ତନୁ ବାହାରକୁ ବାହାରିବା ସମୟରେ ଗାଁ ପିଲା ସୁକାନ୍ତ ଦେଖା ହେଇଗଲା । ସୁକାନ୍ତକୁ ଦେଖି ଛନ୍ଦ। ଓ ଶାନ୍ତୁନୁ ଟିକେ ଇତସ୍ତତ ହେଇ ଉଠିଲେ । କିନ୍ତୁ, ସୁକାନ୍ତ ଓଲଟି ଏମାନଙ୍କୁ କହିଲା, ଗୋଟିଏ ଗାଁର ପିଲାମାନେ ତୁମେ ବାହାରେ ରହିଲେ ଏମିତି ଆତ୍ମୀୟତାକୁ ନେଇ ଚାଲିଲେ ଭଲ । ଏଠି କିଏ ନିଜର । ଗାଁରେ ପରମ୍ପରା ଆଭିଜାତ୍ୟକୁ ନେଇ ଯେଉଁମାନେ ଲମ୍ବା ସ୍ଵର ଲମ୍ବାନ୍ତି, ସେମାନେ କେବଳ ସେଇ ପରିସର ଭିତରେ ଆବଦ୍ଧ ହେଇ କୂପ ମଣ୍ଡୁକ ହେଇ କର୍କଶ ସ୍ଵରରେ ରାବ ଦେଇ ଜାଣନ୍ତି । ଜାତି,ଧର୍ମ ଓ ଈଶ୍ଵର ହେଉଛନ୍ତି ପ୍ରଗତିର ପ୍ରତିରୋଧକାରୀ ଶକ୍ତି । ସେ ବିଭେଦକାରୀ ପ୍ରାଚୀରକୁ ଭାଙ୍ଗି ପାରିଲେ ବିକାଶ ସମ୍ଭବ ହେବ । କିନ୍ତୁ ଏହା ସୁକାନ୍ତର ଛଳନା ଥିଲା । ଗନ୍ଧମୟ ନାଳୀରେ ବଢିଆସିଥିବା ପୋକଜୋକ ମାନଙ୍କୁ ନିର୍ମଳ ସ୍ଵଛ ଜଳରେ ରଖିଲେ ବି ସେ ଗନ୍ଧଯୁକ୍ତ ସ୍ଥାନ ହିଁ ଖୋଜି ଖୋଜି ଯିବେ । ଠିକ ସେମିତି ସୁକାନ୍ତ । ମୁହଁରେ ହରି ନାମ ନେଇ ଚିତ୍ତ ହରଣ କରିବାରେ ଧୂର୍ତ୍ତ ଥିଲା । ତେଣୁ ସୁକାନ୍ତ ଗାଁକୁ ଆସି ଛନ୍ଦା ଓ ଶାନ୍ତନୁର ଅବାଧ ଭଲପାଇବା କଥା, ଛନ୍ଦା ଓ ଶାନ୍ତନୁ ଘରେ କହି ଦେଇଥିଲା ।
ଛନ୍ଦାର ଘର ଲୋକେ ଘୋର ବିରୋଧ କଲେ ଓ ଛନ୍ଦାର ଅନିଚ୍ଛା ସତ୍ତ୍ୱେ ବିବାହ ଅନ୍ୟତ୍ର ଠିକ କରାଗଲା । ଗାଁର ପରମ୍ପରା ଓ ପୁରୁଣା ସଂସ୍କୃତିକୁ ଧରି ପାଞ୍ଚ ହଜାର ବର୍ଷରୁ ହିସାବ ନିକାଶ କରୁଥିବା କେତେକ ଲୋକେ ଏହାକୁ ଅପମାନ ବୋଧ କରି ଶାନ୍ତନୁକୁ ଗାଁକୁ ଆସିଲ ମାରିଦେବାର ଧମକ ଦେଲେ । ଏକ ପବିତ୍ର ଐଶ୍ଵରୀୟ ସର୍ଜନା ର ବ୍ୟତିକ୍ରମ ଭାବି, ଶାନ୍ତନୁ କ୍ରମଶଃ ଭୁଲିବାକୁ ଲାଗିଲା ଅତୀତର ସୁମିଷ୍ଟ ସ୍ମୃତି ଭରା ସମୟକୁ । ଶାନ୍ତନୁ ଏକାନ୍ତରେ ବସି ମନରେ ଆଙ୍କେ ଛନ୍ଦାର ତା ସହିତ ଛନ୍ଦାଯିତ ମୂହୁର୍ତ୍ତ । କେବେ କେବେ ନାଚି ଉଠେ ସବାରୀରେ ବସି ଶାଶୁଘର ଯାଉଥିବା କାନ୍ଦୁରା ମୁହଁଟା । ମନଟା ଭିତରେ ଯେମିତି ସମାଜ ପ୍ରତି ଘୃଣା ଆସେ ତାର । ଘୃଣା ଲାଗେ ରୀତି ନିତୀ ଦେଖି । ତଥାପି କଣ କରିବ ସେ । ପଛକୁ ଚାହେଁ । ତା’ ମା’ର ଜିଦ ଏ ବର୍ଷ ସେ ଯେମିତି ହେଉ ନା କାହିଁକି ପୁଅକୁ ବାହା ଦେଇ ବୋହୁଟିଏ ଆଣିବ । ନୂଆ ନୂଆ ଚାକିରି କରିଥିବା ଶାନ୍ତନୁ ମନା କରିବାର ଶକ୍ତି ନାହିଁ । କାହିଁକି ଧରି ବସିବ ସେ, ପୁରୁଣା ସ୍ମୃତିକୁ । ତେଣୁ ବାହା ହେଇ ଗଲା । ଝିଅଟି ଠିକ ଦେଖିବାକୁ ଛନ୍ଦା ଭଳି ଅବିକଳ । ତାରି ମୁହଁ ଦେଖି ଅତୀତକୁ ପାଶୋରିବା ପାଇଁ ସେ ବାହା ହେଲା । ଛନ୍ଦା ସ୍ଥାନ ପୂରଣ କଳା-ସ୍ଵପ୍ନା । ସ୍ଵପ୍ନା ଆଧୁନିକା ନୁହେଁ, ତଥାପି ଆଧୁନିକ ପରିବେଶ ଓ ପରିପାଟୀକୁ ଜାବୁଡି ଧରିଛି ଦେହରେ । ସହରରେ ରହିଲେ, ନିଶ୍ଚିତ ପରିବେଶ ସହିତ ନିଜକୁ ସାମିଲ କରି ଚଳିବାକୁ ହେବ ।
ସେଦିନ, ଶ୍ରାବଣର ଝରି ବର୍ଷା ମୁଖର ରାତି ।
ହଠାତ, ସ୍ଵପ୍ନାର ଦେହ ଅସୁସ୍ଥ ହେଇ ଗଲା । ତାକୁ ନେଇ, ଡାକ୍ତରଖାନାକୁ ନେଇ ଆଡିମିସନ କଲେ ଶାନ୍ତନୁ । ଲେଡି ୱାର୍ଡରେ ତାଙ୍କ ବେଡକୁ ଲାଗି ଆଉ ଗୋଟିଏ ବେଡରେ ଶୋଇଥିଲା କେଉଁ ଏକ ଅପରିଚିତା । କେହି ଜଣେ ବିଚଳିତ ହେଇ ରକ୍ତ ଟିକେ ସଂଗ୍ରହ ପାଇଁ ଅନୁରୋଧ କରୁଥିଲେ ଆଖ ପାଖ ଲୋକମାନଙ୍କୁ । ଏ ସବୁ ଦେଖି ସହି ପାରିଲେନି ଶାନ୍ତନୁ ଆଗେଇ ଗଲେ, କିଛି ରକ୍ତ ଦୁଇଟି ବୋତଲରେ ଦେଇ ଦେଲେ । ଏଣେ କ୍ରମଶଃ ଭଲ ହେବା ପରିବର୍ତ୍ତେ ଦେହ ଅଧିକ ଖରାପ ହେବରେ ଲାଗିଛି ସ୍ଵପ୍ନାର । ତଥାପି, ଅଗ୍ରାଧିକାର ଦେଇ ସବୁ କାମ କରି ଚାଲିଛନ୍ତି ଶାନ୍ତନୁ । ଡାକ୍ତର ଭରଷା ଦେଇ କହୁଛନ୍ତି, ରୋଗୀ ଭଲ ନ ହେଇପାରେ । ଭଲ ନ ହେଲେ ବଞ୍ଚି ରହିବାର ସମ୍ଭାବନା କ୍ଷୀଣ । ଏମିତି ପରିସ୍ଥିତିରେ ସେ, ଆଖି ବୁଲେଇ ଦେଖିଲେ ପାଖ ବେଡ ଆଡକୁ । ସଦ୍ୟ ବିଧବାର ରୂପଟି ଦେଖି ବିଚଳିତ ହେଇ ପଡିଲେ ଶାନ୍ତନୁ । ଏ କଣ ଦେଖୁଛନ୍ତି ଇଏ, ଛନ୍ଦା । ହେଲେ ମଥାରେ ସିନ୍ଦୁର ନାହିଁ କି ହାତରେ ଶଙ୍ଖା ନାହିଁ । ତେବେ କଣ …….?
ନା ହେଇ ନପାରେ, ବାସ୍ତବତାକୁ ଫେରି ଆସିଲେ ଶାନ୍ତନୁ । ନା, ସେ ଛନ୍ଦା ନୁହେଁ । ଛନ୍ଦା ଏଠାକୁ ଆସିବ କାହିଁକି । ଛନ୍ଦା ସହିତ ଥିବା ଲୋକଟି କଣ ହେଇପାରେ । କଣ ସମ୍ପର୍କ ତାର ଛନ୍ଦା ସହିତ । ଏମିତି କେତେ କଣ ଭାବୁ ଭାବୁ –କଡ ଲେଉଟାଇ ଛନ୍ଦା ଦେଖୁଥିଲା ତାର ଅତୀତକୁ ଖୁବ ନିକଟରୁ । ରହି ନପାରି ଡାକିଦେଲା – ଶାନ୍ତନୁ !!!!
- କିଏ ??? ଫେରି ଚାହିଁଲା ଶାନ୍ତନୁ ।
- ମୁଁ ଛନ୍ଦା !!!!
- ହେଲେ ଏଠି ଏମିତି ??
- କଣ କରିବି, ପ୍ରତୀକ୍ଷାରେ ପ୍ରତାରଣା ପାଇ ପାଇ ଆସୁଥିବା ଏକ ନିରୀହ ପକ୍ଷ ହରା ଚଢେଇକୁ କିଏ ଆଉ କାହିଁକି ପଚାରିବ ।
ଆଖିରେ ଜକେଇ ଆସିଥିବା ଲୁହକୁ ପୋଛି ଟିକେ ମୁହଁ ଉଠେଇ ଚାହିଲା ଶାନ୍ତନୁ । ତାକୁ ଛନ୍ଦା ଆଗରେ ନିହାତି ହାରି ଯାଇଥିବା ଜୀବନ ଯୁଦ୍ଧର ଆହତ ସୈନିକ ଭଳି ଲାଗୁଥିଲା । ସେ ହରେଇ ବସୁଥିଲା ତାର ସବୁ ବଳ ବପୁ ।
ପରିଣତ ବୟସ,ତଥାପି ରହିଛି,ଓଠର ହାସ୍ୟ,ଲାସ୍ୟତା ଭିତରେ ପ୍ରୀତି ଭିଜା ଆର୍ଦତା । କୁଆଁରୀର ରୂପ ପସରା । ଏଇ ଭିତରେ ବିତି ଯାଇଛି ଦୀର୍ଘ ତିନି ଦଶନ୍ଧି । କ୍ଷଣ କୁ କ୍ଷଣ କଣ ଘଟିଯାଉଛି ତାହା କିଏ କହିବ । ଠିକ ସେମିତି ଅନେକ ଦୁଃଖଦ ଭରା ଘଟଣା ଘଟି ଯାଇଛି ଛନ୍ଦା ଜୀବନରେ । ସେଦିନ ଶାନ୍ତନୁର ଭଲ ପାଇବାକୁ ପ୍ରତ୍ୟାଖ୍ୟାନ କରି, ମା’ବାପ ଦ୍ଵାରା ପସନ୍ଦ ପାତ୍ରର ହାତ ଧରି ଶାଶୁଘର ଚାଲିଗଲା । କିନ୍ତୁ ଗୋପନ ପ୍ରୀତିଗାଥା ଯେତେବେଳେ ଛନ୍ଦା ସ୍ଵାମୀ ଜାଣିବାକୁ ପାଇଲେ । ସେତେବେଳେ ସେ ସଂସାରକୁ ଘୃଣା କରିବାକୁ ଆରମ୍ଭ କଲେ । ସେଇ ଘୃଣାପୂର୍ଣ୍ଣ ମନ ଭିତରୁ ଜନ୍ମ ନେଇଥିବା ଘୃଣ୍ୟ-ପ୍ରବୃତ୍ତିର ପ୍ରତିଫଳ ତାଙ୍କ ପବିତ୍ର ସଂସାର ବନ୍ଧନର ଡୋରୀକୁ ହୁଗୁଳା କରି ବାକୁ ଲାଗିଲା । ସବୁବେଳେ ମାନସିକ ଅଶାନ୍ତିରେ ଦୁଇଟି ଦାଂପତ୍ୟ ଜୀବନ ଛଟପଟ ହେବାକୁ ଲାଗିଲେ । ସେଇ ମାନସିକ ଅଶାନ୍ତି ବହ୍ନିରେ ବେଶୀ ଦଗ୍ଧିଭୂତ ହେଲେ, ଛନ୍ଦାର ସ୍ଵାମୀ ।
ସେଦିନେ ବର୍ଷଣ ମୁଖର କାଳ ରାତିଯେ, ଦୁଇଟି ଜୀବନକୁ ପୃଥକ କରିଦେବ ତାହା କିଏ ଜାଣି ଥିଲା । ଛନ୍ଦା ପ୍ରତି ଥିବା ଛନ୍ଦରେ ଛନ୍ଦାୟିତ ହୋଇ ନିଜ ମଟର ସାଇକେଲରେ ଆସୁ ଆସୁ ହଠାତ ରାସ୍ତା ମଝିରେ ଜମା ହେଇଥିବା ପାଣି ଓ ତା ତଳେ ଥିବା ଗାଢରେ ମଟର ସାଇକେଲ ଚକ ପଡିଯିବାରୁ ଭାରସାମ୍ୟ ହରେଇ ଛନ୍ଦା ସ୍ଵାମୀ ଛିଟିକି ଯାଇଥିଲେ ଗୋଟିଏ ଟ୍ରକର ଚକା ତଳକୁ ଆଉ ସେଇଠି ହିଁ ଲିଭିଯାଇଥିଲା ତାଙ୍କ ଜୀବନ ପ୍ରଦୀପ । ତାପରେ...ଛନ୍ଦା ଜୀବନରେ ଘୋଟି ଆସିଥିଲା ଅସହଣି ଦୁଃଖର କଳା ବାଦଲ । ସମସ୍ତେ ତାକୁ ଦୋଷ ଦେଲେ । ବେଶୀ ଦୋଷ ଦେଲେ ତା’ ଭଲ ପାଇବା ପବିତ୍ରତାକୁ । ସେ ସମ୍ଭାଳି ନ ପାରି ଶେଷରେ ସ୍ଥିର କଲା ଘର ଛାଡିବ କିମ୍ବା ଆତ୍ମାହତ୍ୟା କରିବ । ହେଲେ, ସ୍ଵାମୀ ନିଧନ ପରେ ସମସ୍ତ ସମ୍ପଦର ମାଲିକାଣୀ ହେଇ ଅନ୍ତତଃ ଦୁଃଖିରଙ୍କି ସେବା କରି ବାକି ଜୀବନ ବିତେଇବାରେ ଅସୁବିଧା କଣ । ତେଣୁ ସେ ସ୍ଥିର କଲା ତାକୁ ବଞ୍ଚିବାକୁ ହେବ । ଏତେ ସମ୍ପଦର ଦାୟିତ୍ଵ ନେଇ ସେ ବଞ୍ଚିବ । ବଞ୍ଚିବ କେତେ ଅସହାୟ ଲୋକଙ୍କ ପାଇଁ ।
ସ୍ଵପ୍ନା ଆଇସିୟୁ ରେ ରହିଛି । ସେ ବଞ୍ଚିବା ମରିବା ଘଡି ସନ୍ଧି ମୁହୂର୍ତ୍ତରେ ଉପନିତ । କେହିଜଣେ ଆସି ଶାନ୍ତନୁକୁ କହିଲା –ତୁମକୁ ପେସେଣ୍ଟ ଦେଖା କରିବାକୁ ଚାହୁଁଛି । ଶାନ୍ତନୁ ଦୌଡିଲେ ସ୍ଵପ୍ନା ପାଖକୁ । ସ୍ଵପ୍ନା ହସୁଥିଲା କେମିତି ଶେଷ ହସ । କହୁଥିଲା ମୋପରେ ତୁମେ ଏକା ହେଇ ରହିବନି । ଜମା ନୁହେଁ, କାରଣ ସାଥି ହରା ଜୀବନ ଜୀବନ ନୁହେଁ । ତାର ସେଇ ସ୍ଵପ୍ନ ଭରା ହସ ସହିତ ସ୍ଵପ୍ନ ରାଇଆଜକୁ ଚାଲି ଯାଇଥିଲା । ଶିଶୁଟିଏ ଭଳି କାନ୍ଦୁଥିଲା ଶାନ୍ତନୁ । ପଛରୁ କାହାର ହାତ ତା କାନ୍ଧରେ ପକେଇ ଆଶ୍ଵାସନା ଦେଇ ଛନ୍ଦା କହୁଥିଲା –ତୁମେ ମୋତେ ପୁନଶ୍ଚ ଗ୍ରହଣ କରି ନିଅ ଶାନ୍ତନୁ । ସେଇ ଅଭିଆଡୀ ବେଶ ଛନ୍ଦାର ଦେଖି ଶାନ୍ତନୁ ଚାହିଁ ରହିଥିଲେ ତାକୁ ।
ସ୍ଵପ୍ନା ଦୂରେଇ ଗଲା ପରେ ସମସ୍ତ ଆକଟକୁ ଡେଇଁ ଛନ୍ଦା ଛନ୍ଦି ହେଇ ଯାଇଥିଲା ଶାନ୍ତନୁ ଜୀବନ ସହିତ । ଆରମ୍ଭ ହେଇଥିଲା ନୂଆ ଏକ ଜୀବନ ଯାତ୍ରା । ଯେଉଁ ଯାତ୍ରାକୁ ଏ ସମାଜ ସ୍ଵୀକୃତି ନ ଦେଲେ ବି କେହି ସନ୍ଦେହ ଆଖିରେ ଦେଖିବେ ନାହିଁ । ଶାନ୍ତନୁ ଛନ୍ଦାର ବୈଧବ୍ୟ ରୂପ ଭିତରେ ଆବିଷ୍କାର କରୁଥିଲା ତାର କୁଆଁରୀ ବେଶ ଭିତରେ ଲୁଚିଥିବା ଅଭିଆଡି ଜୀବନ ଓ ଯୌବନ ।
ଛନ୍ଦା ହସୁଥିଲା । ଆକାଶରେ ଜହ୍ନ ଲୁଚି ଲୁଚି ଦେଖୁଥିଲା ଦୁଇଟି ଅଧା ଲେଖା କବିତାର ଶେଷ ଧାଡି ମୁଖୁଡା ସହିତ ଯୋଡି ହେଇ ଏକ ନୂତନ ମୂର୍ଚ୍ଛନା ତୋଳୁଥିଲା ଜୀବନ ରାଗରେ ।
***