ସ୍ମୃତି
ସ୍ମୃତି
ଡ୍ରାଇଭର ବଦ୍ରୀନାଥର ଡାକରେ ପ୍ରକୃସ୍ଥିତ ହୋଇ ପଛକୁ ଘୁରି ଅନେଇଲା ନିୟତି। ' ମେମ୍ ସାବ୍ ଗାଡି ନିକାଲୁ କିୟ୍ଯା '? ବଦ୍ରୀ ଉତ୍ତରପ୍ରଦେଶର ବାସିନ୍ଦା। ଅଧା ହିନ୍ଦୀ ଅଧା ଓଡିଆ ରେ କଥାବାର୍ତ୍ତା କରେ। ନିୟତି ପାଖରେ ଡ୍ରାଇଭରର କାମ କରେ। ହଁ ହଁ ବାସ୍ ପନ୍ଦର ମିନିଟ୍ ଭିତରେ ମୁ ରେଡି ହୋଇ ଆସୁଛି ନିୟତି କହିଲା। ଆଜି ସନ୍ଧ୍ଯାରେ ଉତ୍ତର ଓଡିଶା ୟୁନିଭରସିଟିରେ ହେବାକୁ ଥିବା ଆନୁଆଲ ଡେ ଫନ୍କସନ୍ ରେ ସେ ଚିଫ୍ ଗେଷ୍ଟ ଭାବରେ ନିମନ୍ତ୍ରୀତ ହୋଇଛି। ସେଇ ଇନଭିଟେସନ୍ କାର୍ଡଟିକୁ ଦେଖୁଥିଲା ନିୟତି। ଏମିତି ତା ପାଖରେ ଏଇ ନନଅଫିସିଆଲ୍ କାମ ପାଇଁ ଟାଇମ୍ ନଥାଏ। ଅଫିସ୍ ଟାଇମ୍ ଛାଡି ବାକି ସମୟ ସେ ଘରେ ବିତେଇବାକୁ ପସନ୍ଦ କରେ। ୟୁନିଭରସିଟିରୁ ବହୁତ ରିକୁଏଷ୍ଟ ଆସିଲାରୁ ସେ ବାଧ୍ଯ ହୋଇ ଯିବାକୁ ରାଜି ହୋଇଛି। ଯିବାର ଆଉଗୋଟେ କାରଣ ହେଲା ସେ ଏଇଠାରୁ ଗ୍ରାଜୁଏସନ୍ କରିଥିଲା। ନିଜେ ପଢ଼ିଥିବା କଲେଜକୁ ଗେଷ୍ଟ ହୋଇ ଯିବାର ଖୁସୀ ଅଲଗା। କାର୍ଡଟି ପଢ଼ୁଥିଲା ନିୟତି ଚିଫ୍ ଗେଷ୍ଟ ଜାଗାରେ ତା ନାମ ଲେଖା ହୋଇଥିଲା ମିସ୍ ନିୟତି ସାମନ୍ତରାଏ,ତଳକୁ ସମ୍ମାନୀୟା ଜିଲ୍ଲାପାଳ, ମୟୁରଭଂଜ। ହଁ ସେ ସବୁଦିନ ମିସ୍ ହୋଇ ରହିଗଲା। ମିସେସ୍ ହେବାରେ କିଛି ସମସ୍ଯା ଥିଲା ସେମିତି ନୁହେଁ। ମିସ୍ ହୋଇ ରହିବା ତାର ନିଜସ୍ବ ନିଷ୍ପତ୍ତି ଥିଲା। ନୋହେଲେ ଯୋଗ୍ଯରୁ ଯୋଗ୍ଯତମ ବରର ଅଭାବ ନଥିଲା। ବାପା,ମା ତାକୁ ବିବାହ କରିବାକୁ ବହୁତ ବାଧ୍ଯ କରିଥିଲେ। କିନ୍ତୁ ନିୟତି ନିଜ ନିଷ୍ପତ୍ତିରେ ଅଟଳ ଥିଲା। ବାପା ଆଉ ଏବେ ନାହାନ୍ତି। ମା ଅଛି। ଆଉ ନିୟତି ବିବାହ କରିବାର ବୟସ ଅତିକ୍ରାନ୍ତ କରିସାରିଲାଣି। ଆଜି ସେ ନିଜ ଜିଲ୍ଲାକୁ କଲେକ୍ଟର୍ ହୋଇ ଆସିଛି। ଏଇ ତିନି ମାସ ହେଲା ଏଠାରେ ଜଏନ୍ କରିଛି।ଘରେ ତାକୁ, ମାଆ, ପୁଜାରୀ,ମାଳୀ ଓ ଚାକର ମିଶାଇ ସମୁଦାୟ ପାଞ୍ଚ ଜଣ ରହନ୍ତି। ଜିଲ୍ଲାପାଳଙ୍କ ପାଇଁ ଉଦ୍ଦିଷ୍ଟ ବାସଗୃହରେ ସେ ରହୁଛି। ପଢ଼ୁ ପଢ଼ୁ ଏତେ କଥା ଭାବିଗଲାଣି ନିୟତି। କାର୍ଡଟିକୁ ତାର କଭର ଭିତଳେ ରଖୁ ରଖୁ ହଠାତ୍ ତଳେ ଗୋଟେ ଜାଗାରେ ଆଖି ଅଟକିଗଲା। ସବାତଳେ ଚାନସେଲର୍ ର ତଳେ ଲେଖା ହୋଇଥିବା ନାମ।
ଶ୍ରୀଯୁକ୍ତ ଅନିରୁଦ୍ଧ ପଟ୍ଟନାୟକ। ନାଁ ଟି ତାର ଅତି ଆପଣାର, କିନ୍ତୁ ଇଏ କ'ଣ ସେଇ ଅନିରୁଦ୍ଧ। ସାଙ୍ଗେ ସାଙ୍ଗେ ଗୁଗୁଲରେ ଫୋଟ ସର୍ଚ କରି ଦେଖିଲା, ହଁ ସେଇ ଅନିରୁଦ୍ଧ ଯିଏ ତାର ଦିନେ ହୃଦୟରେ ବାସ କରୁଥିଲା ଆଉ ବୋଧେ ଆଜିବି ସେଇଠି ଅଛି। ନୋହେଲେ ଏବେବି କାହିଁକୀ ସେ ତାର ସ୍ମୃତିକୁ ନିଜ ଭିତରେ ଜୀବିତ କରି ରଖିଛି। ସ୍ମୃତିର କ'ଣ କେବେ ମୃତ୍ଯୁ ହୋଇପାରିବ? ତା ପୁଣି ଜୀବନର ଏତେ ଅନ୍ତରଙ୍ଗ ସ୍ମୃତିର। ଯାହା ପାଇଁ ତାର ଜୀବନର ଲକ୍ଷ୍ଯ ବଦଳି ଯାଇଥିଲା।
ସ୍ମୃତିର ଦର୍ପଣରେ ଗୋଟିଏ ସୌମ୍ଯ,ସୁଦର୍ଶନ ଯୁବକର ମୁହଁ ଭାସି ଉଠିଲା। ଅନିରୁଦ୍ଧ ପଟ୍ଟନାୟକ। ନିୟତି ସାଙ୍ଗରେ ଏକା କଲେଜରେ ସମାନ କ୍ଲାସ ଆଉ ସମାନ ବିଷୟ ଥିଲା ଦୁଇଜଣଙ୍କର। ଦୁହେଁ ଦୁହିଁଙ୍କୁ ପସନ୍ଦ କରୁଥିଲେ ଓ ବିବାହ କରିବାର ପ୍ରତିଶୃତି ଦେଇଥିଲେ। ଆଉ ଗୋଟିଏ ସମାନତା ହେଲା ଦୁହେଁ ଏକା ସହରରେ ରହୁଥିଲେ। କିନ୍ତୁ ସବୁ ସମାନତା ଭିତରେ ଗୋଟିଏ ଅସମାନତା ଥିଲା ,ଅନିରୁଦ୍ଧ ଧନୀ ଶିଳ୍ପପତି ପିତାର ଏକମାତ୍ର ସନ୍ତାନ ଆଉ ନିୟତି ଥିଲା ସରକାରୀ ଚାକିରୀ କରୁଥିବା ଏକ ସ୍ବଳ୍ପ ବେତନଭୋଗୀ କିରାଣୀର ଝିଅ। ନିୟତି କେବେବି ଭୁଲିପାରିବନି ଯେଉଁ ଦିନ ତାର ବାପା ଅନିରୁଦ୍ଧ ଘରକୁ ତାର ଆଉ ଅନିରୁଦ୍ଧର ବିବାହ ପ୍ରସ୍ତାବ ନେଇ ଯାଇଥିଲେ ଆଉ ଅନିରୁଦ୍ଧର ଧନୀ ପିତା ତାର ବାପାଙ୍କୁ ଅପମାନିତ କରି ଫେରାଇଦେଇଥିଲେ। ବାପାଙ୍କ ଆଖିରେ ଅପମାନର ଲୁହ ନିୟତି କେବେବି ଭୁଲିପାରିବନି। ସେଇ ଲୁହ ପାଇଁ ସେ ନିଜକୁ ଶକ୍ତ କରି ପାଠ ପଢ଼ିଥିଲା ଆଉ ଆଜି ଏଇ ଜୀବନର ଇଏ ସ୍ଥାନରେ ପହଞ୍ଚି ପାରିଥିଲା। ତାର ଏଇ ସଫଳତାର ଶ୍ରେୟ ସେ ଅନିରୁଦ୍ଧକୁ ଦିଏ, ଯା ପାଇଁ ସେ ଏଇ ପ୍ରେରଣା ପାଇଲା। ଅନିରୁଦ୍ଧ ସିନା ନିଜ ପ୍ରତିଶୃତି ଭୁଲିଯାଇଥିଲେ ସେ କିନ୍ତୁ ନିଜ ମନରୁ ଅନିରୁଦ୍ଧର ସ୍ମୃତିକୁ ଲିଭେଇ ପାରିନଥିଲା। ଆଜି ପୁଣି ଅତୀତ ସାମନାରେ ଆସି ଠିଆ ହୋଇଯାଇଛି। ନା ନିୟତି ଆଉ ସେଇ ନିୟତି ନୁହେଁ। ସେ କଲେକ୍ଟର ନିୟତି ସାମନ୍ତରାଏ। ସେ ଦୁର୍ବଳା ଅବଳା ନୁହେଁ। ତାର ସ୍ବତନ୍ତ୍ର ପରିଚୟ ନେଇ ସେ ପରିଚିତ।' ମେମ୍ ସାବ୍ ଡେର୍ ହୋଇଯାଉଛି ' ଡ୍ରାଇଭରର ଡାକରେ ନିୟତି ଆଖିର ଲୁହ କୁ ପୋଛି ଦେଇ କାର୍ଡଟିକୁ ଭ୍ଯାନିଟି ବ୍ଯାଗରେ ରଖି ଗାଡି ପାଖକୁ ଆସିଲା।
