ସ୍କାଏ ଇଜ ଦି ଲିମିଟ୍
ସ୍କାଏ ଇଜ ଦି ଲିମିଟ୍
ବାବା ସବୁବେଳେ କାନରେ କାନରେ ମନ୍ତ୍ର ଫୁଙ୍କୁଥିଲେ ।
- ସ୍କାଏ ଇଜ ଦି ଲିମିଟ୍ ପାପା , ବୁଝିଲୁ ନା , ନୋ କମ୍ପ୍ଲେସେନ୍ସି ଆଟ ଅଲ ।
ବାବା ମୋତେ କେବେହେଲେ ନାମ ନେଇ ଡାକି ନଥିଲେ । ସବୁବେଳେ ପାପା ବୋଲି ତାଙ୍କର ଡାକ ମୋତେ ଯେତେ ପ୍ରେରଣାଦାୟୀ ଲାଗୁଥିଲା ଯେତିକି ଆନନ୍ଦ ଦେଉଥିଲା , ସେତିକି ହୁଏତ ମୋର କଂନଭୋକେସନ ରେ ଆଜ ଏ ଗୋଲଡ଼ ମେଡାଲିଷ୍ଟ ବି ଦେଇ ପାରିଲାନି ଆଜି ।
ମୁଁ ଥିଲି ମୋ ବାପାଙ୍କ ସୌରମଣ୍ଡଳର ସୂର୍ଯ୍ୟ । ମୋରି ଚାରିପଟର ବଳୟକୁ ସୁଦୃଢ କରି ତୋଳିବା ନିମନ୍ତେ ମୋ ବାବା ଅହରହ ଚକ୍ରଘୁର୍ଣ୍ଣି ସମ ଘୁରି ବୁଲୁଥିଲେ । ମୋ ତେଜ ହ୍ରାସ ନ ହୋଇ କେମିତି ଉତ୍ତରୋତ୍ତର ବୃଦ୍ଧି ପାଇବ ସେହି ଦିଗରେ ସର୍ବଦା ଯତ୍ନବାନ ଥିଲେ ।
ଆକାଶ ଛୁଇଁବାକୁ ମୋ ବାବାଙ୍କର ତୀବ୍ର ଇଚ୍ଛା ଥିଲା । ଆକାଶ କୁସୁମର ଇଚ୍ଛାକୁ ଜବରଦସ୍ତ ଦବେଇ ଦେବାକୁ ତାଙ୍କ ଚାରି ପାଖରେ ଅସଂଖ୍ୟ ବାଧାବିଘ୍ନ ମୁଣ୍ଡ ଟେକି ରହିଥିଲେ । ଭୋକ , ଅଭାବ , ଦାରିଦ୍ର୍ୟ ସମସ୍ତଙ୍କର ମିଳିତ ଷଡ଼ଯନ୍ତ୍ର ତାଙ୍କର ପ୍ରତିଭାକୁ ପଙ୍ଗୁ କରିଦେଇଥିଲା ।
ଚେନାଏ ପୃଥିବୀ ପାଇଁ ଯାହାକୁ ସଂଘର୍ଷ କରିବାକୁ ପଡୁଥିଲା , ଅନ୍ନକଣାଟିଏ ପାଇଁ ଯାହାକୁ ଜୀବନ ମରଣର ଯୁଦ୍ଧ କରିବାକୁ ପଡୁଥିଲା ସେ ପୁଣି ଆକାଶର ସୀମା କିପରି ଧାର୍ଯ୍ୟ କରି ପାରିଥାନ୍ତା ? ଆକଳନ କରିବା ସହଜ କିନ୍ତୁ ସେତିକି ଦୈର୍ଘ୍ୟ ମାପିବାକୁ ସୁନାର ସିଢି ନହେଲେ ଅନ୍ତତଃ ରୂପାର ସିଢିଟେ ତ ନିହାତି ଜରୁରୀ ଥିଲା ।
ଘରେ ଆଠ ପ୍ରାଣୀ କୁଟୁମ୍ବକୁ ଅଢ଼େଇ ଶହ ଅଟା ଆଉ ପଚିଶ ଗ୍ରାମ ଚିନି । ଏହାହିଁ ଥିଲା ତାଙ୍କ ପାଇଁ ପ୍ରତିଦିନର ଷାଠିଏ ପଉଟି ମୋହନଭୋଗ । ତାଙ୍କ ବାପାଙ୍କ ଜୀବନ ଜୀବିକାକୁ ଦେଖୁ ଦେଖୁ ସେ ନିଜେ କେବେ ସେଥିରେ ନିୟୋଜିତ ହୋଇ ଯାଇଥିଲେ ସେ ନିଜେ ଜାଣି ପାରି ନଥିଲେ । ପାଠ ପଢ଼ିବା ପାଇଁ କେବଳ ବିଦ୍ୟାଳୟ ଯଥେଷ୍ଟ ନୁହେଁ , ବହିଖାତା , କଲମ ସ୍ୟାହି ବି ଆବଶ୍ୟକ । ଖାଲି ପେଟରେ ବି ପାଠ ହୁଏନା । ନିଜର ଖାଲି ପେଟ ସହିତ ଭାଇ ଭଉଣୀଙ୍କ ବେମାରିଆ ଫୁଲା ଫୁଲା ପେଟ , କାହାଠୁ ମାଗି ଆଣିଥିବା ବହି ବି ପଢ଼ିବାକୁ ଦିଏନା । ସମୟ ବି ଆବଶ୍ୟକ । କେବେ ଘାସ କାଟିବା , କେବେ ବୋଝ ମୁଣ୍ଡେଇବା , କେବେ ଭାର ବୋହିବା ଏସବୁ କରୁକରୁ ତାଙ୍କର କୈଶୋରାବସ୍ଥା ସେମିତି ସେମିତି କଟିଯାଇ ଦଶମ ଶ୍ରେଣୀର ପାହାଚରେ ତାଙ୍କୁ ଠିଆ କରିଦେଲା ନିରନ୍ତର ପ୍ରବହମାନ ସମୟ ।
କିନ୍ତୁ ତାଙ୍କ ମନରେ ଆକାଶର ଆକର୍ଷଣ କିଛି କମ ହୋଇ ନଥିଲା । ଆକାଶର ନୀଳିମା ତାଙ୍କ ଜୀବନର ଧ୍ୟେୟ ହୋଇ ନଥିଲେ ସୁଦ୍ଧା ସ୍ଵପ୍ନଟିଏ ହୋଇ ନିଜର ଅସ୍ତିତ୍ଵ ବଜାୟ ରଖିଥିଲା , ହେଉ ପଛେ କଳ୍ପନାର ଦିବା ସ୍ଵପ୍ନଟିଏ ।
ସେଇଥିପାଇଁ ତ ଗାଁରେ ହାଟ ହେଲା , ବିଜୁଳି ବେଗରେ ଚେରଚେରେଇ ଚାରିଆଡ଼େ ଖେଳିଗଲା , ସମସ୍ତଙ୍କ ହାଁ ହାଁ ମୁହଁରୁ ବାହାରିଲା ଆଚମ୍ବିତ ଅଭିଲା କଥାଟିଏ ,
ହେଁ... , ଗୋବରଧନ ପୁଅ ଫାଆଷ୍ଟ ହେଇଛି , ଆଉ ଏ ଲୋଚନ ସାଆନ୍ତଙ୍କ ପୁଅ ଫେଲେ ?
ବାବା କହନ୍ତି , ସେହି କଥା ପଦକରେ ତାଙ୍କ ବାପା ମାଆ ଭାଇ ଭଉଣୀଙ୍କ ଗୋଡ଼ ହୁଏତ ଆକାଶରେ ଲାଗି ଯାଉଥିଲା ହେଲେ ତାଙ୍କ ମନରେ ଏକ ବିଦ୍ରୋହ ଜନ୍ମ ନେଉଥିଲା , କିଛି ଗୋଟାଏ କୁହୁଳୁଥିଲା । କିଛି ଗୋଟାଏ ମୁଣ୍ଡ ଟେକୁଥିଲା ।
କି... ? ଗରିବ ପୁଅର ଅଧିକାର ନାହିଁ , ଯୋଗ୍ୟତା ନାହିଁ ପ୍ରଥମଶ୍ରେଣୀ ନିମନ୍ତେ ? ସେମାନେ ବିଦ୍ୟା ବୁଦ୍ଧିରେ ବି ସମସ୍ତଙ୍କ ଠାରୁ ନ୍ୟୁନ ହେବେ ? ଗରିବ ପୁଅ ପ୍ରଥମ ହେଲା ଆଉ ଧନୀ ପୁଅ ଫେଲ ହେଲା ବୋଲି ଇଏ କି ଅବାନ୍ତର ଚର୍ଚ୍ଚା ?
ଆକାଶ ଛୁଇଁବା ପାଇଁ ସିଢିରେ ଗୋଟିଏ ଗୋଟିଏ ପଟା ଯୋଖୁ ଯୋଖୁ ସେ କେନ୍ଦ୍ର ସରକାରୀ ଚାକିରୀଟିଏ ପାଇ ଯାଇଥିଲେ । ଯାହାକି ତାଙ୍କ ପରି ଭୋକ ରେଖାର ତଳେ ଥିବା ପରିବାର ନିମନ୍ତେ ବିରାଟ ଏକ ସମାରୋହ ଥିଲା । ତଥାପି ବାବା ସନ୍ତୁଷ୍ଟ ନଥିଲେ । ପ୍ରବଳ ଉଚ୍ଚାକାଂକ୍ଷା ସମ୍ପନ୍ନ ମଣିଷଟିଏ ଯିଏ ସମୁଦ୍ରର ଗଭୀରତାରୁ ମୁକ୍ତା ପାଇବାର ଆଶା ରଖେ ତାକୁ ପୋଖରୀହୁଡାର ସାମାନ୍ୟ କୁଜି ଗେଣ୍ଡାଟିଏ କି ଖୁସି ବା ଆଶ୍ଵାସନା ଦେଇ ପାରିଥାନ୍ତା ।
ସେହି ଆକାଶ ଛୁଇଁବାର ପ୍ରବଳ ଲାଳସାରେ ସେ ମୋତେ ତାଙ୍କର ମୋହର ବନେଇ ସାରିଥିଲେ । ମୁଁ ବି ବାପାଙ୍କର ଯୋଗ୍ୟ ଉତ୍ତରାଧିକାରୀ ଭାବେ ସିଢି ଚଢୁଥିଲି ଗୋଟିଏ ଗୋଟିଏ ପାହାଚ ସଫଳତାର ସହିତ ।
ଆଇଆଇଟିରେ ପଶିବା ପରେ କିନ୍ତୁ ବାବାଙ୍କ ଆକାଶ ଆଉ ମୋ ଆକାଶ ବିଚ୍ଛିନ୍ନ ହୋଇଗଲେ । ବାବାଙ୍କ ପାପା ଡାକ ଆଉ ଦିନକୁ ଶହେଥର ଲେଖା କାନରେ ବାଜିଲା ନାହିଁ । ନୋ କମ୍ପ୍ଲେସେନ୍ସି ଟା କେତେବେଳେ complacent ରେ ପରିବର୍ତ୍ତିତ ହୋଇଗଲା । ମୋ ଆକାଶରେ ଭାଗ ବସାଇଲେ ଅନ୍ୟ ମାନଙ୍କର ଆକାଶ । ସବୁ ଆକାଶ ମିଶିଲା ପରେ ଏକ ବିରାଟ ଆକାଶରେ ହଜି ଯାଉଥିଲା ମୋର ସତ୍ତା । ମୁଁ ନିଜକୁ ନିଜେ ଚିହ୍ନଟ କରି ପାରୁ ନଥିଲି । ବାବାଙ୍କ ଆକାଶରେ ମୁଁ ଥିଲି ଏକ ଦେଦୀପ୍ୟମାନ , ଜାଜ୍ଵଲ୍ୟମାନ ସୂର୍ଯ୍ୟ । ହେଲେ ଏଇ ବିରାଟ ଆକାଶର ବିରାଟ ବପୁରେ ମୁଁ ପାଲଟି ଯାଉଥିଲି କ୍ଷୁଦ୍ରାତିକ୍ଷୁଦ୍ର ନଗଣ୍ୟ ଏକ ନକ୍ଷତ୍ର ।
ସେହି ଆକାଶର ଅଗଣିତ ଅବାଞ୍ଛିତ ଉଲ୍କାପିଣ୍ଡ ମୋତେ କଲେ କକ୍ଷଚ୍ୟୁତ । ମୁଁ ଭୁଲିଗଲି ମୋର ଗନ୍ତବ୍ୟ , ମୁଁ ପାଶୋରିଲି ମୋର ଲକ୍ଷ୍ୟ , ନିଜର କକ୍ଷ । ସୁତରାଂ ମୁଁ ବାରମ୍ବାର ପଥଚ୍ୟୁତ ହୋଇ ଅକୃତକାର୍ଯ୍ୟ ହେଲି । ବାବାଙ୍କ ହାତଛୁଆଁରେ ଥିବା ଆକାଶ ଦୂରେଇ ଗଲା । ତାଙ୍କ ହାତରେ ଖସି ପଡ଼ିଥିବା ଆକାଶ କୁସୁମ ମଉଳିଗଲା ।
ହଠାତ ଦିନେ ମୁଁ ନିଜକୁ ଆବିଷ୍କାର କରେ ସର୍ବନିମ୍ନ ପାହାଚରେ ଆଉ ବାବାଙ୍କୁ ଆଇ ସି ୟୁ ରେ । ମୋର ନିମ୍ନମାନର ପରିଣତି ତାଙ୍କର ହୃଦୟରେ ଏକ ଗଭୀର କ୍ଷତ ଉତ୍ପନ୍ନ କରି ତାଙ୍କୁ କରିଦିଏ ଶଯ୍ୟାଶାୟୀ । ଏକ ପରାଜିତ ଖେଳାଳୀ । ଅବ୍ୟକ୍ତ ବେଦନା ଅକଥନୀୟ ଯାତନାରେ ବାବା ହୁଅନ୍ତି ମର୍ମାହତ ।
ସେତିକିବେଳେ ମୋର ଜ୍ଞାନୋଦୟ ହୁଏ , ଯେତେବେଳେ ମୁଁ ଜାଣିପାରେ ଯେ ଵାବା ଆଉ କେବେହେଲେ ମୋତେ ପାପା ବୋଲି ଡାକି ପାରିବେ ନାହିଁ । ହୃଦୟର ଗମ୍ଭୀର ଆଘାତ ମସ୍ତିଷ୍କକୁ ସଞ୍ଚରି ଯାଇ ତାଙ୍କୁ କରି ପକେଇଛି ବାକ୍ ଶକ୍ତିହୀନ । ପଶ୍ଚାତାପର ଅଗ୍ନିରେ ମୁଁ ମଧ୍ୟ ହୁଏ ସନ୍ତାପିତ । ତୁହାଇ ତୁହାଇ କାନରେ ବାଜୁଥାଏ - ପାପା , ଜାଣିରଖ , ସ୍କାଏ ଇଜ ଦି ଲିମିଟ୍ . ଅଥଚ ବାବାଙ୍କର ପାଟି ବନ୍ଦ । ଓଠ ନିରବ । ଆଖିକୋଣ ପାଣିଆ । ମୁଣ୍ଡ ନୁଆଁଇ ମୁଁ କେବଳ ଦ୍ରଷ୍ଟା ସାଜିଥିଲି ତାଙ୍କର ଅସହାୟତାର ତାଙ୍କର ନିଶ୍ଚୁପ୍ ଆଖିରେ ବିଫଳତାର ।
ମନେମନେ ମୁଁ ନିଜକୁ ନିଜ କକ୍ଷପଥରେ ସଜାଡୁଥିଲି , ନିଜର ଲକ୍ଷ୍ୟକୁ ଭେଦିବାକୁ ଏକାଗ୍ରତାର ତୀରକୁ ସଜିଲ କରୁଥିଲି । ଆତ୍ମକୈନ୍ଦ୍ରିକ ଶକ୍ତିକୁ ପୁଞ୍ଜିଭୂତ କରୁଥିଲି ଉଲ୍କାପିଣ୍ଡ ମାନଙ୍କୁ ନିଜ କକ୍ଷପଥରୁ ବିଚ୍ୟୁତ କରିବା ପାଇଁ । ଆଉ ମୋ ବାବାଙ୍କ ହାତରେ ପୁନଶ୍ଚ ଆକାଶଟିଏ ଆଣି ସମର୍ପି ଦେବାପାଇଁ ।
ଆଜି ମୁଁ ଆଇ ଆଇ ଏମ୍ ରୁ ସଫଳତାର ସହ ପାସ୍ କରି ଗୋଲ୍ଡ ମେଡାଲିଷ୍ଟ ହୋଇ ପାରିଛି । ଆଜି ମୁଁ ବାବାଙ୍କ ଆକାଶଟାକୁ ତାଙ୍କ ହାତରେ ଆଣି ଥୋଇ ଦେଇ ପାରିଛି , ବାବାଙ୍କ ଆଖି ଝିଲମିଲ ହେଉଛି ସନ୍ତୁଷ୍ଟିରେ । କିନ୍ତୁ ମୁଁ ସତରେ କଣ ମୋର ଆକାଶକୁ ପାଇ ପାରିଛି କି ? ନା ମୋ ଅତିପ୍ରିୟ ମୋ ବାବାଙ୍କ " ପାପା " ଡାକରେ ହିଁ ହଜି ଯାଇଛି ମୋର ଆକାଶ ।
ମୋ ବାବାଙ୍କ ଭାଷାରେ - ଜାଣିଥା ପାପା , କେବଳ ନେପୋଲିୟନଙ୍କ ଡିକ୍ସନାରିରେ ନୁହେଁ , ମୋ ଜାଣିବାରେ ସତରେ ଅସମ୍ଭବ ବୋଲି କିଛି ନଥାଏ ।
ସେଇଥିପାଇଁ ଆଶା ରଖିଛି , ଯେଉଁଦିନ ମୋ ବାବାଙ୍କ ପାପା ଡାକ ଫେରେଇ ଆଣି ପାରିବି ସେହିଦିନ ହିଁ ଜାଣିବି ଯେ ସତରେ - ସ୍କାଏ ଇଜ ଦି ଲିମିଟ୍ ।