Mamatamanjari Das

Abstract Romance

4.5  

Mamatamanjari Das

Abstract Romance

ଶ୍ରେଷ୍ଠ ଉପହାର

ଶ୍ରେଷ୍ଠ ଉପହାର

4 mins
420


ଉପହାର ଏମିତି ଗୋଟିଏ ଜିନିଷ ଦେଲା ଲୋକ ଯେତିକି ଖୁସି ପାଇବା ଲୋକ ବି ତା'ଠାରୁ ଅଧିକ ଖୁସି ହୋଇଯାଏ ପାଇଲେ । ଆଉ ଏହି ଉପହାର ସମ୍ପର୍କରେ ଗୋଟିଏ ମଧୁର ମୋହର ବି ଲଗେଇ ଦିଏ । ଠିକ୍ ସେମିତି ଏ କାହାଣୀ ……

୧୯୮୩ ମସିହାରେ ମାଟ୍ରିକ ରେଜଲ୍ଟ ବାହାରି ଥାଏ ।

ଏବେକା ଭଳି ସେତେବେଳେ ରେଜଲ୍ଟ ଜାଣିବା ଏତେ ସହଜ ନଥିଲା ଆମ ମାନଙ୍କ ପାଇଁ । ରେଜଲ୍ଟ ବାହାରିବା ଦିନ ମନରେ ଅନେକ ଆଶା ଓ ଆଶଙ୍କା । ଘରଠାରୁ ସ୍କୁଲର ଦୂରତା ତିନି କିଲୋ ମିଟର । ତେଣୁ ମୁଁ ଅପେକ୍ଷା କରିଥାଏ ଆମ ଗାଁ ର ଅନ୍ୟ ପିଲାମାନେ ଗଲେ ଶୁଣି କରି ଆସିବେ ବୋଲି । ଭିତରେ କିନ୍ତୁ ଛନକା ପଶୁଥାଏ ରେଜଲ୍ଟ କଣ ହୋଇଥିବ ବୋଲି।

ଝରକା ପାଖରେ ଛିଡା ହୋଇଥାଏ ଗାଁ ର ଦୁଇ ଜଣ କଥା ହୋଇ ଯାଉଥାଆନ୍ତି ଚାରିଜଣ ପିଲା ପରୀକ୍ଷା ଦେଲେ ଜଣେ ପାସ୍ କଲା ! ହୃଦ ସ୍ପନ୍ଦନଟା ଆହୁରି ବଢିବାରେ ଲାଗିଥାଏ । ପ୍ରାୟ ଅଧଘଣ୍ଟାଏ ପରେ ଗାଁର ଜଣେ ବ୍ୟକ୍ତି ( ମୋ ଶ୍ୱଶୁର )ଆମ ଘରକୁ ଆସିଲେ ହାତରେ ତାଙ୍କର କିଛି ଉପହାର ଥାଏ । ସେ ଟିକେ ଜମିଦାର ଶ୍ରେଣୀର ବ୍ୟକ୍ତି, ବୟସରେ ମୋ ବାପାଙ୍କ ଠାରୁ ତ ବଡ କିନ୍ତୁ ଗାଁ ହିସାବରେ ବାପାଙ୍କ ର ପୁତୁରା ।

ସେମାନେ ସମସ୍ତେ ଖଡ଼ଗପୁର ରେ ରୁହନ୍ତି ସପରିବାରେ ।

ତାଙ୍କୁ ଦେଖି ବୋଉ କହିଲା, ଆମଘରେ ପୁଅ ତୁମର କେମିତି ପାଦ ପଡିଲା ? କାଠ ଚୌକି ଟା ଦେଲା ବସିବା ପାଇଁ । ସେ ବ୍ୟକ୍ତି ବୋଉକୁ କହିଲେ ନାହିଁ ରିଟାୟାଡ୍ ସମୟ ପାଖେଇ ଆସିଲାଣି ତେଣୁ ,ଆରେ ଢ଼ମଣା ବୁଲି ବାଲିକରି ସେହି ଅଗଣା ନିୟମରେ ଗାଁ କୁ ତ ଫେରିବାକୁ ପଡିବ । ଆଖି ତାଙ୍କର ଯେମିତି କିଛି ଖୋଜୁଥାଏ।

ମୋ ସାନ ଦୁଇ ଭଉଣୀ ଆସିବାରୁ ବୋଉ ତାଙ୍କୁ ପ୍ରଣାମ କରିବା ପାଇଁ କହିଲା । ସେ ସେଉଠୁ ବୋଉକୁ ପଚାରିଲେ ଖୁଡି ତୁମର ଯେଉଁ ଝିଅ ମାଟ୍ରିକ ପରୀକ୍ଷା ଦେଇଥିଲା କାହିଁ ? ବୋଉ କହିଲା ଆଜି ତାର ଫଳ ବାହାରିବ ବୋଲି ସେ ଘରୁ ବାହାରକୁ ବାହାରୁନି । ସେ କହିଲେ ଟିକେ ଡାକୁନ ତାକୁ ମୁଁ ଦେଖନ୍ତି । ବୋଉ ସେଇଠୁ ମୋତେ ଡାକିଲା ,ମୁଁ ଭିତରେ ରହି ସବୁ ଶୁଣୁଥାଏ, ବୋଉ ଡାକିବାରୁ ଆସିଲି ।

ଭଦ୍ର ବ୍ୟକ୍ତି ଙ୍କୁ ଯଥାମାନ୍ୟ କଲାପରେ ସେ ମୋତେ ପଚାରିଲେ,-

"ତୁମେ ଆଗକୁ କଣ୍ କରିବ" ?

ମୁଁ କହିବା ପୂର୍ବରୁ ବୋଉ କହିଲା କଣ୍ କରିବ , ଝିଅ ଘିଅ ପୁଣି ପାଞ୍ଚୁଟା ଭଲ ପ୍ରସ୍ତାବ ଆସିଲେ ବାହାଘର କରିଦେବୁ ।

ମୁଁ ଘରଭିତରକୁ ପଳେଇ ଲି ।

ବ୍ୟକ୍ତି ଜଣକ କହିଲେ ଯଦି ପାଶ୍ କରିଥିବ ?

ବୋଉ କହିଲା , ଆଖପାଖ ରେ ତ କଲେଜ ନାହିଁ , ଝିଅ ପିଲା ତା'ବାପା ଜାଣିଥିବେ କଣ୍ କରିବେ ।

ଭଦ୍ରବ୍ୟକ୍ତି ଉଠିଲେ ଓ ବାହାରକୁ ଯିବା ବଦଳରେ ଘରଭିତରକୁ ଆସି ମୋ ହାତକୁ ପ୍ୟାକେଟ୍ ଟିଏ ବଢେଇ ଦେଲେ ।

ମୁଁ ତାଙ୍କୁ ପଚାରିଲି ଏଇଟା ଆଜ୍ଞା କଣ୍ ପାଇଁ ?

ହସିଦେଇ କହିଲେ ତମେ ପ୍ରଥମ ଚେଷ୍ଟାରେ ସଫଳତାର ସହ ପାସ୍ କରିଥିବାରୁ । ମୁଁ ନିଜକୁ ନିଜେ ବିଶ୍ୱାସ କରିପାରୁ ନଥିଲି ,ଏହା ସ୍ୱପ୍ନ ନା ସତ୍ୟ ? ପ୍ରଣାମ କଲି, କହିଲେ ଭଗବାନ ତୁମର ମଙ୍ଗଳ କରନ୍ତୁ। ପାଠ ପଢିବା ପାଇଁ ଖୋର୍ଦ୍ଧା ଚାଲିଗଲି ଭଉଣୀ ଘରକୁ ।

ଦୁଇବର୍ଷ ପରେ ଇଣ୍ଟର ମିଡିଏଟ୍ ସାରି ଗାଁ କୁ ଫେରିଥାଏ ।

୧୯୮୬ ମସିହା ଜୁଲାଇ ମାସ, ସେ ପୁଣିଥରେ ଆମଘରକୁ ଆସିଲେ । ଚା'ପିଇସାରି ବୋଉକୁ କହିଲେ ଗୋଟିଏ ଜିନିଷ ମାଗିବି ଦେବ। ବୋଉ ମୋର ରୋକ୍ ଠୋକ୍ କଥା କୁହେ । କହିଲା ଥିବ ଯଦି ନିଶ୍ଚୟଁ ଦେବି । ଛେପ ଢୋକି ଢୋକି ଭଦ୍ର ବ୍ୟକ୍ତି କହିଲେ ତୁମ ଝିଅକୁ ମୋତେ ଦେଇଦିଅ । ବୋଉ କଣ ବୁଝିଲା କେଜାଣି କହିଲା ତୁମର ପରା ଛଟା ଝିଅ ଆଉ କଣ୍ କରିବ ?

ସେ କହିଲେ ଝିଅ ତ ମୋର ହୋଇ ରହିବ କିନ୍ତୁ ମୋ ମଝିଆଁ ପୁଅ ର ସ୍ତ୍ରୀ ହେବ । ବୋଉ କହିଲା ମୋତେ ସମୟ ଦିଅ , ତା ବାପା କଲିକତାରୁ ଆସିଲେ ପଚାରି କହିବି । ବୋଉର ବହୁତ ଆଗ୍ରହ, ତେଣୁ ବାପାଙ୍କୁ ଟେଲିଗ୍ରାମ କରି ଡକେଇ ଦେଲା । ବାପା ଆମକୁ ବହୁତ ଭଲ ପାଆନ୍ତି, ତେଣୁ ମୋ ମତାମତ ଚାହିଁଲେ।

ମୁଁ କହିଲି ଆଗକୁ ମୁଁ ପଢିବି, ନିହାତି ଗ୍ରାଜୁଏସନ ।

ବାପା ବୋଉକୁ ମନା କରିବାରୁ ବୋଉ କହିଲା, ଆଖି ଆଗରେ ଘର, ଅମାପ ସମ୍ପତ୍ତି, କଥାରେ ଅଛି ଘର ଦେଖ ନହେଲେ ବର ଦେଖ । ମନା କରୁଛ ପସ୍ତେଇବ ।

ପରଦିନ ସେ ବ୍ୟକ୍ତି ପୁଣି ଆସିଲେ । ବୋଉ ମନା କରିଦେଲା ଓ କହିଲା ଝିଅ ଚାହୁଁଛି ଆହୁରି ପାଠ ପଢିବ।

ସେ କହିଲେ ଅସୁବିଧା କୋଉଠି ? ଯେତେ ପଢିବ ମୁଁ ପଢାଇବି, ବୋଉ ଖୁସି ହୋଇ କହିଲା ଠିକ୍ ଅଛି ତାହେଲେ ବାହାଘର ହେବ । ମୋ ଭିତରେ କିନ୍ତୁ ବହୁତ ଡର , ଯଦି ନ ପଢାଇବେ ?

ସାହସ କରି ବୋଉକୁ କହିଲି ମୁଁ ସେ ପିଲାସହ ଟିକିଏ କଥା ହୁଅନ୍ତି । ବୋଉ ମୋତେ ଗାଳି କଲା । ମନଟା ବହୁତ ଦୁଃଖ ଥାଏ , ମନକୁ ଟିକେ ରିଲାକ୍ସ କରିବା ପାଇଁ

କଟକ ର ଲକ୍ଷ୍ମୀ ଟକିଜ୍ କୁ ଯାଇଥାଏ,ଫିଲ୍ମି ମାନିନୀ ଦେଖିବା ପାଇଁ ସାଙ୍ଗ ସହ । ପତଳା ଡେଙ୍ଗା ଯୁବକ ଜଣେ ପାଖରେ ବସି ଥାଆନ୍ତି । ମୋ ସାଙ୍ଗ ବାରମ୍ବାର ମୋତେ କିଛି କହିବା ପାଇଁ ଚେଷ୍ଟା କରୁଥାଏ।

ମୁଁ କିନ୍ତୁ ଏତେ ମଜ୍ଜି ଯାଇଥାଏ ତାକୁ ଚୁପ୍ କରେଇ ଦେଉଥାଏ। ଫିଲ୍ମ ସରିଲା ,ଘରକୁ ବାହାରିଲୁ । ସେ ବ୍ୟକ୍ତି ଜଣଙ୍କ ମୋ ସାଙ୍ଗକୁ ଗୋଟିଏ ଉପହାର ପ୍ୟାକେଜ ଦେଇ ନିମିଷକ ମଧ୍ୟରେ ସାଇକେଲ ରୁ କୁଆଡେ ଆଖି ଆଗରୁ ଅନ୍ତର୍ଦ୍ଧାନ ହୋଇଗଲେ। ମୁଁ ତାକୁ କହିଲି, ସେ କଣ୍ ତୋ ବୟ ଫ୍ରେଣ୍ଡ ?

ସେ ମୋତେ ପିଟି ଦେଇ କହିଲା ମୋର ନୁହେଁ ତୋର ।

ମୁଁ ହସିଲି ଆଉ କହିଲି ହୋଇଥିଲେ ଭଲ ହୋଇ ଥାଆନ୍ତା, ଘରଛାଡି ପଳେଇ ଥାଆନ୍ତି । ସେ କହିଲା ଏମିତି ପାଗେଳୀ ଭଳି କଣ୍ କହୁଛୁ ? ଆଉ ନହେଲେ କଣ୍, ମଣିଷର ନିଜସ୍ୱ ଇଚ୍ଛା ବି ଗୋଟିଏ ନାହିଁ। ସେ କହିଲା ଜାଣିଛୁ ସେ କିଏ ? ମୁଁ କହିଲି ଜାଣି ଲାଭ ବା କଣ ?

ତୋ ସହ ତାଙ୍କର ବାହାଘର ହେବ , ସେ କହିଲା । ଚମକି ପଡିଲି , ଆଉ କହିଲି ସେ ତ ଛୁଆଟିଏ ପରି ଦେଖା ଯାଉଛନ୍ତି । ହଁ ଗ୍ରାଜୁଏସନ ଫାଇନାଲ୍ ଇୟର । ତା'ହେଲେ……? ଏଇଟା ନେ କହି ସେ ମୋ ହାତକୁ ଉପହାର ପ୍ୟାକେଟ୍ ଟା ଦେଇ ଦେଲା । ଘରକୁ ଆସି ଗିଫ୍ଟ ଖୋଲିଲି, ଗୋଟିଏ ଡାଏରୀ, ୱିଲସନ୍ ପେନ, ଓ ଚିଠି ଟିଏ । ଚିଠିରେ ଲେଖା ଥିଲା ମାତ୍ର ଦୁଇଧାଡି। "ମାମା ସ୍ନେହ ନେବ ,ଏ ଉପହାର ଟି ତୁମପାଇଁ ମୁଁ ଜାଣେ ତୁମେ ପାଠକୁ ବହୁତ ଭଲପାଅ , ଏମିତି ଭଲ ପାଉଥାଅ ସବୁବେଳେ "।

ବାସ୍…ମୋର ବି ପ୍ରେମ ହୋଇ ଗଲା ତାଙ୍କ କଥାରେ ।

୧୯୮୮୬ ନଭେମ୍ବର ସତର ତାଙ୍କ ହାତର ସିନ୍ଦୂର ମୋ ପାଇଁ ଥିଲା ଶ୍ରେଷ୍ଠ ଉପହାର । ସେବେଠାରୁ ଚାଲିଛି ତାଙ୍କ ପାଦସହ ପାଦ ମିଳେଇ। ଜାଣେନା ଆଗକୁ ଆଉ କେତେ ବାକି ? ତଥାପି ଏହି ଶ୍ରେଷ୍ଠ ଉପହାର ସାଥିରେ ଥିବାଯାଏ ଏମିତି ଚାଲୁଥିବି ……।



Rate this content
Log in

Similar oriya story from Abstract