STORYMIRROR

CHINMAYEE PRADHAN

Abstract Children Stories Inspirational

3  

CHINMAYEE PRADHAN

Abstract Children Stories Inspirational

ଶ୍ରବଣ କୁମାର

ଶ୍ରବଣ କୁମାର

2 mins
176


ବାପା, ବୋଉ, ଭାଇ, ଭାଉଜ, ସ୍ତ୍ରୀ ଓ ଦୁଇ ପୁଅ ଝିଅଙ୍କୁ ନେଇ ସନାତନର ସଂସାର।ବଡ଼ ଭାଇ ଗାଁ ସ୍କୁଲରେ ଶିକ୍ଷକ। ଭାଉଜ ଅଙ୍ଗନବାଡି କର୍ମୀ। ସନାତନ ଚାଷବାସ କରେ ଆଉ ତା ସ୍ତ୍ରୀ ସୁଶୀଳା ଘରକାମ ସବୁ କରେ। ଭାଇଭାଉଜ ନିଃସନ୍ତାନ ଥିବାରୁ ସନାତନର ପୁଅକୁ ପୁଅକରି ନେଇଛନ୍ତି। ସେ ତାଙ୍କୁ ବାପା ବୋଉ ଡାକେ। ସେମାନେ ଘରଖର୍ଚ୍ଚ ସବୁ ତୁଲାନ୍ତି। ହସଖୁସିରେ ପରିବାର ଚାଲେ।


  କେତେଟା ଘରଭଙ୍ଗା ଲୋକ ଅଛନ୍ତି ତାଙ୍କ ଦେହରେ କାହା ଖୁସି ଯାଏନି। ଖାଲି ଚାହିଁ ବସିଥାନ୍ତି କେମିତି ଘରଟା ଭାଙ୍ଗିବେ। ଆଉ ଗାଁରେ ତ ଏମିତି ଲୋକଙ୍କ ଅଭାବ ନାହିଁ। ସନାତନର ଭାଉଜକୁ ପୋଖରୀ ତୁଠରେ ଦେଖି ରାଜୁଆ ବୋଉ ଆରମ୍ଭ କଲା, ଆଲୋ ନାନୀ ବାସନ୍ତୀ ଘରକଥା ଶୁଣିଛଟି? ତା ଦିଅର କେମିତି ଠକି ସବୁ ସମ୍ପତ୍ତିର ଅଧିକାରୀ ହେଇଗଲା। ତମେ ବି ହୁସିଆର ଥିବ। ଆଜିକାଲି କାହାକୁ ବିଶ୍ୱାସ । ରକତ ଚିହ୍ନିଛି ନିଜର କିଏ। ଆଜି ସିନା ତମୁକୁ ବାପା ବୋଉ ଡାକୁଛି କାଲି ଦେଖିବ ସବୁ ସମ୍ପତ୍ତିବାଡି ନେଇ ଘରୁ ବାହାର କରିଦେବ। ସନାତନ ବି କମ ଚାଲାକ ନୁହେଁ। ବେଳହୁଁ ସାବଧାନ ରୁହ।ତମର ଭଲ ଚାହୁଁଚି ବୋଲି କହିଲି। ହଉଲୋ ନାନୀ ମୁଁ ଯାଉଛି।


  କିଛି ଦିନ ଗୁମ୍ ମାରି ରହିବା ପରେ ଭାଉଜ ଜିଦ୍ ଧରିଲେ ଭିନେ ହେବା ପାଇଁ। ସେମାନେ ପୁଅକୁ ନେଇ ଅଲଗା ହେଇଗଲେ। ବାପାବୋଉଙ୍କ ସେବା କରି ପାରିବେନି ବୋଲି ସିଧା ସିଧା ମନା କରିଦେଲେ। ସନାତନ ବିଲବାଡିରେ ଖଟି ଯାହା କିଛି ରୋଜଗାର କରେ ସେଥିରେ ପାଞ୍ଚପ୍ରାଣୀ କୁଟୁମ୍ବ କଷ୍ଟେମଷ୍ଟେ ଚଳିଯାନ୍ତି। ବୟସ ବଢ଼ିବାରୁ ବୁଢ଼ାବୁଢୀଙ୍କର ନାନା ପ୍ରକାର ରୋଗ ଦେଖାଦେଲା। ଟୁଣୁକାଟୁଣୁକି ଔଷଧରେ କମଲାନି। ଡାକ୍ତର କହିଲେ କଟକ ନେବାକୁ ପଡ଼ିବ। ବାଧ୍ୟ ହୋଇ ଜମି ବିକି ଦୁହିଁଙ୍କୁ କଟକ ନେଇ ଗଲା। ବହୁତ୍ ଟଙ୍କା ଖର୍ଚ୍ଚ କଲା। ହେଲେ ବାର୍ଦ୍ଧକ୍ଯ ହେତୁ ରୋଗ ଆଉ କମିଲାନି। ଦୁହେଁ ଶଯ୍ୟାଶାୟୀ ହେଲେ। ବିଛଣାରେ ଝାଡାପରିଶ୍ରା ହେଇଯାଏ। ସ୍ଵାମୀ ସ୍ତ୍ରୀ ଦୁହେଁ ମିଶି ସବୁ ସେବା କରନ୍ତି। ବଡ଼ ପୁଅ ବୋହୂ କେବେ ବି ଆଡ ଆଖିରେ ଟିକେ ଅନେଇ ନାହାଁନ୍ତି। ଶୁଶୀଳାର ଗହଣା ଗାଣ୍ଠି ଯାହା କିଛି ଥିଲା ସେ ସବୁ ବି ବିକା ସରିଛି। କିଛି ଦିନ ପରେ ବୁଢ଼ାବୁଢୀ ଦୁହେଁ ଆଗପଛ ହେଇ ଆରପାରିକୁ ଚାଲିଗଲେ। ଶୁଦ୍ଧିକ୍ରିୟା ପାଇଁ ଟଙ୍କା ନ ଥିବାରୁ ଘରଡିହଟା ବନ୍ଧା ପକେଇ ଶୁଦ୍ଧି ହେଲା। ଗାଁ ଲୋକେ କୁହାକୁହି ହେଉଥିଲେ ଧିକ ସେ ବଡ଼ପୁଅକୁ। ଧନ୍ଯ କହିବ ସେ ସନାତନକୁ। ଏମିତି ପୁଅ ଭାଗ୍ୟରେ ଥିଲେ ମିଳେ। କଳିଯୁଗରେ ସାକ୍ଷାତ ଶ୍ରବଣ କୁମାର।


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract