STORYMIRROR

ABADHOOT PANDA

Abstract Children

3  

ABADHOOT PANDA

Abstract Children

ଶିକ୍ଷାନବିଶୀ ଖାଦ୍ୟ ଶୃଙ୍ଖଳା

ଶିକ୍ଷାନବିଶୀ ଖାଦ୍ୟ ଶୃଙ୍ଖଳା

3 mins
169


ଆମର ସଂସ୍କୃତି ଓ ପାରିବାରିକ ଚଳଣିରେ କେତେ ଗୁଡ଼ିଏ ସ୍ୱାସ୍ଥ୍ୟ ରକ୍ଷା ନିୟମ ପୂର୍ଣ୍ଣ ପ୍ରବଚନ ଅଛି । ସେଥିମଧ୍ୟରୁ ଗୋଟିଏ ହେଲା - ରାତିରେ ଆଦୌ ଦହି ଖାଇବା ଉଚିତ ନୁହେଁ - ପ୍ରାଚୀନ କାଳରେ ବିଜ୍ଞାନର ବିକାଶ ଆଜି ପରି ନ ଥିଲା । ତେଣୁ ଆମ ଦେଶର ଲୋକେ ଋଷି ମୁନୀ ମାନଙ୍କ ଉପଦେଶକୁ ଶିରୋଧାର୍ଯ୍ୟ କରୁଥିଲେ । କାରଣ ସେହି ସମୟରେ ମନୀଷୀଗଣ ମଣିଷର ସ୍ୱାସ୍ଥ୍ୟରକ୍ଷା ଉପରେ ବେଶୀ ଗୁରୁତ୍ୱ ପ୍ରଦାନ କରୁଥିଲେ । ଜଳବାୟୁ ଅପେକ୍ଷା କୃତ ଶୁଦ୍ଧ ଥିଲା । ଲୋକ ସଂଖ୍ୟା କମ । ଆମ ଦେଶରେ ଖାଦ୍ୟ ସମ୍ପଦର ପ୍ରାଚୁର୍ଯ୍ୟ ଥିଲା । ଖାଦ୍ୟରେ ଅପମିଶ୍ରଣ ଆଦୌ ନଥିଲା । ସ୍ଥାନୀୟ ଜଳ ବାୟୁ ଅନୁଯାୟୀ ଖାଦ୍ୟ ଅଭ୍ୟାସ ବଦଳେ । ପ୍ରାଚୀନ ରୁଷି ଗଣ ମନୁଷ୍ୟଗଣ କିପରି ସୁସ୍ୱାସ୍ଥ୍ୟବାନ ହୋଇପାରିବେ ସେଥିପ୍ରତି ଗୁରୁତ୍ୱ ଦେଉଥିଲେ ଏବଂ ଉତ୍ତମ ସ୍ୱାସ୍ଥ୍ୟରକ୍ଷା ପାଇଁ କେତେକ ନିୟମ ଆବିଷ୍କାର କରିଥିଲେ ନିଜର ଆଧ୍ୟାତ୍ମିକତା, ଅନୁସନ୍ଧାନ ଜରିଆରେ । ଫଳରେ ଜନ ସମାଜ ଦୀର୍ଘ ଜିବୀ ହୋଇ ପାରୁଥିଲେ । ସେତେବେଳେ ଜଡ଼ବାଦର ପ୍ରଭାବ ନଥିଲେ ସୁଦ୍ଧା ଲୋକମାନେ ଏକ ସୁସ୍ଥ ସବଳ ନିରୋଗ ଜୀବନ ଅତିବାହିତ କରୁଥିଲେ । ମୂଳ କଥା ହେଲା ଲୋକମାନଙ୍କର ଜ୍ଞାନୀ ଗୁଣୀ ଗୁରୁଜନମାନଙ୍କ ପ୍ରତି ଆନ୍ତରିକ ଶ୍ରଦ୍ଧା ଓ ଭକ୍ତି ଥିଲା । ସେମାନେ ସେମାନଙ୍କ ପରାମର୍ଶ ମାନି ଜୀବନରେ ସଂଯମ ଆଚରଣ କରି ଉପଯୁକ୍ତ ନାଗରିକ ଭାବେ ପ୍ରତିଷ୍ଠିତ ହୋଇ ପାରୁଥିଲେ । ବ୍ରହ୍ମଚର୍ଯ୍ୟ, ଗୃହସ୍ଥ ଓ ବାନପ୍ରସ୍ଥ ଆଶ୍ରମ ପାଳନ ପୂର୍ବକ ଉପଯୁକ୍ତ ଦମ୍ପତି ରୂପେ ଚରିତ୍ର ବାନ ଓ ଆଦର୍ଶବାନ ସନ୍ତାନମାନଙ୍କ ଜନକ ଜନନୀ ଭାବେ ପରିଚିତ କରାଇ ପାରୁଥିଲେ । ସ୍ୱାସ୍ଥ୍ୟ ହିଁ ସମ୍ପଦ - ଶରୀରଂ ଆଦ୍ୟଂ ଖଳୁ ଧର୍ମ ସାଧନଂ - ଆର୍ଶ ବାଣୀକୁ ଅକ୍ଷରେ ଅକ୍ଷରେ ପାଳନ କରୁଥିଲେ ।


ଉଦାହରଣତଃ ସାନ୍ଦୀପନି ମୁନିଙ୍କ ଗୁରୁକୁଳ ଆଶ୍ରମରେ ଆରୁଣୀ ନାମରେ ଜନୈକ କୈଶୋର ଶିଷ୍ୟ ପାଠ ଏବଂ ଶାଠ ଶିକ୍ଷା କରୁଥିଲେ । ବେଦ ଅଧ୍ୟୟନ କରୁଥିଲେ । ସେ କାଳରେ ସିଲଟ ଖଡ଼ି ଲେଖନୀର ବ୍ୟବହାର ଥିଲେ ସୁଦ୍ଧା ଛାତ୍ରମାନେ ( ଛାତ୍ରୀମାନଙ୍କ ସଂଖ୍ୟା ମୁଷ୍ଟିମେୟ ଥିଲା କାରଣ ସେତେବେଳେ ପୁରୁଷ ପ୍ରାଧାନ୍ୟ ସମାଜ କୁମାରୀ କନ୍ୟା ମାନଙ୍କୁ କଠୋର ଅନୁଶାସନ ମଧ୍ୟରେ ଗୃହ ଅଭ୍ୟନ୍ତରରେ ଆବଦ୍ଧ ରଖୁଥିଲେ । ଗୁରୁଜନମାନଙ୍କ ବିଶ୍ୱାସ ଥିଲା ଯେ ମାତୃଜାତିକୁ ପିଲାବେଳୁ ଶାରୀରିକ ଓ ମାନସିକ ଓ ଚାରିତ୍ରିକ ଶକ୍ତି ଲାଭ କରିବାକୁ ଉପଯୁକ୍ତ ରୂପେ ତାଲିମ ଦେଲେ ଭବିଷ୍ୟତରେ ସେମାନେ ସୁସ୍ଥ ସବଳ ନିଷ୍ଠାବାନ ସନ୍ତାନମାନଙ୍କୁ ଜନ୍ମ ଦେଇ ମାନବ ସମାଜକୁ ବଳିଷ୍ଠ କରି ପାରିବେ ) ରୁକ, ଜଜୁ, ଶ୍ୟାମ ଓ ଅଥର୍ବ ବେଦର ମନ୍ତ୍ର ଗୁଡି଼କୁ ଶୁଣି ଶୁଣି ମନେ ରଖୁଥିଲେ ତଥା ପଞ୍ଚମ ବେଦ " ଧନୁର୍ବେଦ " ମନ୍ତ୍ରଗୁଡି଼କୁ ମନେ ରଖି ଅର୍ଥାତ ମୁଖସ୍ଥ କରି ରଣ କ୍ଷେତ୍ରରେ କାର୍ଯ୍ୟକାରୀ କରୁଥିଲେ । ସୁତରାଂ ବେଦର ଅନ୍ୟ ନାମ " ଶ୍ରୁତି "।...................................


ଏକଦା ପ୍ରାତଃ କାଳରେ ସମସ୍ତ ଶିଷ୍ୟଗଣ ବେଦ ମନ୍ତ୍ର ଉଚ୍ଚାରଣ ଆରମ୍ଭ କରିଥିଲେ । କିନ୍ତୁ ଶିଷ୍ୟ ଆରୁଣୀ ବେଦ ମନ୍ତ୍ର ନିର୍ଭୁଲ ଭାବେ ଉଚ୍ଚାରଣରଣ କରିପାରିଲା ନାହିଁ କାରଣ ସେ ପୂର୍ବ ଦିନ ମନ୍ତ୍ରଗୁଡି଼କୁ ପାସୋରି ପକାଇ ଥିଲା । ଗୁରୁ ସାନ୍ଦୀପନି ପଚାରିଲେ," କିରେ ଆରୁଣୀ ତୁ ତ ସମସ୍ତ ପିଲାଙ୍କ ମଧ୍ୟରେ ଜଣେ ମେଧାବୀ ଛାତ୍ର । ତୋର ଆଜି କଣ ହେଇଛି ଯେ ତୋର ମନ୍ତ୍ର ମନେ ରହୁନି । ଘରେ ଖାଇକି ଆସିଛୁ ତ? " ଉତ୍ତର ରେ ଆରୁଣୀ କହିଲେ, " ହେ ଗୁରୁଦେବ ଆପଣ ଯାହା କହିଲେ ସତ । ଗତ କାଲି ଆମ ଘରକୁ କୁଣିଆ ଆସିଛନ୍ତି । ସେ କିଛିଦିନ ଆମ ଗୃହରେ ନିବାସ କରିବେ । କାଲି ରାତିରେ ମୋ ମା ପରିଶ୍ରମ ଚାପରେ ସକାଳୁ ଶୀଘ୍ର ଶଯ୍ୟା ତ୍ୟାଗ କରିପାରିଲେନି । ତେଣୁ ମୋ ପାଇଁ ଜଳଖିଆ ତିଆରି କରି ପାରିଲେନି । ଆଶ୍ରାମରେ ପହଞ୍ଚିବା ବିଳମ୍ବ ହେବ ଭାବି ମୁଁ ଖାଲି ପେଟରେ ଚାଲି ଆସିଲି । ଆପଣଙ୍କ ତାଡ଼ନା ଭୟରେ ଶୀଘ୍ର ଆସି ପହଞ୍ଚିଲି । " ଶିଷ୍ୟର ଏତାଦୃଶ ଉତ୍ତର ଶୁଣି ଗୁରୁ ଭୀଷଣ ରାଗି ଯାଇ କହିଲେ, " ତୁ ଗୋଟେ ଅତି ମୂର୍ଖ ପିଲା । ତୋତେ ମୁଁ ମାତା ଦୁର୍ଗାଙ୍କ ସ୍ତୋତ୍ର ଶିଖାଇ ଥିଲି କଣ ତୋର ମନେ ନାହିଁ । ଯା ଦେବୀ ସର୍ବ ଭୂତେଷୁ କ୍ଷୁଧା ତୃଷା ଆଦି ରୁପେଣ ସଂସ୍ଥିତା......... ଶକ୍ତି ରୂପିଣୀ ମାତା ଦୁର୍ଗା ଭୋକ ଶୋଷ ରୂପେ ମାନବ ଜଠର ରେ ବିରାଜମାନ ଯିଏ କି ଖାଦ୍ୟ ଓ ପାନୀୟ ଦ୍ଵାରା ମନୁଷ୍ୟର ଶରୀରରୂପକ ମନ୍ଦିରକୁ ପରିପୁଷ୍ଟ କରି ଜୀଵାତ୍ମା ରୂପୀ ପିଣ୍ଡବ୍ରହ୍ମଙ୍କୁ କାର୍ଯ୍ୟ କ୍ଷମ କରାଇ ଥାନ୍ତି ଯାହା ଫଳରେ ମନୁଷ୍ୟଗଣ ଜୀବନ ଧାରଣ କରି ପାରିଥାନ୍ତି । ଯା ଯା ଶୀଘ୍ର ଘରକୁ ଯାଇ ପେଟେ ଖାଇକି ଆ ।"


 ଗୁରୁ ଆଦେଶ ମାନି ଆରୁଣୀ ସେଇୟା କଲା । ଉଦର ପୂର୍ଣ୍ଣ ହେବାରୁ ବେଦ ମନ୍ତ୍ର ଗୁଡି଼କୁ ବିନା ବିସ୍ମରଣରେ ବିନା ଦ୍ବିଧାରେ ସୁସ୍ୱରରେ ଗାଇ ଚାଲିଲା । ଗୁରୁ ଖୁବ ଖୁସି ହେଲେ ଏବଂ ସାବାସ ସାବାସ କହି ତାର ପିଠି ଥାପୁଡ଼ାଇ ଦେଲେ । ସୁତରାଂ ଖାଦ୍ୟ ହିଁ ମଣିଷକୁ ଜୀବନ ଧାରଣ ଓ କାର୍ଯ୍ୟକାରିତାର କ୍ଷମତା ଯୋଗାଇ ଥାଏ । ନିୟମିତ ଓ ଶୃଙ୍ଖଳିତ ଭୋଜନ ମନୁଷ୍ୟ ସମାଜକୁ ସୁଚାରୁ ରୂପେ ପରିପୁଷ୍ଟ କରିଥାଏ । ବର୍ତ୍ତମାନ ଆଧୁନିକ ସମାଜରେ ଛାତ୍ର ଛାତ୍ରୀମାନେ ଅତ୍ୟଧିକ କ୍ରିୟାଶୀଳତା ହେତୁ ଉପଯୁକ୍ତ ସମୟରେ ଖାଦ୍ୟ ଗ୍ରହଣ କରିବାରେ ଅସମର୍ଥ । ସେମାନଙ୍କ ଭବିଷ୍ୟତ ଜୀବନ ନିରୋଗ ଓ ସୁସ୍ଥ ହେଵା ନିମିତ୍ତ ନିୟମିତ ସୁଷମ ଖାଦ୍ୟର ଆବଶ୍ୟକତାକୁ କଦାପି ଅଗ୍ରାହ୍ୟ କରି ହେବ ନାହିଁ ।

             


Rate this content
Log in

Similar oriya story from Abstract