STORYMIRROR

Minakshi Samal

Romance Others

3  

Minakshi Samal

Romance Others

ଶୀତ ସକାଳ

ଶୀତ ସକାଳ

3 mins
440

ଆଃ କି ଆରାମ!ଆଜି ଆଉ ତରତର ହେଇ ଅଫିସ ପାଇଁ ରେଡି ହେବାର ନାହିଁ।ଅନ୍ୟ ଦିନ ମାନଙ୍କ ପରି ଆଜି ମଧ୍ୟ ଲୁସିର ନିଦ ଭାଙ୍ଗିଗଲା ଠିକ ପାଞ୍ଚଟା ବେଳେ।ଶରୀର ଭିତରେ ଯେମିତି ଗୋଟିଏ ଘଡି ଅନବରତ ଚାଲିଛି ଆଉ ଠିକ ସମୟରେ ଚେତାବନୀ ଦେଇ ଦଉଛି।ପୁଣିଥରେ ରେଜେଇକୁ ମୁଣ୍ଡ ଉପରକୁ ଟାଣିନେଇ ପତି ମାନବଙ୍କ ଉପରେ ହାତ ଗୋଡ ଲଦି ଶୋଇପଡିଲା ଲୁସି।ତାଙ୍କର ଆଲିଙ୍ଗନରେ ସତେଯେମିତି ସବୁତକ ଅଭୟର ଏକ ପ୍ରଶସ୍ତ ଚଦର ପାଇଯାଏ ଲୁସି।ସେଥିପାଇଁ ଶୀତ ଦିନ ଗୁଡିକ ତାର ଭାରି ପ୍ରିୟ।


ପିଲାବେଳେ ଗାଁ ଗହଳିରେ ବଢିଥିବା ଲୁସି ଶୀତୁଆ ସକାଳର ମଜାଟା ଏତେ ମାତ୍ରାରେ ଉପଭୋଗ କରିପାରେନା କାରଣ ସକାଳୁ ଉଠୁଉଠୁ ଦାନ୍ତଘଷି ଗାଧୋଇବାକୁ ପଡେ।ବାଡିପଟ କୂଅରୁ ପାଣିକାଢି ଗାଧୋଇବାକୁ ପଡେ ଯେଉଁଟାକି ସବୁଠାରୁ କଷ୍ଟକର।କିନ୍ତୁ ତାର ପରବର୍ତ୍ତୀ ପର୍ଯ୍ୟାୟର କାମସବୁ ତାକୁ ଭାରି ଭଲଲାଗେ।ଅଗଣାକୁ ଖରା ଆସିଯାଇଥାଏ ଗାଧେଇ ଆସିଲା ବେଳକୁ।ବୋଉ ,ସାନବୋଉ(ଖୁଡି)ମିଶି ପଖାଳ କଂସା ସଜକରି ରଖିଥାନ୍ତି।ଗାଁ ପଖାଳର ଏକ ଅଲଗା ବାସ୍ନା ଥାଏ।ଜେଜେମା ବାରିଆଡୁ ପେଣ୍ଡି ବାଇଗଣ ଚାରି ଛଟା ଛିଣ୍ଡେଇ ଆଣିଦିଏ।ବୋଉ ସେସବୁ ପୋଡି ଚକଟି ପାଗ କରୁ କରୁ ସାନବୋଉ କାକୁଡି କାଟି,ଲୁଣଲଙ୍କା ଚକଟି ଆଉଗୋଟେ ଥାଳିଆରେ ନେଇ ଆସନ୍ତି।ବଡ ପିଇସୀ ବାରି ଲେମ୍ବୁ କାଟିଦେଲାବେଳେ ଯେଉଁ ବାସ ଚହଟି ଯାଏ ସେଥିରେ ଜିଭ ତଳୁ ଲାଳ ବୋହିବା ଆରମ୍ଭ ହୋଇଯାଏ।ଆମ୍ବ ଦିନରେ ଆମ୍ବଲସି ଦିଆ ପଖାଳ ଯିଏ ଖାଇଛି ସେ ତା ଜୀବନରେ ଭୂଲିପାରିବନି।ସାନ ପିଇସୀ ଟିକେ ଆଇଁଷ ପ୍ରିୟ,ସେଥିପାଇଁ ସେ ଶୁଖୁଆ ପୋଡା ନହେଲେ ମାଛ ଭଜା ନହେଲେ କଙ୍କଡା ଛେଚା ଏସବୁ ଯୋଗାଡ କରନ୍ତି।ପଖାଳ ଚାରିପଟେ ସଜାଯାଇଥିବା ଲଗେଇଖିଆର ସମ୍ଭାର ଦେଖି ଦରକାର ଠାରୁ ଅଧିକା ଖାଇ ହେଇଯାଏ।


ଏଇ ଶୀତଦିନେ ଆଉ ଗୋଟିଏ ଜିନିଷ ବୋଉ ବନାଏ।ସେ ହେଲା କାଞ୍ଜିପାଣି।ଚାରି ପାଞ୍ଚ ଦିନର ତୋରାଣି ଜମେଇ ତା ସାଙ୍ଗରେ ମୂଳା,ଟମାଟୋ ଆଦି ଶୀତଦିନିଆ ପରିବା ପକେଇ,ରସୁଣ,ଭୂର୍ସୁଙ୍ଗ ପତ୍ର ଓ ଫୁଟଣ ବଘାରି ସମସ୍ତଙ୍କୁ ଅଧବେଲା ଲେଖେ କାଞ୍ଜି ପିଇବାକୁ ମିଳେ।କି ଅପୂର୍ବ ସ୍ବାଦ ତାର। ସ୍ବପ୍ନରେ ଯେ ଲୁସି ଶୀତୁଆ ସକାଳର ମଜା ନେଇ ନେଇ କାଞ୍ଜିପାଣିକୁ ବେଲାରୁ ସୁଡୁ ସୁଡୁ କରି ପିଉଛି ଏକଥା ତାର ହୋସ ନାହିଁ।


କବାଟରେ କଲିଙ୍ଗ ବେଲ ମାରି ମାରି ଅଥୟ ହେଇଗଲାଣି କାମବାଲୀ ବାଈ।କି ନିଘୋଡ ନିଦରେ ଶୋଇ ଯାଇଛନ୍ତି ପତି ପତ୍ନୀ ଦୁହେଁ।


ଶେଷରେ ମୋବାଇଲର କର୍କଶ ଶବ୍ଦରେ ଲୁସିର ସ୍ବପ୍ନ ଭଙ୍ଗହେଲା।ହେ ଭଗବାନ ସାଢେ ଆଠଟା ବାଜିଲାଣି।ଧଡପଡ ହୋଇ ଦରଜା ଆଡେ ଦୌଡିଲା।ଖୋଲିକି ଦେଖିବା ବେଳକୁ ପାହାଚରେ ଶାନ୍ତି (କାମବାଲୀ)ବସିଛି।ତାକୁ ବହେ ମସକା ମାରିଦେଲା।ତାପରେ ସ୍ବପ୍ନରେ କାଞ୍ଜିପାଣି ହାପୁଡିବାର କାହାଣୀ ଶୁଣାଇବାରୁ ସେ ଠୋ ଠୋ ହୋଇ ହସିବାକୁ ଲାଗିଲା।କହିଲା ,ହଉ ଚାଲ ମା ମୁହଁ ଧୋଇଦିଅ।ମୁଁ କଫିଟିକେ ବନେଇ ଦଉଛି।ପିଇକି ତୁମ ଗାଁ କଥା ମନେ ପକାଅ।


ଶାନ୍ତି ହାତର କଫିଟା ଲୁସିର ଭାରି ପସନ୍ଦ।ଶୀତୁଆ ସକାଳେ କଫି କପରୁ ଉଠୁଥିବା ଧୂଆଁରେ ଲୁସି ପୁଣିଥରେ ପ୍ରଛଦପଟର ଅନ୍ୟ ଏକ କାହାଣୀରେ ନିଜକୁ ହଜାଇ ଦେଲା।

 

ନଭେମ୍ବର ମାସ ଚାଲିଥାଏ।ଶୀତୁଆ ସକାଳେ ତରତର ହୋଇ ଅଫିସ ପାଇଁ ରେଡି ହୋଉ ହୋଉ କଫି ବା ଚା ପିଇବାକୁ ସମୟ ହୋଇନଥିଲା ଲୁସିକୁ। ରାସ୍ତାସାରା ଶୀତରେ ଦେହ କୋଲ ମାରିଯାଉଥାଏ।ଦିଲ୍ଲୀର ଶୀତ।ଦାନ୍ତ ଖାଲି ଠକଠକ ବାଜୁଥାଏ ।ଦୁଇହାତକୁ ବିପରୀତ କାଖର ସନ୍ଧିରେ ପୁରାଇ ନିଜର ଚାଲିବାର ଗତି ବଢାଇ ଦେଇଥାଏ ସେ।ହଠାତ୍ ଘଞ୍ଚ କୁହୁଡି ଭିତରୁ ବିପରୀତ ଦିଗରୁ ବାଇକଟିଏ ଆସି ତାକୁ ଧକ୍କା ଦେଇ ଚାଲିଗଲା।ସେଇ କୁହୁଡି ଘେରା ରାସ୍ତାରେ ସେ କେତେ ସମୟ ଯେ ପଡିରହିଥିଲା ଜାଣିନି।ତାର ହୋସ ଆସିବା ବେଳକୁ ନିଜ ଚାରିପଟେ ଜ୍ଞାତି କୁଟୁମ୍ବଙ୍କୁ ଆଖିଫାଡି ଫାଡି ଦେଖୁଥିଲା ସେ। ସେମାନଙ୍କ ମଝିରେ ସୌମ୍ୟଦର୍ଶନ ଏକ ଅଜଣା ଯୁବକକୁ ମଧ୍ୟ ଦେଖିବାକୁ ପାଇଥିଲା ସେ।


ଏଇ ଦୁର୍ଘଟଣାରେ ତାର ଜୀବନ ରକ୍ଷା କରିଥିବା ଯୁବକ ମାନବ ଥିଲେ।ଏକ ଅଜଣା ଆକର୍ଷଣରେ ଲୁସି ଆକର୍ଷିତ ହୋଇଯାଇଥିଲା ତାଙ୍କ ପ୍ରତି।ମାନବ ତା ପାଇଁ ଏକ ବୁଲେଟ ପ୍ରୁଫ ଜ୍ୟାକେଟ ହୋଇଯାଇଥିଲେ ଆଉ ଲୁସି ନିଜକୁ ସେଇ ଜ୍ୟାକେଟ ଭିତରେ ଖୁବ ନିରାପଦ ମଣୁଥିଲା।


ଏ ମା,କଫିଟା ପିଇ ଦିଅ।ହାତରେ କଫି କପ ଧରି ପୁଣିଥରେ ଗାଁର ସପନ ଦେଖିବା ଆରମ୍ଭ କରିଦେଲ କି?ଶାନ୍ତିର ଡାକରେ ପ୍ରକୃତିସ୍ଥ ହୋଇ କଫି କପରେ ଚୁମୁକ ଦେଉ ଦେଉ ଲୁସି ଏକ ଦୁଷ୍ଟାମୀର ହସ ହସି ନିଜର ବୁଲେଟ ପ୍ରୁଫ ଜ୍ୟାକେଟ ଭିତରେ କିଛିକ୍ଷଣ ଆରାମ କରିବାକୁ ଅଗ୍ରସର ହେଉଥିଲା।



साहित्याला गुण द्या
लॉग इन

Similar oriya story from Romance