ଶହୀଦ ନ ହେବାର ଦୁଃଖ
ଶହୀଦ ନ ହେବାର ଦୁଃଖ
ରାତିର ସେଇ ଅନ୍ଧକାର ଏବେ ତପୁ ର ଅତି ନିଜର ହୋଇ ଯାଇଛି। ଯେବେଠାରୁ ସନ୍ତୋଷ ଙ୍କ ଖୋଜଖବର ମିଳୁ ନାହିଁ ସେବେ ଠାରୁ ସେ ରାତିର ଏଇ ଅନ୍ଧକାର କୁ ଚାହିଁ ବସୁଛି।ଭାବନା ରେ ଦେଖେ ସେ ହଟାତ ଅନ୍ଧାର ଭିତରେ ଆଲୋକ ର କ୍ଷୀଣ ରେଖାଟିଏ , ଆଉ ସେଇ ଆଲୋକ ରେଖା ଧୀରେ ଧୀରେ ତା ନିକଟ ତର ହେଉଛି। ସେଇ ଆଲୋକ ରେଖା ଭିତରୁ ସନ୍ତୋଷ ଆତ୍ମ ପ୍ରକାଶ କରିବେ, ସିଏ ଆନନ୍ଦ ଓ ଆତିଶ୍ଚର୍ଯ୍ୟ ରେ ତାକୁ ଆଲିଙ୍ଗନ କରିବ
ଭାବି ଭାବି ରାତି ପାହେ, ସକାଳର ସୂର୍ଯ୍ୟ ଆକାଶ ର ପଣତ ତଳୁ ମୁହଁ କାଢେ।ଯିଏ ଯାହାର ନିତିଦିନର କାର୍ଯ୍ୟ ରେ ଲାଗି ପଡ଼ନ୍ତି।
ଏମିତି ଅନେକ ରାତି ବିତିଲାଣି,ନା ସନ୍ତୋଷ ଆସୁଛନ୍ତି ନା କିଛି ଖବର ଆସୁଛି।
ଗତ ମାସର ଘଟଣାଗୁଡ଼ିକ ତପୁର ମାନସ ପଟରେ ନାଚି ଉଠିଲା। ସନ୍ତୋଷ ଛୁଟି ନେଇ ମାସକ ପାଇଁ ଆସିଥିଲେ। ସେମାନେ ପ୍ରଥମ ବିବାହ ବାର୍ଷିକ ବଡ଼ ଧୁମ ଧାମ ରେ ପାଳନ କରିସାରିବା ପରେ ସେ ପୁଣି କାଶ୍ମୀର ରେ ଥିବା ତାଙ୍କ କର୍ମକ୍ଷେତ୍ର କୁ ଫେରି ଯାଇ ଥିଲେ।ଗଲାବେଳେ କହି ଯାଇଥିଲେ,
-" ତପୁ ଏଥର ମୋତେ ଗୋଟେ ରକ୍ତ ମାଂସର ସତ କଣ୍ଢେଇ ଉପହାର ଦେବ।ଏ ଖବର ଶୁଣିଲେ ମୁଁ ତୁମ ପାଖକୁ ଅତି ଶୀଘ୍ର ଆସିବି ନିଶ୍ଚୟ।"
ଗଲା ବେଳେ ହସି ହସି କହିଲେ ଯଦି ମୋତେ କେବେ ଭାରତ ମାତା ପାଇଁ ଶହୀଦ ହେବାକୁ ପଡେ
ତେବେ ତୁମେ ମନ ଦୁଃଖକରିବ ନାହିଁ।
ମୋ ଅନ୍ତେ ମୋ ପରିବାରର ପ୍ରତ୍ୟେକ ସଦସ୍ୟ ଯେମିତି ମୋପାଇଁ ଗର୍ବ ଅନୁଭବ କରିବେ । ଭାରତ ଜନନୀର ସେବାରେ ଜୀବନ ଉତ୍ସର୍ଗ କରିମୁଁ ନିଜକୁ ଧନ୍ୟ ମନେ କରିବି
ସନ୍ତୋଷ ଙ୍କର କଥା ତପୁ ର ହୃଦୟକୁ ଥରାଇ ଦେଇ ଥିଲା କିନ୍ତୁ ଜଣେ ସୈନିକ ର ପତ୍ନୀ ରୂପେ ନିଜକୁ ଦୁର୍ବଳ ବୋଲି ଦର୍ଶାଇ ବାକୁ ଚାହୁଁ ନ ଥିଲା ସେ।
କାଶ୍ମୀର ପହଞ୍ଚିବାର କିଛି ଦିନ ରୀତି ମତ ଫୋନ କରୁଥିଲେ ସନ୍ତୋଷ। ସବୁ ଠିକ୍ ଥିଲା ହେଲେ ତା ପର ଦୁଇ ଦିନ ଫୋନ ସଂଯୋଗ ଛିନ୍ନହୋଇ ଯାଇଥିଲା।
ଆଉ ସନ୍ତୋଷ ଙ୍କର ଫୋନ ଲାଗୁନଥାଏ।ସେତିକି ବେଳେ ଟିଭିରେ ସମାଚାର ଦେଲା
ଆତଙ୍କବାଦୀମାନେ ଆକ୍ରମଣ କରି କାଶ୍ମୀର ଘାଟିର ଗୋଟିଏ ସେନା ଶିବିରକୁ ନଷ୍ଟଭ୍ରଷ୍ଟ କରି ଦେଇଛନ୍ତି। ଅନେକ ସୈନିକ ଶହୀଦ ହୋଇଥିବା ବେଳେ କେତେ ଜଣ ନିଖୋଜ ଅଛନ୍ତି। ଶହୀଦ ହୋଇଥିବା ସୈନ୍ୟ ମାନଙ୍କର ନାମ ସସମ୍ମାନେ
ବାରମ୍ବାର ପ୍ରସାରଣ କରାଯାଉଥାଏ ଏବଂ ନିଖୋଜ ମାନଙ୍କୁ ଖୋଜିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରା ଯାଇଛି।
ସନ୍ତୋଷ ର ବାପା ମା ଦୁଃଖ ରେ ଭାଙ୍ଗି ପଡିଛନ୍ତି।ତପୁ ତ ଯେମିତି ସ୍ଥାଣୁ ପାଲଟି ଯାଇଛି।
କଣ କରିବ ସେ, ଯଦି ସନ୍ତୋଷଙ୍କର ଖବର ନ ମିଳେ ତେବେ ସେ ବଞ୍ଚିବ କେମିତି !!!
ଆଜିକୁ ପ୍ରାୟ ପନ୍ଦର ଦିନ ହୋଇ ଗଲାଣି, ଘରେ ଦିନେ ଚୁଲି ଜଳିଲେ ଦିନେ ଜଳୁନି।ସବୁ ଆଡ ଖାଲି ଶୂନ୍ୟ ଶୂନ୍ୟ ଲାଗୁଛି।ଭଉଣୀ ଦୁହେଁ ଏ ଖବର ଶୁଣି ଆସି ସମସ୍ତ ଙ୍କୁ ସାନ୍ତ୍ଵନା ଦେଉଛନ୍ତି।ହେଲେ କଣ ହେବକେହି ମନକୁ ବୁଝାଇ ପାରୁ ନାହାଁନ୍ତି।ସମସ୍ତେ ସମସ୍ତଙ୍କ ପାଇଁ ବ୍ୟସ୍ତ ବିବ୍ରତ
ଏ ସମୟ ରେ ତପୁର ବାରମ୍ବାର ବାନ୍ତି ହେବାକୁ ଲାଗିଲା।ଡାକ୍ତର ଦେଖେଇବା ପରେ ଜଣା ଗଲା ତପୁ ମା ହେବାକୁ ଯାଉଛି।
ଖୁସି ହେବ ନା ଦୁଃଖ କରିବ ବୁଝି ପାରୁ ନ ଥାଏ ସେ।
ସନ୍ତୋଷର ନିଖୋଜ ହେବା ପରେ ତା ଜୀବନ ତ ବିପର୍ଯ୍ୟସ୍ତ ହୋଇ ଯାଇଛି ଆଉ ତା ଖୁସି ଗୋଟେ କଣ!!ସନ୍ତୋଷ କୁ ଯେତେ ବେଳେ ଏଇ ସୁସମ୍ବାଦ ମିଳିଥାଆନ୍ତା ସିଏ କେତେ ଖୁସି ହୋଇଥାନ୍ତେ ।ତପୁ ର ଆଖିରେ ଲୁହ
ମା ହେବାର ଖୁସି ତାକୁ ଆଜି ଅଜସ୍ର ଦୁଃଖ ଦେଇଛି।
ଦିନେ ସକାଳୁ ସକାଳୁ ପୋଲିସ ଗାଡି ଆସି ତାଙ୍କ ଦୁଆରେ ରହିଲା। ବାପା ବୋଉ ଏବଂ ଅନ୍ୟ ମାନେ ଦଉଡି ଆସିଲେ କିଛି ଆଶା ଆଉ ଆଶଙ୍କା ର ଦୋଦୁଲ୍ୟମାନ ଅବସ୍ଥା ସମସ୍ତେ ଚାହିଁ ରହିଲେ ଗାଡି ମଧ୍ୟକୁ।ତପୁର ଛାତି ଧଡ଼ ପଡ଼ ହୋଇ ଯାଉଥାଏ।
ଏଇ ସମୟରେ ଗାଡ଼ିର ଦୁଆର ଖୋଲି ପୋଲିସ ଅଫିସର ଜଣଙ୍କ ଘର ଭିତରକୁ ଆସି ବାପାଙ୍କୁ ସମ୍ମାନ
ଜଣାଇ କହିଲେ ସନ୍ତୋଷଙ୍କୁ ଆତଙ୍କବାଦୀ ମାନଙ୍କ
ଶିବିର ରୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି ।
ସେ ଗୁରୁତର ଅସୁସ୍ଥ ହୋଇଥିବାରୁ ସେନା ବାହିନୀର ଚିକିତ୍ସକଙ୍କ ତତ୍ତ୍ଵାବଧାନରେ କିଛି ଦିନ ରହି ଘରକୁ ଫେରିବେ।
ଖୁସିରେ ସମସ୍ତଙ୍କ ଆଖିରୁ ଲୁହ ବୋହି ଗଲା।ତପୁକୁ ଆନନ୍ଦରେ ତା ନଣନ୍ଦ ମାନେ କୁଣ୍ଢେଇ ପକାଇଲେ।
ତପୁ କିନ୍ତୁ ଅସ୍ଥିର ହେଉଥିଲା କେତେ ବେଳେ ସେ ସନ୍ତୋଷ କୁ ଆଖି ଆଗରେ ଦେଖିବ ତ ତାର ବିଶ୍ୱାସ ଆସିବ।
ସେଦିନ ଆସି ଉପସ୍ଥିତ ହେଲା ସେନା ବାହିନୀର ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟରେ ସନ୍ତୋଷ କୁ ଘରକୁ ଅଣାଗଲା। ଆତଙ୍କବାଦୀ ମାନଙ୍କ ଅତ୍ୟଧିକ ନିର୍ଯ୍ୟାତନା ରେ ସନ୍ତୋଷ ପଙ୍ଗୁ ହୋଇ ଯାଇଛନ୍ତି।ତାଙ୍କ ଗୋଡ଼ ଆଉ ହାତକୁ ଅଚଳ କରିଦିଆ ଯାଇଥିଲା, ତାଙ୍କ ଠାରୁ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିବା ପାଇଁ ବହୁତ ଚେଷ୍ଟା କରି ତାକୁ ଆତଙ୍କୀମାନେ ଶାରୀରିକ ନିର୍ଯ୍ୟାତନା ଦେଉଥିଲେ କିନ୍ତୁ ସନ୍ତୋଷଙ୍କ ଠାରୁ କିଛି ବାହାରକରି ପାରି ନ ଥିଲେ।
ସନ୍ତୋଷ ମନରେ କିନ୍ତୁ ଘୋର ଅବଶୋଷ ରହିଗଲା ଯେ ସେ ମାତୃଭୂମି ପାଇଁ ଶହୀଦ ହୋଇ ପାରିଲା ନାହିଁ।ଘରକୁ ଫେରି ମଧ୍ୟ ସେ ଖୁସି ହୋଇ ପାରୁ ନ ଥିଲେ।
ତପୁ ତାକୁ ଅନେକ ବୁଝାଇ ଥିଲା ତୁମେ ତ ମାତୃଭୂମୀ ର ସମ୍ମାନ ରକ୍ଷାକରି ଉପଯୁକ୍ତ ଭାବେ କର୍ତ୍ତବ୍ୟ ସମ୍ପାଦନ କରିଛ ଏଇ ତୁମର ବୀରତ୍ୱ ଏଇ ତୁମର ମହାନତା
ଯେଉଁଥି ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଶତୃ ମାନଙ୍କ ପାଖରେ ପହଞ୍ଚି ପାରି ନ ଥିଲା।
ସେଥିପାଇଁ ସନ୍ତୋଷ ଙ୍କୁ ସରକାର ଙ୍କ ତରଫରୁ ସ୍ବତନ୍ତ୍ର ଭାବରେ ସମ୍ମାନିତ ଓ ସମ୍ବର୍ଦ୍ଧିତ କରଯାଇଥିଲା।
ଜଣେ ବୀର ଯବାନ ଭାବରେ।
