STORYMIRROR

Sachidananda Kar

Classics

3  

Sachidananda Kar

Classics

ଶେଷ ଯାତ୍ରା : ଦେହରୁ ବିଦେହକୁ

ଶେଷ ଯାତ୍ରା : ଦେହରୁ ବିଦେହକୁ

2 mins
289


            ସଂଧ୍ୟା ଆସେ।ସେ କ୍ଳାନ୍ତ ଅନୁଭବ କରେ।ତା' ଆଖି ଦୁଇଟା ନିଃସ୍ତେଜ ହୋଇଯାଏ।ହେଲେ ବାଟ ସରିନାହିଁ ଭାବି ତା' ମନରେ ନିରାଶର ଅନ୍ଧକାର ଘୋଟିଯାଏ।


           ଯିବାକୁ ତ ହେବ।ଚାଲିବାକୁ ଆସିଛି ଯେତେବେଳେ ସେ ଅଟକି ରହିପାରିବ କ'ଣ ! ରାତିଟା କେମିତି ବିତିଯିବ,ସେଥିପାଇଁ ତାକୁ ଅପେକ୍ଷା କରିବାକୁ ହୁଏ।ରାତି ପାହିଲେ ପୁଣି ତା'ର ବାଟ ଚଲା ଆରମ୍ଭ ହୋଇଯାଏ।


           ଜଣେ ବାଟୋଇ ହିସାବରେ ସେ ଏତିକି ବୁଝେ ଏଠି କିଛି ବି ତା' ଇଚ୍ଛାରେ ଘଟେନାହିଁ।ସେଥିପାଇଁ ତା'ର ଚିନ୍ତା - " ଆହା ! ସବୁ ଏଠି ନିଜ ଇଚ୍ଛାରେ ଘଟୁଥାଆନ୍ତା କି ! ଚିନ୍ତା କ'ଣ ଥାନ୍ତା ! " ସେ ମନକୁମନ କହେ ଓ ନିଜକୁ ବୁଝାଇଦିଏ।


          ସେ ଭାବେ ତାକୁ ବହୁତ କିଛି ନେବାକୁ ଅଛି, ଦେବାକୁ ଅଛି ଓ ସାଇତିବାକୁ ଅଛି।ତା'ର ଏଇ ଭାବନା ତାକୁ ପ୍ରେରଣା ଦିଏ।ଉତ୍ସାହ ଯୋଗାଏ।ସେ ତା'ର କ୍ଳାନ୍ତି ଭୁଲିଯାଇ ଆଗକୁ ଆଗକୁ ମାଡିଚାଲେ।


          ସେ ଜାଣେ ସବୁ ଏଠି ଦେବାନେବାର ସଂପର୍କ ଚାଲେ।ବନ୍ଧୁତା,ଶତ୍ରୁତା, ଆପଣା ପର ଭିତରେ ଥାଏ ସୀମାରେଖା।ଯେତେ ଅଛନ୍ତି ଏ ବସୁଧାରେ ସମସ୍ତଙ୍କୁ କୁଟୁମ୍ବ ସମାନ ଭାବିବାକୁ ହୁଏ।ମନରୁ ଧୋଇବାକୁ ହୁଏ ଘୃଣା ଭାବ।ସମସ୍ତଙ୍କୁ ସ୍ନେହ, ପ୍ରେମ,ଶ୍ରଦ୍ଧା, ମମତାରେ ବାନ୍ଧି ରଖିବାକୁ ହୁଏ।


          ଜୀବନ ଆଉ କ'ଣ କି ! ସାରା ସମୟ ସୁନ୍ଦର କବିତା ଲେଖିବାର ସମୟ।ସୁନ୍ଦର ଗୀତ ବୋଲିବାର ସମୟ।ସୁନ୍ଦର ଦୃଶ୍ୟ ଦେଖିବାର ସମୟ।ସୁନ୍ଦର ଅନୁଭବକୁ ଆପଣେଇବାର ସମୟ।ହିଂସା, ପ୍ରତିହିଂସା ନିଆଁ ଜଳାଏନି,ଜାଳେ ବି।ବରଂ ସବୁରି ମୁହଁରେ ହସ ଫୁଟାଇ ଜୀବନର ଗାଥାକୁ ଅଲିଭା କାଳିରେ ଲେଖିବାକୁ ହୁଏ।


          ଏସବୁ ବୁଝେ ସେ।ଏ ପ୍ରେମମୟ ପୃଥିବୀର ସର୍ବଶ୍ରେଷ୍ଠ ବାର୍ତ୍ତାକୁ ସବୁଦିନ ପଢେ।ସୁଖରେ,ଶାନ୍ତିରେ ଜୀଏଁ।


          ଦିନେ ତା' ଜୀବନର ସଂଧ୍ୟା ନଇଁ ଆସିଲା।ଧୀରେ ଧୀରେ ଘୋଡାଇ ହୋଇଗଲା ତା'ର କ୍ଳାନ୍ତ ଆଖିପତା।ଅଟକି ସାରିଥିଲା ତା'ର ପାଦ।ଭାରି ହୋଇ ଆସୁଥିଲା ସଂଧ୍ୟାର ଛାଇ ଓ ବିଷର୍ଣ୍ଣତା।ଧୂଳି ଧୂସରିତ ଜୀବନ, ଜୀବନର ଖାଲଢିପ,କ୍ଳାନ୍ତି, ଖରାଧାସ ସବୁ ଯେମିତି କୁଆଡେ ହଜି ହଜି ଯାଉଥିଲେ।ମୁକ୍ତି ଦରକାର।ସମସ୍ତେ ଯେମିତି ମୁକ୍ତି ଚାହୁଁଥିଲେ।


          ହେତୁ ପାଇବା ଦିନରୁ ତମାମ୍ ଜୀବନକୁ ଥରେ ନିଜ ଆଖି ଆଗରେ ପହଁରେଇ ନେଲା ସେ।ସବୁ କିଛି, ସମସ୍ତେ ମୁକ୍ତ ସ୍ବାଧୀନ ହୋଇ ସାରିଥିଲେ।ଏବେ କେବଳ ନିଜର ମୁକ୍ତି ଚାହିଁଲା ସେ।


         ସାମ୍ନାରେ କେହିଜଣେ ଦିବ୍ୟ ପୁରୁଷ ଠିଆ ହୋଇଥିବା ଅନୁଭବ କଲା ସେ।ପଚାରିଲା - " ଆଜି କ'ଣ ମୁକ୍ତି ଦେବ ? " କହିଲା - " ତୁମେ ଯଦି ମୋର ଏ ଦେହରୁ ମୋତେ ମୁକ୍ତି ଦିଅ,ତେବେ ଜାଣିବି ମୋ ଯାତ୍ରା ସଫଳ ହୋଇଛି।ସାରାଜୀବନ ତୁମକୁ ସାରଥି କରିଥିବାର ସାର୍ଥକତା ମୋତେ ମିଳିଛି। "


         - " ଯିଏ ମଣିଷଟିଏ ଭାବରେ ଜୀବନର ସମସ୍ତ କର୍ମକୁ ସମ୍ପାଦନ କରିଥାଏ,ସେ ହିଁ ମୁକ୍ତି ପାଏ।ତୁମେ କେବେ ମଣିଷପଣିଆର ଅବମାନନା କରିନାହଁ।ତେଣୁ ତୁମକୁ ମୁକ୍ତି ନ ମିଳିବ କାହିଁକି ? "


          ଏତିକି ଶୁଣିପାରିଲା ସେ।ଖୁସି ଗଦ୍ ଗଦ୍ ହୋଇ ପୁଣି କହିଲା - " ତଥାପି କାମ,କ୍ରୋଧ, ଲୋଭ,ମୋହର ବଶ ହୋଇ ନିଜ ଅଜାଣତରେ ଯଦି କିଛି କରି ପକାଇଥିବି,ତେବେ ମୋତେ କ୍ଷମା କରିଦବ।ମୋର ଏ ଯାତ୍ରା ଶୁଭ ହେଉ।ତୁମରି କ୍ଷମାରେ ମୋର ମନସ୍କାମନା ପୂର୍ଣ୍ଣ ହେଉ।ମୋ ପାଦର ଦରଜ ଏଇଠି ମରିଯାଉ।ଦେହରୁ ବିଦେହକୁ ମୋର ଏଇ ଯାତ୍ରା ଶେଷ ଯାତ୍ରା ହେଉ।ତୁମର ଦୟା, କ୍ଷମା,କରୁଣା ମୋ ସହିତରେ ଥାଉ,ପ୍ରଭୁ। "


          - " ତଥାସ୍ତୁ। " ଧୀରେ ଭାସି ଆସିଲା ଏ ସ୍ବର।


          ଧୀରେ ଧୀରେ ମୁଦି ହୋଇଗଲା ତା'ର ଦୁଇ ଆଖି।ଅଲଗା ହୋଇଗଲା ଦେହରୁ ଆତ୍ମା।ଅସୀମ,ଅନନ୍ତ ଆକାଶ ତଳେ ସ୍ଥିର ହୋଇଗଲା ତା'ର ଦେହ।


          ଜଣେ ଚାଲିଗଲା - ଖବରଟେ ହୋଇ ସବୁଠି ଖେଳିଗଲା ଏଇ ଦୁଃଖଦ ସ୍ବରଟି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics