Trushna Das

Abstract Drama Others

4  

Trushna Das

Abstract Drama Others

ଶେଷ ସନ୍ତକ

ଶେଷ ସନ୍ତକ

5 mins
281


ଆଇଡିଆ ବାକ୍ସଥିମ୍: ମୂଲ୍ୟବାନ ପଥର


ରାଣୀ ଗୋଟିଏ ଗରିବ ଘରର ଝିଅ। କେନ୍ଦୁଝରର ଗୋଟିଏ ଛୋଟିଆ ଗାଁରେ ତା ଘର। ତାର ଜେଜେବାପା ଗୋଟିଏ ବଡ କଳା ମୁଗୁନି ପଥରକୁ ସାଉତି ରଖି ଥିଲେ। ସେ ତା ଜେଜେଙ୍କ ଠାରୁ ଶୁଣିଛି ଯେ ସେଇ ମୁଗୁନି ପଥରକୁ ତାର ଅଣ ଜେଜେଙ୍କୁ ମହାରାଜା ଖୁସିରେ ଦେଇ ଥିଲେ। ଏକଦା ଅଣଜେଜେ ମହାରାଜାଙ୍କ ପୁଅକୁ ମହାବଳ ବାଘ ପାଖରୁ ବଞ୍ଚାଇ ଥିବାରୁ ମହାରାଜା ଖୁସିରେ ଦେଲେ ଏବଂ କହିଥିଲେ ଯେବେ ବି ପଇସାର ଦରକାର ହେବ ସେଇଟା ନେଇ ପ୍ରାକୃତିକ ସମ୍ପଦ ସଂରକ୍ଷଣ ବିଭାଗରେ ଦେଲେ ସେମାନେ ବହୁତ ଟଙ୍କା ଦେବେ।ଏ କଥା ଅଣଜେଜେ ଆସି ଘରେ କହିଲେ।ହେଲେ ସେ ମୁଗୁନି ପଥରରେ ଏମିତି କଣ ଅଛି କାହାକୁ ଜଣା ନାହିଁ। ସମସ୍ତେ ଭାବିଲେ ଅଣଜେଜେଙ୍କୁ ମହାରାଜା ଥକାଇ ଦେଲେ। କେବଳ ଜେଜେ ଭାବୁ ଥାଆନ୍ତି ଯେ ମୁଗୁନି ପଥର ନିହାତି ମୂଲ୍ୟବାନ ହୋଇଥିବ ତେଣୁ ମହାରାଜା ଦେଇଛନ୍ତି। କିଛି ଦିନ ପରେ ଅଣଜେଜେ ମରିଗଲେ। ସେବେଠାରୁ ସେ କଳା ମୁଗୁନି ପଥର ଜେଜେ ସମ୍ଭାଳି ରଖିଛନ୍ତି । ତାଙ୍କ ପାଇଁ ସେ ହେଉଛି ମୂଲ୍ୟବାନ ପଥର। ସେ ହେଉଛି ଅଣଜେଜେଙ୍କ ସ୍ମୃତି।


ରାଣୀର କଟକରେ ଗୋଟିଏ ମଧ୍ୟବିତ୍ତ ପରିବାରର ରମେଶ ସହ ବିବାହ ସ୍ଥିର ହେଲା। ରମେଶର ପରିବାରର ଆର୍ଥିକ ଅବସ୍ଥା ରାଣୀର ପରିବାରର ଆର୍ଥିକ ଅବସ୍ଥା ଅପେକ୍ଷା ଭଲ ଥିଲା। ବିବାହ ସମୟରେ ଦେବା ନେବା କଥାରେ ରମେଶର ଜେଜେମା ଲତା ଦେବୀ କହିଲେ ଆମର ସେମିତି କିଛି ଦରକାର ନାହିଁ , ହେଲେ ଆପଣ ଆପଣଙ୍କ ଝିଅକୁ ଯାହା ଦେବା କଥା ଦେବେ। ଆପଣଙ୍କ ଖୁସି।


ବାହାଘରରେ ବେଦୀ ଉପରେ ରାଣୀ ଓ ରମେଶର ହାତଗନ୍ଥି ପଡ଼ିବା ସମୟରେ ରାଣୀ ପରିବାରର ଗୁରୁଜନ ମାନେ ନିଜ ନିଜ ସାମର୍ଥ୍ୟ ଅନୁସାରେ ଉପହାର ଝିଅ ଓ ଜୁଇଁକୁ ଦେଲେ। ଶେଷରେ ଜେଜେ ଆସିଲେ। ଆଉ ସେଇ ବଡ ମୁଗୁନି ପଥର ଆଣି ଦେଲେ। ସେ ବଡ ମୁଗୁନି ପଥର ଦେଖି ବନ୍ଧୁ ବାନ୍ଧବ ମାନେ ସମସ୍ତେ ହସିଲେ। ଏ କଥା ଲତା ଦେବୀଙ୍କୁ ଅପମାନ ହେଲା। 


ଲତା ଦେବୀ ଜେଜେଙ୍କୁ କହିଲେ ସମୁଦି ଆପଣଙ୍କୁ ଆମେ କିଛି ମାଗି ନ ଥିଲୁ। କିଛି ଦେଇ ପାରିବେ ନାହିଁ ତ ନାଇ। କିନ୍ତୁ ଏ କଳା ମୁଗୁନି ପଥର କଣ ପାଇଁ ? ଆମର ଏତେ ବଡ଼ ଅପମାନ କଣ ପାଇଁ?


ଜେଜେ କହିଲେ ଏ ସବୁ ଆପଣଙ୍କ ଅପମାନ ପାଇଁ ନୁହେଁ। ଏ ହେଉଛି ମୋ ବାପା ମାନେ ରାଣୀର ଅଣଜେଜେଙ୍କ ସ୍ମୃତିରେ। ସେ ସବୁ କଥା ଖୋଲି ଲତା ଦେବୀଙ୍କୁ କହିଲେ। ସେ ଆହୁରି କହିଲେ ମୋ ବାପା ଗଲା ପରେ ରାଣୀ ହେଉଛି ପ୍ରଥମ ଝିଅ ଯାହାର ବିବାହ ହେଉଛି। ଆଉ ମୁଁ ତାକୁ ଏ ମୁଗୁନି ପଥର ତା ଅଣଜେଜେଙ୍କ ଆଶୀର୍ବାଦ ଭାବରେ ଦେଲି। ଏ ହେଉଛି ତା ଅଣଜେଜେଙ୍କ ଶେଷ ସନ୍ତକ ।ଲତା ଦେବୀ ଆଉ କିଛି ନ କହି ଚୁପ୍ ରହିଲେ। ରମେଶ କହିଲେ ଜେଜେ ଏ ହେଉଛି ଆମ ଦୁହିଁଙ୍କର ସବୁଠାରୁ ବଡ଼ ଉପହାର।


ବିବାହ ପରେ ନୂଆ ବୋହୂ ରୂପରେ ରାଣୀ ଗୃହ ପ୍ରବେଶ କଲା। ତା ଜିନିଷ ସହ ସେ କଳା ମୁଗୁନି ପଥର ବି ସେଠାରେ ପହଞ୍ଚିଲା। ନୂଆ ବୋହୂ ଆଣି ଥିବା ଜିନିଷ ଦେଖିବା ପାଇଁ ଗାଁ ଲୋକ ଆଉ ବନ୍ଧୁ ବାନ୍ଧବ ସବୁ ଆସିଲେ। ସେମାନେ ସେ ପଥର ଦେଖି ହସୁ ଥାଆନ୍ତି। କିଏ କହିଲା ଯେ ଅଣଜେଜେ ଆସିଛନ୍ତି, ତ କିଏ କହଲା ରେମଶ ଅଣଜେଜେଙ୍କ ମୂର୍ତ୍ତି କରିବ ବୋଧେ। ଏସବୁ କଥା ଲତା ଦେବୀ ଓ ତାଙ୍କ ପରିବାରକୁ ଭଲ ଲାଗୁ ନ ଥାଏ। ରାଣୀ ବିଚାରୀ ନୂଆ ବୋହୂଟିଏ, କିଛି କହିବି ପାରୁ ନାହିଁ , ଖାଲି ଆଖିରୁ ଲୁହ ଗୋଡାଉ ଥାଏ। ଲତା ଦେବୀ ଆସି ରାଣୀକୁ ଶୁଣାଇ ଦେଲେ ତ ଜେଜେ କଣ ପାଇଁ ସେ ମୁଗୁନି ପଥର ଦେଲେ କହ ନା । ସମସ୍ତେ ଆମର ଥଟ୍ଟା ପରିହାସ କରୁଛନ୍ତି।


ରମେଶ ଶେଷରେ ଆଉ ସହି ନ ପାରି ବାହାରକୁ ଯାଇ କହିଲେ ଏ କଳା ମୁଗୁନି ପଥର ଆପଣ ମାନଙ୍କ ପାଇଁ ହୋଇ ଯାଇ ପରେ ଗୋଟିଏ ସାମାନ୍ୟ ପଥର । ହେଲେ ଟିକିଏ ବି ଭାବିଛନ୍ତି ସେ ପଥର ରାଣୀ ଓ ତାଙ୍କ ପରିବାର ପାଇଁ କେତେ ମୂଲ୍ୟବାନ। ତାଙ୍କ ଅଣଜେଜେଙ୍କ ଶେଷ ସନ୍ତକ। ଆପଣ କ'ଣ ଆପଣଙ୍କ ଘରର ଗୁରୁଜନ ମାନଙ୍କ ସନ୍ତକ ସମ୍ଭାଳି ରଖୁ ନାହାଁନ୍ତି। ବୋହୂ ଯେତେବେଳେ ବିବାହ କରି ଆସେ ତାକୁ କ'ଣ ଆପଣ ନିଜ ଘରର ଗୁରୁଜନଙ୍କ ସନ୍ତକ ଦିଅନ୍ତି ନାହିଁ ଚାହେ ସେ ପୁରୁଣା ଶାଢ଼ୀ ହେଉ କି ଅଲଙ୍କାର ହେଉ। ସେମିତି ଯଦି ଜଣେ ଜେଜେ ତାଙ୍କ ବାପାଙ୍କ ସନ୍ତକ ତାଙ୍କ ନାତୁଣୀକୁ ଦେଲେ ତ କ'ଣ ଭୂଲ କଲେ। 


ଏ ସବୁ ଶୁଣି ସମସ୍ତେ ଚୁପ୍ ହୋଇ ଗଲେ। ଚତୁର୍ଥୀକୁ ରାଣୀର ଘର ଲୋକ ଆସିଲେ। ରାଣୀ ଠାରୁ ରମେଶର ଅଣଜେଜେଙ୍କ ଶେଷ ସନ୍ତକ କଥା ଶୁଣି ସବୁ ରମେଶଙ୍କ ଉପରେ ଗର୍ବ ଅନୁଭବ କଲେ। ମୁଗୁନି ପଠରଟିକୁ ନେଇ ଷ୍ଟୋର ରୁମରେ ରଖି ଦେଲେ।


ରମେଶ ଓ ରାଣୀଙ୍କ ବୈବାହିକ ଜୀବନ ସୁଖମୟ ଥାଏ। ଇତି ମଧ୍ୟରେ ଦୁଇ ବର୍ଷ ବିତି ଯାଇଥାଏ। ଗୋଟିଏ ପୁଅ ଓମ୍ ହୋଇଥାଏ। ଓମ୍ କୁ ତିନି ମାସ ହୋଇଥାଏ । ଠିକ ସେତେବେଳେ ଏକ ବଡ଼ ବିପଦ ଦୁନିଆକୁ ଆସିଲା। ସେ ହେଉଛି କରୋନା ମହାମାରୀ। ସମଗ୍ର ବିଶ୍ବକୁ ଗ୍ରାସକଲା। ରମେଶଙ୍କ ଗ୍ରୋସରୀ ଦୁକାନ ଥିବାରୁ ଟିକେ ଚଳିବା ପାଇଁ ଅର୍ଥ ଘରକୁ ଆସୁଥାଏ। ରମେଶ ସରକାରଙ୍କ ଦ୍ଵାରା ନିର୍ଦ୍ଧାରିତ ସମୟରେ ଦୋକାନ ଖୋଲି ନିୟମ ମାନି ବ୍ୟବସାୟ କରୁଥିଲା। ହେଲେ ଏସବୁ ବେଶୀ ଦିନ ଗଲା ନାହିଁ।


ଦିନେ ସନ୍ଧ୍ୟାରେ ହଠାତ୍ ଝଡ ଆସିଲା। କାଳ ବୈଶାଖୀ ରାଣୀ ଓ ରମେଶର ପରିବାର ପାଇଁ ମହାବିପତ୍ତି ଆସିଲା। ଘଡଘଡି ସହ ବିଜୁଳି ମାରୁ ଥାଏ। ଅନ୍ଧାରରେ ସବୁ ଘରେ ବସି ଥାଆନ୍ତି। ସେଦିନ ବହୁତ ଚଡ଼କ ମାରିଛି। ବିଜୁଳି ଆସିବାର ଆଉ ସମ୍ଭାବନା ନାହିଁ। ଅନ୍ଧାରରେ ଶୋଇବାକୁ ଯାଉ ଥାଆନ୍ତି। ହଠାତ୍ ରମେଶ ପାଖକୁ ପୋଲିସ ଫୋନ କଲା ଯେ ତାଙ୍କ ଦୋକାନରେ ଚଡ଼କ ପଡ଼ି ନିଆଁ ଲାଗି ଯାଇଛି। ରମେଶ ଓ ତାର ସାନ ଭାଇ ସୁରେଶ ଯାଇ ଦେଖିଲା ବେଳକୁ ପ୍ରାୟ ଅଧାରୁ ଉପରକୁ ଜିନିଷ ନିଆଁ ଧରିଯାଇଛି। ଦୋକାନର ଷ୍ଟୋରରେ ଥିବା ତେଳ ଓ ଘିଅ ନିଆଁ ବଢ଼ାଇବାରେ ସାହାଯ୍ୟ କରିଛି। ସ୍ଥାନୀୟ କିଛି ଲୋକଙ୍କ ସହୟତାରେ ଅଳ୍ପ ଜିନିଷ ଜଳନ୍ତା ଦୋକାନରୁ କାଢି ପାରିଲେ। ରମେଶଙ୍କ ପରିବାର ଉପରେ ବଡ଼ ବିପଦ ଆସିଲା। ଯେତିକି ଜିନିଷ ବାହାରିଲା କଷ୍ଟରେ ଦୁଇ ତିନି ଦିନ ପରିବାର ଚଳିବ। ରମେଶ ମୁଣ୍ଡରେ ହାତ ଦେଇ ବସିଲା। ଘର ଚଳିବ କେମିତି । ଟଙ୍କା ତ ଘରେ କି ବ୍ୟାଙ୍କରେ ବେଶୀ କିଛି ନାହିଁ। ଅତି ବେଶୀରେ ଦଶ ହଜାର ଟଙ୍କା ବାହାରିବ କି ନାହିଁ ସନ୍ଦେହ। ଏସବୁ ଚିନ୍ତାରେ ରମେଶ ବିଛଣା ଧରି ଗଲା। ସମସ୍ତେ ଭାବୁ ଥାଆନ୍ତି ସେ ଚିନ୍ତାରେ ମୁଁ ଏମିତି ହେଉଛି। ହେଲେ ସେମାନଙ୍କୁ ଜଣା ନ ଥିଲା ସେଦିନ ଦୋକାନର ବିପଦ ସହ ରମେଶ ସହ ଘରକୁ ଆଉ ଗୋଟିଏ ବିପଦ ଆସିଛି ସେ ହେଉଛି କରୋନା। ହଠାତ ତାର ଗୋଟିଏ ଦିନ ପରେ ପୋଲିସ ଆସି କହିଲେ ଯେ ସେଦିନ ସେଠାରେ ଉପସ୍ଥିତ ଥିବା ବ୍ୟକ୍ତିଙ୍କ ମଧ୍ୟରେ ଜଣେ କରୋନା ସଂକ୍ରମିତ ଥିଲା। ସେଥିପାଇଁ ସମସ୍ତଙ୍କ କରୋନା ପରୀକ୍ଷା ହେବ। କରୋନା ପରୀକ୍ଷାରେ କେବଳ ରମେଶ ପଜିଟିଭ ବାହାରିଲା। ଡାକ୍ତରଖାନାରେ ଜାଗା ନ ଥିବାରୁ ରମେଶକୁ ଘରେ ଆଇସଲେଶନ ପାଇଁ କୁହା ଗଲା। ରମେଶର ନିଶ୍ଵାସ ପ୍ରଶ୍ଵାସ ନେବାରେ କଷ୍ଟ ହେଲା। ଡାକ୍ତରଙ୍କୁ ପଚାରିବାରୁ ଡାକ୍ତର କହିଲେ ଘରୋଇ ଡାକ୍ତରଖାନା ନେଇ ଯିବା ପାଇଁ । ଘରୋଇ ଡାକ୍ତରଖାନାରେ ଖର୍ଚ୍ଚ ପାଖାପାଖି ପଚାଶ ହଜାର‌। କେଉଁଠୁ ଆସିବ।


ଏ‌ କଥା ରାଣୀର ଜେଜେ ଶୁଣି କହିଲେ ଯେ ସେ କଳା ମୁଗୁନି ପଥରକୁ ନେଇ ପ୍ରାକୃତିକ ସମ୍ପଦ ସୁରକ୍ଷା ବିଭାଗରେ ଦେବା ପାଇଁ।


ରାଣୀ : ହେଲେ ସେ ତ ଅଣଜେଜେଙ୍କ ଶେଷ ସନ୍ତକ!


ଜେଜେ : ଆରେ ସେ ତୋ ଅଣଜେଜେଙ୍କ ଆଶୀର୍ବାଦ। ସେଥିରେ ଯଦି ରମେଶ ଠିକ ହୋଇ ଯିବ ତାହା ହେଲେ ରମେଶ ମାନେ ତୋ ମଥାର ସିନ୍ଦୂର ତୋ ଅଣଜେଜେଙ୍କ ସନ୍ତକ ହେବ।


ସେ କଥା ଶୁଣି ସୁରେଶ ସହ‌ ରାଣୀ ସେ କଳା ମୁଗୁନି ପଥର ନେଇ ପ୍ରାକୃତିକ ସୁରକ୍ଷା ବିଭାଗ ପାଖକୁ ଗଲା । ସେଠାରେ ସେ ଅଣଜେଜେଙ୍କ ପରିଚୟ ଦେଇ ମୁଗୁନି ପଥର ଦେଲା। ସେଠାକାର ଅଫିସର କେନ୍ଦୁଝର ରାଜାଙ୍କ ସମ୍ପତ୍ତିର ଲିଷ୍ଟ କାଢି ଦେଖି ଜାଣିଲେ ଯେ ରାଣୀ ସତ କହୁଛନ୍ତି। ସେ କଳା ମୁଗୁନି ପଥର କୌଣସି ସାଧାରଣ ପଥର ନୁହେଁ ବରଂ ତାହା ଶହ ଶହ ବର୍ଷ ପୁରୁଣା ପଥର ଯାହା ଦେହରେ ଇତିହାସର କିଛି ଚିତ୍ର ଖନନ ଅଛି ଯାହାକୁ ଏ ଯାଏଁ କେହି ମାର୍କ କରି ନାହାଁନ୍ତି। ସେ ସଙ୍ଗେ ସଙ୍ଗେ ରାଣୀକୁ ଦୁଇ ଲକ୍ଷ ଟଙ୍କା କାଢି ଦେଲେ। ଆଉ କହିଲେ ବାକି ଟଙ୍କା ସେମାନେ ରାଣୀଙ୍କୁ ପରେ ଦେବେ। ସେ କଳା ମୁଗୁନି ପଥର କେତେ ମୂଲ୍ୟବାନ ଏବେ ସବୁ ବୁଝିଗଲେ। ସେ ଟଙ୍କାରେ ରମେଶର ଚିକିତ୍ସା ହେଲା। ଆଉ କିଛି ଟଙ୍କାରେ ଦୋକାନର ମରାମତି ହେଲା। ପୁଣି ଦୋକାନ ଖୋଲିଲା। ରାଣୀର ପରିବାରର ସବୁ ସଦସ୍ୟ କରୋନାର ନିୟମ ମାନି ଚଳିଲେ। ମାକ୍ସ ଠାରୁ ଆରମ୍ଭ କରି ସେନିଟାଇଜର ବ୍ୟବହାର କଲେ। କିଛି ଦିନ ପରେ ରାଣୀ ପାଖକୁ ଆଉ ଚାରି ଲକ୍ଷ ଟଙ୍କାର ଚେକ୍ ଆସିଲା ସେଇ ମୂଲ୍ୟବାନ ମୁଗୁନି ପଥର ପାଇଁ। ଏବେ ଲତା ଦେବୀ ନିଜ ଭୂଲ ବୁଝି ପାରିଲେ। ଆଉ ଜାଣି ଗଲେ ତାଙ୍କ ସମୁଦି କଣ ପାଇଁ ଅଣଜେଜେଙ୍କ ସନ୍ତକ ନାତୁଣୀକୁ ଦେଇଥିଲେ। ପ୍ରକୃତରେ ସେ ଅଣଜେଜେଙ୍କ ଶେଷ ସନ୍ତକ ନାତୁଣୀ ପାଇଁ ଥିଲା ଆଶୀର୍ବାଦ। ସେ ସବୁ ଟଙ୍କାକୁ ଲତା ଦେବୀ ଓମ୍ ର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ରଖି ଦେବା ପାଇଁ କହିଲେ। ଆଉ ଲତା କହିଲେ ସେଥିପାଇଁ ଗୁରୁଜନଙ୍କ ଆଶୀର୍ବାଦ ସ୍ୱରୂପ ଉପହାରକୁ ମନରୁ ଗ୍ରହଣ କରିବା ଉଚିତ।


Rate this content
Log in

Similar oriya story from Abstract