Nityananda Nandi

Abstract Classics Inspirational

4  

Nityananda Nandi

Abstract Classics Inspirational

ଶାଶୁଙ୍କ ଚିଠି

ଶାଶୁଙ୍କ ଚିଠି

5 mins
184



 

ମୋ ଶାଶୁଙ୍କ ଠାରୁ ଆରମ୍ଭ କରି ସଙ୍ଗୀତା ପର୍ଯ୍ୟନ୍ତ କେତେ କଥା ଘଟି ଯାଇଛି ଏଇ ଚାରି କାନ୍ଥ ଭିତରେ। ଇଟାକାନ୍ଥର ପ୍ରତିଟି ରନ୍ଧ୍ର ଭିତରେ ବିଲୁପ୍ତ ହୋଇ ଯାଇଛି କେତେ ପାଉଁଜିର ଶବ୍ଦ। 

କେତେ ଅଳତା ମିଶା ପାଦ ଚିହ୍ନ ସ୍ମୃତି ହୋଇ ଛୁପି ଯାଇଥିବ ଘର ଅଗଣାରେ। ତଥାପି ଘର ଭିତରେ ଶତାବ୍ଦୀ ପୁରୁଣା ହେନା ଫୁଲର ବାସ୍ନା ଏବେ ବି ମନ ଭିତରେ ବଞ୍ଚିବାର ଇଚ୍ଛାକୁ ଗୁନ୍ଥେ।

ଘର ଅଗଣାରେ କେତେ ଥର ରୋପା ଯାଇଛି ହେନା ଗଛକୁ, ତାର ହିସାବ ନାହିଁ। ପ୍ରତି ରାତିରେ ହେନା ଫୁଲର ବାସ୍ନାରେ ସାରା ଘରଟା ଉବୁଟୁବୁ ହୁଏ !!


କେତେ ବର୍ଷର ପୁରୁଣା ଡାଏରୀ ଭିତରୁ ହଠାତ ଅପଢା ଚିଠିଟିଏ ପାଇବା ଓ ସେଇଟା ପୁଣି ସ୍ୱର୍ଗୀୟ ଶାଶୁଙ୍କର, ପଢିବାକୁ ଇଚ୍ଛା ହେବ ହିଁ ହେବ !!


ବୋହୂ ସଙ୍ଗୀତା ପଶି ଆସିଲା ଘର ଭିତରକୁ, ଚିଠିଟିକୁ ମୋଡ଼ି ହାତ ମୁଠାରେ ରଖିଲି, ମୋ ଶାଶୁଙ୍କ ଚିଠି। ତାକୁ କାହିଁକି ଦେଖେଇବି ଭାବି ଅଣ୍ଟାରେ ଜାକି ଦେଲି। 

ହଠାତ କାହିଁକି ଭାରି ମନେ ପଡ଼ିଲା ଶାଶୁଙ୍କ କଥା, ଏଇ ପରିଣତ ବୟସରେ। ଶାଶୁଙ୍କ ମୃତ୍ୟୁ ପରେ ଅନେକ ଶୀତ, ଶ୍ରାବଣ ବିତି ଗଲାଣି ମୋର ଏଇ କ୍ଳାନ୍ତ ଦେହ ଉପରେ।


କୋଇଲି ର କୁହୁ କୁହୁ ତାନ ସହିତ ପୃଥିବୀରେ ନୂତନତାର ମହକ , ଦିଗବଳୟ ରୁ ଦିଗବଳୟ ପର୍ଯ୍ୟନ୍ତ ଏକଛତ୍ରବାଦୀ ରାଜତ୍ଵ ଆକାଶର , ପଶ୍ଚିମ ଆକାଶରେ ସୂର୍ଯ୍ୟାସ୍ତର ରକ୍ତିମ ଅବଶେଷ, ବର୍ଷା ପରେ ଅଳ୍ପ ଅଳ୍ପ ନିସ୍ତବ୍ଧତା ଭିତରେ ମୁଁ ମୋ ଭିତରେ ହଜି ଯାଇଥିଲି ସେଦିନ। କାହିଁକି କେଜାଣି ନିଜେ ବି ଜାଣି ନ ଥିଲି।


ବାରଣ୍ଡାରେ ଯାଇ ବସିଲି, 

ଅନେକ ବର୍ଷ ତଳର କଥା। ମୋ ବାହାଘର ପୂର୍ବଦିନ।  

ବୋଉ କହିଲେ ତୋ ଶାଶୁଙ୍କ ଭିତରେ ମୋତେ ଖୋଜିବାକୁ ଚେଷ୍ଟା କରିବୁ, ଦେଖିବୁ ଶାଶୁ କେତେ ନିଜର। ଶାଶୁ ତ ନିଜ ମା ପରି !!


ଦିଦି କହିଲା, ଯେସାକୁ ତେସା। ଶାଶୁ ଗାଳି କଲେ ତୁ କାହିଁକି ଛାଡ଼ିବୁ, ଏମିତି ପାନେ ଦେବୁ, ସାରା ଜୀବନ ମନେ ରଖିବ ସେ। ମୋ ଶାଶୁକୁ ମୁଁ ଟାଇଟ କରି ରଖିଛି। 


ସାଙ୍ଗ ରୀତା କହିଥିଲା, ଶାଶୁ ମାନେ ଆମ୍ବଗଛ ଭୂତ ପରି ପିଛା ଛାଡ଼ିବେନି, ଦିନ ସାରା ବକର ବକର କରୁଥିବେ। ଦେଖି ଚାହିଁ ଚାଲିବାକୁ ହେବ, ତା ନ ହେଲେ ଜୀବନଟା ପାଉଁଶ ହୋଇଯିବ ସୁଜାତା !!!


ବିବାହ ପରେ ସ୍ୱପ୍ନର ରଙ୍ଗୀନ ପୃଥିବୀଟି କୁଞ୍ଚା ମୁଞ୍ଚା ହୋଇଯିବା ଭୟ, ମୋ ଭିତରେ ବେକାବୁ ସୁନାମୀକୁ ଜନ୍ମ ଦେଲା। ଫେରି ପାରିବି ତ ଏଇ ଚକ୍ରବ୍ୟୁହ ଭିତରୁ। ଫେରିବାର ରାସ୍ତାକୁ ମନେ ରଖି ପାରିବି ତ ! ଅସୁମାରୀ ପ୍ରଶ୍ନ ମନ ଭିତରେ, ଆଖି ଲୁହର ଉଷ୍ମତାରେ ମନଟା ବାଷ୍ପ ହୋଇ ଆକାଶରେ ଉଡୁଥିଲା।  ଅଳ୍ପ ଅଳ୍ପ ବୁଝିଥିବା ଜୀବନଟା ମାୟା ମିରିଗର ରୂପ ଧାରଣ କରୁଥିଲା ଧୀରେ ଧୀରେ। ଭୁଲ ଠିକ୍ ଅନୁମାନ କରିବାର ଶକ୍ତିକୁ ହରାଇ ବସିଲି।

ବାହା ହୋଇ ଆସିଲି ଶାଶୁ ଘରକୁ।

ମନସ୍ତାତ୍ତ୍ୱିକ ଚାପ ଭିତରେ ଦିନ ସବୁ କଟିଗଲା, ଜଣା ପଡିଲାନି। କାହାରି କଥା କିନ୍ତୁ ମୋତେ ସତ ଲାଗୁ ନ ଥାଏ। ବର୍ଷେ ପର୍ଯ୍ୟନ୍ତ ଶାଢ଼ୀ ପିନ୍ଧି ଘରେ ରହିଲି । ଦିନେ ଚା ଟ୍ରେ ହାତ ରୁ ଖସି ପଡ଼ିଲା । ଛ ଟା କପ୍ ଭାଙ୍ଗି ଦେଲି। ଭାବିଲି ଆଜି ମୋତେ କଠୋର ଦଣ୍ଡ ମିଳିବ। ଶାଶୁ ତାଙ୍କ ଘର ଭିତରୁ ବାହାରି ଆସିଲେ। ମୁଁ ଥରୁଥାଏ। ହସି ଦେଲେ, କିଛି କହିଲେନି। ଦିନେ ମାଟି ହାଣ୍ଡିରେ ମାଂସ ରାନ୍ଧୁ ରାନ୍ଧୁ ହାଣ୍ଡି ଦୁଇ ଫାଳ ହୋଇଗଲା। ଦୁଇ କିଲୋ ମାଂସ ଚୁଲିରେ। କଦଳୀ ପତ୍ର ପରି ଥରିଲି। ଶାଶୁ ତାଙ୍କ ପୁଅକୁ ଗାଳି କରି କହିଲେ ଆଜି ଅମାବାସ୍ୟା , ମାଂସ ଆଣିବୁନି କହିଲି। କିଛି ଶୁଣିଲାନି। ବୋହୂର ଦୋଷ କୋଉଠି ? ହାଣ୍ଡି ଭାଙ୍ଗି ଯାଇଛି, ଭଲ ହୋଇଛି। ଅଳ୍ପକେ ବର୍ତ୍ତି ଗଲି ସେଦିନ।  

ଦିନେ ତାଙ୍କ ପୁଅ କହିଲେ, ଆଜି ସିନେମା ଯିବା, ଜିନ୍ସ ପିନ୍ଧ !

ମାଆ ଅଛନ୍ତି କହି ଜିଭ କାମୁଡି ପକେଇଲି। ସେ ଜିଦ୍ କଲେ। ଜିନ୍ସ ପିନ୍ଧି ବାହାରିଲି ତାଙ୍କ ସହିତ। ଶାଶୁ ମା ଦେଖି ହସିଦେଲେ। କହିଲେ, ବହୁତ ସ୍ମାର୍ଟ ଲାଗୁଛି ଆମ ସୁଜାତା !!

ଲାଜେଇ ଗଲି ତାଙ୍କ ଆଗରେ...

ଜୀବନରେ ହାରି ଯିବାର ଭୟ ଧୀରେ ଧୀରେ ବିଲୁପ୍ତ ହୋଇଗଲା ମୋ ମନ ଭିତରୁ। ମନର ସଂକୀର୍ଣ୍ଣତା ରୁ ଦୁଃଖ ଜନ୍ମ ନିଏ ବୋଲି ବୁଝିବାକୁ ଆଉ କଷ୍ଟ ହେଲାନି। ସୁଖୀ ହେବାର ଚାବି ତ ମନ କାନ୍ଥରେ ହିଁ ଝୁଲୁ ଥାଏ। ଦୁଃଖକୁ ନିୟନ୍ତ୍ରଣ କରିବା ଆଦୌ କଷ୍ଟ ନୁହେଁ। ବିବାହ ପରେ ପଚିଶ ବର୍ଷର ଶାଶୁ ମା ଓ ବିବାହ ପୂର୍ବରୁ ପଚିଶ ବର୍ଷର ନିଜ ବୋଉ ଭିତରେ ଖାସ୍ କିଛି ତଫାତ ନ ଥିଲା। ଜୀବନର ଦୀର୍ଘ ପଚାଶ ବର୍ଷ, ମୁଁ ଝିଅର ସ୍ନେହ ହିଁ ପାଇଲି। ବୁଝିଲି ଜୀବନକୁ ସହଜ ଅନୁଭବ କରିବାର ମନ୍ତ୍ର ତ ନିଜ ପାଖରେ।  


ବୋହୂ ବଜାର କୁ ବାହାରି ଯିବା ଦେଖି ଅଣ୍ଟାରୁ ଚିଠିଟି କୁ କାଢି ପଢିଲି।


ସୁଜାତା !


ମୋ ଝିଅକୁ ତା ଶାଶୁ ଘରେ ନିଆଁ ଜାଳି ମାରି ଦେବାର ଠିକ୍ ବର୍ଷେ ପରେ ତୁ ଆମ ଘରକୁ ବୋହୂ ହୋଇ ଆସିଥିଲୁ। ମନ ଭିତରେ ଜୀବନ ଦର୍ଶନକୁ ନେଇ ଅନେକ ଗବେଷଣା କଲି। ନିଜ ଭିତରେ ଅହଙ୍କାରକୁ ଦମନ କରି ମା' ମନରୁ ଶାଶୁ'ର ମନ ପର୍ଯ୍ୟନ୍ତ ଅସୀମ ମନସ୍ତାତ୍ତ୍ୱିକ ଦୂରତାକୁ ମିଟେଇଲି । ବେଶ୍, ପରିପକ୍ୱ ନାରୀ ଟିଏ ହୋଇ ସାରିଥିଲି ତୁ ଆସିଲା ବେଳକୁ। ନା ଥିଲା ମାଆର ଅଭିମାନ ନା ଥିଲା ଶାଶୁ ର ଅହଙ୍କାର ମୋ ଭିତରେ...

 

ଜୀବନରେ ଅନେକ ଖେଳ ଥାଏ ସୁଜାତା ! ଇଚ୍ଛା କରି ବି ହାରି ହୁଏନି। ସବୁ ଖେଳରେ ଜିତିବାକୁ ହେଲେ ମନକୁ ନିୟନ୍ତ୍ରଣ କରିବାକୁ ପଡେ ବୋଲି ବୁଝିଲି, ତୁ ଆମ ଘରେ ପାଦ ଦେବା ପରେ। ତୋ ଭିତରେ ମୋ ଝିଅକୁ ମୁଁ ଦେଖିବାକୁ ଆରମ୍ଭ କଲି, ଝିଅକୁ କଣ ଗାଳି କରି ହୁଏ। ତା ପରେ ଆରମ୍ଭ ହେଲା କଠୋର ପରୀକ୍ଷା ମୋ ପାଇଁ। ଅନେକ ଥର ତୁ ଭୁଲ କରି ବସୁଥିଲୁ ଅନେକ କଥା କୁ ନେଇ। କଦଳୀ ପତ୍ର ପରି ଥରିବା ଦେଖିଲେ ମୋତେ ଲାଗୁଥିଲା ଗୋଟାଏ ମନସ୍ତାତ୍ତ୍ୱିକ ଚାପ ଭିତରେ ତୁ ସଂଗ୍ରାମ କରୁଛୁ। ମୋ ଭିତରଟା ଜଳି ଉଠୁଥିଲା ତୋତେ ଗାଳି କରିବି, ବହୁତ ଗାଳି କରିବି। ପୁଣି ଥରେ ମୋ ଝିଅର ପ୍ରଛାୟା ଆସି ତୋତେ ସଂରକ୍ଷଣ ଦେଉଥିଲା ପ୍ରତି ମୁହୂର୍ତ୍ତରେ। ତୋ ଆଗରେ ହାତ ମେଲାଇ ଦଣ୍ଡାୟମାନ ହେଇଯାଉଥିଲା ସେ। ନିଜକୁ ନିୟନ୍ତ୍ରଣ କରିବା ଛଡ଼ା କିଛି ଉପାୟ ନ ଥିଲା ମୋ ପାଖରେ, ସୁଜାତା।

ଯେଉଁ ଦିନ ପ୍ରଥମେ ଜିନ୍ସ ପିନ୍ଧିଲୁ , ମୋ ଭିତରେ ରକ୍ତ ଟକ ଟକ୍ ଫୁଟୁଥିଲା। କିଛି କହିବି କହିବି ଭାବୁଥିଲି। ମୋ ଭିତରେ ଝିଅ ଆସି କହିଲା, ସେ ବି ଠିକ୍ ତୋ ଝିଅ ପରି ନା ! କାହିଁ, ମୁଁ ଜିନ୍ସ ପିନ୍ଧିଲେ ତୁ ମୋତେ ଆକଟ କରିନୁ !!! 

ତା ପରେ ତୋତେ ଦେଖି ହସି ଦେଲି। ନଚେତ, ଗୋଟାଏ ସୁନାର ସଂସାର ଭାଙ୍ଗି ଯାଇଥାନ୍ତା ମୁହୂର୍ତ୍ତକ ମଧ୍ୟରେ। ସଜାଡି ରଖି ପାରିଲେ ମନ ଆଉ ହୃଦୟଟା ଅକ୍ଷତ ରହେ ବୋଧେ, ଯେତେ ଝଡ ବତାସ ଆସୁ ନା କାହିଁକି !!!! ଜୀବନଟା କଥା କଥା ର ଖେଳ, ଯେମିତି କଥା, ସେମିତି ପୃଥିବୀ....ତୋ ଆଗରେ।


ତୋ ହାତରେ ତୁ ପିନ୍ଧିଥିବା ମୁଦିଟି ମୋର। ଦେଖ ଏସ୍ ଲେଖା ଥିବ ତା ଉପରେ, ମୋ ନାଆଁ ସୁଲଗ୍ନା। ମୋ ଶ୍ଵଶୁର ମୋତେ ମୋ ଜନ୍ମ ଦିନରେ ଦେଇଥିଲେ। ତୋ ନାଁ ସୁଜାତା, ଭାବିଲି ତୋତେ ହିଁ ଦେବି ବୋଲି। ଭାରି ସ୍ଵାଭିମାନୀ ଥିଲୁ, ନେବୁ ନ ନେବୁ ଭାବି ପୁଅ ଦ୍ଵାରା ଜନ୍ମ ଦିନରେ ତୋତେ ଦିଆ କରେଇଲି। ମଧ୍ୟବିତ୍ତ ପରିବାରରେ ଗହଣା ପତ୍ର ଦେବା ସମ୍ଭବ ହୁଏନି। ମନ ହିଁ ବଡ଼ ଉପହାର ସୁଜାତା। ମନ ଦେଇ ତୋତେ କିଣି ପାରିଛି, ତାହା ହିଁ ଯଥେଷ୍ଟ ମୋ ପାଇଁ। ଶାଶୁଟିଏ ହୋଇ ବୋହୂକୁ ମୋ ଝିଅର ଜାଗା ଦେଇଛି ହୃଦୟରେ। ହୃଦୟଟା ଏତେ ପ୍ରଶସ୍ତ ଯେ ସମସ୍ତଙ୍କ ପାଇଁ ଜାଗା ଥାଏ..ତୋ ପାଇଁ ବି ଜାଗା ଥିଲା, ଖାଲି ଇଚ୍ଛା ଶକ୍ତି ଟିଏ ଦରକାର। ଝିଅ ଆଉ ବୋହୂ ଭିତରେ ଥିବା ସୂକ୍ଷ୍ମ ପାର୍ଥକ୍ୟ କୁ ମନ ଭିତରେ ହିଁ ମିଟେଇ ହୁଏ ..

ଇତି ....


ଆଖିରୁ ଦୁଇ ଟୋପା ଲୁହ ଝରି ଆସିଲା ଅଜାଣତରେ। ବୋହୂ ଆସି କେତେବେଳଠୁ ଛିଡା ହୋଇଛି, ମୁଁ ଜାଣି ନ ଥିଲି।

ମାଆ ! କାନ୍ଦୁଛ ????

ପ୍ଲେଟ ଭାଙ୍ଗିଦେଲୁ, କାଲି ତୋତେ ବହୁତ ଗାଳି ଦେଲି, ଭାରି କଷ୍ଟ ହେଇଥିବ ନା !!! ବୋହୂ ହସିଦେଇ କୋଳେଇ ନେଲା ଶାଶୁଙ୍କୁ, ମୋ ବୋଉ ଆହୁରି ବେଶି ଗାଳି କରେ ମା । ନିଜ ହାତରୁ ମୁଦି ବାହାର କରି ପିନ୍ଧେଇ ଦେଇଥିଲେ ବୋହୂ ହାତରେ, 

ସଙ୍ଗୀତା ! ମନା କରିବୁନି, ଆଜି ତୋ ଜନ୍ମଦିନ..

ଏଇଟା ମୋ ତରଫରୁ .....

ସୁଲଗ୍ନା ରୁ ସୁଜାତା, ସୁଜାତା ରୁ ସଙ୍ଗୀତା ପର୍ଯ୍ୟନ୍ତ ସମ୍ପର୍କର ଡୋରି ବାନ୍ଧିଛି ଏଇ ମୁଦି ଟି।

ମୋ କଥା ମାନିବ ମା !! ମୋର ପରବର୍ତ୍ତୀ ଉପନ୍ୟାସର ନାଁ ରଖିବି "ମୋ ଶାଶୁ ପରି କେହି ନାଇଁ", ସବୁ ତମ କଥା ଲେଖିବି। ରାଜି ତ !!! 

ହଁ, ଗୋଟାଏ ସର୍ତ୍ତରେ। ମୋ ଶାଶୁଙ୍କ ଏଇ ଶେଷ ଚିଠି ତୋର ସେଇ ଉପନ୍ୟାସରେ ଛାପିବୁ ?? ଦେଖିବୁ ! ଦୁନିଆ ବଦଳିଯିବ।

ମାଆ !!!!!

ହା, ହା, ହା ସୁଜାତା ଙ୍କ ଖୁସି ଯାଇ ଆକାଶ ଛୁଇଁ ଆସୁଥିଲା।



Rate this content
Log in

Similar oriya story from Abstract