ଶାନ୍ତି
ଶାନ୍ତି
କେତେବେଳେ ଯେ ସଂଧ୍ୟା ଯାଇ ରାତି ହୋଇଯାଇଥିଲା ପ୍ରୀତିକୁ ଜଣା ନ ଥିଲା। ସେ ଯେତେବେଳେ ଠାକୁର ଘରୁ ବାହାରିଥିଲା ସେତେବେଳେ ପ୍ରାୟ ରାତି ଆଠଟା ବାଜି ଯାଇଥିଲା। ତା ଭିତରେ ତା'ର ସ୍ଵାମୀ ମଦନ ମୋହନ କାର୍ଯ୍ୟକ୍ଷେତ୍ରରୁ ଆସି ଥକା ମାରି ବସି ପଡିଥାନ୍ତି। ପ୍ରୀତି ପଚାରିଲା ଆରେ ତମେ କେତେବେଳେ ଆସିଗଲ, ମୋତେ ଜଣାନାହିଁ।ସ୍ଵାମୀ କହିଲେ ଏଇ ଅଧ ଘଣ୍ଟାଏ ହେବ। ବ୍ୟସ୍ତ ହୋଇପଡ଼ି ପ୍ରୀତି କହିଲେ ମୋତେ ଟିକେ ଡାକି ଦେଲନି।
ସ୍ବାମୀ କହିଲେ ଆରେ ବ୍ୟସ୍ତ ହୁଅନି। ତମେ ପୂଜାରେ ଏମିତି ମଜ୍ଜି ଯାଇଥିଲ ଯେ ସେଥିରେ ତମକୁ ଯେଉଁ ଶାନ୍ତି ମିଳୁଥିଲା ତାହା ତ ମୁଁ ତୁମକୁ କେବେ ବି ଦେଇ ପାରିବି ନାହିଁ। ତେଣୁ ମୁଁ ତୁମର ଧ୍ୟାନ ଭଙ୍ଗ କରିବାକୁ ଚାହିଁଲି ନାହିଁ।
ଆରେ ତମେ ସେମିତି କାହିଁକି ଭାବୁଛ। ମାନବ ସେବା ହିଁ ମାଧବ ସେବା। ତେଣୁ ତୁମର ସେବା କରିବାରେ ବି ମୋତେ ଶାନ୍ତି ମିଳେ । ତେଣୁ ସେଥିରୁ ବଞ୍ଚିତ କରିବା ଉଚିତ୍ ନୁହେଁ। ହେଉ ତମେ ଧୂଆ ଧୋଇ ହୋଇ ଆସ ମୁଁ ତମ ପାଇଁ ଜଳଖିଆ ନେଇ ଆସୁଛି।
ଏତିକି କହି ପ୍ରୀତି ରୋଷେଇ ଘରକୁ ଯାଇ କିଛି ଜଳଖିଆ ଓ ଚା ଧରି ଆସିବା ବେଳକୁ ଶାଶୁ ସରିତା ଦେବୀ ଗୋଡ ଘଷିବା ପାଇଁ ଡାକ ଛାଡ଼ିଲେ।ତେଣୁ ତରବର ଭାବେ ସ୍ବାମୀଙ୍କୁ ଜଳଖିଆ ଦେଇ ଚାଲିଗଲେ ଶାଶୁଙ୍କ ପାଖକୁ।ତା ପରେ ରୋଷେଇ ସାରି ସମସ୍ତଙ୍କୁ ଖାଇବାକୁ ଦେଲା ପରେ ନିଜେ ଖାଇ ବାସନ ମଜା ଆଦି କାମ ସାରି ଭଗବାନଙ୍କୁ ପ୍ରାର୍ଥନା କରି ଶୋଇବାକୁ ଗଲେ।
 
; ପ୍ରତ୍ୟେକ ଦିନ ବଢି ଭୋରରୁ ଉଠି ନିତ୍ୟକର୍ମ ସାରି ଘରର ଅନ୍ୟମାନେ ଉଠିବା ପୂର୍ବରୁ ଠାକୁର ପୂଜାରେ ତାଙ୍କୁ ଶାନ୍ତି ମିଳୁଥିଲା।ଘରର ଯାବତୀୟ କର୍ମ କରିବାରେ ସେ ଅବହେଳା କରି ନ ଥିଲେ। ସଦା ସର୍ବଦା ଯନ୍ତ୍ର ଭଳି କର୍ମ କରିବାରେ ତାଙ୍କୁ ଶାନ୍ତି ମିଳେ ବୋଲି ସେ କହିଥାନ୍ତି।
ଥରେ ତାଙ୍କର ନଣନ୍ଦ ପଚାରିଲେ ," ଭାଉଜ ତମେ ଏତେ ସବୁ କାର୍ଯ୍ୟ ଏକୁଟିଆ ପୁଣି ଠିକ୍ ସମୟରେ କିପରି ତୁଲାଇ ପାରୁଛ"।
ଉତ୍ତରରେ ସେ କ'ଣ କହିଥିଲେ ଜାଣନ୍ତି "ଆରେ ମିତା ଏସବୁ ତମେ ବି ଚାହିଁଲେ କରି ପାରିବ। କାହିଁକି ନା ମୋତେ ଏସବୁ କରିବାରେ ଶାନ୍ତି ମିଳେ। ମୁଁ ଭାବେ ଭଗବାନଙ୍କର ଦାନ ଏ ଜୀବନ ଯଦି କାହାର କାମରେ ଲାଗିବ ତେବେ ଭଗବାନ୍ ନିଶ୍ଚୟ ଖୁସି ହେବେ। ତେଣୁ ଯେତେ ବି କଷ୍ଟ ହେଉନା କାହିଁକି ମୁଁ ଅନ୍ୟ ପାଇଁ କିଛି କରି ପାରିଲେ ମୋ ମନକୁ ଶାନ୍ତି ମିଳେ।ତେଣୁ ମୋ ମନରେ ଥିବା ଏହି ମାନସିକତା ହିଁ ମୋତେ କର୍ମ କରିବା ନିମିତ୍ତ ବଳ ଯୋଗାଇ ଥାଏ।
ତାପରେ ନଣନ୍ଦ ଶାଶୁ ଘରକୁ ଗଲା ପରେ ଭାଉଜଙ୍କ କଥାକୁ ଅକ୍ଷରେ ଅକ୍ଷରେ ପାଳନ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ।ଆଉ ସଫଳ ମଧ୍ଯ ହୋଇଥିଲେ। ଖାଲି ସେତିକି ନୁହେଁ ମାନସିକ ଶାନ୍ତି ପାଇବା ସହ ଶାଶୁ ଶ୍ବଶୁର ଏବଂ ଅନ୍ୟ ଗୁରୁଜନ ମାନଙ୍କର ପ୍ରିୟପାତ୍ରୀ ହୋଇ ପାରିଥିଲେ। ଏବଂ ଏସବୁ ପାଇବାର ଶ୍ରେୟ ସେ ତାଙ୍କ ଭାଉଜଙ୍କୁ ଦେଇଥିଲେ। ଏବଂ ଖୁସିରେ ଜୀବନ ଅତିବାହିତ କରିଥିଲେ।