ସୁଖ
ସୁଖ
ଥରେ ଭାନୁମତୀ ଦେବୀ ଗାଆଁକୁ ଯାଇଥିଲେ।ସେଠାରେ ଅନେକ ନୂଆ ପୁରୁଣା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ।ତାଙ୍କୁ ବହୁତ୍ ଖୁସି ଲାଗିଥିଲା। ସେହି ଖୁସିକୁ ପାଥେୟ କରି ସେଠାରେ ସେ ଢେର ଦିନ ଅଟକି ଯାଇଥିଲେ।ସେଠାରେ ତାଙ୍କର ଏକ ପୁରୁଣା ଘର ସହିତ ଏକ ବିରାଟ ଆମ୍ବ ବଗିଚା ଥିଲା। ସହରର ଚାକଚକ୍ୟ ମଧ୍ୟରେ ରହି ରହି ସେ ଅଣନିଃଶ୍ବାସୀ ହୋଇ ପଡ଼ିଥିଲେ। ତେଣୁ ଗାଆଁର ଶାନ୍ତ ପରିବେଶ ତାଙ୍କ ମନରେ ସୁଖ ଆଣିଦେଇଥିଲା।
କିନ୍ତୁ କିଛିଦିନ ସେଠି ରହିବା ପରେ ଦେଖିଲେ କିଛି ଖଳ ପ୍ରକୃତିର ଲୋକ ତାଙ୍କୁ ଅସୁବିଧାରେ ପକାଇବାକୁ ଚେଷ୍ଟା କରୁଥିଲେ।ମାତ୍ର ଭାନୁମତୀ ଦେବୀ ସେଥିରେ ବିଚଳିତ ହୋଇ ପଡ଼ି ନ ଥିଲେ। ସେ ସାହସର ସହ ମୁକାବିଲା କରିଥିଲେ।ଖାଲି ମୁକାବିଲା କରିଥିଲେ ତାହା ନୁହେଁ। ତା ସହିତ ସେ ସେହି ଖଳ ଲୋକଙ୍କୁ ସେମାନଙ୍କର ଖରାପ ପ୍ରକୃତି ବିଷୟରେ ସଚେତନ କରାଇ ସେମାନଙ୍କୁ ଭଲ ବାଟକୁ ଆଣି ପାରିଥିଲେ। ଏହାଦ୍ବାରା ସେ ଜୀବନରେ ପରମ ସୁଖ ପାଇ ପାରିଥିଲେ ବୋଲି କହୁଥିଲେ।
ଦିନେ କ'ଣ ହୋଇଛି ନା ଗାଆଁର ଜଣେ ବ୍ୟକ୍ତି ତାଙ୍କ ଘରକୁ ଆସିଥିଲେ। ସେତେବେଳେ ଗ୍ରୀଷ୍ମ କାଳ ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ଅସହ୍ୟ ହୋଇ ପଡ଼ିଥିଲା। ବ୍ୟକ୍ତି ଜଣକ ତାଙ୍କୁ କହିଥିଲେ ସାଆନ୍ତାଣୀ ସହରର ଏ. ସି.ପବନକୁ ଛାଡ଼ି ଏତେ କଷ୍ଟରେ ଏଠି କାହିଁକି ପଡ଼ି ରହିଛନ୍ତି। ଆପଣଙ୍କୁ କି ସୁଖ ମିଳୁଛି। ଏକଥାର ଉତ୍ତରରେ ସେ କ'ଣ କହିଥିଲେ ଜାଣନ୍ତି।ସେ କହିଥିଲେ "ଆରେ ଦେଖ ଗଛ ଲତା , ବଣ ଜଙ୍ଗଲର ପଶୁ ପକ୍ଷୀ ମାନେ ତ ଖରା ବର୍ଷା ଶୀତ କାକର ସହି ପ୍ରକୃତି କୋଳରେ ସାରା ଜୀବନ ଅତିବାହିତ କରିଥିଲେ ମଧ୍ଯ କେବେ ଥକି ପଡ଼ି ନାହାଁନ୍ତି କି ଦୁଃଖ ପ୍ରକାଶ କରି ନାହାନ୍ତି। ସେମାନେ ଯଦି ସୁଖରେ ଅଛନ୍ତି।ତେବେ ଆମେ କାହିଁକି ଦୁଃଖ କରିବା। ସବୁ କଷ୍ଟ ମଧ୍ୟରେ ବି ସୁଖ ଭରି ରହିଛି ତାକୁ କେବଳ ଆମକୁ ଅନୁଭବ କରିବାର ଅଛି।"
ଏହିକଥା ଶୁଣିବା ପରେ ବ୍ୟକ୍ତି ଜଣକ ଅନୁଭବ କଲେ ସତରେ ସେମିତି ତ ଦେଖିବାକୁ ଗଲେ ଜୀବନରେ କେବଳ ହିଁ କେବଳ ସୁଖ ଭରି ରହିଛି। ପ୍ରକୃତି ସହ ଖାପ ଖୁଆଇ ନିଜକୁ ଆଗକୁ ବଢ଼ିବାରେ ଯେଉଁ ସୁଖ ମିଳେ ତାହା ଅନ୍ୟ କେଉଁଠାରୁ ମିଳିବ ହିଁ ନାହିଁ।
ଭବିଷ୍ୟତ କିଏ ଦେଖିଛି ?ତେଣୁ ପ୍ରତ୍ୟେକ ପ୍ରାଣୀ ବର୍ତ୍ତମାନକୁ ଆଖି ଆଗରେ ରଖି ସବୁ ପରିସ୍ଥିତି ସହ ନିଜକୁ ଖାପ ଖୁଆଇ ବଞ୍ଚିବା ଶିଖିଥିଲେ ଜୀବନରେ କେବଳ ସୁଖ ହିଁ ସୁଖ ମିଳିଥାଏ ବୋଲି ଭାନୁମତୀ ଦେବୀଙ୍କ କଥାରୁ ବ୍ୟକ୍ତି ଜଣକ ଉପଲବ୍ଧି କରିଥିଲେ। ତାଙ୍କର ସେହି ଉପଲବ୍ଧି ତାଙ୍କ ଜୀବନର ମୋଡ଼ ବଦଳାଇ ଦେଇଥିଲା। ସେ ସାରା ଜୀବନ ସୁଖ ଶାନ୍ତିରେ କଟାଇ ଦେଇଥିଲେ। କୌଣସି ଅଭାବ ଅନାଟନ ତାଙ୍କୁ ବିଚଳିତ କରି ପାରି ନ ଥିଲା।